
ଆଲୋଚ୍ୟ ଗଳ୍ପସଂକଳନର ଶିରୋନାମାରେ ସ୍ୱୟଂ ଲେଖକଙ୍କ ନାମଟି ଦେଖି ପାଠକେ ପ୍ରଥମେ ବୋଧହୁଏ ପ୍ରଲୁବ୍ଧ ହୋଇପାରନ୍ତି ଏଥିରୁ ଲେଖକଙ୍କ ଆତ୍ମଜୀବନାତ୍ମକ ତତ୍ତ୍ୱରୁ କିଛି ଆହରଣ କରିବାର ସୁଯୋଗ ପାଇବା ପାଇଁ। କିନ୍ତୁ ସେଭଳି ଆଶା କରୁଥିବା ପାଠକମାନେ ହୁଏତ ନିରାଶ ହୋଇପାରନ୍ତି। ଯେ କୌଣସି ଗଳ୍ପ ତ ନିଜର ସ୍ରଷ୍ଟାଙ୍କ ବ୍ୟକ୍ତିଗତ ଜୀବନର ଅନୁଭବ ବା ଅନୁଭୂତିରୁ ଚେନାଏ ବାନ୍ଧିରଖିବାକୁ ବାଧ୍ୟ, ସେ ପ୍ରଚ୍ଛନ୍ନ ଭାବରେ ହେଉ ଅବା ପ୍ରତ୍ୟକ୍ଷ ଭାବରେ। ପୁଲିଜର୍ ପୁରସ୍କାର ବିଜେତା ବିଶିଷ୍ଟ ଆମେରିକୀୟ ଲେଖକ ହଲ୍ ବୋଲୋ କହନ୍ତି, “ଫିକ୍ସନ୍ ଇଜ୍ ଦି ହାଇଅର୍ ଅଟୋବାଇଓଗ୍ରାଫି।” ସଂକଳିତ ଗଳ୍ପଗୁଡ଼ିକରେ ଲେଖକଙ୍କ ବାସ୍ତବ ଜୀବନର ଭୂମିକା ଥିବା ବିଷୟରେ ଆମର ଅନୁମାନ ଆହୁରି ଦୃଢ଼ୀଭୂତ ହୁଏ, ଯେତେବେଳେ “ପ୍ରେମଗପର ବିଫଳତା” ଶୀର୍ଷକ ମୁଖବନ୍ଧ ଲେଖିବାକୁ ଯାଇ ସେ ନିଜେ ସ୍ୱୀକାର କରନ୍ତି, “ଏହି ଗଳ୍ପ ସଂକଳନରେ ସଂଯୋଜିତ ଗପଗୁଡ଼ିକର ପ୍ରେମିକାମାନେ ଖୁବ୍ ଭଲ ଥିଲେ, ଯେଉଁମାନେ ମତେ ଅନେକ କିଛି ଦେଇଛନ୍ତି ଓ ଏବେବି ଦେଉଛନ୍ତି।”
ଯେ କୌଣସି ସଂକଳନର ରଚୟିତା ପ୍ରାୟତଃ ଚାହାନ୍ତି ଯେ ତାଙ୍କର ଶ୍ରେଷ୍ଠ ଗଳ୍ପଟି ସୂଚିପତ୍ରର ସର୍ବାଗ୍ରେ ସ୍ଥାନ ପାଉ। ଏଠାରେ ମଧ୍ୟ ସେଇଆ ହୋଇଛି। ଏଣୁ ଏହି ପୁସ୍ତକରେ ଆମ ସାମନାକୁ ଆସିଥିବା ପ୍ରଥମ ଗଳ୍ପ ‘ଭୁଲି ଯାଇଥିବା ଜଣେ ପ୍ରେମିକା’ ନିଜର ସଂରଚନାଗତ ପୋଖତପଣିଆ ଓ ନିଆରା ବର୍ଣ୍ଣନା ଶୈଳୀ ଦୃଷ୍ଟିରୁ ଆମକୁ ଅଭିଭୂତ କରେ। ଗଳ୍ପଟିର ମୂଳ କଥାବସ୍ତୁ ବେଶ୍ ସରଳ ଓ ସଂକ୍ଷିପ୍ତ, ଯାହାକୁ ହୁଏତ ମାତ୍ର ଗୋଟିଏ ପୃଷ୍ଠା ଭିତରେ ରଖିଦେଇ ହେବ। କିନ୍ତୁ ଏଥିରେ କାହାଣୀ ହିଁ ସବୁକିଛି ନୁହେଁ; ବରଂ ହୁଏତ ଏହା ଗଳ୍ପଟିର ଗୌଣ ଉପାଦାନଟିଏ। ମଣିଷ ମନ ଭିତରେ ପ୍ରେମ ଯେ କେମିତି ବିବିଧ ରୂପ ଧାରଣକରି ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ସୂକ୍ଷ୍ମାନୁଭୂତିକୁ କବଳିତ କରିପାରେ, ତାହା ଦର୍ଶାଯାଇଛି ଏହି ଗଳ୍ପରେ। ଏଥିରେ ଉତ୍କଣ୍ଠାର ଗୋଟିଏ ଉପାଦାନ ରଖି ଗଳ୍ପଟିକୁ ଆମୂଳଚୂଳ ଗୋଟିଏ ନିଃଶ୍ୱାସରେ ପଢ଼ିଯିବା ପାଇଁ ପାଠକକୁ ପ୍ରସ୍ତୁତ କରିଛନ୍ତି ଲେଖକ। ତଥାପି ପରିଶେଷରେ ଆମ ଉତ୍କଣ୍ଠାର ଯେ ଏକ ସୁଗମ ଅବସାନ ଘଟିଛି, ତା’ ନୁହେଁ। ଗଳ୍ପର ଦୁଇ ମୁଖ୍ୟ ଚରିତ୍ର ଲିତା ଓ “ମୁଁ” ଶେଷରେ ପରସ୍ପରର ଅଚିହ୍ନା ହୋଇଥିବା ଆବିଷ୍କାର କରି ପ୍ରଶ୍ନିଳ ଦୃଷ୍ଟିରେ ଅନାଇ ରହିଛନ୍ତି କେବଳ। କୌଣସି ଗଳ୍ପର ପରିଣତି ସର୍ବଦା ଏକ ଅସମାହିତ ପ୍ରଶ୍ନର ଉତ୍ତର ଦେବାପାଇଁ ବାଧ୍ୟ ନୁହେଁ; ବରଂ ଏହା ପାଠକକୁ ଶେଷରେ ଏକ ପ୍ରଶ୍ନର କୂହେଳି ଭିତରେ ନେଇ ଛାଡ଼ିଦେଇପାରେ। ଏଠାରେ ମଧ୍ୟ ଘଟିଛି ତାହା।
ତେବେ ସଂକଳନଟିରେ ସ୍ଥାନିତ ସମସ୍ତ ଗଳ୍ପରେ ଯେ ପ୍ରେମିକାମାନଙ୍କର ତଥାକଥିତ ପ୍ରେମର ଏଭଳି ବିଭିନ୍ନ ସଂବେଦନଶୀଳ ଦିଗମାନ ଚିତ୍ରିତ ହୋଇଛି, ତାହା ନୁହେଁ। ବୋଧହୁଏ ଲେଖକ ସଂକଳିତ ହୋଇଥିବା ଗଳ୍ପଗୁଡ଼ିକର ଏହି ଥିମ୍ଜନିତ ବିଷମତା ପ୍ରତି ସଚେତନ ଅଛନ୍ତି। ତେଣୁ ସେ କହନ୍ତି, “ଏହି ସଂକଳନରେ ସଂଯୋଜିତ ସମସ୍ତ ୮ଟି ଗଳ୍ପ, ପ୍ରେମଗଳ୍ପ ପର୍ଯ୍ୟାୟର ନୁହେଁ।” ଉଦାହରଣ ସ୍ୱରୂପ ନର୍କପୁରର ଦୃଶ୍ୟାବଳୀ ଉପରେ ଆଧାରିତ ଗଳ୍ପ, “ଆତ୍ମା”ରେ ପ୍ରେମର କୌଣସି ଭୂମିକା ହିଁ ନାହିଁ ବୋଲି କହିଲେ ଚଳେ। ସେହିଭଳି “ସେବାରହିତ” ଗଳ୍ପରେ ନାୟକ ଜଣକର ନିଜ ଅଫିସ୍ର ଜଣେ ସହକର୍ମିଣୀ ସହିତ ଯେଉଁ ସମ୍ପର୍କ ଅଛି, ବା ଥିଲା, ତାହା ପ୍ରେମ ପର୍ଯ୍ୟାୟର ନୁହେଁ।
ପୁସ୍ତକଟିର ପରିପାଟୀ ଆଉ ସଂଯୋଜନା ପରିଚ୍ଛନ୍ନ, ଯଦିଓ ଏଥିରେ କାଁ ଭାଁ କିଛି ପ୍ରୁଫ୍-ରିଡିଂଜନିତ ତ୍ରୁଟି ମଧ୍ୟ ଦୃଷ୍ଟିରେ ପଡ଼େ। ସର୍ବୋପରି, ବହିଟି ଏକ ସୁପାଠ୍ୟ ପ୍ରସ୍ତୁତି।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)
ବହୁତ ଧନ୍ୟବାଦ. ଆପଣଙ୍କ ସମୀକ୍ଷା ପଢ଼ିଲା ପରେ ପୁସ୍ତକଟି ପଢ଼ିବାର ଇଚ୍ଛା ପ୍ରବଳ ,