ଡାଇବେଟିସ୍‌ର ସାଇଡ୍ ଏଫେକ୍ଟ୍

ଡାଇବେଟିସ୍‌ ରୋଗଟା ବିଶ୍ବ ସ୍ତରରେ ଭାରତକୁ ନେଇ ଡାଇବେଟିସ୍ କ୍ୟାପିଟାଲ ରୂପେ ମାନ୍ୟତା ଦେବା କମ୍ ଗୌରବର କଥା ନୁହେଁ।

ଅଭୟ ଦାଶ

ଅଭୟ ଦାଶକୁ ଯେଉଁ ଦିନ ଡାଇବେଟିସ୍ ହୋଇଥିବା ଜଣା ପଡିଲା, ମୁଣ୍ଡଟା ଟିକେ ବୁଲାଇ ହେବାପରି ଲାଗିଥିଲା। ସେତେବେଳକୁ ସିଏ ଡା଼କ୍ତର ହୋଇ କେତେ ବର୍ଷ ଚାକିରି କରିସାରିଥାଏ। କେତେ ରୋଗୀଙ୍କୁ ଦେଖିଛି, ବଞ୍ଚିବା ରାସ୍ତା ବତାଇଛି। କେତେ ପ୍ରଶ୍ନର ଉତ୍ତର ଦେଇଛି। କଦଳୀ, ପଣସ, ଅମୃତଭଣ୍ଡା ଖାଇବି କି ନାହିଁ? ଭାତ ନା ରୁଟି? ସବୁ ସମସ୍ୟାର ସମାଧାନ ଥିଲା ତା’ପାଖରେ। ସେ ସମୟ ଥିଲା ସେମିତି। ସେତେବେଳେ ମେଡିସିନ୍ ବହିରେ ଯାହା ଥିଲା ସେଇ କଥା କହିଦିଏ। ଏକାଳ କଥା ଅଲଗା; ମୋବାଇଲ୍ ଫୋନ୍ ସବୁ କହୁଛି। କଣ ଖାଇବ, କେମିତି ଶୋଇବ, କେମିତି ଡେଇଁବ, ଯୋଗ-ବିଯୋଗ ସବୁର କ୍ଷେତ୍ରଫଳ ଏଇ ମୋବାଇଲ୍ ଭିତରେ। ଇଣ୍ଟରନେଟ୍, ସୋସିଆଲ ମିଡିଆର ସମସ୍ତେ ଡାକ୍ତର ଏଠି। ମାନେ, ଡାକ୍ତରୀ ମେଡ୍ ଇଜି। କିଏ କହେ ସେଉ ଖାଅ, କିଏ କହେ ଆଳୁ କଖାରୁ ସାରୁ ସବୁ ବନ୍ଦ। ନାଲି ଚାହା, ନୋ ମିଲ୍କ୍; ତା ସାଙ୍ଗକୁ ଦି’ଖଣ୍ଡ ଖପରା ବିସ୍କୁଟ। ମୁଢ଼ି, ଚୁଡା ସବୁ ବନ୍ଦ। ଆଜିକାଲି ଆଡଭାଇଜର୍ ବହୁତ। ଯିଏ କିଛି ନଜାଣିଛି ସିଏ ବି ଉପଦେଷ୍ଟା। ସେଥିପାଇଁ କହେ କାହାକୁ କିଛି କହିବ ନାହିଁ। ବିଶେଷତଃ ଆମ ଭୁବନେଶ୍ୱରିଆଙ୍କୁ ବେଶି କିଛି ନ କହିଲେ ଭଲ। ନହେଲେ ଆଡଭାଇସ୍ ଅଜାଡ଼ି ହୋଇପଡିବ; ମାନେ, ପୋତି ପକେଇବେ।
ଏଇ ସୋସିଆଲ ମିଡିଆରୁ ରକ୍ଷା ନାହିଁ। ତା ଉପରେ ଉପଦେଶ, ମାନେ ମୁଣ୍ଡଟା ଖରାପ କରି ଛାଡ଼ି ଦେବେ। କିଏ କହିବ ଏଲୋପାଥି ଛାଡ଼ି ହୋମିଓପାଥିକ ଔଷଧ ଖାଅ; କିଏ କହିବ କବିରାଜି ଔଷଧ ସବୁଠାରୁ ଭଲ। ଏଲୋପାଥିରେ ସାଇଡ୍ ଏଫେକ୍ଟ୍ ବହୁତ। ଆଉ କିଏ କହିବ କଞ୍ଚା ବେଲକୁ ପୋଡ଼ି କରି ଖାଲି ପେଟରେ ଖାଅ, ଦେଖିବ। ସମସ୍ତେ ଗୋଟାଏ ଗୋଟାଏ ଚଳନ୍ତା ଫେରନ୍ତା ଡାକ୍ତରଖାନା।

ଡବ୍ଲ୍ୟୂ.ଏଚ୍.ଓ କହେ ଇଣ୍ଡିଆ, ମାନେ ଭାରତ ହେଉଛି ବିଶ୍ଵର ଡାଇବେଟିସ୍ କ୍ୟାପିଟାଲ। ଆମ ବିଜ୍ଞାନୀମାନେ ସେଇଥିରେ ଭାସିଯାଇ ଆମ ଖାଇବା ପିଇବା ଉପରେ ଏମିତି କଟକଣା ଲାଗୁ କରିଦେଲେ ଯେ ହଲିବାକୁ ବାଟ ନାହିଁ। ଲୁଣରେ ସୋଡିୟମ କମ୍, ଆଳୁରେ ସୁଗାର କମ୍, ଚାଉଳ ଗହମରେ କାର୍ବୋହାଇଡ୍ରେଟ କମ୍, ଦୁଧରେ ଫ୍ୟାଟ୍ କମ୍; ଯିଏ ଯାହା ପାରିଲେ ସବୁ କମାଇ ଚାଲିଲେ। ସବୁ ବେପାର ଆଜ୍ଞା। ଡାଇବେଟିସ୍‌କୁ ନେଇ ବେପାର। ରାତାରାତି କବିରାଜ, ବୈଦ୍ୟ, ହୋମିଓପାଥିକ ଚିକିତ୍ସକ, ଏଲୋପାଥିରେ ଯେତେ ପ୍ରକାର ଡାକ୍ତର ସମସ୍ତେ ହୋଇଗଲେ ଡାଇବେଟୋଲୋଜିଷ୍ଟ୍। ନିଜ ଧନ୍ଦା ସାଙ୍ଗରେ ଆଉ ଦିପଇସା ଉପୁରି ଯାହା ମିଳିଲା। ଏମିତି କି ପଶୁ ଡ଼ାକ୍ତର ବି ମଣିଷ ଡାଇବେଟିସ ବ୍ଲଡପ୍ରେସର ସ୍ପେସିଆଲିଷ୍ଟ୍ ବୋର୍ଡ୍ ଲଗାଇ ବସିଗଲେ। ଯାହା ମିଳିଲା। ଏଗୁଡା ଡାଇବେଟିସ୍‌ର ସାଇଡ୍ ଏଫେକ୍ଟ୍ ନୁହେଁ ତ ଆଉ କଣ? ଆମେ ମେଡିକାଲ କଲେଜରେ ପଢ଼ୁଥିବା ସମୟରେ ଡାଇବେଟିସ୍‌ର ସାଇଡ୍ ଏଫେକ୍ଟ୍ ବା କମ୍ପ୍ଲିକେସନ୍ ଯଥା ଡାଇବେଟିକ୍ ନିଉରୋପ୍ୟାଥି, ରେଟିନୋପ୍ୟାଥି , ନେଫ୍ରୋପ୍ୟାଥିର ନାଁ ଶୁଣିବାପରେ ହୋମିଓପାଥିକ ଚିକିତ୍ସକଙ୍କ ପାଇଁ ଗୋଟିଏ ମୌକା ହାତକୁ ଆସିଗଲା। ଲୋକ ଭାବିଲେ, ଏ ସବୁ ପ୍ୟାଥି ଭିତରେ ହୋମିଓପାଥି ଠିକ୍ ଫିଟ୍ ବସୁଛି। ଭଲ ବେପାର ଜମିଲା, ନୋ ସାଇଡ୍ ଏଫେକ୍ଟ୍ ନାଁ’ରେ। ସେମାନେ କାହିଁକି ପଛରେ ରହିଥିବେ? ଯେଉଁମାନେ ପ୍ରଛଦପଟରେ ଥିଲେ, ଯଥା, ଡାଏଟିସିଆନ୍ ବା ନ୍ୟୁଟ୍ରିସନିଷ୍ଟ୍ , ନୂଆ ଏମ୍.ଏସ୍.ଏମ୍.ଇ ହେଲା କି ନାହିଁ? ତା ପରେ ଆସିଲେ ଫିଜିଓଥେରାପିଷ୍ଟ୍ ସବୁ ପ୍ରକାର ବ୍ୟାୟାମ ଏକ୍ସର୍ସାଇଜ୍ କରାଇ ଅଧିକ କ୍ୟାଲୋରୀ ଝାଡ଼ିବା ଦାୟିତ୍ୱ ଏମାନଙ୍କ ହାତରେ। ମୋଟ ଉପରେ ବେପାର ଜମିଆସିଲା। ଭଲ ସାଇଡ୍ ଏଫେକ୍ଟ୍ ଆମ ଦେଶର ଅର୍ଥନୀତିକୁ ସୁଦୃଢ କରିବାରେ। ତା ସାଙ୍ଗକୁ ଯୋଗ। ଯେତେ ଅଣ୍ଡରଗ୍ରାଉଣ୍ଡ୍ ବାବା ଥିଲେ, ସବୁ ପଦାକୁ ଆସିଗଲେ। ଯୋଗ ଯାଇ ଇଣ୍ଟରନେସନାଲ୍ ସ୍ତରରେ ପହଞ୍ଚି ୟୁନାଇଟେଡ଼ ନେସନ୍ ମାନ୍ୟତା ପାଇସାରିଲାଣି। ସବୁ ଡାଇବେଟିସ୍‌ର ଦାନ, କହନ୍ତି ସ୍ବାମୀ ଅଭୟାନନ୍ଦ।
ଏ ଡାଇବେଟିସକୁ ଏପରି ସ୍ଥିତିରେ ପହଞ୍ଚାଇବାରେ କେ.ଏଫ୍.ସି, ଡୋମିନୋଜ୍, ମାକ୍‌ଡୋନାଲ୍ଡ, ପିଜାହଟ୍, ସ୍ବିଗି , କୋକାକୋଲା, ପେପ୍‌ସି, ଅଙ୍କଲ ଚିପ୍ସ୍, ଗୋଲଗପା, ଆଇସ୍‌କ୍ରିମ୍ ଆଦିଙ୍କ ଅବଦାନ ଯେତେ, ତା’ଠାରୁ ଅଧିକ କଣ୍ଟ୍ରିବ୍ୟୁସନ୍ ହେଲା ମା’ମାନଙ୍କର । ଯୁଗେ ଯୁଗେ ମା’ମାନେ ପିଲାଙ୍କୁ ଅଧିକ ଚର୍ବି ଜାତୀୟ ଫ୍ୟାଟ୍, ସର୍କରା ଜାତୀୟ କାର୍ବୋହାଇଡ୍ରେଟ୍, ମିଠା ପିଠା ଖୁଆଇଆସିଛନ୍ତି। ସିଏ ମା’ ଯଶୋଦା ହୁଅନ୍ତୁ, କି ଆମ ମାଆ ଓ ଆମ ଝିଅମାନେ ଯେଉଁମାନେ ମା ହୋଇ ଗଲେଣି, ଓଭର ଓଏଟ୍ ସନ୍ତାନ ପ୍ରସ୍ତୁତ କରିବା ଦାୟିତ୍ବ ଯେପରି ସମସ୍ତଙ୍କ ଉପରେ ନ୍ୟସ୍ତ ଅଛି। ଉଦାହରଣ ସଦୃଶ କୃଷ୍ଣ ମଥୁରା ଯିବା ପରେ ମା ଯଶୋଦା କେତେ ବାହୁନିଛନ୍ତି? ଯଥା, “ସର ଲବଣୀ ଅଧାମ ପକ୍ୱରମ୍ଭା ସୁଧାସମ, ମୁଖେ ଦେଲେ ଥୁଥୁ କରି ଫିଙ୍ଗୁ।“ ମହାପ୍ରଭୁ ବାଲ୍ୟ କାଳରୁ ଏତେ ସର ଲବଣୀ ଦହି, ମାନେ ଦୁଗ୍ଧ ଉତ୍ପାଦନ ବା ମିଲ୍କ୍ ପ୍ରଡକ୍ଟ ଯାହା ଆମ ମେଡିକାଲ ଭାଷାରେ ସାଚୁରେଟେଡ୍ ଫ୍ୟାଟିଏସିଡ୍ ଖାଇ ଭବିଷ୍ୟତର ମା’ମାନଙ୍କୁ ବାଟ ଦେଖାଇଦେଲେ ଯେ ପିଲାଙ୍କୁ ଖୁବ୍ ଖାଇବାକୁ ଦିଅ। ଏହା ଦେଖି ଅମୁଲ୍ କମ୍ପାନୀ କହିଲା, ”ଅଟର୍ଲି ବଟର୍ଲି ଡେଲିସିୟସ୍।” ଆମ ଅଭୟ ଦାଶ ନିଜ ବୋଉକୁ ମନେ ପକେଇ ହସୁଥାଏ । ବୋଉ କେମିତି ବେକ ସଂଢା ମାଡ଼ି ବସି ପୁଳାଏ ଭାତ ଘିଅ ଆଉ ଆଳୁ ଚକଟା ଗିଳଉଥିଲା। ଓଭର ଇଟିଂ ସାଙ୍ଗକୁ ଓଭର ଓଏଟ୍ ଦେଖି ବୋଉ ମୋର କେତେ ଖୁସି ହେଉଥିଲା। ଆଜି ବଞ୍ଚିଥିଲେ ପୁଅର ଡାଇବେଟିସ ଓ ତଜ୍ଜନୀତ କମ୍ପ୍ଲିକେସନ୍ ଦେଖି କେତେ ଦୁଃଖ ପ୍ରକାଶ କରୁଥାଆନ୍ତା, ଅନୁମାନ କରାଯାଏ। ଆମେ ସବୁ ଗାଁ’ବାଲା ସେଇ ପଖାଳ, ଗରମ ଭାତ ଘିଅ ଦୁଧ ଆଳୁ ପିଠା ଖାଇ ମଣିଷ ହୋଇଛୁ। ମଣିଷ କ’ଣ, ଫିଜିକାଲି ଅନ୍‌ଫିଟ୍ ଜୀବଟିଏ ହୋଇ ବଞ୍ଚି ରହିଛୁ । ଡାକ୍ତରଖାନାରେ ପଇସା ବୁଡ଼ାଇ ଜିମ୍‌ରେ ସମୟ କଟାଇଚାଲିଛୁ। ଆଜିର ମା’ମାନେ ପିଲାଙ୍କୁ ଚକୋଲେଟ୍, ଚିପ୍ସ, ପିଜା, ବର୍ଗର, ରୋଲ୍, ମୋମୋ ଖୁଆଇ ଖୁସି ହେଉଛନ୍ତି। ପିଲାଟିର ଥନ୍ତଲ ପେଟଟି ମା’ମାନଙ୍କୁ କି ଆନନ୍ଦ ଦେଉଛି ସେମାନେ ଜାଣନ୍ତି। ସେମାନଙ୍କୁ ରୋଷେଇ ଘର ଭିତରୁ ଆଣି କିଟି ପାର୍ଟି,ସମାଜ ସେବା, ରାଜନୀତି ଆଦି ଭିତରେ ଠିଆ କରାଇଦେଇ ମହିଳା ସଶକ୍ତିକରଣ ଯୋଜନାକୁ ସଫଳତାର ଚରମ ସୀମାରେ ପହଞ୍ଚାଇ ଦେଇପାରିଛି। ଏହା ଅତ୍ୟନ୍ତ ଗର୍ବର ବିଷୟ ଓ ଏକ ମହାନ ସାଇଡ୍ ଏଫେକ୍ଟ୍ ବୋଲି କହିପାରନ୍ତି।
ସ୍ବାମୀ ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେସନ୍‌ର ରିସର୍ଚ୍ଚରୁ ଜଣାପଡ଼େ, ଡାଇବେଟିସ ରୋଗଟା ବିଶ୍ବ ସ୍ତରରେ ଭାରତକୁ ନେଇ ଡାଇବେଟିସ୍ କ୍ୟାପିଟାଲ ରୂପେ ମାନ୍ୟତା ଦେବା କମ୍ ଗୌରବର କଥା ନୁହେଁ। ଡାଇବେଟିସ୍ ଓ ବ୍ଲଡପ୍ରେସର,ଏ ଦୁହିଁଙ୍କ ଗଠବନ୍ଧନ ଆମ ମେଡିକାଲ ସାଇନସ୍‌କୁ କେଉଁଠୁ ନେଇ କେଉଁଠି ଠିଆ କରାଇଦେଇଛି, ଭାବିବା କଥା। ଆମ ଅର୍ଥନୀତିକୁ କେତେ ସମୃଦ୍ଧ କରିପାରିଛି ଏଇ ଗୋଟିଏ ରୋଗ ତାହା ବିଚାରକୁ ନିଆଯାଉ । ଯଥା ଡାଇବେଟିକ୍ କମ୍ପ୍ଲିକେସନ୍‌ମାନଙ୍କ ଆବିର୍ଭାବ ଫଳରେ କେତେ ବୈଜ୍ଞାନିକ ପଦ୍ଧତି ଓ ବ୍ୟବସାୟର ଉନ୍ନତି ହୋଇଛି। ଘରେ ବସି ବ୍ଲଡ୍ ସୁଗାର ବ୍ଲଡ୍ ପ୍ରେସର ଯନ୍ତ୍ର ଉପଲବ୍ଧ। ଦେଶର ବୈଷୟିକ ଜ୍ଞାନ କୌଶଳର ଉପଯୋଗ ଫଳରେ ଜ୍ଞାନ ବିଜ୍ଞାନ ଇକୋନୋମି ସବୁ ଆଗକୁ ବଢ଼ିବାରେ ସହଯୋଗ ମିଳିଛି। ଇସିଜି, ଇକୋ ଡାଇଆଲିସିସ୍ ଆଦି କେତେ ନୂଆ ମେସିନ ଆସିଛି।
ସାମାଜିକ ସ୍ତରରେ ଜାଗରୁକତା ବଢ଼ିଛି । ଏ କଥା ଆମେ କାହିଁକି କହୁଛୁ କି ଆମେ କେହି ବନ୍ଧୁ ଘରକୁ ଗଲେ ଆମର ବୋହୁ ସ୍ଥାନୀୟ ପୁତୁରା ବୋହୁ ଚାହା କପେ ଦେବା ପୂର୍ବରୁ ପଚାରୁଛନ୍ତି, ଚିନି? ଆମେ କହିବା ପୂର୍ବରୁ ତାଙ୍କ ଶାଶୁ ସେଇଠି କଥାଟାକୁ ସହଜ କରିବାକୁ ଯାଇ କହିଦିଅନ୍ତି, ”ନାଇଁ ସିଏ ପରା ଡାଇବେଟିସ୍ ବାଲା।“ ହଁ ଆମପାଇଁ ଗୋଟିଏ ନୂଆ ଉପାଧି ବା ଡେଜିଗ୍ନେସନ୍, ”ଡାଇବେଟିସ ବାଲା“, ଯେମିତି ”ରିକ୍ସା ବାଲା , ଫେରି ବାଲା।” ତା’ମାନେ ସାମାଜିକ ଚଳଣିରେ କେତେ ପରିବର୍ତ୍ତନ ଆଣିଦେଇଛି ଡାଇବେଟିସ୍‌?
ଆମ ରିସର୍ଚ୍ଚକୁ ଏକାଠି କରି ଏହି ଉପସଂହାରରେ ପହଞ୍ଚିଛୁ ଏ ଡାଇବେଟିସ୍ ଆମକୁ ଆମ ସମାଜରେ ବୈଜ୍ଞାନିକ, ସାମାଜିକ, ଆର୍ଥିକ, ଅର୍ଥନୈତିକ ଓ ବୈଷୟିକ ସ୍ତରରେ ବାନ୍ଧିରଖିଛି। ଫଳରେ ଆମର ଆୟୁ ବୃଦ୍ଧି ପାଇଁ ନାନା ଉପାୟର ଉଦ୍ଭାବନ କରିବାରେ ସାହାଯ୍ୟ କରିପାରିଛି। ଡାଇବେଟିସ୍‌କୁ ଆଧାର କରି ବ୍ଲଡପ୍ରେସର, ହାର୍ଟ ଡିଜିଜ୍, କିଡନୀ ଲିଭର ଡିଜିଜ୍ ଆଦି ଅନେକ ସାହାଯ୍ୟକାରୀ ରୋଗ ବା ଆସେସରି ଆନ୍ସିଲାରି ଇଣ୍ଡଷ୍ଟ୍ରି ଗଢ଼ିଉଠିଥିବା ଦେଖାଯାଏ।
ଏହା ସ୍ବାମୀ ଅଭୟାନନ୍ଦଙ୍କର ନିଜ ମତ। ଏହାକୁ ଆପଣ ଗ୍ରହଣ କରି ନ ପାରନ୍ତି।

One thought on “ଡାଇବେଟିସ୍‌ର ସାଇଡ୍ ଏଫେକ୍ଟ୍

  1. ଖୁବ ସୁନ୍ଦର ଲେଖା। ସ୍ୱାସ୍ଥ୍ୟ ଆଉ ଔଷଧକୁ ନେଇ ଯେଉଁ କେଳେଙ୍କାରୀ, ଖୁବ୍ ଚମତ୍କାର ଭାବରେ ବର୍ଣ୍ଣିତ ବ୍ୟଙ୍ଗ ଆକାରରେ। ଲେଖକଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *