ଭାଷା ଓ ସାହିତ୍ୟର ସମ୍ବାଦ:

ଓଡ଼ିଶା ସାହିତ୍ୟ ଏକାଡେମୀ ପାଳନ କଲା ‘ସମ୍ବିଧାନ ହତ୍ୟା ଦିବସ’

ଅଥଚ ନିଜେ ନିଜର ସମ୍ବିଧାନକୁ ମଧ୍ୟ ଜଳାଞ୍ଜଳି ଦେଇଛି ଏକାଡେମୀ

ଓଡ଼ିଶା ସାହିତ୍ୟ ଏକାଡେମୀ ନିଜର ମୂଳ ଆଭିମୂଖ୍ୟ, ଅର୍ଥାତ୍ ଓଡ଼ିଆ ସାହିତ୍ୟର ସେବା ଓ ସମୃଦ୍ଧିରୁ ବିଚ୍ୟୁତ ହୋଇ ବର୍ତ୍ତମାନ ରାଜନୈତିକ ବିଚାରଧାରା ଉପରେ ଆଧାରିତ ସଭାସମିତିଗୁଡ଼ିକରେ ମନୋନିବେଶ କରିବା ଦେଖାଦେଇଛି। ଜୁନ୍ ୨୫ ତାରିଖ ଦିନ ଓଡ଼ିଶା ସାହିତ୍ୟ ଏକାଡେମୀ ରାଜ୍ୟ ସଂଗ୍ରହାଳୟର ମିଳିତ ସହଯୋଗରେ ପାଳନ କରିଛି ‘ସମ୍ଵିଧାନ ହତ୍ୟା ଦିବସ’।
ଏହି ଉପଲକ୍ଷେ ସଭାର ମଞ୍ଚମଣ୍ଡନ କରିବା ପାଇଁ ଯେଉଁମାନଙ୍କ ନାମ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଥିଲା, ସେମାନଙ୍କ ମଧ୍ୟରେ ଥିଲେ ବିଶିଷ୍ଟ ସାହିତ୍ୟିକ ଓ ସମାଜସେବୀ ଜଗଦୀଶ ପଟ୍ଟନାୟକ, ସୁଲେଖକ ସରୋଜ ମିତ୍ର, ପ୍ରାକ୍ତନ କମିଶନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଶିଷ୍ଟ ସାହିତ୍ୟିକ ଭୁବନାନନ୍ଦ ତ୍ରିପାଠୀ, ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାରତୀ ପାଲ, ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଧର ଦାଶ, ପ୍ରଫେସର ଅରୁଣ କୁମାର ଦାଶ, ସଂସ୍କୃତି ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାସ ତଥା ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା।
ତେବେ ୧୯୭୫ ମସିହା ଜୁନ୍ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ଵାରା ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ବିରୋଧ ଏକ ରାଜନୈତିକ ପ୍ରସଙ୍ଗ ହୋଇଥିବା ସତ୍ତ୍ବେ ରାଜ୍ୟ ସରକାର କାହିଁକି ଏହାକୁ ଓଡ଼ିଶା ସାହିତ୍ୟ ଏକାଡେମୀର ବ୍ୟାନର୍‌ରେ ପାଳନ କରିବାକୁ ନିଷ୍ପତ୍ତି ନେଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣେ ଓଡ଼ିଶା ସାହିତ୍ୟ ଏକାଡେମୀ ମଧ୍ୟ ଗତ କିଛି ବର୍ଷ ହେଲା ସ୍ବୟଂ ନିଜର ସମ୍ବିଧାନକୁ ଜଳାଞ୍ଜଳି ଦେଇସାରିଲାଣି। ଏକାଡେମୀର ସାଧାରଣ ପରିଷଦର କାର୍ଯ୍ୟକାଳ ୨୦୨୩ ମସିହାରୁ ଶେଷ ହୋଇଥିଲେ ହେଁ, ଅନୁଷ୍ଠାନର ସମ୍ବିଧାନ ଅନୁସାରେ ନୂତନ ସାଧାରଣ ପରିଷଦର ଗଠନ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିପରି ୨୦୨୪ ମସିହାରୁ ସଭାପତି ଓ ଉପସଭାପତିଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ହେଁ ନୂତନ ପଦାଧିକାରୀମାନଙ୍କୁ ନିଯୁକ୍ତ କରାଯାଇନାହିଁ। ଫଳରେ ଏକାଡେମୀର ଅନେକ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି।
ଏଣେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ଏକ ରାଜନୈତିକ ପ୍ରକୃତିର ସଭା ଆୟୋଜିତ ହୋଇଥିବାରୁ ସାମାଜିକ ଗଣମାଧ୍ୟମରେ ଅନେକ ଲେଖକ ଓ ସାହିତ୍ୟପ୍ରେମୀ ଏଥିନେଇ କ୍ଷୋଭ ପ୍ରକାଶ କରିଛନ୍ତି।
(ପ୍ରକାଶିତ: ୨୫ ଜୁନ୍, ୨୦୨୬)

ଦୁଇ ବର୍ଷ ତଳେ ଓଡ଼ିଆ ସାହିତ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଏବେ ପାଣିର ଗାର

ସରକାରଙ୍କ ପ୍ରାଥମିକତାରେ ନାହିଁ ଭାଷା ଓ ସାହିତ୍ୟ

ଆଜି ଯେତେବେଳେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତିର ଉତ୍ସବ ପାଳନ କରାଯାଉଛି, ଦୁଇ ବର୍ଷ ତଳେ ନିର୍ବାଚନରେ ବିଜୟୀ ହୋଇ କ୍ଷମତାକୁ ଆସିବା ପରେ ପ୍ରଥମ ଦିନ ହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରସଙ୍ଗରେ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକ ଏବେ ସୁଦ୍ଧା ପାଳନ କରାଯାଇନାହିଁ। ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ନେବାପରେ ଯେତେବେଳେ ସେ ଲୋକସେବା ଭବନରେ ତାଙ୍କର ନବନିର୍ମିତ କୋଠରୀ ଭିତରକୁ ପ୍ରଥମ ଥର ପାଇଁ ପ୍ରବେଶ କଲେ, ସେହିଦିନ ପ୍ରଥମ କରି ସେ ଯେଉଁ ଘୋଷଣାଗୁଡ଼ିକ କରିଥିଲେ ସେଥିର ଶୀର୍ଷରେ ସ୍ଥାନ ପାଇଥିଲା ଓଡ଼ିଆ ଭାଷା ଓ ସାହିତ୍ୟର ବିଷୟ। ସେଦିନ ସେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଯେ ଓଡ଼ିଆ ସାହିତ୍ୟର ସୃଷ୍ଟିଗୁଡ଼ିକୁ ଅନ୍ୟ ଭାଷାଭାଷୀଙ୍କ ମଧ୍ୟରେ ପ୍ରସାର କରିବା ପାଇଁ ଭୁବନେଶ୍ବରରେ ସରକାରଙ୍କ ଦ୍ବାରା ଗୋଟିଏ ‘ଅନୁବାଦ ଏକାଡେମୀ’ ସ୍ଥାପନ କରାଯିବ। ଏହା ବ୍ୟତୀତ ସାହିତ୍ୟ ସମ୍ପର୍କିତ ତାଙ୍କର ଅନ୍ୟ ଘୋଷଣାଗୁଡ଼ିକ ମଧ୍ୟରେ ଥିଲା ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ ଏବଂ ଓଡ଼ିଆ ଭାଷାର ଉନ୍ନତି ପାଇଁ ଏକ ଭାଷା କମିଶନ୍‌ର ଗଠନ। କିନ୍ତୁ ଇତି ମଧ୍ୟରେ ଦୁଇ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ସେଥିମଧ୍ୟରୁ କୌଣସିଟି ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇନାହିଁ।
ଦୁଇ ବର୍ଷ ତଳେ ନିଜର କାର୍ଯ୍ୟାଳୟ ପ୍ରବେଶ ଉପଲକ୍ଷେ ମୁଖ୍ୟମନ୍ତ୍ରୀ କରିଥିବା ଏହି ଘୋଷଣାଗୁଡ଼ିକ ସେତେବେଳେ ରାଜ୍ୟ ଓ ଦେଶର ବିଭିନ୍ନ ଖବରକାଗଜ ତଥା ଅନ୍ୟାନ୍ୟ ଗଣମାଧ୍ୟମରେ ବଡ଼ ବଡ଼ ଶିରୋନାମାରେ ପ୍ରକାଶିତ ହୋଇଥିଲା ଯାହାକୁ ଦେଖି ରାଜ୍ୟର ଭାଷା ଓ ସାହିତ୍ୟପ୍ରେମୀଗଣ ଅନ୍ତତଃ ଆଶ୍ବସ୍ତ ହୋଇଥିଲେ ଯେ ଓଡ଼ିଆ ଅସ୍ମିତାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ଏହି ନୂଆ ସରକାର ନିଶ୍ଚିତ ଭାବରେ ନିଜର ଏହି ପ୍ରତିଶ୍ରୁତି ରକ୍ଷା କରିବେ। କିନ୍ତୁ ଏହି ଘୋଷଣା ଯେ କେବଳ ପାଣିର ଗାର ଥିଲା, ତାହା ଏବେ ଜଳଜଳ ହୋଇ ଦିଶୁଛି। ନା ସ୍ଥାପନ କରାଯାଇଛି ଅନୁବାଦ ଏକାଡେମୀ, ନା ହୋଇଛି ଓଡ଼ିଶା ସାହିତ୍ୟ ଏକାଡେମୀ ବା ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ, ନା ସ୍ଥାପନ କରାଯାଇପାରିଛି ଭାଷା କମିଶନ୍। ଏଥିରୁ ଯାହା ଜଣାପଡ଼େ, ଆମର ଭାଷା ଓ ସାହିତ୍ୟର ସମସ୍ୟାବଳୀ ଏବେ ରାଜ୍ୟ ସରକାରଙ୍କ ପ୍ରାଥମିକତାରେ ନାହିଁ।
(ପ୍ରକାଶିତ: ୧୮ ଜୁନ୍, ୨୦୨୬)

ଜଗନ୍ନାଥ ପ୍ରସାଦଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣକଲା ପୋଏଟ୍ରି ସୋସାଇଟି ଅଫ୍ ଇଣ୍ଡିଆ

୧୪ ବର୍ଷ କାଳ ଅନୁଷ୍ଠାନର ସଭାପତି ଥିଲେ ଜେ.ପି

ଭାରତୀୟ କବିତା ଜଗତର ସୁବିଖ୍ୟାତ ଅନୁଷ୍ଠାନ ‘ପୋଏଟ୍ରି ସୋସାଇଟି ଅଫ୍ ଇଣ୍ଡିଆ’ ପକ୍ଷରୁ ଜୁନ୍ ୧୧ ତାରିଖ ଦିନ ଆୟୋଜିତ ଏକ ଆଭାସୀ ସଭାରେ ଦିବଂଗତ କବି ଜଗନ୍ନାଥ ପ୍ରସାଦ ଦାସଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପ୍ରକାଶ ଥାଉ କି ଏକଦା ଦୀର୍ଘ ୧୪ ବର୍ଷ ଧରି କବି ଜଗନ୍ନାଥ ପ୍ରସାଦ ଦାସ ଏହି ସର୍ବଭାରତୀୟ ସାରସ୍ବତ ଅନୁଷ୍ଠାନର ସଭାପତି ଭାବରେ ଦାୟିତ୍ବ ନିର୍ବାହ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପୋଏଟ୍ରି ସୋସାଇଟି ଅଫ୍ ଇଣ୍ଡିଆର ସଭାପତି କେ.ଜୟକୁମାର, ଉପସଭାପତି ଲକ୍ଷ୍ମୀ କାନନ ଓ କାର୍ଯ୍ୟକାରୀ ସଦସ୍ୟଗଣ ଟି.ପି.ଏସ୍ ରଚନା ଯୋଶୀ ତଥା ସଂଜୁଳା ଶର୍ମା ପରଲୋକଗତ କବିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ବିଶିଷ୍ଟ ଓଡ଼ିଆ ସାରସ୍ବତ ସ୍ରଷ୍ଟା ସୁମନ୍ୟୁ ଶତପଥୀ, ଅମରେନ୍ଦ୍ର ଖଟୁଆ, ଯତିନ ଦାସ ଓ ଜୟଶ୍ରୀ ମିଶ୍ର ତ୍ରିପାଠୀ ମଧ୍ୟ ଏହି ଅବସରରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ଉଷା ମୁଜୋ ମୁନ୍‌ସି ଓ ସବିତା ସିଂହ ପ୍ରମୁଖ ଜଗନ୍ନାଥ ପ୍ରସାଦ ଦାସଙ୍କ ଅମର ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମଟିର ପରିଚାଳନା କରିଥିଲେ ଅନୁଷ୍ଠାନର ସମ୍ପାଦିକା ମନ୍ଦିରା ଘୋଷ। ଏହି ଅବସରରେ ଜଗନ୍ନାଥ ପ୍ରସାଦ ଦାସଙ୍କର କେତେକ କାଳଜୟୀ କୃତିର କିଛି ଅଂଶ ମଧ୍ୟ ପାଠ କରାଯାଇଥିଲା।
(ପ୍ରକାଶିତ: ୧୧ ଜୁନ୍, ୨୦୨୬)

ଚାଲିଗଲେ ସ୍ବନାମଧନ୍ୟ ଲେଖକ ଜଗନ୍ନାଥ ପ୍ରସାଦ ଦାସ

ଅନ୍ତର୍ହିତ ହେଲା ସାହିତ୍ୟ ଜଗତର ଉଜ୍ଜ୍ୱଳ ନକ୍ଷତ୍ର

ପ୍ରଥିତଯଶା ଲେଖକ ଜଗନ୍ନାଥ ପ୍ରସାଦ ଦାସ ଜୁନ୍ ଚାରି ତାରିଖ ଦିନ ଅତି ପ୍ରତ୍ୟୁଷରେ ଭୁବନେଶ୍ବରଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତା’ଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତାଙ୍କର ସହଧର୍ମିଣୀ ମିତ୍ରା ଦାସ ତାଙ୍କର ଶେଷ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ସେ କିଛି ବର୍ଷ ଧରି ଭୁବନେଶ୍ବରର ସୂର୍ଯ୍ୟନଗରଠାରେ ଥିବା ନିଜର ବାସଭବନରେ ଅସୁସ୍ଥ ଭାବରେ ରହି ଚିକିତ୍ସାଧୀନ ଥିଲେ। ସ୍ଵାସ୍ଥ୍ୟଗତ ସ୍ଥିତି କାରଣରୁ ସେ ଗତ କିଛି ବର୍ଷ ହେଲା ସାର୍ବଜନିକ ଜୀବନରୁ ନିଜକୁ ଦୂରେଇ ରଖୁଥିଲେ ଏବଂ କାହାରି ସହିତ ଦେଖାସାକ୍ଷାତ ନ କରି ଏକାନ୍ତ ରହିବାକୁ ପସନ୍ଦ କରୁଥିଲେ। ତାଙ୍କର ଇଛାକୁ ସମ୍ମାନ ଜଣାଇ ତାଙ୍କର ଶରୀରକୁ ଡାକ୍ତରୀ ଗବେଷଣା ପାଇଁ ଦାନ କରିଦିଆଯିବ ବୋଲି ଜଣାଯାଇଛି।
ଓଡ଼ିଆ ସାହିତ୍ୟ ଜଗତର ଜଣେ ଅଗ୍ରଗଣ୍ୟ ସ୍ରଷ୍ଟା ଭାବରେ ସେ ସବୁରି ସମ୍ମାନଭାଜନ ହୋଇପାରିଥିଲେ। ‘ଜେ.ପି’ ଭାବରେ ସେ ସମସ୍ତଙ୍କ ନିକଟରେ ସୁପରିଚିତ ଥିଲେ। ସେ ଥିଲେ ବିଶିଷ୍ଟ ବ୍ୟାକରଣବିତ୍ ଶ୍ରୀଧର ଦାସଙ୍କର ତୃତୀୟ ସନ୍ତାନ। ଆଲାହାବାଦ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ୍)ରେ ଯୋଗ ଦେଇଥିଲେ। କିନ୍ତୁ ସାହିତ୍ୟ ସାଧନା ପାଇଁ ନିଜକୁ ପୂର୍ଣ୍ଣକାଳ ସମର୍ପଣ କରିବାର ଉଦ୍ଦେଶ୍ୟ ନେଇ ସେ ୧୯୮୪ ମସିହାରେ ସେହି ସେବାରୁ ଇସ୍ତଫା ଦେଇଥିଲେ। ସେ ସରସ୍ବତୀ ସମ୍ମାନ, ଶାରଳା ପୁରସ୍କାର, କେନ୍ଦ୍ର ତଥା ରାଜ୍ୟ ସାହିତ୍ୟ ଏକାଡେ଼ମୀ ପୁରସ୍କାର ଓ ବିଷୁବ ପୁରସ୍କାର ଭଳି ଅନେକ ମର୍ଯ୍ୟାଦାଜନକ ସମ୍ମାନରେ ବିଭୂଷିତ ହୋଇଥିଲେ। ତାଙ୍କ ଦ୍ଵାରା ରଚିତ ଐତିହାସିକ ଉପନ୍ୟାସ ‘ସ୍ଥାନ କାଳ ପାତ୍ର’ ଓଡ଼ିଆ ସାହିତ୍ୟର ଏକ ଅମର କୃତି। ଏହା ବ୍ୟତୀତ ତାଙ୍କର ବହୁସଂଖ୍ୟକ ଗଳ୍ପ ଓ କବିତା ସଂକଳନ, ନାଟକ ତଥା ଉପନ୍ୟାସ ମଧ୍ୟ ପ୍ରକାଶ ପାଇଛି। ଓଡ଼ିଆ ଶିଶୁସାହିତ୍ୟକୁ ମଧ୍ୟ ତାଙ୍କର ମୂଲ୍ୟବାନ ଅବଦାନ ରହିଥିଲା।
‘ଜେ.ପି’ଙ୍କର ମହାପ୍ରୟାଣ ଓଡିଶାର ସାହିତ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳାଇଦେଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ ସାହିତ୍ୟର ପ୍ରତ୍ୟେକ ବିଭାଗରେ ନିଜର ସୃଜନଶୀଳତାର ସ୍ୱତନ୍ତ୍ର ଛାପ ଛାଡିଯାଇଥିବା ଜେ.ପି. ଦାସଙ୍କ ବିୟୋଗ ଆମର ସାରସ୍ୱତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
(ପ୍ରକାଶିତ: ୪ ଜୁନ୍, ୨୦୨୬)

ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ନୂଆ ଡିଜିଟାଲ ରୂପ ଦେବାରେ ସାନୁଜିତ ପୁହାଣଙ୍କ ଅପୂର୍ବ ସଫଳତା

ନିଖିଳ ମୋହନ ପଟ୍ଟନାୟକଙ୍କ ସହିତ କାର୍ଯ୍ୟରତ ସ୍ବିଡେନ୍‌ ଦେଶର ସାନୁଜିତ୍ ପୁହାଣ

ପୂର୍ଣ୍ଣଚନ୍ଦ୍ର ଚନ୍ଦ୍ର ଭାଷାକୋଷ ଓଡ଼ିଆ ଶବ୍ଦ ଭଣ୍ଡାରର ଏକ ପ୍ରାମାଣିକ ଗ୍ରନ୍ଥ ଭାବରେ ସମସ୍ତ ଓଡ଼ିଆ ଭାଷାପ୍ରେମୀଙ୍କ ପାଇଁ ବେଶ୍ ଉପଯୋଗୀ ହୋଇପାରିଛି। ଆମ ଭାଷା ଓ ସାହିତ୍ୟର ସୁବିଖ୍ୟାତ ସାଧକ ଗୋପାଳ ଚନ୍ଦ୍ର ପ୍ରହରାଜ ୩୦ରୁ ଅଧିକ ବର୍ଷକାଳ ନିଜର ପ୍ରୟାସ ବଳରେ ପ୍ରାୟ ୯୦ ବର୍ଷ ତଳେ ୧,୮୫,୦୦୦ ଶବ୍ଦ ବିଶିଷ୍ଟ ଏହି ବିଶାଳ ଭାଷାକୋଷର ସଂକଳନ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଭାଷାକୋଷକୁ ଇଣ୍ଟରନେଟ୍ ଜରିଆରେ ଘରେଘରେ ପହଞ୍ଚାଇବା ପାଇଁ ବରିଷ୍ଠ ବୈଜ୍ଞାନିକ ଓ ଭାଷାପ୍ରେମୀ ନିଖିଳ ମୋହନ ପଟ୍ଟନାୟକଙ୍କ ନେତୃତ୍ବରେ ପରିଚାଳିତ ‘ସୃଜନିକା’ ଅନୁଷ୍ଠାନ ତଥା ଆମେରିକାସ୍ଥିତ ଚିକାଗୋ ବିଶ୍ୱବିଦ୍ୟାଳୟର ବିଶେଷ ଭୂମିକା ରହିଛି। ଏଥିନିମନ୍ତେ ‘ସୃଜନିକା’କୁ ବୈଷୟିକ ଜ୍ଞାନ କୌଶଳ ଯୋଗାଇଦେଇ ଓଡ଼ିଆ ଜାତିର ଏହି ବହୁ ଉପଯୋଗୀ କାର୍ଯ୍ୟଟିକୁ ସଫଳ କରିବାକୁ ସ୍ବେଚ୍ଛାରେ ଆଗେଇ ଆସିଛନ୍ତି ସ୍ବିଡେନ୍‌ ଦେଶର ଅଗ୍ରଣୀ ସଫ୍ଟଓୟାର୍ ଇଂଜିନିୟର ସାନୁଜିତ୍ ପୁହାଣ।
ଜଣେ ଦକ୍ଷ ସଫ୍ଟଓୟାର୍ ଇଂଜିନିୟର ଭାବରେ ୟୁରୋପର ଅନେକ ଦେଶରେ କାର୍ଯ୍ୟ କରିଥିବା ସାନୁଜିତ ପୁହାଣ ଓଡ଼ିଆ ଭାଷାର ଅନଲାଇନ୍ ଉପସ୍ଥିତି ସମ୍ଭବ କରାଇବାର ବ୍ରତରେ ନିଜକୁ ସମର୍ପଣ କରିଛନ୍ତି। ସେ ଏବେ ଗୁଗୁଲ୍ କ୍ରୋମ୍ ବ୍ରାଉଜର ସହିତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଯୋଡ଼ିବାର ସୁବିଧା ଲାଗୁ କରିପାରିଛନ୍ତି। ଏହା ଫଳରେ ବର୍ତ୍ତମାନ କେହି ଚାହିଲେ ଗୁଗୁଲ୍ ଓ୍ବେବ୍ ବ୍ରାଉଜରରେ ଏହି ଭାଷାକୋଷକୁ ସଂଯୋଗ କରି ଯେ କୌଣସି ଓ୍ବେବ୍‌ସାଇଟ୍‌ରେ ଓଡ଼ିଆ ଶବ୍ଦ ଥିଲେ ତାହାର ଅର୍ଥ ସହଜରେ ଜାଣିପାରିବେ। ଏହା ପୂର୍ବରୁ ୨୦୨୪ ମସିହାରେ ସାନୁଜିତ ପୁହାଣ ଓଡ଼ିଆ ଭାଷାକୋଷର ସୁଚାରୁ ବ୍ୟବହାର ପାଇଁ ଏକ ‘ଆପ୍’ ମଧ୍ୟ ପ୍ରସ୍ତୁତ କରିଥିଲେ। ବର୍ତ୍ତମାନ ସେ ଓଡ଼ିଆ ଭାଷାରେ ଓ.ସି.ଆର୍ (ଅପ୍‌ଟିକାଲ୍ କାରାକ୍ଟର ରିଡିଂ)ର ସୁବିଧା ବିକଶିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ‘ସୃଜନିକା’ ଅନୁଷ୍ଠାନରେ ଶ୍ରୀ ପୁହାଣଙ୍କ ବୈଷୟିକ ସହଯୋଗ ସହିତ ଓଡ଼ିଆ ଭାଷାର ଡିଜିଟାଇଜେସନ୍‌ ଅଭିଯାନରେ ସାମିଲ ଅଛନ୍ତି ନିଖିଳ ମୋହନ ପଟ୍ଟନାୟକ, ତାଙ୍କର ସହଧର୍ମିଣୀ ପୁଷ୍ପଶ୍ରୀ ପଟ୍ଟନାୟକ, ଜୀବନ ପଣ୍ଡା, ଅଜିତ କୁମାର ନାୟକ ତଥା ଟିମ୍‌ର ଅନ୍ୟ ସଦସ୍ୟମାନେ।
(ପ୍ରକାଶିତ: ୨୭ ମଇ, ୨୦୨୬)

ପରଲୋକରେ ବିଶିଷ୍ଟ ସାହିତ୍ୟ-ଗବେଷକ କୁମୁଦ ଚନ୍ଦ୍ର ଦାଶ

ଚାଲିଗଲେ ଓଡ଼ିଆ ସାହିତ୍ୟର ଜଣେ ସମର୍ପିତ ସାଧକ

ପ୍ରଖ୍ୟାତ କବି ଓ ସାହିତ୍ୟ-ସମାଲୋଚକ କୁମୁଦ ଚନ୍ଦ୍ର ଦାଶ ମଇ ୧୭ ତାରିଖ ରାତିରେ ଅନୁଗୁଳଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତା’ଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ମସ୍ତିଷ୍କର ଟ୍ୟୁମର୍ ଜନିତ ବ୍ୟାଧିରେ ପୀଡ଼ିତ ଥାଇ ସେ ସେ ଗତ କିଛି ମାସ ଧରି ଚିକିତ୍ସାଧୀନ ଥିଲେ।
ଓଡ଼ିଆ କବିତାର ବିଶ୍ଳେଷଣ ଓ ପରିଚର୍ଚ୍ଚା କ୍ଷେତ୍ରରେ ସେ ଜଣେ ଅଗ୍ରଣୀ ବିଦ୍ୱାନ ତଥା ଗବେଷକ ଥିଲେ। ୭ ଜୁନ୍, ୧୯୫୩ରେ ଅନୁଗୁଳ ନିକଟବର୍ତ୍ତୀ ସୋମନାଥପୁର ଶାସନରେ ସେ ଜନ୍ମଗ୍ରହଣ କରିଥିଲେ। ଭୁବନେଶ୍ବରର ବାଣୀବିହାରରୁ ଓଡ଼ିଆ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ୧୯୭୮ମସିହାରୁ ସେ ବିଭିନ୍ନ କଲେଜରେ ଅଧ୍ୟାପନା କରିଥିଲେ। ଅବସର ନେବା ପରେ ସେ ଅନୁଗୁଳରେ ରହୁଥିଲେ। ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦର ସେ ସଭାପତି ଥିଲେ। ରାଧାମୋହନ ଗଡ଼ନାୟକଙ୍କ କାବ୍ୟକୃତି ଉପରେ ତାଙ୍କର ବିଶେଷ ଗବେଷଣା ଥିଲା। ଗଡ଼ନାୟକଙ୍କ କୃତ ‘ଗୀତଗୋବିନ୍ଦ’ର ଅନୁବାଦରେ ସେ ସମ୍ପାଦନାର ଭୂମିକା ତୁଲାଇଥିଲେ। ‘ଇସ୍ତାହାର’ ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସେ ବହୁଦିନ ଧରି ସଂପୃକ୍ତ ଥିଲେ। ଆଧୁନିକ ଓଡ଼ିଆ କବିତାର ଛନ୍ଦ, ରସବୋଧ ଓ ଶୈଳୀ ସମ୍ପର୍କରେ ସେ ଅନେକ ପ୍ରଣିଧାନଯୋଗ୍ୟ ପ୍ରବନ୍ଧ ରଚନା କରିଛନ୍ତି। ‘ଓଡ଼ିଆ କବିତାର ଦିଗଦିଗନ୍ତ’ ସଂକଳନରେ ଏ ସମ୍ପର୍କରେ ତାଙ୍କର ଏକ ତାତ୍ତ୍ବିକ ପ୍ରବନ୍ଧ ପ୍ରକାଶପାଇ ବହୁଚର୍ଚ୍ଚିତ ହୋଇଥିଲା। ‘ଓଡ଼ିଆ ଗବେଷଣା ପରିଷଦ’ର ସେ ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଥିଲେ। ୧୯୭୬ ମସିହାରେ ‘ମୁହୂର୍ତ୍ତ ଓ ଅନ୍ୟ ପୃଥିବୀ’ ନାମକ ତାଙ୍କର ପ୍ରଥମ କବିତା ପୁସ୍ତକ ପ୍ରକାଶ ପାଇଥିଲା। ଏହାପରେ ୨୦୦୪ରେ ‘ଶବ୍ଦାନ୍ତର’ ନାମରେ ତାଙ୍କର ଆଉଏକ କବିତା ପୁସ୍ତକ ମଧ୍ୟ ପ୍ରକାଶ ପାଇଥିଲା। ଓଡ଼ିଆ କବିତାର ସୁଗଭୀର ବିଚାରବିମର୍ଶ ଉପରେ ଆଧାରିତ ତା’ଙ୍କର ‘କାବ୍ଯାଲୋକ’ ନାମକ ଏକ ଆଲୋଚନା ଗ୍ରନ୍ଥ ପ୍ରକାଶ ପାଇଥିଲା ୨୦୦୯ ମସିହାରେ। ଏହା ବ୍ୟତୀତ ସେ ଅନ୍ୟ ବହୁ ପୁସ୍ତକର ମଧ୍ୟ ପ୍ରଣେତା ଥିଲେ। ସାହିତ୍ୟ ପ୍ରତି ତାଙ୍କର ପ୍ରଗାଢ଼ ଅନୁରକ୍ତି ଥିଲା। ଦୁଇମାସ ତଳେ ନିଜର ଚିକିତ୍ସା ପାଇଁ ଆମ୍ବୁଲାନ୍‌ସ୍ ଯୋଗେ ଭୁବନେଶ୍ବର ଆସିଥିବା ବେଳେ ସେ ସେଠାରୁ ଅନେକ ଗୁଡ଼ିଏ ସାହିତ୍ୟ ପୁସ୍ତକ କିଣି ସଙ୍ଗରେ ନେବାକୁ ଭୁଲି ନ ଥିଲେ ଏବଂ ଜୀବନର ଅନ୍ତିମ ଦିନଗୁଡ଼ିକରେ ରୋଗଶଯ୍ୟାରେ ଥାଇ ମଧ୍ୟ ନିଜର ଅଧ୍ୟୟନ ଜାରି ରଖିଥିଲେ। ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ଅବଦାନ ସଦା ସ୍ମରଣୀୟ ହୋଇ ରହିବ।
(ପ୍ରକାଶିତ: ୧୮ ମଇ, ୨୦୨୬)

ଶାନ୍ତନୁ ଆଚାର୍ଯ୍ୟଙ୍କ ଜନ୍ମଦିବସରେ ଆଲୋଚନା ସଭା: ‘ମୋ ଜୀବନ: ଅନ୍ୟ ଏକ ଉପନ୍ୟାସ’

ଆତ୍ମଜୀବନୀର ସର୍ଜନଶୀଳତା ବିଷୟରେ ବିମର୍ଶ

ପ୍ରଥିତଯଶା କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ୯୪ତମ ଜନ୍ମ ଦିବସ ଉପଲକ୍ଷେ ମଇ ୧୫ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରର ବୁଦ୍ଧମନ୍ଦିର ସଭାଗାରରେ ‘ମୋ ଜୀବନ: ଅନ୍ୟ ଏକ ଉପନ୍ୟାସ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏକ ସୃଜନଶୀଳ ସାହିତ୍ୟ ଭାବରେ ଆତ୍ମଜୀବନୀର ଭୂମିକା ବିଷୟରେ ମଧ୍ୟ ବିଶିଷ୍ଟ ବକ୍ତାମାନେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମଟିର ଆୟୋଜକ ଥିଲେ ‘ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଫାଉଣ୍ଡେସନ୍ ଟ୍ରଷ୍ଟ’।
ସର୍ବପ୍ରଥମେ ଆଲୋଚନା ଆରମ୍ଭ କରି ଶାନ୍ତନୁ କୁମାର ଆଚାର୍ଯ୍ୟ କହିଲେ ଯେ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କର ଆତ୍ମଜୀବନୀ ଲେଖିବା ବା କହିବା ପାଇଁ କ୍ଷମତା ଅଛି। ନିଜ ଘଟଣାବହୁଳ ଜୀବନର କେତେକ ଉଦାହରଣ ଦେଇ ସେ କହିଥିଲେ ଯେ ବିଭିନ୍ନ ପ୍ରତିବନ୍ଧକକୁ ଖାତିର‌ ନ କରି ସେ ସାହିତ୍ୟ ରଚନାରେ ମଗ୍ନ ରହିବାକୁ ସମର୍ଥ ହୋଇଥିଲେ। ବିଶିଷ୍ଟ ସାହିତ୍ୟିକ ପ୍ରଫୁଲ୍ଲ କୁମାର ମହାନ୍ତି କହିଲେ ଯେ ଓଡ଼ିଆ ଜୀବନୀ-ସାହିତ୍ୟ ହେଉଛି ଏକ ସୃଜନଶୀଳ ସା‌ହିତ୍ୟ। ସେ ଗଳ୍ପ ହେଉ, କବିତା ଅବା ଉପନ୍ୟାସ, ସେଥିରେ ଲେଖକଙ୍କର ଆତ୍ମଜୀବନର ବିବିଧ ଦିଗ ପ୍ରତିଫଳିତ ହେବାକୁ ବାଧ୍ୟ। ବର୍ଷୀୟାନ ସମାଲୋଚକ ବୈଷ୍ଣବ ଚରଣ ସାମଲ କହିଲେ ଯେ ସଙ୍କଟ-ଚେତନାରୁ ଜିଜ୍ଞାସା ସୃଷ୍ଟିହୁଏ ଏବଂ ଏହା ହିଁ ଆତ୍ମ-ଉପଲବ୍ଧି ଆଡ଼କୁ ବାଟ କଢ଼ାଇଥାଏ, ଯାହା ହେଉଛି ଆତ୍ମଜୀବନୀର ମୂଳଦୁଆ।
ଏହି ଅବସରରେ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଆତ୍ମଜୀବନୀ ‘ମୋ ଜୀବନ: ଅନ୍ୟ ଏକ ଉପନ୍ୟାସ’ର ଇଂରାଜୀ ଅନୁବାଦ ମଧ୍ୟ ଲୋକାର୍ପିତ ହୋଇଥିଲା। ଏହାର ଅନୁବାଦକ ଜଗନ୍ନାଥ ଦାଶ କହିଲେ ଯେ ଏହା ଏକ ଜୀବନର ସରଳରୈଖିକ ଧାରାବିବରଣୀ ନୁହଁ, ବରଂ ତାହାଠାରୁ ଗଭୀରତର ଆଉ କିଛି। ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଉପନ୍ୟାସ-ସାହିତ୍ୟ ସମ୍ପର୍କରେ ଏକ ଆଲୋଚନା ପୁସ୍ତକର ଲେଖକ ସନ୍ତୋଷ କୁମାର ତ୍ରିପାଠୀ ତାଙ୍କର ଉପନ୍ୟାସ, ବିଶେଷତଃ ‘ନରକିନ୍ନର’ର ଏକ ବିବେଚନା ଉପସ୍ଥାପନ କରିଥିଲେ। ବିଶିଷ୍ଟ ଅନୁବାଦକ ଗଙ୍ଗାଧର ମିଶ୍ର ମଧ୍ୟ ଏହି ସଭାରେ ନିଜର ଭାବନା ପ୍ରକାଶ କରିଥିଲେ। ଏହି ଅବସରରେ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ତଥା ବିଶିଷ୍ଟ ଅନୁବାଦିକା ନିରୁପମା ଆଚାର୍ଯ୍ୟ ଓ ଏହି ଟ୍ରଷ୍ଟର ସଭାପତି ଇତି ସାମନ୍ତ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ।
ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ଓ କଥାକାର ବିବୁ ଦାସ ଏକ ମାର୍ମିକ ଗୀତ “ଆଉ ନ ବଜା, ନ ବଜା, ଶ୍ୟାମଘନ ହେ” ପରିବେଷଣ କରିଥିଲେ। ସୁଗାୟିକା ସ୍ବର୍ଣ୍ଣଲତା ପାଣି ମଧ୍ୟ ଏକ ମଧୁର ଜଗନ୍ନାଥ ଜଣାଣ ପ୍ରସ୍ତୁତ କରିଥିଲେ। ସମ୍ପାଦିକା ପ୍ରତିଭା ପଣ୍ଡା ଅନୁଷ୍ଠାନ ସମ୍ପର୍କରେ ବିବରଣୀ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମଟିର ସଂଯୋଜନା କରିଥିଲେ ବିଶିଷ୍ଟ ପ୍ରକାଶକ ବନୋଜ ତ୍ରିପାଠୀ।
(ପ୍ରକାଶିତ: ୧୫ ମଇ, ୨୦୨୬)

ଓଡ଼ିଆ ପକ୍ଷର ଅନ୍ୟତମ ଧୂଆଁବାଣ: ଓଡ଼ିଆରେ ନାମଫଳକ ଲେଖା ଅଭିଯାନ

ସବୁଆଡେ ଦିଶୁଛି ଅଣଓଡ଼ିଆ ସାଇନ୍‌ବୋର୍ଡ

ରାଜ୍ୟ ସରକାର ଘୋଷଣା କରିଥିବା ୧୫-ଦିନିଆ ତଥାକଥିତ ‘ଓଡ଼ିଆ ପକ୍ଷ’ କାର୍ଯ୍ୟକ୍ରମର ଚତୁର୍ଥ ଦିବସ ଅର୍ଥାତ୍ ଏପ୍ରିଲ ୪ ତାରିଖରେ ପାଳନ କରାଯାଉଛି ‘ଓଡ଼ିଆରେ ନାମଫଳକ ଲେଖା ଅଭିଯାନ’। କିନ୍ତୁ ତଳେଇ କରି ଦେଖିଲେ ଜଣାଯାଏ ଯେ ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ନାମଫଳକରେ ଇଂରାଜୀ ଓ ହିନ୍ଦୀ ଭଳି ଭାଷାଗୁଡ଼ିକ ବ୍ୟତୀତ ଓଡ଼ିଆ ଭାଷାରେ ମଧ୍ୟ ସମ୍ମାନଜନକ ଭାବରେ ଲେଖାଯିବା ପାଇଁ ବିହିତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କର କୌଣସି ଆନ୍ତରିକତା ନାହିଁ। କେବଳ ସଭାସମିତି, ପ୍ରଚାର, ଉତ୍ସବ ତଥା ଓଡ଼ିଆ ପକ୍ଷ ନାମରେ ପ୍ରଚୁର ଅର୍ଥଶ୍ରାଦ୍ଧ ଭିତରେ ହିଁ ସୀମିତ ହୋଇ ରହିଛି ଏହି ନାମଫଳକ ଅଭିଯାନ। ‘ଓଡ଼ିଶା ସପ୍‌ସ୍ ଆଣ୍ଡ୍ କମର୍ସିଆଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍କ,୧୯୫୬’ ଅନୁସାରେ ଓଡ଼ିଶାର ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାକୁ ଉପଯୁକ୍ତ ଭାବରେ ପ୍ରୟୋଗ କରାଯିବା ହେଉଛି ବାଧ୍ୟତାମୂଳକ। କିନ୍ତୁ କେବଳ ଘୋଷଣା ପରେ ଘୋଷଣା ହୋଇଚାଲିଛି ସିନା, ଏହି ଆଇନକୁ କାର୍ଯ୍ୟରେ ପରିଣତ କରିବାକୁ ସରକାରଙ୍କ କୌଣସି ଆନ୍ତରିକତା ଥିବାର ଦିଶୁନାହିଁ। ରାଜ୍ୟର ବିଭିନ୍ନ ସହର, ଏପରିକି ଖୋଦ୍ ରାଜଧାନୀ ଭୁବନେଶ୍ବରର ବଜାରଘାଟରେ ଆଖି ବୁଲାଇଆଣିଲେ ଯେ କେହି ଜାଣିପାରିବେ ଯେ ସେଠାର ଅର୍ଦ୍ଧାଧିକ ନାମଫଳକରେ ଓଡ଼ିଆ ଭାଷାର ଉପସ୍ଥିତି ନାହିଁ। ସେହି ଖିଲାପକାରୀଙ୍କ ବିରୋଧରେ ଶାସ୍ତିବିଧାନ ପାଇଁ କେବଳ ମଝି ମଝିରେ ବିବୃତି ଦିଆଯାଉଛି ସିନା, ବାସ୍ତବରେ ଏଥିପାଇଁ କିଛି ପଦକ୍ଷେପ ନିଆଯାଇନାହିଁ।
ଆଜିକୁ ଏକ ବର୍ଷ ତଳେ, ୨୦୨୫ ମସିହାର ଏପ୍ରିଲ୍ ମାସରେ ଯେତେବେଳେ ସରକାରଙ୍କ ପକ୍ଷରୁ ଏହିଭଳି ‘ଓଡ଼ିଆ ପକ୍ଷ’ ପାଳନ କରାଯାଉଥିଲା, ସେତେବେଳେ ଓଡ଼ିଶାର ଶ୍ରମ ବିଭାଗୀୟ ମନ୍ତ୍ରୀ ଜନସାଧାରଣଙ୍କୁ କେବଳ ନିବେଦନ ମାତ୍ର କରିଥିଲେ ଯେ ସେମାନେ ନାମଫଳକରେ ଓଡ଼ିଆ ଭାଷାର ପ୍ରୟୋଗ କରନ୍ତୁ। କିନ୍ତୁ ଏହାର ଖିଲାପ କରୁଥିବା କେତେଜଣ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦଣ୍ଡ ବିଧାନ କରାଯାଇଛି ବା କରାଯିବ ସେ ବିଷୟରେ ସେ ନିରବ ରହିଥିଲେ। ଆଜି ଏକ ବର୍ଷ ପରେ ପୁଣି ସେହି ‘ଓଡ଼ିଆ ପକ୍ଷ’ ଆସିଛି, କିନ୍ତୁ ନାମଫଳକଗୁଡ଼ିକରେ ଓଡ଼ିଆ ଭାଷାର ସ୍ଥିତି କାଣିଚାଏ ବି ବଦଳି ନାହଁ। ୨୦୨୫ ମସିହା ଅଗଷ୍ଟ ୬ ତାରିଖରେ ଓଡ଼ିଶାର ଗୃହନିର୍ମାଣ ଓ ସହରୀ ବିକାଶ ବିଭାଗର ତତ୍‌କାଳୀନ ପ୍ରମୁଖ ସଚିବ ଉଷା ପାଢ଼ୀ ଘୋଷଣା କରିଥିଲେ ଯେ ପ୍ରତ୍ୟେକ ସାଇନ୍‌ବୋର୍ଡର ଅନ୍ତତଃ ୬୦ ପ୍ରତିଶତ ଅଂଶରେ ଓଡ଼ିଆ ଅକ୍ଷର ଲେଖାଯିବା ବାଧ୍ୟତାମୂଳକ। ସେ ମଧ୍ୟ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଦେଇଥିଲେ ଏହା ଲାଗୁ କରିବା ପାଇଁ ଏବଂ ଏହା ପରେ ଖିଲାପକାରୀଙ୍କ ବିରୋଧରେ ଜୋରିମାନା ଲାଗୁ କରାଯିବାର ଧମକ ମଧ୍ୟ ଦେଇଥିଲେ। କିନ୍ତୁ ଏହି ଘୋଷଣା କେବଳ ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ କଲା ସିନା, ବାସ୍ତବରେ କିଛି ହେଲା ନାହିଁ। ଆଜି ପୁଣି ଆସିଛି ତଥାକଥିତ ‘ଓଡ଼ିଆ ପକ୍ଷ’। ଆଜି ପୁଣି ଥରେ ମନ୍ତ୍ରୀ ଓ ବ୍ୟୁରୋକ୍ରାଟ୍‌ମାନେ ହିପୋକ୍ରାଟ୍ ସାଜି ଓଡ଼ିଆରେ ନାମଫଳକ ଲେଖିବା ସପକ୍ଷରେ ଦେବେ ଲମ୍ବା ଲମ୍ବା ଭାଷଣ।
(ପ୍ରକାଶିତ: ୪ ଏପ୍ରିଲ୍, ୨୦୨୬)

ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ଥାଣୁ ଅବସ୍ଥା ଦୂର ହେବ କେବେ?

୨୦୧୭ ମସିହାରୁ ଦିଆଯାଇନାହିଁ ପୁରସ୍କାର

ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦର କାର୍ଯ୍ୟକାଳ ଶେଷ ହୋଇଛି ଜୁଲାଇ ୨୦୨୩ ମସିହାରୁ। ଏହାର ସଭାପତି ଓ ଉପସଭାପତିଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି ମେ ୨୦୨୪ରୁ। ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବାର ପ୍ରକ୍ରିୟା ସ୍ଥଗିତ ରହିଛି ୨୦୧୭ ମସିହାରୁ। ତଥାପି ବର୍ଷ ବର୍ଷ ଧରି ନା ସାଧାରଣ ପରିଷଦ ଗଠିତ ହୋଇପାରୁଛି, ନା ନିଯୁକ୍ତ ହୋଇପାରୁଛନ୍ତି ନୂଆ ସଭାପତି ବା ଉପସଭାପତି, ନା ଦିଆଯାଇପାରୁଛି ଏକାଡେମୀ ପୁରସ୍କାର, ଯଦିଓ ଏଥିପାଇଁ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ। ଏଭଳି ଅଚଳ ଅବସ୍ଥା ଆମ ଦେଶରେ ଥିବା ଅନ୍ୟ କୌଣସି ରାଜ୍ୟର ସାହିତ୍ୟ ଏକାଡେମୀରେ କେବେ ସୃଷ୍ଟି ହୋଇନାହିଁ। ଏଥିରେ ବ୍ୟଥିତ ହୋଇ ଓଡ଼ିଶାର ଜଣେ ସାହିତ୍ୟପ୍ରେମୀ ତଥା ଆଇନଜୀବୀ, ପ୍ରବୀର କୁମାର ଦାସ ଏକାଡେମୀର ଏହି ଅଚଳାବସ୍ଥା ବିରୋଧରେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଅଗଷ୍ଟ ୧ ତାରିଖ, ୨୦୨୫ରେ ରୁଜୁ ହୋଇଥିବା ଏହି ମାମଲାରେ ଶ୍ରୀ ଦାସ ଏକାଡେମୀରେ ସଭାପତି ଓ ଉପସଭାପତିଙ୍କର ନିଯୁକ୍ତି ତଥା ସାଧାରଣ ପରିଷଦ ଓ କାର୍ଯ୍ୟକାରୀ ସମିତିର ଗଠନ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି। ଏଥିରେ ସେ ୨୦୧୭ରୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇନଥିବା କଥା ମଧ୍ୟ ଉଚ୍ଚତମ ନ୍ୟାୟାଳୟର ଦୂଷ୍ଟିକୁ ଆଣିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ବିଚାରପତି ଜଷ୍ଟିସ୍ ଏମ୍.ଏସ୍.ରମଣଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି ଏହି ସମ୍ପର୍କରେ ନିଜର ଶପଥପତ୍ର ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ଏହାର ମିଆଦ ଦୁଇଥର ଗଡ଼ି ସାରିଥିଲେ ହେଁ ରାଜ୍ୟ ସରକାର ଏ ବିଷୟରେ ନିଜର କୌଣସି ଶପଥପତ୍ର ଦାଖଲ ନ କରି ଟାଳଟୁଳ ନୀତି ଅବଲମ୍ବନ କରିବାରେ ଲାଗିଛନ୍ତି।
ଅପର ପକ୍ଷରେ କିଛି ବର୍ଷ ପୂର୍ବେ ରାଜ୍ୟ ସରକାରଙ୍କ ଦ୍ବାରା ଏକପାଖିଆ ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ଚୟନ ନିୟମାବଳୀରେ ହୋଇଥିବା ସଂଶୋଧନକୁ ବିରୋଧ କରି ସାହିତ୍ୟିକ ନୃସିଂହ ଚରଣ ଷଡ଼ଙ୍ଗୀ ଓଡ଼ିଶା ହାଇକୋର୍ଟରେ ଦାଏର କରିଥିବା ଏକ ମାମଲା ଏବେ ମଧ୍ୟ ବିଚାରାଧୀନ ଅଛି। କିନ୍ତୁ ରାଜ୍ୟ ସାହିତ୍ୟ ଏକାଡେମୀର ପୁରସ୍କାର ପ୍ରଦାନ ପ୍ରକ୍ରିୟା ଉପରେ ବର୍ତ୍ତମାନ କୌଣସି ରହିତାଦେଶ ନାହିଁ। ଏଣୁ କର୍ତ୍ତୃପକ୍ଷ ଚାହିଲେ ସର୍ତ୍ତମୂଳକ ଭାବରେ ଏକାଡେମୀର ବାକି ଥିବା ପୁରସ୍କାରଗୁଡ଼ିକ ପ୍ରଦାନ କରିପାରିବେ। ଏହି ନୀତି ଅନୁସରଣ କରି ୨୦୨୩ ମସିହାରେ ଗୋଟିଏ ଦିନରେ ହିଁ ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର ଓ ଶ୍ରୀନିବାସ ଉଦ୍‌ଗାତା, ଏହି ତିନି ଜଣଙ୍କୁ ସର୍ତ୍ତମୂଳକ ଭାବେ ଅତିବଡ଼ୀ ପୁରସ୍କାର ପ୍ରଦାନ କରାଯାଇପାରିଥିଲା। ଏବେ ସେହି ସମାନ ନୀତି ଅବଲମ୍ବନ କରି ରାଜ୍ୟ ସରକାର ବାକି ପଡ଼ିଥିବା ଏକାଡେମୀ ପୁରସ୍କାର ଗୁଡ଼ିକ କାହିଁକି ପ୍ରଦାନ କରୁନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅବଶ୍ୟ ଗତ ବର୍ଷ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ପୂର୍ବତନ ସଚିବ ସ୍ବର୍ଗତ ପ୍ରବୋଧ କୁମାର ରାଉତଙ୍କ ଅମଳରୁ ସର୍ଟଲିଷ୍ଟେଡ୍ ହୋଇ ପଡ଼ିରହିଥିବା ପ୍ରତ୍ୟେକ ବିଭାଗର ୨୦ଟି ଲେଖାଏଁ ବହିରୁ ପାଞ୍ଚଟି ଲେଖାଏଁ ବହି ବାଛିବାର ଏକ ପ୍ରକ୍ରିୟା ଆରମ୍ଭ କରିଥିଲେ। କିନ୍ତୁ ଏକାଡେମୀର ସାଧାରଣ ପରିଷଦ ନ ଥିବାରୁ ଏହି ପୁରସ୍କାରଗୁଡ଼ିକ ଦିଆଇବାପାଇଁ ସେ କିଭଳି ଭାବରେ ଯୋଜନା କରିଥିଲେ ତାହା ସନ୍ଦେହ ସୃଷ୍ଟି କରିଛି। ଅବଶ୍ୟ ତାଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଏବେ ସ୍ଥଗିତ ଅଛି।
ଏବେ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକଳାପ ମୁଖ୍ୟତଃ ପ୍ରମୁଖ ସାହିତ୍ୟ ସ୍ରଷ୍ଟାମାନଙ୍କର ଜୟନ୍ତୀ ତଥା ଶ୍ରାଦ୍ଧୋତ୍ସବ ପାଳନ ଓ ବେସରକାରୀ ସଂସ୍ଥାମାନଙ୍କ ମିଶି କିଛି ସାହିତ୍ୟସଭାର ଆୟୋଜନ ମଧ୍ୟରେ ହିଁ ସୀମିତ ଅଛି। ଓଡ଼ିଶା ସାହିତ୍ୟ ଏକାଡେମୀ ତାହାର ହରାଇଥିବା ସ୍ଥିତି ଫେରିପାଇବ କେବେ? ଏ ବିଷୟରେ ନିଜର ମୁହଁ ଖୋଲିବାରୁ ବିରତ ରହିଛନ୍ତି ଆମ ରାଜ୍ୟର ମୁଖ୍ୟ ଗଣମାଧ୍ୟମ, ରାଜନେତାଗଣ ତଥା ସାହିତ୍ୟ ଜଗତର ମୁଣ୍ଡିଆଳମାନେ। ଗତ ନଅ ବର୍ଷ ମଧ୍ୟରେ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଯୋଗ୍ୟ ବୋଲି ସାଧାରଣରେ ମନେହେଉଥିବା ଅନେକ ବର୍ଷୀୟାନ ସାହିତ୍ୟିକ ସେ ପୁରକୁ ଚାଲିଗଲେଣି। ବସ୍ତୁତଃ ସରକାରଙ୍କ ଉଦାସୀନତା କାରଣରୁ ଓଡ଼ିଶାରେ ସାହିତ୍ୟିକମାନଙ୍କର ଗୋଟିଏ ପିଢ଼ି ଏକାଡେମୀ ପୁରସ୍କାରରୁ ଯେ ବଞ୍ଚିତ ହୋଇସାରିଲେଣି, ଏହାକୁ ଆମ ସାହିତ୍ୟର ଇତିହାସ କେବେ କ୍ଷମା ଦେବନାହିଁ।
(ପ୍ରକାଶିତ: ୧୫ ଫେବ୍ରୁଆରି, ୨୦୨୬)

ଓଡ଼ିଆ ସମେତ ସାତଟି ଭାଷାର ସାହିତ୍ୟ ପାଇଁ ପୁରସ୍କାର ଦେବେ ତାମିଲନାଡ଼ୁ ସରକାର

ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ ନ ହେବାର ପ୍ରତିକ୍ରିୟା

କିଛି ଦିନ ତଳେ ସମସ୍ତ ଭାରତୀୟ ଭାଷାର ସାହିତ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର‌ ଘୋଷଣା ହେବାର ମାତ୍ର କିଛି କ୍ଷଣ ପୂର୍ବରୁ ତାହା ବାତିଲ ହୋଇଯିବାର ପ୍ରତିକ୍ରିୟାରେ ତାମିଲନାଡ଼ୁ ସରକାର ‘ସେମୋଝି ପୁରସ୍କାର’ ନାମରେ ବିଭିନ୍ନ ସାତଟି ଭାଷାର ସାହିତ୍ୟ ପାଇଁ ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି। ଏଥିରେ ଓଡ଼ିଆ ଭାଷା ମଧ୍ୟ ଅନ୍ତର୍ଭୁକ୍ତ ଅଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍ ଘୋଷଣା କରିଛନ୍ତି ଯେ ତାଙ୍କର ସରକାର ପକ୍ଷରୁ ତାମିଲ୍, ତେଲୁଗୁ, କନ୍ନଡ଼, ମାଲୟାଲାମ୍, ଓଡ଼ିଆ, ବଙ୍ଗଳା ଓ ମରାଠୀ ଭାଷାର ସାହିତ୍ୟ ପାଇଁ ପୁରସ୍କାର ଦିଆଯିବ। ପ୍ରତ୍ୟେକଟି ଭାଷାର ସାହିତ୍ୟ ପାଇଁ ପୁରସ୍କାର ରାଶି ସ୍ବରୂପ ପାଞ୍ଚ ଲକ୍ଷ ଟଙ୍କା ପ୍ରଦତ୍ତ ହେବ। ଲକ୍ଷ୍ୟ କରାଯାଇପାରେ ଯେ କେବଳ ଅଣହିନ୍ଦୀ ଶ୍ରେଣୀର ଭାଷାଗୁଡ଼ିକ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ସାହିତ୍ୟ ଏକାଡେମୀର ପୁରସ୍କାର ଘୋଷଣା ବାତିଲ ହେବାକୁ ନିନ୍ଦା କରି ଶ୍ରୀ ଷ୍ଟାଲିନ୍ କହିଛନ୍ତି ଯେ ଏହା ଏକ ବିପଜ୍ଜନକ ନିଷ୍ପତ୍ତି। ସେ ମଧ୍ୟ କହିଛନ୍ତି ଯେ ଏହି ଘୋଷଣା ବାତିଲ କରାଯିବା ପରେ ଏ ସମ୍ପର୍କରେ ବିହିତ ପଦକ୍ଷେପ ନେବାପାଇଁ କେତେଜଣ ସାହିତ୍ୟିକ ତା’ଙ୍କୁ ଅନୁରୋଧ କରିଥିଲେ।
ଏହି ସମ୍ପର୍କରେ ଉଲ୍ଲେଖ କରାଯାଇପାରେ ଯେ ଗତ ଡିସେମ୍ବର ମାସରେ ସାହିତ୍ୟ ଏକାଡେମୀର ପୁରସ୍କାର ଘୋଷଣାକୁ ଶେଷ ମୁହୂର୍ତ୍ତରେ ବାତିଲ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସାହିତ୍ୟ ଏକାଡେମୀକୁ ପଠାଯାଇଥିବା ଏକ ଚିଠିରେ କୁହାଯାଇଥିଲା ଯେ ସରକାରଙ୍କ ଦ୍ବାରା ବିଭିନ୍ନ ଏକାଡେମୀର ପୁରସ୍କାର ପାଇଁ ନୀତି ଓ ଦିଶାନିର୍ଦ୍ଦେଶ ପ୍ରଣୟନ ହେବାପରେ ହିଁ ପୁରସ୍କାରଗୁଡ଼ିକ ଘୋଷିତ ହେବ। କିନ୍ତୁ ନୀତି ପ୍ରଣୟନରେ ଅଯଥା ବିଳମ୍ବ ହେଉଥିବାରୁ ତାମିଲନାଡ଼ୁ ଭଳି ବିରୋଧୀଦଳର ଅଧୀନରେ ଥିବା ରାଜ୍ୟ ସରକାରମାନେ ଗୋଳିଆ ପାଣିରୁ ଫାଇଦା ଉଠାଇବାର ସୁଯୋଗ ପାଇଛନ୍ତି। ଅନ୍ୟ ଏକ ସୂତ୍ରରୁ ଜଣାଯାଏ ଯେ ଏହାର ପୂର୍ବ ବର୍ଷ ଏକ ନିର୍ଦ୍ଦିଷ୍ଟ ବଙ୍ଗୀୟ ପୁସ୍ତକକୁ ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କୃତ ପୁସ୍ତକର ତାଲିକାରେ ରଖାଯାଇଥିବାରୁ ଶେଷ ମୁହୂର୍ତ୍ତରେ କେନ୍ଦ୍ର ସରକାରଙ୍କ ଚାପରେ ସେହି ବର୍ଷ ବଙ୍ଗଳା ଭାଷା ପାଇଁ ପୁରସ୍କାରର ଘୋଷଣା ସ୍ଥଗିତ ରଖାଯାଇଥିଲା। ଏ ବର୍ଷ ସାହିତ୍ୟ ଏକାଡେମୀର ପୁରସ୍କାର ସମ୍ପୂର୍ଣ୍ଣ ଭାବରେ ବାତିଲ ହେବା ପଛରେ ମଧ୍ୟ ସେମିତି ଏକ ଘଟଣାର ପୁନରାବୃତ୍ତି ଥାଇପାରେ ବୋଲି କିଛିଜଣ ସାହିତ୍ୟିକ ଆଶଙ୍କା ପ୍ରକାଶ କରୁଛନ୍ତି। ତେବେ ଏବେ ତାମିଲନାଡୁ ସରକାରଙ୍କ ଦ୍ବାରା ପ୍ରସ୍ତାବିତ ପୁରସ୍କାର ମଧ୍ୟ ଯେ ବିରୋଧୀ ଦଳର ସମର୍ଥକ ସାହିତ୍ୟିକମାନଙ୍କୁ ପୁରସ୍କୃତ କରିବାର ଏକ ଅସ୍ତ୍ର ଭାବରେ ବ୍ୟବହୃତ ନ ହେବ, ତାହା କହିହେବ ନାହିଁ।
(ପ୍ରକାଶିତ: ୨୦ ଜାନୁଆରୀ, ୨୦୨୬)

ଉତ୍ତର ଆମେରିକାରେ ଶୀତକାଳୀନ ସାହିତ୍ୟ ସଭା: ‘ଆମ ଓଡ଼ିଆ ଉପନ୍ୟାସ’

ଆମେରିକୀୟ ଓଡ଼ିଆଙ୍କ ସାହିତ୍ୟ ଆଲୋଚନା

ଏବେ ଉତ୍ତର ଆମେରିକାରେ କେଉଁଠି ତୁଷାରପାତ ତ କେଉଁଠି ଶୀତୁଆ ପାଗ ସହିତ ଝିପି ଝିପି ବର୍ଷା। କହିବାକୁ ଗଲେ ପ୍ରାୟ ଛୁଟି ଦିନମାନଙ୍କରେ ଅନେକେ ଘରର ଚାରିକାନ୍ଥ ଭିତରେ ଆବଦ୍ଧ। ଏହାର ସୁଯୋଗ ନେଇ ଜାନୁଆରୀ ୧୦ ତାରିଖ ସଂଧ୍ୟାରେ ‘ଓସା’ (ଓଡ଼ିଶା ସୋସାଇଟି ଅଫ୍ ଆମେରିକାସ୍) ଅନୁଷ୍ଠାନ ତରଫରୁ ଆଭାସୀ ମାଧ୍ୟମରେ ଏକ ଶୀତକାଳୀନ ସାହିତ୍ୟ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଆଲୋଚନାର ବିଷୟବସ୍ତୁ ଥିଲା, “ଆମ ଓଡ଼ିଆ ଉପନ୍ୟାସ”। ଏହାକୁ ‘ଓସା’ର ସାହିତ୍ୟ ଓ ସଂସ୍କୃତି ବିଭାଗର ସଦସ୍ୟ ପ୍ରଶାନ୍ତ ଭୂୟାଁ, ତାପସୀ ମହାପାତ୍ର ଓ ଗଗନ ପାଣିଗ୍ରାହୀ ପରିଚାଳନା କରିଥିଲେ।
ଏହି ସଭାରେ ଯୋଗ ଦେଇ ସର୍ବପ୍ରଥମେ ‘ଓସା’ର ସଭାପତି ନାଗେଶ ରାଜନାଲା ଏହାର ଉଦ୍ଦେଶ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
କାନାଡ଼ା ଓ ଆମେରିକାରୁ ଯେଉଁମାନେ ବିଭିନ୍ନ ସ୍ୱାଦର ଉପନ୍ୟାସ ଉପରେ ଆଲୋଚନା କଲେ ସେମାନେ ହେଲେ ଚନ୍ଦ୍ରା ମିଶ୍ର (‘କାଳୀବୋହୂ’- କୁନ୍ତଳାକୁମାରୀ ସାବତ), ସଂଯୁକ୍ତା ଶତପଥୀଙ୍କ ଅନୁପସ୍ଥିତିରେ ତାଙ୍କ ପାଇଁ ଅଶୋକ ପାଣିଗ୍ରାହୀ (‘ନିଜ ନିଜ ପାନିପଥ’ -ଜଗଦୀଶ ମହାନ୍ତି), କନକ ହୋତା (‘ପୁନର୍ନବା’-ଦୀନନାଥ ପାଠୀ), କୁକୁ ଦାଶ (‘ପଗଡ଼ି ପୁରୁଷ’- ଦାଶ ବେନହୁର), ସଲୋନୀ ମହାନ୍ତି (‘ଅପରିଚିତା’-ପ୍ରତିଭା ରାୟ), ଶ୍ୱେତପଦ୍ମା ଦାଶ (‘ବୁନ୍ଦାଏ ପାଣି’- ଗୋପୀନାଥ ମହାନ୍ତି), ପ୍ରଦୀପ ମହାପାତ୍ର (‘ଏଇଠି ଆକାଶ”-ରାମଚନ୍ଦ୍ର ବେହେରା), ସୁନନ୍ଦା ମିଶ୍ର ପଣ୍ଡା (‘ଅମୃତର ସନ୍ତାନ’- ଗୋପୀନାଥ ମହାନ୍ତି), ସାନ୍ତ୍ୱନା ଦାଶ (‘ମାମୁଁ’- ଫକୀର ମୋହନ ସେନାପତି), ସୁମିତ୍ରା ପାଢ଼ୀ (‘ପ୍ରେମପଥେ’- ଗୋଦାବରୀଶ ମହାପାତ୍ର), ସୁବ୍ରତ ମହାନ୍ତି (‘କଳାବତୀ’-ଅପର୍ଣ୍ଣା ପଣ୍ଡା) ଓ ଗଗନ ପାଣିଗ୍ରାହୀ (‘ଅନ୍ଧ ଦିଗନ୍ତ’- ସୁରେନ୍ଦ୍ର ମହାନ୍ତି)।
ସମସ୍ତେ ଅତି ସୁନ୍ଦର ଭାବରେ ସୀମିତ ସମୟ ମଧ୍ୟରେ ଉପନ୍ୟାସର ଚରିତ୍ର ଓ କଥାବସ୍ତୁ ଉପରେ ଆଲୋଚନା କରିଥିଲେ।
ଉପନ୍ୟାସ ଆଲୋଚନା ଶେଷରେ ତାପସୀ ମହାପାତ୍ର ଉପନ୍ୟାସ କ’ଣ ଓ କିପରି ତାଙ୍କ ଉପରେ ଏହା ପ୍ରଭାବ ପକାଇଥିଲା ସେ ବିଷୟରେ ଆଲୋଚନା କରି ନିଜର ଅଭିଜ୍ଞତା ଅତି ସୁନ୍ଦର ଓ ସାବଲୀଳ ଭାବରେ ଉପସ୍ଥାପନା କରିଥିଲେ। ସବୁକୁ ଏକତ୍ର କରି ଶେଷରେ ପ୍ରଶାନ୍ତ ଭୂୟାଁ ଉପନ୍ୟାସର ଅର୍ଥ, ଓଡ଼ିଆ ଉପନ୍ୟାସର ଆରମ୍ଭ, ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ଉପରେ ସାରଗର୍ଭକ ମନ୍ତବ୍ୟ ରଖିଥିଲେ।
ସର୍ବଶେଷରେ ‘ଓସା’ର ଉପସଭାପତି ଉତ୍କଳ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସାହିତ୍ୟ ସଭାରେ ଅନେକ ବୟୋଜ୍ୟେଷ୍ଠ ସାହିତ୍ୟପ୍ରେମୀ, ଯଥା, ବିଜୟ ମିଶ୍ର, ହର ପାଢ଼ୀ, ଲାଲୁ ମାନସିଂ, ଶ୍ରୀଗୋପାଳ ମହାନ୍ତିଙ୍କ ସମେତ ଉତ୍ତର ଆମେରିକାର ବିଭିନ୍ନ ସ୍ଥାନରୁ ଆହୁରି ଅନେକ ବ୍ୟକ୍ତି ଶ୍ରୋତା ହିସାବରେ ଯୋଗଦାନ କରିଥିଲେ।
(ପ୍ରକାଶିତ: ୧୨ ଜାନୁଆରୀ,୨୦୨୬)

ବିଚ୍ଛିନ୍ନାଞ୍ଚଳରେ ବେସରକାରୀ ଉଦ୍ୟମରେ ଚାଲିଛି ୬୦ଟି ଓଡ଼ିଆ ଚାଟଶାଳୀ

ଓଡ଼ିଆ ଭାଷାଶିକ୍ଷାର ସରକାରୀ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଝାରଖଣ୍ଡ ରାଜ୍ୟର ସିଂହଭୁମ, ଷଢେ଼ଇକଳା, ଖରସୁଆଁ ଓ ଛତିଶଗଡ଼ ରାଜ୍ୟର ରାୟଗଡ଼ା, ମହାସମୁଦ ଆଦି ଅଞ୍ଚଳରେ ଭୁବନେଶ୍ବରର ଏକ ବେସରକାରୀ ତଥା ନିଷ୍ଠାପର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ’ ପକ୍ଷରୁ ସେଠାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷାକୁ ବଞ୍ଚାଇରଖିବା ପାଇଁ ୬୦ଟି ଚାଟଶାଳୀ ପରିଚାଳିତ ହେଉଛି। ଅନୁଷ୍ଠାନର ସଦସ୍ୟମାନେ ନିଜର ବ୍ୟକ୍ତିଗତ ଦାନ ବଳରେ ପାଣ୍ଠି ସଂଗ୍ରହ କରି ଏହି ଚାଟଶାଳୀର ଶିକ୍ଷାଦାତାମାନଙ୍କୁ ଯତ୍‌ସାମାନ୍ୟ ମାନଧନ ଦେଉଛନ୍ତି। ଏହି ଚାଟଶାଳୀଗୁଡ଼ିକ ପାଇଁ ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ସହଯୋଗୀ ପରିବାର ନିଜ ଘର ଭିତରେ ସ୍ଥାନ ଦେବା ସହିତ ଛାତ୍ରଛାତ୍ରୀମାନଙ୍କୁ ଏକତ୍ର କରି ସେହି ପରିବାରର ବୟସ୍କ ସଦସ୍ୟମାନେ ପ୍ରତିଦିନ ସମୟ ଦାନ ପୂର୍ବକ ପିଲାଙ୍କୁ ଓଡ଼ିଆ ଭାଷା ପଢ଼ାଉଛନ୍ତି। ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ପକ୍ଷରୁ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କଠାରୁ ସଂଗୃହୀତ ଦାନ ବଳରେ ଗତ ବର୍ଷ ୧୦ ହଜାର ଖଣ୍ଡ ବର୍ଣ୍ଣବୋଧ ବହି ଛପାଯାଇ ବିଚ୍ଛିନ୍ନାଞ୍ଚଳରେ ବଣ୍ଟା ଯାଇଛି। ଏହା ଛଡ଼ା ଏହି ଅନୁଷ୍ଠାନ ପକ୍ଷରୁ ସେହି ଅଞ୍ଚଳରେ ପ୍ରାୟ ୩୦୦ଟି ଭାଗବତ ଟୁଙ୍ଗି ମଧ୍ୟ ପରିଚାଳିତ ହେଉଛି। ଭୁବନେଶ୍ବରରେ ରହୁଥିବା ୯୨ ବର୍ଷ ବୟସ୍କ ଭାଷାପ୍ରେମୀ ପର୍ଶୁରାମ ଦ୍ବିବେଦୀ ହେଉଛନ୍ତି ଏହି ଅନୁଷ୍ଠାନ ପଛର ମୁଖ୍ୟ ପ୍ରେରଣା।
ଅପର ପକ୍ଷରେ ସେହି ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଐଚ୍ଛିକ ଭାବରେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦେବାପାଇଁ ନିଯୁକ୍ତ ହୋଇଥିବା ଓଡ଼ିଆ ଭାଷା ଶିକ୍ଷକମାନଙ୍କୁ ଉତ୍କଳ ସମ୍ମିଳନୀ ଜରିଆରେ ଦରମା ଦେବାପାଇଁ ଓଡ଼ିଶା ସରକାର କିଛି ବର୍ଷ ପୂର୍ବେ ଯେଉଁ ବ୍ୟବସ୍ଥା ଆରମ୍ଭ କରିଥିଲେ ତାହା ବିପର୍ଯ୍ୟସ୍ତ ହୋଇଛି। ଗତ ଦୁଇବର୍ଷ ହେଲା ଏହି ଶିକ୍ଷକମାନଙ୍କୁ ସରକାର କିମ୍ବା ଉତ୍କଳ ସମ୍ମିଳନୀ ସେମାନଙ୍କର ମାସିକ ଦେୟ ପ୍ରଦାନ କରିପାରିନାହାନ୍ତି। ପୂର୍ବରୁ ସେମାନେ ମାସିକ ଟ.୩୦୦୦ ଟଙ୍କା ଦରମା ପାଉଥିଲେ; କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାୟ ବର୍ଷକ ତଳେ ନିଜର ଝାରଖଣ୍ଡ ଗସ୍ତ କାଳରେ ଏହାକୁ ଟ.୬୦୦୦କୁ ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ। ଅଥଚ ଏହି ବର୍ଦ୍ଧିତ ଦରମା ମିଳିବା ତ ଦୂରର କଥା, ଗତ ଦୁଇବର୍ଷ ହେଲା କୌଣସି ଶିକ୍ଷକ କିଛି ହିଁ ପ୍ରାପ୍ୟ ପାଇନାହାନ୍ତି। ଫଳରେ ସେଠାକାର ଓଡ଼ିଆ ଭାଷା ଶିକ୍ଷକମାନେ ନିରୁତ୍ସାହିତ ଅବସ୍ଥାରେ ଅଛନ୍ତି। ଅନ୍ୟ ଏକ ସୂତ୍ରରୁ ଜଣାଯାଏ ଯେ ଉତ୍କଳ ସମ୍ମିଳନୀର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ କାରଣରୁ ଏହା ତିନିଭାଗ ହୋଇଯିବା ଫଳରେ ଅନୁଷ୍ଠାନଟି ଜରିଆରେ ସରକାରଙ୍କ ଦ୍ବାରା ଓଡ଼ିଆ ଭାଷା ଶିକ୍ଷକଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯିବାରେ ସମସ୍ୟା ଉପୁଜିଛି।
(ପ୍ରକାଶିତ: ୨୫ ଡିସେମ୍ବର, ୨୦୨୫)

ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଶୀଘ୍ର ଖୋଲିବ ‘ସେଣ୍ଟର୍ ଫର୍ ଓଡ଼ିଆ ଷ୍ଟଡିଜ୍’

ଦେଶରେ ହେବ ସର୍ବପ୍ରଥମ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟା କ୍ରମେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଶୀଘ୍ର ଖୋଲିବାକୁ ଯାଉଛି ଏକ ‘ସେଣ୍ଟର୍ ଫର୍ ଓଡ଼ିଆ ଷ୍ଟଡିଜ୍’। ଦେଶର ରାଜଧାନୀରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଷୟରେ ଉଚ୍ଚତର ଅଧ୍ୟୟନ ଓ ଗବେଷଣା ପାଇଁ ଏହା ପଥ ପ୍ରଶସ୍ତ କରିବ। ଦେଶର କୌଣସି ବିଶ୍ବବିଦ୍ୟାଳୟରେ ଗୋଟିଏ ଭାଷାର ଏହିଭଳି ସ୍ବତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ହେବା ଏହା ସର୍ବପ୍ରଥମ।
ଦିଲ୍ଲୀ ବିଶ୍ବବିଦ୍ୟାଳୟର ଡିନ୍ ବଳରାମ ପାଣି ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ଗୋଟିଏ ପ୍ରସ୍ତାବ ୟୁ.ଜି.ସିକୁ ପଠାଯାଇଛି। ଆବଶ୍ୟକ ମଞ୍ଜୁରୀ ପାଇବା ପରେ ଆସନ୍ତା ବର୍ଷଠାରୁ ଏହି କେନ୍ଦ୍ରରେ ଓଡ଼ିଆ ବିଷୟରେ ଏମ୍.ଏ, ପିଏଚ୍.ଡି ତଥା ପୋଷ୍ଟ-ପିଏଚ୍.ଡି ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଏହି ଅଧ୍ୟୟନ କେନ୍ଦ୍ର ବାବଦରେ ୩୯ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରହିଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟର କୁଳପତି ଯୋଗେଶ ସିଂହ ଏ ବିଷୟରେ ଏକ ବିବୃତି ଦେଇ କହିଛନ୍ତି ଯେ ଏହି କେନ୍ଦ୍ର ପ୍ରତିଷ୍ଠା ହେବାପରେ ଆଗାମୀ ପିଢ଼ି ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଅଧ୍ୟୟନ ଉଦ୍ଦେଶ୍ୟରେ ଏକ ନୂତନ ସୁଯୋଗ ସୃଷ୍ଟି ହେବ।
ଏଠାରେ ପ୍ରକାଶଯୋଗ୍ୟ ଯେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ସ୍ବର୍ଗତ ଖଗେଶ୍ବର ମହାପାତ୍ରଙ୍କ ଉପସ୍ଥିତିରେ ୧୯୭୧ ମସିହାଠାରୁ ଓଡ଼ିଆ ଭାଷାରେ ଏକ ସାର୍ଟିଫିକେଟ୍ ଓ ଡିପ୍ଲୋମା କାର୍ଯ୍ୟକ୍ରମ ଚାଲିଆସୁଥିଲା; କିନ୍ତୁ ପରବର୍ତ୍ତୀ କାଳରେ ଛାତ୍ର ଅଭାବରୁ ଏହା ବନ୍ଦ ହୋଇଯାଇଥିଲା। ପରେ ସେହି ବିଶ୍ବବିଦ୍ୟାଳୟର ତୁଳନାତ୍ମକ ସାହିତ୍ୟ ବିଭାଗରେ ଅଧ୍ୟାପକ ପ୍ରକାଶ ପଟ୍ଟନାୟକଙ୍କ ଉଦ୍ୟମରେ ମଧ୍ୟ ଏ ଦିଗରେ କିଛି କାର୍ଯ୍ୟ ହୋଇଥିଲା। ଏହି ପ୍ରସଙ୍ଗରେ ଲକ୍ଷ୍ୟ କରିବାର କଥା ଯେ ଦିଲ୍ଲୀର ଅନ୍ୟତମ ଅଗ୍ରଣୀ ବିଶ୍ବବିଦ୍ୟାଳୟ, ଜବାହାରଲାଲ ନେହେରୁ ୟୁନିଭରସିଟି (ଜେ.ଏନ୍.ୟୁ)ରେ ‘ବିଜୁ ପଟ୍ଟନାୟକ ସେଣ୍ଟର ଫର୍ ଓଡ଼ିଆ ଷ୍ଟଡିଜ୍’ ନାମକ ଏକ ସ୍ବତନ୍ତ୍ର କେନ୍ଦ୍ର ଖୋଲିବା ପାଇଁ ପୂର୍ବ ସରକାରଙ୍କ ଅମଳରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା; କିନ୍ତୁ କେତେକ ପ୍ରତିବନ୍ଧକ କାରଣରୁ ଏହା ଆଜି ପର୍ଯ୍ୟନ୍ତ ଖୋଲାଯାଇ ପାରିନାହିଁ।
(ପ୍ରକାଶିତ: ୧୭ ଡିସେମ୍ବର, ୨୦୨୫)

ସ୍ତମ୍ଭସାହିତ୍ୟ ବିଷୟକ ଆଲୋଚନାରେ ଭାଗ ନେଲେ ଅନେକ ବିଶିଷ୍ଟ ସ୍ତମ୍ଭକାର

ସୁବିଦିତ ସ୍ତମ୍ଭକାରମାନଙ୍କ ସମାଗମ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ‘ଶବ୍ଦସ୍ପର୍ଶ’ ଅନୁଷ୍ଠାନର ମିଳିତ ଆୟୋଜନକ୍ରମେ ଭୁବନେଶ୍ବରର ଗୀତଗୋବିନ୍ଦ ସଦନଠାରେ ଡିସେମ୍ବର ଚାରି ତାରିଖରେ ଓଡ଼ିଆ ସ୍ତମ୍ଭସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଅନେକ ସୁପରିଚିତ ସ୍ତମ୍ଭକାର ଯୋଗଦେଇ ସ୍ତମ୍ଭସାହିତ୍ୟ ବିଷୟରେ ହୋଇଥିବା ଏକ ଉପଯୋଗୀ ବିଚାର-ବିମର୍ଶରେ ଭାଗନେଇଥିଲେ। କିନ୍ତୁ ତିନୋଟି ଅଧିବେଶନରେ ଆୟୋଜିତ ହେବାକୁ ଥିବା ଏହି ଆଲୋଚନାଚକ୍ରଟିକୁ ସମୟାଭାବରୁ ମାତ୍ର ଦୁଇଟି ଅଧିବେଶନରେ ସୀମିତ କରିଦିଆଯାଇଥିଲା। ଫଳରେ ଅନେକ ସ୍ତମ୍ଭକାର ନିଜର ବକ୍ତବ୍ୟକୁ ସମ୍ପୂର୍ଣ୍ଣ ଭାବରେ ପରିପ୍ରକାଶ କରିପାରିନଥିଲେ। ପୂର୍ବାହ୍ଣ ୧୧ଟା ବେଳେ ଆରମ୍ଭ ହୋଇଥିବା ଏହି ଆଲୋଚନାଚକ୍ରରେ ରାଜ୍ୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦାନ କରିବାର କାର୍ଯ୍ୟକ୍ରମ ଥିଲେ ହେଁ କେତେକ କାରଣରୁ ସେ ସଭାରେ ଉପସ୍ଥିତ ହୋଇପାରିନଥିଲେ। ଉଦ୍‌ଘାଟନୀ ଅଧିବେଶନରେ ସର୍ବପ୍ରଥମେ ଅତିଥି ପରିଚୟ ପ୍ରଦାନ କରିଥିଲେ ‘ଶବ୍ଦସ୍ପର୍ଶ’ର ସମ୍ପାଦକ ପବିତ୍ର ମୋହନ ମହାରଥା। ତାହାପରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ଆଲୋଚନା ଆରମ୍ଭ କରି କହିଲେ ଯେ ସ୍ତମ୍ଭକାରମାନେ ହେଉଛନ୍ତି ଗଣତନ୍ତ୍ରର ପଞ୍ଚମ ପ୍ରହରୀ ଏବଂ ଏକ ବସ୍ତୁନିଷ୍ଠ ବିଶ୍ଳେଷଣ ହେଉଛି ସ୍ତମ୍ଭସାହିତ୍ୟର ଆଧାର। ‘ପ୍ରଗତିବାଦୀ’ର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ କହିଲେ ଯେ ସ୍ତମ୍ଭକୁ ସାହିତ୍ୟ ଭାବରେ ସ୍ବୀକୃତି ଦିଆଯାଇପାରିନଥିବା ପରିତାପର ବିଷୟ। ‘ଆହ୍ବାନ’ର ସମ୍ପାଦକ ବିଭୂତି ଭୂଷଣ କର କହିଲେ ଯେ ସ୍ତମ୍ଭକାରମାନେ ଜଣେ ଜଣେ ଗବେଷକ ଓ ମନୋବିଜ୍ଞାନୀ ମଧ୍ୟ। ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ଦେବପ୍ରସାଦ ଦାଶ ମତ ଦେଇଥିଲେ ଯେ ସମ୍ବାଦପତ୍ରର ସ୍ତମ୍ଭଗୁଡ଼ିକ ସାହିତ୍ୟର ଏକ ଅଂଶ ଭାବରେ ସ୍ବୀକୃତି ପାଇସାରିଛି। ବର୍ଷୀୟାନ ସ୍ତମ୍ଭକାର ଭଗବାନ ପ୍ରକାଶ ସ୍ତମ୍ଭସାହିତ୍ୟ ସାଧାରଣ ପାଠକଙ୍କ ପାଖରେ ସହଜରେ ପହଞ୍ଚିପାରିବାର ସାମର୍ଥ୍ୟ ରଖେ ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଲେ ଯେ ସ୍ତମ୍ଭକୁ ସାହିତ୍ୟର ମାନ୍ୟତା ଦେଇ ତାହାର ମୂଳ ଉଦ୍ଦେଶ୍ୟକୁ ଆମେ ବିଭ୍ରାନ୍ତ କରିବା ଉଚିତ ନୁହେଁ। ତାଙ୍କର ଏହି ମନ୍ତବ୍ୟକୁ ଆଲୋଚନାରେ ଭାଗନେଇଥିବା କେତେଜଣ ସ୍ତମ୍ଭକାର ନିଜର ବିତର୍କରେ ବିରୋଧ ମଧ୍ୟ କରିଥିବା ଦେଖାଯାଇଥିଲା। ସୁବିଦିତ ସାମ୍ବାଦିକ ଶ୍ରୀରାମ ଦାଶ ନିଜର ସ୍ତମ୍ଭରଚନା ଜନିତ ଅନୁଭୂତି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ସ୍ତମ୍ଭକାରମାନେ ହେଉଛନ୍ତି ‘ମାମୁ’ (ମାଗଣା ମୂଲିଆ) ଶ୍ରେଣୀୟ, କାରଣ ସେମାନଙ୍କୁ ସେମାନଙ୍କ ଲେଖାର ପାରିଶ୍ରମିକ ମିଳେନାହିଁ। ଏହି ଅଧିବେଶନଟିକୁ ପରିଚାଳନା କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ସହ-ସମ୍ପାଦକ ସଞ୍ଜୟ କୁମାର ଛୁଆଳସିଂହ।
ପରବର୍ତ୍ତୀ ଦୁଇଟି ଅଧିବେଶନର ବିଷୟ ଯଥାକ୍ରମେ ‘ସ୍ତମ୍ଭସାହିତ୍ୟ ସମାଜର ଦର୍ପଣ’ ତଥା ‘ସ୍ତମ୍ଭସାହିତ୍ୟ ସମାଜର ଦିଗଦର୍ଶକ’ ଥିଲେ ମଧ୍ୟ ଏତେ ଅଧିକ ସଂଖ୍ୟକ ସ୍ତମ୍ଭକାରଙ୍କୁ ନେଇ ଦୁଇଟି ଅଧିବେଶନ ଆୟୋଜନ କରିବା ପାଇଁ ଆଉ ସମୟ ନଥିବାରୁ ଉଭୟକୁ ମିଶାଇ ଗୋଟିଏ ମିଳିତ ଅଧିବେଶନରେ ପରିଣତ କରିଦିଆଯାଇଥିବାର ଦେଖାଯାଇଥିଲା। ଏହି ଅଧିବେଶନର ସଂଯୋଜକ ଥିଲେ ଜାନକୀଶ ବଡ଼ପଣ୍ଡା। ପ୍ରତ୍ୟେକ ସ୍ତମ୍ଭକାରଙ୍କୁ ତିନି ମିନିଟ୍ ମଧ୍ୟରେ ନିଜର ବକ୍ତବ୍ୟ ରଖିବା ପାଇଁ ସେ ବାରମ୍ବାର ଅନୁରୋଧ କରୁଥିଲେ ହେଁ ଅନେକ ବକ୍ତା ଏହି ସମୟସୀମାକୁ ଉଲ୍ଲଂଘନ କରିଥିବା ଦେଖାଯାଇଥିଲା। ଏହି ଅଧିବେଶନରେ ସ୍ବକୀୟ ବକ୍ତବ୍ୟ ରଖିଥିଲେ ନିରଞ୍ଜନ ପାଢ଼ୀ, ନଟବର ଖୁଣ୍ଟିଆ, ସାଗର ରଞ୍ଜନ ତ୍ରିପାଠୀ, ରୀନା ରାଉତରାୟ, ଚିତ୍ତ ରଞ୍ଜନ ମିଶ୍ର, ଉପେନ୍ଦ୍ର ବିଶ୍ବାଳ, ଛନ୍ଦା ମିଶ୍ର, ସତ୍ୟବ୍ରତ ପଣ୍ଡା, ଚିନ୍ମୟ ହୋତା, ଗୌରାଙ୍ଗ ଚରଣ ପରିଡ଼ା, ଗିରିଜା ଶଙ୍କର ଶର୍ମା, ଅଭୟ ଦ୍ବିବେଦୀ ଓ ଶ୍ରୁତକୀର୍ତ୍ତି ତ୍ରିପାଠୀ ପ୍ରମୁଖ। ସଭାଟିରେ ଏତେ ସଂଖ୍ୟକ ସ୍ତମ୍ଭକାରଙ୍କର ଏକ ବିରଳ ସମାଗମ ହୋଇଥିବା ଦୃଷ୍ଟିରୁ ଅଧିବେଶନଗୁଡ଼ିକର ସଂଖ୍ୟା ବଢ଼ାଇ ଏହାକୁ ଦୁଇଦିନରେ ସମ୍ପନ୍ନ କରିବା ଅଧିକ ଉଚିତ ହୋଇଥାଆନ୍ତା ବୋଲି ଶେଷକୁ ମତ ପ୍ରକାଶ ପାଇଥିଲା।
(ପ୍ରକାଶିତ: ୪ ଡିସେମ୍ବର, ୨୦୨୫)

ବାଲିଯାତ୍ରା ଉତ୍ସବରେ ଓଡ଼ିଆ ପୁସ୍ତକ ବଣ୍ଟନରେ ଅବ୍ୟବସ୍ଥା

ଘୋଷିତ ସୁଚୀ ଅନୁସାରେ ପୁସ୍ତକ ମିଳୁନାହିଁ

ଐତିହାସିକ ବାଲିଯାତ୍ରା ଉପଲକ୍ଷେ କଟକରେ ଚାଲିଥିବା ସପ୍ତାହ ବ୍ୟାପୀ ଉତ୍ସବରେ ଓଡ଼ିଆ ସାହିତ୍ୟର ପ୍ରସାର ପାଇଁ ବହୁ ଆଡମ୍ବରରେ ଘୋଷଣା କରାଯାଇଥିବା ମାଗଣା ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମରେ କେତେକ ଅବ୍ୟବସ୍ଥା ଦୃଷ୍ଟିକୁ ଆସିଛି। ସରକାରଙ୍କ ପକ୍ଷରୁ ପୁସ୍ତକ ବଣ୍ଟନ ପାଇଁ ଖୋଲାଯାଇଥିବା ଷ୍ଟଲ୍ ସାମନାରେ ଆଶାୟୀ ସାହିତ୍ୟ ପ୍ରେମୀ, ବିଶେଷତଃ ଓଡ଼ିଆ ଛାତ୍ର ଓ ଛାତ୍ରୀମାନେ ସମୟ ପୂର୍ବରୁ ଧାଡ଼ି ବାନ୍ଧି ଅପେକ୍ଷା କରିଥିବା ସତ୍ତ୍ବେ ସେମାନଙ୍କୁ ଆଶାନୁରୂପ ପୁସ୍ତକ ମିଳିପାରୁ ନାହିଁ। ଫଳରେ ଅନେକ ବ୍ୟକ୍ତି ନିରାଶରେ ଫେରିଯାଉଥିବା ଦେଖିବାକୁ ମିଳୁଛି। ଏହି ଯାତ୍ରାରେ ବଣ୍ଟନ ହେବାକୁ ଥିବା ପୁସ୍ତକ କ୍ରୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଟେଣ୍ଡର ଡକୁମେଣ୍ଟ ଜାରି କରାଯାଇଛି, ତାହା ଅନୁସାରେ ୨୨ଜଣ ସ୍ରଷ୍ଟାଙ୍କ ୨୫ଟି କାଳଜୟୀ ପୁସ୍ତକ ଜନସାଧାରଣଙ୍କ ମଧ୍ୟରେ ବିତରିତ ହେବା କଥା। ଏହି ପୁସ୍ତକଗୁଡ଼ିକର ତାଲିକାରେ ରହିଛି ଫକୀରମୋହନ ସେନାପତିଙ୍କର ‘ଛ ମାଣ ଆଠ ଗୁଣ୍ଠ’ (୪୦୦୦) ଓ ‘ଲଛମା’ (୪୦୦୦), କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ‘ମାଟିର ମଣିଷ’ ୪୦୦୦), ଗୋପୀନାଥ ମହାନ୍ତିଙ୍କ ‘ପରଜା’ (୨୦୦୦) ଓ ‘ମାଟିମଟାଳ’ (୧୨୦୦), ଗୋବିନ୍ଦ ଚନ୍ଦ୍ର ଦାସଙ୍କର ‘ଅମାବାସ୍ୟାର ଚନ୍ଦ୍ର’ (୪୦୦୦), ପ୍ରତିଭା ରାୟଙ୍କର ‘ଯାଜ୍ଞସେନୀ’ (୧୫୦୦) ତଥା ଏହିଭଳି ଆହୁରି ଅନେକ ପୁସ୍ତକ। କିନ୍ତୁ ସୂଚିବଦ୍ଧ ହୋଇଥିବା ଏହି ପୁସ୍ତକଗୁଡ଼ିକ ମଧ୍ୟରୁ ଅନେକ ବହି ସେଠାରେ ଅପେକ୍ଷା କରିଥିବା ପାଠକମାନଙ୍କୁ ମିଳିପାରୁନଥିବା ଅଭିଯୋଗ ହୋଇଛି। ଏଥିପାଇଁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ପାଖାପାଖି ୯୨ ହଜାର ପୁସ୍ତକ ଟେଣ୍ଡର ମାଧ୍ୟମରେ ପ୍ରକାଶକମାନଙ୍କଠାରୁ କିଣିବା ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଏଥିରେ ଅନିୟମିତତା ହେତୁ ପୁସ୍ତକ ପ୍ରକାଶକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବହି ବଣ୍ଟନ ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ବିତରଣ ଷ୍ଟଲ୍ ଖୋଲିବାର ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସମୟ ମଧ୍ୟ ନାହିଁ; କେଉଁଦିନ ଅପରାହ୍ନ ୩ଟାରେ ତ କେଉଁଦିନ ୫ଟାରେ ଏହି ଷ୍ଟଲ୍ ଖୋଲାଯାଉଛି। ଏହା ସହ ଜଣେ ବ୍ୟକ୍ତିଙ୍କୁ କେତେଖଣ୍ଡ ପୁସ୍ତକ ଦିଆଯିବ ତାହାର ମଧ୍ୟ ତାଲିକା ନାହିଁ।
ଅନ୍ୟ ପକ୍ଷରେ ବାଲିଯାତ୍ରା ଉପଲକ୍ଷେ ସେଠାରେ ଖୋଲାଯାଇଥିବା ‘ଆମ ଭାଷା ଆମ ସାହିତ୍ୟ’ ନାମକ ଏକ ପରିସର ମଧ୍ୟରେ ଲଗାଯାଇଥିବା ପ୍ରଥିତଯଶା ଲେଖକ ଫତୁରାନନ୍ଦ, ଵିନୋଦ ନାୟକ ଓ ଗୁରୁପ୍ରସାଦ ମହାନ୍ତି ମହାପାତ୍ରଙ୍କ ଚିତ୍ର ସମ୍ବଳିତ ହୋର୍ଡିଂରେ ସେମାନଙ୍କ ଜନ୍ମ ତିଥି ସମେତ କେତେକ ତଥ୍ୟରେ ତ୍ରୁଟି ଥିବାର ମଧ୍ୟ ପରିଲକ୍ଷିତ ହୋଇଛି। ଏହା ଓଡ଼ିଆ ଭାଷା ଓ ସାହିତ୍ୟକୁ ଭଲ ପାଉଥିବା ବ୍ୟକ୍ତିବିଶେଷଙ୍କ ଭାବନା ପ୍ରତି କୁଠାରଘାତ କରିଛି।
(ପ୍ରକାଶିତ: ୯ ନଭେମ୍ବର, ୨୦୨୫)

ଉତ୍କଳ ସାହିତ୍ୟ ସମାଜର ନିର୍ବାଚନ: ବାଜିମାରିଲେ ଗୋବିନ୍ଦ ଚନ୍ଦ୍ର ଚାନ୍ଦ

ଘମାଘୋଟ ନିର୍ବାଚନ ଅଭିଯାନର ଘଟିଲା ଅନ୍ତ

ଓଡ଼ିଶା ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ, ‘ଉତ୍କଳ ସାହିତ୍ୟ ସମାଜ’ର ବହୁଚର୍ଚ୍ଚିତ ନିର୍ବାଚନର ଫଳାଫଳ ଅକ୍ଟୋବର ୧୩ ତାରିଖ ଦିନ ପ୍ରକାଶ ପାଇଛି। ଏଥିରେ ପୂର୍ବତନ ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସଭାପତି ଭାବରେ ପୁନଃନିର୍ବାଚିତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମାନନ୍ଦ ବିଶ୍ବାଳ ଉପସଭାପତି, ରାଜୀବ କୁମାର ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ, ଶଶିକାନ୍ତ ରାଉତ ସଂଗଠନ ସମ୍ପାଦକ, ବ୍ରହ୍ମାନନ୍ଦ ମହାନ୍ତି ପାଠାଗାର ସମ୍ପାଦକ ଓ ଦିଲ୍ଲୀପ କୁମାର ଦାସ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ବ୍ୟତୀତ କାର୍ଯ୍ୟକାରୀ ସମିତିକୁ ୧୧ ଜଣ ସଦସ୍ୟ ମଧ୍ୟ ନିର୍ବାଚିତ ହୋଇଛନ୍ତି।
ଏହି ନିର୍ବାଚନକୁ ନେଇ ରାଜ୍ୟର ସାହିତ୍ୟିକ ମହଲରେ କିଛି ଦିନ ଧରି ସରଗରମ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୈନିକ ‘ସମାଜ’ର ପୂର୍ବତନ ମୁଦ୍ରାକର ଓ ପ୍ରକାଶକ ତଥା ଲୋକସେବକ ମଣ୍ଡଳର ବର୍ତ୍ତମାନର ରାଷ୍ଟ୍ରୀୟ ସଚିବ ପ୍ରଭାସ କୁମାର ଆଚାର୍ଯ୍ୟ ନିଜେ ସଭାପତି ପଦ ପାଇଁ ଜଣେ ପ୍ରାର୍ଥୀ ହେବା ସହିତ ଅନ୍ୟ ସମସ୍ତ ପଦ ପାଇଁ ନିଜର ସମର୍ଥକମାନଙ୍କର ଏକ ପ୍ୟାନେଲ୍‌କୁ ଧରି ନିର୍ବାଚନର ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ଅପର ପକ୍ଷରେ ଅନୁଷ୍ଠାନର ପୂର୍ବତନ ସଭାପତି ତଥା ‘ପୌରୁଷ’ର ସହ-ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ମଧ୍ୟ ନିଜର ପ୍ୟାନେଲ୍ ସହ ଏହି ନିର୍ବାଚନରେ ଭାଗ ନେଇଥିଲେ। ଏହାପାଇଁ ଉଭୟ ପକ୍ଷରୁ ଗତ କିଛି ଦିନ ଧରି ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଥିଲା। ତେବେ ନିର୍ବାଚନ ଫଳାଫଳରୁ ଯାହା ଜଣାପଡ଼େ, ଭୋଟରମାନେ ଏଥର କୌଣସି ଗୋଟିଏ ପ୍ୟାନେଲ୍‌କୁ ସମ୍ପୂର୍ଣ୍ଣ ଭାବରେ ଜିତାଇନାହାନ୍ତି। ଉଭୟ ପକ୍ଷର ପ୍ରାର୍ଥୀ ବିଭିନ୍ନ ପଦ ପାଇଁ ବିଜୟୀ ହୋଇଛନ୍ତି। ଜଣାଯାଇଛି ଯେ ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦୁଇଜଣ ମୁଖ୍ୟ ପ୍ରତିଦ୍ଵନ୍ଦ୍ବୀଙ୍କ ବ୍ୟତୀତ ଆଉ ଜଣେ ତୃତୀୟ ପ୍ରାର୍ଥୀଙ୍କୁ ମଧ୍ୟ ପ୍ରକ୍ସି ଭାବରେ ସଭାପତି ପଦ ପାଇଁ ପ୍ରାର୍ଥୀ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ମାହାଙ୍ଗା ଓ ତାହାର ଆଖପାଖ ଅଞ୍ଚଳରୁ ପ୍ରଭାସ କୁମାର ଆଚାର୍ଯ୍ୟ ପାଇବାକୁ ଥିବା ଭୋଟକୁ ଭାଗ ଭାଗ କରିବା। ଏହି ରଣକୌଶଳ କିଛି ମାତ୍ରାରେ ସଫଳ ହୋଇଥିବା ମଧ୍ୟ ଜଣାପଡ଼ୁଛି। ନିର୍ବାଚନରେ ହାରି ଯାଇଥିବା ଜଣେ ପ୍ରାର୍ଥୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ କେବେ ହେଁ ସାହିତ୍ୟର ଧାର ଧରି ନ ଥିବା ବହୁ ବ୍ୟକ୍ତିଙ୍କୁ ଏଥର ଭୋଟର ତାଲିକାଭୁକ୍ତ କରାଯାଇଥିଲା। ତା’ଛଡ଼ା ସେ ମଧ୍ୟ କହିଛନ୍ତି ଯେ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା କର୍ମକର୍ତ୍ତାମାନେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ କାନଭାସିଂ କରିବା ଦେଖା ଯାଇଥିଲା।
ନବନିର୍ବାଚିତ ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ‘ସାହିତ୍ୟ ଚର୍ଚ୍ଚା’କୁ କହିଛନ୍ତି ଯେ ସାହିତ୍ୟ ସହିତ ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ବାନ୍ଧିରଖିବା ତାଙ୍କର ପ୍ରାଥମିକତା ହେବ। ସେ ମଧ୍ୟ କହିଛନ୍ତି ଯେ ନିଜର ପୂର୍ବ କାର୍ଯ୍ୟକାଳ ମଧ୍ୟରେ ସେ ଆରମ୍ଭ କରିଥିବା ଉତ୍କଳ ସାହିତ୍ୟ ସମାଜର ଏକ ବୃହତ୍ ଇତିହାସ ପ୍ରଣୟନର କାର୍ଯ୍ୟ ସେ ଏଥର ସମାପ୍ତ କରିବେ।
(ପ୍ରକାଶିତ: ୧୩ ଅକ୍ଟୋବର, ୨୦୨୫)

ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷା ପ୍ରତି ଦିଲ୍ଲୀର ଅଣଓଡ଼ିଆ ଛାତ୍ରମାନେ ଦେଖାଉଛନ୍ତି ଆଗ୍ରହ

ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ସାଜିଛି ପ୍ରତିବନ୍ଧକ

ଦିଲ୍ଲୀରେ ବିଭିନ୍ନ ବିଷୟ ଅଧ୍ୟୟନ କରୁଥିବା ସ୍ନାତକ ଓ ସ୍ନାତକୋତ୍ତର ଅଣଓଡ଼ିଆ ଛାତ୍ର ଓ ଛାତ୍ରୀମାନେ ‘ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷା’କୁ ଏକ ଇଚ୍ଛାଧୀନ ବିଷୟ ଭାବରେ ନେଇ ଅଧ୍ୟୟନ କରିବାକୁ ଆଗ୍ରହ ଦେଖାଉଥିବା ଜଣାପଡ଼ିଛି। ଚଳିତ ବର୍ଷ ଜଓ୍ବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେ.ଏନ୍.ୟୁ)ର ଓଡ଼ିଆ ଶ୍ରେଣୀରେ ୨୨ ଜଣ ଅଣଓଡ଼ିଆ ସ୍ନାତକ ଶ୍ରେଣୀର ଛାତ୍ର ‘ଓଡ଼ିଆ ଭାଷା ଓ ସଂଚାର’ (ଓଡ଼ିଆ ଲାଙ୍ଗୁଏଜ୍ ଏଣ୍ଡ କମ୍ୟୁନିକେସନ୍)କୁ ଇଚ୍ଛାଧୀନ ବିଷୟ ଭାବରେ ନେଇଛନ୍ତି। ଏହି ପାଠ୍ୟକ୍ରମରେ ଓଡ଼ିଆ ଭାଷାର ଶିକ୍ଷା ସହ ତାହା ଜରିଆରେ ଭାବ ବିନିମୟ କରିବାର ଶିକ୍ଷା ଛାତ୍ରମାନଙ୍କୁ ଦିଆଯାଉଛି। ସେହିପରି ବିଭିନ୍ନ ବିଷୟର କିଛି ଛାତ୍ର ମଧ୍ୟ ସ୍ନାତକୋତ୍ତର ଶ୍ରେଣୀରେ ‘ଓଡ଼ିଆ ଭାଷା ଓ ସାହିତ୍ୟର ପରିଚୟ’ ନାମକ ବିଷୟକୁ ଏକ ଇଚ୍ଛାଧୀନ ବିଷୟ ଭାବରେ ନେଇଛନ୍ତି। ଏଥିରେ ସେମାନଙ୍କୁ ସାରଳା ଯୁଗଠାରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଚାଲିଆସିଥିବା ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ବିଷୟରେ ସୂଚନା ଦିଆଯାଉଛି।
ଏଠାରେ ପ୍ରକାଶ ଯୋଗ୍ୟ ଯେ ୨୦୨୪ ମସିହା ଫେବୃଆରୀ ମାସରେ ଆୟୋଜିତ ହୋଇଥିବା ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ଓଡ଼ିଶା ସରକାରଙ୍କ ସହିତ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଏକ ରାଜିନାମା (ଏମ୍.ଓ.ୟୁ) ସ୍ବାକ୍ଷରିତ ହୋଇ ସେଠାରେ ଓଡ଼ିଆ ଭାଷା ଓ ସାହିତ୍ୟରେ ଶିକ୍ଷା ଓ ଉଚ୍ଚତର ଗବେଷଣା ପାଇଁ ‘ବିଜୁ ପଟ୍ଟନାୟକ ସେଣ୍ଟର ଫର୍ ଓଡ଼ିଆ ଷ୍ଟଡ଼ିଜ୍’ ନାମକ ଏକ ସ୍ବତନ୍ତ୍ର କେନ୍ଦ୍ର ଖୋଲିବା କଥା ଘୋଷଣା କରାଯାଇଥିଲା। ଏ ବିଷୟରେ ତତ୍‌କାଳୀନ ସରକାରଙ୍କ ଦ୍ବାରା ରାଜ୍ୟ ତଥା ଦେଶର ବିଭିନ୍ନ ସମ୍ବାଦପତ୍ରରେ ପୂର୍ଣ୍ଣ ପୃଷ୍ଠାର ବିଜ୍ଞାପନ ଛପାଯାଇ ବ୍ୟାପକ ଭାବରେ ଡିଣ୍ଡିମ ମଧ୍ୟ ପିଟାଯାଇଥିଲା। ସେତେବେଳେ ଏହି ବିଜ୍ଞାପନ ବାବଦରେ ଯାହା ଖର୍ଚ୍ଚ ହୋଇଥିଲା, ସେତକ ଅନ୍ତତଃ ବିଶ୍ବବିଦ୍ୟାଳୟଟିକୁ ଦେଇଥିଲେ ଏ ଦିଗରେ ଯତ୍‌କିଂଚିତ୍ କାର୍ଯ୍ୟ ଆରମ୍ଭ କରାଯାଇ ପାରିଥାଆନ୍ତା। କିନ୍ତୁ ଏହାପରେ ଯେଉଁ କିଛି ମାସ ସେତେବେଳର ସରକାର କ୍ଷମତାରେ ରହିଲେ, ସେହି ମଧ୍ୟରେ ଏହି କେନ୍ଦ୍ର ସ୍ଥାପନ ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ କିମ୍ବା ଏଥିପାଇଁ ଆବଶ୍ୟକ ଅର୍ଥ ମଂଜୁର କରାଗଲା ନାହିଁ। ଏହାପରେ ରାଜ୍ୟରେ କ୍ଷମତାକୁ ଆସିଥିବା ନୂଆ ସରକାର ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଯାହା ଜଣାଯାଇଛି, ପୂର୍ବ ସରକାରଙ୍କ ଅମଳରେ ପ୍ରସ୍ତାବିତ ହୋଇଥିବା ଏହି ଓଡ଼ିଆ ଅଧ୍ୟୟନ କେନ୍ଦ୍ରଟିର ନାମ ସହିତ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାମ ଯୋଡ଼ାଯାଇଥିବାରୁ ଏବର ସରକାର ଆଉ ସେହି ପରିଯୋଜନା ପ୍ରତି ଆଗ୍ରହ ଦେଖାଉନାହାନ୍ତି। ଆଉ ମଧ୍ୟ ଜଣାଯାଇଛି ଯେ ‘ଜେ.ଏନ୍.ୟୁ’ର କୁଳପତି ମହୋଦୟା କିଛି ଦିନ ତଳେ ଓଡ଼ିଶା ସରକାର ଚାହିଁଲେ ବିଜୁ ପଟ୍ଟନାୟକଙ୍କ ନାମରେ ଖୋଲାହେବାକୁ ଥିବା ଏହି ସ୍ବତନ୍ତ୍ର କେନ୍ଦ୍ର ସ୍ଥାପନ ପାଇଁ ପୂର୍ବରୁ ହୋଇଥିବା ଚୁକ୍ତିନାମାରେ ଆବଶ୍ୟକ ପରିବର୍ତ୍ତନ ମଧ୍ୟ କରିପାରିବେ ବୋଲି ସୂଚାଇଛନ୍ତି। ତଥାପି ଏ ବିଷୟରେ ରାଜ୍ୟ ସରକାରଙ୍କ ଅନାଗ୍ରହ ଜାରି ରହିଛି। ଯେମିତି ମନେହୁଏ, ଏହି ପରିପ୍ରେକ୍ଷୀରେ ଆମର ପୁରାତନ ଢ଼ଗଢ଼ମାଳିରେ ଥିବା ‘ସ୍ବାମୀ ପଛକେ ମରନ୍ତୁ, ସଉତୁଣୀ ବିଧବା ହେଉ’ର ନୀତି ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର।
(ପ୍ରକାଶିତ: ୨୬ ଅଗଷ୍ଟ, ୨୦୨୫)

ଓଡ଼ିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ବନକ୍ଷତ୍ର ଦିବସ ପାଳିତ

ପୁରସ୍କୃତ ହେଲେ କୃତୀ ଛାତ୍ରଛାତ୍ରୀ

ଓଡ଼ିଶା ସାହିତ୍ୟ ଏକାଡେମୀର ୬୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଜୁଲାଇ ୨୫ ତାରିଖ ପୂର୍ବାହ୍ନରେ ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ଏକ ସାରସ୍ବତ ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ସଭାରେ ଉଦ୍‌ଘାଟକ ଭାବରେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ, ସୂର୍ଯ୍ୟବଂଶୀ ସୂରଜ କହିଲେ ଯେ ଓଡ଼ିଶା ସାହିତ୍ୟ ଏକାଡେମୀ ଗତ ଦୀର୍ଘ ଏକ ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମମାନ ସକ୍ରିୟ ଭାବରେ ଆୟୋଜନ କରିଆସିଛି। ଏହା ସାହିତ୍ୟ ଜଗତରେ ଗୋଟିଏ ନୂତନ ପିଢ଼ି ଗଠନ କରିବାରେ ବ୍ରତୀ ଅଛି। ବର୍ତ୍ତମାନ ଏକାଡେମୀଟି କେବଳ କଟକ ଓ ଭୁବନେଶ୍ବର ମଧ୍ୟରେ ଆବଦ୍ଧ ହୋଇ ରହିନାହିଁ, ବରଂ ଓଡ଼ିଶାର ସମସ୍ତ କୋଣ, ଅନୁକୋଣରେ ପହଞ୍ଚିପାରିଛି। ନିଜର ଅଭିଭାଷଣ ପରେ ମନ୍ତ୍ରୀ ମହୋଦୟ ତାଙ୍କର କାର୍ଯ୍ୟବ୍ୟସ୍ତତା ହେତୁ ସଭାସ୍ଥଳ ପରିତ୍ୟାଗ କରିଥିଲେ ଏବଂ ତାହାପରେ ବିଶିଷ୍ଟ ସାହିତ୍ୟ ସାଧକ, ଶାନ୍ତନୁ କୁମାର ଆଚାର୍ଯ୍ୟ ପୋଡିଅମ୍‌କୁ ଆସି ନିଜର ବକ୍ତୃତା ଆରମ୍ଭ କରିଥିଲେ। କିନ୍ତୁ ଏହି ସମୟରେ ସଭାଗୃହର ବାହାରେ ପ୍ରସ୍ଥାନ ଅଭିମୁଖୀ ମନ୍ତ୍ରୀଙ୍କୁ ବିଦାୟ ଦେବାପାଇଁ ସେଠାରେ ନିୟୋଜିତ ହୋଇଥିବା ବାଦ୍ୟବାଦକମାନେ ଉଚ୍ଚଧ୍ବନିରେ ବାଜା ବଜାଇବାରୁ ଶାନ୍ତନୁ କୁମାର ଆଚାର୍ଯ୍ୟ ମହୋଦୟ ନିଜର ଭାଷଣକୁ ମଝିରେ ରୋକି, ପଚାରିଥିଲେ ଯେ, ଏ ସବୁ ଚାଲିଛି କଣ? ତା’ପରେ ସେ ନିଜର ବକ୍ତବ୍ୟ ଜାରି ରଖି ଏକାଡେମୀର ପୁରସ୍କାର ଚୟନ ପ୍ରକିୟାରେ ସୁଧାର ଉପରେ ଗୁରୁତ୍ବ ଦେଇଥିଲେ। ପ୍ରକାଶଯୋଗ୍ୟ ଯେ ଏହି ସଭାରେ କେବଳ ମନ୍ତ୍ରୀ ମହୋଦୟଙ୍କ ପ୍ରବେଶ ଓ ପ୍ରସ୍ଥାନ ବେଳେ ପ୍ରବେଶଦ୍ବାରରେ ପାରମ୍ପରିକ ବାଦ୍ୟକାରମାନଙ୍କ ଦ୍ବାରା ଏଭଳି ବାଜା ବଜାଇବାର ବ୍ୟବସ୍ଥା କରାଯାଇଥିଲା। ଏହାପରେ ସୁସାହିତ୍ୟିକ ନୀଳାଦ୍ରି ଭୂଷଣ ହରିଚନ୍ଦନ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରାଚୀନତା ଉପରେ ଏକ ତାତ୍ତ୍ବିକ ଅଭିଭାଷଣ ପ୍ରଦାନ କରିଥିଲେ। ତାଙ୍କର ଏହି ଅଭିଭାଷଣ କାଳରେ ମଞ୍ଚ ଉପରେ କେବଳ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ବ୍ୟତୀତ ଅନ୍ୟ କେହି ଉପସ୍ଥିତ ନ ଥିଲେ। ଏହି ସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ, ଦେବପ୍ରସାଦ ଦାସ ଏବଂ ଏହି ବିଭାଗର ନିର୍ଦ୍ଦେଶକ, ବିଜୟ କେତନ ଉପାଧ୍ୟାୟ ଯୋଗ ଦେଇଥିଲେ ହେଁ ସେମାନେ ନିଜର କୌଣସି ବକ୍ତବ୍ୟ ନ ରଖି ସଭା ମଝିରୁ ଚାଲିଯାଇଥିଲେ। ସଭାର ପ୍ରାରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଏହି କ୍ରମରେ ସେ କହିଥିଲେ ଯେ ଏକାଡେମୀର ସ୍ଵତନ୍ତ୍ର ସମ୍ବିଧାନ ରହିଛି, ସ୍ବତନ୍ତ୍ର କାର୍ଯ୍ୟକାରୀ କମିଟି ମଧ୍ୟ ରହିଛି। କିନ୍ତୁ ସେ ଏହା କହିବା ବେଳେ, ଏକାଡେମୀର ସମ୍ବିଧାନକୁ ସମ୍ପୂର୍ଣ୍ଣ ଅଣଦେଖା କରି ବର୍ତ୍ତମାନ ଏହାର କ୍ରିୟାକଳାପ ଚାଲିଛି ଏବଂ ଦୀର୍ଘ ଦୁଇବର୍ଷ ହେଲା ଏହାର କୌଣସି କାର୍ଯ୍ୟକାରୀ ପରିଷଦ ଗଠନ କରାଯାଇନାହିଁ ବୋଲି ଦର୍ଶାଇ ସଭାରେ ଥିବା କିଛି ଦର୍ଶକଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ଖେଳିଯାଇଥିଲା‌।
ଏହି ଅବସରରେ ଦଶଗୋଟି ପୁସ୍ତକର ଲୋକାର୍ପଣ ହୋଇଥିଲା; ଯେଉଁଥିରେ ‘କୋଣାର୍କ’ ପତ୍ରିକାର ତିନିଗୋଟି ସଂଖ୍ୟା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ବିଭିନ୍ନ ସାହିତ୍ୟ ଆଧାରିତ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୨୪ ଜଣ ଛାତ୍ର ଓ ଛାତ୍ରୀମାନଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।
(ପ୍ରକାଶିତ: ୨୫ ଜୁଲାଇ, ୨୦୨୫)

ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ପାଳନକୁ ନେଇ ପ୍ରଶ୍ନ ଉଠାଇଲେ ବହୁ ଗବେଷକ

ଆଦିକବିଙ୍କ ଜନ୍ମତିଥିକୁ ନେଇ ଏବେବି ସହମତି ନାହିଁ

ସାରଳା ସାହିତ୍ୟ ସଂସଦ ପକ୍ଷରୁ ଗତ ଜୁଲାଇ ୧୫ ତାରିଖ ଦିନ କଟକଠାରେ ମହାମାନ୍ୟା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ଆୟୋଜିତ ଆଦିକବି ସାରଳା ଦାସଙ୍କ ଜୟନ୍ତୀ ସମାରୋହର ସଭାମଞ୍ଚରେ ଏହା ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ବୋଲି ଲେଖାଯାଇଥିବାରୁ ରାଜ୍ୟର ଅନେକ ବିଶିଷ୍ଟ ଗବେଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଦିକବିଙ୍କର ପ୍ରକୃତ ଜନ୍ମତିଥି କିମ୍ବା ଜନ୍ମବର୍ଷକୁ ନେଇ ଏବେ ବି ଗବେଷଣା ଜାରି ରହିଥିବା ବେଳେ, ଏବଂ ଏ ନେଇ କୌଣସି ସହମତି ପ୍ରକାଶ ପାଇ ନ ଥିବା ସ୍ଥଳେ ୨୦୨୫ ମସିହା ଜୁଲାଇ ୧୫ ତାରିଖକୁ ମହାମାନ୍ୟା ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଭାବରେ ପାଳନ କରାଯିବା ଅନେକ ପ୍ରତିଷ୍ଠିତ ସାହିତ୍ୟିକ ନାପସନ୍ଦ କରିଛନ୍ତି।
ଏ ବିଷୟରେ ନିଜର ମତ ଦେଇ ବର୍ଷୀୟାନ ସମାଲୋଚକ ବୈଷ୍ଣବ ଚରଣ ସାମଲ କହିଛନ୍ତି ଯେ ସାରଳା ଦାସଙ୍କ ଜନ୍ମତିଥି ନେଇ କୌଣସି ପ୍ରାମାଣିକ ତଥ୍ୟ ନାହିଁ; ଏବଂ ତାଙ୍କର ଜନ୍ମ ବର୍ଷଟି କେବଳ ଅନୁମାନର ବିଷୟ। ସେ ଦୃଷ୍ଟିରୁ ଏହି ବର୍ଷଟିକୁ ତାଙ୍କ ଜନ୍ମର ୬୦୦ତମ ବର୍ଷ ବୋଲି ଲେଖିବା ଉଚିତ ହୋଇନାହିଁ। ବିଶିଷ୍ଟ ସାରଳା ସାହିତ୍ୟ ଗବେଷକ ଗୌରାଙ୍ଗ ଚରଣ ଦାଶ କହିଛନ୍ତି ଯେ ସାରଳାଙ୍କ ଜନ୍ମ ବର୍ଷକୁ ନେଇ ଏବେ ମଧ୍ୟ ବିତର୍କ ଚାଲିଛି; ଏପରିକି ନିଜେ କବି ମଧ୍ୟ ଏ ସମ୍ପର୍କରେ ନିରବତା ଅବଲମ୍ବନ କରିଛନ୍ତି; ଏଣୁ ୨୦୨୫ ମସିହାଟି ତାଙ୍କର ୬୦୦ ତମ ଜନ୍ମଜୟନ୍ତୀର ବର୍ଷ ବୋଲି ଆମେ ନିର୍ଦ୍ଦିଷ୍ଟ ଭାବରେ କହିପାରିବା ନାହିଁ । ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ‘ଆଦିକବି ସାରଳା ଦାସ ଚେଆର୍‌’ର ପ୍ରଫେସର ଉଦୟନାଥ ସାହୁ କହିଛନ୍ତି ଯେ ତାଙ୍କର ଜନ୍ମବର୍ଷ ସଂକ୍ରାନ୍ତରେ ଏମିତି ଲେଖାଯିବାର ଆଧାର କଣ, ତାହା ସ୍ପଷ୍ଟ ଜଣାପଡୁନାହିଁ; କାରଣ ଏହା ଏବେ ବି ବିତର୍କର ବିଷୟ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକ କହିଛନ୍ତି ଯେ ବିଭିନ୍ନ ଗବେଷକଗଣ ସାରଳାଙ୍କ ସମୟ ୯ମଠାରୁ ଆରମ୍ଭ କରି ୧୫ଶ ଶତାବ୍ଦୀ ମଧ୍ୟରେ ବୋଲି ଭିନ୍ନ ଭିନ୍ନ ପ୍ରକାର ମତ ଦେଉଥିବା ବେଳେ, ଭାରତର ରାଷ୍ଟ୍ରପତି ଓ ରାଜ୍ୟର ରାଜ୍ୟପାଳଙ୍କ ଉପସ୍ଥିତିରେ ଚଳିତ ବର୍ଷର ଜୁଲାଇ ୧୫ ତାରିଖଟିକୁ ତାଙ୍କର ୬୦୦ତମ ଜନ୍ମଜୟନ୍ତୀ ଭାବରେ ପାଳନ କରାଯିବା ଉଚିତ ହେଲାନାହିଁ। ଭୁବନେଶ୍ବରସ୍ଥିତ ‘ସାରଳାଦାସ ସ୍ମୃତି ସଂସଦ’ର ସମ୍ପାଦକ ପ୍ରଦୀପ୍ତ କୁମାର ବିଶ୍ବାଳ କହିଛନ୍ତି ଯେ କୌଣସି ତିଥିକୁ ସାରଳାଙ୍କ ଜନ୍ମତିଥି ଭାବରେ ସର୍ବମାନ୍ୟ ଭାବରେ ଗ୍ରହଣ କରାଯାଇନାହିଁ।
କୌତୁହଳର ବିଷୟ ହେଲା, ୨୦୨୧ ମସିହାର ଏପ୍ରିଲ୍ ୪ ତାରିଖ ଦିନ ମଧ୍ୟ କଟକର ଏହି ସାରଳା ସାହିତ୍ୟ ସଂସଦ ପକ୍ଷରୁ ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଭାବରେ ହିଁ ପାଳନ କରାଯାଇଥିଲା, ଯେଉଁ ସମାରୋହରେ ଭାରତର ତତ୍‌କାଳୀନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ଓଡ଼ିଶାର ରାଜ୍ୟପାଳ ଗଣେଶୀଲାଲ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ କଟକସ୍ଥିତ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା-ସଭାପତି ପ୍ରଭାକର ସ୍ୱାଇଁଙ୍କ ସହିତ ଯୋଗାଯୋଗ କରାଯିବାରୁ ସେ ସୂଚାଇଥିଲେ ଯେ, ପୂଜ୍ୟପୂଜା କରାଯିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା; ଏବଂ ତାଙ୍କର ଜନ୍ମ ବର୍ଷକୁ ଅନୁଷ୍ଠାନ ପକ୍ଷରୁ କେବଳ ଆନୁମାନିକ ଭାବରେ ବିଚାର କରାଯାଇଥିଲା। ସେ ମଧ୍ୟ ଦର୍ଶାଇଥିଲେ ଯେ ବିଶିଷ୍ଟ ଗବେଷକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ତାଙ୍କର ପୁସ୍ତକରେ ସାରଳା ଦାସଙ୍କ ଜନ୍ମ ୧୪୨୦ରୁ ୧୪୨୫ ମସିହା ମଧ୍ୟରେ ହୋଇଥିଲା ବୋଲି ମତ ଦେଇଛନ୍ତି।
(ପ୍ରକାଶିତ: ୧୬ ଜୁଲାଇ, ୨୦୨୫)

ଫକୀରମୋହନଙ୍କ ପ୍ରକୃତ ଆତ୍ମଚରିତ ଲୋକଲୋଚନକୁ ଆସିବ କେବେ?

ଅସଲ ‘ଆତ୍ମଚରିତ’ବନ୍ଦି ହୋଇ ପଡ଼ିରହିଛି କଟକରେ

ଏବେ ବ୍ୟାସକବି ଫକୀରମୋହନଙ୍କର ‘ଆତ୍ମଚରିତ’ ନାମରେ ଯେଉଁ ପୁସ୍ତକଟି ତାଙ୍କର ଅନୁରାଗୀ ପାଠକ, ଗବେଷକ, ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ବହୁ କାଳ ହେଲା ପଠିତ ଓ ଚର୍ଚ୍ଚିତ ହୋଇଆସୁଛି, ତାହା ଯେ ତାଙ୍କର ସମ୍ପୂର୍ଣ୍ଣ ଓ ପ୍ରକୃତ ଆତ୍ମଚରିତ ନୁହେଁ ଏକଥା ଅନେକଙ୍କୁ ଅଜଣା। ଫକୀରମୋହନ ତାଙ୍କର ଜୀବଦ୍ଦଶାରେ ଯେଉଁ ଆତ୍ମଚରିତଟି ରଚନା କରିଥିଲେ ତାହା କଟକର ବାଖରାବାଦରେ ଥିବା ତାଙ୍କର ବାସଭବନର ଅନ୍ଧାରି କୋଣରେ ଗୋଟିଏ ସିନ୍ଦୁକ ଭିତରେ ତାଲା ପଡ଼ି ରହିଛି। ଏହା ଅଦାଲତି ମାମଲା, ପ୍ରକାଶନ ଜନିତ ବିବାଦ ତଥା ଫକୀରମୋହନଙ୍କ ଦାୟାଦଙ୍କ ଖିଆଲର ଜ୍ୱାଳାରେ ଭସ୍ମହୋଇ ଚିରଦିନ ପାଇଁ ହଜିଯିବାକୁ ବସିଛି। ତଥାପି ଏଥିପ୍ରତି ନା ଓଡ଼ିଶା ସରକାର, ନା ଓଡ଼ିଶାର ସାହିତ୍ୟ ଜଗତ, କାହାର ବି ଦୃଷ୍ଟି ପଡ଼ୁନାହିଁ।
ଫକୀରମୋହନଙ୍କ ଦେହାନ୍ତ ପରେ ତାଙ୍କର ଆତ୍ମଜୀବନୀ ବା ‘ଆତ୍ମଚରିତ’ ପ୍ରକାଶିତ ହେବା ପୂର୍ବରୁ ତାଙ୍କର ପୁତ୍ର ମୋହିନୀ ମୋହନ ସେନାପତି ନିଜେ ସେଥିର କେତେକାଂଶ ପରିବର୍ତ୍ତନ କରିଦେଇଥିଲେ। ତାଙ୍କ ପିତାଙ୍କର ଭାବମୂର୍ତ୍ତିକୁ ନିର୍ମଳ କରିବା ଉଦ୍ଦେଶ୍ୟରେ ସେ ଏହା କରିଥିଲେ ବୋଲି କୁହାଯାଉଛି। ଏହା ସହିତ ସେ ସେହି ଆତ୍ମଚରିତର ମୂଳ ପାଣ୍ଡୁଲିପିଟି ଲୋକଲୋଚନକୁ ନ ଆଣି ନିଜ ଅଧୀନରେ ରଖିଥିଲେ। ଏବେ ସେହି ମୂଳ ପାଣ୍ଡୁଲିପି ଫକୀରମୋହନଙ୍କ ଅଣନାତୁଣୀ ମିନାକ୍ଷୀ ଦତ୍ତଙ୍କ ଅକ୍ତିଆରରେ ତାଙ୍କର କଟକସ୍ଥିତ ବାସଭବନରେ ରଖାଯାଇଛି। କିନ୍ତୁ ‘ସାହିତ୍ୟ ଚର୍ଚ୍ଚା’କୁ ସୂଚନା ମିଳିଛି ଯେ ବର୍ତ୍ତମାନ ସେହି ପାଣ୍ଡୁଲିପି ଏକାନ୍ତ ଜର୍ଜର ଅବସ୍ଥାକୁ ଆସିଗଲାଣି, ଏବଂ ଏହା ଆଉ ବେଶି ଦିନ ତିଷ୍ଠିବ ନାହିଁ। ତଥାପି ଫକୀରମୋହନଙ୍କ ଅଣନାତୁଣୀ ତାହାର ପ୍ରକାଶନ ପାଇଁ ଆଗ୍ରହ ଦେଖାଉନାହାନ୍ତି।
ଏ ସଂକ୍ରାନ୍ତରେ ଘଟଣାକ୍ରମରୁ ଜଣାଯାଏ ଯେ ୨୦୧୯ ମସିହା ବେଳକୁ ମିନାକ୍ଷୀ ଦତ୍ତ ସେହି ମୂଳ ପାଣ୍ଡୁଲିପିଟିକୁ ବର୍ଷୀୟାନ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରି ଏହାର ସମ୍ପାଦନା ଓ ଡିଜିଟାଇଜେସନ୍ ପାଇଁ ଅନୁରୋଧ କରିଥିଲେ, ଏବଂ ଏହାର ଖର୍ଚ୍ଚ ତୁଲାଇବା ପାଇଁ ତାଙ୍କୁ ପ୍ରାୟ ଏକ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ। ଏଥିସହିତ ସେ ତାଙ୍କୁ ଫକୀରମୋହନଙ୍କ ଆଉ ଦୁଇଟି ଅପ୍ରକାଶିତ ପୁସ୍ତକ ‘ମହାଭାରତ’ ଓ ‘ଖିଳ ହରିବଂଶ’ର ପାଣ୍ଡୁଲିପି ମଧ୍ୟ ଦେଇଥିଲେ। ଏହି ସମ୍ପାଦନା କାର୍ଯ୍ୟରେ ବିଶିଷ୍ଟ ଅଭିଲେଖବିତ୍ ଲଲାଟେନ୍ଦୁ ଦାସ ମହାପାତ୍ର ସହଯୋଗ କରୁଥିଲେ। କିନ୍ତୁ ପରେ ଶ୍ରୀଯୁକ୍ତ ପଟ୍ଟନାୟକ ଏଗୁଡ଼ିକର ସମ୍ପାଦନା କରିବା ସହିତ ‘ଆତ୍ମଚରିତ’ ପୁସ୍ତକଟିକୁ ‘ଆମ ଓଡ଼ିଶା’ ସଂସ୍ଥା ଜରିଆରେ ପ୍ରକାଶ କରାଇବାକୁ ଚେଷ୍ଟିତ ଥିବା କଥା ଜାଣିପାରି ମିନାକ୍ଷୀ ଦତ୍ତ ତାଙ୍କ ବିରୋଧରେ ତଳ କୋର୍ଟରେ ଏକ ମାମଲା ଦାୟର କରିଥିଲେ। ଏହା ପୂର୍ବରୁ ନିଖିଳ ମୋହନ ପଟ୍ଟନାୟକଙ୍କ ନିକଟରେ ମଧ୍ୟ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସୂତ୍ରରୁ ସେହି ପାଣ୍ଡୁଲିପିଟି ପହଞ୍ଚିଥିଲା, ଯାହାର କିଛି ଅଂଶ ସେ ‘ସୃଜନିକା’ର ଓ୍ବେବସାଇଟ୍‌ରେ ପ୍ରକାଶ କରିଦେଇଥିଲେ; କିନ୍ତୁ ପରେ ଏଥିନେଇ ବିବାଦ ଦେଖା ଯିବାରୁ ସେ ତାହାକୁ ସେଠାରୁ ହଟାଇ ଦେଇଥିଲେ। ୨୦୨୧ ମସିହାରେ ଏ ସଂକ୍ରାନ୍ତରେ ଅଦାଲତଙ୍କ ରାୟ ପ୍ରକାଶ ପାଇଥିଲା ଏବଂ ପାଣ୍ଡୁଲିପିଟିକୁ ପ୍ରକାଶ ନ କରି ମୀନାକ୍ଷୀ ଦତ୍ତଙ୍କୁ ତାହା ଫେରସ୍ତ କରିଦେବାପାଇଁ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ କାଳରେ କଟକର ଜିଲ୍ଲା କୋର୍ଟରେ ଏହି ରାୟର ପୁନର୍ବିଚାର ପାଇଁ ଏକ ମାମଲା ଦାୟର ହୋଇଥିଲା, ଯାହା ଏବେ ବିଚାରାଧୀନ ଅଛି, କିନ୍ତୁ ଏହା ବିଶେଷ ବାଟ ଆଗେଇ ପାରିନାହିଁ।
ବିଶେଷ ସୂତ୍ରରୁ ଜଣାଯାଇଛି, ଏବେ ମୋହିନୀ ମୋହନ ସେନାପତିଙ୍କ ଦ୍ବାରା ପରିବର୍ତ୍ତିତ ହୋଇଥିବା ଫକୀରମୋହନଙ୍କ ଆତ୍ମଚରିତଟି ଯେଉଁ ରୂପରେ ବଜାରରେ ଉପଲବ୍‌ଧ ଅଛି, ସେଥିରେ ମୂଳ ପାଣ୍ଡୁଲିପିର ପ୍ରାୟ ୫୦ ପ୍ରତିଶତ ଭାଗ ସହିତ କୌଣସି ସାମ୍ୟ ନାହିଁ। ବିଶେଷତଃ ଫକୀର ମୋହନଙ୍କ କେନ୍ଦୁଝର ରହଣି ସମୟ ବିଷୟରେ ଥିବା ତଥ୍ୟକୁ କାଣ୍ଟଛାଣ୍ଟ କରାଯାଇଛି। ଫକୀରମୋହନ ନିଜର ଜୀବଦ୍ଦଶାରେ ନିଜ ଜୀବନାନୁଭୂତିକୁ ପ୍ରକୃତରେ କେଉଁ ଭାବରେ ଲେଖିଯାଇଛନ୍ତି ତାହା ଜାଣିବାର ଅଧିକାର ସମଗ୍ର ଓଡ଼ିଆ ଜାତିର ଅଛି। ଏ ଦୃଷ୍ଟିରୁ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସେହି ଅପ୍ରକାଶିତ ପାଣ୍ଡୁଲିପିଟିକୁ ନିଜ ଅକ୍ତିଆରକୁ ଆଣି ଓଡ଼ିଆ ସାହିତ୍ୟର ବୃହତ୍ତର ହିତ ଦୃଷ୍ଟିରୁ ଏହାକୁ ପ୍ରକାଶ କରାଇବାର ଆବଶ୍ୟକତା ଅଛି।
(ପ୍ରକାଶିତ: ୪ ଜୁଲାଇ, ୨୦୨୫)