ସାହିତ୍ୟ ସେହି ସମାଜରେ ଉନ୍ନତ ଯେଉଁଠି ସମାଲୋଚନାର ଥାଏ ନିର୍ଭୀକତା।

୧୯୦୮ ମସିହାରେ ଉତ୍କଳ ସେବାଶ୍ରମରୁ ଦୁର୍ଭିକ୍ଷ ସାହାଯ୍ୟାର୍ଥେ; ‘ଅକାଳ କୋଇଲି’ର ପ୍ରକାଶନ ହୁଏ। ଯୁଗେଯୁଗେ ଭାଷା ସାହିତ୍ୟରେ କୋଇଲି ହେଉଛି ବାର୍ତ୍ତାବହ। ଅକାଳ କୋଇଲିର ବିକ୍ରୟଲବ୍ଧ ଅର୍ଥରେ ଦୁର୍ଭିକ୍ଷଗ୍ରସ୍ତଙ୍କୁ ସାହାଯ୍ୟ ଦିଆଯାଇଥିଲା। ସେତେବେଳେ ନିଃସ୍ୱ ଉତ୍କଳର ଦୁର୍ଦ୍ଦିନ ପାଇଁ ଉତ୍କଳ ଗୌରବଙ୍କ ସମ୍ବେଦନଶୀଳ କ୍ରନ୍ଦନର ସ୍ୱର ପ୍ରତିଫଳିତ ହୋଇଥିଲା। ସେଥିରୁ ପଦିଏ:
କୋଇଲି ଝଗଡ଼ା ଏକତା ନାଶକାରୀ।
ଝାଉଁଳାଇ ଦିଏ ଶକ୍ତି କରେ ହତଶିରୀ ଲୋ।।
ସେହି କୋଇଲିର ସ୍ୱର ଧରି ଇଦାନୀନ୍ତନ ଓଡ଼ିଆ ସାହିତ୍ୟର ଊର୍ଦ୍ଧ୍ୱଗଲଘୁକରଣ ପରିସ୍ଥିତିରେ ସମସ୍ତ ଆଦର୍ଶ ସାହିତ୍ୟ ସମୀକ୍ଷକଙ୍କୁ କହିବି ଯେ; ଏବେ ଜାଗ୍ରତ ହେବାର ବେଳ।
ଯୁଗେଯୁଗେ ସାହିତ୍ୟ ସଂସାରରେ ବିଭିନ୍ନ ମାନର ସାହିତ୍ୟ ପ୍ରକାଶ ହୋଇଛି ହେଲେ ସାହିତ୍ୟର ପତନ ହୋଇନାହିଁ। ହେଲେ ସାମ୍ପ୍ରତିକ ସ୍ଥିତିରେ ଯେତେବେଳେ ପ୍ରାୟାଧିକ ସମୀକ୍ଷକଗଣ ଆଦର୍ଶ ଓ ଶବ୍ଦଚୌର୍ଯ୍ୟଙ୍କ ସାହିତ୍ୟର ପାର୍ଥକ୍ୟ କରିବାର ସାହସ ହରାଇ ବସିଛନ୍ତି, ସେତେବେଳେ ନିମ୍ନମାନର ଲେଖକ, ଅନୁକରଣକାରୀ, ସୁଯୋଗ ସନ୍ଧାନୀ ଓ ଚାଟୁକାର ଭଳି ଛାୟାମାନଙ୍କୁ ସୂର୍ଯ୍ୟ ବୋଲି ଅଭିହିତ କରାଯାଉଛି।
ଏଠାରେ କହିରଖେ ଯେ; ଭାଷାର ଏକଚାଟିଆ ଅଧିକାର କେବଳ ପଣ୍ଡିତମାନଙ୍କର ନୁହଁ। ସାଧାରଣ ଲୋକଙ୍କ ଗୀତ, କଥା, ହସ ଓ ସ୍ୱପ୍ନରେ ମଧ୍ୟ ଭାଷା ସୁଆଦ ହୁଏ। ସେଥିରୁ ହିଁ ତ ସାଉଁଟି ଆଣନ୍ତି ସାହିତ୍ୟିକ ସମଗ୍ର ନିଜର ସର୍ଜନାର ମୂଳମନ୍ତ୍ର। ସାହିତ୍ୟ ଜୀବନ୍ତ ହୁଏ। କିଂବଦନ୍ତୀ ସତ୍ୟ ହୁଏ। ଇତିହାସ ଜ୍ଞାନଗୁରୁ ହୁଏ।
ଶ୍ରୁତିରୁ ସଞ୍ଚାର ମାଧ୍ୟମ ଯାଏଁ ବହମାନ ସାହିତ୍ୟର ପ୍ରବାହ। ପ୍ରଯୁକ୍ତି ଜ୍ଞାନ କେଭେ ହେଁ ସାହିତ୍ୟର ଶତ୍ରୁ ନୁହେଁ। ଭୟ ସଦାକାଳେ ରହି ଆସିଛି। ଶ୍ରୁତିରୁ ପ୍ରସ୍ତରଗାତ୍ର; ତାଳପତ୍ରରୁ ଛାପାଖାନା; ଶ୍ରବଣ ସାହିତ୍ୟରୁ କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ମଧ୍ୟ ସଂଶୟ ରହିଅଛି, ସାହିତ୍ୟର ଭବିଷ୍ୟତ ପାଇଁ। ଆଜି ବିଜ୍ଞାନର ଏହି ଦାନ ପ୍ରାୟତଃ ସମସ୍ତ ସାହିତ୍ୟିକଙ୍କୁ ମାନସିକ ଆଳସ୍ୟ, ନୈତିକ ଅଧୋପତନ ତଥା ଶ୍ରମହୀନ ସର୍ଜନା ଆଡ଼କୁ ମତ୍ତହସ୍ତୀ ପ୍ରାୟେକ ଅଡ଼େଇ ନେଇଚାଲିଛି। ଆବଶ୍ୟକ ଅଛି ସମୀକ୍ଷାରୂପୀ ଅଙ୍କୁଶର। ବିବେକବିହୀନ ଚାଟୁକାର ସମୀକ୍ଷା ସାହିତ୍ୟ ପାଇଁ ଏକ କୋଳାହଳରେ ପରିଣତ ହୁଏ।
ଏଣୁ ତ ଏହି ସାହିତ୍ୟର ଅବଡ଼ଙ୍ଗରେ ଖୋଜୁଛି ସେହି ସମାଲୋଚକ ଓ ସମୀକ୍ଷକଙ୍କୁ ଯେଉଁମାନେ ପ୍ରକୃତରେ ଭାଷାର ପ୍ରହରୀ। ଦୁଃସ୍ଥ ସାହିତ୍ୟକୁ ସୁସ୍ଥ ସମ୍ପନ୍ନ କରିବାରେ ଯେଉଁମାନଙ୍କ ଭୂମିକା ଅପରିହାର୍ଯ୍ୟ। ସାହିତ୍ୟ ସେହି ସମାଜରେ ଉନ୍ନତ ଯେଉଁଠି ସମାଲୋଚନାର ଥାଏ ନିର୍ଭୀକତା। ସମାଲୋଚନା ଏକ ଶୁଦ୍ଧିକରଣର ପ୍ରକ୍ରିୟା। ଯେବେ ଯେବେ ବରିଷ୍ଠ ସାହିତ୍ୟିକଗଣ ଭାବବୋଧରୁ ଚମକକୁ, ସାଧନାଠାରୁ ପରିଚୟକୁ ଓ ମୂଲ୍ୟବୋଧଠାରୁ ଗୋଷ୍ଠୀବାଦକୁ ଗୁରୁତ୍ୱ ଦିଅନ୍ତି ସେତେବେଳେ ଏହି ସମୀକ୍ଷକ ଅବା ସମୋଲୋଚକଗଣ ହିଁ ସାହିତ୍ୟରେ ଭାରସାମ୍ୟ ରଖିଛନ୍ତି।
ଅଙ୍କାବତାରରେ କହିବି ଯେ; ନିରାଶା ହିଁ ଶେଷ ସତ୍ୟ ହୋଇନପାରେ। ପ୍ରତିଯୁଗରେ ଭାଷା ଓ ସାହିତ୍ୟ ବିଭ୍ରାନ୍ତିର ସମ୍ମୁଖୀନ ହୋଇଛି। ଆମ ଭାଷା ତ ଆକ୍ରମଣ, ଲାଞ୍ଛନା, ଉପେକ୍ଷା ଓ ବିଭିନ୍ନ ଝଡ଼କୁ ଅତିକ୍ରମି ଆସିଛି। ଏବେ ବେଳ ଆସିଛି ସମୀକ୍ଷକଙ୍କ ପାଇଁ। ଲେଖକଙ୍କୁ ସତ୍ୟନିଷ୍ଠ, ପାଠକଙ୍କୁ ସଚେତନ ଓ ବୁଦ୍ଧିଜୀବୀଙ୍କୁ ନିର୍ଭୀକ କରାଇବା ପାଇଁ। ଏଣୁ ସେମାନେ ଗଭୀର ଚିନ୍ତନ କରନ୍ତୁ ଆଜି।
-ପ୍ର.ଭୂ
*ଊର୍ଦ୍ଧ୍ୱଗଲଘୁକରଣ – ଅଳ୍ପମୂଲ୍ୟର ସଂଖ୍ୟାକୁ ବହୁ ମୂଲ୍ୟର ସଂଖ୍ୟାରେ ପରିବର୍ତ୍ତନ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୬ ସଂଖ୍ୟାରେ ପ୍ରକାଶିତ ପ୍ରଶାନ୍ତ ଭୂୟାଁଙ୍କ ନିୟମିତ ସ୍ତମ୍ଭ।)