ସାରଳା ସାହିତ୍ୟରେ ଦେବୀ ତତ୍ତ୍ୱ

ଶାରଳା ଦେବୀଙ୍କୁ ଦୁର୍ଗା ରୂପରେ ପୂଜା କରାଯାଉଥିଲେ ହେଁ କବି ସାରଳା ଦାସଙ୍କ ସମୟରୁ ଚଣ୍ଡୀ-ଶାରଳା ବାଗ୍‌ଦେବୀ ରୂପେ ପରିଚିତ।

ତ୍ରିନାଥ ପଟ୍ଟନାୟକ

ପଞ୍ଚଦଶ ଶତାବ୍ଦୀର କବି ସାରଳା ଦାସ ଓଡ଼ିଆ ସାହିତ୍ୟ ଜଗତର ଆଦିକବି ରୂପେ ମାନ୍ୟତାପ୍ରାପ୍ତ ହୋଇଛନ୍ତି। ସେହି ନାମରେ ମଧ୍ୟ ଲୋକମାନସରେ ସୁପରିଚିତ। ସେ ଅବିଭକ୍ତ କଟକ ଜିଲ୍ଲାର ଝଙ୍କଡ଼ ଗ୍ରାମରେ ଜନ୍ମଲାଭ କରିଥିଲେ। ତାଙ୍କର ପିତୃଦତ୍ତ ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା। ଦେବୀ ଶାରଳାଙ୍କର ଅପାର କରୁଣାରୁ ସେ କବିତ୍ୱ ପ୍ରାପ୍ତ ହୋଇଥିଲେ। ସେଥିପାଇଁ ସେ ନିଜକୁ ସାରଳା ଦାସ ରୂପେ ପରିଚିତ କରାଇଥିଲେ।
ଓଡ଼ିଆ ଭାଷାରେ ନିଜର ମୌଳିକ ଚିନ୍ତାଧାରାକୁ ପାଥେୟ କରି ଅଷ୍ଟାଦଶ ପର୍ବ ବିଶିଷ୍ଟ ମହାଭାରତ ସେ ରଚନା କରିଯାଇଛନ୍ତି। କେବଳ ମହାଭାରତ ନୁହେଁ, ବିଲଙ୍କା ରାମାୟଣ ଓ ଚଣ୍ଡୀ ପୁରାଣ ମଧ୍ୟ ରଚନା କରିଛନ୍ତି। ଚଣ୍ଡୀ ପୁରାଣରେ ନିଜର ରଚନା କ୍ରମ ଉଲ୍ଲେଖ କରିଛନ୍ତି- “ପ୍ରଥମେ ରାମାୟଣ, ଦ୍ୱିତୀୟେ ମହାଭାରତ, ତୃତୀୟେ ଲେଖନ ମୁଁ କଲଇ ଭାଗବତ।”
ପ୍ରଥମେ ରାମାୟଣ ଅର୍ଥାତ୍ ବିଲଙ୍କା ରାମାୟଣ। ଦ୍ୱିତୀୟରେ ମହାଭାରତ ଓ ତୃତୀୟରେ ସେ ଭାଗବତ ଲେଖିଥିଲେ। ଭାଗବତର ଅର୍ଥ ଦେବୀ ଭାଗବତ ବା ଚଣ୍ଡୀ ପୁରାଣ; ଯାହାକି ଶକ୍ତିତତ୍ତ୍ୱ ସଂପର୍କିତ। କବି ସାରଳା ଦାସ ଝଙ୍କଡ଼ବାସିନୀ ଶାରଳାଙ୍କ କୃପାରୁ ଚଣ୍ଡୀ ପୁରାଣ ରଚନା କରିଛନ୍ତି। ସେ କହିଛନ୍ତି
–ନିଶିରେ ପ୍ରସନ୍ନ ଥାଇ ଯାହା ସେ କହଇଅରୁଣ ପ୍ରକାଶେ ମୁହିଁ ତା ସବୁ ଲେଖଇ।
‘ଚଣ୍ଡୀ ପୁରାଣ’ର ଆଦ୍ୟରେ କବି ନିଜର ପରିଚୟ ଦେବାକୁ ଯାଇ କହିଛନ୍ତି-
ଅଭୟେ ମାତଙ୍ଗୀ ଶ୍ରୀ ସାରଳା ଚଣ୍ଡୀ ଦେବୀ
ଶୂଦ୍ରମୁନି ସାରୋଳ ଦାସ ଜନ୍ମେ ଜନ୍ମେ ସେବି।
ହେ ମୂର୍ଖ ଅପଣ୍ଡିତ ମୁହିଁ ନ ଜାଣଇ କିଛି
ସୁଯୋଗରେ ଭେଟିଲି ମୁଁ ଅଭୟା କାମାକ୍ଷୀ।
ଜନ୍ମେଣ ମୂରୁଖ ଅଛଇ ଅସାଧି
ଅପଣ୍ଡିତ ଗୋତ୍ର ଯେ କିସ ମୋର ବୁଦ୍ଧି।

ଅନ୍ୟନାମ ଶାରଦା
ସାରଳା ଦାସ ଝଙ୍କଡ଼ ଶାରଳା ଚଣ୍ଡୀଙ୍କୁ ବାଗ୍‌ଦେବୀ ଶାରଦା ରୂପେ ମଧ୍ୟ ଗ୍ରହଣ କରିଛନ୍ତି। କାରଣ ସରସ୍ୱତୀଙ୍କର ଅନ୍ୟନାମ ଶାରଦା। ଦୁର୍ଗାଙ୍କର ଅନ୍ୟ ନାମ ମଧ୍ୟ ଶାରଦା। ଶାରଦା ନାମରୁ ଶାରଳା ଉତ୍ପତ୍ତି। ସାରଳା ଦାସ ବିନୀତ ଭାବେ ଲୋକ ସ୍ୱୀକୃତି ଆଶାରେ ନିଜକୁ ଯେତେ ମୂର୍ଖ ଅପଣ୍ଡିତ କହିଲେ ସୁଦ୍ଧା ସେ ପଣ୍ଡିତ ଥିଲେ। ସଂସ୍କୃତ ମହାଭାରତ, ମାର୍କଣ୍ଡେୟ ପୁରାଣ, ଦେବୀ ଭାଗବତ ଓ ଅନ୍ୟାନ୍ୟ ପୁରାଣକୁ ଗଭୀର ଭାବେ ଅଧ୍ୟୟନ କରିଥିଲେ। ତା’ ନହେଲେ ଓଡ଼ିଆ ଜାତିର ଆଶ୍ଚର୍ଯ୍ୟ ଶିଳ୍ପକଳା କୋଣାର୍କ ଭଳି ବିରାଟ ଓଡ଼ିଆ ମହାଭାରତ ରଚନା କରିପାରି ନଥାନ୍ତେ; ଯାହାକି ମୌଳିକ ଓ ସଂସ୍କୃତ କିମ୍ବା ଅନ୍ୟାନ୍ୟ ମହାଭାରତଠାରୁ ସଂପୂର୍ଣ୍ଣ ଭିନ୍ନ। ସାରଳା ଦାସ ଚଣ୍ଡୀ ପୁରାଣରେ କିଛି କିଛି ଉତ୍କଳୀୟ ମୌଳିକତା ପ୍ରଦର୍ଶନ କରିଛନ୍ତି। ମହିଷାସୁର ମର୍ଦ୍ଦିନୀ ଦୁର୍ଗା ଯେ ସ୍ୱୟଂ ଦେବୀ ଶାରଳା ବୋଲି ସର୍ବତ୍ର ବର୍ଣ୍ଣନା କରିଛନ୍ତି। ଶାରଳା ବାଗ୍‌ଦେବୀ ହୋଇଥିବା ଯୋଗୁ ମହିଷାସୁର ମର୍ଦ୍ଦିନୀ ସହ ବୀଣାବାହି ବାଗ୍‌ଦେବୀ। ବହୁ ପୂର୍ବରୁ ଶାରଳା ଦେବୀଙ୍କୁ ଦୁର୍ଗା ରୂପରେ ପୂଜା କରାଯାଉଥିଲେ ହେଁ କବି ସାରଳା ଦାସଙ୍କ ସମୟରୁ ଚଣ୍ଡୀ ଶାରଳା ବାଗ୍‌ଦେବୀ ରୂପେ ପରିଚିତ।
ଶାରଳା ଠାକୁରାଣୀ ଅଷ୍ଟଭୁଜା ଦୁର୍ଗା। ସେ ମଣିଷ ଦେହ ଓ ମହିଷର ମୁଣ୍ଡ ବିଶିଷ୍ଟ ମହିଷାସୁରକୁ ବଧ କରିଛନ୍ତି। ଶାରଳାଙ୍କ ଭଳି ଝଙ୍କଡ଼ର ବିଲ ଶାରଳାଙ୍କର ମୂର୍ତ୍ତି ସମାନ ଅଟେ। ସାରଳାଦାସଙ୍କ ଚଣ୍ଡୀ ପୁରାଣରେ ବର୍ଣ୍ଣିତ ମହିଷାସୁରର ଜନ୍ମ ବୃତ୍ତାନ୍ତ ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ସପ୍ତସତୀ ଚଣ୍ଡୀର ବିଷୟବସ୍ତୁଠାରୁ ଭିନ୍ନ। ଅସୁରରାଜ କପିଳ ସିଂଘ ଯୁବତୀ ସ୍ତ୍ରୀର ନାମ ନିରକ୍ଷୀ (ଅନ୍ୟତ୍ର ଧର୍ମ ରଖା)। ସେ କପିଳ ସିଂଘର ମାତ୍ରାଧିକ ଶୃଙ୍ଗାରକୁ ଭୟକରି ଅନ୍ୟତ୍ର ଚାଲିଯାଏ। ସିଂହଳ ଦ୍ୱୀପରେ ପହଞ୍ଚି ଗୁପ୍ତରେ ନିଜକୁ ମଇଁଷି ରୂପରେ ପରିବର୍ତ୍ତନ କରିଦେଲା। କେବଳ ଆତ୍ମରକ୍ଷା ନିମନ୍ତେ ଏପରି କରିବାକୁ ପଡ଼ିଲା। କୌଣସି କାରଣରୁ ଯମରାଜଙ୍କ ବାହନ ‘କୃତାନ୍ତକ’ ନାମକ ମଇଁଷି ସିଂହଳ ଦ୍ୱୀପରେ ସାମୟିକ ରୂପେ ବାସ କରୁଥିଲା। ସେ ଯୁବତୀ ମଇଁଷିଟିଏ ପାଖରେ ପାଇ କାମୋନ୍ମତ୍ତ ହୋଇଉଠିଲା। ନିରକ୍ଷୀ ମଇଁଷିର ସ୍ୱୀକୃତି ନଥାଇ ସୁଦ୍ଧା ବାଧ୍ୟ ବାଧ୍ୟକତାରେ ଶୃଙ୍ଗାର କଲା। ଫଳରେ କପିଳ ସିଂଘ ଅସୁରର ପତ୍ନୀ ଅସୁରୁଣୀ ନିରକ୍ଷୀ ଗର୍ଭରୁ ଏକ ବଳବାନ ପୁତ୍ର ସନ୍ତାନ ଜନ୍ମ ନେଲା। ତାହାର ନାମ ରହିଲା ‘ମହିଷାସୁର’।
ସାରଳା ଦାସ ‘ଚଣ୍ଡୀ ପୁରାଣ’ରେ ଉଲ୍ଳେଖ କରିଛନ୍ତି-“ମହିଷର ମୁଣ୍ଡଗୋଟି ଶରୀର ମନୁଷ୍ୟ”। ଅର୍ଥାତ୍ ମହିଷାସୁରର ଶରୀର ମନୁଷ୍ୟ ଭଳି ମାତ୍ର ମୁଣ୍ଡଟି କୃତାନ୍ତକ ମଇଁଷି ଭଳି ଭୟଙ୍କର। ଯାହାର ପ୍ରତିଛବି ଝଙ୍କଡ଼ ଶାରଳାଙ୍କ ପ୍ରତିମା ନିକଟରେ ଦେଖିବାକୁ ମିଳେ। ଏଭଳି ମହିଷାସୁରର ମୂର୍ତ୍ତି ପ୍ରାୟତଃ ଅନ୍ୟତ୍ର ଦେଖିବାକୁ ମିଳେନାହିଁ। କେବଳ ଭୁବନେଶ୍ୱରର ବୈତାଳ ମନ୍ଦିର ଗାତ୍ରରେ ଦେଖିବାକୁ ମିଳେ। ସେଠାରେ ମହିଷାସୁର ମର୍ଦ୍ଦିନୀ ଅଷ୍ଟଭୁଜା ଦୁର୍ଗାଙ୍କ ପାଦତଳେ ମନୁଷ୍ୟ ଶରୀର ମହିଷର ମୁଣ୍ଡ ଥିବା ମହିଷାସୁର ମୂର୍ତ୍ତି ଅଛି।
ମହାସରସ୍ୱତୀ
ଯେଉଁ ଦୁର୍ଗାଙ୍କୁ ମହାସରସ୍ୱତୀ ବୋଲି ପରିକଳ୍ପନା କରାଯାଇଛି, ବୋଧେ ବୈତାଳୁ ମନ୍ଦିରର ମହିଷାସୁର ଓ ସାରଳା ମନ୍ଦିରର ମହିଷାସୁର ମୂର୍ତ୍ତି ଦେଖିବା ପରେ ସାରଳା ଦାସ ଅଷ୍ଟଭୁଜା ଦୁର୍ଗାଙ୍କୁ ସରସ୍ୱତୀ ବାଗ୍‌ଦେବୀ ରୂପେ ଗ୍ରହଣ କରିବା ସହିତ ମହିଷାସୁରର ମୁଣ୍ଡକୁ ମଇଁଷି ମୁଣ୍ଡ ରୂପେ ତାଙ୍କ ଚଣ୍ଡୀ ପୁରାଣ ଗ୍ରନ୍ଥରେ ଚିତ୍ରଣ କରିଛନ୍ତି। ବାଣପୁରର ଭଗବତୀ ମଧ୍ୟ ଅଷ୍ଟଭୁଜା। ଅସ୍ତରଙ୍ଗ (ପୁରୀ ଜିଲ୍ଲା) ଠାରେ ଅବସ୍ଥିତ (ପ୍ରାଚୀ ଉପତ୍ୟକାସ୍ଥ) ଭଗବତୀ ମନ୍ଦିରରେ ଦୁର୍ଗାମୂର୍ତ୍ତି ପୂଜା ପାଉଛନ୍ତି। ଏଠାରେ ମହିଷାସୁର ମୁଣ୍ଡଟି ମହିଷ ସଦୃଶ ଓ ଶରୀରଟି ମନୁଷ୍ୟାକୃତି। ଅଷ୍ଟଭୁଜା ମହିଷମର୍ଦ୍ଦିନୀ ମୂର୍ତ୍ତି ଭୁବନେଶ୍ୱରର ଶିଶିରେଶ୍ୱର ମନ୍ଦିର, ପରଶୁରାମେଶ୍ୱର, ଲକ୍ଷ୍ମଣେଶ୍ୱର ମନ୍ଦିର ପ୍ରଭୃତିରେ ପାଶ୍ୱର୍ ଦେବତା ରୂପରେ ଦେଖିବାକୁ ମିଳନ୍ତି। ପ୍ରାଚୀ କୂଳସ୍ଥ ଆମଣାକୁଦ ଗଡ଼ଠାରେ ବାରଭୁଜା ଦୁର୍ଗା ମନ୍ଦିରରେ ଅଷ୍ଟଭୁଜା ମହିଷମର୍ଦ୍ଦିନୀ ଦୁର୍ଗା ମଧ୍ୟ ଅଛନ୍ତି।
କପିଳ ସିଂଘ ପୁତ୍ର ମହିଷାସୁର ଜେନାବଳୀପୁରରେ ରାଜତ୍ୱ କଲା। ପ୍ରତାପୀ ମହିଷାସୁର ବ୍ରହ୍ମଶକ୍ତି ପ୍ରାପ୍ତ କରିବା ନିମନ୍ତେ କଠୋର ତପସ୍ୟା କଲା। ବ୍ରହ୍ମା ପ୍ରସନ୍ନ ହୋଇ ମହିଷାସୁରକୁ ବର ମାଗିବା ନିମନ୍ତେ ନିର୍ଦ୍ଦେଶ ଦେଲେ। ମହିଷାସୁର ହାତ ଯୋଡ଼ି ବରମାଗିଲା-
ଆବର କଥାଏ ଶୁଣ ହେ ଚତୁରାନନ
ପୁରୁଷ ହସ୍ତରେ ମୁହିଁ ନୋହିବି ନିଧନ।
ମୈଷା ବୋଲେ ଯେବେ ସ୍ତିରୀ ହାତରେ ନିଧନ
ହୋଇବି ମୁଁ ଚାହିଁଥିବି ତା ସ୍ତନଯୌବନ।

ମହିଷାସୁର ବ୍ରହ୍ମାଙ୍କଠାରୁ ବର ପ୍ରାପ୍ତ ହେବା ପରେ ସେ ସମଗ୍ର ସଂସାର ବୁଲି ବୁଲି ମୟଦାନବ ପୁତ୍ର ଶକ୍ତିମାଳା, ବନ୍ତଲଙ୍ଗଳ ଦେଶର ରାଜା ଚାମର ବେମାଳ ଓ କାଳନେମି, ଆଦି ଅନେକ ରାଜାଙ୍କୁ ଯୁଦ୍ଧରେ ପରାସ୍ତ କଲା। ଧୂମ୍ରଲୋଚନ ରାକ୍ଷସକୁ ଶାଢ଼ି ଦେଇ ମନ୍ତ୍ରୀ କଲା। ମହାନ ପ୍ରତାପୀ ଚଣ୍ଡମୁଣ୍ଡ ରାକ୍ଷସ ମହିଷାସୁରର ସହଯୋଗୀ ହେଲେ। ବହୁ ସୁନ୍ଦରୀ ଯୁବତୀଙ୍କୁ ବିବାହ କଲା। ଚନ୍ଦ୍ରଦ୍ୱୀପକୁ ପରାଜିତ କରି ସେ ଦେଶର ରାଜଜେମା ଚନ୍ଦ୍ରାବତୀକୁ ବାହା ହେଲା। ଜମ୍ବୁ ଦ୍ୱୀପ ଅଧିକାର ସହ ସିଂହଳ ଦ୍ୱୀପରେ କୁଲାବତୀ ପାଟଣାକୁ ରାଜଧାନୀ ରୂପେ ସ୍ଥାପନ କଲା।
ଏକଦା ନାରଦ ଆସି ମହିଷାସୁରକୁ କହିଲେ- ଜେନାବଳୀପୁରରେ ବସି କି ସମ୍ରାଟ ବୋଲାଉଛୁ? ଦେବତାମାନଙ୍କ ନଗର ବାରସ୍ୱତୀପୁର ଅଧିକାର କରେ। ସେଠାରେ ଇନ୍ଦ୍ର ଦେବତାର ବାହନ ଐରାବତ ହସ୍ତୀ, ଉଚ୍ଚୈଶ୍ରବା ଅଶ୍ୱ, ପାରିଜାତ ପୁଷ୍ପର ତରୁ ଆଉ ଅପୂର୍ବ ସୁନ୍ଦରୀ ରମ୍ଭା ନାରୀ ଅଛି। ଏ ଅପୂର୍ବ ଦ୍ରବ୍ୟଗୁଡ଼ିକର ଅଧିକାରୀ ତୋ’ ଭଳି ସମ୍ରାଟ ହେବା ଅତ୍ୟନ୍ତ ଆବଶ୍ୟକ।

ଇନ୍ଦ୍ରଙ୍କର କ୍ରୋଧ
ମହିଷାସୁର ନାରଦଙ୍କ କଥା ଶୁଣି ମାତି ଉଠିଲା। ଚିଟାଉ ଲେଖି ଶୁମ୍ଭ, ନିଶୁମ୍ଭ ଦୂତ ପ୍ରହସ୍ତ ହାତରେ ଇନ୍ଦ୍ରଙ୍କ ନିକଟକୁ ପଠାଇଲା। ଇନ୍ଦ୍ର ରାଗି ଉଠିଲେ। ଇନ୍ଦ୍ର, ଦୂତର ଶିରଚ୍ଛେଦ କଲେ। ଫଳରେ ମହିଷାସୁରର ଇନ୍ଦ୍ରଙ୍କ ସହିତ ଘୋର ଯୁଦ୍ଧ ହେଲା। ସ୍ୱର୍ଗପୁରକୁ ମହିଷାସୁର ଅଧିକାର କରିନେଲା। ଦେବଗଣ ବ୍ରହ୍ମାଙ୍କ ନିକଟରେ ପହଞ୍ଚି ଉପାୟ ସ୍ଥିର କରିବାକୁ ଲାଗିଲେ। କେମିତି ମହିଷାସୁର କବଳରୁ ରକ୍ଷାପାଇବେ। ଦେବତାମାନଙ୍କ କ୍ରୋଧ ଅଗ୍ନିରୁ ଏକ ଦିବ୍ୟ ଜ୍ୟୋତି ଦେଖାଦେଲେ। ସେହି ଜ୍ୟୋତିରୁ ସହସ୍ର ଭୁଜା ମହାବୈଷ୍ଣବୀ ତେତିଶକୋଟି ଦେବତାଙ୍କ ମହା ତେଜପୁଞ୍ଜକୁ ଘେନି ଆଦି ଅନ୍ନପୂର୍ଣ୍ଣା ଏ ଧରିତ୍ରୀରେ ଜନ୍ମଲାଭ କଲେ।
ଦୁର୍ଗତ କାଳରେ ସେହୁ ହେଲେ ଉତପନ୍ନ
ହୃଦୟ ବ୍ୟାକୁଳ ଛାଡ଼ିଦେଲେ ସର୍ବଜନ
ମହାଶଙ୍ଖ ଧ୍ୱନି କଲେ ପୁରୁଷ ଉତ୍ତମ
ବ୍ରହ୍ମା ବିଚାରିଣ ଦେଲେ ତାଙ୍କୁ ଦୁର୍ଗା ନାମ।

ଦୁର୍ଗତି ସମୟରେ ଆବିର୍ଭାବ ହୋଇଥିବା ଯୋଗୁଁ ଦେବଗଣ ଦୁର୍ଗା ବୋଲି ଡାକିଲେ, ବ୍ରହ୍ମା ମଧ୍ୟ ସ୍ୱୀକୃତି ଦେଲେ। ଅସୁର କବଳରୁ ଦେବଗଣ ତଥା ସ୍ୱର୍ଗପୁରୀକୁ ସୁରକ୍ଷା ଦେବା ପାଇଁ ଦେବଗଣ ଦେବୀଙ୍କୁ ସ୍ତୁତିକଲେ। ସେମାନେ ନିଜ ନିଜ ଆୟୁଧ ଦେବୀଙ୍କୁ ପ୍ରଦାନ କଲେ। ଦେବୀ ଦୁର୍ଗା ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିଜିତା ହୋଇ ଯାଇ ରତ୍ନଗିରି ପର୍ବତରେ ଅବସ୍ଥାନ କଲେ। ମହିଷାସୁର ସେନାପତି ଚଣ୍ଡମୁଣ୍ଡ ପର୍ବତ ଉପରେ ଦେବୀଙ୍କୁ ସାକ୍ଷାତ କରି ସପ୍ତଦ୍ୱୀପର ଅଧୀଶ୍ୱର ମହିଷାସୁରର ଘରଣୀ ହେବାକୁ ଉପଦେଶ ଦେଲେ। ଦୁର୍ଗା କହିଲେ-
ମୈଷାସୁର ରାଜା ଆସି ବରି ମୋତେ ନେଉ
ତାହାର ମୋହର ଯେବେ ଉପୁଜିବ ପ୍ରୀତି।
ସେ ମୋତେ ଦେଖିଲେ ସିନା ହୋଇବ ତୃପତି।

ଚଣ୍ଡମୁଣ୍ଡ ବଳତ୍କାର କରି ଘେନି ଆସିବାକୁ ଚାହିଁବାରୁ ଦେବୀଙ୍କ ହସ୍ତରେ ମୃତ୍ୟୁ ପ୍ରାପ୍ତ ହେଲେ। ଶେଷରେ ମହିଷାସୁର ସହିତ ଦେବୀ ଦୁର୍ଗାଙ୍କର ସମ୍ମୁଖ ଯୁଦ୍ଧ ହେଲା। ମହିଷାସୁର କହିଲା-
ଏବେ ହେଁ ସୁନ୍ଦରୀ ଆରେ କହେ ମୁହିଁ ତତେ,
ହେବୁ କି ମୋର ଭାରିଯା ଦୁଃଖ ଦେଉ କେତେ।
ଉତ୍ତରରେ ଦୁର୍ଗା କହିଲେ –
ଆରେ ଦୈତ ଏଥୁଁ ତୋତେ କରନ୍ତିରେ ରକ୍ଷା
ତୋ’ ନିମନ୍ତେ ମୋତେ ଦେବତାଙ୍କ ବଡ଼ କକ୍ଷା।

ଦେବୀ ଦାନବ ମଧ୍ୟରେ ଘୋର ଯୁଦ୍ଧ ହୋଇଛି। ମହିଷାସୁର ନାରାଚ ବିନ୍ଧିଛି। ଦେବୀ ଦୁର୍ଗା ତ୍ରିଶୂଳ ମାରିଛନ୍ତି। ମାତ୍ର କେହି କାହାକୁ ଯୁଦ୍ଧରେ ପରାସ୍ତ କରିପାରୁନାହାନ୍ତି। ସାରଳା ଦାସଙ୍କ ଲେଖନୀ ନୂତନତା ସୃଷ୍ଟି କରିବାରେ ଧୁରନ୍ଧର। ଦୁର୍ଗାଙ୍କଠାରୁ ଆଉ ଏକ ନୂତନ ଶକ୍ତି ଉତ୍ପତ୍ତି ହୋଇଛନ୍ତି, ସେ ହେଉଛନ୍ତି ସର୍ବମଙ୍ଗଳା। ସେ ଦୁର୍ଗାଙ୍କୁ କହିଛନ୍ତି- ଦେବୀ! ବ୍ରହ୍ମା ଅସୁରକୁ ବର ପ୍ରଦାନ କରିଛନ୍ତି ଭଗମାର୍ଗ ନ ଦେଖିଲେ ମୃତ୍ୟୁ ହେବନାହିଁ।
ମା’ ତୋ’ର ଭଗମାର୍ଗ ନ ଦେଖିବ ଯେବେ
କୋଟି ରୂପେ ମୈଷାସୁର ନ ମରଇ ତେବେ।
ଏ ରୂପ ଛାଡ଼ିଣ ହେବୁ ତୁ ଉଲଗ୍ଷାନ ଶାୟୀ
ମୈଷା ମୋହ ହେବ ତୋର ଯୌବନକୁ ଚାହିଁ।

ଦୁର୍ଗା ମଙ୍ଗଳାଙ୍କ କଥା ଶୁଣି ରୁଷ୍ଟ ହୋଇଉଠିଲେ। ବିରକ୍ତ ପ୍ରକାଶ କରି କହିଲେ- ଏ ପୃଥିବୀ ରହିଲେ ରହୁ ନ ହେଲେ ଧ୍ୱଂସ ହେଉ। ଦେବଗଣ ମଧ୍ୟ ଲୋପ ହୋଇଯାଆନ୍ତୁ, ମାତ୍ର ଏ କର୍ମକରି “ତ୍ରୈଲୋକେ କି ଦୂଷିତା ମୁଁ ହେବି ମହାସତୀ।”
ଦେବତାଙ୍କ ଅନୁରୋଧ
ଦେବଗଣ ଆତ୍ମରକ୍ଷା ପାଇଁ ଦେବୀଙ୍କୁ କାକୁତି ମିନତି ହୋଇ ଅନୁରୋଧ କଲେ। କହିଲେ- ଦେବୀ! ଯେପରି ହେଉ ମହିଷାସୁର ବଧ ଏକାନ୍ତ ଆବଶ୍ୟକ, ନ ହେଲେ ରାକ୍ଷସ ଦ୍ୱାରା ସ୍ୱର୍ଗ-ମର୍ତ୍ତ୍ୟ-ପାତାଳ ଧ୍ୱଂସ ପାଇଯିବ।
ଦେବୀ କ୍ରୋଧରୁ ପ୍ରକୃତିସ୍ଥ ହେଲେ। ସଂସାରର ସାମୂହିକ କଲ୍ୟାଣ ନିମନ୍ତେ ଯେକୌଣସି ଉପାୟରେ ମହିଷାସୁରକୁ ବଧ କରିବା ନିମନ୍ତେ ଦୃଢ଼ ସଂକଳ୍ପ ନେଲେ।
ଚାମୁଣ୍ଡା ରୂପେକ ଧରିଲେ କି ଗୋସାମଣୀ
ବିବସନ ହେଲେ କେଶ କରିଣ ମୁକୁଳା
କାଛଟା ପିନ୍ଧିଲେ ଦିଶେ ଜାନୁ ଯେ ଯୁଗଳ
ସ୍ତନ ଯୌବନ ସମସ୍ତ ହୋଇଲାକ ଦୃଶ୍ୟ।

ମହିଷାସୁର ଅନ୍ୟମନସ୍କ ହୋଇଉଠିଲା। ଦୁର୍ଲଭ ଭଗମାର୍ଗ ଓ ସ୍ତନ ଯୌବନ ଦେଖି ବିମୋହିତ ହେଲା। ତା’ର ସ୍ଖଳନ ହେଲା। ଫଳରେ ଦେବୀଙ୍କ ତ୍ରିଶୂଳ ମହିଷାର ବକ୍ଷ ଭେଦକଲା। ସଂସାର ମହିଷା କବଳରୁ ମୁକ୍ତି ଲାଭକଲା। ମାତ୍ର ଚାମୁଣ୍ଡା ରୂପିଣୀ ଦୁର୍ଗା, ଉଲଗ୍ନ ହୋଇ ଦେବଗଣଙ୍କ ପ୍ରତି କ୍ରୋଧ ପ୍ରକାଶ କରି ଧାଇଁବାକୁ ଲାଗିଲେ। ସେହି କ୍ରୋଧକୁ ଦେବଦେବ ମହାଦେବ ଶାନ୍ତ କରିଥିଲେ।
ନବରସର ଅବତାରଣା
ସାରଳାଦାସ ଚଣ୍ଡୀ ପୁରାଣରେ ଯେଉଁସବୁ ବର୍ଣ୍ଣନା କରିଯାଇଛନ୍ତି ସେ ସବୁ ଜୀବନ୍ତ ଓ ଚିତ୍ତାକର୍ଷକ। ରାଜ୍ୟ, ନଦୀ, ବନ, ପର୍ବତ ଓ ପରିବେଶ ମଧ୍ୟରେ ଅପୂର୍ବ ସୌନ୍ଦର୍ଯ୍ୟ ଫୁଟି ଉଠିଛି। ନବରସର ଅବତାରଣା କରିଛନ୍ତି। ବୀର ରସ ଓ ଶୃଙ୍ଗାର ରସର ପ୍ରାଧାନ୍ୟ ବେଶି ଅଛି। ନାରୀର ରୂପ ବର୍ଣ୍ଣନା କରିବାକୁ ଯାଇ କବି କଳ୍ପନା ବିଳାସରେ ମଜ୍ଜି ଯାଇଛନ୍ତି। ଚଣ୍ଡୀ ପୁରାଣ ସମ୍ବାଦ ଶୈଳୀରେ ବର୍ଣ୍ଣିତ ହୋଇଛି। ପୁରାଣର କଥାବସ୍ତୁ ଗତିଶୀଳ ଓ ନାଟକୀୟତା ଭରପୂର ହୋଇ ରହିଛି।
ଜୈନତନ୍ତ୍ରରେ ସରସ୍ୱତୀଙ୍କର ଯେଉଁ ଧ୍ୟାନମନ୍ତ୍ର ଅଛି, ସେଥିରେ “କୁଳେନ୍ଦୁ-ଗୋକ୍ଷୀରା-ତୁଷାରବର୍ଣ୍ଣ” ବୋଲି ଉଲ୍ଲେଖ ଅଛି। ସାରଳାଦାସ କୃତ ‘ଚଣ୍ଡୀ ପୁରାଣ’ରେ ଶାରଳା ରୂପିଣୀ ଚଣ୍ଡିକା, ଉନ୍ମତ୍ତ ଅବସ୍ଥାରେ ମହିଷାସୁରଙ୍କୁ ବଧ କରିବା ପାଇଁ ଯେତେବେଳେ ଧାବିତା ହୋଇଛନ୍ତି, ସେତେବେଳେ ସାରଳା ଦାସ ଦେବୀଙ୍କୁ ‘ଧବଳ କାମାକ୍ଷୀ ଯେ କର୍ପୂର ବରଣା’ ବୋଲି ବର୍ଣ୍ଣନା କରିଛନ୍ତି।
ସାରଳା ସାହିତ୍ୟ ଅତ୍ୟନ୍ତ ସରଳ ଓ ରସସିକ୍ତ ଘଟଣା ବହୁଳ ଓ ଜନ ସମାଜର ବିଭିନ୍ନ ସମସ୍ୟାର ପ୍ରତିଛବି ସେଥିରେ ଦେଖିବାକୁ ମିଳେ। ଚଣ୍ଡୀପୁରାଣରେ ମଧ୍ୟ ତାହା ଦେଖାଯାଇଛି। ଚଣ୍ଡୀପୁରାଣ, ସାରଳା ମହାଭାରତ ଭଳି ଅତ୍ୟନ୍ତ ଲୋକପ୍ରିୟ ଓ ଓଡ଼ିଶାରେ ପ୍ରମୁଖ ଶାକ୍ତ ସାହିତ୍ୟ ରୂପେ ଲୋକ ସ୍ୱୀକୃତି ଲାଭ କରିଛି। ଘରେ ଘରେ ପଠନପାଠନ ହେଉଛି। ଆଶ୍ୱିନ ମାସର ଶରତ ସିକ୍ତ ସଂଧ୍ୟାରେ ଘରେ ଘରେ ଭାସିଉଠେ ଚଣ୍ଡୀ ପୁରାଣର-
ଶୟଳେ ଜନ ତାରଣ ଶ୍ରୀ ସାରୋଳା ଚଣ୍ଡୀ ନାମ
ସଜନ ଜନ ସୋଦର ସେ ଯୋଗେ ଆଦିବ୍ରହ୍ମ
ଅଭୟାମାତଙ୍ଗୀ ସେ ସାରୋଳା ଚଣ୍ଡୀଦେବୀ
ଶୂଦ୍ରମୁନି ସାରୋଳା ଦାସ ଜନ୍ମେ ଜନ୍ମେ ଭାବି।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)

Leave a Reply

Your email address will not be published. Required fields are marked *