ଓଡ଼ିଆ ଭାଷାରେ ରୋଗୀଙ୍କର ବ୍ୟବସ୍ଥାପତ୍ର ଲେଖି ଚର୍ଚ୍ଚାକୁ ଆସିଲେ ଡାକ୍ତର ସେନାପତି

କୋରାପୁଟଠାରେ ଥିବା ‘ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ’ର ସର୍ଜରୀ ବିଶେଷଜ୍ଞ ଡାକ୍ତର ଶିବପ୍ରସାଦ ସେନାପତି ନିଜର ରୋଗୀମାନଙ୍କ ପାଇଁ ସମସ୍ତ ପ୍ରେସ୍କ୍ରିପ୍ସନ୍ ବା ବ୍ୟବସ୍ଥାପତ୍ର ଇଂରାଜୀ ପରିବର୍ତ୍ତେ ଓଡ଼ିଆ ଭାଷାରେ ଲେଖି ଚର୍ଚ୍ଚାକୁ ଆସିଛନ୍ତି। ଔଷଧର ନାମ ସହିତ, କେଉଁ ଔଷଧ କେତେବେଳେ ଖାଇବାକୁ ହେବ, ରୋଗୀଙ୍କର ପଥ୍ୟକ’ଣ ହେବା ଉଚିତ ଆଦି ସମସ୍ତ ତଥ୍ୟ ସ୍ପଷ୍ଟ ଓ ସୁନ୍ଦର ଅକ୍ଷରରେ ସେ ବ୍ୟବସ୍ଥାପତ୍ରରେ ଲେଖିଥା’ନ୍ତି। ସେଥିରେ ଅନେକ ଜଟିଳ ରୋଗର ନାମ ମଧ୍ୟ ସେ ଓଡ଼ିଆରେ ହିଁ ଲେଖିଥାଆନ୍ତି। ଫଳରେ ତାଙ୍କର ବ୍ୟବସ୍ଥାପତ୍ର ପଢ଼ି ତାହାକୁ ବୁଝିବା ସମସ୍ତ ସାଧାରଣ ରୋଗୀଙ୍କ ପକ୍ଷରେ ଅତ୍ୟନ୍ତ ସହଜ ଓ ସୁବିଧାଜନକ ହୋଇପାରିଛି। ଏଥିପାଇଁ ଡାକ୍ତର ସେନାପତି ଓଡ଼ିଶାର ଗଣମାଧ୍ୟମରେ ବହୁ ଚର୍ଚ୍ଚିତ ଓ ପ୍ରଶଂସିତ ମଧ୍ୟ ହୋଇଛନ୍ତି।
କୋରାପୁଟ ଜିଲ୍ଲାର କୁନ୍ଦୁରା ଗ୍ରାମରେ ଜନ୍ମ ହୋଇଥିବା ଡାକ୍ତର ସେନାପତି ପିଲାଟି ଦିନରୁ ଜଣେ ଡାକ୍ତର ହୋଇ ରୋଗୀମାନଙ୍କର ସେବା କରିବା ପାଇଁ ସ୍ବପ୍ନ ଦେଖିଥିଲେ। ତାଙ୍କର ବାପା ରମାକାନ୍ତ ସେନାପତି ଜଣେ ଶିକ୍ଷକ ଓ ମାଆ ମୋତିମାଳା ସେନାପତି ଜଣେ ଗୃହିଣୀ। କୋରାପୁଟ ଜିଲ୍ଲାରେ ଥିବା ନିଜ ଗ୍ରାମର ବିଦ୍ୟାଳୟରେ ସେ ସ୍କୁଲ ଶିକ୍ଷା ଶେଷ କରିଥିଲେ ତଥା ଜୟପୁର ସ୍ଥିତ ବିକ୍ରମଦେବ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାଠ ପଢ଼ିଥିଲେ। ଏହାପରେ ସମ୍ବଲପୁର ବୁର୍ଲା ମେଡ଼ିକାଲର କଲେଜରେ ଡାକ୍ତରୀ ପାଠ ପଢ଼ି କଟକସ୍ଥିତ ଏମ୍.ସି.ବି ମେଡ଼ିକାଲ୍ କଲେଜର ସର୍ଜରୀ ବିଭାଗରେ ପି.ଜି ପଢ଼ିଥିଲେ। କଟକର ମେଡ଼ିକାଲ କଲେଜ ହାସପାତାଳରେ ଜଣେ ସର୍ଜରୀ ବିଶେଷଜ୍ଞ ଭାବରେ ଆଠବର୍ଷ କାଳ ଚାକିରି କରିବା ପରେ ସେ କୋରାପୁଟକୁ ଆସି ନିଜ ଜନ୍ମମାଟିରେ ରୋଗୀମାନଙ୍କର ସେବା କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ନିଜର ଡାକ୍ତରୀ ବ୍ୟବସ୍ଥାପତ୍ରରେ ଶୁଦ୍ଧ ଓଡ଼ିଆ ଭାଷାର ପ୍ରୟୋଗକୁ ସମ୍ଭବ କରି ଦେଖାଇଥିବାରୁ ରାଜ୍ୟର ଅନେକ ଭାଷାପ୍ରେମୀ, ସାହିତ୍ୟିକ ତଥା ସ୍ଥାନୀୟ ବିଧାୟକ ତା’ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
(ପ୍ରକାଶିତ: ୨୪ ସେପ୍ଟେମ୍ବର, ୨୦୨୬)
ଆବୁଧାବି ଆନ୍ତର୍ଜାତିକ ପୁସ୍ତକ ମେଳାରେ ସ୍ଥାନ ପାଇଲା ଓଡ଼ିଆ ବହି

ସେପ୍ଟେମ୍ୱର ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ଆବୁଧାବିଠାରେ ଆୟୋଜିତ ଆନ୍ତର୍ଜାତିକ ପୁସ୍ତକ ମେଳାରେ ବିଶ୍ବର ବହୁ ନାମୀ ପ୍ରକାଶନ ସଂସ୍ଥା ଅଂଶଗ୍ରହଣ କରୁଛନ୍ତି। ଏହି ମର୍ଯ୍ୟାଦାପୂର୍ଣ୍ଣ ଆନ୍ତର୍ଜାତିକ ମଞ୍ଚରେ ଓଡ଼ିଶାର ଏକମାତ୍ର ପ୍ରକାଶନ ସଂସ୍ଥା ଭାବେ ବି.କେ. ପବ୍ଲିକେଶନ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରକାଶନ ସଂସ୍ଥାର ପ୍ରତିଷ୍ଠାତା ବିଜୟ କୁମାର ମହାପାତ୍ର ନିଜ ଦ୍ବାରା ପ୍ରକାଶିତ ବହୁ ଓଡ଼ିଆ ଓ ଇଂରାଜୀ ପୁସ୍ତକ ସହିତ ସେଠାରେ ଏକ ସୁଦୃଶ୍ୟ ଷ୍ଟଲ୍ ସ୍ଥାପନ କରିଛନ୍ତି। ସେଠାରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ପୁସ୍ତକଗୁଡ଼ିକ ମଧ୍ୟରେ ଅଛି କାହ୍ନୁଚରଣ ମହାନ୍ତି, ପ୍ରଶାନ୍ତ ନନ୍ଦ, ହରିପଦ ଶତପଥୀ, ଅଧ୍ୟାପକ ବିଶ୍ୱରଞ୍ଜନ, ଧନେଶ୍ଵର ସାହୁ, ରାମଚନ୍ଦ୍ର ବେହେରା, ଲୋପାମୁଦ୍ରା ମହାନ୍ତି, ଅଜୟ ମହାପାତ୍ର ଓ ସୁବ୍ରତ ପୃଷ୍ଟି ପ୍ରମୁଖଙ୍କ ଦ୍ବାରା ରଚିତ ବହି।
ପ୍ରକାଶକ ବିଜୟ କୁମାର ମହାପାତ୍ର ଏହା ପୂର୍ବରୁ ବର୍ଲିନ୍, ଫ୍ରାଙ୍କଫର୍ଟ, ଇଟାଲୀ, ଲଣ୍ଡନ, ଶ୍ରୀଲଙ୍କା ଆଦି ବିଭିନ୍ନ ଆନ୍ତର୍ଜାତିକ ପୁସ୍ତକ ମେଳା ସହିତ ଦିଲ୍ଲୀ, କୋଲକାତା, ପାଟନା, ଗୌହାଟୀ, କୋଚି, ଚେନ୍ନାଇ ଆଦି ସହରରେ ଆୟୋଜିତ ଅନେକ ଜାତୀୟ ପୁସ୍ତକ ମେଳାରେ ମଧ୍ୟ ଯୋଗଦେଇ ଓଡ଼ିଶାର ପ୍ରକାଶନ ଶିଳ୍ପକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଛନ୍ତି।
(ପ୍ରକାଶିତ: ୧୩ ସେପ୍ଟେମ୍ବର, ୨୦୨୬)
ସାହିତ୍ୟ ଅକାଦେମିର ଫେଲୋସିପ୍ରେ ସମ୍ମାନିତ ହେଲେ ପ୍ରତିଭା ରାୟ

କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ସେପ୍ଟେମ୍ବର ୧୦ ତାରିଖରେ ଭୁବନେଶ୍ବରର ସଂସ୍କୃତି ଭବନଠାରେ ଆୟୋଜିତ ଏକ ସାରସ୍ବତ ସମାରୋହରେ ପ୍ରଖ୍ୟାତ ଲେଖିକା ପ୍ରତିଭା ରାୟଙ୍କୁ ଅକାଦେମିର ଫେଲୋସିପ୍ରେ ସମ୍ମାନିତ କରାଯାଇଛି।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଫେଲୋସିପ୍ର ପ୍ରାପକ ପ୍ରତିଭା ରାୟ ତଥା ଉପସ୍ଥିତ ଅତିଥିବୃନ୍ଦଙ୍କୁ ସ୍ବାଗତ କରି ସାହିତ୍ୟ ଅକାଦେମିର ସଚିବ ବରୁଣ ଗୁଲାଟି କହିଲେ ଯେ ପ୍ରତିଭା ରାୟ ଆମ ଦେଶର ଅତି ପ୍ରତିଭାଶାଳୀ ସାହିତ୍ୟିକଙ୍କ ମଧ୍ୟରେ ଅନ୍ୟତମ। ଅକାଦେମୀର ସଭାପତି ମାଧବ କୌଶିକ କହିଲେ ଯେ ପ୍ରତିଭା ରାୟ ଓଡ଼ିଆ ଭାଷାରେ ଲେଖନ୍ତି ସତ; କିନ୍ତୁ ସେ ସମଗ୍ର ଭାରତବର୍ଷର ଲେଖକମାନଙ୍କର ପ୍ରତିନିଧିତ୍ବ କରନ୍ତି। ସାହିତ୍ୟ ଅକାଦେମୀର ଓଡ଼ିଆ ଉପଦେଷ୍ଟାମଣ୍ଡଳୀର ଆବାହକ ଗୌରହରି ଦାସ କହିଲେ ଯେ ଜଣେ ନାରୀ ଲେଖକର ଜୀବନ ଜଣେ ପୁରୁଷ ଲେଖକର ଜୀବନ ସହିତ ସମାନ ନୁହେଁ। ଏହି ଅବସରରେ ପ୍ରତିଭା ରାୟଙ୍କ ଲେଖକୀୟ ଅବଦାନ ବିଷୟରେ ଅନୁଷ୍ଠିତ ଏକ ‘ସମ୍ବାଦ’ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ପ୍ରଫୁଲ୍ଲ କୁମାର ମହାନ୍ତି, ସଂଘମିତ୍ରା ମିଶ୍ର ଓ ଦେବପ୍ରସାଦ ଦାଶ। ଏହାପରେ ଅକାଦେମି ଫେଲୋସିପ୍ ଗ୍ରହଣ କରିଥିବା ପ୍ରତିଭା ରାୟ ସାହିତ୍ୟ ଅକାଦେମି କର୍ତ୍ତୃପକ୍ଷ ଦିଲ୍ଲୀରୁ ଆସି ଏଠାରେ ତାଙ୍କର ପ୍ରିୟ ପାଠକମାନଙ୍କ ସାମନାରେ ଏହି ଫେଲୋସିପ୍ ପ୍ରଦାନ କରିଥିବାରୁ କୃତଜ୍ଞତା ଅର୍ପଣ କରିଥିଲେ।
ପ୍ରକାଶଯୋଗ୍ୟ ଯେ ଚଳିତ ବର୍ଷ ଏପ୍ରିଲ ମାସ ଏକ ତାରିଖ ଦିନ ପ୍ରତିଭା ରାୟଙ୍କୁ ଏହି ଫେଲୋସିପ୍ ପାଇଁ ମନୋନୀତ କରାଯାଇଥିବା କଥା ସାହିତ୍ୟ ଅକାଦେମି ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ଏହି ଘୋଷଣାର ଦୀର୍ଘ ପ୍ରାୟ ପାଞ୍ଚ ମାସ ପରେ ଅର୍ଥାତ ସେପ୍ଟେମ୍ବର ୧୦ ତାରିଖ ଦିନ ତାଙ୍କୁ ଔପଚାରିକ ଭାବରେ ଏହି ଫେଲୋସିପ୍ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ଓଡ଼ିଶାରୁ ଜୟନ୍ତ ମହାପାତ୍ର (୨୦୧୯), ସୀତାକାନ୍ତ ମହାପାତ୍ର (୨୦୧୩), ରମାକାନ୍ତ ରଥ (୨୦୦୯), ମନୋଜ ଦାସ (୨୦୦୬), ସଚ୍ଚି ରାଉତରାୟ (୧୯୯୬), କାହ୍ନୁଚରଣ ମହାନ୍ତି (୧୯୯୪) ଓ କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୭୧) ଏହି ଫେଲୋସିପ୍ରେ ସମ୍ମାନିତ ହୋଇସାରିଛନ୍ତି। ସାହିତ୍ୟ ଅକାଦେମି ପକ୍ଷରୁ ସୂଚନା ଦିଆଯାଇଛି ଯେ ଅକାଦେମିର ଏହି ସର୍ବୋଚ୍ଚ ସମ୍ମାନ କେବଳ ସାହିତ୍ୟର ଅମର ସ୍ରଷ୍ଟାମାନଙ୍କ ପାଇଁ ସଂରକ୍ଷିତ ଏବଂ ଏଥିପାଇଁ ଯୋଗ୍ୟ ସାହିତ୍ୟିକଙ୍କୁ ଏକ ଚୟନ ପ୍ରକ୍ରିୟା ମାଧ୍ୟମରେ ବଛାଯାଇଥାଏ। ଯେ କୌଣସି ସମୟରେ ସାହିତ୍ୟ ଅକାଦେମିର ଫେଲୋମାନଙ୍କର ମୋଟ ସଂଖ୍ୟା ୨୨ ରହିଥାଏ।
(ପ୍ରକାଶିତ: ୧୦ ସେପ୍ଟେମ୍ବର, ୨୦୨୬)
ଲେଖକମାନଙ୍କୁ ସହାୟତା ଯୋଗାଇଦେବ ଉତ୍କଳ ସାହିତ୍ୟ ସମାଜର ସହାୟତା ପାଣ୍ଠି

ଓଡ଼ିଶାର ସର୍ବପ୍ରାଚୀନ ସାରସ୍ୱତ ପ୍ରତିଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଅଭାବ ଗ୍ରସ୍ତ ଲେଖକ ଓ ଲେଖିକାମାନଙ୍କୁ ଚିକିତ୍ସା ପାଇଁ ଯତ୍କିଂଚିତ୍ ସହାୟତା ଯୋଗାଇଦେବା ଲାଗି ସେପ୍ଟେମ୍ବର ୭ ତାରିଖରେ ଏକ ଲେଖକ କଲ୍ୟାଣ ପାଣ୍ଠିର ଶୁଭାରମ୍ଭ କରାଯାଇଛି। ଏହି ପାଣ୍ଠିକୁ ସର୍ବପ୍ରଥମେ ୫୦ ହଜାର ୫୫୫ ଟଙ୍କାର ଦାନ ଦେଇଛନ୍ତି ଅନୁଷ୍ଠାନର ପୂର୍ବତନ ଉପସଭାପତି ତଥା ସାଧାରଣ ସମ୍ପାଦକ ସତ୍ୟ ରାୟ ଓ ତାଙ୍କର ଧର୍ମପତ୍ନୀ କସ୍ତୁରୀ ରାୟ। ଦୁଃସ୍ଥ ଓଡ଼ିଆ ସାହିତ୍ୟିକମାନଙ୍କ ପ୍ରତି ଏହିଭଳି ସହାୟତାର ହାତ ବଢ଼ାଇବା ପାଇଁ ବଦାନ୍ୟ ବ୍ୟକ୍ତିମାନେ ଆଗେଇ ଆସିବାକୁ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ନିବେଦନ କରାଯାଇଛି। ଏହି ପାଣ୍ଠିର ବ୍ୟାଙ୍କ ସୁଧରୁ ଦୁଃସ୍ଥ ଓ ଯୋଗ୍ୟ ସାହିତ୍ୟିକମାନଙ୍କୁ ପ୍ରତି ବର୍ଷ ସହାୟତା ଯୋଗାଇ ଦିଆଯିବ।
ଏଠାରେ ପ୍ରକାଶଯୋଗ୍ୟ ଯେ ରାଜ୍ୟର ଦୁଃସ୍ଥ ଲେଖକ ଓ ଲେଖିକାମାନଙ୍କୁ ସହାୟତା ଯୋଗାଇବା ପାଇଁ ଓଡ଼ିଶା ସରକାରଙ୍କର କୌଣସି ନିର୍ଦ୍ଦିଷ୍ଟ ଯୋଜନା ନାହିଁ। ସଂସ୍କୃତି ବିଭାଗର ଦୁଃସ୍ଥ କଳାକାର ପେନସନ୍ ଯୋଜନା ସ୍ବରୂପ ୨୦୧୮ ମସିହାରେ ଆରମ୍ଭ କରାଯାଇଥିବା ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ଅଧୀନରେ ଯେଉଁ କଳାକାରମାନଙ୍କୁ ଏବେ ମାସିକ ମାତ୍ର ୧୨୦୦ ଟଙ୍କାର ପେନସନ୍ ରାଶି ପ୍ରଦାନ କରାଯାଉଛି, ସେହି କଳାକାରଙ୍କର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ସାହିତ୍ୟିକମାନଙ୍କର ସଂଖ୍ୟା ଅତି ନଗଣ୍ୟ। ଏପରିକି ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ବ୍ୟବସ୍ଥା ମଧ୍ୟ ୨୦୧୭ ମସିହାରୁ ବିନା କାରଣରେ ସ୍ଥଗିତ ହୋଇ ପଡ଼ିରହିଛି। କିଛି ଜଣ ଦିବଙ୍ଗତ ଲେଖକଙ୍କର ଜନ୍ମଦିବସ ଓ ତିରୋଧାନ ଦିବସ ପାଳନ ତଥା କେତେକ ମଞ୍ଚ କାର୍ଯ୍ୟକ୍ରମ ମଧ୍ୟରେ ହିଁ ମୁଖ୍ୟତଃ ସୀମିତ ରହିଛି ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପୂର୍ଣ୍ଣ ଗତିବିଧି। ଏଣୁ ବିଭିନ୍ନ ବେସରକାରୀ ଉଦ୍ୟମରେ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କ ସହଯୋଗରେ ସାହିତ୍ୟିକମାନଙ୍କୁ ସହାୟତା କରି ତଥା ସେମାନଙ୍କୁ ପୁରସ୍କୃତ କରି, ଓଡ଼ିଶା ମାଟିରେ ଓଡ଼ିଆ ସାହିତ୍ୟକୁ କବର ଦେବାର ରାଜ୍ୟ ସରକାରଙ୍କ ଦୁରଭିସନ୍ଧିକୁ ବିଫଳ କରିବାକୁ ଏକ ଉଦ୍ୟମ ଏବେ ବିଭିନ୍ନ ଆଡ଼େ ଦେଖିବାକୁ ମିଳୁଛି।
(ପ୍ରକାଶିତ: ୮ ସେପ୍ଟେମ୍ବର, ୨୦୨୬)
ଆରମ୍ଭ ହେଲା ଦୁଇଦିନିଆ ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ୍- ୨୦୨୬

ସେପ୍ଟେମ୍ବର ୫ତାରିଖରେ ଭୁବନେଶ୍ୱରର ମେ-ଫେୟାର୍ ସଭାଗାରରେ ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ୍- ୨୦୨୬ ଉଦ୍ଘାଟିତ ହୋଇଯାଇଛି। ‘ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍’ ପକ୍ଷରୁ ଆୟୋଜିତ ଏହି ୧୪ତମ ଓଡ଼ିଶା ସାହିତ୍ୟ ମହୋତ୍ସବକୁ ଉଦ୍ଘାଟନ କରି ବରିଷ୍ଠ ରାଜନେତା, ବିଦ୍ୱାନ ତଥା କେରଳ ଓ ବିହାରର ପୂର୍ବତନ ରାଜ୍ୟପାଳ ଆରିଫ ମହମ୍ମଦ ଖାନ କହିଛନ୍ତି – “ମହାନ ସାହିତ୍ୟ ଓ କବିତା ମଣିଷକୁ ଭାବନାତ୍ମକ ତଥା ଆଧ୍ୟାତ୍ମିକ ଶାନ୍ତି ଦେଇଥାଏ। ବିଶେଷକରି ଜୀବନର କଠିନ ଓ ଚିନ୍ତାଜନକ ସମୟରେ ଏହା ମନକୁ ଆଶ୍ୱାସନ ଦିଏ।”
ଏହି ଅବସରରେ ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ର ସମ୍ପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲା ତଥା ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍ର ସିଇଓ ଲକ୍ଷ୍ମୀ ମେନନ୍ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ସ୍ୱାଗତ ଅଭିଭାଷଣରେ ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ର ସମ୍ପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲା ଓଡ଼ିଶାକୁ ଭାରତର ବୌଦ୍ଧିକ ରାଜଧାନୀ ଭାବେ ବର୍ଣ୍ଣନା କରିଥିଲେ। ଏହି କାରଣରୁ ୧୪ ବର୍ଷ ପୂର୍ବେ ରାଜ୍ୟରେ ଓଡ଼ିଶା ସାହିତ୍ୟ ମହୋତ୍ସବ ଆରମ୍ଭ କରାଯାଇଥିଲା ବୋଲି ସେ କହିଥିଲେ। ଓଡ଼ିଆ ସାହିତ୍ୟକୁ ସେ ‘ଜୀବନ୍ତ ଇତିହାସ’ ଭାବେ ଅଭିହିତ କରି ୨୦୧୪ରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଏହାର ସମୃଦ୍ଧ ପରମ୍ପରାର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ସାରଳା ଦାସ ଓ ଫକୀର ମୋହନ ସେନାପତିଙ୍କ ଅବଦାନକୁ ସ୍ମରଣ କରିଥିଲେ। ‘ଛ ମାଣ ଆଠ ଗୁଣ୍ଠ’ ଓ ‘ରେବତୀ’ ଭଳି କୃତି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି ବୋଲି ସେ କହିଥିଲେ। ଓଡ଼ିଶାର ସମୃଦ୍ଧ ମୌଖିକ ସାହିତ୍ୟ ପରମ୍ପରାର ମଧ୍ୟ ସେ ଉଲ୍ଲେଖ କରିଥିଲେ।
ସେପ୍ଟେମ୍ବର ୫ ଓ ୬ ଦୁଇଦିନ ଧରି ଚାଲିଥିବା ଏହି ମହୋତ୍ସବରେ ସାହିତ୍ୟ, ସଂସ୍କୃତି ଓ ସାର୍ବଜନୀନ ଜୀବନର ବିଭିନ୍ନ କ୍ଷେତ୍ରର ୪୦ରୁ ଅଧିକ ବକ୍ତା ଯୋଗ ଦେବେ। ମୋଟ ୨୫ଟି ବିଶେଷ ଅଧିବେଶନରେ ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।
(ପ୍ରକାଶିତ: ୬ ସେପ୍ଟେମ୍ବର, ୨୦୨୬)
ଅକ୍ଟୋବର ୨ରୁ ଓଡ଼ିଆ ପାଠକଙ୍କ ପାଖରେ ବହି ପହଞ୍ଚାଇବାର ଅନୁପମ ଅଭିଯାନ: ବହି ଯାତ୍ରା

ଓଡ଼ିଶାର ଅନ୍ୟତମ ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ଆଦିତ୍ୟ ଭାରତ’ ପକ୍ଷରୁ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ସାରଳା ଦାସଙ୍କ ଜନ୍ମ ପୀଠରୁ ଏକ ଭ୍ରାମ୍ୟମାଣ ଯାନ ନିଜର ଯାତ୍ରା ଆରମ୍ଭ କରିବ। ଏହି ଯାନରେ ବିଭିନ୍ନ ପ୍ରକାର ଓଡ଼ିଆ ବହି ସୁସଜ୍ଜିତ ହୋଇ ରହିବ ଏବଂ ଏହା ବର୍ଷ ତମାମ ଓଡ଼ିଶାର ସମସ୍ତ ଜିଲ୍ଲାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ଯିବ। ଓଡ଼ିଆ ବହି କିଣିବା ଓ ପଢ଼ିବା ପ୍ରତି ଲୋକମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ଏହି ଅଭିଯାନର ଉଦ୍ଦେଶ୍ୟ। ‘ଆଦିତ୍ୟ ଭାରତ’ ସଂସ୍ଥାର ପ୍ରତିଷ୍ଠାତା ଦେବାଶିଷ ସାମନ୍ତରାୟ ‘ସାହିତ୍ୟ ଚର୍ଚ୍ଚା’କୁ କହିଛନ୍ତି ଯେ ଏହା ତାଙ୍କର ଏକ ବ୍ୟାବସାୟିକ ଉପକ୍ରମ ନୁହେଁ, ବରଂ ଓଡ଼ିଆ ବହିକୁ ଲୋକପ୍ରିୟ କରିବା ପାଇଁ ଏକ ଆନ୍ଦୋଳନ। ସେ ମଧ୍ୟ କହିଛନ୍ତି ଯେ ଏହା ଜରିଆରେ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳର ପାଠକ ଓ ପାଠିକାମାନେ କେଉଁ ପ୍ରକାରର ଓଡ଼ିଆ ବହି ପଢ଼ିବା ପାଇଁ ଅଧିକ ଆଗ୍ରହୀ ସେ ବିଷୟରେ ଏକ ସର୍ବେକ୍ଷଣ ମଧ୍ୟ କରାଯିବ।
ଏହା ପୂର୍ବରୁ ୧୯୯୫-୯୬ ମସିହାରେ ମଧ୍ୟ ନ୍ୟାସନାଲ ବୁକ୍ ଟ୍ରଷ୍ଟ ପକ୍ଷରୁ ଗାଡ଼ି ଦ୍ବାରା ଏକ ଭ୍ରାମ୍ୟମାଣ ଓଡ଼ିଆ ପୁସ୍ତକ ପ୍ରଦର୍ଶନୀ ଓଡ଼ିଶାର ସମସ୍ତ ଜିଲ୍ଲା ପରିକ୍ରମା କରିଥିଲା, ଯାହାର ସଂଯୋଜନା କରିଥିଲେ ଏନ୍.ବି.ଟିର ଓଡ଼ିଆ ବିଭାଗର ତତ୍କାଳୀନ ସମ୍ପାଦକ ମାନସ ରଂଜନ ମହାପାତ୍ର। ସେତେବେଳେ ଏହାର ପରିଣାମ ଉତ୍ସାହଜନକ ଥିଲା ବୋଲି ସେ କହନ୍ତି।
(ପ୍ରକାଶିତ: ୩ ସେପ୍ଟେମ୍ବର, ୨୦୨୬)
ବିଶିଷ୍ଟ କଥାକାର ଗିରି ଦଣ୍ଡସେନାଙ୍କର ମହାପ୍ରୟାଣ

ବର୍ଷୀୟାନ କଥାକାର ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କର ଅଗଷ୍ଟ ୨୪ ତାରିଖ ସକାଳେ ବୁର୍ଲାଠାରେ ଗୋଟିଏ ଘରୋଇ ହାସପାତାଳରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ଵୟସ ହୋଇଥିଲା।
ସେ ଓଡ଼ିଶା ସରକାରଙ୍କ ଟ୍ରେଜେରୀରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ତାଙ୍କର ସୁବିଦିତ ଗଳ୍ପ ପୁସ୍ତକ ମଧ୍ୟରେ ‘କାଳସୂତ୍ର’, ‘ଓ ଇଣ୍ଡିଆ’, ‘ଭୂମିଗର୍ଭା’, ‘ଅନାର୍ଯ୍ୟ ଦାସ’ ଓ ‘ଓଡ଼ିଶୀ ଓଡ଼ିଶୀ’ ପ୍ରମୁଖ ଅନ୍ତର୍ଭୁକ୍ତ। ଗଳ୍ପର ଶୈଳୀରେ ନୂତନ ପରୀକ୍ଷା ନିରୀକ୍ଷା ତାଙ୍କ ରଚନାର ବିଶେଷତ୍ବ ଥିଲା। ସେ ନିଜର କେତେକ ଗଳ୍ପରେ ସୁନ୍ଦରଗଡ଼ର ସ୍ଥାନୀୟ ଭାଷା ‘ସାଦ୍ରୀ’ର ପ୍ରୟୋଗ କରିଛନ୍ତି। ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ‘ସୁନ୍ଦରଗଡ଼ ଇତିହାସ’ ନାମକ ଏକ ଉପାଦେୟ ଗ୍ରନ୍ଥ ମଧ୍ୟ ସେ ପ୍ରଣୟନ କରିଯାଇଛନ୍ତି।
(ପ୍ରକାଶିତ: ୨୪ ଅଗଷ୍ଟ, ୨୦୨୬)
କବି ଆଶୁତୋଷ ପରିଡ଼ା ପାଇବେ ୪୭ତମ ଶାରଳା ପୁରସ୍କାର

ସୁବିଦିତ କର୍ପୋରେଟ୍ ସଂସ୍ଥା ‘ଇମ୍ଫା’ର ସାମାଜିକ ଶାଖା ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ’ (ଇମ୍ପାକ୍ଟ) ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାରସ୍ୱତ କୃତି ପାଇଁ ପ୍ରଦାନ କରାଯାଉଥିବା ସ୍ମାରକୀ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବିଶିଷ୍ଟ ଓଡ଼ିଆ କବି ଓ ପ୍ରାବନ୍ଧିକ ତଥା ଅବସରପ୍ରାପ୍ତ ବୈଜ୍ଞାନିକ ଆଶୁତୋଷ ପରିଡ଼ାଙ୍କୁ ପ୍ରଦାନ କରାଯିବ ବୋଲି ଅଗଷ୍ଟ ୧୯ ତାରିଖ ସନ୍ଧ୍ୟାରେ ଘୋଷଣା କରାଯାଇଛି। ୨୦୨୪ ମସିହାରେ ପ୍ରକାଶିତ ତାଙ୍କର କବିତା ସଙ୍କଳନ ‘ବିଶ୍ୱାସ ଦେ ପୃଥ୍ବୀ’ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ତିନି ବର୍ଷ ତଳେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ପୁରସ୍କାର ପାଇଁ ମଧ୍ୟ ମନୋନୀତ ହୋଇଥିଲେ। ଆସନ୍ତା ଅକ୍ଟୋବର ୨୫ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଶାରଳା ପୁରସ୍କାର ସ୍ବରୂପ ତା’ଙ୍କୁ ଏକ ମାନପତ୍ର, ତାମ୍ରଫଳକ ତଥା ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଏହି ପୁରସ୍କାର ବିଚାର ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟରେ ସ୍ଥାନ ପାଇଥିବା ସାତୋଟି ବହି ହେଉଛି- ଅପର୍ଣ୍ଣା ମହାନ୍ତିଙ୍କ ‘ଅପର୍ଣ୍ଣା ମହାନ୍ତିଙ୍କ ପାଇଁ କବିତା’, ପଦ୍ମଜ ପାଳଙ୍କ ‘ଡାହାଣ ପାଦ ବାମ ପାଦ’, ଆଶୁତୋଷ ପରିଡ଼ାଙ୍କ ‘ବିଶ୍ୱାସ ଦେ ପୃଥ୍ବୀ’, ଅର୍ଚ୍ଚନା ନାୟକଙ୍କ ‘ସୀତା’, ବିଜୟ ନାୟକଙ୍କ ‘ମାୟାବର୍ତ୍ତ’, ପ୍ରକାଶ ମହାପାତ୍ରଙ୍କ ‘ମୋକ୍ଷ ମୁଦ୍ରା’ ଏବଂ ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ‘କବିଙ୍କ ନାମ ବେଦବ୍ୟାସ’। ଏହାର ପୁସ୍ତକ ମନୋନୟନ କମିଟିରେ ଇନ୍ଦିରା ଦାଶ, ପ୍ରତୀକ୍ଷା ଜେନା, ଅମିୟ ବେଜ, ପ୍ରଦୀପ କୁମାର ପଣ୍ଡା ଓ ଅଭୟ ନାୟକ ସଦସ୍ୟ ଥିବାବେଳେ; ବିଚାରକ ମଣ୍ଡଳୀରେ ଥିଲେ ସୁଚେତା ମିଶ୍ର, ହୃଷୀକେଶ ମଲ୍ଲିକ, ସଂଗ୍ରାମ ଜେନା, ସ୍ୱପ୍ନା ମିଶ୍ର, ନଟବର ଶତପଥୀ, ସରୋଜିନୀ ସାହୁ ଓ ଅଜୟ କୁମାର ମହାପାତ୍ର।
ଏହି ପୁରସ୍କାରର ଘୋଷଣା ଶୁଣିବା ପରେ ‘ସାହିତ୍ୟ ଚର୍ଚ୍ଚା’କୁ ନିଜର ପ୍ରତିକ୍ରିୟା ଦେଇ କବି ଆଶୁତୋଷ ପରିଡ଼ା କହିଛନ୍ତି, “ଏବେ ପୁରସ୍କାର ପାଇଁ ଆହ୍ଲାଦିତ ହେବାର ବୟସ ନାହିଁ। ତଥାପି ଏହା ଏକ ମର୍ଯ୍ୟାଦାଜନକ ପୁରସ୍କାର ହୋଇଥିବା ଦୃଷ୍ଟିରୁ ମନରେ ଆତ୍ମସନ୍ତୋଷ ଆସୁଛି।”
ଏହି ଅବସରରେ ଶାରଳା ପୁରସ୍କାର ବ୍ୟତୀତ, କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ‘ଇମ୍ପାକ୍ଟ’ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ମଧ୍ୟ ୨୦୨୬ ବର୍ଷ ପାଇଁ ଘୋଷଣା କରାଯାଇଛି। ଓଡ଼ିଶୀ ନୃତ୍ୟ ଗୁରୁ ଦୁର୍ଗା ଚରଣ ରଣବୀର ଏବଂ ଭାସ୍କର ଓ କଳା ଶିକ୍ଷାବିତ୍ ଦାମୋଦର ବେହେରାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ।
(ପ୍ରକାଶିତ: ୧୯ ଅଗଷ୍ଟ, ୨୦୨୬)
‘ସମାଜ’ର ନୂଆ ସମ୍ପାଦକ ଭାବରେ ଦାୟିତ୍ବ ନେଲେ ବାମାପଦ ତ୍ରିପାଠୀ

ଦୈନିକ ସମ୍ବାଦପତ୍ର ‘ସମାଜ’ର ସମ୍ପାଦକ ଭାବରେ ଗତ ଦଶକରେ କିଛି କାଳ ଦାୟିତ୍ବ ତୁଲାଇଥିବା ବାମାପଦ ତ୍ରିପାଠୀ ଅଗଷ୍ଟ ୧୬ ତାରିଖରେ ପୁନରାୟ ଏହାର ସମ୍ପାଦକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ତଥା ‘ସମାଜ’ ପରିଚାଳନା ବୋର୍ଡର ଅଧ୍ୟକ୍ଷ ରାଜକୁମାର ଜୀଙ୍କ ଉପସ୍ଥିତିରେ ଏହି ଦାୟିତ୍ବ ହସ୍ତାନ୍ତର ହୋଇଥିଲା। ନିଯୁକ୍ତି ଚୁକ୍ତିନାମା ଅନୁସାରେ ପୂର୍ବତନ ସମ୍ପାଦକ ତପନ ମିଶ୍ରଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ନିଜର ସ୍ବାସ୍ଥ୍ୟ ତଥା ପାରିବାରିକ କାରଣରୁ ସେ ଦାୟିତ୍ବରୁ ଓହରିଯିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସମ୍ପାଦକ ଭାବରେ କାର୍ଯ୍ୟ କରୁଥିବା ସହିତ ସେ କିଛି କାଳ ଅନୁଷ୍ଠାନର ଜେନେରାଲ୍ ମ୍ୟାନେଜର ଭାବରେ ମଧ୍ୟ ଦାୟିତ୍ବ ନିର୍ବାହ କରିଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ‘ସମାଜ’ର ବାର୍ଷିକ ଲାଭ ପ୍ରାୟ ୧୪ କୋଟି ଟଙ୍କାକୁ ବୃଦ୍ଧିପାଇଥିଲା ବୋଲି ଜଣାପଡ଼ିଛି।
ନବନିଯୁକ୍ତ ସମ୍ପାଦକ ବାମାପଦ ତ୍ରିପାଠୀ ପୂର୍ବରୁ ‘ସମାଜ’ ବ୍ୟତୀତ ଦୈନିକ ହୀରାଖଣ୍ଡ, ପ୍ରଜାତନ୍ତ୍ର ଓ ସମ୍ବାଦ ଆଦି ସମ୍ବାଦପତ୍ରରେ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ଅର୍ଜନ କରିଛନ୍ତି। ଏହି ଅନୁଭୂତିର ସୁଫଳ ଆଗାମୀ ଦିନରେ ‘ସମାଜ’କୁ ମିଳିବ ବୋଲି ଆଶା କରାଯାଏ।
ଏହା ବ୍ୟତୀତ ଗୋପୀନାଥ ବାରିକ ଓ ଅନୁପମ ପ୍ରହରାଜଙ୍କୁ ଯଥାକ୍ରମେ ‘ସମାଜ’ର ମୁଖ୍ୟ ପରିଚାଳକ ଓ ବାର୍ତ୍ତା ସମ୍ପାଦକ ଭାବରେ ମଧ୍ୟ ନିଯୁକ୍ତି ଦିଆଯାଇଛି ବୋଲି ଜଣାପଡ଼ିଛି।
(ପ୍ରକାଶିତ: ୧୭ ଅଗଷ୍ଟ, ୨୦୨୬)
ପାଠ୍ୟପୁସ୍ତକ ସଂଶୋଧନ: ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆଢ଼ୁଆଳରେ ଆତ୍ମରକ୍ଷା କରିବେ କି ସରକାର?

ଚଳିତବର୍ଷ ପ୍ରକାଶିତ ପ୍ରଥମରୁ ନେଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉଦ୍ଦିଷ୍ଟ ପାଠ୍ୟପୁସ୍ତକଗୁଡ଼ିକରେ ଅଜସ୍ର ତ୍ରୁଟି ଲୋକଲୋଚନକୁ ଆସିବା ପରେ ବର୍ତ୍ତମାନ ଭୁବନେଶ୍ୱରର ଏସ୍.ସି.ଇ.ଆର୍.ଟି କାର୍ଯ୍ୟାଳୟରେ ଏହାର ସଂଶୋଧନ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ରାଜ୍ୟ ଭାଷା ପ୍ରତିଷ୍ଠାନ ଏହାର ତତ୍ତ୍ବାବଧାନ କରୁଛନ୍ତି ଏବଂ ଯେଉଁ ୧୭ ଜଣ ଶିକ୍ଷାବିତ୍ ଏଥିପାଇଁ ନିଯୁକ୍ତି ପାଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଅବସରପ୍ରାପ୍ତ ଅଧ୍ୟାପକ। ଏହି କାର୍ଯ୍ୟ ଆହୁରି ଅନ୍ତତଃ ଏକ ମାସ ପାଇଁ ଚାଲିବ ବୋଲି ଜଣାପଡ଼ିଛି। ତେବେ ହିନ୍ଦୀ ଭାଷାର ଗୋଟିଏ ଢଗ, “ଦୁଧ୍ କା ଜଲା, ଛାଂଛ୍କୋ ଭି ଫୁଙ୍କ୍ ଫୁଙ୍କ୍ କର୍ ପିତା ହୈ,” ନ୍ୟାୟରେ କାଳେ ବର୍ତ୍ତମାନର ସଂଶୋଧନ ପରେ ବି ପୁଣି କିଛି ଭୁଲ୍ଭଟକା ରହିଗଲେ ସରକାରଙ୍କୁ ନିନ୍ଦିତ ହେବାକୁ ପଡ଼ିବ, ସେହି ଆଶଙ୍କାରେ ସରକାରଙ୍କ ଭାଷା ପ୍ରତିଷ୍ଠାନ ସମସ୍ତ ସଂଶୋଧନକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ କୌଣସି ଶବ୍ଦକୁ ସଂଶୋଧନ କରିବା ବେଳେ ସେମାନେ କେବଳ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଥିବା ସେହି ଶବ୍ଦର ବନାନ ସହିତ ତାହାକୁ ମିଳାଇ ନେବେ। ଏପରିକି ସେମାନଙ୍କୁ ଏହା ମଧ୍ୟ କୁହାଯାଇଛି ଯେ କୌଣସି ଶବ୍ଦକୁ ସଂଶୋଧନ କରିବା ବେଳେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର କେଉଁ ପୃଷ୍ଠାରେ ସେହି ଶବ୍ଦଟି ଅଛି ତାହା ଉଲ୍ଲେଖ କରିବେ। ଏହାର ଉଦ୍ଦେଶ୍ୟ ହେଲା, କୌଣସି ସଂଶୋଧିତ ଶବ୍ଦର ବନାନକୁ ନେଇ ବାଦବିବାଦ ଦେଖାଦେଲେ ସରକାର ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆଢ଼ୁଆଳରେ ଆତ୍ମରକ୍ଷା କରିପାରିବେ।
କିନ୍ତୁ ୯୦ ବର୍ଷ ତଳେ ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଦ୍ବାରା ପ୍ରଣୀତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର କେତେକ ଶବ୍ଦ ଯେ ଏବେ ବି ବିବାଦାସ୍ପଦ ଏବଂ ଏହି ଦୀର୍ଘ ସମୟ ମଧ୍ୟରେ ଓଡ଼ିଆ ଭାଷାରେ ସ୍ଥାନ ପାଇଥିବା କୌଣସି ନୂଆ ଶବ୍ଦ ଏଥିରେ ଯୋଡ଼ିବା ପାଇଁ କୌଣସି ବିଧିବଦ୍ଧ ପ୍ରଚେଷ୍ଟା ମଧ୍ୟ ହୋଇନାହିଁ, ସେଥିପ୍ରତି ସରକାର ଆଖି ବୁଜିଦେଇଛନ୍ତି। ଉଦାହରଣ ସ୍ବରୂପ ଏଥିରେ ‘ଜିନିଷ’କୁ ‘ଜିନିସ’ ଓ ‘ହାତୀ’କୁ ‘ହାତି’ ବୋଲି ଲେଖାଯାଇଛି। ଏହିଭଳି ବହୁ ତ୍ରୁଟି ରହିଛି ଏହି ଭାଷାକୋଷରେ, ଯାହାକୁ ଆଖିବୁଜା ଅନୁସରଣ କରାଗଲେ ପାଠ୍ୟପୁସ୍ତକରେ ପୁଣି ଅନେକ ତ୍ରୁଟି ରହିଯିବା ସୁନିଶ୍ଚିତ। ଦ୍ବିତୀୟତଃ ଏହି ଭାଷାକୋଷର କେଉଁ ପ୍ରକାଶନକୁ ସଂପୃକ୍ତ ସଂଶୋଧନକର୍ତ୍ତାମାନେ ଅନୁସରଣ କରୁଛନ୍ତି, ତାହା ମଧ୍ୟ ଗୁରୁତ୍ବପୂର୍ଣ୍ଣ। କାରଣ ଏବେ ମୋବାଇଲ୍ ଫୋନ୍ ଓ କମ୍ପ୍ୟୁଟର ପରଦାରେ ଚିକାଗୋ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଓ୍ବେବସାଇଟ୍ ଓ ଆପ୍ରେ ଯେଉଁ ଶବ୍ଦଗୁଡ଼ିକ ଅଛି, ଏହା ୨୦୦୭ରୁ ୨୦୧୨ ମସିହା ମଧ୍ୟରେ ତତ୍କାଳୀନ ଆମେରିକୀୟ ଦୂତାବାସର ତତ୍ତ୍ବାବଧାନରେ ଟେଣ୍ଡର ଡକାଯାଇ ବମ୍ବେର କିଛିଜଣ ଅଣପ୍ରଶିକ୍ଷିତ ଟାଇପିଷ୍ଟମାନଙ୍କ ଦ୍ବାରା ‘ଏଇଟ୍-ବିଟ୍’ରେ ଟାଇପିଙ୍ଗ୍ କରାଯାଇଥିଲା। ଏହାକୁ ୟୁନିକୋଡ୍କୁ ସ୍ଥାନାନ୍ତରୀତ କରିବାବେଳେ ସେଥିରେ କନ୍ଭର୍ସନ୍ ଜନିତ ଅନେକ ତ୍ରୁଟି ମଧ୍ୟ ଘଟିଥିଲା। ଏଣୁ ଚିକାଗୋ ବିଶ୍ବବିଦ୍ୟାଳୟ ପକ୍ଷରୁ ଅପଲୋଡ୍ ହୋଇଥିବା ଶବ୍ଦଗୁଡ଼ିକ ତ୍ରୁଟିଶୂନ୍ୟ ନୁହେଁ । ଅବଶ୍ୟ ସେହି ବିଶ୍ବବିଦ୍ୟାଳୟର ଅନୁରୋଧକ୍ରମେ ନିଖିଳ ମୋହନ ପଟ୍ଟନାୟକଙ୍କ ‘ସୃଜନିକା’ ସଂସ୍ଥା ପରେ ସେଥିରେ କିଛି ସଂଶୋଧନ କରିଥିଲେ। କିନ୍ତୁ ଏହାର ତଦାରଖ କରୁଥିବା ପ୍ରଫେସର ଜେମ୍ସ୍ ନ୍ୟାଇ ଚିକାଗୋ ବିଶ୍ବବିଦ୍ୟାଳୟରୁ ଅବସର ନେଇଯିବା ପରେ ଏହି ସଂଶୋଧନଗୁଡ଼ିକ ସେମାନଙ୍କ ଓ୍ବେବସାଇଟ୍ରେ ଯୋଡ଼ାଯାଇପାରିଲା ନାହିଁ। ଏଣୁ ପାଠ୍ୟପୁସ୍ତକର ସଂଶୋଧନକର୍ତ୍ତାମାନେ ଯଦି ନିଜ ମୋବାଇଲ୍ରେ ଥିବା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସେହି ସଂସ୍କରଣ ବ୍ୟବହାର କରୁଥାଆନ୍ତି ତେବେ ସଂଶୋଧିତ ପାଠ୍ୟପୁସ୍ତକରେ ପୁଣି ତ୍ରୁଟି ରହିଯିବା ସ୍ବାଭାବିକ। ଅବଶ୍ୟ ଭାଷା ପ୍ରତିଷ୍ଠାନ ପକ୍ଷରୁ ପାଠ୍ୟପୁସ୍ତକ ସଂଶୋଧନ କେନ୍ଦ୍ରରେ ଲାର୍କ ବୁକ୍ସ ପକ୍ଷରୁ ପ୍ରକାଶିତ ପୂର୍ଣଚନ୍ଦ୍ର ଭାଷାକୋଷର ମୁଦ୍ରିତ ବହି ଯୋଗାଇ ଦିଆଯାଇ ତାହାକୁ ହିଁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସବୁ ସଂଶୋଧନକର୍ତ୍ତା ଯେ ଏହାର ଅନୁପାଳନ କରୁଥିବେ ଏହାର କୌଣସି ନିଶ୍ଚିତତା ନାହିଁ।
(ପ୍ରକାଶିତ: ୧୧ ଅଗଷ୍ଟ, ୨୦୨୬)
ପୁରୀରେ ଅନୁଷ୍ଠିତ ହେଲା ତ୍ରିଦିବସୀୟ ଓଡ଼ିଶା ସାହିତ୍ୟ ମହୋତ୍ସବ

ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ଶାଖା ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ମିଳିତ ସହଯୋଗରେ ତ୍ରିଦିବସୀୟ ଓଡ଼ିଶା ସାହିତ୍ୟ ମହୋତ୍ସବ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଠାରେ ଅଗଷ୍ଟ ୮ ତାରିଖରେ ଉଦ୍ଘାଟିତ ହୋଇଯାଇଛି। ରାଷ୍ଟ୍ର ନିର୍ମାଣ ସହିତ ବ୍ୟକ୍ତି ନିର୍ମାଣ ପାଇଁ ସାହିତ୍ୟ ଉପଯୋଗୀ ଭୂମିକା ନିର୍ବାହ କରିବା ସହିତ ମାନବ ସଭ୍ୟତାର ବିକାଶ ପାଇଁ ବିନିଯୋଗ ହେଉବୋଲି ଏହି ଅବସରରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଉଚ୍ଚଶିକ୍ଷା ଓ ଯୁବସେବା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କାଗଜରୁ କ୍ଲାଉଡ଼କୁ ଓଡ଼ିଆ ଭାଷାକୁ ପହଂଚାଇ ପାରିଲେ ଏହାର ଭବିଷ୍ୟତ ସମୃଦ୍ଧ ଓ ସୁରକ୍ଷିତ ହୋଇପାରିବ ବୋଲି ମତ ଦେଇଥିଲେ। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଭାତ କୁମାର ମହାପାତ୍ର ସାହିତ୍ୟର ବିନିଯୋଗ ମାଧ୍ୟମରେ ଭବିଷ୍ୟତ ରାଷ୍ଟ୍ର ନିର୍ମାଣ ପାଇଁ ଉପଯୋଗୀ କାର୍ଯ୍ୟ କରାଯାଇପାରିବ ବୋଲି କହିଥିଲେ। ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ସତ୍ୟନାରାୟଣ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶୁଦ୍ଧ ଲିଖନ ଉପରେ ଆଜିର ଯୁବପିଢ଼ି ଗୁରୁତ୍ୱ ଦେବା ସହିତ ଓଡ଼ିଆ ଭାଷାର ବିକାଶ ପାଇଁ ସମସ୍ତେ କାର୍ଯ୍ୟ କରିବା ଉଚିତ ବୋଲି ମତ ଦେଇଥିଲେ। ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଷ୍ଟ୍ରୀୟ ମହାମନ୍ତ୍ରୀ ପବନପୁତ୍ର ବାଦଲ ଓଡ଼ିଆ ଭାଗବତର ପ୍ରଶଂସା କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ଚନ୍ଦ୍ରଶେଖର ହୋତା ଏହିପରି ସାହିତ୍ୟ ଉତ୍ସବ ମାଧ୍ୟମରେ ଯୁବ ଲେଖକମାନଙ୍କୁ ଉତ୍ସାହିତ କରାଯିିବ ବୋଲି କହିଥିଲେ। ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଅଧ୍ୟକ୍ଷ ଅଭୟ କୁମାର ନାୟକ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦିଲୀପ କୁମାର ସ୍ୱାଇଁ ସଂଚାଳନ କରିବା ସହ ରାମକୃଷ୍ଣ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ।
ପ୍ରଥମ ଦିବସରେ ଚାରୋଟି ଶୀର୍ଷକରେ ବାରୋଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। କବି ସାରଳା ଦାସ, ଜଗନ୍ନାଥ ଦାସ, ଉପେନ୍ଦ୍ର ଭଞ୍ଜ ଓ ଏକବିଂଶ ଶତାବ୍ଦୀର ସାହିତ୍ୟରେ ରାଷ୍ଟ୍ରବୋଧ ସମ୍ପର୍କରେ ପଚାଶଟି ପ୍ରବନ୍ଧ ପାଠକରାଯାଇଥିଲା। ବିଶିଷ୍ଟ ସାହିତ୍ୟକ କୈଳାସଚନ୍ଦ୍ର ଟୀକାୟତରାୟ, ହରପ୍ରସାଦ ମିଶ୍ର, ବୈଷବଚରଣ ମହାନ୍ତି, ପଣ୍ଡିତ ସନତ ସୁଜାତାନନ୍ଦ ଦାସ, ଧରଣୀଧର ନାଥ, ପ୍ରକାଶଚନ୍ଦ୍ର ପାଣିଗ୍ରାହୀ, କଲ୍ୟାଣୀ ମିଶ୍ର, ଉପେନ୍ଦ୍ର ବିଶ୍ୱାଳ, ରବୀନ୍ଦ୍ର ବିହାରୀ, ଶତୃଘ୍ନ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ଅଗଷ୍ଟ ୯ ତାରିଖରେ ବହୁରାଷ୍ଟ୍ରୀୟ କବିତା ପାଠୋତ୍ସବ ସହିତ ଫକୀରମୋହନ ଓ ଗୋଦାବରୀଶ ମହାପାତ୍ରଙ୍କ ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହେବ ବୋଲି ଆୟୋଜକ ଜଣାଇଛନ୍ତି।
(ପ୍ରକାଶିତ: ୮ ଅଗଷ୍ଟ, ୨୦୨୬)
ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)ଙ୍କ ବହିକୁ ଚୋରି କରିଛନ୍ତି କି ବିବୁଧ ରଂଜନ?

ପ୍ରଥିତଯଶା ଲେଖକ ସ୍ବର୍ଗତ ଜାନକୀ ବଲ୍ଲଭ ମହାନ୍ତି(ଭରଦ୍ୱାଜ)ଙ୍କର ଗୋଟିଏ ସୁବିଦିତ ବହିକୁ ପୂର୍ବରୁ ଅନେକ ବିବାଦିତ ବହି ଲେଖି ଚର୍ଚ୍ଚାକୁ ଆସିଥିବା ଜନୈକ ଲେଖକ, ବିବୁଧ ରଂଜନ ନିଜ ନାମରେ ଛପାଇଥିବା କଥା ଜୁଲାଇ ୨୬ ତାରିଖ ଦିନ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଏଥିନେଇ ସାହିତ୍ୟ ଜଗତରେ ଆଲୋଡନ ଖେଳିଯାଇଛି। ‘ଅଫକୋର୍ସ୍ ଓଡ଼ିଶା’ ନାମକ ନିଜର ଫେସବୁକ୍ ଚ୍ୟାନେଲ୍ରେ ବିଶିଷ୍ଟ ସାମ୍ବାଦିକ ତଥା ସାହିତ୍ୟପ୍ରେମୀ ଅମୀୟ ପାଣ୍ଡବ ଏହି ଘଟଣାର ଉଜାଗର କରିଛନ୍ତି।
ଏହି ବିଷୟରେ ଅନୁସନ୍ଧାନରୁ ଜଣାଯାଇଛି ଯେ ଆମ ଦେଶର ଲୋକକଥା ସମ୍ପର୍କରେ ‘ଆମ ଭାରତୀୟ ଲୋକକଥା’ ନାମକ ସ୍ବର୍ଗତ ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)ଙ୍କର ଗୋଟିଏ ପ୍ରାମାଣିକ ବହି ୧୯୯୩ ମସିହାରେ ପ୍ରକାଶ ପାଇ ଲୋକପ୍ରିୟତା ଅର୍ଜନ କରିଥିଲା। ଏହାକୁ ପ୍ରକାଶ କରିଥିଲେ ସ୍ବୟଂ ବିବୁଧ ରଂଜନଙ୍କର ପ୍ରକାଶନ ସଂସ୍ଥା ‘ପ୍ରଜ୍ଞାଲୋକ’। ଏହାପରେ ୧୯୯୯ ମସିହାରେ ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)ଙ୍କର ପରଲୋକ ହୋଇଯାଇଥିଲା। କିନ୍ତୁ ୨୦୧୬ ମସିହାରେ ବିବୁଧ ରଂଜନ ଚଞ୍ଚକତା କରି ସେହି ସମାନ ବହିର କେବଳ ମାତ୍ର ନାମଟିରେ ହିଁ ସାମାନ୍ୟ ପରିବର୍ତ୍ତନ କରି ତଥା ନିଜକୁ ଏହାର ଲେଖକ ଭାବରେ ଦର୍ଶାଇ ନିଜର ପ୍ରକାଶନ ସଂସ୍ଥା ‘ପ୍ରଜ୍ଞାଲୋକ’ର ବ୍ୟାନର୍ରେ ଏହାକୁ ପ୍ରକାଶ କରିଦେଇଥିଲେ। ଏହି ଉଭୟ ବହିର ସୂଚିପତ୍ର ଓ ପାଠରେ ସମ୍ପୂର୍ଣ୍ଣ ସମାନତା ଅଛି। କୌତୁହଳର ବିଷୟ ହେଲା ବିବୁଧ ରଂଜନଙ୍କ ଦ୍ବାରା ନିଜ ନାମରେ ପ୍ରକାଶିତ ବହିଟିର ଦ୍ବିତୀୟ ପୃଷ୍ଠାରେ ଇଂରାଜୀ ଭାଷାରେ ଥିବା ଗୋଟିଏ ବିଜ୍ଞପ୍ତିରେ ଲେଖାଅଛି ଯେ “ଡ. ବିବୁଧ ରଂଜନ ଏତଦ୍ବାରା ଏହି ବହିର ଲେଖକ ଭାବରେ ନିଜର ନୈତିକ ଅଧିକାର ଜାହିର କରୁଛନ୍ତି।”
ଆଉ ଏକ ରୋଚକ କଥା ହେଲା, ଅତୀତରେ ଥରେ ବିଶିଷ୍ଟ ଲେଖକ ମନୋଜ କୁମାର ମହାପାତ୍ର ଯେଉଁ ବହିଟି ଲେଖି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ, ତାହା ତାଙ୍କର ନିଜସ୍ବ ଓ ମୌଳିକ ରଚନା ନୁହେଁ ବୋଲି ଏହି ବିବୁଧ ରଂଜନ ହିଁ ଏକ ଅଭିଯୋଗ ଆଣିଥିଲେ, ଯାହାର ପରିଣାମରେ ଶ୍ରୀ ମହାପାତ୍ର ସେହି ପୁରସ୍କାର ଗ୍ରହଣ କରି ନ ଥିଲେ। ଏବେ ବିବୁଧ ରଂଜନ ସ୍ବୟଂ ଏକ ବହି ଚୋରି ମାମଲାରେ ଜଡ଼ିତ ଥିବାର କଥା ଜଣାପଡ଼ିବାରୁ ଓଡ଼ିଶାର ସାହିତ୍ୟିକ ମହଲରେ ଗୁଞ୍ଜରଣ ଖେଳିଯାଇଛି। ଏହି ଘଟଣା ସମ୍ପର୍କରେ ବିବୁଧ ରଂଜନଙ୍କର ପ୍ରତିକ୍ରିୟା ଜାଣିବା ପାଇଁ ‘ସାହିତ୍ୟ ଚର୍ଚ୍ଚା’ ତରଫରୁ ତା’ଙ୍କ ସହିତ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।
(ପ୍ରକାଶିତ: ୨୬ ଜୁଲାଇ, ୨୦୨୬)
ଓଡ଼ିଶା ସାହିତ୍ୟ ଏକାଡେମୀ ପାଳନ କଲା ନିଜର ୬୯ତମ ସ୍ବନକ୍ଷତ୍ର ଦିବସ

ଓଡ଼ିଶା ସାହିତ୍ୟ ଏକାଡେମୀର ୬୯ତମ ସ୍ବନକ୍ଷତ୍ର ଦିବସ ଉପଲକ୍ଷେ ଜୁଲାଇ ୨୫ ତାରିଖ ପୂର୍ବାହ୍ଣରେ ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପଠାରେ ଏକ ସାରସ୍ବତ ସମାରୋହର ଆୟୋଜନ କରାଯାଇଥିଲା। ଏହି ଅବସରରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟମାନଙ୍କରେ ଓଡ଼ିଆ ବିଷୟରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ଏବଂ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ପ୍ରବନ୍ଧ, ବକ୍ତୃତା, କବିତା-ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଓ ଛାତ୍ରୀମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ଏହି ଅବସରରେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲେ ହେଁ ସେ ଉପସ୍ଥିତ ହୋଇପାରିନଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ବାଗତ ସମ୍ଭାଷଣ କ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ଏକାଡ଼େମୀର ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ନିଜର ବକ୍ତବ୍ୟରେ କହିଥିଲେ ଯେ ସମସ୍ତ କୀର୍ତ୍ତିମାନଙ୍କଠାରୁ ସବୁଠାରୁ ଉଚ୍ଚରେ ରହିଛି ଅକ୍ଷର କୀର୍ତ୍ତି; ଅକ୍ଷରର କେବେ ମୃତ୍ୟୁ ହୁଏନା। ସଂସ୍କୃତି ବିଭାଗର ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ କହିଥିଲେ ଯେ ଗୋଟିଏ ଜାତିର ପରିଚୟ ତା’ର ଭାଷାରୁ ମିଳିଥାଏ। ସାହିତ୍ୟ ସହ ସମ୍ବାଦର ଯେଉଁ ନିବିଡ଼ ସମ୍ପର୍କ ରହିଛି ତାହା ଉପରେ ଆଲୋକପାତ କରିଥିଲେ ‘ସମ୍ବାଦ’ର ସମ୍ପାଦିକା ତନୟା ପଟ୍ଟନାୟକ। ସ୍ଥାନୀୟ ଏମ୍.ଏଲ୍.ଏ ବାବୁ ସିଂ କହିଥିଲେ ଯେ ଓଡ଼ିଶାର ଜାତୀୟ ଦେବତା ଯେପରି ମାଟିମନସ୍କ ହୋଇପଡ଼ିଛନ୍ତି ସେହିପରି ଓଡ଼ିଶାର ଯୁବପିଢ଼ିମାନେ ମଧ୍ୟ ନିଜ ମାଟି ମାଆ ଓ ମାତୃଭାଷାକୁ ଭଲ ପାଇବା ଉଚିତ। ଓଡ଼ିଶା ସାହିତ୍ୟ ଏକାଡେମୀର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ ସ୍ବତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାସ।
ଏହା କାର୍ଯ୍ୟକ୍ରମ ସମୟରେ ପ୍ରେକ୍ଷାଳୟରେ ପୁରସ୍କାର-ପ୍ରାପକ ତଥା ସେମାନଙ୍କ ପରିବାର ବର୍ଗଙ୍କୁ ମିଶାଇ ପ୍ରାୟ ୨୫୦ ଜଣ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟି ନିର୍ଦ୍ଧାରିତ ସମୟର ପ୍ରାୟ ୪୦ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ଏହି ଅବସରରେ ଏକାଡ଼େମୀର ସାହିତ୍ୟ ପତ୍ରିକା ‘କୋଣାର୍କ’ ତଥା ଅନ୍ୟ କେତେକ ପୁସ୍ତକର ଲୋକର୍ପଣ ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମର ଉପରାନ୍ତେ ଏକାଡେମୀ ପକ୍ଷରୁ ସମସ୍ତ ଉପସ୍ଥିତ ଅତିଥି ତଥା ଶ୍ରୋତାମାନଙ୍କ ପାଇଁ ଦିବାହାରର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
(ପ୍ରକାଶିତ: ୨୫ ଜୁଲାଇ ୨୦୨୬)
ବିଶିଷ୍ଟ ଶିଶୁସାହିତ୍ୟିକ ଶ୍ରୀଚରଣ ମହାନ୍ତିଙ୍କ ମହାପ୍ରୟାଣ

ବିଶିଷ୍ଟ ଶିଶୁସାହିତ୍ୟିକ ଶ୍ରୀଚରଣ ମହାନ୍ତି ଜୁଲାଇ ୨୨ ତାରିଖ ରାତିରେ ଭୁବନେଶ୍ଵରଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଗତ କିଛି ବର୍ଷ ହେବ ନିଜର ସ୍ମୃତିଶକ୍ତି ହରାଇବା ହେତୁ ସେ ଚିକିତ୍ସିତ ହେଉଥିଲେ।
ଶିଶୁ ସାହିତ୍ୟ ବ୍ୟତୀତ ଓଡ଼ିଆ ପ୍ରବନ୍ଧ, ସମାଲୋଚନା ଓ ଗୀତିକବିତା ପ୍ରତି ମଧ୍ୟ ତାଙ୍କର ମହତ୍ତ୍ବପୂର୍ଣ୍ଣ ଅବଦାନ ରହିଥିଲା। ଶାନ୍ତିନିକେତନର ଓଡ଼ିଆ ବିଭାଗରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ସେ ସେହିଠାରୁ ପିଏଚ୍.ଡି ତଥା ଡି.ଲିଟ୍ ଉପାଧି ମଧ୍ୟ ଲାଭ କରିଥିଲେ। ରାଉରକେଲାସ୍ଥିତ ସରକାରୀ କଲେଜରେ ସେ ବହୁ ବର୍ଷ ଧରି ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ।
ସେ ୨୦୧୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ଜଣେ ଶିଶୁ ସାହିତ୍ୟିକ ଭାବରେ ପୁରସ୍କୃତ ହୋଇଥିଲେ। ‘ଆମେ ସବୁ ସରଗର ଫୁଲରେ’ ଓ ‘କଥା କହୁଁ କଥା’ ତାଙ୍କ ଦ୍ବାରା ରଚିତ ସୁବିଦିତ ଶିଶୁସାହିତ୍ୟ ମଧ୍ୟରେ ଅନ୍ୟତମ। ଏହା ବ୍ୟତୀତ ସେ ମାୟାଧର ମାନସିଂହଙ୍କ ଗ୍ରନ୍ଥାବଳୀକୁ ଆଠଖଣ୍ଡ ଭାଗରେ ସଂପାଦନା କରି ବିଶେଷ ଚର୍ଚ୍ଚାକୁ ଆସିଥିଲେ। ରାଉରକେଲାସ୍ଥିତ ପ୍ରଗତି ଉତ୍କଳ ସଂଘର ପ୍ରକାଶନଗୁଡ଼ିକର ରଚନା ଓ ସମ୍ପାଦନାରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।
(ପ୍ରକାଶିତ: ୨୩ ଜୁଲାଇ, ୨୦୨୬)
ଆଡ଼ପ ବିଜେ ଅବସରରେ ମହାପ୍ରଭୁଙ୍କୁ ଅର୍ପିତ ହେଲା ଭକ୍ତିକବିତାର ନୈବେଦ୍ୟ

ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିରରେ ତିନି ଦିଅଁଙ୍କର ପବିତ୍ର ଆଡ଼ପ ବିଜେ ଅବସରରେ ଜୁଲାଇ ୨୧ ତାରିଖରେ ଶ୍ରୀକ୍ଷେତ୍ରରେ ଏକ ଅନନ୍ୟ ଆଡ଼ପ କବିତା ଆସର ଓ ସାରସ୍ବତ ସଭା ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ଲେଖକ ସହଯୋଗ ସମିତି ଓ ବିଶ୍ବମୁକ୍ତି ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଦୀର୍ଘ ୩୯ ବର୍ଷ ଧରି ପ୍ରତି ବର୍ଷ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚାବିଜେ ଉପଲକ୍ଷେ ଭକ୍ତି କବିତାପାଠର ଏହି ଆସର ଆୟୋଜିତ ହୋଇଆସୁଛି। ଏହି ଅବସରରେ ମହାପ୍ରଭୁଙ୍କ ଶ୍ରୀଚରଣରେ ଭକ୍ତିରସ ଭରା କବିତାମାଲ୍ୟ ଅର୍ପଣ କରି ଶବ୍ଦ ଓ ଭାବର ଘୋଷଯାତ୍ରାକୁ ସାକାର କରିବା ପାଇଁ ସେଦିନ ପୁରୀଠାରେ ଥିବା ଭକ୍ତ ସାଲବେଗ ସମାଧି ପୀଠରେ ଏକତ୍ରିତ ହୋଇଥିଲେ ପ୍ରାୟ ଚାଳିଶ ଜଣ ସାହିତ୍ୟସାଧକ।
ପ୍ରଥମ ଅଧିବେଶନରେ ସମବେତ ହୋଇଥିବା କବି ଓ କବୟିତ୍ରୀମାନେ ସ୍ବରଚିତ କବିତା ପାଠ କରିଥିଲେ। ଆସରରେ ପରିବେଷିତ ସମସ୍ତ କବିତା ଅନୁପମ ଭକ୍ତିରସରେ ନିମଜ୍ଜିତ ଥିଲା। ଦ୍ବିତୀୟ ଅଧିବେଶନରେ ଅନୁଷ୍ଠିତ ହୋଇଥିବା ଆଲୋଚନା ସଭାରେ ଅଧ୍ୟକ୍ଷତା କରିଥିଲେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଟିକାୟତରାୟ ଏବଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ କବି ତଥା ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ। ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବରେ ଯଥାକ୍ରମେ ଶଶାଙ୍କ ଶେଖର ଚୂଡ଼ାମଣି ଓ ରକ୍ଷକ ନାୟକ ମଧ୍ୟ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ବୀରେନ୍ଦ୍ର ମହାନ୍ତି ସଭାଟିର ପରିଚାଳନା କରିଥିଲେ ଏବଂ ହେମନ୍ତ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ‘ବିଶ୍ବମୁକ୍ତି’ ପତ୍ରିକାର ରଥଯାତ୍ରା ସ୍ବତନ୍ତ୍ର ସଂଖ୍ୟାର ଉନ୍ମୋଚନ ମଧ୍ୟ କରାଯାଇଥିଲା।
(ପ୍ରକାଶିତ: ୨୩ ଜୁଲାଇ, ୨୦୨୬)
ପାରାଦୀପରେ ଓଡ଼ିଆ ଲେଖକ ସମ୍ମିଳନୀର ଆୟୋଜନ କଲା କେନ୍ଦ୍ର ସାହିତ୍ୟ ଏକାଡେମୀ

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଜୁଲାଇ ୫ ତାରିଖ ଦିନ ପ୍ରିୟବନ୍ଧୁ ସାହିତ୍ୟ ଏକାଡେମୀର ସହଭାଗିତାରେ ପାରାଦୀପର ଅଫିସର୍ସ କ୍ଲବରେ ଓଡ଼ିଆ ଲେଖକମାନଙ୍କର ଏକ ମନୋଜ୍ଞ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଥିବା ଏହାର ପ୍ରଥମ ଅଧିବେଶନରେ ଉଦ୍ଘାଟକ ଭାବରେ ଯୋଗଦେଇ ବିଶିଷ୍ଟ ଲେଖିକା ପାରମିତା ଶତପଥୀ କହିଲେ ଯେ ମାନବ ସମାଜରେ ଥିବା ଦୁଃଖ, ଶୋକ ଓ ଅସହାୟତାର ଯନ୍ତ୍ରଣାକୁ ଲାଘବ କରିବାପାଇଁ ସାହିତ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏହି ସଭାରେ ଅଧ୍ୟକ୍ଷତା କରି ସାହିତ୍ୟ ଏକାଡେମୀର ଉପଦେଷ୍ଟା ପରିଷଦର ଆବାହକ ଗୌରହରି ଦାସ କହିଲେ ଯେ ଜୀବଜଗତର ରହସ୍ୟ ଭେଦ କରିବା ପାଇଁ ସାହିତ୍ୟ ହେଉଛି ଏକ ମନୋରମ ସାଧନ। ସାହିତ୍ୟ ଏକାଡେମୀର ପୂର୍ବାଞ୍ଚଳ ସଚିବ ଦେବେନ୍ଦ୍ର କୁମାର ସ୍ବାଗତ ଭାଷଣ ଦେଇଥିଲେ। ସ୍ଥାନୀୟ ପ୍ରିୟବନ୍ଧୁ ସାହିତ୍ୟ ଏକାଡେମୀର ସଭାପତି ରଘୁନାଥ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ କବି ପୀତାମ୍ବର ତରାଇ। ଏହି ସଭାରେ ପ୍ରାୟ ଶତାଧିକ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ।
ଦ୍ବିତୀୟ ଓ ତୃତୀୟ ଅଧିବେଶନରେ ବିଷ୍ଣୁ ସାହୁଙ୍କ ଅଧ୍ୟକ୍ଷତାରେ ଗଳ୍ପ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ଚନ୍ଦ୍ରଶେଖର ହୋତା, ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ରାଜୀବ ଷଡ଼ଙ୍ଗୀ, ଉପସଭାପତି ବ୍ରହ୍ମାନନ୍ଦ ବିଶ୍ବାଳ, କବି ପୀତାମ୍ବର ତରାଇ, ଗାଳ୍ପିକ ଅରବିନ୍ଦ ରାୟ ଓ ବିଷ୍ଣୁ ସାହୁ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ଅତିଥିମାନେ ସାମୂହିକ ଭାବରେ ପାରାଦୀପ ବନ୍ଦର ପରିଭ୍ରମଣ କରିଥିଲେ।
ଏହାର ପୂର୍ବ ଦିନ ପ୍ରିୟବନ୍ଧୁ ସାହିତ୍ୟ ଏକାଡେମୀ ଦ୍ବାରା ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ କଥାକାର ରଘୁନାଥ ସାହୁଙ୍କର ଗଳ୍ପ ପୁସ୍ତକ ‘ବାପାଙ୍କ କାନ୍ଧ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ସେହି ଅବସରରେ ଗୌରହରି ଦାସ, ଦେବେନ୍ଦ୍ର କୁମାର ଦେବେଶ, ପୀତାମ୍ବର ତରାଇ, ଅରବିନ୍ଦ ରାୟ, ରାଜୀବ କୁମାର ଷଡ଼ଙ୍ଗୀ, ବ୍ରହ୍ମାନନ୍ଦ ବିଶ୍ବାଳ ଓ ବିଷ୍ଣୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
(ପ୍ରକାଶିତ: ୬ ଜୁଲାଇ, ୨୦୨୬)
ଓଡ଼ିଶା ସରକାର ଛପାଇ ବାଣ୍ଟିବେ ଏକ କୋଟି ସଂଖ୍ୟକ ଲକ୍ଷ୍ମୀ ପୁରାଣ ବହି

ଏବେ ସ୍କୁଲ୍ ପିଲାଙ୍କର ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ କୋଟି କୋଟି ସଂଖ୍ୟାରେ ଛପାଇ ଅଡ଼ୁଆରେ ପଡ଼ିଥିବା ରାଜ୍ୟ ସରକାର, ଓଡ଼ିଆ ଲକ୍ଷ୍ମୀ ପୁରାଣ ବହିର ଏକ କୋଟି କପି ଛପାଇ ବାଣ୍ଟିବେ ବୋଲି କହି ଆଉ ଏକ ବିବାଦକୁ ଆମନ୍ତ୍ରଣ କରିଛନ୍ତି। ଜୁଲାଇ ଦୁଇ ତାରିଖ ଦିନ ଭୁବନେଶ୍ବରଠାରେ ଆୟୋଜିତ ‘ଶକ୍ତି ବନ୍ଦନାର ମହାଗାଥା – ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ’ ଶୀର୍ଷକ ଗୋଟିଏ ସଭାରେ ଏହି ତ୍ୱରିତ ଘୋଷଣାଟି କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଲେଖକ ଓ ସ୍ତମ୍ଭକାର ଅସିତ ମହାନ୍ତି, ବରିଷ୍ଠ ଗବେଷକ ଗୌରାଙ୍ଗ ଚରଣ ଦାଶ, ସୁବିଦିତ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଓ ଗୀତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
୧୫ଶ ଶତାବ୍ଦୀର ଆଦ୍ୟ ଭାଗରେ ସନ୍ଥକବି ବଳରାମ ଦାସଙ୍କ ଦ୍ବାରା ଲକ୍ଷ୍ମୀ ପୁରାଣ ରଚିତ ହେବାପରେ ଗତ ପାଞ୍ଚ ଶହ ବର୍ଷ ମଧ୍ୟରେ ବିଭିନ୍ନ ପୋଥି ମଧ୍ୟ ଦେଇ ଏହାର ପ୍ରଚାର ଓ ପ୍ରସାର ଘଟିଥିଲା ଏବଂ ଘରେ ଘରେ ଆଦୃତ ହୋଇ ଏହା ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଜୀବନ ସହିତ ନିବିଡ଼ ଭାବରେ ଜଡ଼ିତ ହୋଇ ରହିଛି। ଏହି ଦୀର୍ଘ କାଳ ଭିତରେ ବଳରାମ ଦାସଙ୍କ ରଚିତ ମୂଳ ଲକ୍ଷ୍ମୀ ପୁରାଣର ଭିନ୍ନ ଭିନ୍ନ ରୂପ ମଧ୍ୟ ଜନସାଧାରଣଙ୍କ ସାମନାକୁ ଆସିଛି। ଏବେ ବଜାରରେ ମିଳୁଥିବା ଲକ୍ଷ୍ମୀପୁରାଣର ବିଭିନ୍ନ ରକମ ଚଟି ବହିର ପରସ୍ପର ମଧ୍ୟରେ କିଛି ନା କିଛି ଫରକ ଥିବାର ଦେଖାଯାଉଛି। ସେଥି ମଧ୍ୟରୁ ଧର୍ମଗ୍ରନ୍ଥ ଷ୍ଟୋର ଦ୍ବାରା ପ୍ରକାଶିତ ଗୋଟିଏ ସଂସ୍କରଣ ବହୁଳ ଭାବରେ ବିକ୍ରୀ ହୋଇ ଘରେ ଘରେ ପହଞ୍ଚିସାରିଛି। ବିଶେଷତଃ ନମିତା ଅଗ୍ରଓ୍ବାଲ ଓ ଗୀତା ଦାଶଙ୍କ ଦ୍ବାରା ଏହା ମଧ୍ୟ ଏକ ଗୀତ ଆକାରରେ ରେକର୍ଡ ହୋଇ ଏବେ ମାଣବସା ଗୁରୁବାର ଦିନ ମହାଲକ୍ଷ୍ମୀ ବ୍ରତ ଅବସରରେ ଅଧିକାଂଶ ଓଡ଼ିଆଙ୍କ ଘରେ ବାଜୁଛି। କିନ୍ତୁ କିଛି ବର୍ଷ ତଳେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ବହିର ଏକ ଭିନ୍ନ ରୂପ ପ୍ରକାଶ ପାଇଥିଲା। ଏହାର ସମ୍ପାଦନା କରିଥିଲେ ସ୍ବର୍ଗତ ସୁଦର୍ଶନ ଆଚାର୍ଯ୍ୟ, ଗୌରାଙ୍ଗ ଚରଣ ଦାଶ ଓ ଭାଗ୍ୟଲିପି ମଲ୍ଲ। ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ ଲକ୍ଷ୍ମୀ ପୁରାଣର ଏହି ସଂସ୍କରଣଟି ବର୍ତ୍ତମାନ ସୁଦ୍ଧା ଓଡ଼ିଆ ଜନମାନସରେ ଗ୍ରହଣୀୟ ହୋଇପାରିନାହିଁ। ବରଂ ଏଥିର ମୁଖବନ୍ଧରେ ଏବେ ଓଡ଼ିଶାର ବଜାରରେ ଉପଲବ୍ଧ ଥିବା ବିଭିନ୍ନ ପ୍ରକାର ଲକ୍ଷ୍ମୀ ପୁରାଣକୁ ‘ବଜାରୀ ସଂସ୍କରଣ’ ବୋଲି ଆଖ୍ୟା ଦିଆଯାଇଥିବାରୁ ଏହାକୁ ନିନ୍ଦାକରି ବିଖ୍ୟାତ ଭାଷା ଗବେଷକ ସ୍ବର୍ଗତ ଗଗନେନ୍ଦ୍ର ନାଥ ଦାଶ ଗୋଟିଏ ପ୍ରବନ୍ଧ ଲେଖିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ ଏହି ବିବାଦୀୟ ବହିର ଗୋଟିଏ ଅଂଶକୁ ରାଜ୍ୟ ସରକାର ବର୍ତ୍ତମାନ ବହୁ ସଂଖ୍ୟାରେ ଛପାଇ ବାଣ୍ଟିବେ ବୋଲି ଜଣାଯାଇଛି। ଏହା ବ୍ୟତୀତ ସନ୍ଥକବି ବଳରାମ ଦାସଙ୍କ ସମାଧି ପୀଠରେ ଏକ ‘ଲକ୍ଷ୍ମୀ ପୁରାଣ କରିଡର୍’ ନିର୍ମାଣ ହେବ ବୋଲି ମଧ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ସରକାରଙ୍କ ଦ୍ବାରା ପ୍ରକାଶିତ ହେବାକୁ ଥିବା ଲକ୍ଷ୍ମୀପୁରାଣର ସମ୍ପାଦିତ ରୂପଟି ପୁଣି ନମିତା ଅଗ୍ରଓ୍ବାଲ ଓ ଗୀତା ଦାଶଙ୍କ କଣ୍ଠରେ ରେକର୍ଡ ହୋଇ ଲୋକାର୍ପିତ ହେବ ବୋଲି ଜୁଲାଇ ଦୁଇ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ସଭାରେ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଘୋଷଣା କରିଛନ୍ତି ବିଶିଷ୍ଟ ପ୍ରଯୋଜକ ସୀତାରାମ ଅଗ୍ରଓ୍ବାଲ।
ଏଣେ ଉପମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବାପରେ ରାଜ୍ୟର ଅନେକ ବୁଦ୍ଧିଜୀବୀ ଓ ସାହିତ୍ୟିକ ଏହାକୁ ନାପସନ୍ଦ କରିଛନ୍ତି। ଏହି ଦୃଷ୍ଟିରୁ ସରକାରୀ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରି କୋଟିଏ ସଂଖ୍ୟକ ଲକ୍ଷ୍ମୀ ପୁରାଣ ବହି ଛପାଇବା ପ୍ରସ୍ତାବଟି କାର୍ଯ୍ୟକାରୀ ହେଲେ ରାଜ୍ୟ ସରକାର ଏକ ହରଡ଼ଘଣାରେ ପଡ଼ିବାର ସମ୍ଭାବନା ରହିଛି।
(ପ୍ରକାଶିତ: ୩ ଜୁଲାଇ, ୨୦୨୬)
ଓଡ଼ିଶା ସାହିତ୍ୟ ଏକାଡେମୀ ପାଳନ କଲା ‘ସମ୍ବିଧାନ ହତ୍ୟା ଦିବସ’

ଓଡ଼ିଶା ସାହିତ୍ୟ ଏକାଡେମୀ ନିଜର ମୂଳ ଆଭିମୁଖ୍ୟ, ଅର୍ଥାତ୍ ଓଡ଼ିଆ ସାହିତ୍ୟର ସେବା ଓ ସମୃଦ୍ଧିରୁ ବିଚ୍ୟୁତ ହୋଇ ବର୍ତ୍ତମାନ ରାଜନୈତିକ ବିଚାରଧାରା ଉପରେ ଆଧାରିତ ସଭାସମିତିଗୁଡ଼ିକରେ ମନୋନିବେଶ କରିବା ଦେଖାଦେଇଛି। ଜୁନ୍ ୨୫ ତାରିଖ ଦିନ ଓଡ଼ିଶା ସାହିତ୍ୟ ଏକାଡେମୀ ରାଜ୍ୟ ସଂଗ୍ରହାଳୟର ମିଳିତ ସହଯୋଗରେ ପାଳନ କରିଛି ‘ସମ୍ଵିଧାନ ହତ୍ୟା ଦିବସ’।
ଏହି ଉପଲକ୍ଷେ ସଭାର ମଞ୍ଚମଣ୍ଡନ କରିବା ପାଇଁ ଯେଉଁମାନଙ୍କ ନାମ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଥିଲା, ସେମାନଙ୍କ ମଧ୍ୟରେ ଥିଲେ ବିଶିଷ୍ଟ ସାହିତ୍ୟିକ ଓ ସମାଜସେବୀ ଜଗଦୀଶ ପଟ୍ଟନାୟକ, ସୁଲେଖକ ସରୋଜ ମିତ୍ର, ପ୍ରାକ୍ତନ କମିଶନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଶିଷ୍ଟ ସାହିତ୍ୟିକ ଭୁବନାନନ୍ଦ ତ୍ରିପାଠୀ, ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାରତୀ ପାଲ, ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଧର ଦାଶ, ପ୍ରଫେସର ଅରୁଣ କୁମାର ଦାଶ, ସଂସ୍କୃତି ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାସ ତଥା ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା।
ତେବେ ୧୯୭୫ ମସିହା ଜୁନ୍ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ଵାରା ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ବିରୋଧ ଏକ ରାଜନୈତିକ ପ୍ରସଙ୍ଗ ହୋଇଥିବା ସତ୍ତ୍ବେ ରାଜ୍ୟ ସରକାର କାହିଁକି ଏହାକୁ ଓଡ଼ିଶା ସାହିତ୍ୟ ଏକାଡେମୀର ବ୍ୟାନର୍ରେ ପାଳନ କରିବାକୁ ନିଷ୍ପତ୍ତି ନେଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣେ ଓଡ଼ିଶା ସାହିତ୍ୟ ଏକାଡେମୀ ମଧ୍ୟ ଗତ କିଛି ବର୍ଷ ହେଲା ସ୍ବୟଂ ନିଜର ସମ୍ବିଧାନକୁ ଜଳାଞ୍ଜଳି ଦେଇସାରିଲାଣି। ଏକାଡେମୀର ସାଧାରଣ ପରିଷଦର କାର୍ଯ୍ୟକାଳ ୨୦୨୩ ମସିହାରୁ ଶେଷ ହୋଇଥିଲେ ହେଁ, ଅନୁଷ୍ଠାନର ସମ୍ବିଧାନ ଅନୁସାରେ ନୂତନ ସାଧାରଣ ପରିଷଦର ଗଠନ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିପରି ୨୦୨୪ ମସିହାରୁ ସଭାପତି ଓ ଉପସଭାପତିଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ହେଁ ନୂତନ ପଦାଧିକାରୀମାନଙ୍କୁ ନିଯୁକ୍ତ କରାଯାଇନାହିଁ। ଫଳରେ ଏକାଡେମୀର କେତେକ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି।
ଏଣେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ଏବେ ଏହି ରାଜନୈତିକ ପ୍ରକୃତିର ସଭାଟି ଆୟୋଜିତ ହୋଇଥିବାରୁ ସାମାଜିକ ଗଣମାଧ୍ୟମରେ ଅନେକ ଲେଖକ ଓ ସାହିତ୍ୟପ୍ରେମୀ ଏଥିନେଇ କ୍ଷୋଭ ପ୍ରକାଶ କରିଛନ୍ତି।
(ପ୍ରକାଶିତ: ୨୫ ଜୁନ୍, ୨୦୨୬)
ଦୁଇ ବର୍ଷ ତଳେ ଓଡ଼ିଆ ସାହିତ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଏବେ ପାଣିର ଗାର

ଆଜି ଯେତେବେଳେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତିର ଉତ୍ସବ ପାଳନ କରାଯାଉଛି, ଦୁଇ ବର୍ଷ ତଳେ ନିର୍ବାଚନରେ ବିଜୟୀ ହୋଇ କ୍ଷମତାକୁ ଆସିବା ପରେ ପ୍ରଥମ ଦିନ ହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରସଙ୍ଗରେ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକ ଏବେ ସୁଦ୍ଧା ପାଳନ କରାଯାଇନାହିଁ। ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ନେବାପରେ ଯେତେବେଳେ ସେ ଲୋକସେବା ଭବନରେ ତାଙ୍କର ନବନିର୍ମିତ କୋଠରୀ ଭିତରକୁ ପ୍ରଥମ ଥର ପାଇଁ ପ୍ରବେଶ କଲେ, ସେହିଦିନ ପ୍ରଥମ କରି ସେ ଯେଉଁ ଘୋଷଣାଗୁଡ଼ିକ କରିଥିଲେ ସେଥିର ଶୀର୍ଷରେ ସ୍ଥାନ ପାଇଥିଲା ଓଡ଼ିଆ ଭାଷା ଓ ସାହିତ୍ୟର ବିଷୟ। ସେଦିନ ସେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଯେ ଓଡ଼ିଆ ସାହିତ୍ୟର ସୃଷ୍ଟିଗୁଡ଼ିକୁ ଅନ୍ୟ ଭାଷାଭାଷୀଙ୍କ ମଧ୍ୟରେ ପ୍ରସାର କରିବା ପାଇଁ ଭୁବନେଶ୍ବରରେ ସରକାରଙ୍କ ଦ୍ବାରା ଗୋଟିଏ ‘ଅନୁବାଦ ଏକାଡେମୀ’ ସ୍ଥାପନ କରାଯିବ। ଏହା ବ୍ୟତୀତ ସାହିତ୍ୟ ସମ୍ପର୍କିତ ତାଙ୍କର ଅନ୍ୟ ଘୋଷଣାଗୁଡ଼ିକ ମଧ୍ୟରେ ଥିଲା ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ ଏବଂ ଓଡ଼ିଆ ଭାଷାର ଉନ୍ନତି ପାଇଁ ଏକ ଭାଷା କମିଶନ୍ର ଗଠନ। କିନ୍ତୁ ଇତି ମଧ୍ୟରେ ଦୁଇ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ସେଥିମଧ୍ୟରୁ କୌଣସିଟି ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇନାହିଁ।
ଦୁଇ ବର୍ଷ ତଳେ ନିଜର କାର୍ଯ୍ୟାଳୟ ପ୍ରବେଶ ଉପଲକ୍ଷେ ମୁଖ୍ୟମନ୍ତ୍ରୀ କରିଥିବା ଏହି ଘୋଷଣାଗୁଡ଼ିକ ସେତେବେଳେ ରାଜ୍ୟ ଓ ଦେଶର ବିଭିନ୍ନ ଖବରକାଗଜ ତଥା ଅନ୍ୟାନ୍ୟ ଗଣମାଧ୍ୟମରେ ବଡ଼ ବଡ଼ ଶିରୋନାମାରେ ପ୍ରକାଶିତ ହୋଇଥିଲା ଯାହାକୁ ଦେଖି ରାଜ୍ୟର ଭାଷା ଓ ସାହିତ୍ୟପ୍ରେମୀଗଣ ଅନ୍ତତଃ ଆଶ୍ବସ୍ତ ହୋଇଥିଲେ ଯେ ଓଡ଼ିଆ ଅସ୍ମିତାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ଏହି ନୂଆ ସରକାର ନିଶ୍ଚିତ ଭାବରେ ନିଜର ଏହି ପ୍ରତିଶ୍ରୁତି ରକ୍ଷା କରିବେ। କିନ୍ତୁ ଏହି ଘୋଷଣା ଯେ କେବଳ ପାଣିର ଗାର ଥିଲା, ତାହା ଏବେ ଜଳଜଳ ହୋଇ ଦିଶୁଛି। ନା ସ୍ଥାପନ କରାଯାଇଛି ଅନୁବାଦ ଏକାଡେମୀ, ନା ହୋଇଛି ଓଡ଼ିଶା ସାହିତ୍ୟ ଏକାଡେମୀ ବା ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ, ନା ସ୍ଥାପନ କରାଯାଇପାରିଛି ଭାଷା କମିଶନ୍। ଏଥିରୁ ଯାହା ଜଣାପଡ଼େ, ଆମର ଭାଷା ଓ ସାହିତ୍ୟର ସମସ୍ୟାବଳୀ ଏବେ ରାଜ୍ୟ ସରକାରଙ୍କ ପ୍ରାଥମିକତାରେ ନାହିଁ।
(ପ୍ରକାଶିତ: ୧୮ ଜୁନ୍, ୨୦୨୬)
ଜଗନ୍ନାଥ ପ୍ରସାଦଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣକଲା ପୋଏଟ୍ରି ସୋସାଇଟି ଅଫ୍ ଇଣ୍ଡିଆ

ଭାରତୀୟ କବିତା ଜଗତର ସୁପ୍ରସିଦ୍ଧ ଅନୁଷ୍ଠାନ ‘ପୋଏଟ୍ରି ସୋସାଇଟି ଅଫ୍ ଇଣ୍ଡିଆ’ ପକ୍ଷରୁ ଜୁନ୍ ୧୧ ତାରିଖ ଦିନ ଆୟୋଜିତ ଏକ ଆଭାସୀ ସଭାରେ ଦିବଂଗତ କବି ଜଗନ୍ନାଥ ପ୍ରସାଦ ଦାସଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପ୍ରକାଶ ଥାଉ କି ଏକଦା ଦୀର୍ଘ ୧୪ ବର୍ଷ ଧରି କବି ଜଗନ୍ନାଥ ପ୍ରସାଦ ଦାସ ଏହି ସର୍ବଭାରତୀୟ ସାରସ୍ବତ ଅନୁଷ୍ଠାନର ସଭାପତି ଭାବରେ ଦାୟିତ୍ବ ନିର୍ବାହ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପୋଏଟ୍ରି ସୋସାଇଟି ଅଫ୍ ଇଣ୍ଡିଆର ସଭାପତି କେ.ଜୟକୁମାର, ଉପସଭାପତି ଲକ୍ଷ୍ମୀ କାନନ ଓ କାର୍ଯ୍ୟକାରୀ ସଦସ୍ୟଗଣ ଟି.ପି.ଏସ୍ ରଚନା ଯୋଶୀ ତଥା ସଂଜୁଳା ଶର୍ମା ପରଲୋକଗତ କବିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ବିଶିଷ୍ଟ ଓଡ଼ିଆ ସାରସ୍ବତ ସ୍ରଷ୍ଟା ସୁମନ୍ୟୁ ଶତପଥୀ, ଅମରେନ୍ଦ୍ର ଖଟୁଆ, ଯତିନ ଦାସ ଓ ଜୟଶ୍ରୀ ମିଶ୍ର ତ୍ରିପାଠୀ ମଧ୍ୟ ଏହି ଅବସରରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ଉଷା ମୁଜୋ ମୁନ୍ସି ଓ ସବିତା ସିଂହ ପ୍ରମୁଖ ଜଗନ୍ନାଥ ପ୍ରସାଦ ଦାସଙ୍କ ଅମର ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମଟିର ପରିଚାଳନା କରିଥିଲେ ଅନୁଷ୍ଠାନର ସମ୍ପାଦିକା ମନ୍ଦିରା ଘୋଷ। ଏହି ଅବସରରେ ଜଗନ୍ନାଥ ପ୍ରସାଦ ଦାସଙ୍କର କେତେକ କାଳଜୟୀ କୃତିର କିଛି ଅଂଶ ମଧ୍ୟ ପାଠ କରାଯାଇଥିଲା।
(ପ୍ରକାଶିତ: ୧୧ ଜୁନ୍, ୨୦୨୬)
ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ନୂଆ ଡିଜିଟାଲ ରୂପ ଦେବାରେ ସାନୁଜିତ ପୁହାଣଙ୍କ ଅପୂର୍ବ ସଫଳତା

ପୂର୍ଣ୍ଣଚନ୍ଦ୍ର ଚନ୍ଦ୍ର ଭାଷାକୋଷ ଓଡ଼ିଆ ଶବ୍ଦ ଭଣ୍ଡାରର ଏକ ପ୍ରାମାଣିକ ଗ୍ରନ୍ଥ ଭାବରେ ସମସ୍ତ ଓଡ଼ିଆ ଭାଷାପ୍ରେମୀଙ୍କ ପାଇଁ ବେଶ୍ ଉପଯୋଗୀ ହୋଇପାରିଛି। ଆମ ଭାଷା ଓ ସାହିତ୍ୟର ସୁବିଖ୍ୟାତ ସାଧକ ଗୋପାଳ ଚନ୍ଦ୍ର ପ୍ରହରାଜ ୩୦ରୁ ଅଧିକ ବର୍ଷକାଳ ନିଜର ପ୍ରୟାସ ବଳରେ ପ୍ରାୟ ୯୦ ବର୍ଷ ତଳେ ୧,୮୫,୦୦୦ ଶବ୍ଦ ବିଶିଷ୍ଟ ଏହି ବିଶାଳ ଭାଷାକୋଷର ସଂକଳନ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଭାଷାକୋଷକୁ ଇଣ୍ଟରନେଟ୍ ଜରିଆରେ ଘରେଘରେ ପହଞ୍ଚାଇବା ପାଇଁ ବରିଷ୍ଠ ବୈଜ୍ଞାନିକ ଓ ଭାଷାପ୍ରେମୀ ନିଖିଳ ମୋହନ ପଟ୍ଟନାୟକଙ୍କ ନେତୃତ୍ବରେ ପରିଚାଳିତ ‘ସୃଜନିକା’ ଅନୁଷ୍ଠାନ ତଥା ଆମେରିକାସ୍ଥିତ ଚିକାଗୋ ବିଶ୍ୱବିଦ୍ୟାଳୟର ବିଶେଷ ଭୂମିକା ରହିଛି। ଏଥିନିମନ୍ତେ ‘ସୃଜନିକା’କୁ ବୈଷୟିକ ଜ୍ଞାନ କୌଶଳ ଯୋଗାଇଦେଇ ଓଡ଼ିଆ ଜାତିର ଏହି ବହୁ ଉପଯୋଗୀ କାର୍ଯ୍ୟଟିକୁ ସଫଳ କରିବାକୁ ସ୍ବେଚ୍ଛାରେ ଆଗେଇ ଆସିଛନ୍ତି ସ୍ବିଡେନ୍ ଦେଶର ଅଗ୍ରଣୀ ସଫ୍ଟଓୟାର୍ ଇଂଜିନିୟର ସାନୁଜିତ୍ ପୁହାଣ।
ଜଣେ ଦକ୍ଷ ସଫ୍ଟଓୟାର୍ ଇଂଜିନିୟର ଭାବରେ ୟୁରୋପର ଅନେକ ଦେଶରେ କାର୍ଯ୍ୟ କରିଥିବା ସାନୁଜିତ ପୁହାଣ ଓଡ଼ିଆ ଭାଷାର ଅନଲାଇନ୍ ଉପସ୍ଥିତି ସମ୍ଭବ କରାଇବାର ବ୍ରତରେ ନିଜକୁ ସମର୍ପଣ କରିଛନ୍ତି। ସେ ଏବେ ଗୁଗୁଲ୍ କ୍ରୋମ୍ ବ୍ରାଉଜର ସହିତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଯୋଡ଼ିବାର ସୁବିଧା ଲାଗୁ କରିପାରିଛନ୍ତି। ଏହା ଫଳରେ ବର୍ତ୍ତମାନ କେହି ଚାହିଲେ ଗୁଗୁଲ୍ ଓ୍ବେବ୍ ବ୍ରାଉଜରରେ ଏହି ଭାଷାକୋଷକୁ ସଂଯୋଗ କରି ଯେ କୌଣସି ଓ୍ବେବ୍ସାଇଟ୍ରେ ଓଡ଼ିଆ ଶବ୍ଦ ଥିଲେ ତାହାର ଅର୍ଥ ସହଜରେ ଜାଣିପାରିବେ। ଏହା ପୂର୍ବରୁ ୨୦୨୪ ମସିହାରେ ସାନୁଜିତ ପୁହାଣ ଓଡ଼ିଆ ଭାଷାକୋଷର ସୁଚାରୁ ବ୍ୟବହାର ପାଇଁ ଏକ ‘ଆପ୍’ ମଧ୍ୟ ପ୍ରସ୍ତୁତ କରିଥିଲେ। ବର୍ତ୍ତମାନ ସେ ଓଡ଼ିଆ ଭାଷାରେ ଓ.ସି.ଆର୍ (ଅପ୍ଟିକାଲ୍ କାରାକ୍ଟର ରିଡିଂ)ର ସୁବିଧା ବିକଶିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ‘ସୃଜନିକା’ ଅନୁଷ୍ଠାନରେ ଶ୍ରୀ ପୁହାଣଙ୍କ ବୈଷୟିକ ସହଯୋଗ ସହିତ ଓଡ଼ିଆ ଭାଷାର ଡିଜିଟାଇଜେସନ୍ ଅଭିଯାନରେ ସାମିଲ ଅଛନ୍ତି ନିଖିଳ ମୋହନ ପଟ୍ଟନାୟକ, ତାଙ୍କର ସହଧର୍ମିଣୀ ପୁଷ୍ପଶ୍ରୀ ପଟ୍ଟନାୟକ, ଜୀବନ ପଣ୍ଡା, ଅଜିତ କୁମାର ନାୟକ ତଥା ଟିମ୍ର ଅନ୍ୟ ସଦସ୍ୟମାନେ।
(ପ୍ରକାଶିତ: ୨୭ ମଇ, ୨୦୨୬)
ଓଡ଼ିଆ ପକ୍ଷର ଅନ୍ୟତମ ଧୂଆଁବାଣ: ଓଡ଼ିଆରେ ନାମଫଳକ ଲେଖା ଅଭିଯାନ

ରାଜ୍ୟ ସରକାର ଘୋଷଣା କରିଥିବା ୧୫-ଦିନିଆ ତଥାକଥିତ ‘ଓଡ଼ିଆ ପକ୍ଷ’ କାର୍ଯ୍ୟକ୍ରମର ଚତୁର୍ଥ ଦିବସ ଅର୍ଥାତ୍ ଏପ୍ରିଲ ୪ ତାରିଖରେ ପାଳନ କରାଯାଉଛି ‘ଓଡ଼ିଆରେ ନାମଫଳକ ଲେଖା ଅଭିଯାନ’। କିନ୍ତୁ ତଳେଇ କରି ଦେଖିଲେ ଜଣାଯାଏ ଯେ ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ନାମଫଳକରେ ଇଂରାଜୀ ଓ ହିନ୍ଦୀ ଭଳି ଭାଷାଗୁଡ଼ିକ ବ୍ୟତୀତ ଓଡ଼ିଆ ଭାଷାରେ ମଧ୍ୟ ସମ୍ମାନଜନକ ଭାବରେ ଲେଖାଯିବା ପାଇଁ ବିହିତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କର କୌଣସି ଆନ୍ତରିକତା ନାହିଁ। କେବଳ ସଭାସମିତି, ପ୍ରଚାର, ଉତ୍ସବ ତଥା ଓଡ଼ିଆ ପକ୍ଷ ନାମରେ ପ୍ରଚୁର ଅର୍ଥଶ୍ରାଦ୍ଧ ଭିତରେ ହିଁ ସୀମିତ ହୋଇ ରହିଛି ଏହି ନାମଫଳକ ଅଭିଯାନ। ‘ଓଡ଼ିଶା ସପ୍ସ୍ ଆଣ୍ଡ୍ କମର୍ସିଆଲ୍ ଏଷ୍ଟାବ୍ଲିସ୍ମେଣ୍ଟ ଆକ୍କ,୧୯୫୬’ ଅନୁସାରେ ଓଡ଼ିଶାର ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାକୁ ଉପଯୁକ୍ତ ଭାବରେ ପ୍ରୟୋଗ କରାଯିବା ହେଉଛି ବାଧ୍ୟତାମୂଳକ। କିନ୍ତୁ କେବଳ ଘୋଷଣା ପରେ ଘୋଷଣା ହୋଇଚାଲିଛି ସିନା, ଏହି ଆଇନକୁ କାର୍ଯ୍ୟରେ ପରିଣତ କରିବାକୁ ସରକାରଙ୍କ କୌଣସି ଆନ୍ତରିକତା ଥିବାର ଦିଶୁନାହିଁ। ରାଜ୍ୟର ବିଭିନ୍ନ ସହର, ଏପରିକି ଖୋଦ୍ ରାଜଧାନୀ ଭୁବନେଶ୍ବରର ବଜାରଘାଟରେ ଆଖି ବୁଲାଇଆଣିଲେ ଯେ କେହି ଜାଣିପାରିବେ ଯେ ସେଠାର ଅର୍ଦ୍ଧାଧିକ ନାମଫଳକରେ ଓଡ଼ିଆ ଭାଷାର ଉପସ୍ଥିତି ନାହିଁ। ସେହି ଖିଲାପକାରୀଙ୍କ ବିରୋଧରେ ଶାସ୍ତିବିଧାନ ପାଇଁ କେବଳ ମଝି ମଝିରେ ବିବୃତି ଦିଆଯାଉଛି ସିନା, ବାସ୍ତବରେ ଏଥିପାଇଁ କିଛି ପଦକ୍ଷେପ ନିଆଯାଇନାହିଁ।
ଆଜିକୁ ଏକ ବର୍ଷ ତଳେ, ୨୦୨୫ ମସିହାର ଏପ୍ରିଲ୍ ମାସରେ ଯେତେବେଳେ ସରକାରଙ୍କ ପକ୍ଷରୁ ଏହିଭଳି ‘ଓଡ଼ିଆ ପକ୍ଷ’ ପାଳନ କରାଯାଉଥିଲା, ସେତେବେଳେ ଓଡ଼ିଶାର ଶ୍ରମ ବିଭାଗୀୟ ମନ୍ତ୍ରୀ ଜନସାଧାରଣଙ୍କୁ କେବଳ ନିବେଦନ ମାତ୍ର କରିଥିଲେ ଯେ ସେମାନେ ନାମଫଳକରେ ଓଡ଼ିଆ ଭାଷାର ପ୍ରୟୋଗ କରନ୍ତୁ। କିନ୍ତୁ ଏହାର ଖିଲାପ କରୁଥିବା କେତେଜଣ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦଣ୍ଡ ବିଧାନ କରାଯାଇଛି ବା କରାଯିବ ସେ ବିଷୟରେ ସେ ନିରବ ରହିଥିଲେ। ଆଜି ଏକ ବର୍ଷ ପରେ ପୁଣି ସେହି ‘ଓଡ଼ିଆ ପକ୍ଷ’ ଆସିଛି, କିନ୍ତୁ ନାମଫଳକଗୁଡ଼ିକରେ ଓଡ଼ିଆ ଭାଷାର ସ୍ଥିତି କାଣିଚାଏ ବି ବଦଳି ନାହଁ। ୨୦୨୫ ମସିହା ଅଗଷ୍ଟ ୬ ତାରିଖରେ ଓଡ଼ିଶାର ଗୃହନିର୍ମାଣ ଓ ସହରୀ ବିକାଶ ବିଭାଗର ତତ୍କାଳୀନ ପ୍ରମୁଖ ସଚିବ ଉଷା ପାଢ଼ୀ ଘୋଷଣା କରିଥିଲେ ଯେ ପ୍ରତ୍ୟେକ ସାଇନ୍ବୋର୍ଡର ଅନ୍ତତଃ ୬୦ ପ୍ରତିଶତ ଅଂଶରେ ଓଡ଼ିଆ ଅକ୍ଷର ଲେଖାଯିବା ବାଧ୍ୟତାମୂଳକ। ସେ ମଧ୍ୟ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଦେଇଥିଲେ ଏହା ଲାଗୁ କରିବା ପାଇଁ ଏବଂ ଏହା ପରେ ଖିଲାପକାରୀଙ୍କ ବିରୋଧରେ ଜୋରିମାନା ଲାଗୁ କରାଯିବାର ଧମକ ମଧ୍ୟ ଦେଇଥିଲେ। କିନ୍ତୁ ଏହି ଘୋଷଣା କେବଳ ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ କଲା ସିନା, ବାସ୍ତବରେ କିଛି ହେଲା ନାହିଁ। ଆଜି ପୁଣି ଆସିଛି ତଥାକଥିତ ‘ଓଡ଼ିଆ ପକ୍ଷ’। ଆଜି ପୁଣି ଥରେ ମନ୍ତ୍ରୀ ଓ ବ୍ୟୁରୋକ୍ରାଟ୍ମାନେ ହିପୋକ୍ରାଟ୍ ସାଜି ଓଡ଼ିଆରେ ନାମଫଳକ ଲେଖିବା ସପକ୍ଷରେ ଦେବେ ଲମ୍ବା ଲମ୍ବା ଭାଷଣ।
(ପ୍ରକାଶିତ: ୪ ଏପ୍ରିଲ୍, ୨୦୨୬)
ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ଥାଣୁ ଅବସ୍ଥା ଦୂର ହେବ କେବେ?

ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦର କାର୍ଯ୍ୟକାଳ ଶେଷ ହୋଇଛି ଜୁଲାଇ ୨୦୨୩ ମସିହାରୁ। ଏହାର ସଭାପତି ଓ ଉପସଭାପତିଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି ମେ ୨୦୨୪ରୁ। ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବାର ପ୍ରକ୍ରିୟା ସ୍ଥଗିତ ରହିଛି ୨୦୧୭ ମସିହାରୁ। ତଥାପି ବର୍ଷ ବର୍ଷ ଧରି ନା ସାଧାରଣ ପରିଷଦ ଗଠିତ ହୋଇପାରୁଛି, ନା ନିଯୁକ୍ତ ହୋଇପାରୁଛନ୍ତି ନୂଆ ସଭାପତି ବା ଉପସଭାପତି, ନା ଦିଆଯାଇପାରୁଛି ଏକାଡେମୀ ପୁରସ୍କାର, ଯଦିଓ ଏଥିପାଇଁ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ। ଏଭଳି ଅଚଳ ଅବସ୍ଥା ଆମ ଦେଶରେ ଥିବା ଅନ୍ୟ କୌଣସି ରାଜ୍ୟର ସାହିତ୍ୟ ଏକାଡେମୀରେ କେବେ ସୃଷ୍ଟି ହୋଇନାହିଁ। ଏଥିରେ ବ୍ୟଥିତ ହୋଇ ଓଡ଼ିଶାର ଜଣେ ସାହିତ୍ୟପ୍ରେମୀ ତଥା ଆଇନଜୀବୀ, ପ୍ରବୀର କୁମାର ଦାସ ଏକାଡେମୀର ଏହି ଅଚଳାବସ୍ଥା ବିରୋଧରେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଅଗଷ୍ଟ ୧ ତାରିଖ, ୨୦୨୫ରେ ରୁଜୁ ହୋଇଥିବା ଏହି ମାମଲାରେ ଶ୍ରୀ ଦାସ ଏକାଡେମୀରେ ସଭାପତି ଓ ଉପସଭାପତିଙ୍କର ନିଯୁକ୍ତି ତଥା ସାଧାରଣ ପରିଷଦ ଓ କାର୍ଯ୍ୟକାରୀ ସମିତିର ଗଠନ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି। ଏଥିରେ ସେ ୨୦୧୭ରୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇନଥିବା କଥା ମଧ୍ୟ ଉଚ୍ଚତମ ନ୍ୟାୟାଳୟର ଦୂଷ୍ଟିକୁ ଆଣିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ବିଚାରପତି ଜଷ୍ଟିସ୍ ଏମ୍.ଏସ୍.ରମଣଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି ଏହି ସମ୍ପର୍କରେ ନିଜର ଶପଥପତ୍ର ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ଏହାର ମିଆଦ ଦୁଇଥର ଗଡ଼ି ସାରିଥିଲେ ହେଁ ରାଜ୍ୟ ସରକାର ଏ ବିଷୟରେ ନିଜର କୌଣସି ଶପଥପତ୍ର ଦାଖଲ ନ କରି ଟାଳଟୁଳ ନୀତି ଅବଲମ୍ବନ କରିବାରେ ଲାଗିଛନ୍ତି।
ଅପର ପକ୍ଷରେ କିଛି ବର୍ଷ ପୂର୍ବେ ରାଜ୍ୟ ସରକାରଙ୍କ ଦ୍ବାରା ଏକପାଖିଆ ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ଚୟନ ନିୟମାବଳୀରେ ହୋଇଥିବା ସଂଶୋଧନକୁ ବିରୋଧ କରି ସାହିତ୍ୟିକ ନୃସିଂହ ଚରଣ ଷଡ଼ଙ୍ଗୀ ଓଡ଼ିଶା ହାଇକୋର୍ଟରେ ଦାଏର କରିଥିବା ଏକ ମାମଲା ଏବେ ମଧ୍ୟ ବିଚାରାଧୀନ ଅଛି। କିନ୍ତୁ ରାଜ୍ୟ ସାହିତ୍ୟ ଏକାଡେମୀର ପୁରସ୍କାର ପ୍ରଦାନ ପ୍ରକ୍ରିୟା ଉପରେ ବର୍ତ୍ତମାନ କୌଣସି ରହିତାଦେଶ ନାହିଁ। ଏଣୁ କର୍ତ୍ତୃପକ୍ଷ ଚାହିଲେ ସର୍ତ୍ତମୂଳକ ଭାବରେ ଏକାଡେମୀର ବାକି ଥିବା ପୁରସ୍କାରଗୁଡ଼ିକ ପ୍ରଦାନ କରିପାରିବେ। ଏହି ନୀତି ଅନୁସରଣ କରି ୨୦୨୩ ମସିହାରେ ଗୋଟିଏ ଦିନରେ ହିଁ ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର ଓ ଶ୍ରୀନିବାସ ଉଦ୍ଗାତା, ଏହି ତିନି ଜଣଙ୍କୁ ସର୍ତ୍ତମୂଳକ ଭାବେ ଅତିବଡ଼ୀ ପୁରସ୍କାର ପ୍ରଦାନ କରାଯାଇପାରିଥିଲା। ଏବେ ସେହି ସମାନ ନୀତି ଅବଲମ୍ବନ କରି ରାଜ୍ୟ ସରକାର ବାକି ପଡ଼ିଥିବା ଏକାଡେମୀ ପୁରସ୍କାର ଗୁଡ଼ିକ କାହିଁକି ପ୍ରଦାନ କରୁନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅବଶ୍ୟ ଗତ ବର୍ଷ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ପୂର୍ବତନ ସଚିବ ସ୍ବର୍ଗତ ପ୍ରବୋଧ କୁମାର ରାଉତଙ୍କ ଅମଳରୁ ସର୍ଟଲିଷ୍ଟେଡ୍ ହୋଇ ପଡ଼ିରହିଥିବା ପ୍ରତ୍ୟେକ ବିଭାଗର ୨୦ଟି ଲେଖାଏଁ ବହିରୁ ପାଞ୍ଚଟି ଲେଖାଏଁ ବହି ବାଛିବାର ଏକ ପ୍ରକ୍ରିୟା ଆରମ୍ଭ କରିଥିଲେ। କିନ୍ତୁ ଏକାଡେମୀର ସାଧାରଣ ପରିଷଦ ନ ଥିବାରୁ ଏହି ପୁରସ୍କାରଗୁଡ଼ିକ ଦିଆଇବାପାଇଁ ସେ କିଭଳି ଭାବରେ ଯୋଜନା କରିଥିଲେ ତାହା ସନ୍ଦେହ ସୃଷ୍ଟି କରିଛି। ଅବଶ୍ୟ ତାଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଏବେ ସ୍ଥଗିତ ଅଛି।
ଏବେ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକଳାପ ମୁଖ୍ୟତଃ ପ୍ରମୁଖ ସାହିତ୍ୟ ସ୍ରଷ୍ଟାମାନଙ୍କର ଜୟନ୍ତୀ ତଥା ଶ୍ରାଦ୍ଧୋତ୍ସବ ପାଳନ ଓ ବେସରକାରୀ ସଂସ୍ଥାମାନଙ୍କ ସହିତ ମିଶି କିଛି ସାହିତ୍ୟସଭାର ଆୟୋଜନ ମଧ୍ୟରେ ହିଁ ସୀମିତ ଅଛି। ଓଡ଼ିଶା ସାହିତ୍ୟ ଏକାଡେମୀ ତାହାର ହରାଇଥିବା ସ୍ଥିତି ଫେରିପାଇବ କେବେ? ଏ ବିଷୟରେ ନିଜର ମୁହଁ ଖୋଲିବାରୁ ବିରତ ରହିଛନ୍ତି ଆମ ରାଜ୍ୟର ମୁଖ୍ୟ ଗଣମାଧ୍ୟମ, ରାଜନେତାଗଣ ତଥା ସାହିତ୍ୟ ଜଗତର ମୁଣ୍ଡିଆଳମାନେ। ଗତ ନଅ ବର୍ଷ ମଧ୍ୟରେ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଯୋଗ୍ୟ ବୋଲି ସାଧାରଣରେ ମନେହେଉଥିବା ଅନେକ ବର୍ଷୀୟାନ ସାହିତ୍ୟିକ ସେ ପୁରକୁ ଚାଲିଗଲେଣି। ବସ୍ତୁତଃ ସରକାରଙ୍କ ଉଦାସୀନତା କାରଣରୁ ଓଡ଼ିଶାରେ ସାହିତ୍ୟିକମାନଙ୍କର ଗୋଟିଏ ପିଢ଼ି ଏକାଡେମୀ ପୁରସ୍କାରରୁ ଯେ ବଞ୍ଚିତ ହୋଇସାରିଲେଣି, ଏହାକୁ ଆମ ସାହିତ୍ୟର ଇତିହାସ କେବେ କ୍ଷମା ଦେବନାହିଁ।
(ପ୍ରକାଶିତ: ୧୫ ଫେବ୍ରୁଆରି, ୨୦୨୬)
ଉତ୍ତର ଆମେରିକାରେ ଶୀତକାଳୀନ ସାହିତ୍ୟ ସଭା: ‘ଆମ ଓଡ଼ିଆ ଉପନ୍ୟାସ’

ଏବେ ଉତ୍ତର ଆମେରିକାରେ କେଉଁଠି ତୁଷାରପାତ ତ କେଉଁଠି ଶୀତୁଆ ପାଗ ସହିତ ଝିପି ଝିପି ବର୍ଷା। କହିବାକୁ ଗଲେ ପ୍ରାୟ ଛୁଟି ଦିନମାନଙ୍କରେ ଅନେକେ ଘରର ଚାରିକାନ୍ଥ ଭିତରେ ଆବଦ୍ଧ। ଏହାର ସୁଯୋଗ ନେଇ ଜାନୁଆରୀ ୧୦ ତାରିଖ ସଂଧ୍ୟାରେ ‘ଓସା’ (ଓଡ଼ିଶା ସୋସାଇଟି ଅଫ୍ ଆମେରିକାସ୍) ଅନୁଷ୍ଠାନ ତରଫରୁ ଆଭାସୀ ମାଧ୍ୟମରେ ଏକ ଶୀତକାଳୀନ ସାହିତ୍ୟ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଆଲୋଚନାର ବିଷୟବସ୍ତୁ ଥିଲା, “ଆମ ଓଡ଼ିଆ ଉପନ୍ୟାସ”। ଏହାକୁ ‘ଓସା’ର ସାହିତ୍ୟ ଓ ସଂସ୍କୃତି ବିଭାଗର ସଦସ୍ୟ ପ୍ରଶାନ୍ତ ଭୂୟାଁ, ତାପସୀ ମହାପାତ୍ର ଓ ଗଗନ ପାଣିଗ୍ରାହୀ ପରିଚାଳନା କରିଥିଲେ।
ଏହି ସଭାରେ ଯୋଗ ଦେଇ ସର୍ବପ୍ରଥମେ ‘ଓସା’ର ସଭାପତି ନାଗେଶ ରାଜନାଲା ଏହାର ଉଦ୍ଦେଶ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
କାନାଡ଼ା ଓ ଆମେରିକାରୁ ଯେଉଁମାନେ ବିଭିନ୍ନ ସ୍ୱାଦର ଉପନ୍ୟାସ ଉପରେ ଆଲୋଚନା କଲେ ସେମାନେ ହେଲେ ଚନ୍ଦ୍ରା ମିଶ୍ର (‘କାଳୀବୋହୂ’- କୁନ୍ତଳାକୁମାରୀ ସାବତ), ସଂଯୁକ୍ତା ଶତପଥୀଙ୍କ ଅନୁପସ୍ଥିତିରେ ତାଙ୍କ ପାଇଁ ଅଶୋକ ପାଣିଗ୍ରାହୀ (‘ନିଜ ନିଜ ପାନିପଥ’ -ଜଗଦୀଶ ମହାନ୍ତି), କନକ ହୋତା (‘ପୁନର୍ନବା’-ଦୀନନାଥ ପାଠୀ), କୁକୁ ଦାଶ (‘ପଗଡ଼ି ପୁରୁଷ’- ଦାଶ ବେନହୁର), ସଲୋନୀ ମହାନ୍ତି (‘ଅପରିଚିତା’-ପ୍ରତିଭା ରାୟ), ଶ୍ୱେତପଦ୍ମା ଦାଶ (‘ବୁନ୍ଦାଏ ପାଣି’- ଗୋପୀନାଥ ମହାନ୍ତି), ପ୍ରଦୀପ ମହାପାତ୍ର (‘ଏଇଠି ଆକାଶ”-ରାମଚନ୍ଦ୍ର ବେହେରା), ସୁନନ୍ଦା ମିଶ୍ର ପଣ୍ଡା (‘ଅମୃତର ସନ୍ତାନ’- ଗୋପୀନାଥ ମହାନ୍ତି), ସାନ୍ତ୍ୱନା ଦାଶ (‘ମାମୁଁ’- ଫକୀର ମୋହନ ସେନାପତି), ସୁମିତ୍ରା ପାଢ଼ୀ (‘ପ୍ରେମପଥେ’- ଗୋଦାବରୀଶ ମହାପାତ୍ର), ସୁବ୍ରତ ମହାନ୍ତି (‘କଳାବତୀ’-ଅପର୍ଣ୍ଣା ପଣ୍ଡା) ଓ ଗଗନ ପାଣିଗ୍ରାହୀ (‘ଅନ୍ଧ ଦିଗନ୍ତ’- ସୁରେନ୍ଦ୍ର ମହାନ୍ତି)।
ସମସ୍ତେ ଅତି ସୁନ୍ଦର ଭାବରେ ସୀମିତ ସମୟ ମଧ୍ୟରେ ଉପନ୍ୟାସର ଚରିତ୍ର ଓ କଥାବସ୍ତୁ ଉପରେ ଆଲୋଚନା କରିଥିଲେ।
ଉପନ୍ୟାସ ଆଲୋଚନା ଶେଷରେ ତାପସୀ ମହାପାତ୍ର ଉପନ୍ୟାସ କ’ଣ ଓ କିପରି ତାଙ୍କ ଉପରେ ଏହା ପ୍ରଭାବ ପକାଇଥିଲା ସେ ବିଷୟରେ ଆଲୋଚନା କରି ନିଜର ଅଭିଜ୍ଞତା ଅତି ସୁନ୍ଦର ଓ ସାବଲୀଳ ଭାବରେ ଉପସ୍ଥାପନା କରିଥିଲେ। ସବୁକୁ ଏକତ୍ର କରି ଶେଷରେ ପ୍ରଶାନ୍ତ ଭୂୟାଁ ଉପନ୍ୟାସର ଅର୍ଥ, ଓଡ଼ିଆ ଉପନ୍ୟାସର ଆରମ୍ଭ, ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ଉପରେ ସାରଗର୍ଭକ ମନ୍ତବ୍ୟ ରଖିଥିଲେ।
ସର୍ବଶେଷରେ ‘ଓସା’ର ଉପସଭାପତି ଉତ୍କଳ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସାହିତ୍ୟ ସଭାରେ ଅନେକ ବୟୋଜ୍ୟେଷ୍ଠ ସାହିତ୍ୟପ୍ରେମୀ, ଯଥା, ବିଜୟ ମିଶ୍ର, ହର ପାଢ଼ୀ, ଲାଲୁ ମାନସିଂ, ଶ୍ରୀଗୋପାଳ ମହାନ୍ତିଙ୍କ ସମେତ ଉତ୍ତର ଆମେରିକାର ବିଭିନ୍ନ ସ୍ଥାନରୁ ଆହୁରି ଅନେକ ବ୍ୟକ୍ତି ଶ୍ରୋତା ହିସାବରେ ଯୋଗଦାନ କରିଥିଲେ।
(ପ୍ରକାଶିତ: ୧୨ ଜାନୁଆରୀ,୨୦୨୬)
ବିଚ୍ଛିନ୍ନାଞ୍ଚଳରେ ବେସରକାରୀ ଉଦ୍ୟମରେ ଚାଲିଛି ୬୦ଟି ଓଡ଼ିଆ ଚାଟଶାଳୀ

ଝାରଖଣ୍ଡ ରାଜ୍ୟର ସିଂହଭୁମ, ଷଢେ଼ଇକଳା, ଖରସୁଆଁ ଓ ଛତିଶଗଡ଼ ରାଜ୍ୟର ରାୟଗଡ଼ା, ମହାସମୁଦ ଆଦି ଅଞ୍ଚଳରେ ଭୁବନେଶ୍ବରର ଏକ ବେସରକାରୀ ତଥା ନିଷ୍ଠାପର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ’ ପକ୍ଷରୁ ସେଠାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷାକୁ ବଞ୍ଚାଇରଖିବା ପାଇଁ ୬୦ଟି ଚାଟଶାଳୀ ପରିଚାଳିତ ହେଉଛି। ଅନୁଷ୍ଠାନର ସଦସ୍ୟମାନେ ନିଜର ବ୍ୟକ୍ତିଗତ ଦାନ ବଳରେ ପାଣ୍ଠି ସଂଗ୍ରହ କରି ଏହି ଚାଟଶାଳୀର ଶିକ୍ଷାଦାତାମାନଙ୍କୁ ଯତ୍ସାମାନ୍ୟ ମାନଧନ ଦେଉଛନ୍ତି। ଏହି ଚାଟଶାଳୀଗୁଡ଼ିକ ପାଇଁ ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ସହଯୋଗୀ ପରିବାର ନିଜ ଘର ଭିତରେ ସ୍ଥାନ ଦେବା ସହିତ ଛାତ୍ରଛାତ୍ରୀମାନଙ୍କୁ ଏକତ୍ର କରି ସେହି ପରିବାରର ବୟସ୍କ ସଦସ୍ୟମାନେ ପ୍ରତିଦିନ ସମୟ ଦାନ ପୂର୍ବକ ପିଲାଙ୍କୁ ଓଡ଼ିଆ ଭାଷା ପଢ଼ାଉଛନ୍ତି। ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ପକ୍ଷରୁ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କଠାରୁ ସଂଗୃହୀତ ଦାନ ବଳରେ ଗତ ବର୍ଷ ୧୦ ହଜାର ଖଣ୍ଡ ବର୍ଣ୍ଣବୋଧ ବହି ଛପାଯାଇ ବିଚ୍ଛିନ୍ନାଞ୍ଚଳରେ ବଣ୍ଟା ଯାଇଛି। ଏହା ଛଡ଼ା ଏହି ଅନୁଷ୍ଠାନ ପକ୍ଷରୁ ସେହି ଅଞ୍ଚଳରେ ପ୍ରାୟ ୩୦୦ଟି ଭାଗବତ ଟୁଙ୍ଗି ମଧ୍ୟ ପରିଚାଳିତ ହେଉଛି। ଭୁବନେଶ୍ବରରେ ରହୁଥିବା ୯୨ ବର୍ଷ ବୟସ୍କ ଭାଷାପ୍ରେମୀ ପର୍ଶୁରାମ ଦ୍ବିବେଦୀ ହେଉଛନ୍ତି ଏହି ଅନୁଷ୍ଠାନ ପଛର ମୁଖ୍ୟ ପ୍ରେରଣା।
ଅପର ପକ୍ଷରେ ସେହି ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଐଚ୍ଛିକ ଭାବରେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦେବାପାଇଁ ନିଯୁକ୍ତ ହୋଇଥିବା ଓଡ଼ିଆ ଭାଷା ଶିକ୍ଷକମାନଙ୍କୁ ଉତ୍କଳ ସମ୍ମିଳନୀ ଜରିଆରେ ଦରମା ଦେବାପାଇଁ ଓଡ଼ିଶା ସରକାର କିଛି ବର୍ଷ ପୂର୍ବେ ଯେଉଁ ବ୍ୟବସ୍ଥା ଆରମ୍ଭ କରିଥିଲେ ତାହା ବିପର୍ଯ୍ୟସ୍ତ ହୋଇଛି। ଗତ ଦୁଇବର୍ଷ ହେଲା ଏହି ଶିକ୍ଷକମାନଙ୍କୁ ସରକାର କିମ୍ବା ଉତ୍କଳ ସମ୍ମିଳନୀ ସେମାନଙ୍କର ମାସିକ ଦେୟ ପ୍ରଦାନ କରିପାରିନାହାନ୍ତି। ପୂର୍ବରୁ ସେମାନେ ମାସିକ ଟ.୩୦୦୦ ଟଙ୍କା ଦରମା ପାଉଥିଲେ; କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାୟ ବର୍ଷକ ତଳେ ନିଜର ଝାରଖଣ୍ଡ ଗସ୍ତ କାଳରେ ଏହାକୁ ଟ.୬୦୦୦କୁ ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ। ଅଥଚ ଏହି ବର୍ଦ୍ଧିତ ଦରମା ମିଳିବା ତ ଦୂରର କଥା, ଗତ ଦୁଇବର୍ଷ ହେଲା କୌଣସି ଶିକ୍ଷକ କିଛି ହିଁ ପ୍ରାପ୍ୟ ପାଇନାହାନ୍ତି। ଫଳରେ ସେଠାକାର ଓଡ଼ିଆ ଭାଷା ଶିକ୍ଷକମାନେ ନିରୁତ୍ସାହିତ ଅବସ୍ଥାରେ ଅଛନ୍ତି। ଅନ୍ୟ ଏକ ସୂତ୍ରରୁ ଜଣାଯାଏ ଯେ ଉତ୍କଳ ସମ୍ମିଳନୀର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ କାରଣରୁ ଏହା ତିନିଭାଗ ହୋଇଯିବା ଫଳରେ ଅନୁଷ୍ଠାନଟି ଜରିଆରେ ସରକାରଙ୍କ ଦ୍ବାରା ଓଡ଼ିଆ ଭାଷା ଶିକ୍ଷକଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯିବାରେ ସମସ୍ୟା ଉପୁଜିଛି।
(ପ୍ରକାଶିତ: ୨୫ ଡିସେମ୍ବର, ୨୦୨୫)
ସ୍ତମ୍ଭସାହିତ୍ୟ ବିଷୟକ ଆଲୋଚନାରେ ଭାଗ ନେଲେ ଅନେକ ବିଶିଷ୍ଟ ସ୍ତମ୍ଭକାର

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ‘ଶବ୍ଦସ୍ପର୍ଶ’ ଅନୁଷ୍ଠାନର ମିଳିତ ଆୟୋଜନକ୍ରମେ ଭୁବନେଶ୍ବରର ଗୀତଗୋବିନ୍ଦ ସଦନଠାରେ ଡିସେମ୍ବର ଚାରି ତାରିଖରେ ଓଡ଼ିଆ ସ୍ତମ୍ଭସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଅନେକ ସୁପରିଚିତ ସ୍ତମ୍ଭକାର ଯୋଗଦେଇ ସ୍ତମ୍ଭସାହିତ୍ୟ ବିଷୟରେ ହୋଇଥିବା ଏକ ଉପଯୋଗୀ ବିଚାର-ବିମର୍ଶରେ ଭାଗନେଇଥିଲେ। କିନ୍ତୁ ତିନୋଟି ଅଧିବେଶନରେ ଆୟୋଜିତ ହେବାକୁ ଥିବା ଏହି ଆଲୋଚନାଚକ୍ରଟିକୁ ସମୟାଭାବରୁ ମାତ୍ର ଦୁଇଟି ଅଧିବେଶନରେ ସୀମିତ କରିଦିଆଯାଇଥିଲା। ଫଳରେ ଅନେକ ସ୍ତମ୍ଭକାର ନିଜର ବକ୍ତବ୍ୟକୁ ସମ୍ପୂର୍ଣ୍ଣ ଭାବରେ ପରିପ୍ରକାଶ କରିପାରିନଥିଲେ। ପୂର୍ବାହ୍ଣ ୧୧ଟା ବେଳେ ଆରମ୍ଭ ହୋଇଥିବା ଏହି ଆଲୋଚନାଚକ୍ରରେ ରାଜ୍ୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦାନ କରିବାର କାର୍ଯ୍ୟକ୍ରମ ଥିଲେ ହେଁ କେତେକ କାରଣରୁ ସେ ସଭାରେ ଉପସ୍ଥିତ ହୋଇପାରିନଥିଲେ। ଉଦ୍ଘାଟନୀ ଅଧିବେଶନରେ ସର୍ବପ୍ରଥମେ ଅତିଥି ପରିଚୟ ପ୍ରଦାନ କରିଥିଲେ ‘ଶବ୍ଦସ୍ପର୍ଶ’ର ସମ୍ପାଦକ ପବିତ୍ର ମୋହନ ମହାରଥା। ତାହାପରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ଆଲୋଚନା ଆରମ୍ଭ କରି କହିଲେ ଯେ ସ୍ତମ୍ଭକାରମାନେ ହେଉଛନ୍ତି ଗଣତନ୍ତ୍ରର ପଞ୍ଚମ ପ୍ରହରୀ ଏବଂ ଏକ ବସ୍ତୁନିଷ୍ଠ ବିଶ୍ଳେଷଣ ହେଉଛି ସ୍ତମ୍ଭସାହିତ୍ୟର ଆଧାର। ‘ପ୍ରଗତିବାଦୀ’ର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ କହିଲେ ଯେ ସ୍ତମ୍ଭକୁ ସାହିତ୍ୟ ଭାବରେ ସ୍ବୀକୃତି ଦିଆଯାଇପାରିନଥିବା ପରିତାପର ବିଷୟ। ‘ଆହ୍ବାନ’ର ସମ୍ପାଦକ ବିଭୂତି ଭୂଷଣ କର କହିଲେ ଯେ ସ୍ତମ୍ଭକାରମାନେ ଜଣେ ଜଣେ ଗବେଷକ ଓ ମନୋବିଜ୍ଞାନୀ ମଧ୍ୟ। ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ଦେବପ୍ରସାଦ ଦାଶ ମତ ଦେଇଥିଲେ ଯେ ସମ୍ବାଦପତ୍ରର ସ୍ତମ୍ଭଗୁଡ଼ିକ ସାହିତ୍ୟର ଏକ ଅଂଶ ଭାବରେ ସ୍ବୀକୃତି ପାଇସାରିଛି। ବର୍ଷୀୟାନ ସ୍ତମ୍ଭକାର ଭଗବାନ ପ୍ରକାଶ ସ୍ତମ୍ଭସାହିତ୍ୟ ସାଧାରଣ ପାଠକଙ୍କ ପାଖରେ ସହଜରେ ପହଞ୍ଚିପାରିବାର ସାମର୍ଥ୍ୟ ରଖେ ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଲେ ଯେ ସ୍ତମ୍ଭକୁ ସାହିତ୍ୟର ମାନ୍ୟତା ଦେଇ ତାହାର ମୂଳ ଉଦ୍ଦେଶ୍ୟକୁ ଆମେ ବିଭ୍ରାନ୍ତ କରିବା ଉଚିତ ନୁହେଁ। ତାଙ୍କର ଏହି ମନ୍ତବ୍ୟକୁ ଆଲୋଚନାରେ ଭାଗନେଇଥିବା କେତେଜଣ ସ୍ତମ୍ଭକାର ନିଜର ବିତର୍କରେ ବିରୋଧ ମଧ୍ୟ କରିଥିବା ଦେଖାଯାଇଥିଲା। ସୁବିଦିତ ସାମ୍ବାଦିକ ଶ୍ରୀରାମ ଦାଶ ନିଜର ସ୍ତମ୍ଭରଚନା ଜନିତ ଅନୁଭୂତି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ସ୍ତମ୍ଭକାରମାନେ ହେଉଛନ୍ତି ‘ମାମୁ’ (ମାଗଣା ମୂଲିଆ) ଶ୍ରେଣୀୟ, କାରଣ ସେମାନଙ୍କୁ ସେମାନଙ୍କ ଲେଖାର ପାରିଶ୍ରମିକ ମିଳେନାହିଁ। ଏହି ଅଧିବେଶନଟିକୁ ପରିଚାଳନା କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ସହ-ସମ୍ପାଦକ ସଞ୍ଜୟ କୁମାର ଛୁଆଳସିଂହ।
ପରବର୍ତ୍ତୀ ଦୁଇଟି ଅଧିବେଶନର ବିଷୟ ଯଥାକ୍ରମେ ‘ସ୍ତମ୍ଭସାହିତ୍ୟ ସମାଜର ଦର୍ପଣ’ ତଥା ‘ସ୍ତମ୍ଭସାହିତ୍ୟ ସମାଜର ଦିଗଦର୍ଶକ’ ଥିଲେ ମଧ୍ୟ ଏତେ ଅଧିକ ସଂଖ୍ୟକ ସ୍ତମ୍ଭକାରଙ୍କୁ ନେଇ ଦୁଇଟି ଅଧିବେଶନ ଆୟୋଜନ କରିବା ପାଇଁ ଆଉ ସମୟ ନଥିବାରୁ ଉଭୟକୁ ମିଶାଇ ଗୋଟିଏ ମିଳିତ ଅଧିବେଶନରେ ପରିଣତ କରିଦିଆଯାଇଥିବାର ଦେଖାଯାଇଥିଲା। ଏହି ଅଧିବେଶନର ସଂଯୋଜକ ଥିଲେ ଜାନକୀଶ ବଡ଼ପଣ୍ଡା। ପ୍ରତ୍ୟେକ ସ୍ତମ୍ଭକାରଙ୍କୁ ତିନି ମିନିଟ୍ ମଧ୍ୟରେ ନିଜର ବକ୍ତବ୍ୟ ରଖିବା ପାଇଁ ସେ ବାରମ୍ବାର ଅନୁରୋଧ କରୁଥିଲେ ହେଁ ଅନେକ ବକ୍ତା ଏହି ସମୟସୀମାକୁ ଉଲ୍ଲଂଘନ କରିଥିବା ଦେଖାଯାଇଥିଲା। ଏହି ଅଧିବେଶନରେ ସ୍ବକୀୟ ବକ୍ତବ୍ୟ ରଖିଥିଲେ ନିରଞ୍ଜନ ପାଢ଼ୀ, ନଟବର ଖୁଣ୍ଟିଆ, ସାଗର ରଞ୍ଜନ ତ୍ରିପାଠୀ, ରୀନା ରାଉତରାୟ, ଚିତ୍ତ ରଞ୍ଜନ ମିଶ୍ର, ଉପେନ୍ଦ୍ର ବିଶ୍ବାଳ, ଛନ୍ଦା ମିଶ୍ର, ସତ୍ୟବ୍ରତ ପଣ୍ଡା, ଚିନ୍ମୟ ହୋତା, ଗୌରାଙ୍ଗ ଚରଣ ପରିଡ଼ା, ଗିରିଜା ଶଙ୍କର ଶର୍ମା, ଅଭୟ ଦ୍ବିବେଦୀ ଓ ଶ୍ରୁତକୀର୍ତ୍ତି ତ୍ରିପାଠୀ ପ୍ରମୁଖ। ସଭାଟିରେ ଏତେ ସଂଖ୍ୟକ ସ୍ତମ୍ଭକାରଙ୍କର ଏକ ବିରଳ ସମାଗମ ହୋଇଥିବା ଦୃଷ୍ଟିରୁ ଅଧିବେଶନଗୁଡ଼ିକର ସଂଖ୍ୟା ବଢ଼ାଇ ଏହାକୁ ଦୁଇଦିନରେ ସମ୍ପନ୍ନ କରିବା ଅଧିକ ଉଚିତ ହୋଇଥାଆନ୍ତା ବୋଲି ଶେଷକୁ ମତ ପ୍ରକାଶ ପାଇଥିଲା।
(ପ୍ରକାଶିତ: ୪ ଡିସେମ୍ବର, ୨୦୨୫)
ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ପାଳନକୁ ନେଇ ପ୍ରଶ୍ନ ଉଠାଇଲେ ବହୁ ଗବେଷକ

ସାରଳା ସାହିତ୍ୟ ସଂସଦ ପକ୍ଷରୁ ଗତ ଜୁଲାଇ ୧୫ ତାରିଖ ଦିନ କଟକଠାରେ ମହାମାନ୍ୟା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ଆୟୋଜିତ ଆଦିକବି ସାରଳା ଦାସଙ୍କ ଜୟନ୍ତୀ ସମାରୋହର ସଭାମଞ୍ଚରେ ଏହା ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ବୋଲି ଲେଖାଯାଇଥିବାରୁ ରାଜ୍ୟର ଅନେକ ବିଶିଷ୍ଟ ଗବେଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଦିକବିଙ୍କର ପ୍ରକୃତ ଜନ୍ମତିଥି କିମ୍ବା ଜନ୍ମବର୍ଷକୁ ନେଇ ଏବେ ବି ଗବେଷଣା ଜାରି ରହିଥିବା ବେଳେ, ଏବଂ ଏ ନେଇ କୌଣସି ସହମତି ପ୍ରକାଶ ପାଇ ନ ଥିବା ସ୍ଥଳେ ୨୦୨୫ ମସିହା ଜୁଲାଇ ୧୫ ତାରିଖକୁ ମହାମାନ୍ୟା ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଭାବରେ ପାଳନ କରାଯିବା ଅନେକ ପ୍ରତିଷ୍ଠିତ ସାହିତ୍ୟିକ ନାପସନ୍ଦ କରିଛନ୍ତି।
ଏ ବିଷୟରେ ନିଜର ମତ ଦେଇ ବର୍ଷୀୟାନ ସମାଲୋଚକ ବୈଷ୍ଣବ ଚରଣ ସାମଲ କହିଛନ୍ତି ଯେ ସାରଳା ଦାସଙ୍କ ଜନ୍ମତିଥି ନେଇ କୌଣସି ପ୍ରାମାଣିକ ତଥ୍ୟ ନାହିଁ; ଏବଂ ତାଙ୍କର ଜନ୍ମ ବର୍ଷଟି କେବଳ ଅନୁମାନର ବିଷୟ। ସେ ଦୃଷ୍ଟିରୁ ଏହି ବର୍ଷଟିକୁ ତାଙ୍କ ଜନ୍ମର ୬୦୦ତମ ବର୍ଷ ବୋଲି ଲେଖିବା ଉଚିତ ହୋଇନାହିଁ। ବିଶିଷ୍ଟ ସାରଳା ସାହିତ୍ୟ ଗବେଷକ ଗୌରାଙ୍ଗ ଚରଣ ଦାଶ କହିଛନ୍ତି ଯେ ସାରଳାଙ୍କ ଜନ୍ମ ବର୍ଷକୁ ନେଇ ଏବେ ମଧ୍ୟ ବିତର୍କ ଚାଲିଛି; ଏପରିକି ନିଜେ କବି ମଧ୍ୟ ଏ ସମ୍ପର୍କରେ ନିରବତା ଅବଲମ୍ବନ କରିଛନ୍ତି; ଏଣୁ ୨୦୨୫ ମସିହାଟି ତାଙ୍କର ୬୦୦ ତମ ଜନ୍ମଜୟନ୍ତୀର ବର୍ଷ ବୋଲି ଆମେ ନିର୍ଦ୍ଦିଷ୍ଟ ଭାବରେ କହିପାରିବା ନାହିଁ । ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ‘ଆଦିକବି ସାରଳା ଦାସ ଚେଆର୍’ର ପ୍ରଫେସର ଉଦୟନାଥ ସାହୁ କହିଛନ୍ତି ଯେ ତାଙ୍କର ଜନ୍ମବର୍ଷ ସଂକ୍ରାନ୍ତରେ ଏମିତି ଲେଖାଯିବାର ଆଧାର କଣ, ତାହା ସ୍ପଷ୍ଟ ଜଣାପଡୁନାହିଁ; କାରଣ ଏହା ଏବେ ବି ବିତର୍କର ବିଷୟ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକ କହିଛନ୍ତି ଯେ ବିଭିନ୍ନ ଗବେଷକଗଣ ସାରଳାଙ୍କ ସମୟ ୯ମଠାରୁ ଆରମ୍ଭ କରି ୧୫ଶ ଶତାବ୍ଦୀ ମଧ୍ୟରେ ବୋଲି ଭିନ୍ନ ଭିନ୍ନ ପ୍ରକାର ମତ ଦେଉଥିବା ବେଳେ, ଭାରତର ରାଷ୍ଟ୍ରପତି ଓ ରାଜ୍ୟର ରାଜ୍ୟପାଳଙ୍କ ଉପସ୍ଥିତିରେ ଚଳିତ ବର୍ଷର ଜୁଲାଇ ୧୫ ତାରିଖଟିକୁ ତାଙ୍କର ୬୦୦ତମ ଜନ୍ମଜୟନ୍ତୀ ଭାବରେ ପାଳନ କରାଯିବା ଉଚିତ ହେଲାନାହିଁ। ଭୁବନେଶ୍ବରସ୍ଥିତ ‘ସାରଳାଦାସ ସ୍ମୃତି ସଂସଦ’ର ସମ୍ପାଦକ ପ୍ରଦୀପ୍ତ କୁମାର ବିଶ୍ବାଳ କହିଛନ୍ତି ଯେ କୌଣସି ତିଥିକୁ ସାରଳାଙ୍କ ଜନ୍ମତିଥି ଭାବରେ ସର୍ବମାନ୍ୟ ଭାବରେ ଗ୍ରହଣ କରାଯାଇନାହିଁ।
କୌତୁହଳର ବିଷୟ ହେଲା, ୨୦୨୧ ମସିହାର ଏପ୍ରିଲ୍ ୪ ତାରିଖ ଦିନ ମଧ୍ୟ କଟକର ଏହି ସାରଳା ସାହିତ୍ୟ ସଂସଦ ପକ୍ଷରୁ ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଭାବରେ ହିଁ ପାଳନ କରାଯାଇଥିଲା, ଯେଉଁ ସମାରୋହରେ ଭାରତର ତତ୍କାଳୀନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ଓଡ଼ିଶାର ରାଜ୍ୟପାଳ ଗଣେଶୀଲାଲ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ କଟକସ୍ଥିତ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା-ସଭାପତି ପ୍ରଭାକର ସ୍ୱାଇଁଙ୍କ ସହିତ ଯୋଗାଯୋଗ କରାଯିବାରୁ ସେ ସୂଚାଇଥିଲେ ଯେ, ପୂଜ୍ୟପୂଜା କରାଯିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା; ଏବଂ ତାଙ୍କର ଜନ୍ମ ବର୍ଷକୁ ଅନୁଷ୍ଠାନ ପକ୍ଷରୁ କେବଳ ଆନୁମାନିକ ଭାବରେ ବିଚାର କରାଯାଇଥିଲା। ସେ ମଧ୍ୟ ଦର୍ଶାଇଥିଲେ ଯେ ବିଶିଷ୍ଟ ଗବେଷକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ତାଙ୍କର ପୁସ୍ତକରେ ସାରଳା ଦାସଙ୍କ ଜନ୍ମ ୧୪୨୦ରୁ ୧୪୨୫ ମସିହା ମଧ୍ୟରେ ହୋଇଥିଲା ବୋଲି ମତ ଦେଇଛନ୍ତି।
(ପ୍ରକାଶିତ: ୧୬ ଜୁଲାଇ, ୨୦୨୫)
ଫକୀରମୋହନଙ୍କ ପ୍ରକୃତ ଆତ୍ମଚରିତ ଲୋକଲୋଚନକୁ ଆସିବ କେବେ?

ଏବେ ବ୍ୟାସକବି ଫକୀରମୋହନଙ୍କର ‘ଆତ୍ମଚରିତ’ ନାମରେ ଯେଉଁ ପୁସ୍ତକଟି ତାଙ୍କର ଅନୁରାଗୀ ପାଠକ, ଗବେଷକ, ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ବହୁ କାଳ ହେଲା ପଠିତ ଓ ଚର୍ଚ୍ଚିତ ହୋଇଆସୁଛି, ତାହା ଯେ ତାଙ୍କର ସମ୍ପୂର୍ଣ୍ଣ ଓ ପ୍ରକୃତ ଆତ୍ମଚରିତ ନୁହେଁ ଏକଥା ଅନେକଙ୍କୁ ଅଜଣା। ଫକୀରମୋହନ ତାଙ୍କର ଜୀବଦ୍ଦଶାରେ ଯେଉଁ ଆତ୍ମଚରିତଟି ରଚନା କରିଥିଲେ ତାହା କଟକର ବାଖରାବାଦରେ ଥିବା ତାଙ୍କର ବାସଭବନର ଅନ୍ଧାରି କୋଣରେ ଗୋଟିଏ ସିନ୍ଦୁକ ଭିତରେ ତାଲା ପଡ଼ି ରହିଛି। ଏହା ଅଦାଲତି ମାମଲା, ପ୍ରକାଶନ ଜନିତ ବିବାଦ ତଥା ଫକୀରମୋହନଙ୍କ ଦାୟାଦଙ୍କ ଖିଆଲର ଜ୍ୱାଳାରେ ଭସ୍ମହୋଇ ଚିରଦିନ ପାଇଁ ହଜିଯିବାକୁ ବସିଛି। ତଥାପି ଏଥିପ୍ରତି ନା ଓଡ଼ିଶା ସରକାର, ନା ଓଡ଼ିଶାର ସାହିତ୍ୟ ଜଗତ, କାହାର ବି ଦୃଷ୍ଟି ପଡ଼ୁନାହିଁ।
ଫକୀରମୋହନଙ୍କ ଦେହାନ୍ତ ପରେ ତାଙ୍କର ଆତ୍ମଜୀବନୀ ବା ‘ଆତ୍ମଚରିତ’ ପ୍ରକାଶିତ ହେବା ପୂର୍ବରୁ ତାଙ୍କର ପୁତ୍ର ମୋହିନୀ ମୋହନ ସେନାପତି ନିଜେ ସେଥିର କେତେକାଂଶ ପରିବର୍ତ୍ତନ କରିଦେଇଥିଲେ। ତାଙ୍କ ପିତାଙ୍କର ଭାବମୂର୍ତ୍ତିକୁ ନିର୍ମଳ କରିବା ଉଦ୍ଦେଶ୍ୟରେ ସେ ଏହା କରିଥିଲେ ବୋଲି କୁହାଯାଉଛି। ଏହା ସହିତ ସେ ସେହି ଆତ୍ମଚରିତର ମୂଳ ପାଣ୍ଡୁଲିପିଟି ଲୋକଲୋଚନକୁ ନ ଆଣି ନିଜ ଅଧୀନରେ ରଖିଥିଲେ। ଏବେ ସେହି ମୂଳ ପାଣ୍ଡୁଲିପି ଫକୀରମୋହନଙ୍କ ଅଣନାତୁଣୀ ମିନାକ୍ଷୀ ଦତ୍ତଙ୍କ ଅକ୍ତିଆରରେ ତାଙ୍କର କଟକସ୍ଥିତ ବାସଭବନରେ ରଖାଯାଇଛି। କିନ୍ତୁ ‘ସାହିତ୍ୟ ଚର୍ଚ୍ଚା’କୁ ସୂଚନା ମିଳିଛି ଯେ ବର୍ତ୍ତମାନ ସେହି ପାଣ୍ଡୁଲିପି ଏକାନ୍ତ ଜର୍ଜର ଅବସ୍ଥାକୁ ଆସିଗଲାଣି, ଏବଂ ଏହା ଆଉ ବେଶି ଦିନ ତିଷ୍ଠିବ ନାହିଁ। ତଥାପି ଫକୀରମୋହନଙ୍କ ଅଣନାତୁଣୀ ତାହାର ପ୍ରକାଶନ ପାଇଁ ଆଗ୍ରହ ଦେଖାଉନାହାନ୍ତି।
ଏ ସଂକ୍ରାନ୍ତରେ ଘଟଣାକ୍ରମରୁ ଜଣାଯାଏ ଯେ ୨୦୧୯ ମସିହା ବେଳକୁ ମିନାକ୍ଷୀ ଦତ୍ତ ସେହି ମୂଳ ପାଣ୍ଡୁଲିପିଟିକୁ ବର୍ଷୀୟାନ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରି ଏହାର ସମ୍ପାଦନା ଓ ଡିଜିଟାଇଜେସନ୍ ପାଇଁ ଅନୁରୋଧ କରିଥିଲେ, ଏବଂ ଏହାର ଖର୍ଚ୍ଚ ତୁଲାଇବା ପାଇଁ ତାଙ୍କୁ ପ୍ରାୟ ଏକ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ। ଏଥିସହିତ ସେ ତାଙ୍କୁ ଫକୀରମୋହନଙ୍କ ଆଉ ଦୁଇଟି ଅପ୍ରକାଶିତ ପୁସ୍ତକ ‘ମହାଭାରତ’ ଓ ‘ଖିଳ ହରିବଂଶ’ର ପାଣ୍ଡୁଲିପି ମଧ୍ୟ ଦେଇଥିଲେ। ଏହି ସମ୍ପାଦନା କାର୍ଯ୍ୟରେ ବିଶିଷ୍ଟ ଅଭିଲେଖବିତ୍ ଲଲାଟେନ୍ଦୁ ଦାସ ମହାପାତ୍ର ସହଯୋଗ କରୁଥିଲେ। କିନ୍ତୁ ପରେ ଶ୍ରୀଯୁକ୍ତ ପଟ୍ଟନାୟକ ଏଗୁଡ଼ିକର ସମ୍ପାଦନା କରିବା ସହିତ ‘ଆତ୍ମଚରିତ’ ପୁସ୍ତକଟିକୁ ‘ଆମ ଓଡ଼ିଶା’ ସଂସ୍ଥା ଜରିଆରେ ପ୍ରକାଶ କରାଇବାକୁ ଚେଷ୍ଟିତ ଥିବା କଥା ଜାଣିପାରି ମିନାକ୍ଷୀ ଦତ୍ତ ତାଙ୍କ ବିରୋଧରେ ତଳ କୋର୍ଟରେ ଏକ ମାମଲା ଦାୟର କରିଥିଲେ। ଏହା ପୂର୍ବରୁ ନିଖିଳ ମୋହନ ପଟ୍ଟନାୟକଙ୍କ ନିକଟରେ ମଧ୍ୟ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସୂତ୍ରରୁ ସେହି ପାଣ୍ଡୁଲିପିଟି ପହଞ୍ଚିଥିଲା, ଯାହାର କିଛି ଅଂଶ ସେ ‘ସୃଜନିକା’ର ଓ୍ବେବସାଇଟ୍ରେ ପ୍ରକାଶ କରିଦେଇଥିଲେ; କିନ୍ତୁ ପରେ ଏଥିନେଇ ବିବାଦ ଦେଖା ଯିବାରୁ ସେ ତାହାକୁ ସେଠାରୁ ହଟାଇ ଦେଇଥିଲେ। ୨୦୨୧ ମସିହାରେ ଏ ସଂକ୍ରାନ୍ତରେ ଅଦାଲତଙ୍କ ରାୟ ପ୍ରକାଶ ପାଇଥିଲା ଏବଂ ପାଣ୍ଡୁଲିପିଟିକୁ ପ୍ରକାଶ ନ କରି ମୀନାକ୍ଷୀ ଦତ୍ତଙ୍କୁ ତାହା ଫେରସ୍ତ କରିଦେବାପାଇଁ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ କାଳରେ କଟକର ଜିଲ୍ଲା କୋର୍ଟରେ ଏହି ରାୟର ପୁନର୍ବିଚାର ପାଇଁ ଏକ ମାମଲା ଦାୟର ହୋଇଥିଲା, ଯାହା ଏବେ ବିଚାରାଧୀନ ଅଛି, କିନ୍ତୁ ଏହା ବିଶେଷ ବାଟ ଆଗେଇ ପାରିନାହିଁ।
ବିଶେଷ ସୂତ୍ରରୁ ଜଣାଯାଇଛି, ଏବେ ମୋହିନୀ ମୋହନ ସେନାପତିଙ୍କ ଦ୍ବାରା ପରିବର୍ତ୍ତିତ ହୋଇଥିବା ଫକୀରମୋହନଙ୍କ ଆତ୍ମଚରିତଟି ଯେଉଁ ରୂପରେ ବଜାରରେ ଉପଲବ୍ଧ ଅଛି, ସେଥିରେ ମୂଳ ପାଣ୍ଡୁଲିପିର ପ୍ରାୟ ୫୦ ପ୍ରତିଶତ ଭାଗ ସହିତ କୌଣସି ସାମ୍ୟ ନାହିଁ। ବିଶେଷତଃ ଫକୀର ମୋହନଙ୍କ କେନ୍ଦୁଝର ରହଣି ସମୟ ବିଷୟରେ ଥିବା ତଥ୍ୟକୁ କାଣ୍ଟଛାଣ୍ଟ କରାଯାଇଛି। ଫକୀରମୋହନ ନିଜର ଜୀବଦ୍ଦଶାରେ ନିଜ ଜୀବନାନୁଭୂତିକୁ ପ୍ରକୃତରେ କେଉଁ ଭାବରେ ଲେଖିଯାଇଛନ୍ତି ତାହା ଜାଣିବାର ଅଧିକାର ସମଗ୍ର ଓଡ଼ିଆ ଜାତିର ଅଛି। ଏ ଦୃଷ୍ଟିରୁ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସେହି ଅପ୍ରକାଶିତ ପାଣ୍ଡୁଲିପିଟିକୁ ନିଜ ଅକ୍ତିଆରକୁ ଆଣି ଓଡ଼ିଆ ସାହିତ୍ୟର ବୃହତ୍ତର ହିତ ଦୃଷ୍ଟିରୁ ଏହାକୁ ପ୍ରକାଶ କରାଇବାର ଆବଶ୍ୟକତା ଅଛି।
(ପ୍ରକାଶିତ: ୪ ଜୁଲାଇ, ୨୦୨୫)