ଘୃଷ୍ଟି *

ସାହିତ୍ୟକୁ ସଂସାରର ଏକ ମୂଳଦୁଆ ଭାବରେ ରଖିବାକୁ ହେବ।

କଥାରେ ଅଛି; ‘ହାତରେ ଶଙ୍ଖା; ଦର୍ପଣ ଯାଏଁ କିଆଁ!‘
ସାହିତ୍ୟ ସଂସାରରେ ଏଇ ଘୃଷ୍ଟି ବେଳରେ ଆପଣ ଏଇ ନ୍ୟାୟ ପ୍ରବାଦକୁ ବିଚାର କରନ୍ତୁ ଆପଣା ବୋଧରେ। ଏବେ କହିବି ଆଗସରିବା କଥା।
ବିଂଶ ଶତାବ୍ଦୀର ଆଦ୍ୟାବସ୍ଥା ବିଶ୍ୱ ସାହିତ୍ୟ ଇତିହାସର ଏକ ସଙ୍କଟକାଳୀନ ସାହିତ୍ୟ ଯୁଗ ଥିଲା। ପ୍ରଥମ ବିଶ୍ୱଯୁଦ୍ଧର ଭୟାବହ ସମୟଖଣ୍ଡରେ ଲେଖକଗଣ ଗଣମାନସର ଆଘାତ, ଯୁଦ୍ଧର ହିଂସ୍ରତା ଓ ମାନବଜାତିର ପାରମ୍ପରିକ ମୂଲ୍ୟବୋଧର ପତନକୁ ଆପଣାର ସାହିତ୍ୟବୋଧରେ ପ୍ରତିଫଳିତ କରିଥିଲେ। ଏହି ସଙ୍କଟମୟ ପରିସ୍ଥିତିରୁ ମୁକ୍ତି ପାଇବା ପାଇଁ ସାହିତ୍ୟ ଏକ ଅପରିହାର୍ଯ୍ୟ ଅଂଶ ହେବା ଆବଶ୍ୟକ ବୋଲି ଗୁଣୀ ସାହିତ୍ୟିକମାନେ ମନେ କରିଥିଲେ। ଏହି ମହାଯୁଦ୍ଧ ମାନବ ସଭ୍ୟତାର ଦ୍ରୁତ ପ୍ରଗତି, ବିଜ୍ଞାନର ଉପଯୋଗିତା ତଥା ମାନବୀୟ ବିବେକ ପ୍ରତି ରହିଥିବା ଊନବିଂଶ ଶତାବ୍ଦୀର ଅତିରିକ୍ତ ଆଶାବାଦକୁ ଦୋହଲାଇ ଦେଇଥିଲା। ଯୁଦ୍ଧରେ ଯାନ୍ତ୍ରିକ ପ୍ରୟୋଗ, ଅଗଣିତ ମୃତ୍ୟୁ, ଶାରୀରିକ ଓ ମାନସିକ ଯନ୍ତ୍ରଣା ଆଧୁନିକ ସମାଜ ଆଗରେ ଏକ ପ୍ରଶ୍ନବାଚୀ ଠିଆ କରି ଦେଇଥିଲା।
ଏଣୁ ସାହିତ୍ୟର ସ୍ୱର ବଦଳିଥିଲା ସମସ୍ୱନରେ। ଯୁଦ୍ଧକୁ ବୀରତ୍ୱ, ବିଜୟ ଓ ରୋମାଞ୍ଚକର କାହାଣୀ ଭାବେ ଚିତ୍ରଣ କରିବା ପରିବର୍ତ୍ତେ ଯୁଦ୍ଧର ନିଷ୍ଠୁରତା, ମାନବିକ ଅନ୍ତଦ୍ୱର୍ନ୍ଦ୍ୱ, ମାନସିକ କ୍ଷତ ଓ ତା’ର ଅସ୍ତିତ୍ୱବାଦ ଓ ଜୀବନର ଶୂନ୍ୟତାକୁ ପରିପ୍ରକାଶ କରିବାକୁ ଲାଗିଲା। ସେହି ସମୟର କବିମାନେ ଯୁଦ୍ଧର ମହିମାମଣ୍ଡନକୁ ପ୍ରଶ୍ନ କରିଥିଲେ। ମାନବବାଦ ଓ ମାନବବୋଧର ଦୁଃଖକୁ ସଂସାର ସାମ୍ନାରେ ଆଣି ଥୋଇ ଦେଇଥିଲେ। ଭଗ୍ନ ମନର ମଣିଷ, ଜୀବନର ଅନିଶ୍ଚିତତା ଓ ପରିବର୍ତ୍ତିତ ଜୀବନବୋଧକୁ ନୂତନ ଶୈଳୀରେ ଜନମାନସ ବୁଝିଥିଲେ ସେହି ରଚନାରୁ।
ସାହିତ୍ୟକାର କେବଳ ପ୍ରଚଳିତ ଧାରଣା ଓ ଜୀବନଚର୍ଯ୍ୟାକୁ ସମର୍ଥନ କରିବା ନୁହଁ; ବରଂଚ ସେହି ଧାରଣାର ଆଢୁଆଳରେ ଥିବା ଯେକୌଣସି ତ୍ରୁଟିକୁ ଦେଖାଇବାର ଅସମସାହସ କରିବା ଉଚିତ୍‌। ସାହିତ୍ୟକୁ ମୁକ୍ତଚିନ୍ତନ ଓ ବୌଦ୍ଧିକ ପରିବେଶ ସୃଷ୍ଟି କରିବା ପାଇଁ ଏକ ମାଧ୍ୟମ ହେବାକୁ ହେବ। ସାହିତ୍ୟକୁ ସଂସାରର ଏକ ମୂଳଦୁଆ ଭାବରେ ରଖିବାକୁ ହେବ, ଯେଉଁଠି ନିଃଶଙ୍କ ପ୍ରଶ୍ନ କରିବାର ଚେତନାବୋଧ ଥିବ। ନୈତିକ ଦ୍ୱନ୍ଦ୍ୱର ବିଚାର ଏକ ଆଦର୍ଶ ସମାଜର ଭବିଷ୍ୟତ ନିମନ୍ତେ ହେବ।
ସମାଜର ସଙ୍କଟ ସମୟରେ ସାହିତ୍ୟର ଆବଶ୍ୟକତା କମିଯାଏ ନାହିଁ। ଏହାର ଗୁରୁତ୍ୱ ଗୁଣୋତ୍ତର ପ୍ରଗତିରେ ବଢ଼ିଯାଏ। ଯେବେଯେବେ ସମାଜ ଅବିଶ୍ୱାସ, ବିଭାଜନ, ଅନ୍ୟାୟ, ଦ୍ୱନ୍ଦ୍ୱର ସମ୍ମୁଖୀନ ହୁଏ ସେବେସେବେ ସାହିତ୍ୟ ମଣିଷକୁ ନିଜ ସହ ପରିଚୟ କରାଏ, ନିଜର ଆତ୍ମିକ ଚେତନା ସହ ଚିନ୍ତା କରିବାକୁ ସୁଯୋଗ ଦିଏ। ମଣିଷକୁ ମଣିଷ ଭଳି ଦେଖିବାର ଦର୍ଶନ ଦିଏ।
ଦୀପାବଳିକୁ ସ୍ୱାଗତ କରିବାର ମାହେନ୍ଦ୍ରବେଳାରେ; ସୁଧୀ ସୁହୃଦଙ୍କୁ କହିବି ଯେ ଦୀପଟିଏ ହୋଇ ଜଳ ହେ ଆତ୍ମନ୍‌; ଦୀପଟିଏ ଜାଳିବାରେ ସେଇ ଅମ୍ଭସ୍ତୁଷ୍ଟି କାହିଁ! ସାହିତ୍ୟ ମନୁଷ୍ୟକୁ ସମ୍ବେଦନଶୀଳ, ନ୍ୟାୟପରାୟଣ ଓ ମାନବିକତାର ମନ୍ତ୍ରରେ ଉଦ୍‌ବୁଦ୍ଧ କରୁ; ଏହା ହିଁ ଦୀପାବଳିର ମହାମନ୍ତ୍ର ହେଉ। ଆସନ୍ତୁ, ସାହିତ୍ୟକୁ କେବଳ ପୁସ୍ତକ, ପୁରସ୍କାର, ପ୍ରତିଷ୍ଠା ଅବା ବୌଦ୍ଧିକ ବିଳାସର ଘୃଷ୍ଟିବୋଧରେ ନୁହଁ; ବରଂଚ ସାହିତ୍ୟକୁ ଶିକ୍ଷା, ସାମାଜିକ ବିବର୍ତ୍ତନ, ମାନସିକ ପୁନରୁଦ୍ଧାର ଓ ସାମୂହିକ ଚେତନାର ନନ୍ଦିଘୋଷ ବୋଧରେ ବିଶ୍ୱମାନବବାଦର ବଡ଼ଦାଣ୍ଡରେ ଗଡ଼ାଇନେବା।

–ପ୍ର.ଭୂ

*ଘୃଷ୍ଟି– ପ୍ରତିଯୋଗିତା।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ ପ୍ରଶାନ୍ତ ଭୂୟାଁଙ୍କ ନିୟମିତ ସ୍ତମ୍ଭ।)

One thought on “ଘୃଷ୍ଟି *”

  1. ଘୃଷ୍ଟି ଶବ୍ଦଟିର ଏତେ ସୁନ୍ଦର ଅର୍ଥ ଅଛି ଜାଣି ଖୁସି ଲାଗିଲା।

Leave a Reply

Your email address will not be published. Required fields are marked *