ସୁଖ, ଶାନ୍ତି, ସ୍ୱଚ୍ଛଳତା ଓ ଶିକ୍ଷା ବଞ୍ଚିତ ମନରେ ସୃଷ୍ଟି ହେଉଥିବା ପ୍ରତିକ୍ରିୟା ପ୍ରକାଶ ପାଇଁ କେଉଁ ରସର ଆବଶ୍ୟକତା ପଡ଼ିବ?

ପ୍ରେମ-ପ୍ରତାରଣା, କ୍ରୋଧ-କରୁଣା ଓ ହର୍ଷ-ବିଷାଦ ପରି ଅନେକ ସକାରାତ୍ମକ ଓ ନକାରାତ୍ମକ ଆଉଟା ଆବେଗର ଶବ୍ଦଲିପି ହେଉଛି କବିତା। ଚିନ୍ତନ ଶକ୍ତିର ଏ ଚିନ୍ମୟ ରୂପାନ୍ତର ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତି ମସ୍ତିଷ୍କର ବିଭିନ୍ନ ସ୍ନାୟୁକେନ୍ଦ୍ର ଓ ରାସାୟନିକ ପଦାର୍ଥ। ପ୍ରକୃତରେ ଚଳଚଞ୍ଚଳ ଭାବଚୟ କାଇନେଟିକ୍ ଏନର୍ଜି ଏବଂ କବିତା ହେଉଛି ପୋଟେନସିଆଲ୍ ଏନର୍ଜି। ବୈଜ୍ଞାନିକ ଜୁଲିଅସ୍ ରବର୍ଟ ମେୟରଙ୍କ ଉକ୍ତି ଅନୁସାରେ ଶକ୍ତି “ସୃଷ୍ଟି ହୁଏନାହିଁ କି କ୍ଷୟ ହୁଏନାହିଁ – ତା’ର ହୁଏ ରୂପାନ୍ତର।” ତେଣୁ ଉଦ୍ବେଗ-ଉଲ୍ଲାସ, ଭୟ-ଭୀରୁତା ଓ ବିସ୍ମୟ-ବିଭୋରତାର ସଂକେନ୍ଦ୍ରିତ ସାନ୍ଦ୍ର ରୂପ କବିତା ବି ଦେଇପାରେ ଜାଗରଣର ତୂର୍ଯ୍ୟନାଦ (ସାଉଣ୍ଡ୍), ବିଦ୍ରୋହର ବିପୁଳ ଚମକ (ଇଲେକ୍ଟ୍ରିକ୍) ଏବଂ ସଂପର୍କର ଅତୁଟ ବନ୍ଧନ (ମ୍ୟାଗ୍ନେଟିକ୍ ଆକର୍ଷଣ)।
କବିତାର ବିଶ୍ୱରୂପ
ଶବ୍ଦର ଶରୀରରେ ସମାହିତ କବିତାର ବିଶ୍ୱରୂପ ଦେଖି କବି ଆଶୁତୋଷ ପରିଡ଼ା ଯେତିକି ବିସ୍ମିତ ହୋଇନାହାନ୍ତି, ତତୋଧିକ ବିଚଳିତ ହୋଇପଡ଼ିଛନ୍ତି। ସେ ହଠାତ ଚିତ୍କାର କରିଉଠିଛନ୍ତି –
“କେବଳ ଶବ୍ଦ ହୋଇଥିଲେ
କିଛି କ୍ଷତି ନ ଥିଲା,
କିନ୍ତୁ ଶବ୍ଦମାନେ… ଜ୍ୱାଳା
ଶବ୍ଦମାନେ… ଶୋଷ
ଶବ୍ଦମାନେ… କଣ୍ଟା
ବଡ଼ ମାରାତ୍ମକ ଏ କବିତା।”
କିନ୍ତୁ କବି ମିନତୀ ମିଶ୍ର ‘ଶବ୍ଦର ଚମତ୍କାରିତା’ରେ ମୁଗ୍ଧ ହୋଇଛନ୍ତି:
“ଶବ୍ଦ ଶୂନ୍ୟର ଓଁକାର
ଚିତ୍ର ପ୍ରତିମା ପ୍ରାୟ ଅପୂର୍ବା,
ଅଥଚ ପ୍ରାଣବନ୍ତ
ଅୟୁତ ଆବେଗକୁ
ନାଭିକେନ୍ଦ୍ରରେ ବାନ୍ଧି ପାରୁଥିବା
ନିରୁପଦ୍ରୁତ ସମ୍ମୋହନ
ଆପଣାକୁ ତଲ୍ଲୀନ ରଖିବାର
ଅପୂର୍ବ ସାଧନ।“

ସାଧନାର ସମାଧିସ୍ଥ ସ୍ଥିତିରେ ସୁଖ-ଦୁଃଖ, ଆଗ୍ରହ-ନିଗ୍ରହ ଏବଂ ନିନ୍ଦା-ପ୍ରଶଂସାର ଅସ୍ଥିର ସାଗରରେ ଉବୁଟୁବୁ ହେଉଥିଲାବେଳେ କବିଙ୍କୁ ଶୃଙ୍ଖଳିତ ଭାବଧାରା ସହିତ ସଂଯୁକ୍ତ କରାଏ ଦକ୍ଷିଣପାର୍ଶ୍ବର ମସ୍ତିଷ୍କ। ମନ ସ୍ଥିର ହୁଏ – ଅନୁଭୂତି କବିତାମୁଖୀ ହୁଏ – ସର୍ଜନଶୀଳତା ଦାନାବାନ୍ଧେ। ଆଉ ସେତିକିବେଳେ ସ୍ମୃତି-ଅଭିଧାନରୁ ପ୍ରଭାବଶାଳୀ, ଉପଯୁକ୍ତ ଶବ୍ଦ ଚୟନର ଦାୟିତ୍ୱ ନିଏ ବାମପାଶ୍ୱର୍ ମସ୍ତିଷ୍କ। କବିତାରେ ଥିବା ଭାବସତ୍ତା, ସୌନ୍ଦର୍ଯ୍ୟବୋଧ ଏବଂ କଳ୍ପନାର କାରିଗରୀକୁ ଦକ୍ଷିଣ-ମସ୍ତିଷ୍କ ନିୟନ୍ତ୍ରଣ କରୁଥିଲାବେଳେ ବାମପାଶ୍ୱର୍ର ଦାୟିତ୍ୱରେ ଥାଏ ଯୁକ୍ତିନିଷ୍ଠ ବିଶ୍ଲେଷଣାତ୍ମକ ଅର୍ଥବୋଧକ ବାକ୍ବିନ୍ୟାସର ବିଗ୍ରହ ନିର୍ମାଣ। ବସ୍ତୁତଃ କବିତା-ଦେବୀ ଉପବେଶନ କରନ୍ତି ପବିତ୍ର ବାକ୍ୟର ବେଦିରେ। ତେଣୁ କବିତାରେ ନବରସର ପରିକଳ୍ପନା ଯଥାର୍ଥ ରୂପ ନେବନାହିଁ; ଯଦି ସେଥିରେ ନଥିବ ଶବ୍ଦର ସାମର୍ଥ୍ୟ, ସଂଯୋଜନାର ଶୃଙ୍ଖଳା ଏବଂ ପରିବେଷଣର ପରିପାଟୀ। ଏହି କ୍ରମରେ କବି ଥୋମାସ ହାର୍ଡି ଦେଇଥିବା ତଥ୍ୟଟି ପ୍ରଣିଧାନଯୋଗ୍ୟ। ସେ କହିଛନ୍ତି, “କବିତା ହେଉଛି ଆବେଗର ମପାଚୁପା ପ୍ରୟୋଗ। ଏଥିରେ ଆବେଗ ପ୍ରାକୃତିକ ଭାବରେ ଜାଗରିତ ହୋଇଥାଏ; କିନ୍ତୁ ପ୍ରୟୋଗଟି କଳାରୁ ସମ୍ଭୂତ ହୁଏ।” ଆପେଆପେ ସମୁଦ୍ରକୁ ତରଙ୍ଗ, ବୀଣାକୁ ଝଙ୍କାର ଏବଂ ମଳୟକୁ ମାଦକତା ଆସିବା ପରି କବିଙ୍କ ମସ୍ତିଷ୍କରେ ସ୍ୱାଭାବିକ ଭାବରେ ରସାଶ୍ରିତ ଆବେଗ ଜନ୍ମନିଏ। ଏହାକୁ କୁହାଯାଏ, କବି ପ୍ରତିଭା। ଆବେଗ ପାଖରେ ଥାଏ ଆବେଦନ, ନଥାଏ ଆଭୂଷଣ। କଳ୍ପନା ପାଖରେ ଥାଏ କୁହୁକ, ନଥାଏ କଳେବର। ଚିନ୍ତନ ପାଖରେ ଥାଏ ଚମତ୍କାରିତା, ନଥାଏ ତାକୁ ଚିତ୍ରିତ କରିବାର କଳା। ନିଜର ଜିଜ୍ଞାସା, ଅଧ୍ୟବସାୟ ଓ ଆଗ୍ରହ ଦ୍ୱାରା ଏହା ଅର୍ଜନ କରାଯାଏ। କବିତା-କୋଣାର୍କର ଶିଳ୍ପ ନୈପୁଣ୍ୟ ବହୁପାଠିତାରେ ସମୃଦ୍ଧ ହୁଏ ଶବ୍ଦର ଭଣ୍ଡାର, ଯାହା ସଂଚିତ ହୁଏ ସ୍ମୃତିର ପେଡ଼଼ିରେ। ଯେତେବେଳେ କବି ସୃଜନ କ୍ରିୟାର ନାଗେଶ୍ୱର ଫୁଙ୍କନ୍ତି, ସେତେବେଳେ ଜାତିଆ ଶବ୍ଦମାନେ ଫଣା ତୋଳି ଢଳିଢଳି ଅଧିକାର କରନ୍ତି ନିଜ ନିଜର ଆସନ କବିତାର ପଂକ୍ତିମାନଙ୍କରେ।
ରସ ପରିବେଷଣର ଧାରା
ସାଂପ୍ରତିକ କବିତାରେ ରସର ପରିବେଷଣ ସଂପର୍କରେ ଆଲୋଚନା କଲାବେଳେ କବିପ୍ରତିଭା ଓ କବିକର୍ମ ଉପରେ କିଞ୍ଚିତ ସୂଚନା ଦେବାର ଆବଶ୍ୟକତା ରହିଛି। ଆଚାର୍ଯ୍ୟ ମମ୍ମଟଙ୍କ ମତରେ-
ଶକ୍ତିର୍ନିପୁଣତା ଲୋକଶାସ୍ତ୍ରକାବ୍ୟାଧ୍ୟବେକ୍ଷଣାତ୍।
କାବ୍ୟଜ୍ଞଶିକ୍ଷୟାଭ୍ୟାସ ଇତି ହେତୁସ୍ତଦୁଭବେ॥
(ଅର୍ଥାତ୍ କବିତା ରଚନା ପାଇଁ ଶକ୍ତି, ବ୍ୟୁତ୍ପତ୍ତି ଏବଂ ଅଭ୍ୟାସ ଆବଶ୍ୟକ।)
ଆଚାର୍ଯ୍ୟ ଅଭିନବ ଗୁପ୍ତ ଏ ସଂପର୍କରେ କହନ୍ତି –
“ପ୍ରତିଭା ଅପୂର୍ବ ବସ୍ତୁନିର୍ମାଣକ୍ଷମ ପ୍ରଜ୍ଞା।” ଅର୍ଥାତ୍ ପ୍ରତିଭା ବୁଦ୍ଧିର ଏପରି ଏକ ବିଶେଷ ରୂପ ଯାହା ଅନନ୍ୟ ଓ ଅଭିନବ ସର୍ଜନା କରିପାରେ।
ମନସ୍ତତ୍ତ୍ୱ ଓ ବିଜ୍ଞାନ ଆବେଗମାନଙ୍କର ବର୍ଣ୍ଣ ପ୍ରକରଣ କରିଛି। ସେହି ଅନୁସାରେ ଖୋଲା ହୃଦୟ, ସରଳତା ଓ ଖୁସିର ପ୍ରତୀକ ‘ହାସ୍ୟରସ’କୁ ମିଳିଛି ଶ୍ୱେତବର୍ଣ୍ଣ। ପ୍ରେମ, ବନ୍ଧନ ଓ ନିବିଡ଼ତାକୁ ସୂଚିତ କରୁଥିବା ‘ଶୃଙ୍ଗାର’କୁ ମିଳିଛି ସବୁଜ ରଙ୍ଗ। ସେହିପରି ‘କରୁଣ’କୁ ଗ୍ରେ, ‘ରୁଦ୍ର’କୁ ଲୋହିତ, ‘ବୀର’କୁ କମଳା ରଙ୍ଗ, ‘ଭୟାନକ’କୁ କୃଷ୍ଣ ବର୍ଣ୍ଣ, ‘ଅଦ୍ଭୁତ’କୁ ହରିଦ୍ରା, ‘ଶାନ୍ତ’କୁ ନୀଳ ଏବଂ ‘ବୀଭତ୍ସ’କୁ ମିଳିଛି ଘନ ନୀଳ। ତେଣୁ କବିଙ୍କ କଲମରେ ଆବେଗର ଭିନ୍ନଭିନ୍ନ ରଙ୍ଗିନ କାଳି ମହଜୁଦ ହୋଇ ରହିଛି। ତା’ର ପରିମାଣ ଓ ଗାଢ଼ତା ପ୍ରତିଭା ନିର୍ଭରିତ। ପ୍ରତିଭା ହିଁ ଜାଣେ କେତେବେଳେ କେଉଁ କାଳି ବ୍ୟବହାର କରି କାବ୍ୟ କବିତାକୁ କିପରି କରିବ ରସାପ୍ଲୁତ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଯେଉଁ ବିଷୟର ବର୍ଣ୍ଣନା କରିବାକୁ ମନ ଉଦ୍ବେଳିତ ହେବ ଏବଂ ଯେଉଁ ଘଟଣା (ଦୃଶ୍ୟ, ଶ୍ରବଣ କି କଥୋପକଥନ ଲବ୍ଧ) ଏବଂ ସ୍ଥିତି ସ୍ଥାପକତାକୁ ଚହଲାଇ ଦେଇ କବିଙ୍କୁ ପ୍ରକାଶପ୍ରବଣ କରିବ, ତାର ବ୍ଲୁ ପ୍ରିଣ୍ଟ୍ ମସ୍ତିଷ୍କରେ ତିଆରି କରିବ ଫିଲ୍ଗୁଡ୍ ହରମୋନ୍ ‘ଡୋପାମିନ’। ଡୋପାମିନ୍ ପରିମାଣର ହ୍ରାସ ବୃଦ୍ଧି ଉପରେ ନିର୍ଭରକରେ କବିତା ଲେଖାର ଅବଧି। ଡୋପାମିନ୍ କମିଗଲେ ଆବେଗ କ୍ଷୀଣ ହେବ – ଉତ୍ସାହ ମନ୍ଥର ହେବ – ଅସଂପୂର୍ଣ୍ଣ ରହିଯିବ କବିତା ରଚନା।

ସବୁ ରସର ଉଦ୍ଦେଶ୍ୟ ହେଉଛି ଆନନ୍ଦ ପ୍ରଦାନ। ସେ ହୋଇପାରେ ନାନ୍ଦନିକ ନୈବେଦ୍ୟ – ତାତ୍ତ୍ୱିକ ତୃପ୍ତି – ଜିଜ୍ଞାସାର ଜୟଗାନ – ଆଧ୍ୟାତ୍ମିକ ଉପଲବ୍ଧି। ମାତ୍ର ପାଠକଙ୍କୁ ମିଳିବ ସେହି ରସାସ୍ୱାଦନର ରହସ୍ୟ, ଯେତେବେଳେ ସେ କବିତାରେ ସ୍ତରୀଭୂତ ଶକ୍ତିକୁ ଗତିଶୀଳ ଶକ୍ତିରେ ରୂପାନ୍ତର କରିପାରିବେ – ଯାହା ଅପେକ୍ଷା ରଖେ ବିଦ୍ବତ୍ତା, ବିଶ୍ୱାସ ଓ ବିଭୋରତାର ସହଯୋଗକୁ। ଆଧୁନିକ ଚାକଚକ୍ୟଭରା ଜୀବନଶୈଳୀ, ମୁନାଫାଖୋର ମୁକ୍ତ ଅର୍ଥନୀତି, ଜ୍ଞାନଗରିମାକୁ କବଳିତ କରୁଥିବା ନୈତିକ ସ୍ଖଳନ, ଭ୍ରଷ୍ଟ ରାଜନୀତିର ଗୁଟି ହୋଇ ଚଳୁଥିବା-ମରୁଥିବା-ମାରୁଥିବା ମସୁଧା, ବିପନ୍ନ ବସୁନ୍ଧରା-ବୁନିଆଦି-ବିକ୍ଷୋଭରେ ବ୍ୟସ୍ତ ବିବ୍ରତ ଚିନ୍ତାଧାରା ମଣିଷ ମନରୁ ଛଡ଼େଇ ନେଇଛି ମାନବିକତା – ହୃଦୟରୁ ସହୃଦୟତା- ସମାଜରୁ ସହନଶୀଳତା। ବିବିଧ ଚାପ ଯନ୍ତ୍ର ହୋଇ ପେଶି ଚାଲିଛି ମଣିଷଙ୍କୁ ଏବଂ ବ୍ୟକ୍ତି ନିଜର ମିଠାପଣକୁ ନିଗାଡ଼ିଦେଇ ହୋଇଯାଉଛି ଆଖୁଛେଦା ପରି ଶୁଷ୍କ ଓ ରସହୀନ। ଏହି ରସହୀନ ରୋଗରେ ସ୍ରଷ୍ଟା, ସୃଷ୍ଟି ଓ ଗ୍ରହୀତା ପ୍ରପୀଡ଼ିତ। ତଥାପି କବିତାରେ ଖୋଜା ଚାଲିଛି ‘ବିଭାବ’ (ସ୍ଥାୟୀ ଭାବ ଯେପରି ରତି, ଉତ୍ସାହ, ଘୃଣା ଇତ୍ୟାଦି ଯାହା ଆଲମ୍ବନ ଓ ଉଦ୍ଦୀପନ ଭେଦରେ ଦ୍ୱିବିଧ), ‘ଅନୁଭବ’ (ସ୍ଥାୟୀ ଭାବ ଉଦ୍ରେକ ହେବାର ପରିଣତି, ଏହି ଯେପରି ଖୁସି, ରୋମାଞ୍ଚ ସ୍ୱେଦକ୍ଷରଣ ଇତ୍ୟାଦି) ଏବଂ ‘ସଂଚାରୀଭାବ’ ବା ବ୍ୟଭିଚାରୀ ଭାବ (ସ୍ଥାୟୀ ଭାବକୁ ପ୍ରଚୋଦିତ କରୁଥିବା ଅସ୍ଥାୟୀ ଭାବନା, ଯେପରି ଗର୍ବ, ଗ୍ଲାନି, ଲଜ୍ଜା ଇତ୍ୟାଦି।) କବି କଂଚା କଳେବରର କିମିଆଁରେ ନ ପଡ଼ି ତାଙ୍କ କମନୀୟ କାନ୍ତିରେ ଥିବା କସ୍ତୁରୀର ମହକ ସଂଧାନ କରିଛି। ଶୃଙ୍ଗାରରସ ଆଧାରିତ ଦୁଇଟି କବିତାରେ ଏହାର ଚିତ୍ର ସୁସ୍ପଷ୍ଟ। ‘ଦୀପାବଳୀ’ର ରୂପକଳ୍ପରେ ଦେହ ଓ ଦହନ ପ୍ରକ୍ରିୟାରେ ବର୍ଣ୍ଣନା କବି ହରିହର ମିଶ୍ର ନିମ୍ନୋକ୍ତ ପଦ୍ୟାଂଶରେ ପ୍ରକାଶ କରିଛନ୍ତି-
“କେବଳ ଅପେକ୍ଷା ଜଳିବାର
ତମ ହାତରେ ଭିଣା ତୂଳା ଭଳି
ତମ ମୁକୁଳା ଜଘନରେ ଲୋଟିପଡ଼ି
ବଳିତାଟିଏ ହେବାର।
କେବଳ ଦୀପଟିଏ ଜଳେଇ ରଖିଲେ ହେଲା
ଜଳିବାର ଏ ମହୋତ୍ସବରେ।” (କଥାକଥା କବିତା କବିତା-୨୦୦୯, ପୃ.୧୩୬)
ଏକ ସାତ୍ତ୍ୱିକ ଜ୍ୱଳନ
ପ୍ରେମ ଏକ ସାତ୍ତ୍ୱିକ ଜ୍ୱଳନ- ଯେଉଁଥିରେ ଥାଏ ଆକର୍ଷଣର ଆଲୋକ, କାମଜ୍ୱାଳାର ଉଷ୍ଣତା ଏବଂ ନିବିଡ଼ ବନ୍ଧନର ବେପଥୁ। ନାରୀକୁ ‘ଦୀପ’, ପୁରୁଷକୁ ‘ସଳିତା’ ଏବଂ ସଂମ୍ଭୋଗକୁ ‘ମହୋତ୍ସବ’ କହିବାରେ ଯେତିକି ପ୍ରାସଙ୍ଗିକତା ଅଛି, ସେତିକି ବାସ୍ତବତା ଅଛି। ଘୃତ ହୋଇ ଯେ ଶୃଙ୍ଗାର ଶିଖାକୁ ଦାଉଦାଉ କରେ ତାହା ତିନୋଟି ହରମୋନ୍ର ଅବଦାନ। ଏଣ୍ଡ୍ରୋଜେନ୍ ନାରୀ-ପୁରୁଷଙ୍କୁ ଦିଏ ଉଦ୍ଦାମତା ଓ ଉତ୍ସାହ। ଅକ୍ସିଟୋସିନ୍ ମିଳନ ଆଗ୍ରହକୁ କରେ ଭୋଗମୟ। ଭାସୋପ୍ରେସିନ୍ ପ୍ରଦାନକରେ ତୃପ୍ତି ଓ ତନ୍ମୟତା।
ଦ୍ୱିତୀୟ କବିତାଟି ହେଉଛି ନୃସିଂହ ତ୍ରିପାଠୀଙ୍କ ‘ଶୂନ୍ୟ ରମଣ’।
“ମୁଁ ଥାଏ ଏକଲା ଶୋଇବା ଘରେ
ରାତି ଅଧ ହେଲେ ସେ ଆସି ପାଖରେ
ନିହାତି ଧୀରେ
ମୋ’ ଦେହରୁ କିଛି ଦେହ ମାଗି ନେଇ
ରମଣ ପଧିବ ତିଆରିକରେ।”
ଉକ୍ତ କବିତାଂଶର ନାଭିକେନ୍ଦ୍ରଟି ହେଉଛି ସ୍ୱଳ୍ପ ବ୍ୟବହୃତ ଅଥଚ ଶକ୍ତିଶାଳୀ ଦେଶଜ ଶବ୍ଦ ‘ପଧିବ’ (ପ) ଯାହା ମଧ୍ୟରେ ରମଣର ରହସ୍ୟମୟ ଚିତ୍ର ପ୍ରଦାନ କରାଯାଇଛି। ପଧିବର ଆଭିଧାନିକ ଅର୍ଥ ହେଉଛି ‘ଭିଆଣ’, ‘ନୂଆ ରୀତି ବା କୌଶଳ’ ଓ ‘ବିଚିତ୍ର ବସ୍ତୁ ବା ଦ୍ରବ୍ୟ ପ୍ରତି ଆକର୍ଷଣ ପାଇଁ ଚେଷ୍ଟା କରିବା।’
ଶୃଙ୍ଗାରର ସଫଳତା ସର୍ବଦା ‘ନୂତନତା’ରେ ମିଳେ ବୋଲି ଫ୍ରାକ୍ ବିଚ୍ (ବ୍ୟବହାର ବିଶେଷଜ୍ଞ) ‘କୁଲିଜ୍ ଇଫେକ୍ଟ’ ମାଧ୍ୟମରେ ପ୍ରମାଣ କରିଥିଲାବେଳେ ତାର ବୈଜ୍ଞାନିକ ବିଶ୍ଲେଷଣ କରିଛନ୍ତି ମାନସିକ ରୋଗ ଚିକିତ୍ସକ ଆସ୍ଥେର ପରେଲ୍। ସର୍ବେକ୍ଷଣରୁ ସିଦ୍ଧାନ୍ତ ହୋଇଛି ଯେ ଦୀର୍ଘସ୍ଥାୟୀ ଯୌନ ସଂପର୍କରେ ଗତାନୁଗତିକ ବ୍ୟବହାର ବିତୃଷ୍ଣା, ଅନାଗ୍ରହ ଏବଂ ଚିଟାପଣ ସୃଷ୍ଟିକରେ। ଫଳରେ ଶୃଙ୍ଗାରରୁ ମିଳେ ନାହିଁ ଈପ୍ସିତ ସୁଖ। ଏପରି ହେବାର କାରଣ ହେଉଛି, ଘସରା ଆଚରଣ, ଅନୁକୂଳ ପ୍ରେମ ପରିବେଶ ରଚନା ପାଇଁ ଉପଯୁକ୍ତ ରାସାୟନିକ ମଞ୍ଚ ତିଆରି କରିପାରେ ନାହିଁ। ପୁରୁଣା ମଞ୍ଚରେ ପୁରୁଣା ଶୈଳୀରେ ପୁରୁଖା ଅଭିନେତା-ଅଭିନେତ୍ରୀ ଅଭିନୟ କରିବାକୁ ବି ନାକ ଟେକନ୍ତି। ଏ ତଥ୍ୟକୁ ବିସ୍ତୃତ ଭାବରେ ଆଲୋଚନା କରି ଆସ୍ଥେର ପରେଲ ତାଙ୍କ ପୁସ୍ତକ ‘ମେଟିଙ୍ଗ୍ ଇନ୍ କ୍ୟାପ୍ଟିଭିଟି’ରେ କହିଛନ୍ତି- “ଡୋମେଷ୍ଟିସିଟି ଏମ୍ଫାସାଇଜେସ୍ ସିକ୍ୟୁରିଟି ହ୍ୱିଚ୍ ଇରୋଟିସିଜମ୍ ରିକ୍ୱାଏର୍ସ୍ ମିଷ୍ଟରୀ ଏଣ୍ଡ୍ ଦି ଅନ୍ଫ୍ୟାମିଲିୟର।” ଯୌନ ସାଥୀ ପରିବର୍ତ୍ତନରେ ମିଳୁଥିବା ରମଣ-ରୋମାଞ୍ଚ ଯେ ଶୈଳୀ ବା ରତିବନ୍ଧ ପରିବର୍ତ୍ତନ, ସ୍ଥାନ ପରିବର୍ତ୍ତନ ଏବଂ ପ୍ରାକ୍ ରତି ଅଭ୍ୟାସର ପରିବର୍ତ୍ତନରେ ମିଳିପାରିବ ଏହାର ବୈଜ୍ଞାନିକ ପ୍ରମାଣ ରହିଛି। ସଂଶିତ କବିତାରେ ପଧିବ ତିଆରି କରିବାକୁ ବ୍ୟାକୁଳ ଥିବା ପତି/ପତ୍ନୀ ବା ପ୍ରେମିକ/ପ୍ରେମିକା ଯେ ସେହି ନୂତନତାର ଆକର୍ଷଣ ପାଇବାକୁ ବଦ୍ଧପରିକର, ଏଥିରେ ଦ୍ୱିରୁକ୍ତି ନାହିଁ। ସଂଭୋଗ ସମାଧିରେ ମିଳୁଥିବା ବିଦ୍ରୋହ ବିଦେହ ବିଭୋରତା, ସମୟଶୂନ୍ୟତା ଓ ପ୍ରଣୟ ପ୍ରସାଦ (ସେକ୍ସୁଆଲ୍ ଟ୍ରାନ୍ସ୍, ଲେଖକ- ପେଗି କ୍ଲିନ୍ପ୍ଲାଜ୍)ର ପ୍ରକାଶ ପାଇଁ ‘ଶୂନ୍ୟ ରମଣ’ ଶିରୋନାମାଟି ସାର୍ଥକ ହୋଇଛି।

ଅବିମିଶ୍ର ଅନୁଭବ
ଏବେ ଅବିମିଶ୍ର ଅନୁଭବ ବିରଳ। ତେଣୁ ଶୁଦ୍ଧ ରସ ବି ସ୍ୱପ୍ନ। କାରୁଣ୍ୟ ସହିତ ବୀଭତ୍ସ ମିଶି ତିଆରି କରୁଥିବା ରସର ନାମ କ’ଣ ହେବ? ବାତ୍ସଲ୍ୟ ସହିତ କ୍ରୋଧ ମିଶିଲେ କିମ୍ବା ଶାନ୍ତ ସହିତ ଭୟାନକ ଯୋଗ ହେଲେ ସେ ରସର ନାମକରଣ କ’ଣ ହେବ? ଆଗାମୀ ଦିନମାନଙ୍କରେ ଏହିପରି ନାନାବିଧ ମିଶ୍ରଣର ସମ୍ଭାବନା ଥିବାରୁ ସାରସ୍ୱତ ସାଧକଙ୍କ ଆଗରେ ତାହା ପ୍ରଶ୍ନ ହୋଇ ଛିଡ଼ାହେବ। ଏଠାରେ କରୁଣ ରସରେ ବୀଭତ୍ସତାର ବିପଣି ଖୋଲିଥିବା ଦୁଇଟି କବିତାର ବ୍ୟବଚ୍ଛେଦ କରୁଛି।
“ସତୀ ସ୍ତ୍ରୀ ଲୋକର
ସହନଶୀଳତା କଥା କୁହନା।
ନିଜକୁ ଇ ନିପାତ କରେ ଗର୍ଭରୁ
ବଞ୍ôଚତ କରେ ଶିକ୍ଷାଦୀକ୍ଷାରୁ
ଛେଳି, ମେଣ୍ଢାପରି ବଜାରରେ ବିକିଦିଏ ନିଜକୁ
ନିଜକୁ ଇ ଜାଳିଜାଳି ନିଜକୁ ରାନ୍ଧେ
ପୁରୁଷର କ୍ଷୁଧା ଆଗରେ ପରଷିଦିଏ ନିଜକୁ
ସେ ରାତି ହେଉ କି ଦିନ….।” (ଧନ୍ୟ ଧନ୍ୟ- ଡ.ଅପର୍ଣ୍ଣା ମହାନ୍ତି)
କବିତାଟିରେ ବ୍ୟବହୃତ ପ୍ରଭାବଶାଳୀ ଶବ୍ଦ ଦ୍ୱୟ ‘ସତୀତ୍ୱ’ ଓ ‘ସହନଶୀଳତା’। ଗୋଟିଏ ଅନ୍ୟଟିର ପରିପୂରକ, ଅର୍ଥାତ୍ ସତୀ ହେବାକୁ ହେଲେ ଯାବତୀୟ ଯନ୍ତ୍ରଣା, ଜୁଲୁମ ଓ ଜୁଗୁପ୍ସା ସହିବାର ଯୋଗ୍ୟତା ରହିବା ଦରକାର। ଅନ୍ୟାୟ, ଅତ୍ୟାଚାରରେ ଅତିଷ୍ଠ ନ ହୋଇ ସହନଶୀଳତାର ପରିଚୟ ଦେଲେ ଶିରରେ ଶୋଭା ପାଇବ ସତୀତ୍ୱର ମୁକୁଟ। ସତୀତ୍ୱ ନାଆଁରେ କୁଷ୍ଠ ରୋଗାକ୍ରାନ୍ତ ସ୍ୱାମୀଙ୍କ ଯୌନକ୍ଷୁଧା ନିବାରଣ ପାଇଁ ସ୍ତ୍ରୀ ଦାମୀ ବେଶ୍ୟାର ପାଦ ଧରିଛି। ପତି ଅଥବା ପରିବାରର ନିର୍ଦ୍ଦେଶରେ କନ୍ୟାଭ୍ରୂଣ ହତ୍ୟା କରିଛି। ପରମେଶ୍ୱରର ମୁଖା ପିନ୍ଧା ପାପିଷ୍ଠ ପତିମାନଙ୍କ କାମ ଯଜ୍ଞରେ ନାରୀ ହୋଇଛି ଅହରହ ସମିଧ। ଏହାଠାରୁ ଦୁଃଖ ଓ ଅବସାଦର ବିଷୟ କ’ଣ ହୋଇପାରେ? ଶୁକ୍ରାବତୀ ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବା ପାଇଁ ବରକୋଳି ରାନ୍ଧିବା ଏବଂ ଋଷିଙ୍କ କୋପରୁ ବର୍ତ୍ତିବା ପାଇଁ କର୍ଣ୍ଣ ନିଜ ପୁତ୍ରକୁ ରାନ୍ଧିବାର ମିଥ୍ ଆମ ପୁରାଣରେ ଅଛି। ମାତ୍ର ପୁରୁଷର ସଦା ଅତୃପ୍ତ ଯୌନ କ୍ଷୁଧାର ନିର୍ବାପନ ପାଇଁ କାମୋଦ୍ଦୀପକ ମସଲାରେ ମହମହ ହୋଇ ନାରୀ ନିଜେ ନିଜ ମାଂସର ବ୍ୟଞ୍ଜନ ପ୍ରସ୍ତୁତ କରିଛି ପୁରୁଷର ମଣୋହି ପାଇଁ। ଏ କ’ଣ ଏକ ବୀଭତ୍ସ ଚିତ୍ର ନୁହେଁ କି?
ଊନବିଂଶ ଶତାବ୍ଦୀରେ ଭାରତରେ ଯେଉଁ ଜାଗରଣ ଯଜ୍ଞର ଆରମ୍ଭ ହୋଇଥିଲା, ତାହାର ମୂଳଲକ୍ଷ୍ୟ ଥିଲା ବ୍ରିଟିଶ ଶାସନରୁ ଦେଶକୁ ମୁକ୍ତ କରିବା। ଏଥିପାଇଁ ଆବଶ୍ୟକ ଥିବା ଜାତୀୟ ଏକତା, ଦେଶାତ୍ମବୋଧ ଏବଂ ସଂଘର୍ଷ ମନୋବୃତ୍ତିର ବୀଜ ଜନସାଧାରଣଙ୍କ ମଗଜରେ ବପନ କରିବାର ଦାୟିତ୍ୱ ସ୍ୱତଃସ୍ଫୂର୍ତ୍ତ ଭାବରେ ତତ୍କାଳୀନ କେତେକ ସାରସ୍ୱତ ସ୍ରଷ୍ଟା ବହନ କରିଥିଲେ। ସେମାନେ ଉପଲବ୍ଧି କରିଥିଲେ, ପରାଧୀନ ମାଟିରେ ସ୍ୱାଧୀନତା ସଂଗ୍ରାମ ରୂପ ନେବ। ଆଗରୁ ମାନସ ରାଜ୍ୟରେ ତା’ର ଉଦ୍ଭବ ହେବା ନିହାତି ଜରୁରୀ। ତେଣୁ ସେମାନେ ସଂଗୀତର ତାଳେତାଳେ, ଅଭିନୟର ବାକ୍ ଛନ୍ଦରେ ଏବଂ ଗଳ୍ପର ଶାବ୍ଦିକ ସଂଯୋଜନାରେ ସନ୍ନିବେଶିତ କରିଥିଲେ ସ୍ୱରାଜର ମନ୍ତ୍ର – ଅସ୍ମିତାର ଅଗ୍ନି – ସ୍ୱଦେଶ ପ୍ରୀତି। ଖାଲି ସେତିକି ନୁହେଁ, ସ୍ୱାଧୀନ ଚେତନାକୁ ସମୃଦ୍ଧ କରିବା ପାଇଁ ସମାଜରେ ଥିବା ଅସ୍ପୃଶ୍ୟତା, ଅନ୍ଧବିଶ୍ୱାସ ଓ କୁସଂସ୍କାର ଏବଂ ମନରେ ଥିବା ଶଙ୍କା, ଭୀରୁତା ଓ ବିଭେଦର ବିଲୋପ ଆବଶ୍ୟକ ଥିବାରୁ ସେମାନେ ଏ ଦିଗରେ ମସୀ ଚାଳନା କରିଥିଲେ। ନୂତନତାର ଆବାହନ ଓ ପୁରାତନତାର ତନୁ ତ୍ୟାଗ ଲାଗି ସାହିତ୍ୟରେ ଆରମ୍ଭ ହୋଇଥିଲା କ୍ରାନ୍ତିରସ।
କ୍ରାନ୍ତି ରସାଶ୍ରିତ କବିତା
ପ୍ରତ୍ୟେକ ପ୍ରଦେଶରେ ଏବଂ ପ୍ରତ୍ୟେକ ଭାଷାରେ ପ୍ରକାଶ ପାଇଥିଲା କ୍ରାନ୍ତି ରସାଶ୍ରିତ କବିତା। ମାତ୍ର ମରାଠୀ ସାହିତ୍ୟିକ ଦତ୍ତାତ୍ରେୟ ଶଙ୍କର ଜାୱେଡ୍କର ଏହାର ନାମକରଣ କରିବା ସଂଗେସଂଗେ ତାଙ୍କ ସାହିତ୍ୟର ବିପ୍ଲବୀ କବି କେଶବ ସୂତଙ୍କଙ୍କୁ “କ୍ରାନ୍ତିକାରୀ ଆଦିକବି” ରୂପେ ପରିଚିତ କରାଇଥିଲେ। ଉକ୍ତ ରସର ସ୍ଥାୟୀ ଭାବ ‘କ୍ରାନ୍ତି’ (ନବୀନ ସମାଜ ସଂରଚନା), ‘ନବୀନ-ପ୍ରାଚୀନ ସଂଘର୍ଷ’ ତାର ଆଲମ୍ବନ ବିଭାବ ଏବଂ ‘ବିଶ୍ୱାତ୍ମଭାବ’, ବୈଷମ୍ୟ ଏବଂ ଘୃଣାର ବିରୋଧାତ୍ମକ ଯୁଯୁତ୍ସାବୃତ୍ତି ଇତ୍ୟାଦି ସଂଚାରୀ ଭାବ। ଅପରପକ୍ଷରେ ‘ଅନିଲ’ ତାଙ୍କର ‘କ୍ରାନ୍ତିରସ ବନାମ ପ୍ରକ୍ଷୋଭରସ’ ପ୍ରବନ୍ଧରେ ‘ଜୀବନାନନ୍ଦ ବିରୋଧୀ’ ଶୋଷଣକୁ ଯେଉଁ କୃତି ବିରୋଧ କରୁଥାଏ, ତା’ର ସ୍ଥାୟୀଭାବ ‘ପ୍ରକ୍ଷୋଭ’ ବୋଲି ଦର୍ଶାଇଛନ୍ତି। “ଆବେଗ ଆମର୍ଷ,କରୁଣା, ତିରସ୍କାର ଇତ୍ୟାଦି ଦ୍ୱାରା ପରିପୁଷ୍ଟ ହୋଇ ସଂଘର୍ଷସୂଚକ ଚେଷ୍ଟାକୁ ଉତ୍ପନ୍ନ କରେ। ଏହି ପ୍ରକାର ଆବେଗ ପ୍ରକ୍ଷୋଭର ରୂପ ନିଏ। ଦଳିତଙ୍କ ସହିତ ବିଶ୍ୱାସଘାତକତା ଅଥବା ସେମାନଙ୍କ ବିପନ୍ନ ଅବସ୍ଥା ଏହାର ଉଦ୍ଦୀପନ ବିଭାବ ଅଟେ। ଆମର୍ଷ, କରୁଣା, ତିରସ୍କାର ଇତ୍ୟାଦି ସଂଚାରୀ ଭାବ। ପ୍ରବୃତ୍ତିମୂଳକ ସଂଘର୍ଷସୂଚକ ଚେଷ୍ଟା ଅନୁଭାବ।”(ଶୈଳଜ ରବି – ଆଧୁନିକ ସାହିତ୍ୟରେ ରସ ନିଷ୍ପତ୍ତି – ଝଂକାର, ଡିସେମ୍ବର, ୨୦୨୪, ପୃ.୩୭)।
ଆମ ସାହିତ୍ୟରେ ‘କ୍ରାନ୍ତିରସ’ ଆଧାରିତ କେତୋଟି କବିତା ଏହିପରି – (୧) ଜାତୀୟ ଜୀବନରେ ଥିବା ପାପ, ଆବିଳତା, ଅବିଶ୍ୱାସକୁ ପଦଦଳିତ କରିବାର ଆହ୍ୱାନ:
“ଜାତୀୟ ଜୀବନ ଯେତେ ଅଛି ପାପ ଅଛି ଆବିଳତା
ବୈଷମ୍ୟ ବିରୋଧ ଯେତେ ଅବିଶ୍ୱାସ, ଭୀରୁତା ଭଣ୍ଡତା
ସବୁ ଦିଅ ନିର୍ବିଚାରେ ନିର୍ବିକାରେ ଅନଳେ ଆହୁତି
ତେବେ ତ ଲଭିବ ଭାଇ ଦାସତ୍ୱର ନିଗଡୁ ନିସ୍କୃତି।”
(ଅନ୍ନଦା ଶଙ୍କର ରାୟ)
ଉତ୍କଳୀୟ ଅସ୍ମିତା, ବୀରତ୍ୱ ଓ ସ୍ୱାଭିମାନର ଜାଗରଣ ପାଇଁ ଆହ୍ୱାନ ଦେଇଛନ୍ତି ଗୋଦାବରୀଶ ମହାପାତ୍ର।
“ବେଳ ନାହିଁ ବେଳ ନାହିଁ କଂକାଳ / ଟେକ ଚଞ୍ଚଳ ମଥା
ବିଦାରି ଉପଳ ନିର୍ମଳ ତବ ପିଞ୍ଜରୁ ଉଠୁ ବ୍ୟଥା
ବାଜିଉଠୁ ବାରେ ମରଣ ବିଜୟୀ ବଂଶୀ ସେ ବୁକୁ ତଳେ
ଧୂର୍ଜଟି ଜଟାଜୁଟ କଂପାଇ ଯୌବନ କୁତୂହଳେ।”
ସ୍ୱାର୍ଥ, ତୋଷାମଦ ଓ ମିଥ୍ୟା ଜାତୀୟ ଜୀବନର ପରିପନ୍ଥୀ। ଏହାର ବର୍ଜନ ପାଇଁ ଆବେଦନ କରିଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ।
“ଜାତି ପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର
ସ୍ୱାର୍ଥକୁ ଦିଅ ଆହୂତି
ସ୍ୱାର୍ଥମେଧ ଯଜେ୍ଞ ଚାରିଆଡ଼େ ନାଚ
ଛାତିକୁ ମିଶାଇ ଛାତି।”
ଏବେ ବ୍ୟକ୍ତିଜୀବନର କ୍ଷୋଭ, ଭୟ, ନିଃସଙ୍ଗତା, ଅସହାୟତା ଜାତୀୟ ଚେତନାକୁ କଳୁଷିତ କରୁଛି। ପ୍ରାପ୍ୟ, ସୁଖ, ଶାନ୍ତି, ସ୍ୱଚ୍ଛଳତା ଓ ଶିକ୍ଷା ବଞ୍ଚିତ ମନରେ ସୃଷ୍ଟି ହେଉଥିବା ପ୍ରତିକ୍ରିୟା ପ୍ରକାଶ ପାଇଁ କେଉଁ ରସର ଆବଶ୍ୟକତା ପଡ଼ିବ? ପରକୀୟା ପ୍ରୀତି + ପ୍ରତାରଣା + ପ୍ରତିଶୋଧପରାୟଣତା ପରିବେଷଣ କରୁଥିବା ଭାବକୁ ‘ପ୍ରଳୟରସ’ ଏବଂ ବାତ୍ସଲ୍ୟ+ବଳାତ୍କାର+ହତ୍ୟା ଆଧାରିତ ଆବେଗକୁ ‘ବ୍ୟଭିଚାର ରସ’ ରୂପେ ଗ୍ରହଣ କରାଯାଇପାରେ। ମାତ୍ର ଉକ୍ତ ରସାପ୍ଲୁତ କବିତା କ’ଣ ଦେବ ପ୍ରମୋଦ ନା ପ୍ରମାଦ?
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)