ମୋ ମାଆ ମୋ ପ୍ରେରଣା

ଆଲୋଚ୍ୟ ପୁସ୍ତକଟିକୁ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପୂର୍ବରୁ ଲିଖିତ ଓ ପ୍ରକାଶିତ ‘ମାଇଁ ମଦର, ମାଇଁ ହିରୋ’ ଶୀର୍ଷକ ସଂସ୍ମରଣ ପର୍ଯ୍ୟାୟର ଏକ ପୁସ୍ତକର ମର୍ମାନୁବାଦ ବୋଲି କୁହାଯାଇପାରେ। ୨୦୨୧ ମସିହାରେ ଯେତେବେଳେ ପୁସ୍ତକଟି ପ୍ରଥମେ ଇଂରାଜୀ ଭାଷାରେ ପ୍ରକାଶ ପାଇଥିଲା ସେତେବେଳେ କେତେକ ସମୀକ୍ଷକ ଏକ ‘ବାଇଓଗ୍ରାଫିକାଲ୍ ନନ୍‌-ଫିକ୍ସନ୍‌’ ବା ଅଣକାଳ୍ପନିକ ଜୀବନୀ ପୁସ୍ତକ ଭାବରେ ଏହାର ବର୍ଗୀକରଣ କରିଥିଲେ। କିନ୍ତୁ ଏହା ଯେ ଲେଖକଙ୍କର ସ୍ୱର୍ଗୀୟା ମାତା ନୀଳିମାରାଣୀଙ୍କର ଏକ ଜୀବନୀ, ଏତିକି ମାତ୍ର କହିଲେ ଏହାର ସମ୍ପୂର୍ଣ୍ଣ ସ୍ୱରୂପ ଜାଣିହେବ ନାହିଁ।
ପୂର୍ବ ସମୀକ୍ଷକମାନେ ସିନା କହିଗଲେ ଯେ ଏହା ଏକ ‘ଅଣକାଳ୍ପନିକ’ ଜୀବନୀ, କିନ୍ତୁ ଏଥିରେ ଲେଖକଙ୍କ ମାଆ ତଥା ପରିବାରର ଅନ୍ୟ ସଦସ୍ୟମାନଙ୍କୁ କେନ୍ଦ୍ର କରି ଘଟିଥିବା ବିଭିନ୍ନ ଘଟଣାବଳୀର ସରଳରୈଖିକ ବର୍ଣ୍ଣନା ହୋଇନାହିଁ। ପାଠକମାନେ ଲକ୍ଷ୍ୟ କରିବେ ଯେ ଜୀବନୀଟିର ଗଠନ ରୀତି ବରଂ ଏକ ଉପନ୍ୟାସ ପ୍ରତିମ।
୧୯୭୦ ଦଶକରେ ଜାମସେଦପୁରର ଗୋଟିଏ ଓଡ଼ିଆ ମାଧ୍ୟମ ପ୍ରାଥମିକ ବିଦ୍ୟାଳୟରେ ଲେଖକଙ୍କ ବଡ଼ଭାଇ ଅନିରୁଦ୍ଧ ସାମନ୍ତଙ୍କର ସହପାଠୀ ଥିବାବେଳେ ଏହି ସମୀକ୍ଷକ ସ୍ୱୟଂ ଅନୁଭବ କରିଛି ସେହି ପରିବାରର କେତେକ ମର୍ମସ୍ପର୍ଶୀ କ୍ଷଣ। ବିଶେଷତଃ ଏକ ଟ୍ରେନ୍ ଦୁର୍ଘଟଣାରେ ନିଜର ପିତାଙ୍କୁ ହରାଇବା ଦିନଠାରୁ ସବୁଦିନ ପାଇଁ ଯେତେବେଳେ ଅନିରୁଦ୍ଧ ଗାଏବ ହୋଇଗଲା ଆମ ଚତୁର୍ଥ ଶ୍ରେଣୀର ଶ୍ରେଣୀଗୃହରୁ, ସେତେବେଳେ ମୋ’ର କୋମଳମତି ମନ ନିଜକୁ ପ୍ରଶ୍ନ କରିଥିଲା, ବାପା ଚାଲିଗଲେ କ’ଣ ଅର୍ଥାଭାବର ତାଡ଼ନାରେ ପୁଅର ପାଠରେ ଡୋରି ବାନ୍ଧିବାକୁ ପଡ଼େ? କହିବା ବାହୁଲ୍ୟ, ନୀଳିମାରାଣୀଙ୍କର ପତି, ଅର୍ଥାତ୍ ଅଚ୍ୟୁତ ସାମନ୍ତଙ୍କ ପିତାଙ୍କର ଆକସ୍ମିକ ଦୁର୍ଘଟଣାଜନିତ ବିୟୋଗ ଏହି ପୁସ୍ତକରେ ଏକ କ୍ଲାଇମାକ୍ସର ଭୂମିକା ନେଇଛି, ଯାହା ଏକ ଉଚ୍ଚମାନର ସାହିତ୍ୟକୃତି ଭାବରେ ପୁସ୍ତକଟିର ପରିଚୟକୁ ସୁଦୃଢ଼ କରିଛି। କିନ୍ତୁ ଜୀବନର କେତେକ ବାସ୍ତବ ଘଟଣା ଉପସ୍ଥାପନ କରିବା ବେଳେ ସେଥିରେ ଲେଖକ କିଛି କାଳ୍ପନିକ ତତ୍ତ୍ୱର ମଧ୍ୟ ମିଶ୍ରଣ କରିଛନ୍ତି। ଉଦାହରଣ ସ୍ୱରୂପ, ଟାଟା ନଗରକୁ ସ୍ୱାମୀଙ୍କ ସହିତ ଟ୍ରେନ୍ ଯୋଗେ ଯିବା ବାଟରେ ନୀଳିମାରାଣୀଙ୍କର ମନରେ ଉଦ୍ରେକ ହୋଇଥିବା ଖଡ଼ଗପୁର ରେଳ ଷ୍ଟେସନର ଗୋଟିଏ ବର୍ଣ୍ଣନା ଦେଖାଯାଉ:
“ଟାଟା ନଗରକୁ ଦୀର୍ଘ ସମୟର ଯାତ୍ରା। ବାଟରେ ଜୋରରେ ବର୍ଷା ହୋଇଗଲା। ସକାଳ ହେଲା। ପୂର୍ବାକାଶରେ ରଙ୍ଗର ରୋଶଣି। ସୂର୍ଯ୍ୟ ଉଠୁଥିଲେ। ଅପୂର୍ବ ମନୋରମ ଦୃଶ୍ୟ। ପିଇଯିବାକୁ ଇଚ୍ଛା ସେ ଦୃଶ୍ୟକୁ। ଆଖି ବନ୍ଦ କରି ନୀଳିମାରାଣୀ ମନଭରି ଉପଭୋଗ କଲେ।” (ପୃଷ୍ଠା: ୭୩)
ଏହି ଘଟଣା ଘଟିବାର ୫୦ ବର୍ଷ ପରେ, ଏପରିକି ନୀଳିମାରାଣୀଙ୍କ ଦେହାନ୍ତ ହେବା ପରେ ଲେଖା ହୋଇଥିବା ଏହି ପଂକ୍ତିଗୁଡ଼ିକରେ ସାହିତ୍ୟିକ ଉତ୍କର୍ଷ ଆଣିବା ଲକ୍ଷ୍ୟରେ ଏଠାରେ ଯେ ଲେଖକୀୟ କଳ୍ପନାର କିଛି ତତ୍ତ୍ୱ ସଂଯୋଗ କରାଯାଇଛି, ତାହା ସ୍ପଷ୍ଟ। ବହିଟିରେ ଅବଶ୍ୟ ଗୋଟିଏ ବର୍ଣ୍ଣନାଗତ ବିସଙ୍ଗତି ମଧ୍ୟ ଦୃଷ୍ଟିରେ ପଡ଼ିଲା। ଜଣେ କଥକ ଭାବରେ ଲେଖକ ଯେତେବେଳେ ନିଜର ଭୂମିକାରେ ଥାଇ କିଛି କହିଛନ୍ତି ସେଥିରେ ସେ ପ୍ରଥମ ପୁରୁଷ ଏକବଚନ ଅର୍ଥାତ୍ ‘ମୁଁ’ ଶବ୍ଦର ପ୍ରୟୋଗ କରିଛନ୍ତି। ପୁଣି ସ୍ଥଳ ବିଶେଷରେ ନିଜ କଥା କହିବା ବେଳେ ସେ ତୃତୀୟ ପୁରୁଷ ଅର୍ଥାତ୍ ‘ଅଚ୍ୟୁତ’ ଶବ୍ଦର ପ୍ରୟୋଗ ମଧ୍ୟ କରିଛନ୍ତି। ଏହା ଗୋଟିଏ ସମ୍ଭାବନା ମନକୁ ଆଣେ ଯେ ଏହି ପୁସ୍ତକର ରଚନା କାଳରେ ଏଥିମଧ୍ୟରେ ଲେଖକଙ୍କ ବ୍ୟତୀତ ଆଉ କାହାର ହାତ ମଧ୍ୟ ବାଜିଛି କି?

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)

One thought on “ମୋ ମାଆ ମୋ ପ୍ରେରଣା”

Leave a Reply

Your email address will not be published. Required fields are marked *