ବୟୋଜ୍ୟେଷ୍ଠ ଭାଷାସେବକ ପର୍ଶୁରାମ ଦ୍ୱିବେଦୀଙ୍କ ସହ ଆଳାପ

ସେତେବେଳେ ଝାଡ଼ଖଣ୍ଡରେ ଏକ ଆନ୍ଦୋଳନ ହୋଇଥିଲା ଓଡ଼ିଆକୁ ଦ୍ୱିତୀୟ ଭାଷା କରିବା ପାଇଁ। ଆମେ ରାଞ୍ଚି ଯାଇ ସାରା ରାତି ଧାରଣାରେ ବସିଥିଲୁ।

ଓଡ଼ିଶା ତଥା ଏହାର ବିଚ୍ଛିନ୍ନାଞ୍ଚଳମାନଙ୍କରେ ଓଡ଼ିଆ ଭାଷା ଓ ସାହିତ୍ୟର ସଂରକ୍ଷଣ ଓ ପ୍ରସାର କରିବାର ବ୍ରତରେ ନିଜକୁ ସମର୍ପିତ କରିଥିବା ପର୍ଶୁରାମ ଦ୍ୱିବେଦୀଙ୍କର ବୟସ ବର୍ତ୍ତମାନ ୯୩ ବର୍ଷ। ନିଜର ତନ, ମନ ଓ ଧନ , ସବୁକିଛି ସେ ଓଡ଼ିଆ ଭାଷାର ସେବାରେ ଉତ୍ସର୍ଗ କରିଦେଇଛନ୍ତି। ଜଣେ କବି ଓ ପ୍ରାବନ୍ଧିକ ଭାବରେ ମଧ୍ୟ ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ବହୁ ଅବଦାନ ରହିଛି। ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ବହୁ ବର୍ଷ ଧରି କାର୍ଯ୍ୟ କରିବା ପରେ ସେ ଡେପୁଟି ସେକ୍ରେଟାରୀ ପାହିଆରେ ଥାଇ ଅବସର ଗ୍ରହଣ କରିଛନ୍ତି। ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସମ୍ପାଦକ, ନିହାର ଶତପଥୀ।

ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଆତ୍ମଜୀବନୀ, ‘ଅରକ୍ଷିତକୁ ଦଇବ ସାହା’ ପଢ଼ିଲେ ପାଠକର ଆଖି ଛଳଛଳ ହୋଇଯାଏ। ବାଲ୍ୟକାଳରୁ ଆପଣ ଦାରିଦ୍ର୍ୟର କଶାଘାତ ଆଉ ଭାଗ୍ୟର ବିପର୍ଯ୍ୟୟ ସହିତ ଯୁଝିଆସିଛନ୍ତି। ସେଥିପାଇଁ ବୋଧହୁଏ ଆପଣ ବହିଟିର ନାମରେ ‘ଅରକ୍ଷିତ’ ଶବ୍ଦଟିର ପ୍ରୟୋଗ କରିଛନ୍ତି।
ପର୍ଶୁରାମ ଦ୍ୱିବେଦୀ: ପ୍ରକୃତରେ ଦେଖିବାକୁ ଗଲେ, ମୁଁ ସବୁଦିନ ଅରକ୍ଷିତ। ପିଲାଦିନେ ତ ଭୋଗିଥିଲି ଦାରିଦ୍ର‌୍ୟର ଚରମ ଅବସ୍ଥା। ମୁଁ ଯାହା ଭୋଗିଛି, କହିଲେ କେହି ବିଶ୍ୱାସ କରିପାରିବେନି, କରନ୍ତିନି ମଧ୍ୟ। ବହୁତ ଦିନ ଏପରି କଟିଛି, ଯେତେବେଳେ ଆମେ ଓଳିଏ ଖାଇଲେ, ଆର ଓଳିକୁ କିଛି ନ ଥାଏ; ସେମିତି ଉପାସରେ ରହୁ। ଅତି ବାଳୁତକାଳରୁ ବାପାଙ୍କୁ ହରାଇଥିଲି। ଆମର ଆୟ କିଛି ନ ଥାଏ। ଏସବୁ କଥା ମୁଁ ଆତ୍ମଜୀବନୀରେ ଲେଖିଛି।
ସାହିତ୍ୟ ଚର୍ଚ୍ଚା: ସେହି ଯେଉଁ ଦୁଃଖ, କଷ୍ଟ ଓ ତାଡ଼ନା ପିଲାଦିନେ ଭୋଗିଥିଲେ ଆପଣ- ତାହାର ପ୍ରଭାବରେ କ’ଣ ଆପଣ ଅଗ୍ନିଦଗ୍ଧ ଶୁଦ୍ଧ ସୁବର୍ଣ୍ଣର ଜ୍ୟୋତି ଭଳି ଓଡ଼ିଆ ଜାତିର ଜଣେ ସମର୍ପିତ ସେବକ ଭାବରେ ତେଜିଆନ୍ ହୋଇଉଠିଲେ ନିଜ ପରବର୍ତ୍ତୀ ଜୀବନରେ?
ପର୍ଶୁରାମ ଦ୍ୱିବେଦୀ: ହୋଇପାରେ, କାହିଁକି ନା ସେହି ଝଡ଼ଝଞ୍ଜାର ପ୍ରଭାବ ନ ପଡ଼ିଥିଲେ ହୁଏତ ମୋ’ ଜୀବନଟା ଅନ୍ୟ କେମିତି ଗଢ଼ି ହୋଇଥାଆନ୍ତା।
ସାହିତ୍ୟ ଚର୍ଚ୍ଚା: ପିଲାଦିନେ ପ୍ରାଥମିକ ସ୍କୁଲରେ ପଢ଼ୁଥିବା ବେଳେ, ମାତ୍ର ଦେଢ଼ ଟଙ୍କାର ସ୍କୁଲ୍‌-ଫି ଦେଇପାରିଲେନି ବୋଲି ସେତକ ଯୋଗାଡ଼ କରିବା ପାଇଁ ଆପଣ ଦିନେ ଆଉ ଜଣକର କ୍ଷେତରେ ମୂଲ ଲାଗିଥିଲେ। ବାଲ୍ୟକାଳର ଏହି ଯେଉଁ ସଂଘର୍ଷ, ଆପଣଙ୍କୁ ଜୀବନରେ କ’ଣ ଶିକ୍ଷା ଦେଇଛି?
ପର୍ଶୁରାମ ଦ୍ୱିବେଦୀ: ଶିକ୍ଷା ଦେଇଛି ଯେ ଜଣେ ଲୋକ ଲଢ଼ିଲେ ଶେଷକୁ ପ୍ରତିଷ୍ଠିତ ହୋଇପାରିବ; ଏଥିରେ ସନ୍ଦେହ ନାହିଁ। କିନ୍ତୁ ସେଥିରେ ହାରିଯାଇ ଜୀବନ ସଂଗ୍ରାମରୁ ଓହରିଗଲେ ଈଶ୍ୱର ଆମପାଇଁ ରଖିଥିବା ସବୁତକ ବାଟ ବନ୍ଦ ହୋଇଯାଏ।
ସାହିତ୍ୟ ଚର୍ଚ୍ଚା: ପ୍ରଥମେ ଜଣେ ଶିକ୍ଷକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରି ପରବର୍ତ୍ତୀ କାଳରେ ଓ.ଏ.ଏସ୍ କ୍ୟାଡରରେ ଯୋଗ ଦେବା ସହିତ ସରକାରଙ୍କ ଡେପୁଟି ସେକ୍ରେଟାରୀ ପାହିଆରେ ଥାଇ ଆପଣ ଅବସର ଗ୍ରହଣ କରିଥିଲେ। ଚାକିରି ଜୀବନର ଏହି ଉଠାଣି ଓ ଗଡ଼ାଣିରେ ଅନେକ ରୁକ୍ଷ ପରିସ୍ଥିତିକୁ ସାମନା କରିଥିବାର କଥା ଆପଣ ନିଜର ଆତ୍ମଜୀବନୀରେ ଲେଖିଛନ୍ତି।
ପର୍ଶୁରାମ ଦ୍ୱିବେଦୀ: ଗୋଟିଏ କଥା ଶିଖିଛି ଯେ ଚାକିରି ଜୀବନରେ ମନଦେଇ କାମକଲେ ସବୁ ଲୋକ ଆପଣଙ୍କୁ ଆଦର ଓ ସହଯୋଗ କରିବେ। କିନ୍ତୁ ଯିଏ ଠକିବ, ସେ ଏହା ପାଇବନାହିଁ।
ସାହିତ୍ୟ ଚର୍ଚ୍ଚା: ସେଥିପାଇଁ ଆପଦ-ବିପଦରେ ଭଗବାନ ସବୁବେଳେ ଆପଣଙ୍କ ସହିତ ଛିଡ଼ା ହୋଇଛନ୍ତି।
ପର୍ଶୁରାମ ଦ୍ୱିବେଦୀ: ହଁ ସବୁବେଳେ; ଏପରିକି ସେ ମୋ’ର ହାତ ଧରି ଆଗକୁ ଟାଣିନେବା କଥା ମୁଁ ନିଜେ ଅନୁଭବ କରିଛି।
ସାହିତ୍ୟ ଚର୍ଚ୍ଚା: ସେତେବେଳର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘ନବଜୀବନ’ର ସମ୍ପାଦକ ସ୍ୱର୍ଗତ ଚିନ୍ତାମଣି ମିଶ୍ରଙ୍କର ମାତ୍ର ଗୋଟିଏ ଧାଡ଼ିର ଆହ୍ୱାନରେ ଆପଣ ନିଜର ଶିକ୍ଷକତା ଚାକିରିରୁ ଇସ୍ତଫା ଦେଇ ଚାଲିଆସିଥିଲେ ସେହି ପତ୍ରିକା ସହିତ ଯୋଡ଼ି ହେବାପାଇଁ।
ପର୍ଶୁରାମ ଦ୍ୱିବେଦୀ: ହଁ, ସେ ମୋତେ କହିଥିଲେ, “ଆସ, ‘ନବଜୀବନ’ରେ ନବଜୀବନ ଗଢ଼ିବା।”
ସାହିତ୍ୟ ଚର୍ଚ୍ଚା: ଏହି ପତ୍ରିକାରେ ଯୋଗଦେବା ପରେ ହିଁ ଓଡ଼ିଆ ସାହିତ୍ୟ ସହିତ ଆପଣଙ୍କର ପରିଚୟ ଘଟିଥିଲା କି?
ପର୍ଶୁରାମ ଦ୍ୱିବେଦୀ: ନାହିଁ, ତାହା ପୂର୍ବରୁ ମଧ୍ୟ ପିଲାଦିନୁଁ ସାହିତ୍ୟ ପ୍ରତି ମୋ’ର ସ୍ପୃହା ଥିଲା। ଛାତ୍ରଜୀବନରେ ଯାହା ଲେଖିଥିଲି, ସେସବୁ ଅବଶ୍ୟ ଏବେ ହଜିଗଲାଣି।

ସାହିତ୍ୟ ଚର୍ଚ୍ଚା: ଆପଣ ତ ‘ନବଜୀବନ’ ପତ୍ରିକାକୁ ଗୋଟିଏ ଚାକିରି କରିବେ ବୋଲି ଭାବି ଆସି ନ ଥିଲେ।
ପର୍ଶୁରାମ ଦ୍ୱିବେଦୀ: ନା, ମୋଟେ ନୁହେଁ।
ସାହିତ୍ୟ ଚର୍ଚ୍ଚା: ଭାଷା ଓ ସାହିତ୍ୟକୁ ନେଇ ଆପଣ ପିଲାଦିନୁ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହାକୁ ସାକାର କରିବାର ଗୋଟିଏ ସମ୍ଭାବନା ବୋଧହୁଏ ଆପଣ ଦେଖିଲେ ‘ନବଜୀବନ’ରେ।
ପର୍ଶୁରାମ ଦ୍ୱିବେଦୀ: ମୁଁ ଭାବିଥିଲି ଯେ ଜୀବନରେ ଯାହା ଚାହୁଁଥିଲି ତାହା ପାଇବି ସେଠାରେ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ସେହି କାମନା ସଫଳ ହେଲା କି?
ପର୍ଶୁରାମ ଦ୍ୱିବେଦୀ: ନୂଆ ନୂଆରେ ମୋତେ ପ୍ରୁଫ୍ ସଂଶୋଧନ କରିବା ଏବଂ କିଛି ଲେଖାଲେଖି ଆଦି କାର୍ଯ୍ୟ ଦିଆଗଲା। ଏହା ମୋତେ ଭଲ ଲାଗୁଥିଲା। କିନ୍ତୁ ଦିନେ ଯେତେବେଳେ ସମ୍ପାଦକ ମୋତେ କହୁକହୁ କହିଦେଲେ ଯେ ତୁମେ ଏଠାରେ ଚାକିରି କରୁଛ, ତାଙ୍କର ସେହି ପଦକ କଥାରେ ମୁଁ ସେହି ସ୍ଥାନ ଛାଡ଼ିଦେଲି; କାରଣ ଚାକିରି କରିବା ପାଇଁ ମୁଁ ସେଠାକୁ ଯାଇ ନ ଥିଲି।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଗୋଟିଏ କଥା, ଚିନ୍ତାମଣି ବାବୁ ଓ ଆପଣ ସମସ୍ତେ ମିଶି ଓଡ଼ିଶାକୁ ଗୋଟିଏ ଉଚ୍ଚମାନର ସାହିତ୍ୟ ପତ୍ରିକା ଦେଇପାରିଥିଲେ। ଏହାକୁ ଓଡ଼ିଆ ପତ୍ରିକା ଜଗତର ଇତିହାସରେ ଗୋଟିଏ ମାନକ ପତ୍ରିକା ଭାବରେ ଧରାଯାଏ।
ପର୍ଶୁରାମ ଦ୍ୱିବେଦୀ: ଏହା ଖୁବ୍ ଉଚ୍ଚକୋଟୀର ପତ୍ରିକା ଥିଲା। ଚିନ୍ତାମଣି ବାବୁଙ୍କର ଅଗାଧ ଜ୍ଞାନ ମଧ୍ୟ ଥିଲା।
ସାହିତ୍ୟ ଚର୍ଚ୍ଚା: ସେହି ପତ୍ରିକାରୁ ବୋଧହୁଏ ଆପଣ ସାହିତ୍ୟ ସମ୍ପାଦନାର କିଛି ମୂଲ୍ୟବାନ କଳା ଆହରଣ କରିପାରିଥିଲେ, ଯାହା ଦିଶିଯାଏ ଆପଣଙ୍କ ଦ୍ୱାରା ରଚିତ ଆତ୍ମଜୀବନୀରୁ; ଯେମିତି ସେଥିରେ ଅଧ୍ୟାୟଗୁଡ଼ିକୁ ଛୋଟଛୋଟ ଭାଗରେ ବାଣ୍ଟି ଆପଣ ପ୍ରତ୍ୟେକଟିର ଚମତ୍କାର ଶିରୋନାମା ସବୁ ଦେଇଛନ୍ତି।
ପର୍ଶୁରାମ ଦ୍ୱିବେଦୀ: କିଛି ଶିଖିବା ପାଇଁ ମୁଁ ‘ନବଜୀବନ’କୁ ଯାଇଥିଲି। ସେଥିରେ କିଛି ମାତ୍ରାରେ ସଫଳ ହୋଇଛି, ତ ଆଉ କିଛି ମାତ୍ରାରେ ବିଫଳ ମଧ୍ୟ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ପ୍ରେରଣାରେ ଗଢ଼ାଯାଇଥିବା ଅନୁଷ୍ଠାନ ‘ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ’ର ତତ୍ତ୍ୱାବଧାନରେ ବିଭିନ୍ନ ବିଚ୍ଛିନ୍ନାଞ୍ଚଳରେ ଚାଲିଛି ୬୦ଟି ଓଡ଼ିଆ ଚାଟଶାଳୀ ଓ ପ୍ରାୟ ୩୦୦ଟି ଭାଗବତ ଟୁଙ୍ଗି। ଏହି ବିରାଟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ଆପଣ ସାହସ କେମିତି ଜୁଟାଇଲେ?
ପର୍ଶୁରାମ ଦ୍ୱିବେଦୀ: ସାହସ ଆଉ କ’ଣ, ଏହା ହେଉହେଉ ହେଇଛି। ନିଜକୁ ନିଜେ ସାହସ ଜୁଟାଇ ମୁଁ କ’ଣ ଏକୁଟିଆ ସବୁକିଛି କରିପାରିଥା’ନ୍ତି? ଭାଷା ପ୍ରତି ମୋ’ର ଯେଉଁ ଶ୍ରଦ୍ଧା ଥିଲା ପିଲାଟି ବେଳୁ, ତାହା ମୋତେ ସାହାଯ୍ୟ କରିଥିଲା।
ସାହିତ୍ୟ ଚର୍ଚ୍ଚା: ଏହାପାଇଁ ତ ପୁଣି ସମ୍ବଳ ଜୁଟାଇବାକୁ ପଡ଼ିଥିବ; ଲୋକବଳ ଦରକାର ପଡ଼ିଥିବ?
ପର୍ଶୁରାମ ଦ୍ୱିବେଦୀ: ପ୍ରଥମେ ନିଜେ କରୁଥିଲି; ଏବେ ଆମ ଅନୁଷ୍ଠାନର ସଦସ୍ୟ ଓ ଶୁଭେଚ୍ଛୁମାନଙ୍କର ଦାନ ଅର୍ଥରେ ଏହା ଚାଲିଛି। ଯାହାଙ୍କୁ ଯେତେବେଳେ ମୁଁ ଅନୁରୋଧ କରିଛି, ସେମାନେ ସହଯୋଗ କରିଛନ୍ତି। ଏଥିପାଇଁ ଆମେ କେବେ କିଛି ସରକାରୀ ଅନୁଦାନ ଆଶା କରିନାହୁଁ, କି ପାଇନାହୁଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଅନୁଷ୍ଠାନ ବର୍ଷ ବର୍ଷ ଧରି ଲକ୍ଷାଧିକ ସଂଖ୍ୟାରେ ‘ବର୍ଣ୍ଣବୋଧ’ ବହି ଛପାଇ ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ଓଡ଼ିଆ ସ୍କୁଲରେ ବାଣ୍ଟିଛି। ଆପଣ ଏହି ବୟସରେ ବି ନିଜେ ସେହି ବହିଗୁଡ଼ିକ ଧରି ଟ୍ରେନ୍‌ଯୋଗେ ଷଢ଼େଇକଳା ଓ ଖରସୁଆଁ ଆଦି ଅଞ୍ଚଳକୁ ବାରମ୍ବାର ଯାଇଛନ୍ତି ଏବଂ ସେଠାରେ ବହୁ ବାଟ ପାଦରେ ଚାଲିଚାଲି ସେଗୁଡ଼ିକ ବାଣ୍ଟିଛନ୍ତି।
ପର୍ଶୁରାମ ଦ୍ୱିବେଦୀ: ଏହାଛଡ଼ା ଲକ୍ଷ୍ମୀପୁରାଣ ଭଳି ଆଉ କେତେକ ବହି ମଧ୍ୟ ଆମେ ସେଠାରେ ବାଣ୍ଟିଥିଲୁ। ସେ ବହିସବୁ ଲୋକମାନେ ବଡ଼ ଆଗ୍ରହରେ ଗ୍ରହଣ କରୁଥିଲେ।
ସାହିତ୍ୟ ଚର୍ଚ୍ଚା: ବିଚ୍ଛିନ୍ନାଞ୍ଚଳରେ ଆପଣ ତ ‘ବିଚ୍ଛିନ୍ନାଞ୍ଚଳର ଗୋପବନ୍ଧୁ’ ବୋଲି ପରିଚିତ।
ପର୍ଶୁରାମ ଦ୍ୱିବେଦୀ: ସେକଥା ମୁଁ ଜାଣିନାହିଁ। କିନ୍ତୁ ଆମେ ଗୋପବନ୍ଧୁଙ୍କ ଆଦର୍ଶକୁ ପାଥେୟକରି କାମକରୁ।
ସାହିତ୍ୟ ଚର୍ଚ୍ଚା: ଆପଣ ନିଜର ବାସଭବନର ଗୋଟିଏ ଅଂଶ, ଅର୍ଥାତ୍ ଉପର ମହଲାରେ ଗୋଟିଏ ଛୋଟ ହଲ୍ ତିଆରି କରି ତାହାକୁ ଆମ ଜାତିର ଉପଯୋଗ ପାଇଁ ଛାଡ଼ିଦେଇଛନ୍ତି, ଯାହାକୁ ବିନା ମୂଲ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ଆଧାରିତ ସଭାସମିତି ଆୟୋଜନ କରିବା ପାଇଁ ଯେ କେହି ବ୍ୟବହାର କରିପାରନ୍ତି। ଏମିତି କାହିଁକି କଲେ?
ପର୍ଶୁରାମ ଦ୍ୱିବେଦୀ: କେତେକ ଅନୁଷ୍ଠାନ ସେଠାରେ ସଭାସମିତି ଆଦି କରୁଛନ୍ତି। ଏହି ସୁବିଧାଟି ଯୋଗାଇ ପାରିଥିବାରୁ ମୋତେ ଆତ୍ମସନ୍ତୁଷ୍ଟି ମିଳୁଛି। ବିଚ୍ଛିନ୍ନାଞ୍ଚଳରୁ ଭୁବନେଶ୍ୱରକୁ ଆସିଥିବା ଓଡ଼ିଆ ଭାଇମାନେ ମଧ୍ୟ ସେଠାରେ କେବେ କେମିତି ରୁହନ୍ତି।
ସାହିତ୍ୟ ଚର୍ଚ୍ଚା: ବିଚ୍ଛିନ୍ନାଞ୍ଚଳମାନଙ୍କ ସହିତ ଆପଣ ପୂର୍ଣ୍ଣ ହୃଦୟରେ ଯୋଡ଼ିହୋଇ ରହିଛନ୍ତି। ସତରେ କ’ଣ ଦିନେ ଏହି ଅଞ୍ଚଳଗୁଡ଼ିକ ଓଡ଼ିଶାରେ ମିଶିବ, ଆଉ ଆପଣ ଦେଖିଥିବା ପୂର୍ଣ୍ଣାଙ୍ଗ ଉତ୍କଳ ଗଠନର ସ୍ୱପ୍ନ ସାର୍ଥକ ହେବ?
ପର୍ଶୁରାମ ଦ୍ୱିବେଦୀ: ଏହି ମିଶ୍ରଣ ତ ଦେଖିବାକୁ ମିଳିସାରିଲାଣି, ଭୌଗୋଳିକ ଦୃଷ୍ଟିରୁ ନ ହେଲେ ବି, ଭାବ ଓ ସଂସ୍କୃତି ଦୃଷ୍ଟିରୁ। ବିଚ୍ଛିନ୍ନାଞ୍ଚଳର ଅଧିକରୁ ଅଧିକ ଲୋକ ଏବେ ମାନସିକ ସ୍ତରରେ ଓଡ଼ିଶା ସହିତ ଯୋଡ଼ିହୋଇ ରହିଛନ୍ତି।
ସାହିତ୍ୟ ଚର୍ଚ୍ଚା: ବିଚ୍ଛିନ୍ନାଞ୍ଚଳକୁ ଯାଇ ସେଠାରେ ଓଡ଼ିଆ ଭାଷା ପ୍ରତି ପ୍ରେମ ଜାଗ୍ରତ କରିବାର ସ୍ୱପ୍ନ ଆପଣଙ୍କ ମନକୁ ପ୍ରଥମେ କାହିଁକି ଆସିଲା?
ପର୍ଶୁରାମ ଦ୍ୱିବେଦୀ: ଏହା ହୋଇପାରିଥିଲା ମୋର ପୂଜ୍ୟ ଶିକ୍ଷକ ସଚ୍ଚିଦାନନ୍ଦ ମିଶ୍ରଙ୍କ ଯୋଗୁଁ। ସେ ବିଚ୍ଛିନ୍ନାଞ୍ଚଳରେ ପୂର୍ବରୁ କାର୍ଯ୍ୟ କରିଥିଲେ ଏବଂ ଜଣେ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଥିଲେ।
ସାହିତ୍ୟ ଚର୍ଚ୍ଚା: କୁହାଯାଏ ଯେ ଓଡ଼ିଆକୁ ଝାଡ଼ଖଣ୍ଡ ରାଜ୍ୟର ଦ୍ୱିତୀୟ ସରକାରୀ ଭାଷା ଘୋଷଣା କରାଯିବା ପଛରେ ଆପଣଙ୍କ ପ୍ରଚେଷ୍ଟାର ଭୂମିକା ରହିଛି।
ପର୍ଶୁରାମ ଦ୍ୱିବେଦୀ: ସେତେବେଳେ ଏକ ଆନ୍ଦୋଳନ ହୋଇଥିଲା। ଆମେ ରାଞ୍ଚି ଯାଇ ସେଠାକାର ଲୋକଙ୍କୁ ସଙ୍ଗଠିତ କଲୁ ଏବଂ ସାରା ରାତି ଧାରଣାରେ ବସିଥିଲୁ।
ସାହିତ୍ୟ ଚର୍ଚ୍ଚା: ଆପଣ ପିଲାଦିନରୁ ନେଇ ଆଜିପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଜଗନ୍ନାଥ ଦାସଙ୍କ ଭାଗବତରୁ ଗୋଟିଏ ଲେଖାଏଁ ଅଧ୍ୟାୟ ପଢ଼ିଆସିଛନ୍ତି।
ପର୍ଶୁରାମ ଦ୍ୱିବେଦୀ: ହଁ, ପଢ଼େ ଏବେ ବି।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଆପଣ ଠାଏ କହିଛନ୍ତି ଯେ ଆପଣ ପିଲାଦିନେ ପ୍ରଥମେ ଯେତେବେଳେ ଭାଗବତ ପଢ଼ିବା ଆରମ୍ଭ କଲେ, ତାହା କରୁଥିଲେ ନିଜର ପେଟ ପୋଷିବା ପାଇଁ, ଭକ୍ତିଭାବ ପାଇଁ ନୁହେଁ।
ପର୍ଶୁରାମ ଦ୍ୱିବେଦୀ: ସେତେବେଳେ ଆମ ଘରର ଦୁର୍ବଳ ଆର୍ଥିକ ପରିସ୍ଥିତିର କଥା ତ ମୁଁ ଆପଣଙ୍କୁ କହିଛି। ତେଣୁ ଲୋକଙ୍କ ଘରକୁ ଯାଇ ଏହି ଭାଗବତ ପଢ଼ିବାର କାର୍ଯ୍ୟଟି ମୋତେ ଆର୍ଥିକ ଭାବରେ ସାହାଯ୍ୟ କଲା। ପରେ ଅବଶ୍ୟ ଭାଗବତର ସେହି ସଂସର୍ଗ ମୋ’ ମନରେ ତାହା ପ୍ରତି ଏକାନ୍ତ ଶ୍ରଦ୍ଧା ଓ ଭକ୍ତିର ଭାବ ଜାଗ୍ରତ କଲା।
ସାହିତ୍ୟ ଚର୍ଚ୍ଚା: ଆମ ସାରସ୍ୱତ ଭଣ୍ଡାରକୁ ଆପଣଙ୍କ ସାହିତ୍ୟକୃତିଗୁଡ଼ିକର ଅବଦାନ ଅଛି। ଅଠର ବର୍ଷ ତଳେ ପ୍ରାୟ ୩୦୦ ପୃଷ୍ଠାର ନିଜ ଆତ୍ମଜୀବନୀଟି ଲେଖିବା ପାଇଁ ଆପଣଙ୍କୁ କେତେଦିନ ଲାଗିଥିଲା?
ପର୍ଶୁରାମ ଦ୍ୱିବେଦୀ: ବେଶିଦିନ ଲାଗି ନାହିଁ। ଯେତେବେଳେ ବସି ଲେଖିବା ଆରମ୍ଭ କଲି, ଅଳ୍ପ ଦିନ ମଧ୍ୟରେ ହିଁ ତା’କୁ ସାରିଦେଲି। ଥରେ ଲେଖିବାକୁ ବସିଗଲେ ସମୟ ଜଣାପଡ଼େ ନାହିଁ।
ସାହିତ୍ୟ ଚର୍ଚ୍ଚା: ଆଜିକାଲି ତରୁଣ ପିଢ଼ିର ଲେଖକମାନେ ତ କମ୍ପ୍ୟୁଟରର ସାହାଯ୍ୟ ନେଇ ବି ଏତେ ବେଗରେ ଲେଖିପାରୁନାହାନ୍ତି! ଆପଣଙ୍କ ଆତ୍ମଜୀବନୀର ଶୈଳୀ ନିଆରା। ଆପଣଙ୍କର କବିତା ପୁସ୍ତକଗୁଡ଼ିକ ମଧ୍ୟ ଉଚ୍ଚ ମାନର।
ପର୍ଶୁରାମ ଦ୍ୱିବେଦୀ: ହଁ, କିଛି କିଛି କବିତା ଓ ପ୍ରବନ୍ଧ ଲେଖିବାର ସୁଯୋଗ ମିଳିଛି।
ସାହିତ୍ୟ ଚର୍ଚ୍ଚା: ୨୦୧୦ରେ ପ୍ରକାଶିତ ଆପଣଙ୍କର ‘ଗୀତି ପୁଷ୍ପାଞ୍ଜଳୀ’ ବହିର ଗୋଟିଏ କବିତାରେ ଥିବା କିଛି ଧାଡ଼ି ଆମକୁ ସ୍ପର୍ଶ କରିଛି। ଆପଣ ଲେଖିଛନ୍ତି: “ଗରିବ ରୂପରେ ଆସ, ହାତପାତି ମାଗିବାକୁ କିଛି/ ରୋଗୀର ଚିତ୍କାରେ ଡାକ, ଆଶ୍ୱାସନା ଦିଅ ଖାଲି, ତୁମକୁ ମୁଁ ମାଗୁନାହିଁ କିଛି।”
ପର୍ଶୁରାମ ଦ୍ୱିବେଦୀ: କେତେ ସୁନ୍ଦର ହୋଇଛି ଏହି ପଦଟି; କେଉଁଠୁ ଆସିଲା, କେମିତି ଲେଖି ହୋଇଗଲା, ମୁଁ ଜାଣିପାରୁନାହିଁ। ଆପଣ ଏଇଟାକୁ ଆଉ ଥରେ ପଢ଼ନ୍ତୁ, ମୋ’ର ପୁଣି ଶୁଣିବାକୁ ଇଚ୍ଛା ହେଉଛି।
ସାହିତ୍ୟ ଚର୍ଚ୍ଚା: (ଆମେ କବିତାଟି ପୁଣିଥରେ ତାଙ୍କୁ ପଢ଼ି ତାଙ୍କୁ ଶୁଣାଇଲୁ।) ଅବହେଳିତ ଓ ନିଷ୍ପେଷିତଙ୍କ ପ୍ରତି ଏହି ଯେଉଁ ସମ୍ବେଦନା, ତାହା ଆପଣ ପିଲାଦିନେ ଭୋଗିଥିବା ଦାରିଦ୍ର‌୍ୟ ଓ ବେଦନାର ଏକ ପ୍ରତିଫଳନ କି?
ପର୍ଶୁରାମ ଦ୍ୱିବେଦୀ: ଅଲବତ୍‌, ଅଲବତ୍‌। ଆମେ ତ ମାଗିକରି ଖାଉଥିଲୁ।
ସାହିତ୍ୟ ଚର୍ଚ୍ଚା: ଶେଷରେ ଆପଣଙ୍କଠାରୁ ଜାଣିବାକୁ ଚାହିବୁ ଯେ ଏବେ ଓଡ଼ିଆ ଭାଷାର ସ୍ଥିତି ଯାହା, ସେଥିରେ ଆମ ଭାଷାର ଭବିଷ୍ୟତକୁ ଆପଣ କେମିତି ଦେଖନ୍ତି?
ପର୍ଶୁରାମ ଦ୍ୱିବେଦୀ: ଭାଷାର ଭବିଷ୍ୟତଟା ମୋତେ ଅନ୍ଧାର ଦିଶୁଛି; କାହିଁକି ନା ଗୋଟିଏ ସମୟ ଥିଲା ଯେତେବେଳେ ଆମ ରାଜ୍ୟରେ ଏପରି ଅନେକ ଲୋକ ଥିଲେ ଯେଉଁମାନେ ଭାଷା ପାଇଁ ଆଗକୁ ବାହାରୁଥିଲେ, ଅନେକ କିଛି ତ୍ୟାଗ କରୁଥିଲେ। ଏବେ ସେଥିରେ ଅବନତି ଘଟିଛି।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ଉପାଦେୟ ଆଳାପଟି ପାଇଁ ଆପଣଙ୍କୁ କୃତଜ୍ଞତା ଜଣାଉଛୁ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)

One thought on “ବୟୋଜ୍ୟେଷ୍ଠ ଭାଷାସେବକ ପର୍ଶୁରାମ ଦ୍ୱିବେଦୀଙ୍କ ସହ ଆଳାପ”

Leave a Reply

Your email address will not be published. Required fields are marked *