ପରିମାଣ ବନାମ ଗୁଣମାନ

ଆମ ସାହିତ୍ୟଜଗତରେ ପରିମାଣର ଭ୍ରମ ଏତେ ମାତ୍ରାରେ ଘୋଟିଛି ଯେ ଜଣେ ଲେଖକଙ୍କୁ ସ୍ୱୀକୃତି, ସମ୍ମାନ ବା ଗୁରୁତ୍ୱ ଦେବା ପୂର୍ବରୁ ଆଜିକାଲି ତା’ଙ୍କ ଦ୍ୱାରା ରଚିତ ପୁସ୍ତକର ସଂଖ୍ୟାକୁ ଗଣତିକରିବା ଏକ ସାଧାରଣ ଧାରାରେ ପରିଣତ ହୋଇଗଲାଣି। ଏହି ଧରଣର ବିଚାରପନ୍ଥାରେ ଗୋଟିଏ ସାହିତ୍ୟକୃତିର ଗୁଣମାନଜନିତ ଦିଗଟି ଯେ ବଳିପଡ଼ିଯାଏ ଏଥିରେ ସନ୍ଦେହ ନାହିଁ। ‘ଅମୁକ’ କବି ବା ଲେଖକ ଶହେରୁ ଅଧିକ ବହି ଲେଖି ସାରିଲେଣି; ଅତଏବ ସେ ନିଜ ଜୀବନକାଳ ଭିତରେ ଗୋଟିଏ ମାତ୍ର ବହି ଲେଖିଥିବା ଶ୍ରୀ ‘ସମୁକ’ଙ୍କଠାରୁ ଉଚ୍ଚତର ଆସନ ପାଇବାକୁ ହକଦାର୍‌, ଏମିତି ଏକ ଧାରଣା କ୍ରମେ ବଳବତ୍ତର ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ଆମର ମନେପଡ଼େ ମହାତ୍ମା ଗାନ୍ଧୀଙ୍କର ଗୋଟିଏ ପ୍ରସିଦ୍ଧ ଉକ୍ତି: “ଆମ କାର୍ଯ୍ୟର ଗୁଣବତ୍ତା ହିଁ ଈଶ୍ୱରଙ୍କୁ ପ୍ରସନ୍ନକରେ, ତାହାର ପରିମାଣ ନୁହେଁ।’ ଆମର ପାଠକ-ଈଶ୍ୱରମାନେ ଏହି କଥା ଠିକ୍ ଭାବରେ ହେଜନ୍ତି ବୋଲି ଆମର ଦୃଢ଼ ବିଶ୍ୱାସ ଏବଂ ସେମାନେ ଜଣେ ସ୍ରଷ୍ଟାଙ୍କୁ ପରିଶେଷରେ ଯେଉଁ କାଳଜୟୀ ମୂଲ୍ୟ ଦିଅନ୍ତି ତାହା ସେହି ଲେଖକଙ୍କ ଦ୍ୱାରା ରଚିତ ପୁସ୍ତକର ସଂଖ୍ୟା ନୁହଁ, ବରଂ ତାହାର ଗୁଣବତ୍ତା ଉପରେ ଆଧାରିତ ହୋଇଥାଏ।
ଅବଶ୍ୟ ବିଶୁଦ୍ଧ ରଚନାପ୍ରବଣତା ଦ୍ୱାରା ପ୍ରେରିତ ହୋଇ ଜଣେ ଲେଖକ, ଗୋଟିକ ପରେ ଗୋଟିଏ ଏହିଭଳି ବହୁସଂଖ୍ୟକ ପୁସ୍ତକ ଲେଖିପାରିବା ଏକ ଗର୍ହିତ ପନ୍ଥା ନୁହେଁ। ଏହା ବରଂ ଏକ ସ୍ୱାଭାବିକ ସର୍ଜନା ପ୍ରକ୍ରିୟା; କିନ୍ତୁ ଯେଉଁମାନେ ନିଜ ଦ୍ୱାରା ରଚିତ ପୁସ୍ତକର ତାଲିକାଟିକୁ କେବଳ ଲମ୍ବାଇବାର ଲକ୍ଷ୍ୟନେଇ ଏଭଳି କରନ୍ତି ସେମାନଙ୍କୁ ବା କ’ଣ କୁହାଯିବ? ଏହି ପ୍ରସଙ୍ଗରେ ଜଣେ ଆମେରିକୀୟ ଚଳଚ୍ଚିତ୍ର ପ୍ରଯୋଜିକା ତଥା ସୁଲେଖିକା ଜେନ୍ ଆଲ୍‌ଭାରେସ୍ କହନ୍ତି, “କ୍ୱାଲିଟି’ ଅପେକ୍ଷା ‘କ୍ୱାଣ୍ଟିଟି’କୁ ଅଧିକ ଗୁରୁତ୍ୱ ଦେବା ହେଉଛି ମଣିଷର ଏକ କ୍ଲାସିକ୍ ତ୍ରୁଟି।” ଏହା ନିଧାର୍ଯ୍ୟ ଯେ କାଳ ହିଁ ଏହି ତ୍ରୁଟିର ସଂଶୋଧନ କରି ନିର୍ଣ୍ଣୟ କରିଥାଏ ଜଣେ ଲେଖକଙ୍କର ଯଥାର୍ଥ ଆସନ।
ସେ ଅନ୍ତର୍ଜାତୀୟ ସାହିତ୍ୟ ହେଉ ଅବା ଆମର ସ୍ଥାନୀୟ ସାହିତ୍ୟ, ଆମ ଆଗରେ ଏଭଳି ଦୃଷ୍ଟାନ୍ତ ବିରଳ ନୁହେଁ ଯେଉଁଠି ଲେଖକମାନେ ନିଜର ଜୀବନରେ ଗୋଟିଏ କିମ୍ବା ଦୁଇଟି ମାତ୍ର ବହି ଲେଖି ପ୍ରସିଦ୍ଧି ଅର୍ଜନ କରିଛନ୍ତି। ପୁଲିଜର୍ ପୁରସ୍କାର ବିଜୟିନୀ ହାର୍ପର ଲି ନିଜର ଜୀବନକାଳ ମଧ୍ୟରେ ଗୋଟିଏ ମାତ୍ର ଉପନ୍ୟାସ ଲେଖିପାରିଥିଲେ ଏବଂ ସେହି ଗୋଟିକ ବହି ତାଙ୍କୁ ଖ୍ୟାତିର ଶିଖରକୁ ନେଇପାରିଥିଲା। ଊନବିଂଶ ଶତାବ୍ଦୀର ବହୁଚର୍ଚ୍ଚିତ ଔପନ୍ୟାସିକା ଏମିଲି ବ୍ରଣ୍ଟି ‘ୱୁଦରିଂ ହାଇଟସ୍‌’ ନାମକ ଗୋଟିଏ ମାତ୍ର ଉପନ୍ୟାସ ଲେଖି ଇଂଲିଶ୍ ସାହିତ୍ୟର ଇତିହାସରେ ନିଜର ଗରିମାକୁ ସୁପ୍ରତିଷ୍ଠିତ କରିପାରିଥିଲେ। ସେହିଭଳି ଆମ ଓଡ଼ିଆ ଭାଷାରେ ବାରିଷ୍ଟର ଗୋବିନ୍ଦ ଦାସ ମଧ୍ୟ ‘ଅମାବାସ୍ୟାର ଚନ୍ଦ୍ର’ ନାମକ ଗୋଟିଏ ମାତ୍ର ଉପନ୍ୟାସ ଲେଖି ସାହିତ୍ୟରେ ଅମର ହୋଇପାରିଛନ୍ତି। ଏହା ଦର୍ଶାଇଦିଏ ଯେ ବାସ୍ତବରେ ଜଣେ ଲେଖକଙ୍କର ଗ୍ରହଣୀୟତା ଅବା ସ୍ୱୀକୃତି ପଛରେ ସେ ଲେଖିଥିବା ପୁସ୍ତକଗୁଡ଼ିକର ସଂଖ୍ୟା ବିଶେଷ ଭୂମିକା ତୁଲାଇ ନ ଥାଏ।
ଆମ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସାହିତ୍ୟ ପୁରସ୍କାରଗୁଡ଼ିକର ନିର୍ଣ୍ଣୟ ପ୍ରକ୍ରିୟାରେ ଏହି ପରିମାଣାତ୍ମକ ଦିଗଟି ବିଚାରକମାନଙ୍କୁ ପ୍ରଭାବିତ କରୁଥିବା ପ୍ରାୟତଃ ଦେଖିବାକୁ ମିଳିଥାଏ। ଏଭଳି ଏକ ଭ୍ରାନ୍ତିରୁ ଆମର ସାହିତ୍ୟଜଗତ ମୁକ୍ତ ନ ହେବା ପର୍ଯ୍ୟନ୍ତ ଆମେ ସାହିତ୍ୟକାରମାନଙ୍କ ପ୍ରତି ଉପଯୁକ୍ତ ନ୍ୟାୟ କରୁଛେ ବୋଲି କେବେହେଲେ କହିପାରିବା ନାହିଁ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୬  ସଂଖ୍ୟାରେ ପ୍ରକାଶିତ। )

Leave a Reply

Your email address will not be published. Required fields are marked *