ଗବେଷକର ଅନୁସନ୍ଧାନ ଯେଉଁ ସତ୍ୟ ପାଖରେ ପହଞ୍ଚେ ତାହା ସାର୍ବଜନୀନ ଲୋକ-ଆବେଗର ସତ୍ୟ ହେବାକୁ ବାଧ୍ୟ ନୁହେଁ।

ନିକଟରେ ଓଡ଼ିଶା ସରକାର ଘୋଷଣା କରିଛନ୍ତି ‘ଲକ୍ଷ୍ମୀ ପୁରାଣ’ ପୁସ୍ତକଟିକୁ ଏକ ଶୁଦ୍ଧ ଓ ସମ୍ପାଦିତ ରୂପରେ ଛପାଇ ତାହାର ଏକ କୋଟି ସଂଖ୍ୟକ କପି ଓଡ଼ିଶାର ନାରୀମାନଙ୍କ ମଧ୍ୟରେ ବଣ୍ଟନ କରିବାପାଇଁ। ଆମର ନିମ୍ନୋକ୍ତ ଆଲୋଚନାଟି ଏହି ପ୍ରସଙ୍ଗ ଦ୍ବାରା ପ୍ରେରିତ।
କବିତାର ପ୍ରସିଦ୍ଧି ଯେ ବେଳେବେଳେ କବିର ମୌଳିକ ସର୍ଜନାକୁ ବି ଟପିଯାଏ, ଏହାର ସାକ୍ଷାତ ଉଦାହରଣ ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’। ସାଧରଣତଃ ଲକ୍ଷ୍ମୀ ପୁରାଣ କହିଲେ ଧର୍ମଗ୍ରନ୍ଥ ବୁକ୍ ଷ୍ଟୋର୍ ଦ୍ୱାରା ପ୍ରକାଶିତ ଏକ ଚଟି ବହି ହିଁ ଆମ ଆଖି ସାମନାକୁ ଚାଲିଆସେ। ଏହି ବହିଟି ହିଁ ବର୍ଷ ବର୍ଷ ଧରି ଓଡ଼ିଆ ଜନଜୀବନକୁ ଆପ୍ଳୁତ କରି ଆସିଛି। ତେବେ ନିକଟ ଅତୀତରେ ସୁଦର୍ଶନ ଆଚାର୍ଯ୍ୟ, ଭାଗ୍ୟଲିପି ମଲ୍ଲ ଏବଂ ଗୌରାଙ୍ଗ ଚରଣ ଦାସଙ୍କ ମିଳିତ ପ୍ରଚେଷ୍ଟାରେ ଅନେକ ପ୍ରଚୀନ ପୋଥିର ତର୍ଜମା ପୂର୍ବକ କେତୋଟି ପୋଥିକୁ ଆଦର୍ଶ ପୋଥି ଭାବେ ଗ୍ରହଣ କରି ‘ଲକ୍ଷ୍ମୀ ପୁରାଣ’ର ଏକ ତଥାକଥିତ ନୂତନ ସଂସ୍କରଣ ପ୍ରକାଶିତ ହୋଇଛି, ଯାହାର ପ୍ରକାଶନ କରିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ। ଏହି ପୋଥି ସମ୍ପାଦକମାନଙ୍କ ସମ୍ପାଦିତ ପୁସ୍ତକଟିକୁ ପଢ଼ିଲେ ଯାହା ଧାରଣା ହୁଏ, ଏକଦା ମତ୍ତ ବଳରାମ ଯେଉଁ କ୍ଷୁଦ୍ର କାବ୍ୟଟି ‘ଲକ୍ଷ୍ମୀ ପୁରାଣ’ ନାଁରେ ଲେଖିଥିଲେ ଏବଂ ଏବେ ଘରେ ଘରେ ମାର୍ଗଶିର ମାସ ଗୁରୁବାର ଦିନ ଲକ୍ଷ୍ମୀପୁରାଣର ଯେଉଁ ଗୁଞ୍ଜରଣ ଶୁଭିଯାଏ, ତା ଭିତରେ ରହିଛି ଆକାଶ ପାତାଳ ପ୍ରାୟ ପ୍ରାର୍ଥକ୍ୟ। କିନ୍ତୁ ଗୋଟିଏ ଦୃଷ୍ଟିରୁ ଦେଖିଲେ, ଓଡ଼ିଶାର ସାଧାରଣ ଜନତା ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ନିଜ ବାଗରେ, ନିଜ ଢଙ୍ଗରେ ଲକ୍ଷ୍ମୀପୁରାଣକୁ ଦେଇଛି ନୂଆ ଏକ ରୂପ। ଫଳରେ ମୂଳ କାହାଣୀ, ମୂଳ ଛନ୍ଦ, ମୂଳ ଉପଲକ୍ଷ୍ୟ ଜନତାର ଗ୍ରହଣଶୀଳତାର ଦାୟରେ ହେଇଚି ପୁନଃନିର୍ମିତ। କବିତାର ପ୍ରସିଦ୍ଧି ବଳି ଯାଇଛି କବିକୁ; କବିର ମୌଳିକତାକୁ।

ଏହି ପୋଥି ସମ୍ପାଦକମାନଙ୍କ ସମ୍ପାଦିତ ‘ଲକ୍ଷ୍ମୀ ପୁରାଣ’ର ସମ୍ପୂର୍ଣ୍ଣ ପାଠ୍ୟ, ଏହାର ମୁଖବନ୍ଧ, ପ୍ରାନ୍ତଟିକା, ପରିଶିଷ୍ଟ ଆଦି ଆମୂଳଚୂଳ ପାଠ କଲେ ଯେ କେହି ବି ସ୍ୱୀକାର କରିବ ସେମାନଙ୍କ ଗବେଷଣାର ଶ୍ରମ ଓ ଅବଦାନକୁ। ଶୁଦ୍ଧ ସମ୍ପାଦନାରେ ଅନେକ ପୋଥିର ସହାୟତା ନେଇ କୌଣସି ପ୍ରାଚୀନ ଲେଖାର ବିଶୁଦ୍ଧତାକୁ ଯେତେଦୂର ସମ୍ଭବ ବଞ୍ଚେଇ ରଖିବାର ପ୍ରଚେଷ୍ଟା କିଭଳି କରାଯାଏ ଏହା ଗବେଷକମାନେ ନିଶ୍ଚୟ ବୁଝିଥିବେ। ସାଧାରଣ ଜନତା ଅବଶ୍ୟ ଏହା ବୁଝିବେନାହିଁ। ଦୀର୍ଘ ବହୁ ଶତାବ୍ଦୀ ଧରି ବିବର୍ତ୍ତିତ ହୋଇ ହୋଇ ଏକ ବହୁ ପ୍ରଚଳିତ ଧାରାରେ ମୂଳ ଲକ୍ଷ୍ମୀ ପୁରାଣର ଲେଖାଟି ବର୍ତ୍ତମାନ ଲୋକଙ୍କ ପାଖରେ ଯେଉଁ ରୂପରେ ଗ୍ରହଣୀୟ ହୋଇସାରିଛି ଏବଂ ଯେଉଁ ରୂପରେ ଲୋକପ୍ରିୟତା ଲାଭ କରିଛି ତାହାକୁ ଅଶୁଦ୍ଧ ବୋଲି କହିବାର ଅର୍ଥ ଲୋକଙ୍କ ଭାବନା (ମୂଳତଃ ଧର୍ମୀୟ ଭାବନା)କୁ କୁଠାରଘାତ କରିବା।
ବିଷମ ସ୍ଥିତି
ଏ ଏକ ବିଚିତ୍ର ବିଷମ ସ୍ଥିତି। ଗୋଟେ ପଟେ ଗବେଷଣା, ଅନ୍ୟପଟେ ପ୍ରତିଷ୍ଠିତ ଲୋକବିଶ୍ୱାସ। ଗୋଟେ ପଟେ ଶୁଦ୍ଧ ସମ୍ପାଦନା, ଅନ୍ୟ ପଟେ ଲୋକଙ୍କ ଶହ ଶହ ବର୍ଷର ଭାବାବେଗ। ଅନ୍ୟ କୌଣସି ପ୍ରାଚୀନ କାବ୍ୟ/ପୁରାଣ ପୁସ୍ତକ ହୋଇଥିଲେ ଭିନ୍ନ କଥା, କିନ୍ତୁ ଲକ୍ଷ୍ମୀ ପୁରାଣ ଓଡ଼ିଶାର ସମ୍ଭବତଃ ଏକମାତ୍ର ସର୍ବାଧିକ ଜନପ୍ରିୟ ପୁସ୍ତକ ଯାହା ନିଜର ପୁସ୍ତକ ପରିଧି ବାହାରେ ଓଡ଼ିଆ ସଂସ୍କୃତି, ଜୀବନଧାରା, ସମାଜ, ରୀତି ନୀତି, ଖାଦ୍ୟ ଶୃଙ୍ଖଳା, ଝୋଟି ଚିତ୍ର, ଗାୟନ ଶୈଳୀ ପରି ବହୁ ବହୁ ବିଭାଗକୁ ଦୀର୍ଘ ପାଞ୍ଚ ଶତାବ୍ଦୀ ଧରି ପ୍ରଭାବିତ କରି ଆସିଛି। ଲକ୍ଷ୍ମୀ ପୁରାଣକୁ ଆଧାର କରି କେତେ ନାଟକ, ଲୀଳା, ସୁଆଙ୍ଗ, ଚଳଚ୍ଚିତ୍ର, ଧାରାବାହିକ, ଆଲବମ୍ ଗୀତ ମଧ୍ୟ ରଚିତ ଓ ଜନାଦୃତ। ଏତିକିବେଳେ ହଠାତ ସରକାରୀ ଯୋଜନାର ତାଲିକାରେ ଲକ୍ଷ୍ମୀ ପୁରାଣକୁ ସାମିଲ କରିବା ଓ ପ୍ରଚଳିତ ପୁସ୍ତକଟିକୁ ଅଶୁଦ୍ଧ ବୋଲି କହିବା (ଯଦିଓ ସମ୍ପାଦିତ ପୁସ୍ତକଟି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ୨୦୧୮ରେ ପ୍ରକାଶିତ ତଥା ଓଡ଼ିଶାର ବିଜ୍ଞ ଗବେଷକ ଓ ପାଠକମାନେ ଏ ପୁସ୍ତକଟିକୁ ଅନେକ ଆଗରୁ ଜାଣନ୍ତି) ଦ୍ୱାରା ଓଡ଼ିଆ ଜନ-ଗଣ-ମନଙ୍କ ଧର୍ମୀୟ, ସାଂସ୍କୃତିକ ଓ ଜାତୀୟ ଭାବନାରେ ଗଭୀର ଆଘାତ ଦେଇଛି ବୋଲି ମାନିନେବାକୁ ହେବ। ସେଥିପାଇଁ ହିଁ ଏତେ ଜନ ଅସନ୍ତୋଷ। ଏତେ ପ୍ରତିକ୍ରିୟା। ଏତେ ଆଲୋଚନା ଓ ସମାଲୋଚନା।
ଚଉଦ ଅକ୍ଷରୀ ବନାମ ଦାଣ୍ଡି ବୃତ୍ତ
ତେବେ ଆହୁରି ବିସ୍ମୟ ଯେମିତି ଅପେକ୍ଷା କରିଛି ଓଡ଼ିଆ ଜନମାନସରେ ପ୍ରଚଳିତ ଲକ୍ଷ୍ମୀ ପୁରାଣଟି ସହ ଜଡ଼ିତ ଆବେଗ ଓ ପରମ୍ପରାକୁ କୁଠାରଘାତ କରିବାକୁ। ଗବେଷକମାନେ ରାଜ୍ୟ ସଂଗ୍ରହାଳୟରେ ଥିବା ୨୬ ଟି ପୋଥିରୁ ଯେଉଁ ୩ଟି ପୋଥିକୁ ପ୍ରାଚୀନ ପୋଥି ବୋଲି ଗ୍ରହଣ କରି, ସେଥିରୁ ତଥ୍ୟ ସଂଗ୍ରହ କରି ଶୁଦ୍ଧ ସମ୍ପାଦିତ ପୁସ୍ତକଟି ପ୍ରକାଶ କରିଛନ୍ତି; ଏହା ପଢ଼ିଲେ ଯାହା ବୁଝାଯାଏ –
ପ୍ରଚଳିତ ଲକ୍ଷ୍ମୀ ପୁରାଣଟି ଚଉଦ ଅକ୍ଷରୀ ବୃତ୍ତରେ ରଚିତ ହୋଇଥିବା ବେଳେ ସମ୍ପାଦିତ ଲକ୍ଷ୍ମୀ ପୁରାଣଟି ଦାଣ୍ଡି ବୃତ୍ତରେ ରଚିତ। ଯେଉଁ ମୂଳ ଦାଣ୍ଡି ବୃତ୍ତଟି ସମୟ କ୍ରମେ ଲୋକମାନଙ୍କ ଗାୟନର ସୁବିଧା ଦୃଷ୍ଟିରୁ ଚଉଦ ଅକ୍ଷରୀ ବୃତ୍ତରେ ପରିଣତ ହୋଇସାରିଛି, ଯାହାକୁ ସୁଗାୟିକା ନମିତା ଅଗ୍ରୱାଲ ଓ ଗୀତା ଦାସ ଏକ ନିର୍ଦ୍ଦିଷ୍ଟ ସ୍ୱରରେ ଗାନ କରି ପ୍ରତିଷ୍ଠା ଦେଇସାରିଛନ୍ତି, ସେଇ ସ୍ୱର, ସେଇ ଆବେଗ ଏବେ ପୁଣି ଦାଣ୍ଡି ବୃତ୍ତକୁ କାହିଁକି ବା ଆଦରିବ? ଗ୍ରହଣ କରିବ ବା କାହିଁକି?

ପୁଣି ଏବେ ସମ୍ପାଦିତ ହୋଇ ପ୍ରକାଶ ପାଇଥିବା ‘ଲକ୍ଷ୍ମୀ ପୁରାଣ’ରେ ଥିବା କାହାଣୀ ସହିତ ମାର୍ଗଶିର ମାସରେ ଅନୁଷ୍ଠିତ ହେଉଥିବା ଲକ୍ଷ୍ମୀ ବ୍ରତ ବା ମାଣବସା ଗୁରୁବାରର କୌଣସି ସମ୍ପର୍କ ନ ଥିବା ଦେଖିବାକୁ ମିଳେ। ଆମେ ଆଜିଯାଏଁ ପଢ଼ି ଆସୁଥିବା ପ୍ରଚଳିତ ବହିରେ ଉଲ୍ଲେଖ ଅଛି ଯେ କୌଣସି ଏକ ମାର୍ଗଶିର ମାସ ଗୁରୁବାର ଦିନ ପୁରବାସୀମାନେ ଲକ୍ଷ୍ମୀଙ୍କ ପୂଜା କରୁଥିବାର ନାରଦ ଦେଖନ୍ତି ଓ ପରାଶରଙ୍କୁ ଏହି ପୂଜା ବିଷୟରେ ପ୍ରଶ୍ନ କରନ୍ତି। ଏହାଶୁଣି ପରାଶର ଜଣାନ୍ତି ଯେ ଏହା ହେଉଛି ଧାନ୍ୟମାଣିକା ଗୁରୁବାର ଓଷା।
“ଏ ଧାନ ମାଣିକା ଗୁରୁବାର ଯେ ଅଟଇ
ଲକ୍ଷ୍ମୀ ଦେବୀଙ୍କର ପୂଜା ଏ ବ୍ରତେ ଘଟଇ
ସବୁ ମାସ ମାନଙ୍କରେ ମାର୍ଗଶୀର ସାର
ତହିଁରେ ପଡ଼ଇ ଯେଉଁ ଯେଉଁ ଗୁରୁବାର
ଲକ୍ଷ୍ମୀଙ୍କର ପ୍ରିୟ ସେହି ବାରମାନ ଜାଣ
ସବୁଠାରୁ ଆଦ୍ୟ ଗୁରୁବାର ଯେ ପ୍ରଧାନ। “
ଏହାପରେ ନାରଦଙ୍କ ଜିଜ୍ଞାସା କ୍ରମେ ପରାଶର ଏହି ଓଷାର କାହାଣୀ କହନ୍ତି। ମାତ୍ର ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ପ୍ରକାଶିତ ଶୁଦ୍ଧ ସମ୍ପାଦିତ ବହିରେ ଏପରି କାହାଣୀ ନାହିଁ। ଏଥିରେ ବୃତ୍ତାସୁରର ଭୟରେ ଇନ୍ଦ୍ର ସ୍ୱର୍ଗ ଛାଡ଼ି, ଶ୍ରୀହୀନ ହୋଇ, ମେରୁ ପର୍ବତରେ ଲୁଚିଥିବା ସମୟରେ ନାରଦଙ୍କ ନିକଟରୁ ଲକ୍ଷ୍ମୀବ୍ରତର କାହାଣୀ ଶୁଣିଛନ୍ତି। ତେବେ ଏ କାହଣୀରେ କେଉଁଠି ବି ଉଲ୍ଲେଖ ନାହିଁ ମାର୍ଗଶିର ମାସର ଗୁରୁବାର କଥା। ଏଥିରେ ଶୁକ୍ଳ ପକ୍ଷ ଦଶମୀ ଗୁରୁବାର ଏବଂ ସୁଦଶା ବ୍ରତର ଉଲ୍ଳେଖ ରହିଛି। ଯଥା –
“ମେଷ ଯେ ଶୁକଳ ଯେ ଦଶମୀ ଗୁରୁବାର
ଲକ୍ଷ୍ମୀ ନାରାୟଣ ବ୍ରତ ପଡ଼େ ସେ ଦିନର ।।୧୬।
ରାତ୍ର ପହରକ ଠାରୁ ପରମଲକ୍ଷ୍ମୀ ଉଠି
ଅଭୟେ ପଦ୍ମପାଦେ ଯାଇ କଲେ ଦେବୀ ସ୍ତୁତି।।୧୭।
ଆଗ୍ୟାଂ ଦେଲେ ମହାପ୍ରଭୁ ନଗ୍ର ବୁଲିଯିବି।
ନଗ୍ରର ଚରଚା ମାନ ବୁଝିଣ ଆସିବି।।୧୮।
( ସମ୍ପାଦିତ ଲକ୍ଷ୍ମୀପୁରାଣ, ପୃଷ୍ଠା – ୭୦)
ଅର୍ଥାତ୍ ମେଷ ମାସ ( ଓଡ଼ିଆ ବର୍ଷର ପ୍ରଥମ ମାସ, ପଣା ସଂକ୍ରାନ୍ତି ଠାରୁ ଯାହା ଆରମ୍ଭ ହୁଏ ) ଶୁକ୍ଳ ପକ୍ଷ ଦଶମୀ ଗୁରୁବାର ଦିନ ପରମାଲକ୍ଷ୍ମୀ ନଗ୍ର ବୁଲିଯିବାପାଇଁ ସ୍ୱାମୀଙ୍କ ନିକଟରେ ଅନୁରୋଧ କଲେ। ଏହାପରେ ପରମାଲକ୍ଷ୍ମୀ ନଗ୍ର ବୁଲି ବାହାରନ୍ତି ଓ ଦ୍ୱାରାବତୀ ପୁର (ଦ୍ୱାରିକା) ନାରୀମାନଙ୍କ ଅଶୁଦ୍ଧି ପରିଲକ୍ଷିତ କରି ସେଠାରୁ ଫେରି ଆସିଛନ୍ତି। ଏଠାରେ ମଧ୍ୟ ସାତପାଞ୍ଚ ନାରୀ ମିଳି ସୁଦଶା ବ୍ରତକୁ ପରିହାସ କରିବା କଥା ଉଲ୍ଲେଖ ଅଛି, ମାର୍ଗଶିର ଗୁରୁବାର କଥା କିନ୍ତୁ ନାହିଁ।
ପ୍ରଚଳିତ ବହିରେ ଲକ୍ଷ୍ମୀ ଏକ ବୁଢ଼ୀ ବ୍ରାହ୍ମଣୀ ବେଶ ଧାରଣ କରି ଜଣେ ସାଧବାଣୀକୁ ମାର୍ଗଶିର ମାସର ଗୁରୁବାର ପୂଜାବିଧି ବିଷୟରେ କହିଥିବାର ଉଲ୍ଲେଖ ଅଛି। ମାତ୍ର ସମ୍ପାଦିତ ପୁସ୍ତକରେ ତାହା ନାହିଁ। ପୁଣି ସମ୍ପାଦିତ ବହିରେ କାହାଣୀଟି ପରିସମାପ୍ତି ଘଟିବାପରେ, ଅର୍ଥାତ୍ ଲକ୍ଷ୍ମୀ ଜଗନ୍ନାଥଙ୍କ ସହ ପୁନଃ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଲେଖା ଅଛି –
“ଏ ପୁରାଣ ଯେତେ ଯେତେ କଥା ସିଧ ହେଉ
ହରି ହରି ବୋଲ ପାତକେ କ୍ଷୟ ଯାଉ।।୬୬୦।
ଦଶମୀ ଯେ ଗୁରୁବାର ସୁଦଶାର ବ୍ରତ
ଏହା କଲେ ଧନଜନ ହୋଇବ ପ୍ରପାତ ।।୬୬୨।
( ସମ୍ପାଦିତ ଲକ୍ଷ୍ମୀ ପୁରାଣ, ପୃଷ୍ଠା – ୧୨୯)
ନାହିଁ ଓଷା ଓ ବ୍ରତ
ସେହିପରି ପ୍ରଚଳିତ ବହିରେ ଓଷାକୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ, ସମ୍ପାଦିତ ବହିରେ କାହାଣୀକୁ ପ୍ରାଧାନ୍ୟ ଦିଆଯାଇଛି। ଏଥିରେ ଓଷା ବା ବ୍ରତର ନିୟମ ବିଷୟରେ ବିଶେଷ ବର୍ଣ୍ଣନା ନାହିଁ। କେବଳ ଯାହା ଶ୍ରୀୟା ଚଣ୍ଡାଳୁଣୀ ଗୃହରେ ଲକ୍ଷ୍ମୀ ବିଜେ କରିବା ସମୟରେ ଶ୍ରୀୟାର ପୂଜା କର୍ମ ସଂପର୍କରେ ଅଳ୍ପ କେତୋଟି ପଦରେ ଯେଉଁ ଓଷାର ନିୟମ ରହିଛି ତାହା ବି ସୁଦଶା ବ୍ରତର ନିୟମ ସହ ସାମ୍ୟ ରଖେ। ସେଥିରେ ଦୁବ ଦଶକେରା ଓ ତଣ୍ଡୁଳ ଦଶଟି ଘେନି ଲକ୍ଷ୍ମୀଙ୍କୁ ସେ ପୂଜା କରିବାର କଥା ଲେଖାଅଛି। ଏହା କିନ୍ତୁ ମାଣବସା ଗୁରୁବାରର ପୂଜାବିଧି ନୁହେଁ। ମାର୍ଗଶିର ମାସ ଗୁରୁବାର ପୂଜାବିଧି ସମ୍ପୂର୍ଣ୍ଣ ଅଲଗା। ତେଣୁ ଏ ପୁରାଣଟି ମାର୍ଗଶିର ମାସର ଗୁରୁବାରର ଧାନ୍ୟମାଣିକା ବ୍ରତପାଇଁ ଲେଖା ହେଇଥିଲା କି ନାହିଁ ତାହା ଏବେ ସନ୍ଦେହ ଘେରରେ।
ପୋଥିଗୁଡ଼ିକ ମଧ୍ୟରୁ ଯେଉଁ ତିନୋଟି ପୋଥିକୁ ସର୍ବ ପ୍ରାଚୀନ ବୋଲି ବିଚାର କରି, ସେହି ତିନୋଟି ପୋଥି ଆଧାରରେ ଲକ୍ଷ୍ମୀ ପୁରାଣର ଶୁଦ୍ଧ ସମ୍ପାଦନା କରାଯାଇଛି, ସେ ପୋଥି ତିନୋଟି ସୁଦୂର ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳରୁ ପ୍ରାପ୍ତ। ତେବେ କେଉଁ କାହଣୀଟି ଶୁଦ୍ଧ? ପ୍ରଚଳିତ ଲକ୍ଷ୍ମୀପୁରାଣରେ ଥିବା ମାର୍ଗଶିର ଧାନ ମାଣିକା ଓଷା ପ୍ରସଙ୍ଗଟି ତେବେ କଣ ଅନୁକ୍ତ ପ୍ରକ୍ଷେପ? ନାଁ ମେଦିନୀପୁର ଅଞ୍ଚଳର ପୋଥି ତିନୋଟିର ପ୍ରସଙ୍ଗରେ ମାର୍ଗଶିର ଓଷା କଥା ନରହିବା ଏକ ଉକ୍ତ ନିକ୍ଷେପ? ଏହା କିପରି ପ୍ରମାଣିତ ହେବ? ଓଡ଼ିଆ ଜନଜୀବନରେ ଯେଉଁ ବହିଟି ମାର୍ଗଶିର ଗୁରୁବାର ଓଷା ନାମରେ ପ୍ରଚଳିତ ସେହି ବହିରୁ ମାର୍ଗଶିର ଓଷା ପ୍ରସଙ୍ଗଟି କିପରି ବା ବାଦ୍ ଦିଆଯାଇପାରିବ? ଯଦି ଶୁଦ୍ଧ ସମ୍ପାଦିତ ପୁରାଣର କାହାଣୀ ହିଁ ସତ୍ୟ, ତେବେ ସୁଦଶା ବ୍ରତ ନାମରେ ରଚିତ କାହଣୀଟି ଅଧୁନା ମାର୍ଗଶୀର ଗୁରୁବାର ଓଷାପାଇଁ କିଭଳି ପ୍ରଚଳିତ ହେଲା? କିଏ କେଉଁ କାଳରେ ଏହାର ରୂପ ପରିବର୍ତ୍ତନ କଲା? ନା ଆଉ କିଛି ସତ୍ୟ ରହିଛି ଏସବୁର ପଛରେ ତାହା ମଧ୍ୟ ଗବେଷଣାର ଅପେକ୍ଷା ରଖେ।
ପୁନଃବିଚାରର ଯଥାର୍ଥତା
ଏକଥା ବି ସତ ଯେ ପ୍ରତିଟି ପ୍ରାଚୀନ ପୋଥି ଯାହା ପରବର୍ତ୍ତୀ ସମୟରେ ବହୁ ଲୋକଙ୍କ ହସ୍ତକ୍ଷେପରେ ବିକୃତ ହୋଇଛି, ତାହାକୁ ପୁନଃ ସଂସ୍କରଣର ଆବଶ୍ୟକତା ଅଛି। ଏହା ଏକ ଜାତୀୟ କର୍ତ୍ତବ୍ୟ। ଏ କର୍ତ୍ତବ୍ୟଟି ଆର୍ତ୍ତବଲ୍ଲଭ ମହାନ୍ତି, କେଦାରନାଥ ମହାପାତ୍ରଙ୍କଠାରୁ ଆରମ୍ଭ କରି ବହୁ କର୍ତ୍ତବ୍ୟନିଷ୍ଠ ଗବେଷକ ଆଜି ଯାଏଁ କରି ଆସିଛନ୍ତି। ତେବେ ଶୁଦ୍ଧ ସମ୍ପାଦନାଟି ଯଦି ଲୋକ ବିଶ୍ଵାସ ଓ ଲୋକ ପରଂପରାର ପ୍ରତିପକ୍ଷରେ ଛିଡ଼ା ହୁଏ ତେବେ ଆମକୁ ଏହାର ଗ୍ରହଣଶୀଳତାକୁ ନେଇ ପୁନଃ ବିଚାରର ଆବଶ୍ୟକତା ରହିଛି।
ପ୍ରଶ୍ନଟି ଏବେ ବଡ଼ ଜଟିଳ। ଶୁଦ୍ଧ ସମ୍ପାଦନାରେ ଯଦି ମାଣବସା ଗୁରୁବାର ଓଷା ବିଷୟରେ ନାହିଁ, ତେବେ ତାକୁ ଲୋକମାନେ ଗ୍ରହଣ କରିବେ ବା କାହିଁକି? ଶୁଦ୍ଧ ସମ୍ପାଦନାର ବହିଟି ସେମାନେ ମାର୍ଗଶିର ଗୁରୁବାରମାନଙ୍କରେ ପଢ଼ିବେ ବା କାହିଁକି ? ହଁ ସୁଦଶା ବ୍ରତରେ ପଢ଼ା ଯାଇପାରନ୍ତା। ହେଲେ ସୁଦଶା ବ୍ରତପାଇଁ ଭିନ୍ନ ଏକ ବହି ଉପଲବ୍ଧ ଅଛି। ଯେହେତୁ ଲକ୍ଷ୍ମୀ ପୁରାଣର ଶୁଦ୍ଧ ରୂପଟି ଜନ ସମର୍ଥିତ ଲକ୍ଷ୍ମୀପୁରାଣର ଉପଲକ୍ଷ୍ୟ ଓ ବ୍ରତ କଥା ଠାରୁ ଏକଦମ ଭିନ୍ନ, ତେଣୁ ତାକୁ ଜୋର କରି ଲୋକଙ୍କ ଉପରେ ଲଦି ଦିଆଯିବ କାହିଁକି?
ଅସଲରେ ଗବେଷଣା ଓ ତାତ୍ତ୍ୱିକ ଆଲୋଚନାର ଦିଗ ଭିନ୍ନ ଓ ଲୋକ ବିଶ୍ୱାସର ଦିଗ ଅଲଗା। ଗବେଷକର ଅନୁସନ୍ଧାନ ଯେଉଁ ସତ୍ୟ ପାଖରେ ପହଞ୍ଚେ ତାହା ସାର୍ବଜନୀନ ଲୋକ-ଆବେଗର ସତ୍ୟ ହେବାକୁ ବାଧ୍ୟ ନୁହେଁ। ଗବେଷଣାର ସତ ଓ ଲୋକବିଶ୍ଵାସ ତଥା ଲୋକ-ଜୀବନର ସତ ଏ ଦୁଇଟି ଭିନ୍ନ ଭିନ୍ନ ବିଷୟ । ଏହି ଭିନ୍ନତା ହିଁ କବି ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣକୁ ମୌଳିକତା ଓ ଲୋକପ୍ରିୟତା ଦାୟରେ ଭାଗ କରିଛି ଦୁଇଟି ଭିନ୍ନ ଭିନ୍ନ ଆଙ୍ଗିକରେ। କେଉଁଟି ଗ୍ରହଣୀୟ ହେବ ଓ କେଉଁଟି ଅଗ୍ରାହ୍ୟ ହେବ ସେ ଦାୟିତ୍ୱ ବି ସେଇ କାବ୍ୟାମୋଦୀ ପାଠକ ମାନଙ୍କର। ଏଥିରେ କୌଣସି ସରକାରୀ ଭୂମିକାର ଆବଶ୍ୟକତା ହିଁ ନାହିଁ। ଏଣୁ ଆଲୋଚ୍ୟ ପ୍ରସଙ୍ଗରେ ହଠାତ୍ କୌଣସି ତରବରିଆ ନିଷ୍ପତ୍ତି ନ ନିଅନ୍ତୁ ଓଡ଼ିଶା ସରକାର।