ଆଜିକାଲି ଯେଉଁ ପୂଜା ପତ୍ରିକା, ନାଆଁ ତା’ର କିଙ୍ଗ୍କଙ୍ଗ୍ ! ସେମାନେ ଆଉ ଶାରଦୀୟ ସାହିତ୍ୟ ନାମରେ ନାମିତ ନ ହୋଇ ସାର ଦିଆ ସାହିତ୍ୟ ହୋଇ ନାମିତ ହେବାକୁ ବସିଲେଣି।

ଶରତ ଋତୁର ସୁନୀଳ ଆକାଶତଳେ ଶାଗୁଆ ରଙ୍ଗର ପାଟ ପିନ୍ଧିଥିବା ଧରିତ୍ରୀ ମାତା ମା’ ଦୁର୍ଗାଙ୍କୁ ଆବାହନ କରିବା ପାଇଁ କାଶତଣ୍ଡୀ ଫୁଲର ଚାମରରେ ଯେମିତି ସ୍ୱାଗତ କରିଥାଏ, ସାହିତ୍ୟ ଆକାଶ ତଳେ ରଙ୍ଗୀନ ପ୍ରଚ୍ଛଦପଟ ପିନ୍ଧାଇ ସମ୍ପାଦକଗଣ ସେମିତି ପୂଜା ପତ୍ରିକା ମାଧ୍ୟମରେ ତା’ଙ୍କୁ ସ୍ୱାଗତ କରିବା ପାଇଁ ଅଣ୍ଟା ଭିଡ଼ି ବାହାରି ପଡ଼ନ୍ତି।
ଶରତ ଋତୁରେ କାଶତଣ୍ଡୀ ନଦୀପଠାରେ ହସିହସି ସ୍ୱାଗତ ଜଣାଇବା ପରି ପତ୍ରିକାଗଣ ହସହସ ମୁହଁରେ ପାଠକଗଣଙ୍କୁ ସ୍ୱାଗତ ଜଣେଇବାକୁ ପଛାନ୍ତି ନାହିଁ। ଫରକ ଏତିକି ଯେ କାଶତଣ୍ଡୀ ଗଛ ତନୁପାତଳି ଆଉ ତା’ର ଫୁଲ ଅତି ହାଲୁକା। ମାତ୍ର ପୂଜା ପତ୍ରିକା ଅତି ସ୍ଥୂଳକାୟ ଓ ଓଜନିଆ। ଦୁହିଁଙ୍କ ମଧ୍ୟରେ ସାମଞ୍ଜସ୍ୟ ହେଉଛି ଦୁହେଁ ବର୍ଷକେ ଥରେ ଆତ୍ମପ୍ରକାଶ କରିବେ, ତା’ପରେ ଉଭାନ। ଅବଶ୍ୟ କିଛି ନିୟମିତ ପତ୍ରିକା ସେହି ଧାରାରେ ଗଣାଯିବେ ନାହିଁ। ମାତ୍ର ପୂଜା ସମୟରେ ନିୟମିତ ତୁଳନାରେ ଅନିୟମିତ ପୂଜା ପତ୍ରିକା ଏତେ ସ୍ଥୂଳକାୟ ହୋଇଥାଏ ଯେ ନିୟମିତ ପତ୍ରିକା ତ୍ରାହି ତ୍ରାହି ଡାକନ୍ତି। କିଛି ସମ୍ପାଦକ ଖାଲି ପୂଜା ବିଶେଷାଙ୍କ ନାମ ଦେଇ ସନ୍ତୁଷ୍ଟ ହୁଅନ୍ତି ନାହିଁ, ତାକୁ ‘ମହାପୂଜା ବିଶେଷାଙ୍କ’ ନାମରେ ନାମିତ କରିଥାନ୍ତି।
ଉତ୍କଟ ପ୍ରଦେଶ
ଉତ୍କଳ ପ୍ରଦେଶ ସହଜେ ଉତ୍କଟ ପ୍ରଦେଶ। ପୂଜା ସମୟ ଆଗରୁ ବର୍ଷା ଋତୁ ଆସି ତାର ରୋଷ ଦେଖାଇ ଚାଲିଯାଇଥାଏ। ହୁଏତ ଅତ୍ୟଧିକ ବର୍ଷା ହୋଇ ବନ୍ୟା, ନ ହେଲେ ବର୍ଷା ବିହୁନେ ମରୁଡ଼ି। ସରକାରଙ୍କ ରିଲିଫ୍ ଘୋଷଣା ହୋଇଯାଇଥାଏ। ଏହି ରିଲିଫ୍ ସମୟରେ ମା’ ଦୁର୍ଗାଙ୍କ ପୂଜା ସହ ସମତାଳ ଦେଇ ମା’ ସରସ୍ୱତୀଙ୍କ ପତ୍ରିକା ହାଟ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ। ଏଣେ ଘର ପାଇଁ ପୂଜା ବଜାରରେ ଖର୍ଚ୍ଚ କରୁ କରୁ ସାହିତ୍ୟ ପାଇଁ ପୁଞ୍ଜି ନିଅଣ୍ଟ ପଡ଼େ। ମାତ୍ର ପତ୍ରିକା ସମ୍ପାଦକମାନେ ଗଳଦ୍ଘର୍ମ ହୋଇ ପୂଜା ପତ୍ରିକା ପ୍ରକାଶ କରିବା ପାଇଁ ଦିନରାତି ଏକାଠି କରିଦିଅନ୍ତି। ଉତ୍କଳ ପ୍ରଦେଶର ପ୍ରତି ସହରରେ ଗଳିକନ୍ଦିରେ ପୂଜା ପେଣ୍ଡାଲ ଭଳି, ପ୍ରତି ପତ୍ରିକା ଦୋକାନରେ ପତ୍ରିକା ଠୁଳ ହୋଇଯାଏ। ଗୋଟିଏ ନୁହେଁ, ଦୁଇଟି ନୁହେଁ; ଲାଗିପଡ଼ି ସବୁ ସମ୍ପାଦକ ମିଶି ଶତକରେ ପହଞ୍ଚିଯାନ୍ତି। ଶହେ ପତ୍ରିକାରେ ନିଜର ସ୍ୱାତନ୍ତ୍ର୍ୟ ସୃଷ୍ଟି କରିବାକୁ ସମ୍ପାଦକମାନେ ନୂଆ ନୂଆ ସୂତ୍ର ଆରମ୍ଭ କରନ୍ତି।

କେବଳ ଗପ, ଉପନ୍ୟାସ, କବିତା ଓ ପ୍ରବନ୍ଧ ପ୍ରକାଶ କଲେ ଲୋକଙ୍କ ଚାହିଦା ବଢ଼ିବ ନାହିଁ। ସେଥିପାଇଁ ସେମାନେ କିଛି ନୂଆ ନୂଆ ଯୋଜନା ଆରମ୍ଭ କରିଥାଆନ୍ତି। କେଉଁ ପତ୍ରିକା ନୂଆ ବିଭାଗ କରି ‘ଭାଇ-ଭଉଣୀ କହ କାହାଣୀ’ ଶିରୋନାମାରେ ଯେଉଁ ପରିବାରରେ ଭାଇଭଉଣୀ ଲେଖୁଛନ୍ତି ସେମାନଙ୍କ ଜୀବନ ଓ ସାହିତ୍ୟିକ ଅନୁଭୂତିକୁ ନେଇ ଲେଖା ଆଣି ପ୍ରକାଶ କରିଥାନ୍ତି। ସେହିଭଳି ଯେଉଁ ଘରେ ପତି-ପତ୍ନୀ ଦୁହେଁ ସାହିତ୍ୟ ରାଜ୍ୟରେ ଲେଖନୀ ଚାଳନା କରୁଛନ୍ତି, ସେମାନଙ୍କ ପାଇଁ ‘ସାହିତ୍ୟିକ ଦମ୍ପତି’ ବିବାହ ପୂର୍ବରୁ ସେମାନେ କେମିତି ଥିଲେ, ବିବାହ ପରେ କେମିତି ସାହିତ୍ୟ ସେବା କରୁଛନ୍ତି ଇତ୍ୟାଦି ବିଷୟରେ ଫିଚର୍ ପ୍ରକାଶ ପାଏ। ପୁଣି ଏହି ମର୍ମରେ ସାହିତ୍ୟିକ ବାପା-ପୁଅ, ଭାଇ-ଭାଇ, ମା’-ଝିଅ,-ବୋହୂ,ଏମିତି ଫର୍ମୁଲା ଲଗାଇ ଲେଖା ଆଣି ପ୍ରକାଶ କରିଥାନ୍ତି। ତା’ ସହିତ ଲେଖକ-ଲେଖିକାଙ୍କ ଚିତ୍ରତାରକାଙ୍କ ଭଳି ଫଟୋ ମଧ୍ୟ ପତ୍ରିକାରେ ଶୋଭାପାଏ।
ଆଉ ଦଳେ ସମ୍ପାଦକ ଗୋଟେ ନୂଆ ସ୍ତମ୍ଭରେ ଲେଖା ଆହ୍ୱାନ କରନ୍ତି, ‘ମୋ ଜୀବନ ମୋ ସୃଜନ’ ସେଥିରେ ସବୁ ପ୍ରକାର ଲେଖକଲେଖିକାଙ୍କଠାରୁ ଲେଖା ଆଦାୟ କରି ଛପାଯାଏ। ଆଉ କିଛି ସମ୍ପାଦକ ଅପେକ୍ଷା କରିଥାନ୍ତି କିଛି ସାକ୍ଷାତ୍କାର ପ୍ରକାଶ କରିବା ପାଇଁ, ଯଦ୍ୱାରା କିଛି ପାଠକ ମଧ୍ୟ ତାଙ୍କ ପତ୍ରିକା ପ୍ରତି ଆକୃଷ୍ଟ ହେବେ।
ଲେଖକଙ୍କ ଉପରେ ଚାପ
ଏ ତ ଗଲା ପତ୍ରିକା ସମ୍ପାଦକଙ୍କ ପ୍ରଚେଷ୍ଟା ପତ୍ରିକାକୁ କିଭଳି ଆକର୍ଷଣୀୟ କରି ପାଠକଙ୍କ ହାତରେ ବଢ଼ାଇ ଦେବା ପାଇଁ। ସେପଟେ ଲେଖକ / ଲେଖିକାଙ୍କ ଉପରେ ଆସିଯାଏ ଚାପ, ମାନେ ସିଧା ରକ୍ତଚାପ। ବଛା ବଛା ଲେଖକଙ୍କ ଲେଖା ପାଇଁ ସମ୍ପାଦକମାନେ ଲାଇନ୍ ଲଗାଇଲା ବେଳେ ବୟୋଜ୍ୟେଷ୍ଠ ଲେଖକଙ୍କ ଦ୍ୱାରା ସେହି ପରିମାଣରେ ଲେଖିବା ସମ୍ଭବପର ହୁଏ ନାହିଁ। ସମ୍ପାଦକ ସେହି ଲେଖକଙ୍କ ନାମ ତାଙ୍କ ପତ୍ରିକାରେ ରଖିବା ପାଇଁ ପୁରୁଣା ଲେଖାକୁ ପ୍ରକାଶ କରିବାକୁ ପଛାନ୍ତି ନାହିଁ। ପୁରୁଣା ମଦ ନୂଆ ବୋତଲରେ ପରଷିବା ଭଳି କଥା। ଆଉ ଦଳେ ଲେଖକଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଏ- କାହାର କେତେଟା ପତ୍ରିକାରେ ଲେଖା ପ୍ରକାଶ ପାଇବ। ପୂଜା ସଂଖ୍ୟା ପ୍ରକାଶ ପାଇଲା ମାତ୍ରେ ସେମାନେ ପରସ୍ପର ଏହାକୁ ନେଇ କଥାବାର୍ତ୍ତା ଆରମ୍ଭ କରିଦେବେ, ସତେ ଯେମିତି କ୍ରିକେଟ ଖେଳରେ କିଏ କେତେ ରନ୍ କରିପାରିଛି। ମାତ୍ର ଦେଖିଲା ବେଳକୁ ଏତେ ବହୁଳ ସଂଖ୍ୟକ ପୁସ୍ତକ ଭିତରୁ ପୃଷ୍ଠା ଖୋଲି ଜଣେ ଲେଖକଙ୍କୁ ପଢ଼ିବାକୁ କେଉଁ ପାଠକ ମନରେ ଆଗ୍ରହ ନଥାଏ। ଜଣେ ଜଣେ ଲେଖକ ମାତ୍ରାଧିକ ଲେଖା ଲେଖି ଗୁଣାତ୍ମକମାନ ହରାଇବସନ୍ତି। ଜଣେଜଣେ ପାଠକ ପୂଜା ସମୟରେ ପତ୍ରିକା କିଣିଥାନ୍ତି, ସୁବିଧା ମିଳିଲେ ପଢ଼ିବା ପାଇଁ। ମାତ୍ର ସେ ସୁଯୋଗ ଆସେ ନାହିଁ।

ବହୁ ପାଠକଙ୍କ ପାଖରେ ଥିବା ପତ୍ରିକାର ପୃଷ୍ଠା ମଧ୍ୟ ଖୋଲା ହୋଇପାରେ ନାହିଁ। କିଛି ବ୍ୟକ୍ତି ତାଙ୍କ ଡ୍ରଇଂରୁମ୍ର ପ୍ରାଧାନ୍ୟ ବଢ଼ାଇବାକୁ ଦୁଇ-ତିନୋଟି ପୃଥୁଳକାୟ ପତ୍ରିକା କିଛି ଦିନ ପାଇଁ ଶୋଭାବର୍ଦ୍ଧନ ଉଦ୍ଦେଶ୍ୟରେ ରଖିଥାନ୍ତି। ପରେ ପରେ ସ୍ଥାନ ଅଭାବରୁ ସେ ପତ୍ରିକା ଓଜନରେ ବିକ୍ରି କରାଯାଏ।
ପତ୍ରିକା ଛପାଇବା କାମ ଏକ କଷ୍ଟକର ବ୍ୟାପାର। ଛପାଖାନା ଓ କଂସାଇଖାନା ନାମ ଶୁଣିଲେ କେହି ଯଦି ଚମକି ପଡ଼ୁଛି- ସେ ହେଉଛି ଲେଖକ। ପୂଜା ଆସିଗଲା ବୋଲି ତରତରରେ ଆସିଥିବା ଲେଖାକୁ ଇ-ମେଲ୍ରେ ଲେଖକ ପଠାଇ ଓ ସମ୍ପାଦକ ନ ଦେଖି ଛପାଇଲେ ବହୁ ମୁଦ୍ରଣ ତ୍ରୁଟି ଆଖିରେ ଆସେ, ଯାହା ଛପାହେବା ପରେ ଦେଖି ଉଭୟ ଲେଖକ ଓ ସମ୍ପାଦକ ଅବାକ୍ ହୋଇଯାଆନ୍ତି।
ବିକଳାଙ୍ଗ ଲେଖା
ଆମ ମାତୃଭାଷାକୁ କମ୍ପ୍ୟୁଟରରେ ଟାଇପ୍ କଲାବେଳେ ବିଭିନ୍ନ ମାଧ୍ୟମରେ କରାଯାଏ। ଯେମିତି ସାରଳା, ଆକୃତି, ଶ୍ରୀଲିପି, ଆଇଲିପି, ୟୁନିକୋଡ୍। ଗୋଟିଏ ପ୍ରକାର ଲିପିରେ ଟାଇପ୍ କରି ସମ୍ପାଦକଙ୍କ ପାଖକୁ ଇ-ମେଲ୍ କଲାବେଳେ, ସମ୍ପାଦକ ପ୍ରେସରେ ଛାପିବା ପାଇଁ ତାହାକୁ ଖୋଲିଲାବେଳେ କେଉଁଠି ମାତ୍ରା ଉଭାନ୍ ହୋଇଯାଏ ତ କେଉଁଠି ଯୁକ୍ତାକ୍ଷର ଉଭାନ। ତରବରରେ ତାହା ନ ଦେଖି ଛପାଇ ଦେଲେ ସେ ଲେଖା ବିକଳାଙ୍ଗ ଲାଗେ।
ସେମିତି ଓଡ଼ିଆ ଲେଖା ସହ କିଛି ଇଂରାଜୀ ଲେଖା ଟାଇପ୍ କରି ପଠାଇଦେଲେ, ସେ ମଧ୍ୟ ବିକୃତ ହୋଇ ଛାପା ହୋଇଯାଏ; ଯାହା ଲେଖକ, ପାଠକ ଓ ସମ୍ପାଦକ ଦେଖି ବିଚଳିତ ହୋଇଯାଆନ୍ତି।
ପତ୍ରିକାଟିଏ ପ୍ରକାଶ ପାଇଲା ପରେ ତାହା ଏତେ ସ୍ଫୀତକାୟ ହୋଇଥାଏ ଯେ କେବଳ ତା’ର ସୂଚିପତ୍ର ପଢ଼ୁ ପଢ଼ୁ ବେଳ ଚାଲିଯାଏ। ଆଜିକାଲିର ସମୟରେ ସେ ଲେଖା ନ ପଢ଼ି ସୂଚିପତ୍ର ପଢ଼ି କିଛି ଲେଖକ ମନେମନେ ଖୁସି ହୋଇଯାଆନ୍ତି ଓ ଅନ୍ୟ ଲେଖକମାନଙ୍କୁ ଖବର ଦିଅନ୍ତି ତାଙ୍କ ଲେଖା କେତେ କେଉଁ ପତ୍ରିକାରେ ପ୍ରକାଶ ପାଇଛି। ମାତ୍ର ସୂଚି ଦେଖାରେ ପୂଜା ସଂଖ୍ୟା ସୀମିତ ରହେ; ଅସଲ ପୃଷ୍ଠାକୁ ଯିବା ପାଇଁ ସମୟ ମିଳେ ନାହିଁ। ସତେ ଯେମିତି ଲେଖକ ବନ୍ୟା ଆଉ ପାଠକ ମରୁଡ଼ି!
ବିଜ୍ଞାପନଦାତାଙ୍କ ଦ୍ୱନ୍ଦ୍ୱ
ଆଉ ରହିଲା ବିଜ୍ଞାପନଦାତାଙ୍କ କଥା। ‘ବର୍ଷକ ଯାକ ନାଇଁ ଗହ୍ମାପୂନିଅଁକୁ ମାଇଁ’ ଭଳି ସମ୍ପାଦକମାନେ ସବୁ ବିଜ୍ଞାପନ ପାଇଁ ବିଭିନ୍ନ ଅନୁଷ୍ଠାନରେ ପହଞ୍ଚିଯାଆନ୍ତି। ଫଳରେ ବିଜ୍ଞାପନଦାତାମାନେ ଅବାକ୍ ହୋଇଯାନ୍ତି; କାହାକୁ ଦେବେ କାହାକୁ ନଦେବେ ଦ୍ୱନ୍ଦ୍ୱରେ ପଡ଼ିଯାନ୍ତି। କେଉଁଠି ରାଜନୈତିକ ଚାପ ତ କେଉଁଠି ଅମଲାତନ୍ତ୍ରିକ ଚାପ ଫଳରେ ସବୁ ଓଲଟପାଲଟ ହୋଇଯାଏ।
ପୂଜା ପତ୍ରିକା ପରିକ୍ରମା କଲାବେଳେ ସାରା ଭାରତବର୍ଷ ବୁଲିଗଲେ ଆଖି ଆଗରେ ପଡ଼େ ଯେ ଭାରତବର୍ଷର ପୂଜାପର୍ବରେ ଉତ୍କଟ ପ୍ରଦେଶ ଓ ବଙ୍ଗ ପ୍ରଦେଶରେ କାଶତଣ୍ଡୀ ଫୁଲପରି ପତ୍ରିକା ପ୍ରକାଶ ପାଇଥାଏ। ତା’ର କିଛି ଝଲକ ଆସାମରେ ମଧ୍ୟ ଦେଖାଯାଇଥାଏ। ଭାରତର ଅନ୍ୟ ରାଜ୍ୟରେ ଦୁର୍ଗାପୂଜା ସହ ତାଳ ଦେଇ ପତ୍ରିକା ପ୍ରକାଶ ପାଏ ନାହିଁ। ସମସ୍ତ ରାଜ୍ୟରେ ଭିନ୍ନଭିନ୍ନ ସମୟରେ ପତ୍ରିକାର ବିଶେଷାଙ୍କ ପ୍ରକାଶ ପାଏ, ମାତ୍ର ଏପରି ଶହଶହ ସଂଖ୍ୟାରେ ନୁହେଁ। ଏପରିକି, ବଙ୍ଗଳାରେ କିଛି ପତ୍ରିକା ସ୍ଥୂଳକାୟ ହେବା ସ୍ଥଳେ ବହୁତ ଛୋଟ ପତ୍ରିକା ମଧ୍ୟ ନିଜର ସ୍ଥିତି ବଜାୟ ରଖିବାକୁ କ୍ଷୀଣକାୟ ରୂପରେ ପ୍ରକାଶିତ ହୋଇଥାନ୍ତି। ମାତ୍ର ଆମ ଉତ୍କଟ ପ୍ରଦେଶରେ ବର୍ଷକ ବାରମାସ ଥିଲେ ମଧ୍ୟ ବନ୍ୟା ଆସିଲା ପରି ପୂଜା ସମୟରେ ସମସ୍ତ ପତ୍ରିକା ସ୍ଥୂଳକାୟ ରୂପ ଧାରଣ କରି ଶହଶହ ସଂଖ୍ୟାରେ ଆତ୍ମପ୍ରକାଶ କରନ୍ତି। ଆଶାନୁରୂପ ବିକ୍ରି ନ ହେଲେ ଲେଖକ, ସମ୍ପାଦକ, ପ୍ରକାଶକ, ବିକ୍ରେତା ସମସ୍ତେ ନିସ୍ତେଜ ହୋଇଯାନ୍ତି। ପୂର୍ଣ୍ଣଗର୍ଭା ନଦୀ ପୁଣି ଶୁଷ୍କ ହୋଇଯାଏ ଆଉ ପତ୍ରିକା ହାଟ ଲାଗେ ନାହିଁ।
ମନେପଡ଼ିଯାଏ ଅକ୍ଷୟ ମହାନ୍ତିଙ୍କର ଗୀତଟିଏ। ଯେତେବେଳେ ଅଧିକ ଅମଳକ୍ଷମ ଧାନ ତାଇଚୁଙ୍ଗ ଚାଷ ଆରମ୍ଭ ହେଲା ସେଥିରେ ସାର ବ୍ୟବହାର ଆବଶ୍ୟକ ପଡ଼ୁଥିଲା ଯାହା ଅଧିକ ଅମଳ ଦେଉଥିଲା। ସେଇ ସମୟକୁ ଲକ୍ଷ୍ୟକରି ଅକ୍ଷୟ ମହାନ୍ତି ଗାଇଥିଲେ “ଆଜିକାଲି ଯେଉଁ ଧାନ ହେଉଛି ନାଆଁ ତା’ର ତାଇଚୁଙ୍ଗ୍, ଆଜିକାଲି ଯେଉଁ ପ୍ରେମ ହେଉଛି ନାଆଁ ତା’ର ଲୁଙ୍ଗପୁଙ୍ଗ୍।”
ସେଇ ତାଳରେ ପୂଜାବଜାରରେ ଗଣ୍ଡାଗଣ୍ଡା ଉପନ୍ୟାସ, ହଜାର ହଜାର କବିତା, ଶହ ଶହ ଗଳ୍ପ, ପ୍ରବନ୍ଧ, ସମାଲୋଚନା, ଫିଚର ଆଦିର ସମ୍ମିଶ୍ରଣରେ ଯେଉଁ ପୃଥୁଳକାୟ ପତ୍ରିକାଗଣ ପୂଜା ବଜାରରେ ଆତ୍ମପ୍ରକାଶ କରନ୍ତି ଅକ୍ଷୟ ମହାନ୍ତିଙ୍କ ଗୀତରେ ଯୋଡ଼ିଦେଲେ ହେବ “ଆଜିକାଲି ଯେଉଁ ପୂଜା ପତ୍ରିକା, ନାଆଁ ତା’ର କିଙ୍ଗ୍କଙ୍ଗ୍!”
ଏଭଳି ସ୍ଥିତି ଦେଖି ବହୁ ସାହିତ୍ୟପ୍ରେମୀ କହି ବୁଲିଲେଣି ପୂଜା ପତ୍ରିକାଗଣ ଆଉ ଶାରଦୀୟ ସାହିତ୍ୟ ନାମରେ ନାମିତ ନ ହୋଇ ସାର ଦିଆ ସାହିତ୍ୟ ହୋଇ ନାମିତ ହେବାକୁ ବସିଲେଣି! ବନ୍ଦେ ଉତ୍କଟ ଜନନୀ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)