ବରିଷ୍ଠ ଶିଶୁସାହିତ୍ୟିକ ସଂକର୍ଷଣ ସାମଲଙ୍କ ସହ ଆଳାପ

ନିଜେ ଶିଶୁଟିଏ ନ ହେଲେ ତୁମେ ଶିଶୁସାହିତ୍ୟ ଲେଖିପାରିବ ନାହିଁ। ଲେଖକ ନିଜେ ଶିଶୁ ହେବାକୁ ପଡ଼ିବ। ତାହାପାଇଁ କାୟାପ୍ରବେଶର ଗୋଟିଏ ବିଧି ଅଛି।

ପ୍ରଖ୍ୟାତ ଶିଶୁସାହିତ୍ୟିକ ସଂକର୍ଷଣ ସାମଲଙ୍କୁ ବୟସ ବର୍ତ୍ତମାନ ୭୭ ବର୍ଷ। ବିଭିନ୍ନ କଲେଜରେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି ସେ ଅବସର ଗ୍ରହଣ କରିଛନ୍ତି। ତାଙ୍କର ବହୁ ପୁସ୍ତକ ପାଠକାଦୃତ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ତଥା ରାଜ୍ୟ ସରକାରଙ୍କ ଶିଶୁ ସାହିତ୍ୟ ସମିତି ଦ୍ୱାରା ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଏଯାବତ୍ ତାଙ୍କର ପ୍ରାୟ ୨୦ଟି ପୁସ୍ତକ ପ୍ରକାଶିତ ଏବଂ ବିଭିନ୍ନ ପତ୍ରପତ୍ରିକାରେ ପ୍ରାୟ ୨୦୦ଟି ରଚନା ମଧ୍ୟ ସ୍ଥାନ ପାଇଛି। ତା’ଙ୍କ ସହିତ ଆଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।

ସାହିତ୍ୟ ଚର୍ଚ୍ଚା: ଆଜି ପ୍ରଥମେ ଆମର ମନେପଡ଼ିଯାଉଛି ଯେ ପ୍ରାୟ ଚାରିବର୍ଷ ତଳେ ଥରେ ଆପଣ ଆମ ପତ୍ରିକା ପାଇଁ ଶିଶୁଗଳ୍ପଟିଏ ଲେଖି ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଲେଖାଟି ଆସିବା ପାଇଁ ବହୁତ ସମୟ ଲାଗିଗଲା। ଆମେ ସେହି ଲେଖା ପାଇଁ ଫର୍ମାରେ ଶିଶୁଗପ ବିଭାଗର ପୃଷ୍ଠାଟିକୁ ଖାଲି ଛାଡ଼ିଦେଇ ଅପେକ୍ଷାକରି ବସିଥାଉ; ତାହା ପରଦିନ ସେଇଟି ଛପା ହେବା ପାଇଁ ପ୍ରେସ୍‌କୁ ଯିବାର ଥାଏ। ତଥାପି ଲେଖାଟି ପହଞ୍ଚୁ ନଥାଏ। ଏଣୁ ସ୍ୱାଭାବିକ ଭାବରେ ଆମ ମନରେ ଆପଣଙ୍କ ପ୍ରତି ଟିକିଏ ରୋଷ ଥାଏ। ଶେଷକୁ କିନ୍ତୁ ଗପଟି ଆସି ପହଞ୍ଚିଲା। କିନ୍ତୁ ଯେତେବେଳେ ତାହା ବିଳମ୍ବରେ ପହଞ୍ଚିବାର କାରଣ ଜାଣିଲୁ, ଆପଣଙ୍କ ପ୍ରତି ପରମ ଶ୍ରଦ୍ଧା ଓ ସମ୍ମାନରେ ଆମ ମୁଣ୍ଡ ନଇଁଗଲା।
ସଂକର୍ଷଣ ସାମଲ: ସେ ତ କରୋନା ବେଳର କଥା। ସେ ଗପଟିର ନାଁ ବୋଧହୁଏ ଥିଲା, “ଚତୁର୍ଥ ଶ୍ରେଣୀର ଝିଅ”। ଆପଣ ପରେ ନିଜର ଗୋଟିଏ ସମ୍ପାଦକୀୟରେ ମଧ୍ୟ ସେହି ବିଷୟରେ ଲେଖିଥିଲେ; ମୋ’ର ମନେପଡ଼ୁଛି।
ସାହିତ୍ୟ ଚର୍ଚ୍ଚା: ଗୋଟିଏ ବାସ୍ତବ ଘଟଣାକୁ ଆଧାର କରି, ଆଉ ତାହା ଉପରେ ବହୁତ କିଛି ଅନୁଧ୍ୟାନ ଓ ଗବେଷଣା କରିବା ପରେ ଯାଇ ଆପଣ ସେହି ଗପ ଲେଖିଥିଲେ।
ସଂକର୍ଷଣ ସାମଲ: ମୁଁ ଗପରେ ଥିବା ସେହି କୁନି ଝିଅଟିର ସ୍କୁଲକୁ ଯାଇଛି; ତା’ ଘରକୁ ମଧ୍ୟ ଯାଇଛି। ସେ କରୋନା ମହାମାରୀରେ ନିଜର ବାପାଙ୍କୁ ହରାଇବା ପରେ ତା’ମନରେ କ”ଣ ସବୁ ଘଟିଛି ଏବଂ ତା’ ପ୍ରତି ସେହି ସ୍କୁଲର ଶିକ୍ଷକମାନଙ୍କର କି ପ୍ରକାର ପ୍ରତିକ୍ରିୟା ହୋଇଛି, ମୁଁ ତାହା ଅନୁଧ୍ୟାନ କରିଥିଲି। ତା’ପରେ ଯାଇ ଗପଟିକୁ ଲେଖିବାରେ ହାତ ଦେଲି। ସେଥିପାଇଁ ସେଇଟି ଆପଣଙ୍କ ପାଖକୁ ପଠାଇବା ଡେରି ହୋଇଗଲା।
ସାହିତ୍ୟ ଚର୍ଚ୍ଚା: ଆପଣ ସେତେବେଳେ ଆମକୁ ଆହୁରି ମଧ୍ୟ କହିଥିଲେ ଯେ ସେହି କରୋନା କାଳରେ ନିଜ ବାପା ବା ମାଆଙ୍କୁ ହରାଇଥିବା କୌଣସି ଜଣେ ଶିଶୁଙ୍କୁ ଠାବ କରିବା ପାଇଁ ଆପଣ ଭୁବନେଶ୍ୱରର ଅନେକ ସରକାରୀ ସ୍କୁଲ ଘୂରିବୁଲିଥିଲେ। ନିଜ ଗଳ୍ପର ଜଣେ ବାସ୍ତବ ଚରିତ୍ରକୁ ଖୋଜିବା ପାଇଁ ଆପଣଙ୍କୁ ପ୍ରକୃତରେ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା।
ସଂକର୍ଷଣ ସାମଲ: ହଁ, ବିଦ୍ୟାଳୟର ଶିକ୍ଷକମାନଙ୍କ ଅନୁମତି ନେଇ ସେହି ଝିଅଟିକୁ ତା’ କ୍ଲାସ୍ ରୁମ୍ ଭିତରେ ଯାଇ ଭେଟିଛି; ତା’ର ସାଙ୍ଗମାନଙ୍କୁ ମଧ୍ୟ ତା’ ବିଷୟରେ ପଚାରିଛି।
ସାହିତ୍ୟ ଚର୍ଚ୍ଚା: ଆମେ ପରେ ଜାଣିବାକୁ ପାଇଥିଲୁ ଯେ ତା’ପରେ ମଧ୍ୟ ଆପଣ ସିଧାସଳଖ ଗଳ୍ପଟି ଲେଖି ଏକାଥରକେ ଶେଷ କରିଦିଅନ୍ତି ନାହିଁ। ଏହାପରେ ଆପଣଙ୍କୁ ପୁଣି ଆହୁରି କିଛି ପରିଶ୍ରମ କରିବାକୁ ହୁଏ କୌଣସି ଗଳ୍ପକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ।
ସଂକର୍ଷଣ ସାମଲ: ମୋ’ ଗପ ଲେଖିବାର ଧାରା ଟିକିଏ ଅଲଗା। ଗପଟିର ପ୍ରଥମ ଖସଡ଼ା ଲେଖିବା ପରେ ତାହାକୁ ପଢ଼ି ଗୋଟିଏ ଅଡିଓ ରେକର୍ଡିଙ୍ଗ୍ ଯନ୍ତ୍ରରେ ତା’କୁ ମୋ କଣ୍ଠରେ ରେକର୍ଡ କରିପକାଏ ଏବଂ ପରେ ତାହା ବଜାଇ ନିଜକୁ ବାରମ୍ବାର ଶୁଣାଏ।
ସାହିତ୍ୟ ଚର୍ଚ୍ଚା: ତା’ମାନେ, ଆପଣ ସ଼୍ୱୟଂକୁ ସେହି ଗପ ଶୁଣୁଥିବା ଜଣେ ଶିଶୁରେ ପରିଣତ କରିଦିଅନ୍ତି!
ସଂକର୍ଷଣ ସାମଲ: କାହିଁକି ନା, ଶିଶୁଗପ ହେଉଛି ଶିଶୁମାନଙ୍କ ସହିତ କଥୋପକଥନର ଗୋଟିଏ ଶୈଳୀ। ଏହାକୁ ଲେଖିବାର ଶୈଳୀ ବୋଲି ଧରିନେଲେ ଚଳିବନାହିଁ। ତେଣୁ ମୁଁ ନିଜେ ରେକର୍ଡିଙ୍ଗ୍ କରି ତାହାକୁ ଶୁଣିବା ପରେ ଯାଇ ସେଥିରେ କିଛି ସଂଶୋଧନ କରେ, ସେହି ଶୈଳୀଟା ଆଣିବା ପାଇଁ। ତା’ପରେ ଆମ ସାହିର କିଛିଜଣ ପିଲାଙ୍କୁ ଆମ ଘରକୁ ଡାକି ସେମାନଙ୍କୁ ସେହି ଗପର ରେକର୍ଡିଙ୍ଗ୍ ଶୁଣାଏ; କିମ୍ବା ନିଜେ ଗପଟି ସେମାନଙ୍କୁ ପଢ଼ି ଶୁଣାଏ। ଉଦ୍ଦେଶ୍ୟ, ଗପଟି ଶୁଣିବା ପରେ ସେମାନଙ୍କର ପ୍ରତିକ୍ରିୟା ଲକ୍ଷ୍ୟ କରିବା ଆଉ ସେମାନଙ୍କ ମତାମତ ନେବା।
ସାହିତ୍ୟ ଚର୍ଚ୍ଚା: ପିଲାମାନଙ୍କଠାରୁ ମିଳୁଥିବା ଫିଡ୍‌ବ୍ୟାକ୍‌କୁ ଆଧାର କରି ତେବେ ଆପଣ ସେଥିରେ ଆହୁରି କିଛି ସୁଧାର ମଧ୍ୟ କରନ୍ତି!
ସଂକର୍ଷଣ ସାମଲ: ଗପଟି ଶୁଣିସାରିବା ପରେ ପିଲାମାନେ ସେଇଟି ମନେରଖି ସେଠାରେ ବସିଥିବା ନିଜର ଅନ୍ୟ ସାଙ୍ଗମାନଙ୍କୁ କ’ଣ କହୁଛନ୍ତି ତାହା ମୁଁ ଧ୍ୟାନରେ ଶୁଣେ; ସେମାନଙ୍କ ଅଲକ୍ଷ୍ୟରେ ପରସ୍ପର ଭିତରେ ସେମାନଙ୍କ କଥାକୁ ରେକର୍ଡିଙ୍ଗ୍ କରିପକାଏ, ଆଉ ପରେ ମୂଳ ଗପ ସହିତ ତାହାକୁ ତୁଳନା କରେ। ମୂଳ ଗପଟିର କିଛି ଅଂଶକୁ ମନେରଖି ତାହା ଆଉ ଜଣକୁ କହିବା ବେଳେ ସେମାନେ ଆଉ କ’ଣ କଥାସବୁ ସେଥିରେ ଯୋଡ଼ିଛନ୍ତି, ବା କ’ଣ ସବୁ କାଣ୍ଟଛାଣ୍ଟ କରିଛନ୍ତି, ତାହା ଅନୁଧ୍ୟାନ କରି ମୁଁ ଗପଟିକୁ ପୁଣି ପରିମାର୍ଜିତ କରେ।

ସାହିତ୍ୟ ଚର୍ଚ୍ଚା: ସାମାନ୍ୟ ଗୋଟିଏ ଶିଶୁଗପ ଲେଖିବା ପାଇଁ ଆପଣଙ୍କର ଏ ପ୍ରଚଣ୍ଡ ପରିଶ୍ରମ ତ ଗୋଟିଏ ଉପନ୍ୟାସ ଲେଖିବାର ଶ୍ରମକୁ ବଳିଗଲା! ଆପଣ ତେବେ ପ୍ରକୃତ ଅର୍ଥରେ ଶିଶୁମାନଙ୍କ ପାଇଁ ଲେଖନ୍ତି।
ସଂକର୍ଷଣ ସାମଲ: ପ୍ରଥମ କଥା, ଶିଶୁଟିଏ ନ ହେଲେ ତୁମେ ଶିଶୁସାହିତ୍ୟ ଲେଖିପାରିବ ନାହିଁ। ଲେଖକ ନିଜେ ଶିଶୁ ହେବାକୁ ପଡ଼ିବ। ତାହାପାଇଁ କାୟାପ୍ରବେଶର ଗୋଟିଏ ବିଧି ଅଛି। ତୁମେ ଯେଉଁ ଶ୍ରେଣୀର ପିଲା ପାଇଁ ଲେଖୁଛ, ସେହି ଶ୍ରେଣୀର ପିଲା ଭିତରେ ତୁମେ ପଶିବାକୁ ପଡ଼ିବ; ମନେ ମନେ ଭାବିନେବ ଯେ ମୁଁ ହେଉଛି ସେଇ।
ସାହିତ୍ୟ ଚର୍ଚ୍ଚା: ଶିଶୁ ସାହିତ୍ୟ ଲେଖିବାର ଏହି ଧାରାଟି ଆପଣଙ୍କୁ କେମିତି ଜୁଟିଲା?
ସଂକର୍ଷଣ ସାମଲ: ଏ କ୍ଷେତ୍ରରେ ମୋ”ର ପ୍ରେରଣା ହେଉଛନ୍ତି ଗୋଦାବରୀଶ ମହାପାତ୍ର। ସେ କହିଛନ୍ତି, ମୁଁ କୌଣସି ଗପ ଏମିତି ଆଣି ଅଯଥାରେ ଲେଖେନାହିଁ; ଯାହା ଦେଖେ, ତାହା ଲେଖେ। କେବଳ ମଝିରେ ଟିକିଏ ଯାହା ରଙ୍ଗେଇ ରଙ୍ଗେଇ ଦିଏ। ଏଣୁ ସେ ଯେତେବେଳେ ନିଜର ପ୍ରସିଦ୍ଧ ଗପ ‘ନୀଳ ମାଷ୍ଟ୍ରାଣୀ’ ଲେଖିଲେ, ସେହି ଚରିତ୍ର ପଛରେ ମଧ୍ୟ ଥିଲେ ଜଣେ ବାସ୍ତବ ମହିଳା। କବି ରାଧାମୋହନ ଗଡ଼ନାୟକ କହିଥିଲେ ଯେ ଗୋଦାବରୀଶ ମହାପାତ୍ର ଥରେ ତାଙ୍କୁ ଡ଼ାକିନେଇ ସେହି ମହିଳାଙ୍କ ସହିତ ଭେଟ କରାଇଥିଲେ। ଏପରିକି ଆପଣଙ୍କର ହୁଏତ ମନେଥିବ ଯେ ପ୍ରାୟ ୨୦ ବର୍ଷ ତଳେ ଖବରକାଗଜରେ ଏକ ଖବର ବାହାରିଥିଲା ଯେ ନୀଳମାଷ୍ଟ୍ରାଣୀ ମରିଗଲେ।
ସାହିତ୍ୟ ଚର୍ଚ୍ଚା: ପ୍ରତ୍ୟେକ ଗଳ୍ପ ବା ଫିକ୍‌ସନ୍ ପଛରେ ଗୋଟିଏ ବାସ୍ତବ ପ୍ରେରଣା ନିଶ୍ଚିତ ଭାବରେ ଥାଏ। କିନ୍ତୁ ଜଣେ ଫିକ୍‌ସନ୍‌-ଲେଖକ, ସେ ଗାଳ୍ପିକ ହୁଅନ୍ତୁ ଅବା ଔପନ୍ୟାସିକ, ଗୋଟିଏ ବାସ୍ତବ ଘଟଣାକୁ ଯଥାବତ୍ ଲେଖିଦିଅନ୍ତି ନାହିଁ। ସେଥିରେ କଳ୍ପନାର ପୁଟ ଦିଆଯିବା ବି ଜରୁରି। ନହେଲେ ସେଇଟା ‘ଗପ’ ହୋଇପାରିବ ନାହିଁ। ଏ ବିଷୟରେ ଆପଣଙ୍କ ମତ କ’ଣ?
ସଂକର୍ଷଣ ସାମଲ: ହଁ, କଳ୍ପନାର ପୁଟ ଦେବାକୁ ପଡ଼ିବ। ସେଥିପାଇଁ ମୁଁ ଗୋଟିଏ ଛୋଟ କଥା କହେ। ଆମେ ସାର୍ଟ ପିନ୍ଧୁ; ସାର୍ଟର ବାମକଡ଼େ ପକେଟ୍ ଅଛି। ବାମରେ ଆମ ହୃଦୟ ଅଛି। ଆମେ ସେଇ ବାମପଟେ ଥିବା ପକେଟ୍‌ରେ କଲମ ମାରୁ। ଯାହାର କଲମ ତା’ର ହୃଦୟର ସ୍ପନ୍ଦନକୁ ଯେତେ ଗ୍ରହଣ କରିପାରେ ସେ ଜଣେ ଲେଖକ ଭାବରେ ସେତେ ସଫଳ।
ସାହିତ୍ୟ ଚର୍ଚ୍ଚା: ଜଣେ ସାହିତ୍ୟିକ ହେବାର ପ୍ରବୃତ୍ତି ପ୍ରଥମେ ଆପଣଙ୍କ ମଧ୍ୟରେ କେମିତି ପ୍ରବେଶ କଲା?
ସଂକର୍ଷଣ ସାମଲ: ଏହା କହିଲେ ଆପଣ ବୋଧହୁଏ ହାସ୍ୟାସ୍ପଦ କଥାଟିଏ ବୋଲି ଭାବି ସାକ୍ଷାତକାରରେ ଏହାକୁ ଛାପି ନ ପାରନ୍ତି। ଆମ ଘରେ ତିନିଦିନ ଧରି ସରସ୍ୱତୀଙ୍କର ପୂଜା ବଡ଼ ଆକାରରେ ହୁଏ। ଅନେକ ଲୋକ ଆସନ୍ତି। ଥରେ ପିଲାଦିନେ ସେଇ ସରସ୍ୱତୀ ପୂଜା ଦିନ ହଠାତ୍ ଅସୁସ୍ଥ ହୋଇ ମୁଁ ଚେତା ହରାଇବସିଲି। ସମସ୍ତେ ଭାବିଲେ ଯେ ମୁଁ ମରିଯାଇଛି ଏବଂ ମୋ’ର ଶବକୁ ଶ୍ମଶାନକୁ ନେବାର ବ୍ୟବସ୍ଥା ହେଲା। ସେତେବେଳେ ଆମ ଘରକୁ ଆସିଥିବା ଜଣେ ବାବାଜୀ କହିଲେ, ଶ୍ମଶାନ ନେବା ପୂର୍ବରୁ ସରସ୍ୱତୀଙ୍କ ଆଗରେ ଟିକିଏ ଗୋବର ଲିପିଦିଅ; ଆଉ ପିଲାଟିକୁ ଗଡ଼ାଇଦିଅ। ସେଇଆ କରାଗଲା। ଆଶ୍ଚର୍ଯ୍ୟଜନକ ଭାବେ ମୁଁ ଧୀରେଧୀରେ ଆଖି ଖୋଲିଲି। ତା’ପରେ ଜୀବନ ସାରା ସରସ୍ୱତୀଙ୍କର କୃପା ଦୃଷ୍ଟି ମୋ’ ଉପରୁ ହଟିନାହିଁ।
ସାହିତ୍ୟ ଚର୍ଚ୍ଚା: ସାହିତ୍ୟ ସହିତ ଆପଣଙ୍କ ସଂପୃକ୍ତି ତାହାହେଲେ ଦୈବୀପ୍ରେରିତ।
ସଂକର୍ଷଣ ସାମଲ: ମୋ’ ନାନୀ ବାହାହେଲା ବେଳେ ଆମ ଘରକୁ ଗୋଟାଏ ମାଛଭାର ଆସିଥିଲା। ସେହି ଭାରରେ ସେତେବେଳର ପରମ୍ପରା ଅନୁସାରେ ଗୁଡ଼ିଏ ଓଡ଼ିଆ ବହି ମଧ୍ୟ ଥିଲା। ସେଗୁଡ଼ିକୁ ଗୋଟିଗୋଟି କରି ବଡ଼ ଆଗ୍ରହରେ ପଢ଼ିଲି। ଏହା ହିଁ ମୋ’ ପାଇଁ ଥିଲା ସାହିତ୍ୟ ସହିତ ପ୍ରଥମ ପରିଚୟ।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣ ନିଜ ଲେଖକୀୟ ଜୀବନରେ ସାହିତ୍ୟର ଅନ୍ୟ ‘ଜନ୍‌ର’ ବଦଳରେ ଶିଶୁ ସାହିତ୍ୟିକୁ କାହିଁକି ଆଦରିନେଲେ?
ସଂକର୍ଷଣ ସାମଲ: ମୁଁ ଜଣେ ଅଧ୍ୟାପକ; ଓଡ଼ିଆ ଭାଷା ଓ ସାହିତ୍ୟର ନାନା କଥା ପଢ଼ିଛି, ଗବେଷଣା ମଧ୍ୟ କରିଛି। ଗୋଟିଏ କଥା କହିବି; ମନେକର ମା’ମଙ୍ଗଳା। ଆମର ଲୋକଗପରେ ଅଛି ଯେ ମା’ମଙ୍ଗଳା ଆଉ ଅନ୍ୟ ଦେବଦେବୀମାନେ ରାତିରେ ବୁଲନ୍ତି। ମନେକର, ମା’ ମଙ୍ଗଳା ଆକାଶରେ ବୁଲୁଥିଲେ। ବୁଲୁବୁଲୁ ଦେଖିଲେ ଯେ ଆମ ସମାଜର ଗୋଟିଏ ବଡ଼ ସମସ୍ୟା ହେଲା, ନଣନ୍ଦ-ଭାଉଜ କଳି। ଏହାର ସମାଧାନ କରିବା ପାଇଁ ସେ ଖୁଦୁରୁକୁଣୀ ବେଶରେ ବସିଲେ ମାସେ କାଳ। ତେଣୁ ବ୍ରତ କଥାରେ ବର୍ଣ୍ଣନା ହେଲା ଯେ, ତଅପୋଇ ସହିତ ଭାଉଜମାନଙ୍କ ମନୋମାଳିନ୍ୟର କିଭଳି ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ କରାଯାଇପାରେ। ସେହିଭଳି, ମୁଁ ଭାବିଲି ଯେ ଓଡ଼ିଆ ଶିଶୁସାହିତ୍ୟ ଭିତରେ ଗୋଟିଏ ବଡ଼ ସମସ୍ୟା ଅଛି। ଶିଶୁସାହିତ୍ୟକୁ ଯଦି ଆମେ ଉପରକୁ ନ ଉଠାଇବା, ତେବେ ସାହିତ୍ୟର ପ୍ରକୃତ ଉନ୍ନତି ହୋଇପାରିବ ନାହିଁ। ମା’ମଙ୍ଗଳା ଖୁଦଚାଉଳ ଖାଇ ଖୁଦୁରୁକୁଣୀ ଅବତାର ଧରିଥିବା ଭଳି ମୁଁ ତେଣୁ ଶିଶୁସାହିତ୍ୟିକ ବେଶ ଧରିଲି।
ସାହିତ୍ୟ ଚର୍ଚ୍ଚା: ଆପଣ ଠାଏ କହିଛନ୍ତି ଯେ ପିଲାଙ୍କ ସାହିତ୍ୟ, ଆଉ ପିଲାଳିଆ ସାହିତ୍ୟ ଏକାକଥା ନୁହେଁ। ଆପଣ କ’ଣ ଭାବନ୍ତି କି, ଯେ ଆଜିକାର ଅଧିକାଂଶ ଶିଶୁସାହିତ୍ୟ ପିଲାଳିଆମି ଦ୍ୱାରା ଆକ୍ରାନ୍ତ?
ସଂକର୍ଷଣ ସାମଲ: ହଁ, ପିଲାଳିଆମି ଦ୍ୱାରା ଆକ୍ରାନ୍ତ; କାହିଁକି ନା ତାଙ୍କର ସାଧନା ନାହିଁ; ସେମାନେ ପଢ଼ୁନାହାନ୍ତି। ପୁଣି ଶିଶୁସାହିତ୍ୟ ଯେଉଁମାନେ ଲେଖନ୍ତି, ସେମାନେ ବଡ଼ମାନଙ୍କ ସାହିତ୍ୟ ପଢ଼ିବେ ନାହିଁ; ଗୋଟିଏ କମ୍ପାର୍ଟମେଣ୍ଟରେ ରହିଲା ଭଳିଆ। ସେମାନେ ଭାବନ୍ତି, ଆମେ ଶିଶୁସାହିତ୍ୟ ଲେଖୁଛୁ; ଗୋପୀନାଥ ମହାନ୍ତିଙ୍କୁ ପଢ଼ିବୁ ନାହିଁ। ବିଦେଶୀ ଭାଷାଭାଷୀ ସାହିତ୍ୟଠାରୁ ମଧ୍ୟ ସେମାନେ ଦୂରେଇ ରହୁଛନ୍ତି।
ସାହିତ୍ୟ ଚର୍ଚ୍ଚା: ଅନ୍ୟାନ୍ୟ ସାହିତ୍ୟ ଭଳି ଶିଶୁ ସାହିତ୍ୟରେ ମଧ୍ୟ କିଛି ଉତ୍ତରଣ ଘଟିବା ଉଚିତ ବୋଲି ଆପଣ ଭାବନ୍ତି କି?
ସଂକର୍ଷଣ ସାମଲ: ବିନୋଦ କାନୁନଗୋ ଗୋଟିଏ ଜାଗାରେ କହିଛନ୍ତି ଯେ ପିଲାମାନେ ବଡ଼ ହୋଇଗଲେଣି। ତାଙ୍କର ଦୃଷ୍ଟିଭଙ୍ଗୀ ଓ ଦିଗ୍‌ବଳୟ ସମ୍ପ୍ରସାରିତ ହୋଇଗଲାଣି। ସେଥିପ୍ରତି ସଚେତନ ନହେଲେ ଚଳିବ ନାହିଁ। ଲେଖକମାନେ ବାସ୍ତବତାଠାରୁ ଦୂରେଇଯାଉଛନ୍ତି। ଅନେକ ଲେଖକଙ୍କ ଲକ୍ଷ୍ୟ ହେଲା, ଯେନତେନ ପ୍ରକାରେଣ ପୁରସ୍କାର ଲାଭ।
ସାହିତ୍ୟ ଚର୍ଚ୍ଚା: ଏହି ପୁରସ୍କାରମନସ୍କତା ସାହିତ୍ୟର ମାନ ଉପରେ ବିପରୀତ ପ୍ରଭାବ ପକାଉଛି ବୋଲି ଆପଣ ଭାବନ୍ତି କି?
ସଂକର୍ଷଣ ସାମଲ: ଜଣେ ସ୍ତ୍ରୀର କୌଣସି କାର୍ଯ୍ୟ କରିଦେବାପାଇଁ ସ୍ୱାମୀଟି ମୂଲ ମାଗିବ କି? ସ୍ତ୍ରୀ ତ ତା”କୁ ସବୁକିଛି ଦେଇଛି; ଆଉ ମୂଲ କ’ଣ? ସେମିତି ଭଗବାନ ତ ଆମକୁ ସବୁ ଦେଇଛନ୍ତି। ସରସ୍ୱତୀଙ୍କର ସେବା କରିବା ପାଇଁ ଆମେ ନିଜ ଖୁସିରେ ଟିକିଏ ତ୍ୟାଗ କରିବା କଥା। ଏଥିପାଇଁ ପ୍ରତିବଦଳରେ କିଛି ମାଗିବା ପୁଣି କ’ଣ? କିଛି ଜଣ ଲେଖକ ପୁରସ୍କାର ପଛରେ ଗୋଡ଼ାଉଥିବା ଦୁଃଖର କଥା। ସେମାନେ ‘ମିଳିଲେ ଭଲ, ନ ମିଳିଲେ ବି ତହୁଁ ଭଲ’ – ଏହି ନ୍ୟାୟରେ ନିଜର ସାଧନା ଜାରି ରଖିବା ଉଚିତ।
ସାହିତ୍ୟ ଚର୍ଚ୍ଚା: ଆମେ ଶୁଣିଛୁ ଯେ ଆପଣ ଗୋଟିଏ ବହି ଲେଖୁଛନ୍ତି, ଯାହାର ନାମ, “ଗର୍ବରେ କୁହ ମୁଁ ଶିଶୁ ସାହିତ୍ୟିକ।”
ସଂକର୍ଷଣ ସାମଲ: ବହିଟିର ପାଣ୍ଡୁଲିପି ପ୍ରସ୍ତୁତ ହୋଇଯାଇଛି; ଏବେ ପ୍ରକାଶନ ଅପେକ୍ଷାରେ ଅଛି।
ସାହିତ୍ୟ ଚର୍ଚ୍ଚା: ଏ ଭାବନାଟି ଆପଣଙ୍କ ମନକୁ କାହିଁକି ଆସିଲା? ପ୍ରକୃତରେ କ’ଣ ଶିଶୁ ସାହିତ୍ୟକୁ ନେଇ ଆମ ସାହିତ୍ୟିକମାନଙ୍କ ମଧ୍ୟରେ ଏକ ହୀନମନ୍ୟତାର ଭାବ ଅଛି?
ସଂକର୍ଷଣ ସାମଲ: ପ୍ରବଳ ଭାବରେ ହୀନମନ୍ୟତା ଅଛି। ମନେକର ଏ ପାଚେରି ସେପଟେ କିଛି ଲୋକ ଛୋଟ ଛୋଟ ଦୋକାନ କରିଛନ୍ତି, ପାନ ଦୋକାନ, ଚାହା ଦୋକାନ ଇତ୍ୟାଦି। ତାଙ୍କ ଦୋକାନରେ ବେଶି ବିକ୍ରୀ ହୁଏନି। କିନ୍ତୁ ମୁଁ ଯଦି ଯାଇ ପଚାରେ, ତୁମର ଦୋକାନ କେମିତି ଚାଲିଛି? ସେମାନେ ବେଶ୍ ଗର୍ବରେ କହନ୍ତି, ଭଲ। କାରଣ ସେମାନେ ଲକ୍ଷ୍ମୀଛଡ଼ା ନୁହନ୍ତି। କିନ୍ତୁ ଆମର ଅନେକ ଶିଶୁସାହିତ୍ୟିକଙ୍କୁ ଯଦି ପଚାରେ, କ’ଣ ଲେଖୁଛ? ସେମାନେ ନ୍ୟୂନ ହୋଇ ଉତ୍ତର ଦିଅନ୍ତି, “ହଁ ମ, ପିଲାଙ୍କ ପାଇଁ କିଛି କିଛି ଲେଖୁଛି। କିଏ ପଚାରୁଛି ଆମକୁ? କିଏ ଆମକୁ ପଢ଼ୁଛି, ନା ଆମକୁ କିଛି ସମ୍ମାନ ଦେଉଛି।” ମୁଁ କହିବା କଥା, ସେହି ପାନ ଦୋକାନୀଟି ନିଜର ବୃତ୍ତିକୁ ନେଇ ଯେଉଁ ସ୍ୱାଭିମାନର ଭାବ ଦେଖାଏ, ନିଜର କୃତିକୁ ନେଇ ଆମ ଶିଶୁସାହିତ୍ୟିକମାନଙ୍କ ମନରେ ସେହି ଭାବ ନାହିଁ।
ସାହିତ୍ୟ ଚର୍ଚ୍ଚା: ତା’ ମାନେ ସେମାନେ ନିଜେ ଧରିନିଅନ୍ତି ଯେ ଶିଶୁସାହିତ୍ୟ ହେଉଛି ଦ୍ୱିତୀୟ ଗ୍ରେଡ୍‌ର ସାହିତ୍ୟ।
ସଂକର୍ଷଣ ସାମଲ: ହଁ, ନିଜକୁ ଧରିନିଅନ୍ତି ଯେମିତି ଦ୍ୱିତୀୟ ଶ୍ରେଣୀର ନାଗରିକ। ମନରେ ନ୍ୟୂନ ଭାବ ରଖୁଥିବା ଲୋକେ ଯେମିତି ଲକ୍ଷ୍ମୀଛଡ଼ା ହୋଇଯାଆନ୍ତି, ସେହିଭଳି, ମୁଁ ଏମିତି କହୁଥିବା ଲେଖକମାନଙ୍କୁ ସରସ୍ୱତୀଛଡ଼ା ବୋଲି କହେ। ଯିଏ ନିଜ କୃତିକୁ ନିନ୍ଦା କରେ ତା’କୁ ଆଉ କ’ଣ କହିବା? ତା’ ଅର୍ଥ, ତୁମ ହାତରେ ଆଉ କିଛି ହେଲାନାହିଁ ବୋଲି ତୁମେ ଶିଶୁସାହିତ୍ୟରେ ପଶିଚ।
ସାହିତ୍ୟ ଚର୍ଚ୍ଚା: ଆଜିର ମନୋଜ୍ଞ ଆଳାପଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)

One thought on “ବରିଷ୍ଠ ଶିଶୁସାହିତ୍ୟିକ ସଂକର୍ଷଣ ସାମଲଙ୍କ ସହ ଆଳାପ”

  1. ଶିଶୁଙ୍କୁ ବୁଝିଲେ, ତାଙ୍କ ମନ କଥା ପଢ଼ି ପାରିଲେ, ଶିଶୁଙ୍କ ସହ ଶିଶୁ ହେଲେ ହିଁ ଶିଶୁ ସାହିତ୍ୟ ଲେଖିବା ସମ୍ଭବ ହେବ।

Leave a Reply

Your email address will not be published. Required fields are marked *