ସେ ଥିଲେ ଓଡ଼ିଆ ସାହିତ୍ୟର ଆମ ସମୟର ଏକମାତ୍ର ବେପରୁଆ ସମ୍ରାଟ!

ଗୋଲାମ ଦାସକୁ ପଚାଶ ବର୍ଷ ହେଇଗଲା। ରାଜେନ୍ଦ୍ର ବାବୁ ବି ଚାଲିଯିବାର ଆଉ କିଛିଦିନ ଗଲେ ବର୍ଷେ ହେଇଯିବ। ଯେଉଁମାନେ ରାଜେନ୍ଦ୍ର ବାବୁ କ୍ଷମତାରେ ଥିବାବେଳେ ସୁବିଧା ନେଇଥିଲେ, ଗଲା କେତେମାସ ଭିତରେ ସେମାନେ ତାଙ୍କୁ ମନେ ପକେଇ ନାହାନ୍ତି। ଏଇଟା ପୃଥିବୀର ଚିରାଚରିତ ରୀତି। ସୁବିଧା ମିଳୁଥିବା ଯାଏଁ ପଛରେ ଗୋଡ଼ଉ ଥାଆନ୍ତି। ବାହାଘର ପରେ ବେଦିକୁ ପଚାରେ କିଏ?
୧୯୭୬ ମସିହା କଥା। ସେତେବେଳେ ଓଡ଼ିଶାରେ ମାତ୍ର ତିନୋଟି ବଡ଼ ସାହିତ୍ୟ ପତ୍ରିକା – ଝଙ୍କାର, ନବରବି, ଆସନ୍ତାକାଲି। ପ୍ରଜାତନ୍ତ୍ର ବିଷୁବ ମିଳନ ସେତେବେଳେ ଦେଶର ଏକମାତ୍ର ସାହିତ୍ୟ ଉତ୍ସବ। ସେ ବର୍ଷ ବିଷୁବ ସଂଖ୍ୟା ଝଙ୍କାରରେ ଛପିଲା ‘ଗୋଲାମ୍ ଦାସ’। ‘ଅନାମ ଦାସ୍, ଅନାମ ଦାସ, ଶୁଣ୍ ମୁଁ ଡାକୁଛି ଗୋଲାମ ଦାସ୍।’ ଆମେ କେତେଜଣ ସଦ୍ୟ ତରୁଣ ଲେଖକ ବିଷୁବ ମିଳନ ଯାଇଥାଉ। କବିତା ପାଠରେ ସଭାପତିତ୍ୱ କରୁଥାନ୍ତି କବି ଉମାଶଙ୍କର ପଣ୍ଡା। ରାଜେନ୍ଦ୍ର ବାବୁ ସରକାରୀ ଚାକିରିରେ ଥାଇ ବି ଜରୁରୀ ପରିସ୍ଥିତିର ବିରୋଧ କରୁଥାନ୍ତି। ସେ ସେଇଠି ପଢ଼ିଲେ ‘ଗୋଲାମ ଦାସ୍’। କୁମାର ମହାନ୍ତି ସେଠି ଥିଲେ। ରବି ସିଂ ବି। ତାଳିରେ ହଲ୍ କମ୍ପିଲା।

ବିଷୁବ ମିଳନ
ବିଷୁବ ମିଳନ ସେତେବେଳେ ସୁରଜ ଟକିଜ୍ ହଲ୍ରେ ହେଉଥାଏ। ତିନିଦିନ ହଲ୍ ବନ୍ଦ ରହେ। ସାହିତ୍ୟ ସଭା ହୁଏ। ହରେକୃଷ୍ଣ ମହତାବ ପ୍ୟାରୋଲରେ ଖଲାସ ହୋଇ ସଦ୍ୟ ଆସିଥାନ୍ତି। ଜାନକୀ ବାବୁ କେନ୍ଦ୍ରମନ୍ତ୍ରୀ ଥାନ୍ତି। ତାଙ୍କ ସହଯୋଗରେ ପ୍ରଜାତନ୍ତ୍ର ବଞ୍ଚି ରହିଥାଏ। ସରକାରୀ ବିଜ୍ଞାପନ ମାସକୁ ଦୁଇ ତିନୋଟି ମିଳୁଥାଏ। ନିଉଜ୍ ପ୍ରିଣ୍ଟ୍ କୋଟାରୁ କିଛି ବିକ୍ରିହୋଇ କର୍ମଚାରୀମାନଙ୍କୁ ଦରମା ମିଳୁଥାଏ। ହେଲେ, ସେତେବେଳର ବିଷୁବ ମିଳନ ଥିଲା ନିଆରା। ଉଦ୍ଘାଟନ ବା ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ବା ମୁଖ୍ୟମନ୍ତ୍ରୀ ତଥା ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ ଲେଖକମାନେ ଅତିଥି ରହୁଥିଲେ। ତା’ ମଧ୍ୟରୁ ଅଧିକାଂଶ ଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ। ଡ. ମହତାବ ଆରମ୍ଭରୁ ଶେଷ ଯାଏଁ ରହୁଥିଲେ। ପଣା ସଂକ୍ରାନ୍ତି ଦିନ ପଣା ଓ ଅନ୍ୟଦିନ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ରହୁଥିଲା। ସାରା ରାଜ୍ୟରୁ ବହୁ ଜଣାଶୁଣା ଲେଖକ ସେଠାକୁ ଆସୁଥିଲେ। ସେ ସମୟରେ ମୁଁ ବୋଧହୁଏ ଥିଲି ଅନାମଧେୟ। ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତା ପାଠ ଦିନ ହିନ୍ଦୀର ବିଶିଷ୍ଟ କବି କେଦାର ନାଥ ସିଂହ, ଓଡ଼ିଶାର ବିଶିଷ୍ଟ କବି ବ୍ରଜନାଥ ରଥ ଓ ହରିହର ମିଶ୍ର ବି ଥିଲେ। ସମ୍ଭବତଃ ସେଇ ସଂଧ୍ୟାରେ ଥିଲା କେଦାର ନାଥ ସିଂହଙ୍କ ବ୍ୟାଖ୍ୟାନ।
କବି ଦୁର୍ଗାଚରଣ ପରିଡ଼ା ସେତେବେଳେ ପୁରୀରେ ଏମରଜେନ୍ସି ଅଫିସର। ଶୁଭେନ୍ଦୁ ମୁଣ୍ଡ ବି ପୁରୀ କଲେଜ ଆସିଯାଇଥାନ୍ତି। କବି ଅଶ୍ୱିନୀ କୁମାର ମିଶ୍ର ପୁରୀରେ ଓଡ଼ିଶା ପ୍ରଶାସନିକ ସେବା ଟ୍ରେନିଂ ନେଉଥାନ୍ତି। ଦିନେ ରାଜେନ୍ଦ୍ର ବାବୁ ପୁରୀ ପହଞ୍ଚିଲେ ବସ୍ରେ। ସେତେବେଳେ ସେ ଡେପୁଟି ସେକ୍ରେଟାରୀ ପାହ୍ୟାରେ। ସେ ପାହ୍ୟାର ଅଧିକାରୀମାନଙ୍କ ପାଇଁ ସରକାରୀ ଗାଡ଼ିର ବ୍ୟବସ୍ଥା ସେତେବେଳେ ନଥିଲା। ରାଜେନ୍ଦ୍ର ବାବୁଙ୍କର ନିଜର ଗାଡ଼ି ସେଇ ସମୟରେ ନଥିଲା। ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ଆଗରୁ ରାଜେନ୍ଦ୍ର ବାବୁ ଆଲାହାବାଦ ବିଶ୍ୱବିଦ୍ୟାଳୟରେ ଏମ.ଏ. ପଢ଼ିଥିଲେ। କିଛିଦିନ ଅଧ୍ୟାପକ ବି ହୋଇଥିଲେ। ଆଇ.ଏ.ଏସ୍. ଟ୍ରେନିଂ ପରେ ସେ ପୁରୀରେ ବି ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ଅନ୍ୟତମ କବିବନ୍ଧୁ କମଳାକାନ୍ତ ଲେଙ୍କା ବି ପୁରୀ କଲେଜ ଆସିଯାଇଥିଲେ। ୧୯୮୦ ମସିହାରେ ବି.ଏ. ପାସ୍ କଲାପରେ ମୁଁ ବି ପୁରୀ କଲେଜରେ ସେତେବେଳେ ଇଂରାଜୀରେ ଏମ୍.ଏ. ପଢ଼ୁଥାଏ। ଆମ ଶନିବାର ସାହିତ୍ୟ ସଂଧ୍ୟା ସେତେବେଳେ ପୁରୀର ସବୁଠୁ ଜଣାଶୁଣା ସାହିତ୍ୟ ସଂଗଠନ। ରାଜେନ୍ଦ୍ର ବାବୁ ଦିନଯାକ ବିଭିନ୍ନ ଆଡ଼େ ବୁଲିଲେ। ସେକେଣ୍ଡ୍ ସଟର ଡେ’ ହୋଇଥିବାରୁ ସରକାରୀ ଅଫିସ୍ ସବୁ ବନ୍ଦ ଥାଏ। ଅଶ୍ୱିନୀ ଭାଇ ଓ ଦୁର୍ଗାଚରଣ ପରିଡ଼ାଙ୍କ ସହ ବୁଲି ସଂଧ୍ୟାରେ ‘ଶନିବାର ସାହିତ୍ୟ ସଂଧ୍ୟା’ରେ ଯୋଗଦେଇ ରାଜେନ୍ଦ୍ର ବାବୁ ରାତି ୮ଟା ବେଳେ ବସ୍ରେ ଭୁବନେଶ୍ୱର ଫେରିଗଲେ।
ଏମିତି ହେଲା ପରିଚୟ
ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସହ ଏମିତି ହେଲା ପରିଚୟ। ସେ କନିଷ୍ଠ କବିମାନଙ୍କୁ ସମଧର୍ମୀ କହୁଥିଲେ, ବନ୍ଧୁର ମର୍ଯ୍ୟାଦା ଦେଉଥିଲେ। ୧୯୮୧ ମସିହାରେ ମୁଁ ଜେ.ମହାପାତ୍ର ଆଣ୍ଡ୍ କୋରେ ଯୋଗଦେବା ପରେ ସେ ଥରେ ଅଫିସ୍ କାମରେ ହାଇକୋର୍ଟ ଆସିଥାନ୍ତି। କାଳିଗଳି ମୁଣ୍ଡ ମାଡ୍ରାସ ହୋଟେଲରେ ଶିଳ୍ପୀ ଅସିତ ମୁଖାର୍ଜୀ, ଛନ୍ଦା ଚରଣ ଆଚାର୍ଯ୍ୟ, ଝଙ୍କାରର ସମ୍ପାଦକ ସରୋଜ ରଞ୍ଜନ ମହାନ୍ତି ଓ ମୁଁ ତାଙ୍କ ସହ ବସି ଗପସପ ହେଲୁ। ସେତେବେଳେ ସେ ଜଏଣ୍ଟ୍ ସେକ୍ରେଟାରୀ ହୋଇଗଲେଣି।
ସେଇଠି କଥାହେଲା, ଛନ୍ଦା ଚରଣ ଓ ମୁଁ ଗୋଟେ ସଞ୍ଜରେ ଭୁବନେଶ୍ୱର ଆସିବୁ। ରାଜେନ୍ଦ୍ର ବାବୁ ମାଷ୍ଟର କ୍ୟାଣ୍ଟିନ୍ ଓ ସେକ୍ରେଟାରିଏଟ୍ ମଝିରେ ଡୁପ୍ଲେକ୍ସ କ୍ୱାର୍ଟର୍ସଟିଏ ସେତେବେଳକୁ ପାଇଗଲେଣି। କ୍ୱାର୍ଟର୍ସ ସାମ୍ନାରେ ଭଲ ଲଜ୍ଟିଏ ବି ଅଛି। ସେଇଠି ସଞ୍ଜରେ କବି ପ୍ରଫୁଲ ତ୍ରିପାଠୀ ବି ଆସିବେ। ରାଜେନ୍ଦ୍ର ବାବୁଙ୍କ ନୂଆ କବିତା ବହିର ପ୍ରଚ୍ଛଦପଟ ସଂପର୍କରେ କଥା ହେବ। କହିବା ବାହୁଲ୍ୟ ଯେ ରାତ୍ରି ଭୋଜନ ଓ ମଦ୍ୟପାନ ବି ହେବ। ମୁଁ ସେତେବେଳେ ବିଅର୍ ବି ଛୁଇଁ ନଥାଏ। ଛନ୍ଦା ହ୍ୱିସ୍କି ନିଏ। ପ୍ରଫୁଲ୍ଲ ସାର୍ ମଦ ପିଉଥିଲେ କି ନା କହିପାରିବି ନାହିଁ। ଚିତ୍ର ସଂପର୍କରେ ତାଙ୍କର ଭଲ ଜ୍ଞାନ ଥିଲା। ଚିତ୍ର ବି ଆଙ୍କୁଥିଲେ। ଚିତ୍ର ବିଷୟରେ ସେତେବେଳେ ମୋ’ ଜ୍ଞାନ ଥିଲା ସୀମିତ। କିନ୍ତୁ ଆମେ ସମସ୍ତେ କବିତା ଲେଖୁଥିଲୁ।
ଛନ୍ଦାର ‘ଚଇତି ଓଠର ଚିଠି’ ଶୀର୍ଷକ ବହୁ କବିତାର ମୁଁ ଥିଲି ମୁଗ୍ଧ ପାଠକ। ରାଜେନ୍ଦ୍ର ବାବୁ ବି ଥିଲେ। ଆମେ ସମସ୍ତେ ରାଜେନ୍ଦ୍ର ପଣ୍ଡାଙ୍କ କବିତାର ନିୟମିତ ପାଠକ ଥିଲୁ। ସେ ବହୁ ନୂଆ ଶବ୍ଦ କବିତାରେ ସୃଷ୍ଟି କରିଥିଲେ।
ଶାସନତନ୍ତ୍ରର ବିରୋଧ
ରାଜେନ୍ଦ୍ର କିଶୋର ପଣ୍ଡା ପ୍ରଚଳିତ ଶାସନତନ୍ତ୍ରରେ ଥାଇ ବି ଏହାର ସମାଲୋଚନା ନିଜ କବିତା ମାଧ୍ୟମରେ କରୁଥିଲେ। ଜରୁରୀ ପରିସ୍ଥିତି ପରେ ବି ସେ ନିଜର ଏହି ପ୍ରତିକ୍ରିୟା ଜାରି ରଖିଥିଲେ। ସେଥିପାଇଁ ତାଙ୍କୁ ଭଲ ପୋଷ୍ଟିଂ କେବେ ବି ମିଳିନଥିଲା। କିନ୍ତୁ ରାଜେନ୍ଦ୍ର ବାବୁ ଅନାମ କବି କୁମାର ମହାନ୍ତିଙ୍କୁ ଜରୁରୀ ପରିସ୍ଥିତି ପରେ ଚାକିରି ଫେରି ପାଇବାରେ ସାହାଯ୍ୟ କେବଳ କରିନଥିଲେ, କୁମାର ମହାନ୍ତିଙ୍କ ଇଚ୍ଛାମତେ ରାଉରକେଲାରେ ପୋଷ୍ଟିଂ ପାଇଁ ସାହାଯ୍ୟ ମଧ୍ୟ କରିଥିଲେ। ଅନାମ ଆଦର୍ଶରେ ତାଙ୍କର ବିଶ୍ୱାସ ଥିଲା। ତେଣୁ ସେ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଚଳିତ ଶାସନତନ୍ତ୍ରର ବିରୋଧ ଜାରି ରଖିଥିଲେ।
ଛନ୍ଦା ପ୍ରଚ୍ଛଦପଟ ଆଙ୍କିଲା କି ନାହିଁ, ମୋର ମନେନାହିଁ। ଅସିତ୍ ଦା’ ଥିଲେ ଅବନୀନ୍ଦ୍ର ନାଥ ଟାଗୋରଙ୍କ ବଙ୍ଗୀୟ ଚିତ୍ରଶୈଳୀରେ ଧୁରନ୍ଧର ଏବଂ ଛନ୍ଦା ଚରଣ ଆଚାର୍ଯ୍ୟ ଖଲ୍ଲିକୋଟ ଆର୍ଟ କଲେଜରେ ଗୋପାଳ କାନୁନଗୋ, ବିନୋଦ ରାଉତରାୟ ଭଳି ଶିଳ୍ପୀମାନଙ୍କ ଶିଷ୍ୟ। ସେ ସମୟରେ ଅସିତ ମୁଖାର୍ଜୀ ଓ ଉଦୟ ନାରାୟଣ ଜେନାଙ୍କ ସହ ସମପରିମାଣର ସମ୍ମାନ ତାକୁ ଚିତ୍ରଶିଳ୍ପୀ ଭାବରେ ମିଳୁଥିଲା। ରାଜେନ୍ଦ୍ର ବାବୁ ଏକଥା ଜାଣିଥିଲେ। ଶ୍ରୀନିବାସ ଉଦ୍ଗାତା ଥିଲେ ଛନ୍ଦାର ମାମୁଁ। ଛନ୍ଦା ତାଙ୍କ ଝିଅକୁ ଭଲ ପାଉଥିଲା। ରାଜେନ୍ଦ୍ର ବାବୁ ଶ୍ରୀନିବାସ ଉଦ୍ଗାତାଙ୍କୁ କହି ଉଭୟଙ୍କର ବିବାହ କେବଳ କରେଇ ନଥିଲେ, ଶିକ୍ଷା, ଦୂରଦର୍ଶନ କେନ୍ଦ୍ର ଏସ୍.ଆଇ.ଇ.ଟିରେ ତା’ର ସରକାରୀ ଚାକିରିଟିଏ ପାଇବାରେ ସେ ହିଁ ଥିଲେ ମୁଖ୍ୟ ଆୟୋଜକ। ଧୀରେ ଧୀରେ ସମୟ ବିତିଲା। ମୁଁ ୧୯୮୪ ମସିହାରେ ସ୍କୁଲ ଶିକ୍ଷା ବିଭାଗରେ ଚାକିରି କରିବା ପାଇଁ କୋରାପୁଟ ଗଲି। ୧୯୮୫ରେ ମୋ’ ଝିଅ ଜନ୍ମ ହେଲା। ଖବରକାଗଜରେ ଏନ.ସି.ଇ.ଆର.ଟିର ଏକ ପ୍ରୋଜେକ୍ଟ ଚାକିରି ପାଇଁ ବିଜ୍ଞାପନ ବାହାରିଲା। ଚାକିରିଟି ଥିଲା, ଏସ.ସି.ଇ.ଆର.ଟିର ଇ.ଟି. ସେଲ୍, ଭୁବନେଶ୍ୱରରେ। ମୁଁ ଇଣ୍ଟରଭ୍ୟୁ ଦେଲି ଓ ପାଇଲି। ସେତେବେଳେ ମତେ ସମ୍ବଲପୁର, ବଲାଙ୍ଗୀର ଓ ଢେଙ୍କାନାଳ ଜିଲ୍ଲା ବୁଲି ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଶିକ୍ଷା ଦୂରଦର୍ଶନ କାର୍ଯ୍ୟକ୍ରମ ଦେଖୁଥିବା ପିଲା ଓ ଶିକ୍ଷକଙ୍କ ଉପରେ କାର୍ଯ୍ୟକ୍ରମର ପ୍ରଭାବ ସଂପର୍କରେ ଗବେଷଣା କରି ଭାରତ ସରକାରଙ୍କୁ ରିପୋର୍ଟ ଦେବାକୁ ପଡୁଥାଏ। ସମ୍ବଲପୁର ଗଲାବେଳେ ୧୯୮୭ରେ ସେଠି ରାଜେନ୍ଦ୍ର ବାବୁ ଥିଲେ – ବୋଧହୁଏ ସେ ଥିଲେ ପଶ୍ଚିମାଞ୍ଚଳର ରେଭେନ୍ୟୁ ଡିଭିଜିନାଲ କମିଶନର୍।
ରାଜେନ୍ଦ୍ର ବାବୁ ସେଇଠି କବି କୁମାର ହସନଙ୍କୁ ଚତୁର୍ଥ ଶ୍ରେଣୀ ଚାକିରିଟିଏ ଦେଇଥିଲେ। ରେଭେନ୍ୟୁ ଡିଭିଜିନାଲ କମିଶନରଙ୍କ ପାଇଁ ଏଇଟା ବାଁ ହାତର ଖେଳ। କୁମାର ହସନ୍ ମାଟ୍ରିକ ପାସ୍ କରିପାରି ନଥିଲେ। ପିଲାଟି ଦିନରୁ ଦାରିଦ୍ର୍ୟ ଭିତରେ ବଢ଼ିଥିଲେ। ରାଜେନ୍ଦ୍ର ବାବୁ ତାଙ୍କୁ ମୁକ୍ତ ଶିକ୍ଷାରେ ଗ୍ରାଜୁଏସନ୍ କରିବାକୁ ଉତ୍ସାହିତ କଲେ। କୁମାର ହସନ ମୁକ୍ତ ଶିକ୍ଷାରେ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟରୁ ବି.ଏ. ପାସ୍କଲେ। ସମୟକ୍ରମେ ‘ସମାଜ’ ଖବରକାଗଜରେ ଚାକିରି ବି କଲେ। ଜଣେ କନିଷ୍ଠ କବିଙ୍କ ଲାଗି ଜଣେ ବରିଷ୍ଠ କବିର ସେ ଥିଲା ଅନୁପମ ଉପହାର। ସେ ବି ସୃଷ୍ଟି କରିଥିଲେ କୁମାର ହସନଙ୍କ ପାଇଁ ଏକ ନୂତନ ପରିଚୟ।
ଏ ଭିତରେ ମୁଁ ଏନ.ସି.ଇ.ଆର.ଟି.ରେ ସ୍ଥାୟୀ ଚାକିରି ପାଇ ରାଜ୍ୟ ସରକାରଙ୍କ ଚାକିରି ଛାଡ଼ି ଏସ.ଆଇ.ଇ.ଟି., ଲକ୍ଷ୍ନୌରେ କ୍ଷେତ୍ରୀୟ ଗବେଷକ ଭାବରେ ଯୋଗଦେଇ ସାରିଥାଏ। ୧୯୮୯ ମସିହା ସେପ୍ଟେମ୍ବରରେ ମୋ’ ଅନୁରୋଧ ରକ୍ଷାକରି ଏନ.ସି.ଇ.ଆର.ଟି. କର୍ତ୍ତୃପକ୍ଷ ମତେ ଶିକ୍ଷା ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରକୁ ବଦଳି କରିଦେଇଥାନ୍ତି। ସେଇଠି ମୋ’ ସହକର୍ମୀ ଥାଏ ଛନ୍ଦା ଚରଣ ଆଚାର୍ଯ୍ୟ। ତା’ଠୁ ୧୯୯୦ ଏପ୍ରିଲରେ ଜାଣିଲି, ରାଜେନ୍ଦ୍ର ବାବୁ ଏବେ ରାଜ୍ୟପାଳଙ୍କ ସଚିବ। ପରେ ସେ ଖାଦ୍ୟ ଓ ଯୋଗାଣ ବିଭାଗର ସଚିବ ହେଲେ। ସେଇ ବିଭାଗରେ କିଛି ଖାଉଟି ସୁରକ୍ଷା ସଂପର୍କିତ ପ୍ରକାଶନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥାଏ। ମୋ’ ବନ୍ଧୁ ପ୍ରଦୀପ କୁମାର ବିଶ୍ୱାଳ ରାଜ୍ୟ ଅର୍ଥ ସେବାରୁ ଡେପୁଟେସନରେ ଆସି ସେଇଠି ସମ୍ପାଦକ ହେଲେ। ତାହା ବୋଧହୁଏ ୧୯୯୪ ମସିହା।

ଭାଷା ସମ୍ପାଦକ
୧୯୯୦ ମସିହାରେ ମୁଁ ଓଡ଼ିଆ ଭାଷା ସମ୍ପାଦକ ଭାବେ ନ୍ୟାସନାଲ ବୁକ୍ ଟ୍ରଷ୍ଟରେ ଯୋଗଦେଲି। ଆମ ଓଡ଼ିଆ ପରାମର୍ଶଦାତା ମଣ୍ଡଳୀର ବୈଠକ ଦୁଇ ଦଶନ୍ଧି ଧରି ହୋଇନଥାଏ। ଭୁବନେଶ୍ୱରରେ ୧୯୯୧ ମସିହା ମାର୍ଚ୍ଚ ମାସରେ ପରାମର୍ଶଦାତା ମଣ୍ଡଳୀ ବୈଠକ ହେଲା। ସେଇଠି ଠିକ୍ ହେଲା, ଭୁବନେଶ୍ୱରରେ ଗୋଟିଏ ଜାତୀୟ ପୁସ୍ତକ ଉତ୍ସବ ହେବ।
ରାଜ୍ୟ ସଚିବାଳୟରେ ମୋ’ର କେହି ସଚିବ ପରିଚିତ ନଥାନ୍ତି। କବି କମଳାକାନ୍ତ ପଣ୍ଡା (କଳ୍ପାନ୍ତ) ସେତେବେଳେ ରାଜ୍ୟ ସଚିବାଳୟରେ କନିଷ୍ଠ ପଦବୀରେ। ରାଜେନ୍ଦ୍ର କିଶୋର ପଣ୍ଡା ତାଙ୍କ ସହପାଠୀ ଥିଲେ। ୧୯୯୧ ମସିହାର ଶେଷ ଆଡ଼କୁ ଏନ୍.ବି.ଟି.ର ପ୍ରଦର୍ଶନୀ ବିଭାଗର ମୁଖ୍ୟ ତାଲେଜର ଗିରି ଓ ମୁଁ ପୁସ୍ତକ ମେଳାର ପ୍ରାରମ୍ଭିକ କାମ କରିବାକୁ ଭୁବନେଶ୍ୱରରେ ପହଞ୍ଚିଲୁ।
ସଚିବାଳୟ ଭିତରକୁ ଯିବାକୁ ରାଜେନ୍ଦ୍ର ବାବୁଙ୍କୁ କହି କଳ୍ପାନ୍ତ ପାସ୍ଟିଏ କରାଇଦେଲେ। ଆମେ ରାଜେନ୍ଦ୍ର ବାବୁଙ୍କ ପାଖରେ ପହଞ୍ଚିଲୁ। ରାଜେନ୍ଦ୍ର ବାବୁ ନୂଆ କିଛି ଘଟିବା କଥା ଶୁଣିଲେ ଖୁସି ହେଉଥିଲେ। ଆଲାହାବାଦ ବିଶ୍ୱବିଦ୍ୟାଳୟରେ ତାଙ୍କ ଶିକ୍ଷକ ଥିଲେ ହରିବଂଶ ରାୟ ବଚ୍ଚନ ଓ ଫିରାକ୍ ଗୋରଖପୁରୀ। ତାଙ୍କ ଦୃଷ୍ଟିକୋଣ ଥିଲା ବ୍ୟାପକ। ହେଲେ, ପୁସ୍ତକ ମେଳା ଆୟୋଜନରେ ଆମ ସହଯୋଗୀ ବିଭାଗର ଦାୟିତ୍ୱରେ ସେ ନଥିଲେ। ଆମ ସହଯୋଗୀ ବିଭାଗ ଥିଲା ସଂସ୍କୃତି ବିଭାଗ। ଶିକ୍ଷା ବିଭାଗ ବି। ତେବେ ପ୍ରଦର୍ଶନୀ ପଡ଼ିଆ ସାଧାରଣ ପ୍ରଶାସନ ବିଭାଗ ହାତରେ ଥିଲା। ତାହାର ସ୍ୱତନ୍ତ୍ର ସଚିବ ଥିଲେ ଗାଳ୍ପିକ ତରୁଣକାନ୍ତି ମିଶ୍ର। ରାଜେନ୍ଦ୍ର ବାବୁଙ୍କ ପରାମର୍ଶ କ୍ରମେ ଆମେ ତରୁଣକାନ୍ତି ମିଶ୍ରଙ୍କ ପାଖେ ପହଞ୍ଚିଲୁ। ତରୁଣକାନ୍ତି ବାବୁ ଓ ମୁଁ ଲେଖକ ଭାବେ ପରସ୍ପରକୁ ଜାଣିଥିଲୁ।
ଆଇ.ଏ.ଏସ୍ ମାନେ ଲେଖକ
ତାଲେବର ଗିରିଙ୍କର ଧାରଣା ଥିଲା ଯେ ଓଡ଼ିଶାରେ ଅଧିକାଂଶ ଲେଖକ ଆଇ.ଏ.ଏସ୍. ଅଧିକାରୀ। ରମାକାନ୍ତ, ସୀତାକାନ୍ତଙ୍କୁ ସେ ଜାଣିଥିଲେ; ମାତ୍ର ତାଙ୍କ କବିତା ସଂପର୍କରେ ତାଙ୍କର ବିଶେଷ ଧାରଣା ନଥିଲା। ଓଡ଼ିଶାରେ ସବୁ ଆଇ.ଏ.ଏସ୍. ଅଫିସର କ’ଣ ଲେଖକ? ତାଲେବର ଗିରି ପଚାରିଦେଲେ ତରୁଣକାନ୍ତିଙ୍କୁ।
କଥା କ’ଣ କି, ଆମେ ସବୁ ଲେଖାଲେଖି କରୁଥିଲୁ। ଚାକିରି ପାଇଁ ପରୀକ୍ଷା ଦେଉଦେଉ ଆଇ.ଏ.ଏସ୍. ମିଳିଗଲା। ଆଇ.ଏ.ଏସ୍. ନହେଇଥିଲେ ବି ଆମେ ଲେଖକ ହେଇଥାନ୍ତୁ। ତରୁଣକାନ୍ତି ମିଶ୍ର ଜବାବ ଦେଲେ।
ଇତିମଧ୍ୟରେ ରାଜେନ୍ଦ୍ର ବାବୁ ଏକଦା, ବୋଧହୁଏ ଅର୍ଦ୍ଧ ଶତାବ୍ଦୀ ତଳେ ଲେଖିଥିବା ଏକ କବିତାରେ ରାମାୟଣର ସୀତା ଚରିତ୍ର ସଂପର୍କୀୟ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଯାଇଥାଏ। ରାଜେନ୍ଦ୍ର ବାବୁ ତ ଘରୋଇ ସଂସ୍ଥାଠାରୁ ପୁରସ୍କାର ନେଉନଥିଲେ। ଅତୀତରେ ସେଥିପାଇଁ ସେ ‘ଶାରଳା ପୁରସ୍କାର’, ‘ଗଙ୍ଗାଧର ରଥ ପୁରସ୍କାର’ ଆଦିକୁ ପ୍ରତ୍ୟାଖ୍ୟାନ କରିଥିଲେ। ‘ଜ୍ଞାନପୀଠ’, ‘ସରସ୍ୱତୀ ସମ୍ମାନ’ ଦୌଡ଼ରେ ସେ କେବେ ନଥିଲେ। ଏ ପୁରସ୍କାର ଏକ ଘରୋଇ ସଂସ୍ଥାଠାରୁ ସେ ନେଇନଥାନ୍ତେ। ତାକୁ ନେଇ ସୃଷ୍ଟି ହୋଇଥିଲା ଏ ଘଟଣା। ରାଜେନ୍ଦ୍ର ବାବୁ ଏ ଆଲୋଚନା ସବୁକୁ ବେଖାତିର କଲେ। ସେ ଥିଲେ ଓଡ଼ିଆ ସାହିତ୍ୟର ଆମ ସମୟର ଏକମାତ୍ର ବେପରୁଆ ସମ୍ରାଟ!
ବର୍ଣ୍ଣମାଳା ପକ୍ଷରୁ ପ୍ରକାଶିତ ବିଂଶ ଶତାବ୍ଦୀର ଓଡ଼ିଆ କବିତାର ଇଂରାଜୀ ଅନୁବାଦ ସଂକଳନର ପରିକଳ୍ପନା ତାଙ୍କର ହିଁ ଥିଲା।
କବି ରାଜେନ୍ଦ୍ରଙ୍କ କଥା ଏଇଠି ସରିଯାଇଥିଲେ ହୁଏତ ଠିକ୍ ହୋଇଥାନ୍ତା। ହେଲେ କଥା ସେଇଠି ସରିଲାନି। କେନ୍ଦ୍ର ସାହିତ୍ୟ ଏକାଡେମୀ ସିମଳାରେ ସାହିତ୍ୟ ଉତ୍ସବ କରୁଥାଏ। ବୋଧହୁଏ ୨୦୨୩ ମସିହା। ରାଜେନ୍ଦ୍ର ବାବୁ ଅଶୀ ଦଶକରେ ‘ଶୈଳକଳ୍ପ’ କବିତା ଗ୍ରନ୍ଥ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ସେ ଦରଖାସ୍ତ କରିନଥିଲେ ବା ଆଗ୍ରହୀ ନଥିଲେ। ସିମଳା ସାହିତ୍ୟ ଉତ୍ସବ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ତାଙ୍କୁ ଓ ହରପ୍ରସାଦ ଦାସଙ୍କୁ ଡାକିଥାଏ। ସେ ବି ହୁଏତ ଟିକେଟ୍ କରିଥିଲେ। ହେଲେ, ସାହିତ୍ୟ ଏକାଡେମୀ ମନଇଚ୍ଛା ଯାହାକୁ ତାହାକୁ ଡାକିବା ଏବଂ ଜଣେ ଅନ୍ଧ ସାଧୁଙ୍କୁ ଡାକିବାର ପ୍ରତିବାଦରେ ସେ ସିମଳା ସାହିତ୍ୟ ଉତ୍ସବ ଯିବାକୁ ମନା କରିଦେଲେ। କାରଣ ସେ ସାଧୁଙ୍କର ସାହିତ୍ୟିକ ପ୍ରସିଦ୍ଧି ଥିଲା ରାଜନୈତିକ, ଅର୍ଥାତ୍ ଶାସକ ଦଳ ଦ୍ୱାରା ପ୍ରାୟୋଜିତ ସାହିତ୍ୟ ଏକାଡେମୀର ଓଡ଼ିଆ ଭାଷା ପରାମର୍ଶଦାତା ସମିତି ଆବାହକଙ୍କ ମନମୁଖୀ କାମର ପ୍ରତିବାଦରେ ସେ ବର୍ଷ ହର ପ୍ରସାଦ ଦାସ ବି ସିମଳା ଗଲେନାହିଁ। ମୁଁ ବି ଏ ସଭାକୁ ବିରୋଧ କରିଥିଲି।
ପ୍ରଥମ ଗୁଳିମାଡ଼
“ମାଲିକ୍ ରାଜ୍ର ଗୋଲାମ ଦାସ,
ପହିଲା ଗୁଳି ମତେ ମାର୍।”
ଚିରକାଳ ଗୋଲାମ ଦାସମାନଙ୍କ ସହ ଲଢ଼ିଲଢ଼ି ସବୁଠି, ସବୁଥର ସେ ପ୍ରଥମ ଗୁଳିମାଡ଼ ଖାଇଥିଲେ। ଅଥଚ ଜାତୀୟ ସ୍ତରୀୟ ଗଙ୍ଗାଧର ମେହେର ସମ୍ମାନ ଓ ଅତିବଡ଼ି ସମ୍ମାନର କଥା ତାଙ୍କ ମୁଣ୍ଡକୁ ହିଁ ଆସିଥିଲା। ରାଜେନ୍ଦ୍ର କିଶୋର ପଣ୍ଡା ଥିଲେ ଚିରକାଳ ବିଦ୍ରୋହୀ। ତାଙ୍କୁ ନେଇ ଗୁଜବ ବି ଗଢ଼ିଉଠୁଥିଲା କୌଣସି ଲେଖିକାଙ୍କୁ ନେଇ। ‘ସି ସୋର’ ଏକାଡେମୀ ହେଲାବେଳେ ସେ ତା’ର ପ୍ରମୁଖ ପଦରେ ଥିଲେ। ତାହା ହିଁ ଥିଲା କର୍ପୋରେଟ୍ ମାଲିକାନା ଅଧୀନରେ ତାଙ୍କ ଅବସର ପରେ ଏକମାତ୍ର ଚାକିରି। ସେଠାର ପୁରସ୍କାର ଦୁର୍ନୀତିରେ ଆଉ କେହି ଥିଲେ; ମାତ୍ର ନାଁ ହେଲା ୟା’ଙ୍କର। ସଂସ୍ଥାର ମାଲିକ ଚିଟ୍ଫଣ୍ଡ ଦୁର୍ନୀତିରେ ଥିଲେ। ମନୋଜ ଦାସ ସେ ସଂସ୍ଥା ଦ୍ୱାରା ଛପୁଥିବା ପତ୍ରିକା ‘ସାହିତ୍ୟ ପୃଥିବୀ’ରେ ଲେଖୁଥିଲେ। ରାଜେନ୍ଦ୍ର ବାବୁ ସେ ଚାକିରି ଛାଡ଼ିଦେଲେ। ମନୋଜ ବାବୁ ସେ ସଂସ୍ଥାରୁ ପାଇଥିବା ଅର୍ଥ ସଂସ୍ଥାର ମାଲିକ ଜେଲ୍ ଯିବା ପରେ ରାଜ୍ୟ ସରକାରଙ୍କ ରିଲିଫ ପାଣ୍ଠିକୁ ଫେରାଇଦେଲେ। ରାଜେନ୍ଦ୍ର ବାବୁ ଜୀବନସାରା କୌଣସି ଦୁର୍ନୀତି ଅଭିଯୋଗଗ୍ରସ୍ତ ନଥିଲେ। ସସ୍ପେଣ୍ଡ ବା ସୁପରସିଡ୍ କେବେ ହୋଇନଥିଲେ। ତାଙ୍କ ଜନ୍ମମାଟି ହୀରାକୁଦର ବୁଡ଼ି ଅଞ୍ଚଳରେ ହଜିଯିବା ପରେ ସେମାନେ ଝାରସୁଗୁଡ଼ାରେ ଘରଟିଏ କରିଥିଲେ। ରାଜେନ୍ଦ୍ର ବାବୁଙ୍କର ସ୍ତ୍ରୀଙ୍କ ନାଁରେ ଫ୍ଲାଟ୍ଟିଏ ସୂର୍ଯ୍ୟନଗରରେ ଥିଲା। କବି ନିଜେ ଥିଲେ ବାସ୍ତୁହରା ଓ ବିଦ୍ରୋହୀ। ତାଙ୍କର ପ୍ରବୁଦ୍ଧ ପାଠକ ଗୋଷ୍ଠୀଟିଏ ଥିଲା। ଉକ୍ତ ଗୋଷ୍ଠୀ ନିଜେ ତିଆରି କରିବା ସପକ୍ଷରେ ସେ ନଥିଲେ। ମୋ’ ଭଳି କିଛି ଲୋକ ତାଙ୍କୁ ଭଲପାଇ ଅକୁଣ୍ଠିତ ଭାବରେ ସମ୍ମାନ ଦେଉଥିଲେ। ତା’ ଥିଲା ସର୍ତ୍ତହୀନ। ରାଜେନ୍ଦ୍ର ବାବୁଙ୍କ ସହ ଥରେ ଦେଖା ହୋଇଥିଲା। ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ ହୋଇଥାଏ। ରମାଦେବୀ ବିଶ୍ୱବିଦ୍ୟାଳୟରେ ସେଦିନ ମୋର ମିଟିଂଟିଏ ଥାଏ। ଶିଳ୍ପୀ ସଂଜୟ ଭଟ୍ଟ ମତେ ସେ ଉତ୍ସବର ସୂଚନା ଦେଲେ। ମୁଁ ଫେରିବା ବାଟରେ ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ଆତ୍ମଜୀବନୀ ଉନ୍ମୋଚନ ଉତ୍ସବକୁ ଯିବାର ଥାଏ। ବାଟରେ ପଡ଼ିଲା ବୁଦ୍ଧ ମନ୍ଦିର ସଭାଗୃହ। ସେଇଠି ଡକ୍ଟର ଆଦିକନ୍ଦ ସାହୁ ଓ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସହ ଦେଖାହେଲା। ୨୦୨୪ ମସିହା ମେ’ ମାସ। ‘ତୁମେ ଏକୁଟିଆ ଆସିଛ, ଶୈଳାବାଳା?’ ସେ ପଚାରିଲେ। ମୋ’ ପତ୍ନୀ ଶୈଳର କବିତା ସେ ନିୟମିତ ପତ୍ରପତ୍ରିକାରୁ ପଢ଼ୁଥିଲେ। ସେ ନ ଆସିବାର କାରଣ କହିଲି। ସମୟ କମ୍ ଥିଲା। ମୁଁ ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ଆତ୍ମଜୀବନୀ ଉନ୍ମୋଚନ ସଭା ଦେଇ ରାତି ୮ଟା ସୁଦ୍ଧା ପୁରୀ ଫେରିବାର ଥିଲା।
ରାଜେନ୍ଦ୍ର ବାବୁଙ୍କ ସହ ତା’ପରେ ବହୁଦିନ ଧରି ଦେଖାହେଲା ନାହିଁ। ଡାକ୍ତରଖାନାରେ ସେ ଥିବା ଖବର ପଢ଼ି କବି ବନ୍ଧୁ ପ୍ରଦୀପ ବିଶ୍ୱାଳଙ୍କୁ ପଚାରିଲି। ତା’ ଆଗରୁ ତାଙ୍କ ସ୍ତ୍ରୀ ବି ଚାଲିଯାଇଥିଲେ।
ରାଜେନ୍ଦ୍ର ବାବୁ ତା’ପରେ ଏକ ଅନନ୍ତ ଯାତ୍ରାରେ ଗଲେ। ହୁଏତ ଆଉ କେଉଁଠି ସେ ନିଜ ବହିପତ୍ର ପଢ଼ୁଥିବେ ବା ପ୍ରଚଳିତ ଶାସନର ସମାଲୋଚନା କରି କବିତା ଲେଖୁଥିବେ। ସାହିତ୍ୟ ଏକାଡେମୀ ତାଙ୍କ ପାଇଁ ଶୋକ ସଭାଟିଏ ବି କଲାନାହିଁ। ଆମେ ହୁଏତ ପୁଣି କେବେ ଭେଟ ହେବା କେଉଁ ଅଜଣା ଭୂଖଣ୍ଡରେ। କେଉଁ ନୂତନ ‘ବର୍ଣ୍ଣମାଳା’ର ସଭାରେ ତାଙ୍କୁ ଶେଷଥର ପାଇଁ ଭେଟିବା। ସେ ତ ‘ବିଦାୟ’ରେ ବିଶ୍ୱାସ କରୁନଥିଲେ। ଏକ ନୂତନ ସୂର୍ଯ୍ୟୋଦୟକୁ ସେଇଠି ରାଜେନ୍ଦ୍ରୀୟ ଶୈଳୀରେ ଆମେ ସ୍ୱାଗତ କରିବା।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)