
ଲେଖକଙ୍କ ଗର୍ଭପାତ ପୁଣି କ’ଣ? ଏହି କଥାଟିକୁ ସ୍ୱୟଂ ଲେଖକ ଯେମିତି ଭାବରେ ଅଙ୍ଗେ ନିଭାଇଥାଏ, ଅନ୍ୟ ଜଣେ ହୁଏତ ତାହା ଅନୁଭବ କରିପାରିବ ନାହିଁ। ସଂସାରର ସମସ୍ତ ସାରସ୍ୱତ ସ୍ରଷ୍ଟା ନିଜର ଜୀବନରେ କେବେ ନା କେବେ ଏହି ଦୁର୍ଦ୍ଦଶାର ଶିକାର ହୋଇଥାଆନ୍ତି। ଜଣେ ଲେଖକ ବା କବି କାଗଜ-କଲମରେ ନିଜର କୌଣସି ଭାବକୁ ରୂପ ଦେବାର ଯଥେଷ୍ଟ ପୂର୍ବରୁ ତା’ଙ୍କ ମନରେ ସେହି ଭାବନାଟିର ପ୍ରଥମ ଭ୍ରୂଣସଞ୍ଚାର ଘଟିଥାଏ ଏବଂ ତାହାର ‘ଇନ୍କ୍ୟୁବେସନ୍’ ମଧ୍ୟ ବହୁ ଦିନ ଧରି ଚାଲିଥାଏ। କିନ୍ତୁ ସେହି ଭାବନାତ୍ମକ ଭ୍ରୂଣ ଯେ ଦିନେ ଗଳ୍ପ ବା କବିତାର ଏକ ସାକାର ରୂପ ନେଇ ଜନ୍ମ ନେବ, ତାହାର କିଛି ନିଶ୍ଚିତତା ନଥାଏ। ଏମିତି ଅନେକ ନଜିର ଦେଖିବାକୁ ମିଳେ, ଯେତେବେଳେ ଜଣେ ଲେଖକ ନିଜ ମନ ଭିତରେ ପୋଷଣ କରିଥିବା ସେହି ଭାବନାତ୍ମକ ଭ୍ରୂଣଟିକୁ ଶେଷରେ ପ୍ରସବ କରିବା ସମ୍ଭବ ହୁଏନାହିଁ; ଫଳରେ ତାଙ୍କୁ ଭୋଗିବାକୁ ପଡ଼ିଥାଏ ଲେଖକୀୟ ଗର୍ଭପାତର ଅକଥନୀୟ ଦଶା।
ଜର୍ମାନ୍ ଭାଷାର ପ୍ରସିଦ୍ଧ ଲେଖକ ଫ୍ରାଞ୍ଜ୍ କାଫ୍କା ଯେ କେବଳ ନିଜ ମନ ଭିତରେ ପୋଷଣ କରି ରଖିଥିବା କେତେକ ଅଲିଖିତ ରଚନାକୁ ଶେଷରେ କବର ଦେଇଥିଲେ, ତା’ ନୁହେଁ, ନିଜର ଡାଏରୀରେ ଲେଖି ରଖିଥିବା ଅନେକ ଅପ୍ରକାଶିତ ଗଳ୍ପକୁ ମଧ୍ୟ ନିଆଁରେ ପୋଡ଼ିଦେଇ ସେସବୁକୁ ‘ମିସ୍କ୍ୟାରିଡ୍’ ବା ଗର୍ଭପତିତ ବୋଲି ଘୋଷଣା କରିଥିଲେ। ଏହାର କାରଣ ଦର୍ଶାଇବାକୁ ଯାଇ ସେ କହିଥିଲେ ଯେ ସେହି ରଚନାଗୁଡ଼ିକର ଭାବ ସହିତ ତାଙ୍କ ବିବେକ ଖାପ ଖାଉନାହିଁ। ଏହାକୁ ସ୍ୱୈଚ୍ଛିକ ଗର୍ଭପାତ ବୋଲି କୁହାଯାଇପାରେ।
କିନ୍ତୁ ବହୁ କ୍ଷେତ୍ରରେ ଏହା ଲେଖକଙ୍କର ସ୍ୱଇଚ୍ଛାରେ ଘଟି ନଥାଏ। ବରଂ କିଛି ପରିସ୍ଥିତିଗତ ବାଧ୍ୟବାଧକତା ସେମାନଙ୍କର ପରିକଳ୍ପିତ ରଚନାଟିର ପ୍ରସବରେ ବାଧକ ସାଜିଥାଆନ୍ତି। ରଚନାଟିକୁ ଗଢ଼ିତୋଳିବାରେ ଲେଖକଙ୍କ କ୍ଷମତା ବା ସାମର୍ଥ୍ୟର ଅଭାବ ମଧ୍ୟ ଏହାର ଏକ କାରଣ ହୋଇପାରେ।
ଏହି ପ୍ରତିବନ୍ଧକ ଯେ କେତେବେଳେ, କେଉଁ ରୂପରେ ଆସିଥାଏ, ତାହାକୁ ପରିଭାଷିତ କରିବା ସହଜ ନୁହେଁ। ସ୍ୱନାମଧନ୍ୟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଯେତେବେଳେ ନିଜର ବହୁଚର୍ଚ୍ଚିତ ଉପନ୍ୟାସ ‘ନରକିନ୍ନର’ ଲେଖିବାକୁ ବସିଲେ, ସେତେବେଳେ ନିଜର ଈପ୍ସିତ ମାର୍ଗରେ ଉପନ୍ୟାସଟିକୁ ଆଗେଇନେବା ତା’ଙ୍କ ପକ୍ଷରେ ସେତେ ସହଜ ହେଲାନାହିଁ। ତାଙ୍କର ଚେତନା-ପ୍ରବାହ (ଷ୍ଟ୍ରିମ୍ ଅଫ୍ କନ୍ସିଅସ୍ନେସ୍) ବହୁବାର ବାଧାପ୍ରାପ୍ତ ହୋଇ ଅଟକିଗଲା। ସେତେବେଳେ ସେ ବାଧ୍ୟ ହୋଇ ନିଜର ସେହି ପୂର୍ବ-ପରିକଳ୍ପିତ ଭାବଧାରାକୁ ପରିତ୍ୟାଗ କରି ନିଜ ଲେଖାକୁ ଏକ ନୂଆ ମୋଡ଼ ଦେଲେ। ଏହାକୁ ଚେତନା-ପ୍ରବାହ ଜନିତ ଗର୍ଭପାତର ଏକ ଉଦାହରଣ ଭାବରେ ନିଆଯାଇପାରେ।
ଅପର ପକ୍ଷରେ କିଛି ସ୍ଥୂଳ କାରଣରୁ ମଧ୍ୟ ବେଳେବେଳେ କେତେକ ବହି ଭୂମିଷ୍ଠ ହେବାର ସୌଭାଗ୍ୟରୁ ବଞ୍ଚିତ ହୋଇଥାଆନ୍ତି। ବିଶିଷ୍ଟ ଔପନ୍ୟାସିକା ସରୋଜିନୀ ସାହୁ ‘ଜିଇଁ ରହିବା ବଡ଼ ପାପ ହେ’ ନାମକ ନିଜର ଗୋଟିଏ ଉପନ୍ୟାସର ରଚନା ଶେଷ କରିବା ପୂର୍ବରୁ ତାହାର କେତେକ ଅଧ୍ୟାୟ ବିଭିନ୍ନ ପତ୍ରପତ୍ରିକାରେ କ୍ଷୁଦ୍ରଗଳ୍ପ ଭାବରେ ପ୍ରକାଶ ପାଇଯିବାରୁ, ତାହାକୁ ପୁଣି ଏକ ଉପନ୍ୟାସ ରୂପରେ ପ୍ରକାଶ କରିବାର ଯୋଜନା ପରିତ୍ୟାଗ କରିଥିଲେ।
ଲେଖକୀୟ ଗର୍ଭପାତର ଏହି ପ୍ରସଙ୍ଗକୁ ଭିନ୍ନ ଏକ ଉଚ୍ଚତାକୁ ନେଇ ବରିଷ୍ଠ କବି ବିପିନ ନାୟକ ଥରେ କହିଥିଲେ, “ମୁଁ ଚିରନ୍ତନ ଗର୍ଭାବସ୍ଥାରେ ଥାଏ; ମୋ’ର ବାରମ୍ବାର ଗର୍ଭପାତ ହେଉଥାଏ।” ଏଥିରୁ ପ୍ରତୀୟମାନ ହୁଏ ଯେ ଏଭଳି ଗର୍ଭପାତ ଲେଖକୀୟ ଜୀବନର ଏକ ଚିରନ୍ତନ ପ୍ରକ୍ରିୟା, ଯାହା ବିନା ଜଣେ ସର୍ଜନଶୀଳ ସ୍ରଷ୍ଟାର ପରିଚୟ ହୁଏତ ଅଧୁରା ରହିଯାଏ।
ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)