ମଣିଷ-ମାଙ୍କଡ଼ ଓ ମାଙ୍କଡ-ମଣିଷ

  • ସମାଜ ଓ ଦେଶକୁ ଧ୍ୱଂସମୁଖକୁ ନେଇଯାଉଥିବା ଏ ମାଙ୍କଡ଼ମାନଙ୍କଠାରୁ ଆଉ କଣ ଆଶା କରାଯାଇପାରେ ?
ପ୍ରଭାତ କୁମାର ମହାପାତ୍ର

ଆମେ ଭଲଭାବେ ଜାଣିଛେ ଆମ ପୂର୍ବପୁରୁଷ ମାଙ୍କଡ଼ ଥିଲେ। ଏହାର ଭୁରି ଭୁରି ବୈଜ୍ଞାନିକ ପ୍ରମାଣ ଅଛି। ଇତିହାସ ଅନୁସାରେ ଅନେକ ଉତ୍ଥାନ ପତନ ଦେଇ ମାଙ୍କଡ଼ ଅବସ୍ଥାରୁ ମଣିଷ ଅବସ୍ଥାକୁ ଆସିବା ପାଇଁ ହୁଏତ ହଜାର ହଜାର ବର୍ଷ ଏପରିକି ଲକ୍ଷ ଲକ୍ଷ ବର୍ଷ ଲାଗିଯାଇଥିବ।
ଆଗରୁ ମାଙ୍କଡ଼ରୂପୀ ମଣିଷମାନେ ଜଙ୍ଗଲରେ ରହି ଫଳମୂଳ ଓ କଞ୍ଚାମାଂସ ଇତ୍ୟାଦି ଖାଦ୍ୟରୂପେ ଗ୍ରହଣ କରୁଥିଲେ ଓ ଗୁମ୍ଫା ଭିତରେ କିମ୍ବା ଗଛ ଉପରେ ରାତ୍ରିରେ ବିଶ୍ରାମ ନେଉଥିଲେ। ବଡ଼ ବଡ଼ ଗଛଡାଳ ଓ ପଥର ଥିଲା ସେମାନଙ୍କର ଅସ୍ତ୍ରଶସ୍ତ୍ର। ଏହିପରି ଅନେକ ବର୍ଷ ବିତିଗଲାପରେ କାଳକ୍ରମେ ସେମାନେ ସଭ୍ୟ ହେବାକୁ ଶିଖିଲେ। ସଭ୍ୟତାର କ୍ରମବିକାଶ ଓ ପ୍ରାକୃତିକ ପରିବେଶ ସହିତ ତାଳ ଦେଇ ସେବର ମାଙ୍କଡ଼ମାନେ ଆଜି ମଣିଷରୂପେ ପରିବର୍ତ୍ତିତ ହୋଇଛନ୍ତି। ହଁ, ଆଉ ଗୋଟିଏ କଥା। ପ୍ରକୃତିକୁ ସାମ୍ନା କରୁ କରୁ ମାଙ୍କଡ଼ମଣିଷଙ୍କର ଏକ ବଡ଼ ପରିବର୍ତ୍ତନ ହୋଇଛି। ତାହାହେଲା ଆଗର ମାଙ୍କଡ଼-ଲାଙ୍ଗୁଡ଼ ଆଉ ମଣିଷଙ୍କର ନାହିଁ ଯାହା ଫଳରେ ସେମାନେ ଆଉ ଆଗଭଳି ଘରଚାଳ ଓ ଗଛଡାଳମାନଙ୍କରେ ଡିଆଁଡେଇଁ କରିପାରୁନାହାନ୍ତି। ଅବଶ୍ୟ ଚାଳଘର ସବୁ ଛାତଘର ହୋଇଗଲାଣି ଓ ଗଛଡାଳ ସବୁ କଟି ରାସ୍ତା ମାଳ ମାଳ ହେଲାଣି। ଆଉ ହଜାର ହଜାର ସଂଖ୍ୟାରେ ଗାଡିମଟର ଯାଇ ଏହି ରାସ୍ତାମାନ ଲୋକଙ୍କ ପାଇଁ କାଳ ହେଲାଣି। ତା ସାଙ୍ଗକୁ ଆଗର ଆଟୁଘର ଓ ଅଗଣା, ଏବେ ସବୁ ହେଲାଣି ଅଜଣା। ତେଣୁ ସେମାନେ ଆଉ ଡ଼େଇଁବେ କେଉଁଠି? ଯାହା କଥାରେ ଅଛି — ‘ଘୋଡାର ଶିଙ୍ଗ ନାହିଁ, ଶିଙ୍ଗ ଥିଲେ ସେ କିଛି ରଖନ୍ତା ନାହିଁ।’ ସେହିପରି ମଣିଷର ଲାଞ୍ଜ ନାହିଁ। ଲାଞ୍ଜ ଥିଲେ ସେ ମଣିଷରୂପୀ ମାଙ୍କଡ଼ମାନେ ନାଚିକୁଦି, ଡିଆଁଡେଇଁ କରି କୌଣସିି ସରକାରୀ ବା ସର୍ବ ସାଧାରଣ ସମ୍ପତ୍ତି ଅକ୍ଷତ ଅବସ୍ଥାରେ ଛାଡ଼ନ୍ତେ ନାହିଁ।

ଏଥର ଆସନ୍ତୁ ମଣିଷ-ମାଙ୍କଡଙ୍କ କ୍ରମବିକାଶ, କଥା ଦେଖିବା। ସମସ୍ତଙ୍କର ପିଲାଦିନ କଥା ମନେପକାନ୍ତୁ। ସେତେବେଳେ ଏତେ ସହର ବଜାର ନ ଥିଲା। ଗାଁ ଦାଣ୍ଡରେ କବାଡି, ବାଟୁଳି ଖେଳଠୁ ଆରମ୍ଭ କରି ନଈ ପୋଖରୀରେ ବୁଡ଼ା ଗାଧୁଆ, ଗଛ ଚଢା, ଅନ୍ୟ ବାଡିରୁ ଆମ୍ବ ପିଜୁଳି ବରକୋଳି ତୋଳା, ବୁଦାରୁ ବଇଁଚ କୋଳି ଓ ସର୍ବୋପରି ଭୋରରୁ ଉଠି ପୂଜାପର୍ବରେ ଫୁଲ ତୋଳା ଏବଂ ଧରାପଡିଲେ ବାଡ଼ ଡେଇଁ ପଳା ଇତ୍ୟାଦି ସେ କୁନି କୁନି ମାଙ୍କଡ଼ଙ୍କ କାର୍ଯ୍ୟ ନ ଥିଲା କି? ସେ ଦିନର ସେ ମାଙ୍କଡ଼ାମି (ଦୁଷ୍ଟାମୀ) କେତେ ସରଳ, ଆନନ୍ଦଦାୟକ ନ ଥିଲା ସତରେ! ଏବେ ସେ ଗାଁ ଦାଣ୍ଡ ଆଉ କାହିଁ? ସବୁ ଲୁଚିଗଲାଣି। ଶଗଡ଼ ବଦଳରେ ଘର ସାମ୍ନାରେ ମୋଟରଗାଡି ଛିଡାହେଲାଣି। ଡିବି, ଲଣ୍ଠନ ଆଲୁଅ ବଦଳରେ ଘରେ ଘରେ ବିଜୁଳିବତୀ ଲାଗିଲାଣି। ପୋଖରୀ ପୋତାହୋଇ ଘର ହେଲାଣି। ନଈରେ ଆଉ ପାଣି ନାହିଁ। ପଙ୍କ କାଦୁଅରେ ପରିପୂର୍ଣ୍ଣ ନଈକୁ କିଏ ଗାଧୋଇବାକୁ ଯିବ? ଏବେ ଘରେ ଘରେ ଟ୍ୟାପ ପାଣି। ଗାଁ ଦାଣ୍ଡ ଧୂଳିରେ ଶଗଡ଼ ପଛରେ ଝୁଲି ଝୁଲି ଯିବାର ଯେଉଁ ଆନନ୍ଦ, ସହରର ଏସି ଲଗା ଗାଡ଼ିରେ ତାହା କାହିଁ? ତା ପରେ ଗାଁ ଦାଣ୍ଡ ଧୂଳି ଆଉ କାହିଁ ଯେ? ସବୁଆଡେ ପ୍ରଧାନମନ୍ତ୍ରୀ ଯୋଜନାରେ ପକ୍କା ସଡ଼କ ବା ପିଚୁ ରାସ୍ତା ହୋଇଗଲାଣି। ସେଦିନ କଥା ଭାବିଲେ ଆଖି ଓଦା ହୋଇଯାଉଛି। ଗାଁ ପିଲାଏ ଆଉ ପଢ଼ୁନାହାନ୍ତି — ‘ମାଙ୍କଡ଼ ଖାଏ କାଙ୍କଡ଼ କଷି, ବାଙ୍କବାବୁଙ୍କ ବାଡ଼ିରେ ପଶି।’ ବରଂ ତା ବଦଳରେ ପିଲେ ଏବେ ପଢିବେ:
‘ମଡର୍ଣ୍ଣ ମାଙ୍କଡ଼ ଢାବାରେ ଖାଏ ଚିକେନ କଷା,
ତା ସାଙ୍ଗକୁ ଗରମ ପରଟା ଓ ମସଲା ଦୋସା।
ନାଲି ପାଣି ଟିକେ ଚଢେଇ କହେ ବୋତଲ ଭାଷା,
ଡ୍ରେସପିନ୍ଧା ମାଙ୍କଡ଼ଙ୍କୁ ଆଉ ନାହିଁ କାହା ଭରସା।’
ସେଇ ମାଙ୍କଡ଼ମାନେ ବଡ଼ ହୋଇଗଲା ପରେ ଟିକେ ଟିକେ କଥାରେ ଲାଇଟ ଭାଙ୍ଗିବା, ଫ୍ୟାନକୁ ମୋଡି ବଙ୍କା କରିବା, ରାଲି, ଶୋଭାଯାତ୍ରାରେ ରାସ୍ତାକଡ଼ରେ ଶୋଭାପାଉଥିବା ଛୋଟ ଫୁଲଗଛ ଉପାଡିବା ଓ ତା ସହିତ ଜାତୀୟ ସମ୍ପତ୍ତି ନଷ୍ଟ କରିବା ଇତ୍ୟାଦି ସେମାନଙ୍କର ‘ବାଏଁ ହାତକା ଖେଲ’ ହୋଇଥାଏ। ଆଉ ସେହିପରି ମାଙ୍କଡ଼ମାନେ ଯଦି ରାଜନୀତିରେ ପଶିବେ ତେବେ ତ କଥା ସରିଲା!! ଯେହେତୁ ସରକାର ତାଙ୍କର ବା ତାଙ୍କ ଜାତିଭାଇଙ୍କର ସେମାନେ କୌଣସି ସରକାରୀ କଟକଣା ମାନିବେ ନାହିଁ। ଭଲ କଥା କହିଲେ ତାର ଓଲଟା କରିବେ। କଥାରେ ଅଛି ‘ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ।’ ଏବେ କିନ୍ତୁ ଏହାର ଓଲଟା ଲେଖା ହବ ‘ମାଙ୍କଡ଼ ପୁଅ ପଣ୍ଡିତ ମାରିଲେ ଦୋଷ ନାହିଁ।’ ଏହାର ଅର୍ଥ ହେଲା ଧନ ଓ କ୍ଷମତା ବଳରେ ଅନ୍ଧ ହୋଇଯାଇଥିବା ସ୍ୱାର୍ଥପର ମଣିଷରୂପୀ ମାଙ୍କଡ଼ମାନେ ସାଧୁ, ସଚ୍ଚୋଟ, ସରଳ ଏବଂ ଜ୍ଞାନୀ ଲୋକଙ୍କୁ ଯେଉଁ ନିର୍ଯାତନା ଦେଉଛନ୍ତି ତାହା ତାହା ମରଣ ଯନ୍ତ୍ରଣା ଠାରୁ କିଛି କମ ନୁହେଁ। ଦୁର୍ନୀତି ଏବେ ନୀତିରେ ପରିଣତ ହୋଇ କେତେକ ମାଙ୍କଡଙ୍କ ରକ୍ତରେ ମିଶିଗଲାଣି। ସମାଜ ଓ ଦେଶକୁ ଧ୍ୱଂସମୁଖକୁ ନେଇଯାଉଥିବା ଏ ମାଙ୍କଡ଼ମାନଙ୍କଠାରୁ ଆଉ କଣ ଆଶା କରାଯାଇପାରେ?

ଗଣରୂପକ ମାଙ୍କଡ଼ତନ୍ତ୍ରରେ କେତେ ଯେ ଜାତୀୟ ସମ୍ପତ୍ତି ଲୁଟ ହେଉଛି, ନଷ୍ଟ ହେଉଛି, ପୋଡା ଯାଉଛି ତାର ହିସାବ କିଏ ନ ରଖିଲେ ମଧ୍ୟ ସମସ୍ତେ ଜାଣୁଛନ୍ତି, ବୁଝୁଛନ୍ତି ଓ ଅଙ୍ଗେ ଲିଭାଉଛନ୍ତି। ଅଥଚ ଦେଖନ୍ତୁ ମଣିଷ ହୋଇ ନ ଥିବା ମାଙ୍କଡଟିଏ ଅଯଥା ନଷ୍ଟ ହେଉଥିବା ପାଣି ପାଇପଟିର କଳକୁ ବନ୍ଦ କରିଦେଉଛି। ଏଥିପାଇଁ ତାକୁ କେହି ଶିଖାଉନାହିଁ। ରାସ୍ତାରେ ଚାଲିଯାଉଥିବା ପ୍ୟାଣ୍ଟସାର୍ଟ ପିନ୍ଧା ଆଧୁନିକ ମାଙ୍କଡ଼ମାନେ ସବୁ ଦେଖି ମଧ୍ୟ ନିର୍ବିକାର। କେବଳ ସେତିକି ନୁହେଁ ସଭ୍ୟତାର ଝଲକ ପାଇ ନ ଥିବା ଅସଲ ମାଙ୍କଡଟିଏ ମନ୍ଦିରରେ ବସି ଏକ ଧ୍ୟାନରେ ଠାକୁରଙ୍କୁ ଡାକୁଛି ଆଉ ତାର ଆଖିରୁ ଧାର ଧାର ଲୁହ ବୋହିଯାଉଛି। କାହାର କିଛି ଅନିଷ୍ଟ କରୁନାହିଁ। ଅପର ପକ୍ଷରେ ଆଧୁନିକ ସଭ୍ୟ ମାଙ୍କଡ଼ମାନେ ମନ୍ଦିର ଲୁଟ କରିବାରେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି।
ମୋ କଥା ଏତିକିରେ ସରିନାହିଁ ବନ୍ଧୁଗଣ। ଆପଣମାନେ ସବୁଦିନ ଖବର କାଗଜ ପଢୁଛନ୍ତି, ଟି. ଭି ଦେଖୁଛନ୍ତି। ପ୍ରାୟ ପ୍ରତ୍ୟେକ ଦିନ ସମ୍ବାଦ ପତ୍ର ପୃଷ୍ଠା ଲେଉଟାଇଲେ ଦେଖିବେ ରାସ୍ତାଘାଟରେ ମାଲବାହୀ ଟ୍ରକ କୌଣସି କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇ ଲେଉଟିଲେ ସେଥିରେ ବୋଝେଇ ହୋଇ ଆସୁଥିବା ପରିବା, ଖାଦ୍ୟପଦାର୍ଥ, ଔଷଧ, ମୃଦୁ ପାନୀୟ ଅଥବା ମଦ, ମାଛ ହେଉ ଅବା ଶାଗ, ପ୍ରସାଧନ ହେଉ ଅବା ପେଟ୍ରୋଲ ଡିଜେଲ, ସିମେଣ୍ଟ, ବାଲି ଏପରିକି ପିଚୁ ହେଲେ ମଧ୍ୟ ଆମର ତଥାକଥିତ ମାଙ୍କଡ଼ମାନେ ପ୍ରତିକୂଳ ପାଗକୁ ଖାତିର ନ କରି ଏହାକୁ ଲୁଟିନିଅନ୍ତି ସତେ ଯେପରି ଏହା ତାଙ୍କର ବୋପା ଅଜାଙ୍କର ସମ୍ପତ୍ତି। ଏଭଳି ଦୃଷ୍ଟାନ୍ତ କେବଳ ମାଙ୍କଡତନ୍ତ୍ରରେ ଦେଖିବାକୁ ମିଳିବ! ଏସବୁ ଘଟଣା ଘଟାଇବାବେଳେ ସେ ଟ୍ରକ ଡ୍ରାଇଭର ଅବା କ୍ଲିନର ଆହତ ହୋଇ ଜୀବନ ମରଣସହ ସଂଗ୍ରାମ କରୁଥାଇପାରନ୍ତି ଓ ସେମାନଙ୍କ ଭିତରେ ତାଙ୍କର କେହି ଆତ୍ମୀୟସ୍ୱଜନ ଥାଇପାରନ୍ତି ଏକଥା ସେମାନେ ଭୁଲିଯାଆନ୍ତି। ହାୟରେ, ବିଧାତା! ତୁ ମଣିଷ ଗଢ଼ିଲାବେଳେ ଭୁଲରେ ମାଙ୍କଡ଼ ଗଢିଦେଲୁ ବୋଧେ!!
ବନ୍ଧୁଗଣ ଆମର ଏ ରଚନାଟିର ଉପକ୍ରମ, ବିଷୟବସ୍ତୁ ସରିଥିଲେ ମଧ୍ୟ କେବଳ ଉପସଂହାରଟି ବାକି ଅଛି। ସେଥିରେ ଅଗଣିତ ଉଦାହରଣ ଥିଲେ ମଧ୍ୟ “ଭାତ ହାଣ୍ଡିରୁ ଗୋଟେ ଚିପିଲା’ ଭଳି ଏକମାତ୍ର ଦରଦଭରା ଦୃଷ୍ଟାନ୍ତମୂଳକ ଉଦାହରଣ ଦିଆଯାଇପାରେ ଯାହା ଶୁଣିଲା ପରେ ଆପଣଙ୍କ ଆଖିକୁ ମଧ୍ୟ ଲୁହ ଆସିଯିବ। ତେବେ ଶୁଣନ୍ତୁ – ଏହା ବୋଧହୁଏ ୧୯୬୮ ମସିହାର ଘଟଣା। ଓଡିଶାର ଅବିଭକ୍ତ କଟକ ଜିଲ୍ଲାର ଏକ ପରିଚିତ ରେଳ ଜଙ୍କସନ୍‌ଠାରେ ଅଧରାତିରେ ଦୁଇଟି ଟ୍ରେନ ମଧ୍ୟରେ ସଂଘର୍ଷ ଘଟି ୫୦୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଲେ। ସେ ଦୁର୍ଘଟଣାର ଶବ୍ଦ ଏତେ ଅଧିକ ଥିଲା ଯେ ସେ ଅଞ୍ଚଳର ପ୍ରାୟ ଏକ କିଲୋମିଟର ପରିଧି ମଧ୍ୟରେ ରହୁଥିବା ଅନେକ ଲୋକ ନିଜର ଶ୍ରବଣ ଶକ୍ତି ହରାଇଲେ। ଉପରୋକ୍ତ ରେଳ ଦୁର୍ଘଟଣାରେ ଶତାଧିକ ଗୁରୁତର ଭାବରେ ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ନିକଟବର୍ତ୍ତୀ ଡାକ୍ତରଖାନାରେ। ରାତ୍ରିର ନିସ୍ତବଧ ପ୍ରହର ହତାହତ ଲୋକଙ୍କର କରୁଣ ଚିତ୍କାରରେ କମ୍ପିଉଠିଲା। ଏଭଳି ଦୁଃଖଦାୟକ ମୁହୂର୍ତ୍ତରେ ନିକଟସ୍ଥ ଅଞ୍ଚଳରୁ କେତେଜଣ ହୃଦୟହୀନ ଅସାମାଜିକ ତଥାକଥିତ ମାଙ୍କଡ ମୃତ ଲୋକଙ୍କ ଶରୀର ଓ ଖଣ୍ଡବିଖଣ୍ଡିତ ଅଙ୍ଗରୁ ମୂଲ୍ୟବାନ ବସ୍ତୁ ଓ ଅଳଙ୍କାର ସହିତ ଟଙ୍କା ପଇସା ଲୁଟିବାକୁ ପଛାଇଲେ ନାହିଁ। ଟିକେ ଭାବନ୍ତୁ ତ ଏସବୁ ଲୁଟି କଲାବେଳେ ସେ ମାଙ୍କଡମାନେ ଭାବିଲେ ନାହିଁ ଯାହାଙ୍କୁ ସେ ଲୁଟୁଛନ୍ତି ତାଙ୍କ ଭିତରେ ହୁଏତ କେହି ସେମାନଙ୍କର ଆତ୍ମୀୟସ୍ୱଜନ ମଧ୍ୟ ଥାଇପାରନ୍ତି! ଯଦି ଥାଆନ୍ତେ ସେ ମାଙ୍କଡମାନେ ତାଙ୍କୁ ଲୁଟିପାରିଥାନ୍ତେ କି? ପ୍ରତ୍ୟହ ଏହିଭଳି ଘଟଣା ଆମ ଦେଶର ଅନେକ ସ୍ଥାନରେ ଘଟୁଛି, କିନ୍ତୁ ଲୋକଲୋଚନକୁ ଆସିପାରୁନାହିଁ। ଏହି ବର୍ବର ନୃସଂଶତାର କେବେ ଅନ୍ତ ଘଟିବ? କେବେ ସେ ସଭ୍ୟ ବୋଲାଉଥିବା ମାଙ୍କଡ଼ମାନେ ମନୁଷ୍ୟ ପଦବାଚ୍ୟ ହେବେ? ବଡ଼ ଅବଶୋଷର ବିଷୟ ସ୍ୱାଧୀନତାପରେ ଯଦି ଆମ ଦେଶରେ ଉପଯୁକ୍ତ ଶିକ୍ଷା ଓ ସଂସ୍କାର ସହିତ ଉତ୍ତମ ଆଚରଣବିଧିର ଶିକ୍ଷା ଦିଆଯାଇ ଥାଆନ୍ତା ତେବେ ଏଭଳି ଘଟଣାମାନ ଘଟୁ ନ ଥାନ୍ତା କି ଆଜିର ଦେଶୀୟ ମାଙ୍କଡମାନେ ପ୍ରକୃତ ଅର୍ଥରେ ସଭ୍ୟ ଶିକ୍ଷିତ ବୋଲାଉଥାନ୍ତେ! ଏଥର ଆପଣମାନଙ୍କୁ ପ୍ରଶ୍ନ, କେବେ ଆମ ଦେଶର ଏହି ମାଙ୍କଡ଼ମାନଙ୍କ ମଧ୍ୟରେ ସ୍ୱଦେଶପ୍ରୀତି ବା ଜାତୀୟତା ଭାବ ଜାଗ୍ରତ ହେବ? ଏହାର ଉତ୍ତର କେବଳ ଆପଣମାନେ ଦେଇପାରିବେ!!

One thought on “ମଣିଷ-ମାଙ୍କଡ଼ ଓ ମାଙ୍କଡ-ମଣିଷ

Leave a Reply

Your email address will not be published. Required fields are marked *