ସମାଚାର ଅଭିଲେଖ

ଉତ୍କଳ ସାହିତ୍ୟ ସମାଜର ନିର୍ବାଚନ: ବାଜିମାରିଲେ ଗୋବିନ୍ଦ ଚନ୍ଦ୍ର ଚାନ୍ଦ

ଘମାଘୋଟ ନିର୍ବାଚନର ଘଟିଲା ଅନ୍ତ

ଓଡ଼ିଶା ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ, ‘ଉତ୍କଳ ସାହିତ୍ୟ ସମାଜ’ର ବହୁଚର୍ଚ୍ଚିତ ନିର୍ବାଚନର ଫଳାଫଳ ଅକ୍ଟୋବର ୧୩ ତାରିଖ ଦିନ ପ୍ରକାଶ ପାଇଛି। ଏଥିରେ ପୂର୍ବତନ ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସଭାପତି ଭାବରେ ପୁନଃନିର୍ବାଚିତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମାନନ୍ଦ ବିଶ୍ବାଳ ଉପସଭାପତି, ରାଜୀବ କୁମାର ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ, ଶଶିକାନ୍ତ ରାଉତ ସଂଗଠନ ସମ୍ପାଦକ, ବ୍ରହ୍ମାନନ୍ଦ ମହାନ୍ତି ପାଠାଗାର ସମ୍ପାଦକ ଓ ଦିଲ୍ଲୀପ କୁମାର ଦାସ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ବ୍ୟତୀତ କାର୍ଯ୍ୟକାରୀ ସମିତିକୁ ୧୧ ଜଣ ସଦସ୍ୟ ମଧ୍ୟ ନିର୍ବାଚିତ ହୋଇଛନ୍ତି।ଏହି ନିର୍ବାଚନକୁ ନେଇ ରାଜ୍ୟର ସାହିତ୍ୟିକ ମହଲରେ କିଛି ଦିନ ଧରି ସରଗରମ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୈନିକ ‘ସମାଜ’ର ପୂର୍ବତନ ମୁଦ୍ରାକର ଓ ପ୍ରକାଶକ ତଥା ଲୋକସେବକ ମଣ୍ଡଳର ବର୍ତ୍ତମାନର ରାଷ୍ଟ୍ରୀୟ ସଚିବ ପ୍ରଭାସ କୁମାର ଆଚାର୍ଯ୍ୟ ନିଜେ ସଭାପତି ପଦ ପାଇଁ ଜଣେ ପ୍ରାର୍ଥୀ ହେବା ସହିତ ଅନ୍ୟ ସମସ୍ତ ପଦ ପାଇଁ ନିଜର ସମର୍ଥକମାନଙ୍କର ଏକ ପ୍ୟାନେଲ୍‌କୁ ଧରି ନିର୍ବାଚନର ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ଅପର ପକ୍ଷରେ ଅନୁଷ୍ଠାନର ପୂର୍ବତନ ସଭାପତି ତଥା ‘ପୌରୁଷ’ର ସହ-ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ମଧ୍ୟ ନିଜର ପ୍ୟାନେଲ୍ ସହ ଏହି ନିର୍ବାଚନରେ ଭାଗ ନେଇଥିଲେ। ଏହାପାଇଁ ଉଭୟ ପକ୍ଷରୁ ଗତ କିଛି ଦିନ ଧରି ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଥିଲା। ତେବେ ନିର୍ବାଚନ ଫଳାଫଳରୁ ଯାହା ଜଣାପଡ଼େ, ଭୋଟରମାନେ ଏଥର କୌଣସି ଗୋଟିଏ ପ୍ୟାନେଲ୍‌କୁ ସମ୍ପୂର୍ଣ୍ଣ ଭାବରେ ଜିତାଇନାହାନ୍ତି। ଉଭୟ ପକ୍ଷର ପ୍ରାର୍ଥୀ ବିଭିନ୍ନ ପଦ ପାଇଁ ବିଜୟୀ ହୋଇଛନ୍ତି। ଜଣାଯାଇଛି ଯେ ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦୁଇଜଣ ମୁଖ୍ୟ ପ୍ରତିଦ୍ଵନ୍ଦ୍ବୀଙ୍କ ବ୍ୟତୀତ ଆଉ ଜଣେ ତୃତୀୟ ପ୍ରାର୍ଥୀଙ୍କୁ ମଧ୍ୟ ପ୍ରକ୍ସି ଭାବରେ ସଭାପତି ପଦ ପାଇଁ ପ୍ରାର୍ଥୀ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ମାହାଙ୍ଗା ଓ ତାହାର ଆଖପାଖ ଅଞ୍ଚଳରୁ ପ୍ରଭାସ କୁମାର ଆଚାର୍ଯ୍ୟ ପାଇବାକୁ ଥିବା ଭୋଟକୁ ଭାଗ ଭାଗ କରିବା। ଏହି ରଣକୌଶଳ କିଛି ମାତ୍ରାରେ ସଫଳ ହୋଇଥିବା ମଧ୍ୟ ଜଣାପଡ଼ୁଛି। ନିର୍ବାଚନରେ ହାରି ଯାଇଥିବା ଜଣେ ପ୍ରାର୍ଥୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ କେବେ ହେଁ ସାହିତ୍ୟର ଧାର ଧରି ନ ଥିବା ବହୁ ବ୍ୟକ୍ତିଙ୍କୁ ଏଥର ଭୋଟର ତାଲିକାଭୁକ୍ତ କରାଯାଇଥିଲା। ତା’ଛଡ଼ା ସେ ମଧ୍ୟ କହିଛନ୍ତି ଯେ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା କର୍ମକର୍ତ୍ତାମାନେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ କାନଭାସିଂ କରିବା ଦେଖା ଯାଇଥିଲା।ନବନିର୍ବାଚିତ ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ‘ସାହିତ୍ୟ ଚର୍ଚ୍ଚା’କୁ କହିଛନ୍ତି ଯେ ସାହିତ୍ୟ ସହିତ ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ବାନ୍ଧିରଖିବା ତାଙ୍କର ପ୍ରାଥମିକତା ହେବ। ସେ ମଧ୍ୟ କହିଛନ୍ତି ଯେ ନିଜର ପୂର୍ବ କାର୍ଯ୍ୟକାଳ ମଧ୍ୟରେ ସେ ଆରମ୍ଭ କରିଥିବା ଉତ୍କଳ ସାହିତ୍ୟ ସମାଜର ଏକ ବୃହତ୍ ଇତିହାସ ପ୍ରଣୟନର କାର୍ଯ୍ୟ ସେ ଏଥର ସମାପ୍ତ କରିବେ।
(ପ୍ରକାଶିତ: ୧୩ ଅକ୍ଟୋବର, ୨୦୨୫)

ବାଲିଯାତ୍ରା ଉତ୍ସବରେ ଓଡ଼ିଆ ପୁସ୍ତକ ବଣ୍ଟନରେ ଅବ୍ୟବସ୍ଥା

ଘୋଷିତ ସୁଚୀ ଅନୁସାରେ ପୁସ୍ତକ ମିଳୁନାହିଁ

ଐତିହାସିକ ବାଲିଯାତ୍ରା ଉପଲକ୍ଷେ କଟକରେ ଚାଲିଥିବା ସପ୍ତାହ ବ୍ୟାପୀ ଉତ୍ସବରେ ଓଡ଼ିଆ ସାହିତ୍ୟର ପ୍ରସାର ପାଇଁ ବହୁ ଆଡମ୍ବରରେ ଘୋଷଣା କରାଯାଇଥିବା ମାଗଣା ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମରେ କେତେକ ଅବ୍ୟବସ୍ଥା ଦୃଷ୍ଟିକୁ ଆସିଛି। ସରକାରଙ୍କ ପକ୍ଷରୁ ପୁସ୍ତକ ବଣ୍ଟନ ପାଇଁ ଖୋଲାଯାଇଥିବା ଷ୍ଟଲ୍ ସାମନାରେ ଆଶାୟୀ ସାହିତ୍ୟ ପ୍ରେମୀ, ବିଶେଷତଃ ଓଡ଼ିଆ ଛାତ୍ର ଓ ଛାତ୍ରୀମାନେ ସମୟ ପୂର୍ବରୁ ଧାଡ଼ି ବାନ୍ଧି ଅପେକ୍ଷା କରିଥିବା ସତ୍ତ୍ବେ ସେମାନଙ୍କୁ ଆଶାନୁରୂପ ପୁସ୍ତକ ମିଳିପାରୁ ନାହିଁ। ଫଳରେ ଅନେକ ବ୍ୟକ୍ତି ନିରାଶରେ ଫେରିଯାଉଥିବା ଦେଖିବାକୁ ମିଳୁଛି। ଏହି ଯାତ୍ରାରେ ବଣ୍ଟନ ହେବାକୁ ଥିବା ପୁସ୍ତକ କ୍ରୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଟେଣ୍ଡର ଡକୁମେଣ୍ଟ ଜାରି କରାଯାଇଛି, ତାହା ଅନୁସାରେ ୨୨ଜଣ ସ୍ରଷ୍ଟାଙ୍କ ୨୫ଟି କାଳଜୟୀ ପୁସ୍ତକ ଜନସାଧାରଣଙ୍କ ମଧ୍ୟରେ ବିତରିତ ହେବା କଥା। ଏହି ପୁସ୍ତକଗୁଡ଼ିକର ତାଲିକାରେ ରହିଛି ଫକୀରମୋହନ ସେନାପତିଙ୍କର ‘ଛ ମାଣ ଆଠ ଗୁଣ୍ଠ’ (୪୦୦୦) ଓ ‘ଲଛମା’ (୪୦୦୦), କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ‘ମାଟିର ମଣିଷ’ ୪୦୦୦), ଗୋପୀନାଥ ମହାନ୍ତିଙ୍କ ‘ପରଜା’ (୨୦୦୦) ଓ ‘ମାଟିମଟାଳ’ (୧୨୦୦), ଗୋବିନ୍ଦ ଚନ୍ଦ୍ର ଦାସଙ୍କର ‘ଅମାବାସ୍ୟାର ଚନ୍ଦ୍ର’ (୪୦୦୦), ପ୍ରତିଭା ରାୟଙ୍କର ‘ଯାଜ୍ଞସେନୀ’ (୧୫୦୦) ତଥା ଏହିଭଳି ଆହୁରି ଅନେକ ପୁସ୍ତକ। କିନ୍ତୁ ସୂଚିବଦ୍ଧ ହୋଇଥିବା ଏହି ପୁସ୍ତକଗୁଡ଼ିକ ମଧ୍ୟରୁ ଅନେକ ବହି ସେଠାରେ ଅପେକ୍ଷା କରିଥିବା ପାଠକମାନଙ୍କୁ ମିଳିପାରୁନଥିବା ଅଭିଯୋଗ ହୋଇଛି। ଏଥିପାଇଁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ପାଖାପାଖି ୯୨ ହଜାର ପୁସ୍ତକ ଟେଣ୍ଡର ମାଧ୍ୟମରେ ପ୍ରକାଶକମାନଙ୍କଠାରୁ କିଣିବା ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଏଥିରେ ଅନିୟମିତତା ହେତୁ ପୁସ୍ତକ ପ୍ରକାଶକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବହି ବଣ୍ଟନ ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ବିତରଣ ଷ୍ଟଲ୍ ଖୋଲିବାର ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସମୟ ମଧ୍ୟ ନାହିଁ; କେଉଁଦିନ ଅପରାହ୍ନ ୩ଟାରେ ତ କେଉଁଦିନ ୫ଟାରେ ଏହି ଷ୍ଟଲ୍ ଖୋଲାଯାଉଛି। ଏହା ସହ ଜଣେ ବ୍ୟକ୍ତିଙ୍କୁ କେତେଖଣ୍ଡ ପୁସ୍ତକ ଦିଆଯିବ ତାହାର ମଧ୍ୟ ତାଲିକା ନାହିଁ। ଅନ୍ୟ ପକ୍ଷରେ ବାଲିଯାତ୍ରା ଉପଲକ୍ଷେ ସେଠାରେ ଖୋଲାଯାଇଥିବା ‘ଆମ ଭାଷା ଆମ ସାହିତ୍ୟ’ ନାମକ ଏକ ପରିସର ମଧ୍ୟରେ ଲଗାଯାଇଥିବା ପ୍ରଥିତଯଶା ଲେଖକ ଫତୁରାନନ୍ଦ, ଵିନୋଦ ନାୟକ ଓ ଗୁରୁପ୍ରସାଦ ମହାନ୍ତି ମହାପାତ୍ରଙ୍କ ଚିତ୍ର ସମ୍ବଳିତ ହୋର୍ଡିଂରେ ସେମାନଙ୍କ ଜନ୍ମ ତିଥି ସମେତ କେତେକ ତଥ୍ୟରେ ତ୍ରୁଟି ଥିବାର ମଧ୍ୟ ପରିଲକ୍ଷିତ ହୋଇଛି। ଏହା ଓଡ଼ିଆ ଭାଷା ଓ ସାହିତ୍ୟକୁ ଭଲ ପାଉଥିବା ବ୍ୟକ୍ତିବିଶେଷଙ୍କ ଭାବନା ପ୍ରତି କୁଠାରଘାତ କରିଛି।
(ପ୍ରକାଶିତ: ୯ ନଭେମ୍ବର, ୨୦୨୫)

୪୬ତମ ଶାରଳା ପୁରସ୍କାରରେ ସମ୍ମାନିତ ହେଲେ ଦେବଦାସ ଛୋଟରାୟ

ରାମହରି ଦାସ ଓ ବଳଦେବ ମହାରଥାଙ୍କୁ କଳାସମ୍ମାନ

ଇଣ୍ଡିଆନ୍ ମେଟାଲସ୍ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ (ଇମ୍ପାକ୍ସ) ଦ୍ବାରା ଅକ୍ଟୋବର ୨୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ୪୬ ତମ ଶାରଳା ପୁରସ୍କାର ଗ୍ରହଣ କରି ସୁବିଦିତ ଗୀତିକବି ଓ କଥାକାର ଦେବଦାସ ଛୋଟରାୟ କହିଲେ ଯେ, ସେ ବୁଝି ହେଉନଥିବା ଉପଭୋକ୍ତାଙ୍କ ପାଇଁ ଲେଖନ୍ତି ନାହିଁ, ଯାହାଙ୍କ ଉପରେ ତାଙ୍କର କୌଣସି ବିଶ୍ବାସ ନାହିଁ। ବରଂ ସେ ନିଜ ପାଇଁ ଓ ସମୟ କାଟିବାର କ୍ଲେଶକୁ ଲାଘବ କରିବାପାଇଁ ଲେଖନ୍ତି। ତା’ଙ୍କ ଦ୍ବାରା ରଚିତ ‘ମ୍ୟାଟିନି ସୋ’ ଗଳ୍ପ ସଂକଳନ ପାଇଁ ତା’ଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ପୁରସ୍କାର ବାବଦରେ ତା’ଙ୍କୁ ତାମ୍ର ଫଳକ, ଉପାୟନ ସହିତ ସାତ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା।
ଏହି ଅବସରରେ ବର୍ଷୀୟାନ୍ ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ ଓ ପ୍ରସିଦ୍ଧ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଓ ତାମ୍ର ଫଳକ ସହ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ମଧ୍ୟ ପ୍ରଦାନ କରାଯାଇଥିଲା।
ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ହିନ୍ଦୀ କବି ଓ ଲେଖିକା ସବିତା ସିଂହ କହିଲେ ଯେ ସାହିତ୍ୟ ମଣିଷ ଦ୍ବାରା ନିଜସ୍ବ ଖୁସି ଓ ସୌଭାଗ୍ୟ ପାଇଁ ସୃଷ୍ଟି ହୁଏ ଏବଂ ଏହି ଖୁସି ବିଶ୍ବର ସମସ୍ତଙ୍କ ପାଇଁ ସୌନ୍ଦର୍ଯ୍ୟ ଓ ସାମାଜିକ ନ୍ୟାୟ ଅନୁସନ୍ଧାନ କରେ। ଉତ୍ସବରେ ଅଧ୍ୟକ୍ଷତା କରି ‘ଇମ୍ପାକ୍ଟ’ର ଟ୍ରଷ୍ଟି ପାରମିତା ପଣ୍ଡା କହିଲେ ଯେ ଶାରଳା ପୁରସ୍କାର ବିଜେତା ଦେବଦାସ ଛୋଟରାୟ ତାଙ୍କର ନିଆରା ଉପସ୍ଥାପନା ଶୈଳୀ ପାଇଁ ସବୁବେଳେ ପାଠକ ଓ ଶ୍ରୋତାଙ୍କର ଆଦର ଲାଭ କରିଆସିଛନ୍ତି। ସେ ମଧ୍ୟ କହିଲେ ଯେ ଓଡ଼ିଶାର କଳା ଓ ସାହିତ୍ୟକୁ ଏକ ସମ୍ମାନଜନକ ଉଚ୍ଚତାକୁ ନେବା ଦିଗରେ ଶାରଳା ପୁରସ୍କାର ଓଡ଼ିଆ ଅସ୍ମିତାକୁ ପ୍ରତିପାଦିତ କରିପାରିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ଲେଖକ ଓ ସାହିତ୍ୟପ୍ରେମୀ ଏହି ସଭାରେ ଯୋଗଦେଇଥିଲେ।
(ପ୍ରକାଶିତ: ୨୬ ଅକ୍ଟୋବର, ୨୦୨୫)

ଉନ୍ମୋଚିତ ହେଲା ଚାରିଦିନିଆ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ

ପାଞ୍ଚଟି ଦେଶରୁ ବହୁ ସାହିତ୍ୟିକଙ୍କ ଯୋଗଦାନ

ସୁବିଦିତ ସାହିତ୍ୟ ମହୋତ୍ସବ ‘କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ୍‌’ର ଦ୍ବାଦଶ ଅଧ୍ୟାୟ ଭୁବନେଶ୍ବରର ମେ’ଫେଆର୍ କନଭେନ୍‌ସନ୍‌ରେ ଜାନୁଆରୀ ୮ ତାରିଖ ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଆରମ୍ଭରେ ଅନୁଷ୍ଠାନର ସି.ଇ.ଓ ଅଶୋକ କୁମାର ବଳ ଓ ପ୍ରତିଷ୍ଠାତା ନିର୍ଦ୍ଦେଶକ ରଶ୍ମୀରଂଜନ ପରିଡ଼ା ଅତିଥିମାନଙ୍କର ସ୍ୱାଗତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏହି ଉପଲକ୍ଷେ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ ଶ୍ରୀଲଙ୍କାର ଗ୍ରାମ ଉନ୍ନୟନ ଓ ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ, ଉପାଲି ପାନିଲାଗି, ରାଜ୍ୟର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପାର୍ଲିଆମେଣ୍ଟ ସଦସ୍ୟ ସୁଜିତ କୁମାର, ବିଶିଷ୍ଟ ସ୍ଥାପତ୍ୟ ଶିଳ୍ପୀ ସୁଦର୍ଶନ ସାହୁ, ପ୍ରସିଦ୍ଧ ଲେଖିକା ପ୍ରତିଭା ରାୟ ଓ ‘ସମ୍ବାଦ’ର ସମ୍ପାଦିକା ତନୟା ପଟ୍ଟନାୟକ। କେ.ଏଲ୍.ଏଫ୍ ପକ୍ଷରୁ ବର୍ଷୀୟାନ ଲେଖକ ଅଚ୍ୟୁତାନନ୍ଦ ପତିଙ୍କୁ ତା’ଙ୍କ ଅନୁପସ୍ଥିତିରେ ‘ଲିଭିଙ୍ଗ ଲିଜେଣ୍ଡ’ ପୂରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଅନ୍ୟ ପ୍ରତିଭାଧରମାନେ ମଧ୍ୟ ସମ୍ମାନିତ ହୋଇଥିଲେ।
ଉଦ୍‌ଘାଟନ ସଭାରେ ଅନେକ ସାହିତ୍ୟିକ ଓ ସାହିତ୍ୟପ୍ରେମୀଙ୍କ ଦ୍ବାରା ମେ’ଫେଆର୍ ସଭାଗାରଟି ଭରପୁର ହେବାର ଦେଖାଯାଇଥିଲା। ଏହି ଚାରିଦିନିଆ ମହୋତ୍ସବରେ ଅନୁଷ୍ଠିତ ହେବାକୁ ଥିବା ପ୍ରାୟ ୧୦୦ଟି ଅଧିବେଶନରେ ପାଞ୍ଚଟି ଦେଶର ପ୍ରାୟ ୫୦୦ ଜଣ ବକ୍ତା ବିବିଧ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।
(ପ୍ରକାଶିତ: ୮ ଜାନୁଆରୀ ୨୦୨୬)

ବ୍ୟଙ୍ଗସାହିତ୍ୟ ଉପରେ ଆଲୋଚନା: ହାସ୍ୟମେବ ଜୟତେ

ହାସ୍ୟରସ ବିଷୟରେ ଆଲୋଚନାଚକ୍ର

ଲେଖକ ସାମ୍ମୁଖ୍ୟ, ଓଡ଼ିଶା, ପକ୍ଷରୁ ଜାନୁଆରୀ ୧୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରର ରାଜଧାନୀ କଳା ସଂସଦ ସଭାଗୃହରେ ‘ହାସ୍ୟମେବ ଜୟତେ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟଙ୍ଗସାହିତ୍ୟ ସହିତ ସମ୍ପୃକ୍ତ ଛଅ ଜଣ ପ୍ରତିଭାଧର ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ଆଲୋଚନା ଆରମ୍ଭ କରି ବିଶିଷ୍ଟ କଥାକାର ଓ ରମ୍ୟରଚନାକାର ପୀତବାସ ରାଉତରାୟ କହିଲେ ଯେ ବହୁ ବର୍ଷ ତଳେ ହିନ୍ଦୀ ପତ୍ରିକା, ‘ସାରିକା’ରେ ପ୍ରକାଶିତ ଏକ ରଚନା ପଢ଼ି ସେ ବ୍ୟଙ୍ଗସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ। ସେ ମଧ୍ୟ କହିଲେ ଯେ ଗୋଟିଏ ଧାଡ଼ିର ବ୍ୟଙ୍ଗରେ ଅମାପ ଶକ୍ତି ଭରିରହିଥାଏ। ହାସ୍ୟରସ ମାଧ୍ୟମରେ କେତେକ ବ୍ୟାଧିରୁ ଉପଶମ ମଧ୍ୟ ସମ୍ଭବ ହୋଇଥାଏ।
ଲୋକପ୍ରିୟ ବ୍ୟଙ୍ଗଶିଳ୍ପୀ ଜ୍ଞାନ ହୋତା ‘ମଞ୍ଚରେ ବ୍ୟଙ୍ଗକବିତାର ସ୍ଥାନ’ ବିଷୟରେ ଉପଯୋଗୀ ବ୍ୟାଖ୍ୟା ରଖିଥିଲେ। ସେ କହିଲେ ଯେ ହାସ୍ୟ ହେଉଛି ବ୍ୟଙ୍ଗ ପାଇଁ ଏକ ପ୍ରବେଶପଥ। ସେ ମତ ଦେଇଥିଲେ ଯେ ବ୍ୟଙ୍ଗରସ ପରିବେଷିତ ହେଉଥିବା ମଞ୍ଚରେ ଆମେ ସାହିତ୍ୟ ଖୋଜିଲେ ମିଳିବନାହିଁ। ବିଶିଷ୍ଟ ବ୍ୟଙ୍ଗ ସାହିତ୍ୟିକ ଅଜୟ କୁମାର ମିଶ୍ର ନିଜର ଆଲୋଚନାରେ ‘ଲୋକବାଣୀ ଓ ଢ଼ଗଢ଼ମାଳିରେ ହାସ୍ୟବ୍ୟଙ୍ଗ’ ଉପରେ ଆଲୋକପାତ କରିଥିଲେ। ସେ କହିଲେ ଯେ ପ୍ରତ୍ୟେକ ବ୍ଯଙ୍ଗକାର ହେଉଛନ୍ତି ସମାଜର ଦୁଷ୍ଟ ବ୍ରଣମାନଙ୍କର ଚିକିତ୍ସା କରିବା ପାଇଁ ଜଣେ ଜଣେ ଶଲ୍ୟ ଚିକିତ୍ସକ। ‘ରମ୍ୟ ରଚନାରେ ହାସ୍ୟରସ’ ବିଷୟରେ ଚର୍ଚ୍ଚା କରି ସୁଲେଖକ ବୈଷ୍ଣବ ଚରଣ ମହାନ୍ତି କହିଲେ ଯେ ପ୍ରବନ୍ଧସାହିତ୍ୟ ବୁଢ଼ା ହୋଇଗଲାଣି। ଯେତେବେଳେ ପ୍ରବନ୍ଧ ଟୋକା ହେବାପାଇଁ ଚେଷ୍ଟା କଲା, ତାହା ରମ୍ୟରଚନା ହୋଇଗଲା। ଯଦି ଗୋଟିଏ ପ୍ରବନ୍ଧ ପଢ଼ି ଜଣେ ହସିଲା, ତାହା ହେଉଛି ରମ୍ୟରଚନା। ସୁବିଦିତ ବ୍ୟଙ୍ଗକବି ସତ୍ୟାନାଶ ଗୋଟିଏ ହାସ୍ୟକବିତାର ଆବୃତ୍ତିରୁ ନିଜର ବକ୍ତବ୍ୟ ଆରମ୍ଭ କରି ବିଭିନ୍ନ ଉଦାହରଣ ମାଧ୍ୟମରେ ‘ପ୍ୟାରୋଡି’ ବା ଲାଳିକାର ମହତ୍ତ୍ବ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ଚଳଚ୍ଚିତ୍ର ବିଶେଷଜ୍ଞ ପ୍ରିୟବ୍ରତ ପଣ୍ଡା ଆଲୋଚ୍ୟ ବିଷୟଟିକୁ ଚଳଚ୍ଚିତ୍ର ଓ ଟେଲିଭିଜନ ପରଦାର ଦିଗକୁ ଆଗେଇନେଇ ମତ ଦେଇଥିଲେ ଯେ ସିନେମା ଏକ ପରିପୂରକ ସାହିତ୍ୟ। ଏହି ପ୍ରସଙ୍ଗରେ ସେ କେତୋଟି ବ୍ୟଙ୍ଗ ଆଧାରିତ ଚଳଚ୍ଚିତ୍ରର ଉଦାହରଣ ଦେଇଥିଲେ।
କାର୍ଯ୍ୟକ୍ରମଟିରେ ସଭାପତିତ୍ବ କରିଥିଲେ ଲେଖକ ସାମ୍ମୁଖ୍ୟର ସଭାପତି ସୁର୍ଯ୍ୟମଣି ତ୍ରିପାଠୀ। ଅତିଥି ପରିଚୟ ପ୍ରଦାନ କରିଥିଲେ ଅନୁଷ୍ଠାନର ସମ୍ପାଦକ ଅଭୟ ନାୟକ। ଏହି ସମାରୋହରେ ପ୍ରାୟ ୬୦ ଜଣ ସାହିତ୍ୟପ୍ରେମୀ ଶ୍ରୋତାଙ୍କର ସମାଗମ ହୋଇଥିଲା। ତେବେ ଉପସ୍ଥିତ ଶ୍ରୋତାମାନେ ବ୍ୟଙ୍ଗ ସାହିତ୍ୟ ଉପରେ ଏକ ଗମ୍ଭୀର ଆଲୋଚନା ଅପେକ୍ଷା ବରଂ ଜ୍ଞାନ ହୋତାଙ୍କ ମୁହଁରୁ ହସକଥା ଓ ଅଜୟ କୁମାର ମିଶ୍ରଙ୍କଠାରୁ ହାସ୍ୟୋଦ୍ଦୀପକ ଢ଼ଗଢ଼ମାଳି ଶୁଣିବାକୁ ଅଧିକ ପସନ୍ଦ କରିଥିବାର ଲକ୍ଷ୍ୟ କରାଯାଇଥିଲା। କାର୍ଯ୍ୟକ୍ରମର ଆଭିମୁଖ୍ୟକୁ ନେଇ ମଧ୍ୟ କିଛିଟା ଦ୍ୱନ୍ଦ୍ବ ଦେଖିବାକୁ ମିଳିଥିଲା; କାରଣ ସଭାର ନିମନ୍ତ୍ରଣପତ୍ରରେ ଏହାକୁ ହାସ୍ୟବ୍ୟଙ୍ଗର ଏକ ଅଧିବେଶନ ବୋଲି ସୂଚନା ଦିଆଯାଇଥିଲା ଏବଂ ଆରମ୍ଭରେ ଅନୁଷ୍ଠାନର ସମ୍ପାଦକ ମଧ୍ୟ ନିଜର ବକ୍ତବ୍ୟରେ ମନ୍ତବ୍ୟ ଦେଇଥିଲେ ଯେ ‘ଏହି ସଭା ହେଉଛି ହସିବାର ବେଳ।’ କିନ୍ତୁ ବାସ୍ତବରେ ଏହା ହାସ୍ୟରସ ପରିବେଷଣ ଜନିତ ଏକ ଅବସର ନହୋଇ ହାସ୍ୟରସ ବିଷୟରେ ଏକ ଗମ୍ଭୀର ଆଲୋଚନା ସଭା ଥିଲା।
(ପ୍ରକାଶିତ: ୧୧ ଜାନୁଆରୀ,୨୦୨୬)

ନୃସିଂହ ଷଡ଼ଙ୍ଗୀ ପାଇବେ ଓଡ଼ିଶା ସରକାରଙ୍କ ବ୍ୟାସକବି ଫକୀରମୋହନ ଭାଷା ପୁରସ୍କାର

ପାଞ୍ଚ ବର୍ଷ ପରେ ଘୋଷିତ ହେଲା ୨୦୨୧ର ପୁରସ୍କାର

ଓଡ଼ିଶା ସରକାରଙ୍କ ମର୍ଯ୍ୟାଦାଜନକ ‘ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ’ ପାଇବା ପାଇଁ ମନୋନୀତ ହୋଇଛନ୍ତି ବିଶିଷ୍ଟ ସାହିତ୍ୟ ସମାଲୋଚକ ନୃସିଂହ ଚରଣ ଷଡ଼ଙ୍ଗୀ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ଜାରି ହୋଇଥିବା ଏକ ବିଜ୍ଞପ୍ତିରୁ ଜଣା ପଡ଼ିଛି ଯେ ଶ୍ରୀ ଷଡ଼ଙ୍ଗୀ ୨୦୨୧ ମସିହା ପାଇଁ ଏହି ପୁରସ୍କାର ପାଇବେ। ଏହାର ପୂର୍ବ ବର୍ଷ ମଧ୍ୟ ଶ୍ରୀ ଷଡ଼ଙ୍ଗୀ ଅନ୍ୟ ଜଣେ ସାହିତ୍ୟିକଙ୍କ ସହ ଯୌଥ ଭାବରେ ଏହି ପୁରସ୍କାର ପାଇଁ ଚୟନିତ ହୋଇଥିଲେ; କିନ୍ତୁ ଶେଷ ମୁହୂର୍ତ୍ତରେ ଚୂଡାନ୍ତ ବିଚାର ହୋଇ ତାଙ୍କୁ ଏଥିରୁ ବଞ୍ଚିତ କରାଯାଇଥିଲା।
୨୦୧୮ ମସିହାରୁ ଏହି ପୁରସ୍କାର ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇ ଆସୁଛି। କିନ୍ତୁ ଗତ କିଛି ବର୍ଷ ହେଲା ଏହି ପୁରସ୍କାର ପ୍ରଦାନ ପ୍ରକ୍ରିୟା ନିତାନ୍ତ ଅନିୟମିତ ହୋଇଯିବା ଫଳରେ ୨୦୨୧ ମସିହାର ପୁରସ୍କାର ଦୀର୍ଘ ପାଞ୍ଚ ବର୍ଷ ପରେ, ଅର୍ଥାତ୍ ୨୦୨୬ ମସିହାରେ ଘୋଷଣା କରାଯାଇଛି। ଏହି ପୁରସ୍କାର ବାବଦରେ ଶ୍ରୀ ଷଡ଼ଙ୍ଗୀ ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇବେ। ଆସନ୍ତା ଜାନୁଆରୀ ୧୪ ତାରିଖ ଦିନ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉପସ୍ଥିତିରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ସଭାଗାରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ବତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡିଛି।
(ପ୍ରକାଶିତ: ୧୨ ଜାନୁଆରୀ, ୨୦୨୬)

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ ଲୋକସାହିତ୍ୟବିତ୍ ମହେନ୍ଦ୍ର କୁମାର ମିଶ୍ର

ଓଡ଼ିଶାରୁ ଚାରିଜଣ ପାଇବେ ପଦ୍ମ ପୁରସ୍କାର

ଓଡ଼ିଶାର ବିଶିଷ୍ଟ ଲୋକସାହିତ୍ୟବିତ୍ ଓ ଲୋକ ସଂସ୍କୃତି ଗବେଷକ ମହେନ୍ଦ୍ର କୁମାର ମିଶ୍ର ଚଳିତ ବର୍ଷର ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି। ସେହିପରି ସାନ୍ତାଳୀ ଭାଷାର ସାହିତ୍ୟ ପ୍ରତି ନିଜର ଅବଦାନ ପାଇଁ ଏହି ସମ୍ମାନ ପାଇବାକୁ ଓଡ଼ିଶାରୁ ମନୋନୀତ ହୋଇଛନ୍ତି ଚରଣ ହେମ୍ବ୍ରମ। କଳା କ୍ଷେତ୍ରରେ ଅବଦାନ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି ଶରତ କୁମାର ପାତ୍ର (ବାନ୍ଧ କଳା) ଓ ସୀମାଞ୍ଚଳ ପାତ୍ର (ଲୋକନାଟ୍ୟ କଳା)।
ଓଡ଼ିଶାର ଲୋକସାହିତ୍ୟରେ ଗବେଷଣା ପାଇଁ ଏହି ସମ୍ମାନ ପାଇବାକୁ ବିବେଚିତ ହୋଇଥିବା ମହେନ୍ଦ୍ର କୁମାର ମିଶ୍ର ନିଜର ପ୍ରବନ୍ଧ ସାହିତ୍ୟ ପାଇଁ ୧୯୯୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କୃତ ହୋଇଥିଲେ। ୨୦୨୩ ମସିହାରେ ତା’ଙ୍କୁ ୟୁନେସ୍କୋ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା। ସେ ପଶ୍ଚିମ ଓଡ଼ିଶା, ବିଶେଷ କରି କଳାହାଣ୍ଡିର ଲୋକସାହିତ୍ୟ ଓ ଲୋକସଂସ୍କୃତି ବିଷୟରେ ଅନେକ ପୁସ୍ତକ ପ୍ରଣୟନ କରିଛନ୍ତି। ସମ୍ପ୍ରତି ସେ ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାୟପୁର ସହରରେ ନିବାସ କରୁଛନ୍ତି।
(ପ୍ରକାଶିତ: ୨୫ ଜାନୁଆରୀ, ୨୦୨୬)

ବିଶିଷ୍ଟ ଲେଖକ ଓ ସମ୍ପାଦକ ରବି କାନୁନଗୋଙ୍କ ଦେହାନ୍ତ

୮୦ ବର୍ଷ ବୟସରେ ପରଲୋକ

ବିଶିଷ୍ଟ ଲେଖକ ଓ ସମ୍ପାଦକ ରବି କାନୁନଗୋ ଜାନୁଆରୀ ୨୧ ତାରିଖର ବିଳମ୍ବିତ ରାତିରେ ଭୁବନେଶ୍ବରର ଏକ ଘରୋଇ ହାସପାତାଳରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ବର୍ଷ ଧରି ଅସୁସ୍ଥ ଥିଲେ ଏବଂ ରାଉରକେଲାରେ ରହୁଥିଲେ।
ସ୍ବର୍ଗତ କାନୁନଗୋ ଜଣେ ସ୍ତମ୍ଭକାର, ପ୍ରାବନ୍ଧିକ ଓ କଥାକାର ଭାବରେ ସୁପରିଚିତ ଥିଲେ ଏବଂ ଦୈନିକ ସମ୍ବାଦପତ୍ର ‘ସୂର୍ଯ୍ୟପ୍ରଭା’ର ସମ୍ପାଦକ ମଧ୍ୟ ଥିଲେ। ତାଙ୍କର ଲୋକପ୍ରିୟ ସ୍ତମ୍ଭ ଗୁଡ଼ିକ ମଧ୍ୟରେ ‘ବାଟେଘାଟେ’ (ପ୍ରଜାତନ୍ତ୍ର), ‘କଥା କିଞ୍ଚିତ’ (ସମ୍ବାଦ), ଓ ‘ମନେଥାଉ ସେମିତି ସେମିତି’ (ସମାଜ) ପ୍ରଭୃତି ଅନ୍ୟତମ ଥିଲା। ‘କଥା କିଞ୍ଚିତ’, ‘କାଗଜ ବାଘ’ ଓ ‘କେଶବତୀ କନ୍ୟା’ ସମେତ ତାଙ୍କର ବହୁ ଗଳ୍ପ ସଂକଳନ ମଧ୍ୟ ପ୍ରକାଶ ପାଇଛି। ସେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ବାରା ନିଜର ସାରସ୍ବତ କୃତି ପାଇଁ ସମ୍ମାନିତ ହୋଇଥିଲେ।
(ପ୍ରକାଶିତ: ୨୨ ଜାନୁଆରୀ, ୨୦୨୬)

ଉପନ୍ୟାସ ସାହିତ୍ୟ ଉପରେ ଆଲୋଚନା ସହ ଆରମ୍ଭ ହେଲା ‘ସମ୍ବାଦ ସାହିତ୍ୟ ପକ୍ଷ

ସାହିତ୍ୟିକ ବିମର୍ଶର ଏକ ନିଆରା ମଞ୍ଚ

ସମ୍ବାଦ ପରିବାର ପକ୍ଷରୁ ଆୟୋଜିତ ୧୫-ଦିନିଆ ‘ସମ୍ବାଦ ସାହିତ୍ୟ ପକ୍ଷ’ର ପ୍ରଥମ ଦିବସରେ ଫେବ୍ରୁଆରି ଏକ ତାରିଖ ସନ୍ଧ୍ୟାରେ ୟୁନିଟ୍-୮, ଭୁବନେଶ୍ଵରରେ ଅବସ୍ଥିତ ‘ଆମ ଓଡ଼ିଶା’ର ନୂଆ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା ଉପନ୍ୟାସ ସାହିତ୍ୟ ସମ୍ପର୍କରେ ଏକ ଭାବଗର୍ଭକ ଆଲୋଚନା।
କାର୍ଯ୍ୟକ୍ରମର ଆରମ୍ଭରେ ସଭାମଞ୍ଚ ସମୀପରେ ଥିବା ଏକ ପୁଷ୍ପବୃକ୍ଷରେ ଜଳଦାନ କରିଥିଲେ ପ୍ରଖ୍ୟାତ ଔପନ୍ୟାସିକା ପ୍ରତିଭା ରାୟ। ନିଜର ଉଦ୍‌ଘାଟନୀ ଅଭିଭାଷଣରେ ‘ସମ୍ବାଦ’ ପରିବାରର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ ସମସ୍ତ ଅତିଥି ଓ ସାହିତ୍ୟପ୍ରେମୀମାନଙ୍କୁ ସ୍ବାଗତ କରି କହିଲେ ଯେ ‘ସମ୍ବାଦ’ ଓ ସାହିତ୍ୟର ସମ୍ପର୍କ ଏହି ସମ୍ବାଦପତ୍ରର ଜନ୍ମକାଳରୁ ନିବିଡ଼ ଥିଲା। ଏହାର ପ୍ରଥମ ସମ୍ପାଦକ ସୁରେନ୍ଦ୍ର ମହାନ୍ତି ସାହିତ୍ୟର ମଞ୍ଜି ମୂଳରୁ ହିଁ ବୁଣିଦେଇ ଯାଇଛନ୍ତି। ସମ୍ବାଦର ସମ୍ପାଦିକା ତନୟା ପଟ୍ଟନାୟକ କହିଲେ ଯେ ଏହି ମଞ୍ଚ ଜରିଆରେ ସାହିତ୍ୟ ଓ ସଂସ୍କୃତିରେ ପରିବର୍ତ୍ତନର ସ୍ବର ଝଙ୍କୃତ ହେବ। ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟ ଉତ୍ସବର ପରିବେଶ ପ୍ରତି ଲକ୍ଷ୍ୟ କରି ସେ କହିଲେ ଯେ ସାହିତ୍ୟରେ ଶୀତ ନାହିଁ, ଏଠାରେ ଚିର ବସନ୍ତ। ଉପନ୍ୟାସ ସାହିତ୍ୟ ସମ୍ପର୍କରେ ନିଜର ମତ ଦେଇ ସେ କହିଲେ ଯେ ଉପନ୍ୟାସ ହେଉଛି ଜୀବନ ଏବଂ ଜୀବନ ହେଉଛି ଉପନ୍ୟାସ। ସେ ମଧ୍ୟ କହିଲେ ଯେ ‘ଯାଜ୍ଞସେନୀ’କୁ ତାଙ୍କର ଶ୍ରେଷ୍ଠ ଉପନ୍ୟାସ ବୋଲି ଯାହା କୁହାଯାଉଛି, ସେଥିସହିତ ସେ ଏକମତ ନୁହନ୍ତି। ଅବଶ୍ୟ ତାଙ୍କର ବକ୍ତବ୍ୟ ସେତେ ସାରଗର୍ଭକ ହୋଇପାରିନଥିଲା।
ଏହାପରେ ଅନୁଷ୍ଠିତ ହୋଇଥିଲା ଉପନ୍ୟାସ ସାହିତ୍ୟ ସମ୍ପର୍କରେ ଏକ ଆଳାପର ପର୍ବ, ଯେଉଁଥିରେ “ଆଜିକାଲି ବଡ଼ କଳେବର ଯୁକ୍ତ ଓଡ଼ିଆ ଉପନ୍ୟାସ ଆଉ ଆସୁନାହିଁ କାହିଁକି?” ବିଷୟରେ ହୋଇଥିବା ଏକ ରୋଚକ ଆଳାପରେ ଭାଗ ନେଇଥିଲେ ସ୍ୱନାମଧନ୍ୟ ଔପନ୍ୟାସିକା ଯଶୋଧାରା ମିଶ୍ର ଓ ସୁସାହିତ୍ଯିକା ପ୍ରଜ୍ଞା ପ୍ରବର୍ତ୍ତିକା ଦାସ। ତେବେ ଯଶୋଧାରା ମିଶ୍ରଙ୍କଠାରୁ ଏହାର କୌଣସି ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ ଉତ୍ତର ଆସିପାରିନଥିଲା। ସେ ବରଂ କହିଲେ ଯେ ଉପନ୍ୟାସର କଳେବର ବଡ଼ କିମ୍ବା ଛୋଟ ହେବାକୁ ସେ ଏତେ ମହତ୍ତ୍ବପୂର୍ଣ୍ଣ ବୋଲି ମନେକରନ୍ତି ନାହିଁ। ପ୍ରଜ୍ଞା ପ୍ରବର୍ତ୍ତିକା ଦାସ କହିଲେ ଯେ ଏବର ଔପନ୍ୟାସିକମାନେ ପାଠକମାନଙ୍କୁ ବାନ୍ଧିରଖିବାର କ୍ଷମତା ହରାଇଥିବା ଏହାର ଏକ କାରଣ ହୋଇପାରେ। ଏହା ପରେ “ସାମ୍ପ୍ରତିକ ଓଡ଼ିଆ ଉପନ୍ୟାସରେ ଚରିତ୍ର ଅଛି, ଚିତ୍ର ନାହିଁ,” ବିଷୟରେ ହୋଇଥିବା ଏକ ଆଲୋଚନାରେ ଭାଗ ନେଇଥିଲେ ଜ୍ୟୋତି ନନ୍ଦ, ମାନସୀ ଦାସ, ବିୟତ୍‌‌ପ୍ରଜ୍ଞା ତ୍ରିପାଠୀ ଓ ସ୍ୱାଗତିକା ସ୍ୱାଇଁ। ଏହାର ସ୍ପଷ୍ଟ ଉତ୍ତର ରଖି ସୁବିଦିତ ଲେଖକ ଜ୍ୟୋତି ନନ୍ଦ କହିଲେ ଯେ ଆମେ ଚରିତ୍ରକୁ ଗତିଶୀଳତା ପ୍ରଦାନ କରିପାରୁ ନାହୁଁ ବୋଲି ଆଜି ଉପନ୍ୟାସରେ ଚରିତ୍ରମାନେ ଉପଯୁକ୍ତ ଭାବରେ ଚିତ୍ରିତ ହୋଇପାରୁନଥିବାର ପ୍ରଶ୍ନଟି ଉଠୁଛି। ପରିଶେଷରେ ମନୁଆ ଦାସ, ପିନାକୀ ଦାସ ଓ ବିଚିତ୍ର ବିଶ୍ବାଳ ସଭାମଞ୍ଚରେ ସ୍ବରଚିତ କବିତା ଆବୃତ୍ତି କରିଥିଲେ।
ଏହି ଅବସରରେ ମଞ୍ଚସ୍ଥ ହୋଇଥିଲା ପ୍ରତିଭା ରାୟଙ୍କ ‘ଯାଜ୍ଞସେନୀ’ ଉପନ୍ୟାସର ମାତ୍ର ୧୨ ମିନିଟ୍ ଅବଧିର ଏକ ନାଟ୍ୟରୂପ। ଏହି କାର୍ଯ୍ୟକ୍ରମର ଏକ ଲକ୍ଷଣୀୟ ଦିଗ ଥିଲା ବକ୍ତାମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ବକ୍ତବ୍ୟ ଶେଷ କରିବାପାଇଁ ଚେତାଇ ଦେବାକୁ ମଞ୍ଚ ସାମନାରେ ଥିବା ଏକ ସ୍କ୍ରିନ୍‌ରେ ସମୟ-ସୂଚକ ‘ଟାଇମର୍’ର ବ୍ୟବସ୍ଥା। ଏହି ବ୍ୟବସ୍ଥା ଗତବର୍ଷ ଅନୁଷ୍ଠିତ ହୋଇଥିବା ‘ସମ୍ବାଦ ସାହିତ୍ୟ ପକ୍ଷ’ର କାର୍ଯ୍ୟକ୍ରମରେ ମଧ୍ୟ ଲାଗୁ କରାଯାଇଥିଲା, ଯାହାକୁ ଏକ ଅତି ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେତେବେଳେ ‘ସାହିତ୍ୟ ଚର୍ଚ୍ଚା’ରେ ପ୍ରକାଶିତ ଏକ ସମ୍ପାଦକୀୟରେ କୁହାଯାଇଥିଲା। ତେବେ ଚଳିତ କାର୍ଯ୍ୟକ୍ରମର ପ୍ରଥମ ଦିନର ଉଦ୍‌ଘାଟନ ସମାରୋହରେ ନିଜର ବକ୍ତବ୍ୟ ରଖିବା ବେଳେ ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟ ବୋଧହୁଏ ଏହି ‘ଟାଇମର୍’ର ବନ୍ଧନରୁ ମୁକ୍ତ ଥିଲେ।
ଏହି ସାହିତ୍ୟ ପକ୍ଷ କାର୍ଯ୍ୟକ୍ରମ ଆସନ୍ତା ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ସାହିତ୍ୟ ଓ ସାହିତ୍ୟ-ଜଗତ ସହିତ ଜଡ଼ିତ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟ ଉପରେ ପ୍ରତିଦିନର ଆଲୋଚନା କେନ୍ଦ୍ରିତ ହେବ।
(ପ୍ରକାଶିତ: ୧ ଫେବ୍ରୁଆରି, ୨୦୨୬)

ଓଡ଼ିଶାର ସର୍ବତ୍ର ପାଳିତ ହେଲା ବିଶ୍ବ ମାତୃଭାଷା ଦିବସ

ରାଜ୍ୟର ସମସ୍ତ ବିଦ୍ୟାଳୟରେ ମଧ୍ୟ ପାଳିତ ହେଲା ମାତୃଭାଷା ଦିବସ

ଫେବ୍ରୁଆରୀ ୨୧ ତାରିଖ ଦିନ ସମଗ୍ର ବିଶ୍ବରେ ମାତୃଭାଷା ଦିବସ ପାଳିତ ହେଉଥିବା ବେଳେ ଓଡ଼ିଶାର ସର୍ବତ୍ର ମଧ୍ୟ ଏହା ଯଥାଯୋଗ୍ୟ ମର୍ଯ୍ୟାଦାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବାହ୍ଣରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ମିଳିତ ସହଯୋଗରେ ସଂସ୍କୃତି ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମ ଅବସରରେ ମଞ୍ଚରେ ଉପସ୍ଥିତ ଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ, ଭାଷା ଓ ସାହିତ୍ୟ ଗବେଷକ ଅନ୍ତର୍ଯ୍ୟାମୀ ମିଶ୍ର, ସାହିତ୍ୟିକ ଦାଶ ବେନହୁର, ସ୍ବତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା। ସେହିପରି ଭୁବନେଶ୍ବରସ୍ଥିତ କେଦାରନାଥ ଗବେଷଣା କେନ୍ଦ୍ରରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ଉପସ୍ଥିତ ଥିଲେ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ସଂସ୍କୃତଜ୍ଞ ଓ ବ୍ୟାକରଣବିତ୍ ସିନିରୁଦ୍ଧ ଦାଶ, ପ୍ରାକ୍ତନ ପ୍ରଶାସକ ରଘୁନାଥ ମିଶ୍ର, ଶିକ୍ଷାବିତ୍ କାହ୍ନୁଚରଣ ପାଢ଼ୀ ପ୍ରମୁଖ।ଏହା ବ୍ୟତୀତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ରେଭେନ୍‌ସା ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପ୍ରଭୃତି ଉଚ୍ଚ ଶିକ୍ଷାନୁଷ୍ଠାନରେ ମଧ୍ୟ ଏହି ଦିନ ବିଶ୍ବ ମାତୃଭାଷା ଦିବସ ପାଳିତ ହୋଇଥିବାର ସୂଚନା ମିଳିଛି। ରାଜ୍ୟ ବିଦ୍ୟାଳୟ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଏହି ଦିନ ଓଡ଼ିଶାର ଅଧିକାଂଶ ବିଦ୍ୟାଳୟରେ ମଧ୍ୟ ଏହି ଦିବସ ପାଳିତ ହୋଇଥିଲା। ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସଙ୍କ ଦ୍ବାରା ଫେବ୍ରୁଆରି ୧୬ ତାରିଖରେ ଜାରି ହୋଇଥିବା ଏକ ପରିପତ୍ରରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବାପାଇଁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ତଥା ଏହା ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ପାଇଁ ବିଦ୍ୟାଳୟ ପିଛା ଟ.୩୦୦୦ ହିସାବରେ ମୋଟ ୧୨.୭୮ କୋଟି ଟଙ୍କା ମଂଜୁର ହୋଇଥିଲା ବୋଲି ଜଣାପଡ଼ିଛି। ଏହାର ପ୍ରଭାବରେ ଛାତ୍ରଛାତ୍ରୀମାନଙ୍କୁ ବିଶ୍ବ ମାତୃଭାଷା ଦିବସରେ ଭାଷଣ ଦେବାକୁ ଓ ପ୍ରବନ୍ଧ ଲେଖିବାକୁ ତୁରନ୍ତ ପ୍ରସ୍ତୁତ କରିବା ପାଇଁ ୟୁ‌-ଟିଉବ୍‌ ଓ ଇଣ୍ଟରନେଟ୍ ଜରିଆରେ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ଦ୍ବାରା ଅସଂଖ୍ୟ ପୂର୍ବ ପ୍ରସ୍ତୁତ ଭାଷଣ ଓ ପ୍ରବନ୍ଧ ଲିଖନର ଚିଠା ଯୋଗାଇଦିଆଯାଇଥିବା ଦେଖାଯାଇଥିଲା।
(ପ୍ରକାଶିତ: ୨୧ ଫେବ୍ରୁଆରି, ୨୦୨୬)

ସୁଦକ୍ଷ ଗାଳ୍ପିକ ଓ ‘ପ୍ରତିବେଶୀ’ର କଳା ସମ୍ପାଦକ ଅତୁଳ ବଳ ଆଉ ନାହାନ୍ତି

୬୩ ବର୍ଷ ବୟସରେ ଆଖି ବୁଜିଲେ

ବିଶିଷ୍ଟ ଗାଳ୍ପିକ ତଥା ‘ପ୍ରତିବେଶୀ’ ପତ୍ରିକାର କଳା ସମ୍ପାଦକ ଅତୁଳ ବଳ ମାର୍ଚ୍ଚ ୫ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। କିଛି ଦିନ ଧରି ସେ ଅସୁସ୍ଥ ଥିଲେ।
ସେ ଅଧ୍ୟାପନା ବୃତ୍ତିରୁ ଅବସର ନେଇଥିଲେ ଏବଂ ରାଜନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ ଥିଲେ। ‘ମୁକ୍ତିର ବର୍ଣ୍ଣବୋଧ’ ତାଙ୍କ ଦ୍ବାରା ରଚିତ ଗଳ୍ପଗୁଡ଼ିକର ଏକ ପାଠକାଦୃତ ସଂକଳନ। ଏହା ବ୍ୟତୀତ ସେ ‘କାଳଜୟୀ ଓଡ଼ିଆ କ୍ଷୁଦ୍ରଗଳ୍ପ’ ନାମକ ଏକ ସଂକଳନର ସମ୍ପାଦନା ମଧ୍ୟ କରିଥିଲେ। ‘ପ୍ରତିବେଶୀ’ ସହିତ କଳା ସମ୍ପାଦକ ଭାବରେ ସେ ପ୍ରାୟ ୧୫ ବର୍ଷ ଧରି ଜଡ଼ିତ ଥିଲେ। ସେ ‘ଶୈଳଜ’ ନାମରେ ନିଜ ଦ୍ବାରା ସମ୍ପାଦିତ ଏକ ପତ୍ରିକା ମଧ୍ୟ ପ୍ରକାଶ କରୁଥିଲେ। ‘ବନଫୁଲ’ ପତ୍ରିକା ହେଉଛି ତାଙ୍କର ଅନ୍ୟତମ ମାନସ ସନ୍ତାନ। ସେ ଜଣେ ଆଦର୍ଶ ଅଧ୍ୟାପକ ଭାବରେ ନିଜର ଛାତ୍ରଛାତ୍ରୀମାନଙ୍କର ଅତ୍ୟନ୍ତ ପ୍ରିୟପାତ୍ର ଥିଲେ।
(ପ୍ରକାଶିତ: ୫ ମାର୍ଚ୍ଚ, ୨୦୨୬)

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଉପଲକ୍ଷେ ଭୁବନେଶ୍ବରରେ ଭାଷାବିମର୍ଶ

ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ କେନ୍ଦ୍ରରେ ସଭା

ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ଭାବରେ ସ୍ବୀକୃତି ଦେଇ ଭାରତ ସରକାର ନିଜ ଗେଜେଟ୍‌ରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ ୧୧ ମାର୍ଚ୍ଚ, ୨୦୧୪ ତାରିଖରେ। ଏହି ଦିବସଟିକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏହି ଦିନଟିକୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଭାବରେ ପାଳନ କରାଯାଏ। ଏହି ଅବସରରେ ଚଳିତ ମାର୍ଚ୍ଚ ମାସ ୧୧ ତାରିଖ ଦିନ ଭୁବନେଶ୍ବରସ୍ଥିତ ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ରଠାରେ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଯାଇଛି।
ଏହି ସମାରୋହର ଉଦ୍‌ଘାଟନ ଅଧିବେଶନରେ ଅଧ୍ୟକ୍ଷତା କରି ଏହି କେନ୍ଦ୍ରର ପରାମର୍ଶଦାତା ବସନ୍ତ କୁମାର ପଣ୍ଡା ଜାତୀୟ ଶିକ୍ଷା ନୀତି ବିଷୟରେ ଆଲୋଚନା କରିବା ସହିତ ଭାରତୀୟ ଜ୍ଞାନ ପରମ୍ପରାକୁ ବ୍ୟାପକ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଶାସ୍ତ୍ରୀୟ ଓଡ଼ିଆ ଭାଷା ଅଧ୍ୟୟନରେ ସାରଳା ଦାସଙ୍କ ମହାଭାରତ, ବଳରାମ ଦାସଙ୍କ ରାମାୟଣ ଓ ଜଗନ୍ନାଥ ଦାସଙ୍କ ଭାଗବତର ଗୁରୁତ୍ବ ବିଷୟରେ ସେ ଉଲ୍ଲେଖ କରିଥିଲେ। ମୁଖ୍ୟ ଅତିଥି, ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପ୍ରଫେସର, ଅଜିତ ମହାନ୍ତି କହିଲେ ଯେ ଶାସ୍ତ୍ରୀୟ ମାନ୍ୟତା ପାଇବା ଦ୍ବାରା ଗୋଟିଏ ଭାଷା କେତେକ ନିର୍ଦ୍ଦିଷ୍ଟ ନିୟମାବଳୀ ଭିତରେ ବାନ୍ଧି ହୋଇପଡ଼େ। ବର୍ଷୀୟାନ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ପ୍ରମୁଖ କାରଣଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ।
ଏହି ସଭାରେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ ଉତ୍କର୍ଷ କେନ୍ଦ୍ରର ଭାରପ୍ରାପ୍ତ ନିର୍ଦ୍ଦେଶକ ସଞ୍ଜୟ କୁମାର ବାଗ ଓ ବାର୍ଷିକ ବିବରଣୀ ପାଠ କରିଥିଲେ ଗୋବିନ୍ଦ ଚନ୍ଦ୍ର ପେଣ୍ଠୋଇ। ଏହାପରେ ଅନୁଷ୍ଠିତ ହୋଇଥିବା ଆକାଡେମିକ୍ ଅଧିବେଶନଗୁଡ଼ିକରେ ୧୩ ଜଣ ବିଭିନ୍ନ ଗବେଷକ ‘ଶାସ୍ତ୍ରୀୟ ଓଡ଼ିଆ ଭାଷାର ଡିଜିଟାଇଜେସନ୍’, ‘ସାରଳା ମହାଭାରତରେ ଯୋଗାଚାର ଦର୍ଶନ’ ଓ ‘ଓଡ଼ିଆ ବ୍ୟାକରଣର ନୂତନ ପରିଭାଷା’ ପ୍ରଭୃତି ବିଷୟରେ ସ୍ବରଚିତ ପ୍ରବନ୍ଧ ପାଠ କରିବା ସହ ଚର୍ଚ୍ଚାରେ ଭାଗନେଇଥିଲେ।
(ପ୍ରକାଶିତ: ୧୧ ମାର୍ଚ୍ଚ, ୨୦୨୬)

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ: ଓଡ଼ିଶାରୁ ପାଇଲେ ଗିରିଜାକୁମାର ବଳୀୟାରସିଂହ

ଚାରିମାସ ହେଲା ଅଟକିରହିଥିଲା ଘୋଷଣା

ବିବାଦରେ ଛନ୍ଦିହୋଇ ରହିଥିବା କେନ୍ଦ୍ର ସାହିତ୍ୟ ଏକାଡେମୀର ପୁରସ୍କାର ଚାରି ମାସ ଧରି ଅଟକି ରହିବା ପରେ ଶେଷକୁ ମାର୍ଚ୍ଚ ୧୬ ତାରିଖ ମଧ୍ୟାହ୍ନରେ ଘୋଷିତ ହୋଇଛି। ଏକାଡେମୀର ସଚିବ ପଲ୍ଲବୀ ପ୍ରଶାନ୍ତ ହୋଲକରଙ୍କ ଦ୍ବାରା ଜାରି ହୋଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ ୨୪ଟି ବିଭିନ୍ନ ଭାଷାର ଲେଖକମାନଙ୍କ ପାଇଁ ୨୦୨୫ ମସିହାର ପୁରସ୍କାର ବିଜେତାଙ୍କ ତାଲିକା ପ୍ରକାଶ ପାଇଛି। ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ଅଛନ୍ତି ବିଶିଷ୍ଟ କବି ଗିରିଜାକୁମାର ବଳୀୟାରସିଂହ। ସେ ନିଜର କବିତା ପୁସ୍ତକ ‘ପାଦ ପୂରଣ’ ପାଇଁ ଏହି ପୁରସ୍କାର ପାଇବେ। ଏହି ପୁରସ୍କାର ଘୋଷଣାର ଖବର ଶୁଣିବା ପରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇ ଶ୍ରୀ ବଳୀୟାରସିଂହ ‘ସାହିତ୍ୟ ଚର୍ଚ୍ଚା’କୁ କହିଛନ୍ତି, “ପାଠକର ସ୍ମୃତିରେ ଥିଲେ ଯେଉଁ ଆନନ୍ଦ ମିଳେ, ପୁରସ୍କାର ପ୍ରାପ୍ତିରେ କ’ଣ ସେହି ଆନନ୍ଦ ଥାଏ?”
ପ୍ରକାଶ ଥାଉ କି, ଗତ ଡିସେମ୍ବର ମାସ ୧୯ ତାରିଖରେ ବିଭିନ୍ନ ଭାଷାର ପୁରସ୍କାର ଘୋଷଣା ପାଇଁ ଡକାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀକୁ କୌଣସି କାରଣ ନ ଦର୍ଶାଇ ମାତ୍ର ଏକ ଘଣ୍ଟା ପୂର୍ବରୁ ହଠାତ୍ ବାତିଲ କରି ଦିଆଯାଇଥିଲା। ପୁରସ୍କାର ଘୋଷଣା ପାଇଁ ସାହିତ୍ୟ ଏକାଡେମୀ ନେଇଥିବା ନିଷ୍ପତ୍ତିକୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ନାପସନ୍ଦ କରିବାରୁ ଏହା ଘଟିଥିଲା ବୋଲି କୁହାଯାଉଛି। ପୁରସ୍କାର ନିୟମାବଳୀରେ କେନ୍ଦ୍ର ସରକାର କିଛି ପରିବର୍ତ୍ତନ କରିବା ପରେ ଏହା ଘୋଷଣା କରାଯିବ ବୋଲି ସେତେବେଳେ ଏକାଡେମୀ ପକ୍ଷରୁ କୁହାଯାଇଥିଲା। ଏବେ ଦୀର୍ଘ ଚାରି ମାସ ପରେ ସ୍ଥଗିତ ରଖାଯାଇଥିବା ସେହି ପୁରସ୍କାରଗୁଡ଼ିକ ଘୋଷଣା କରାଯାଇଛି।
ସେତେବେଳେ ପୁରସ୍କାର ଘୋଷଣା ସ୍ଥଗିତ ରହିବା ବେଳଠାରୁ ହିଁ ଓଡ଼ିଶାରୁ ସ୍ୱନାମଧନ୍ୟ କବି ଗିରିଜାକୁମାର ବଳୀୟାରସିଂହଙ୍କ ନାମ ପୁରସ୍କାର ତାଲିକାରେ ରହିଥିବା କଥା ସୋସିଆଲ ମିଡ଼ିଆରେ ଚର୍ଚ୍ଚିତ ହେଉଥିଲା। ଏହି ପୁରସ୍କାର ଚୟନ ପାଇଁ ଓଡ଼ିଆ ବିଭାଗର ବିଚାରକ ମଣ୍ଡଳୀରେ ଥିଲେ ଗାୟତ୍ରୀ ସରାଫ, ଜୟନ୍ତୀ ରଥ ଓ ଶ୍ୟାମା ପ୍ରସାଦ ଚୌଧୁରୀ। ଓଡ଼ିଆ ବିଭାଗ ପାଇଁ ସର୍ବମୋଟ ଦଶଗୋଟି ବହିକୁ ସର୍ଟଲିଷ୍ଟ୍ କରାଯାଇଥିଲା। ଗିରିଜାକୁମାର ବଳୀୟାରସିଂହଙ୍କ ବ୍ୟତୀତ ଅନ୍ୟ ଯେଉଁମାନଙ୍କ ବହି ଏହି ସର୍ଟଲିଷ୍ଟେଡ୍ ତାଲିକାରେ ଥିଲା ସେମାନେ ହେଲେ ପ୍ରଦୀପ କୁମାର ପଣ୍ଡା, ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ବିଜୟ କୁମାର ଶତପଥୀ, ହୃଦାନନ୍ଦ ପାଣିଗ୍ରାହୀ, ଅରବିନ୍ଦ ରାୟ, ରଞ୍ଜିତା ପଟ୍ଟନାୟକ, ଚିତ୍ତରଞ୍ଜନ ଚିରଂଜିତ, ରବି ପଣ୍ଡା ଓ ହରିଶ୍ଚନ୍ଦ୍ର ବେହେରା। ଏମାନଙ୍କ ମଧ୍ୟରୁ ଦୁଇଜଣ, ଅର୍ଥାତ୍ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଓ ବିଜୟ କୁମାର ଶତପଥୀ ନିଜେ କେନ୍ଦ୍ର ସାହିତ୍ୟ ଏକାଡେମୀରେ କେନ୍ଦ୍ରୀୟ ପରିଷଦର ସଦସ୍ୟ ମଧ୍ୟ ଅଛନ୍ତି।
ପୁରସ୍କାର ପାଇଁ ମନୋନୀତ ହୋଇଥିବା ଗିରିଜାକୁମାର ବଳୀୟାରସିଂହ ଓଡ଼ିଶାର ସୁବିଦିତ କବି। ସେ ୧୯୫୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ‘ଭାରତବର୍ଷ’ ନାମକ ନିଜର କାବ୍ୟକୃତି ପାଇଁ ସେ ୨୦୦୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ। ସେ ଓଡ଼ିଆ ସନେଟ୍-ସାହିତ୍ୟରେ ଏକ ଅଭିନବ ଧାରାର ପ୍ରବର୍ତ୍ତକ ଏବଂ ଅଦ୍ୟାବଧି ତାଙ୍କର ପ୍ରାୟ ୧୫ଟି ପୁସ୍ତକ ପ୍ରକାଶ ପାଇଛି।
(ପ୍ରକାଶିତ: ୧୬ ମାର୍ଚ୍ଚ, ୨୦୨୬)

ସାହିତ୍ୟ ଏକାଡେମୀର ଫେଲୋସିପ ପାଇଁ ମନୋନୀତ ହେଲେ ପ୍ରତିଭା ରାୟ

ତିନିଜଣଙ୍କୁ ମିଳିଲା ଫେଲୋସିପ୍‌ର ଗୌରବ

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ମାନଜନକ ଫେଲୋସିପ୍ ପାଇଁ ବିଭିନ୍ନ ଭାରତୀୟ ଭାଷାର ତିନିଜଣ ବିଶିଷ୍ଟ ସାହିତ୍ୟିକଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ଅଛନ୍ତି ସୁବିଦିତ ଔପନ୍ୟାସିକା ପ୍ରତିଭା ରାୟ। ଏହି ଫେଲୋସିପ ପାଇଁ ମନୋନୀତ ହୋଇଥିବା ଅନ୍ୟ ଦୁଇଜଣ ହେଲେ, ବିଶିଷ୍ଟ ସିନ୍ଧୀ ଲେଖକ ଲକ୍ଷ୍ମୀ ଖିଲାନୀ ଓ ସ୍ୱନାମଧନ୍ୟ ଉର୍ଦ୍ଦୁ ଲେଖକ ଅବଦୁସ୍ ସମଦ୍। ସାହିତ୍ୟ ଏକାଡେମୀର ସଚିବ ପଲ୍ଲବୀ ପ୍ରଶାନ୍ତ ହୋଲକରଙ୍କ ଦ୍ବାରା ମାର୍ଚ୍ଚ ୩୧ ତାରିଖ ଦିନ ଜାରି ହୋଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା ଘୋଷଣା କରାଯାଇଛି।
ସୁପରିଚିତ ଲେଖିକା ପ୍ରତିଭା ରାୟଙ୍କର ଏ ଯାବତ୍ ୫୦ଟିରୁ ଅଧିକ ପୁସ୍ତକ ପ୍ରକାଶ ପାଇଛି ଏବଂ ସେ ପଦ୍ମଭୂଷଣ, ଜ୍ଞାନପୀଠ ଓ ସାହିତ୍ୟ ଏକାଡେମୀ ପୁରସ୍କାର ଭଳି ବିବିଧ ସମ୍ମାନରେ ଭୂଷିତ ହୋଇସାରିଛନ୍ତି।
ଏହି ଫେଲୋସିପ ହେଉଛି ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଏବଂ ଏହା ସାହିତ୍ୟର ‘ଅମର ସ୍ରଷ୍ଟା’ମାନଙ୍କ ପାଇଁ ସଂରକ୍ଷିତ ବୋଲି ସାହିତ୍ୟ ଏକାଡେମୀର ଓ୍ବେବସାଇଟ୍‌ରେ ସୂଚନା ଦିଆଯାଇଛି। ଯେ କୌଣସି ସ୍ଥିତିରେ ଏକାଡେମୀର ଏହି ଫେଲୋମାନଙ୍କର ସର୍ବମୋଟ ସଂଖ୍ୟା ୨୧ରୁ ଅଧିକ ହୁଏନାହିଁ। ଏ ଯାବତ୍ ଓଡ଼ିଶାରୁ ଜୟନ୍ତ ମହାପାତ୍ର, ସୀତାକାନ୍ତ ମହାପାତ୍ର, ରମାକାନ୍ତ ରଥ, ମନୋଜ ଦାସ, ସଚ୍ଚିଦାନନ୍ଦ ରାଉତରାୟ, କାହ୍ନୁଚରଣ ମହାନ୍ତି ଓ କାଳିନ୍ଦୀ ଚରଣ ପାଣିଗ୍ରାହୀ ଏହି ଫେଲୋସିପ୍‌ରେ ସମ୍ମାନିତ ହେବାର ଗୌରବ ପାଇଛନ୍ତି।
(ପ୍ରକାଶିତ: ୩୧ ମାର୍ଚ୍ଚ, ୨୦୨୬)

ପ୍ରଖ୍ୟାତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀଙ୍କର ଦେହାବସାନ

୭୦ ବର୍ଷ ବୟସରେ ମହାପ୍ରୟାଣ

ସୁବିଦିତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ଏପ୍ରିଲ୍ ଦୁଇ ତାରିଖ ଦିନ ଭୁବନେଶ୍ବରସ୍ଥିତ ନିଜର ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। କିଛି ଦିନ ଧରି ସେ ହୃଦ୍‌ରୋଗରେ ପୀଡ଼ିତ ଥିଲେ।
ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୦୩ ମସିହାରେ ତାଙ୍କର ‘ସତୀ’ ନାମକ ଗଳ୍ପ ଗ୍ରନ୍ଥ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ସେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ୩୪ ବର୍ଷ କାଳ ଚାକିରି କରିବା ପରେ ଅବସର ଗ୍ରହଣ କରିଥିଲେ। ‘ଅନ୍ୟ ଜଣେ ସଦାନନ୍ଦଙ୍କ ମୃତ୍ୟୁପରେ’ ହେଉଛି ତାଙ୍କର ଏକ ଲୋକପ୍ରିୟ ଗଳ୍ପ ସଂକଳନ। ଏହି ଶୀର୍ଷକରେ ସେ ଲେଖିଥିବା ଗଳ୍ପଟିରେ ମାତ୍ର ତିନୋଟି ଶବ୍ଦ ଅଛି; ଏବଂ ଏହାକୁ ଓଡ଼ିଆ ଭାଷାର କ୍ଷୁଦ୍ରତମ ଗଳ୍ପ ବୋଲି ବିବେଚନା କରାଯାଏ।
(ପ୍ରକାଶିତ; ୨ ଏପ୍ରିଲ୍, ୨୦୨୬)

ଆୟୋଜିତ ହେଲା ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍‌-ସଂଶୋଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଶତାଧିକ ପ୍ରଶିକ୍ଷାର୍ଥୀଙ୍କ ଯୋଗଦାନ

ଓଡ଼ିଶା ସରକାରଙ୍କ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ଆନୁକୂଲ୍ୟରେ ନଭେମ୍ବର ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଏକ ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍-ସଂଶୋଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବରର ସଂସ୍କୃତି ଭବନରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଶତାଧିକ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଛନ୍ତି।
କାର୍ଯ୍ୟକ୍ରମର ପ୍ରଥମ ଦିବସ ପ୍ରଥମ ଅଧିବେଶନରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ ଉଦ୍‌ଘାଟକ ଭାବରେ, ଉପ ନିର୍ଦ୍ଦେଶକ ଦେବଯାନୀ ଭୂୟାଁ ବକ୍ତା ଭାବରେ ତଥା ବିଶିଷ୍ଟ ଲେଖକ ବୈଷ୍ଣବ ଚରଣ ମହାନ୍ତି ଓ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀର ସ୍ମୃତି ରଞ୍ଜନ ମିଶ୍ର ପ୍ରଶିକ୍ଷକ ଭାବରେ ଯୋଗଦେଇଥିଲେ। ପ୍ରଥମ ଅଧିବେଶନରେ ପ୍ରୁଫ୍ ସଂଶୋଧନର ବିବର୍ତ୍ତନ ଧାରା ଓ ଚିହ୍ନ ପ୍ରୟୋଗ ବିଷୟରେ ବୈଷ୍ଣବ ଚରଣ ମହାନ୍ତିଙ୍କ ଦ୍ବାରା ପ୍ରଦତ୍ତ ପ୍ରଶିକ୍ଷଣ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କ ଦ୍ବାରା ଆଦୃତ ହୋଇଥିଲା। ଏହି ଦୁଇଦିନିଆ କାର୍ଯ୍ୟକ୍ରମର ଅନ୍ୟାନ୍ୟ ଅଧିବେଶନଗୁଡ଼ିକରେ କାହ୍ନୁ ଚରଣ ପାଢ଼ୀଙ୍କ ଦ୍ବାରା ‘ସମ୍ପାଦନାର ନିୟମ ଓ ପଦ୍ଧତି’ ଓ କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ଦ୍ବାରା ‘ଓଡ଼ିଆ ଭାଷାରେ ନିର୍ଭୁଲ ଲେଖାର ମୂଳ ସୂତ୍ର’ ବିଷୟରେ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
(ପ୍ରକାଶିତ: ୧୫ ନଭେମ୍ବର, ୨୦୨୫)

କଟକର ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟରେ ଆୟୋଜିତ ହେଲା ଜାତୀୟ ଅନୁବାଦକ ସମ୍ମିଳନୀ

ବହୁ ସଂଖ୍ୟକ ଅନୁବାଦକଙ୍କ ଯୋଗଦାନ

କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଶ୍ରୁତି ଭବନଠାରେ ‘ଶ୍ରୀ ଶ୍ରୀ ଅନୁବାଦ ଓ ବ୍ୟାଖ୍ୟା କେନ୍ଦ୍ର’ ତଥା ‘ଭାରତୀୟ ଅନୁବାଦ ସାହିତ୍ୟ’ର ମିଳିତ ଉଦ୍ୟମରେ ଦୁଇଦିନିଆ ‘୪ର୍ଥ ଜାତୀୟ ଅନୁବାଦକ ସମ୍ମିଳନୀ’ ଫେବ୍ରୁଆରି ୨ ତାରିଖ ଦିନ ଆରମ୍ଭ ହୋଇଛି।ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ଅନେକ ଅନୁବାଦକ, ଗବେଷକ ତଥା ଛାତ୍ରଛାତ୍ରୀ ଯୋଗଦେଇଛନ୍ତି।
ଦୁଇ ତାରିଖ ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଦିବା ଏହାର ଉଦ୍‌ଘାଟନ ଅଧିବେଶନରେ ସ୍ବାଗତ ସମ୍ଭାଷଣ ଦେଇଥିଲେ ଡଃ. ରିନ୍ଦନ କୁଣ୍ତୁ। ଏହାପରେ ସମ୍ମିଳନୀଟି ସେହି ବିଶ୍ବବିଦ୍ୟାଳୟର ଡାଇରେକ୍‌ଟର ଅଫ୍ ଅପରେସନ୍ସ ସ୍ବାମୀ ସତ୍ୟଚୈତନ୍ୟଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା। ଏହି ଅବସରରେ ମଞ୍ଚରେ ଉପସ୍ଥିତ ଥାଇ ନିଜର ବକ୍ତବ୍ୟ ମଧ୍ୟ ରଖିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା, ବିଶ୍ବବିଦ୍ୟାଳୟର ଡିନ୍ ପ୍ରଫେସର କେଶରୀ, ଗୁରୁ ରତିକାନ୍ତ ମହାପାତ୍ର, ଜାତୀୟ ଦକ୍ଷତା ବିକାଶ ନିଗମର ପରାମର୍ଶଦାତା ଧ୍ୟାନେଶ୍ୱର ମୁଲେ, ବିଶିଷ୍ଟ ଅନୁବାଦକ ଯତୀନ୍ଦ୍ର କୁମାର ନାୟକ, ଯାଦବପୁର ବିଶ୍ବବିଦ୍ୟାଳୟର ପ୍ରଫେସର ସାୟାନ୍ତନ ଦାସଗୁପ୍ତ ପ୍ରମୁଖ। ସଭାରେ ନିଜର ଅଭିଭାଷଣ କ୍ରମରେ ‘ଭାରତୀୟ ଅନୁବାଦ ସାହିତ୍ୟ’ର ସମ୍ପାଦକ, ଶରତ ଆଚାର୍ଯ୍ୟ କହିଲେ ଯେ ଅନୁବାଦ ସାହିତ୍ୟକୁ ଆହୁରି ବ୍ୟାପକ କରିବାକୁ ସଂସ୍ଥା ପକ୍ଷରୁ ୩୩ଟି ଅନଲାଇନ୍ କାର୍ଯ୍ୟକ୍ରମ କରାଯାଇଛି ଏବଂ ଏ ଯାବତ୍ ୨୫୦ ଜଣ ସଦସ୍ୟ ଏହି ସଂସ୍ଥା ସହ ଯୋଡ଼ି ହୋଇଛନ୍ତି। ଏହି ଅବସରରେ ବିଶିଷ୍ଟ ଅନୁବାଦକ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନଙ୍କୁ ‘ଭାରତୀୟ ଅନୁବାଦ ସାହିତ୍ୟ ସମ୍ମାନ – ୨୦୨୬’ ପ୍ରଦାନ କରାଯାଇଥିଲା। ଶେଷରେ ନିର୍ଲିପ୍ତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ୫ଟି ବୈଷୟିକ ଅଧିବେଶନ ଓ ୩ଟି ପ୍ୟାନେଲ୍ ଭିତ୍ତିକ ଆଲୋଚନା ମଧ୍ୟ ଅନ୍ତର୍ଭୁକ୍ତ ହେବ।
(ପ୍ରକାଶିତ: ୨ ଫେବ୍ରୁଆରି, ୨୦୨୬)