ଇଦମିତ୍ଥ

ଆମ ପଣ୍ଡିତମାନେ ଆଜି ମଧ୍ୟ ଅକ୍ଷର ସଂଖ୍ୟା ଗଣିବାକୁ ହେଉ କି “ଋ” ଓ “ଌ” ଲେଖିବାକୁ; ସେଠାରେ ମଧ୍ୟ ଭୁଲ କରୁଛନ୍ତି।

ପ୍ରଶାନ୍ତ ଭୂୟାଁ

ଜଗନ୍ନାଥଙ୍କ ଭାଗବତ ପଢ଼ିଲା ବେଳେ ପଦିଏ ପଢ଼ିଲି ଏହିପରି,
ପ୍ରାକୃତ ବୈକୃତ ସଂସାର। ମହତ ସ୍ଥାନର ସଞ୍ଚାର।।
ଭାଗବତରୁ ଭାଷାକୋଷକୁ ଆଗେଇଲି। ପଢ଼ିଲି ଯେ, ହେମଚନ୍ଦ୍ରଙ୍କ ଭଳି ବ୍ୟାକରଣ ପଣ୍ଡିତମାନେ କହନ୍ତି ଯେ, ସଂସ୍କୃତ ଭାଷାରୁ ପ୍ରାକୃତ ଜନ୍ମିଅଛି ଏବଂ ଅନ୍ୟ ପଣ୍ଡିତଗଣ କହନ୍ତି ଯେ ପ୍ରାକୃତ ଭାଷାରୁ ସଂସ୍କୃତ ଭାଷାର ଉଦ୍ଭବ। ପ୍ରାକୃତ ଭାଷା ହିଁ ଜନକଥିତ ଆଦ୍ୟଭାଷା। ମାର୍କଣ୍ଡେୟ, ପ୍ରାକୃତ ଭାଷାର ଶ୍ରେଣୀ ବିଭାଗ କରିଥିଲେ ଏହି ବୋଧରେ।
୧ – ଭାଷା (ମହାରାଷ୍ଟ୍ରୀ, ଶୌରସେନୀ, ପ୍ରାଚ୍ୟା, ଆବନ୍ତୀ, ମାଗଧୀ, ଅର୍ଦ୍ଧମାଗଧୀ)
୨- ବିଭାଷା (ଶାକାରୀ, ଚାଣ୍ଡାଳୀ, ଶାବରୀ, ଆଭୀରୀ, ଟାକ୍କୀ, ଔଡ଼ା, ଦ୍ରାବିଡ଼ୀ)
୩- ଅପଭ୍ରଂଶ
୪- ପୈଶାଚୀ
ମଗଧର ଭାଷା ପାଲୀ ନାମରେ ସାହିତ୍ୟ ଆଡ଼କୁ ଅଗ୍ରସର ହେଲା। ବୌଦ୍ଧ ଗ୍ରନ୍ଥମାନ ଲେଖାଗଲା। ଜୈନମାନଙ୍କ ଦ୍ୱାରା ଅର୍ଦ୍ଧମାଗଧୀ ଓ ମହାରାଷ୍ଟ୍ରୀ ଭାଷାର ବ୍ୟବହାର ହେଲା। ମହାରାଷ୍ଟ୍ରୀ ସାହିତ୍ୟରୁ ଉଦ୍ଭୁତ ଏକ କୃତ୍ରିମ ପ୍ରାକୃତ ଭାଷା ସଂସ୍କୃତ ନାଟକରେ ବ୍ୟବହୃତ ହେଲା। ଏହି କୃତ୍ରିମ ପ୍ରାକୃତରୁ ଯେଉଁ ଭାଷା ବାହାରିଲା ତାହାକୁ ଅପଭ୍ରଂଶ କୁହାଗଲା। ଏହି ଅପଭ୍ରଂଶରୁ ଭାରତରେ ପ୍ରଚଳିତ ଆର୍ଯ୍ୟ ଶାଖାର ଦେଶଭାଷାର ଉତ୍ପତ୍ତି ହୋଇଅଛି।
ଏହି କ୍ରମାନ୍ୱୟ ସବୁ ଲେଖିବାର କାରଣ ଏହି କି ଯେ; ଭାଷା ହେଉଛି ମାନବ ସମାଜର ସର୍ବଶ୍ରେଷ୍ଠ ଅର୍ଜନ। ସମାଜକୁ କଣ୍ଠସ୍ୱର ଦେବା ପାଇଁ ଅନେକ ବିଦ୍ୱାନଙ୍କ ଅପାର ଯତ୍ନ ହେତୁ ଭାଷାର ବିକାଶ ଘଟିଛି। ପ୍ରେମ, ସାହିତ୍ୟ, ଜୀବନ ଓ ସମାଜର ପରିପ୍ରକାଶର ବଳିଷ୍ଠ ମାଧ୍ୟମ ହିଁ ଭାଷା। ପ୍ରାକୃତ, ପାଲୀ, ମାଗଧୀ, ଭାଷା, ବିଭାଷା, ଅପଭ୍ରଂଶ ଆଦିର ଯୁଗଯୁଗର ପରିମାର୍ଜିତ ସଂସ୍କରଣ ବୋଧରେ ହିଁ ଆମକୁ ବର୍ଣ୍ଣମାଳା ପ୍ରାପ୍ତ ହୋଇଛି। ତଥାପି ଆମ ପଣ୍ଡିତମାନେ ଆଜି ମଧ୍ୟ ଅକ୍ଷର ସଂଖ୍ୟା ଗଣିବାକୁ ହେଉ କି “ଋ” ଓ “ଌ” ଲେଖିବାକୁ; ସେଠାରେ ମଧ୍ୟ ଭୁଲ କରୁଛନ୍ତି। ଭୁବନେଶ୍ୱରର ‘ଅକ୍ଷରଭୂମି’ ହେଉ ଅବା ଖୋଲା ମଞ୍ଚରେ, ଲେଖାର ଭୁଲ ମାସମାସ ଧରି ସୁଧାର ହେଉନାହିଁ। ସରକାର ଆସନ୍ତି ଓ ଯାଆନ୍ତି, କିନ୍ତୁ “ଋ” ଓ “ଌ”ର ଭୁଲ ପାଷାଣୀ ଅହଲ୍ୟା ପ୍ରାୟ ରହିଯାଏ। ଓଡ଼ିଆ ଲୋକେ ଏହାକୁ ଦେଖନ୍ତି, ପଢ଼ନ୍ତି, ସେଲ୍‌ଫି ନେଇ ସୋସିଆଲ ମିଡିଆରେ ଗର୍ବର ସହିତ ପ୍ରଚାର କରନ୍ତି। ଏପରି ଅଜ୍ଞତା ଦେଖି ମୁଁ ଆଶ୍ଚର୍ଯ୍ୟଚକିତ। ଆମ ଭାଷାର ଭବିଷ୍ୟ ଯାତ୍ରା କୁଆଡ଼େ, ଇଦମିତ୍ଥ ନାହିଁ।
ବିଶ୍ୱ ଯେତେବେଳେ ଏ.ଆଇ, ଚାଟ୍‌ଜିପିଟି, ମେଟା ଆଦି ସହ ନୂତନ ସହସ୍ରାବ୍ଦୀକୁ ପ୍ରବେଶ କରୁଛି; ଆମେ ଦେଖୁଛୁ ଏହି ଅଦ୍ଭୁତ ଉପକରଣମାନଙ୍କର ଅଜ୍ଞତାପୂର୍ଣ୍ଣ ବ୍ୟବହାରରେ କିପରି ଧଣ୍ଡାମାନେ ଅଜଗର ହେଉଛନ୍ତି, ଡାହୁକଗଣ ମୟୂର ହେଉଛନ୍ତି। ପ୍ରତିଦିନ ଭୁଲ ନିବନ୍ଧନ, ବିକୃତ ବର୍ଣ୍ଣଶୈଳୀ ଓ ଯୁକ୍ତାକ୍ଷର ଦେଖିବାକୁ ମିଳୁଛି। ଏପରି ମୂର୍ଖତାରେ ଓଡ଼ିଆ ଭାଷା ପ୍ରସ୍ତରଲିପି ପ୍ରାୟେକ ଦିଶୁଛି।
ଆମେ ଏ.ଆଇ, ଚାଟ୍‌ଜିପିଟି, ମେଟା ଆଦି ଉପକରଣମାନଙ୍କୁ କିପରି ବ୍ୟବହାର କରିବା, ଶିଖିବାକୁ ପଡ଼ିବ। ଉପକରଣ କେବେ ଭୁଲ କରେନାହିଁ; ଭୁଲ କରୁଛୁ ଆମେ, ଯେଉଁମାନେ ଏହାର ସଠିକ୍ ବ୍ୟବହାର ଜାଣୁନାହୁଁ। ଏପରି ଉପକରଣ ଦ୍ୱାରା “ଭାଗବତ” କିମ୍ବା “ବୈଦେହୀଶ ବିଳାସ” ସୃଷ୍ଟି କରିହେବ ନାହିଁ, ଯଦି ଆମେ ଭାଷାର ସୂକ୍ଷ୍ମତା ଓ ବ୍ୟାକରଣକୁ ଉପଯୁକ୍ତ ଭାବରେ ପ୍ରୟୋଗ କରିବା ଶିଖିନାହୁଁ।

-ପ୍ର.ଭୂ


* ଇଦମିତ୍ଥ – ନିଶ୍ଚୟତା (ଇଦଂ + ଇତ୍ଥଂ)

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ୍, ୨୦୨୬ ସଂଖ୍ୟାରେ ପ୍ରକାଶିତ ପ୍ରଶାନ୍ତ ଭୂୟାଁଙ୍କ ନିୟମିତ ସ୍ତମ୍ଭ।)

One thought on “ଇଦମିତ୍ଥ

  1. ଆମ ରାଜଧାନୀରେ ନିର୍ମାଣ କରାଯାଇଥିବା ‘ଅକ୍ଷର ଭୂମି’ରେ ବିକୃତ ଭାବରେ ଲେଖାଯାଇଥିବା ଓଡ଼ିଆ ଭାଷାର ‘“ଌ” ଅକ୍ଷରଟିକୁ ବଦଳାଇବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାର ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି।
    କେବଳ କଥାରେ କହିଦେଲେ ଓଡ଼ିଆ ଅସ୍ମିତା ପ୍ରମାଣିତ ହୋଇଯାଏ ନାହିଁ, କାର୍ଯ୍ୟରେ ମଧ୍ୟ ଏହା ଦିଶିବା ଦରକାର।
    ଏହି ପ୍ରସଙ୍ଗ ଉଠାଇଥିବାରୁ ଶ୍ରୀ ପ୍ରଶାନ୍ତ ଭୂୟାଁଙ୍କୁ ଅନେକ ଧନ୍ୟବାଦ।

Leave a Reply

Your email address will not be published. Required fields are marked *