ପୁତୁଲୀର ରାତି

ଦୀର୍ଘଶ୍ୱାସ ଛାଡ଼ିଲେ କମଳିନୀ। କ’ଣ କହି ବୁଝେଇବେ ସାଢ଼େ ତିନି ବର୍ଷର ଏଇ କୁନି ଝିଅଟିକୁ?

ସୁମିତା ବେହେରା

“ଜେଜେମା! ଆଉ କେତେଦିନ ପରେ ରବିବାର ଆସିବ?” କମଳିନୀଙ୍କ ଗଳାରେ ହାତଛନ୍ଦି ପଚାରୁଥିଲା ପୁତୁଲୀ।
“କାହିଁକିରେ ମାଆ? ରବିବାରରେ କ’ଣ ହେବ କି? ସ୍କୁଲ୍ ତ ତୋ’ର ଛୁଟି ନା ସେଦିନ!” ନିଦୁଆ ଆଖିରେ ଉତ୍ତର ଦେଲେ କମଳିନୀ।
“ଜଲଦି ରବିବାର ଆସିଲେ ସିନା ପାପାମାମାଙ୍କୁ ଦେଖିବି।” ଆଶାଭରା କଣ୍ଠରେ କହିଲା ପୁତୁଲୀ।
ଦୀର୍ଘଶ୍ୱାସ ଛାଡ଼ିଲେ କମଳିନୀ। କ’ଣ କହି ବୁଝେଇବେ ସାଢ଼େ ତିନି ବର୍ଷର ଏଇ କୁନି ଝିଅଟିକୁ। ଆଜିର ମଣିଷ ଏତେ କାର୍ଯ୍ୟବ୍ୟସ୍ତ ଯେ ରାତି ପାହିଲେ ପଡ଼ି-ଉଠି ଊର୍ଦ୍ଧ୍ୱଶ୍ୱାସରେ ଧାଉଁଛି। ପଛରେ କାହା ଛାତିରେ ପାଦ ଚାପି ଚାଲିଯାଉଛି, ବୁଲିପଡ଼ି ଦେଖିବା ପାଇଁ ଆଉ ସମୟ ନାହିଁ। ଯୁଗ ସହିତ ତାଳଦେଇ ନ ଧାଇଁଲେ ପଛରେ ରହିଯିବ ଯେ!!! ସେଇଥିପାଇଁ ତ ଆଜିର ପିଢ଼ି ପାଇଁ ବିବାହ କରିବା କିମ୍ବା ବିବାହ କରିଥିଲେ, ସନ୍ତାନ ଜନ୍ମ କରିବା ପାଇଁ ଆଗ୍ରହ ନାହିଁ। କେତେଜଣ ତ ଏବେ ମଣିଷ ଛୁଆ ନୁହେଁ, କୁକୁର ପାଳି ମାତୃତ୍ୱର ଅନୁଭବ ପାଉଛନ୍ତି ବୋଲି କହି ବୁଲୁଛନ୍ତି।
ପୁତୁଲୀର ମାତାପିତା ମଲ୍ଟି ନ୍ୟାସନାଲ୍ କମ୍ପାନୀରେ ଚାକିରି କରୁଛନ୍ତି। ଅଫିସ୍ ଗାଡ଼ି ସକାଳ ସାତଟାରେ ଆସି ସେମାନଙ୍କୁ ଘରୁ ନେଇଯାଏ। ଫେରୁଫେରୁ ରାତି ସାଢ଼େ ନଅ କି ଦଶଟା। ବଡ଼ବଡ଼ ସହରରେ ଏମିତି ହିଁ ହୁଏ। ସବୁ ଦୂରଦୂରରେ। ଯିବା ଆସିବାରେ ହିଁ ଚାରି ପାଞ୍ଚ ଘଣ୍ଟା ଚାଲିଯାଏ। ଜୀବନକୁ ଉପଭୋଗ କରିବା କଥା ତ ସେମାନେ ଏକଦମ୍ ପାସୋରି ଯାଇଛନ୍ତି। ସେଥିରେ ନିଜର ସନ୍ତାନ ବା ବୃଦ୍ଧ ମାତାପିତାଙ୍କର ଦାୟିତ୍ୱ ଆଉ କେତେବେଳେ ନେବେ?

“ଜେଜେମା! କିଛି କହୁନ କାହିଁକି ଯେ? ଆଉ କେତେଦିନ ପରେ ରବିବାର ଆସିବ?” ନାତୁଣୀ ପୁଣିଥରେ ନିଜ ପ୍ରଶ୍ନ ଦୋହରାଇଲା।
“ଆଜି ତ ମାତ୍ର ମଙ୍ଗଳବାରରେ ମାଆ। ଆହୁରି ଚାରିଦିନ ବାକି ଅଛି।”
“ଓଃ! ମୁଁ ଭାବିଲି କାଲି ଆସିବ। ଉଦାସ ସ୍ୱରରେ କହିଲା ପୁତୁଲୀ।” ନିଜ ଆଙ୍ଗୁଳିରେ ଗଣୁଥିଲା ମଙ୍ଗଳବାରରୁ ରବିବାର ପାଇଁ ଆଉ କେତେ ଦିନ ରହିଲା।
ନାତୁଣୀକୁ ଆଉ ଟିକେ ଭିଡ଼ି ଆଣିଲେ କୋଳକୁ। କହିଲେ, “ମୁଁ ଆଜି ବଢ଼ିଆ ଗପଟେ କହିବି। ମୋ’ ଧନ ଶୁଣିକି ଶୋଇପଡ଼ିବ।”
“ଆଜି ମୁଁ ଶୋଇବିନି। ଚେଇଁକି ରହିବି। ସବୁଦିନ ଗପ ଶୁଣେଇ ମୋତେ ଶୁଆଇ ଦଉଚ, ଆଉ ମୁଁ ମାମା-ପାପାଙ୍କୁ ଦେଖିପାରୁନି।”
“ହଉରେ ମାଆ। ତୋ’ ଇଚ୍ଛା।”
କମଳିନୀ ଜାଣିଛନ୍ତି, ସବୁଦିନ ସେ ଏମିତି କହେ ଆଉ ଶୋଇପଡ଼େ। ପିଲାଲୋକ ଆଉ କେତେ ବିଳମ୍ୱ ପର୍ଯ୍ୟନ୍ତ ଚେଇଁପାରିବ? ବିଚାରୀ ସକାଳେ ଶୋଇଥିବା ଅବସ୍ଥାରେ ତା’ ମାଆବାପା ଅଫିସ୍ ଚାଲିଯାଆନ୍ତି ଆଉ ଫେରିବା ବେଳକୁ ଝିଅ ନିଦରେଥାଏ। ରାତିରେ ଫେରି ବାପାମାଆ ତାକୁ କେତେ ଗେହ୍ଲାକଲେ ମଧ୍ୟ ସିଏ ତ ଜାଣିପାରେନି !! ସେ ଦେଖିଛନ୍ତି ତାଙ୍କ ବୋହୂ ହୃଦୟର କୋହ ଆଉ ଆଖିର ଲୁହ। ଜନ୍ମିତ ସନ୍ତାନ ପାଇଁ କିଛି ନ କରିପାରିବାର କ୍ଷୋଭ। କେବଳ ଟଙ୍କା ରୋଜଗାର କରିବା ବ୍ୟତୀତ ଆଉ କ’ଣ ବା ସେମାନେ ପିଲା ପାଇଁ କରିପାରିବେ? ଆଜିକାର ଦିନରେ ବେସରକାରୀ ଚାକିରିର ଭବିଷ୍ୟତ ମଧ୍ୟ ଅନିଶ୍ଚିତ। ପେନସନ୍ ତ ଦୂରର କଥା। ସ୍ୱାମୀ-ସ୍ତ୍ରୀ ଦୁଇଜଣ ପଦାକୁ ନ ବାହାରିଲେ ନଚଳେ। ସତରେ କେତେ ଅସହାୟ ଆଜିର ପିଢ଼ି !!!
ସେମାନଙ୍କ ପାଇଁ ହାତରେ କେବଳ ଗୋଟିଏ ରବିବାର। ସେଦିନ ବାହାରେ ଖାଇବା, ପାର୍କରେ ଖେଳିବା, ମଲ୍ ବୁଲିବାରେ ସମୟ ଯାଏ। ମାତାପିତାଙ୍କ ସହିତ ଛୁଆଙ୍କର ମଧ୍ୟ ଅପେକ୍ଷା ଥାଏ ସେଇ ଗୋଟିଏ ରବିବାରକୁ।
ଏଇଟା କେବଳ କମଳିନୀଙ୍କ ନାତୁଣୀ କଥା ନୁହେଁ, ବଡ଼ବଡ଼ ସହରରେ ସମସ୍ତଙ୍କ ସହିତ ଏମିତି ହୋଇଥାଏ। ସବୁ ଛୁଆଙ୍କ ଭାଗ୍ୟ ପୁତୁଲୀ ପରି ବି ନୁହେଁ ଯେ, ସେମାନଙ୍କ ସହିତ ଅଜା-ଆଈ କିମ୍ବା ଜେଜେ-ଜେଜେମା ରହିଥିବେ। ଆୟା ସହିତ ସେମାନଙ୍କୁ ରହିବାକୁ ହୁଏ। ଏଇଟା ଆଜିର ପିଢ଼ି ପାଇଁ ଆଉ ଏକ ଯନ୍ତ୍ରଣା।
“ଏଇ ରବିବାର ଆମେ ଚିଡ଼ିଆଖାନା ଯିବା ନା? ପାପା କହୁଥିଲେ ଯେ?”
“ହଁ, ଯିବା। ମୋ’ ସୁନା ମାମା ତ ସବୁ ବୁଝିପାରେ। ଆଜି ଶୋଇପଡ଼। ଆଜି ଗୋଟେ ନୂଆ ଗପ କହିବି।”
“ଉଁ.. ଜମା ଶୋଇବିନି। ଆଜି ଯେମିତି ହେଲେ ପାପାମାମାଙ୍କୁ ଦେଖିବି।”
ନାତୁଣୀ ମୁଣ୍ଡକୁ ସାଉଁଳେଇ ଦେଉଦେଉ କମଳିନୀ କହିଲେ, “ହଉରେ ମାଆ, ସେଇଆ ହେବ।”
ପୁତୁଲୀର ବଡ଼ବଡ଼ ଆଖି ଧୀରେ ଧୀରେ ଛୋଟହୋଇ ଆସୁଥିଲା। ଜୋର୍‌କରି ଆଖି ଖୋଲା ରଖିବାକୁ ସିଏ ଚେଷ୍ଟା କରୁଥିଲା। ଜେଜେମାଙ୍କର ନରମ ସ୍ପର୍ଶରେ ବୁଜି ହୋଇଯାଉଥିଲା ତା’ର ନିରୀହ ଆଖିଯୋଡ଼ିକ। ନିଦରେ ଥାଇ ସିଏ କହୁଥିଲା, “ଆଜି ମୁଁ ଜମାରୁ ଶୋଇବିନି।”

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୬ ସଂଖ୍ୟାରେ ପ୍ରକାଶିତ।)

Leave a Reply

Your email address will not be published. Required fields are marked *