ତୁ ସବୁ ପାରିବୁ ଜେଜେମା

ଏ ଯେଉଁ ଖୁସି ଆଜି ମୋ’ ଭାଗ୍ୟକୁ ଆସିଛି, ସେ ଆଉ ଚାଲିନଯାଉ – ହଁ, ମୋର ଆଉ କେତେଦିନ?

ସଂଘମିତ୍ରା ମିଶ୍ର

ପ୍ରଥମ ଦୃଶ୍ୟ:
(ସଂଧ୍ୟାବେଳ- ଜେଜେମା ଭାରତୀ ଡାକିଲେ ନାତୁଣୀ ଆଦ୍ୟାକୁ। ଆଦ୍ୟା +୩ର ଛାତ୍ରୀ)
ଭାରତୀ- ଆରେ ମା, ଟିକେ ଆସିବୁ। ତୋ’ର ମୋ’ର କଥାବାର୍ତ୍ତା ଅଛି।
ଆଦ୍ୟା- କ’ଣ ସିକ୍ରେଟ୍‌? ହଉ ମୁଁ ଆସେ।
ଭାରତୀ- ମା’ରେ ଦେଖିଲୁ, ମୋ’ର ମୋବାଇଲକୁ ମେସେଜ୍ ଆସିଛି। ମତେ ସମ୍ବର୍ଦ୍ଧନା ଦିଆହେବ।
ଆଦ୍ୟା- (ମୋବାଇଲ ଦେଖି) ତୁମେ ଏତେ ଡରୁଛ କ’ଣ। ଏତ ଆମ ସମସ୍ତଙ୍କର ଗୌରବ। (ଜାକି ପକାଇଲା)
ଭାରତୀ- ନାଇଁରେ ମା’ ଗୋଟେ ନିଉଜ ପଢ଼ିଲି ‘କୃଷ୍ଣା ଫାଉଣ୍ଡେସନ’ ରିଟାୟାର୍ଡ ମଣିଷମାନଙ୍କ ପାଇଁ କବିତା ପୁରସ୍କାର ଦେବେ। ମୁଁ କାହାକୁ କିଛି ନ କହି ମୋର ଗୋଟେ କବିତା ପଠାଇ ଦେଇଥିଲି।


ଆଦ୍ୟା- ଭଲ ଭଲ – ଦେଖ ମୁଁ ଓଡ଼ିଆ ଟାଇପ୍ ଶିଖାଇ ଦେଇଥିଲି ବୋଲି ସିନା।
ଭାରତୀ- ଏବେ କ’ଣ କରିବା?
ଆଦ୍ୟା- ଏଇ କୋଣାର୍କ ତ। ସମସ୍ତେ ଯିବା। ତୁମେ ସମ୍ବର୍ଦ୍ଧିତ ହେବ। ବାବା, ମା, ମୁଁ, ଭାଇ ସମସ୍ତେ ଥିବୁ। ତାଳି ମାରିବୁ। ଗୋଟେ ଆଉଟିଙ୍ଗ ହୋଇଯିବ।
ଭାରତୀ- ତୋ’ର ତ ଏଇକଥା- ମତେ ଭାରି ଲାଜ ମାଡୁଛି।
ଆଦ୍ୟା- କେତେବର୍ଷ ପିଲାଙ୍କୁ ପଢ଼ାଇଲ କହ ତ। ପୁଣି ଆମକୁ ବି ସମ୍ଭାଳିଲ। ଆଜି ଡର ଲାଗୁଛି। (ଡାକିଲା) ବାବା, ମାମା ସମସ୍ତେ ଆସ।
ରମା- ଆରେ କାହିଁକି ଡାକୁଛୁ? ମୁଁ ପରା ଚାହା ଛାଣୁଥିଲି।
ରବୀନ୍ଦ୍ର- କ’ଣ ହେଲା କହ?
ଆଦ୍ୟା- ଆମ ଜେଜେମା ଭାରତୀ ଦେବୀ କବିତା ପାଇଁ ସମ୍ବର୍ଦ୍ଧିତା ହେବେ ଏଇ ମାସ ୧୨ ତାରିଖରେ – ଆମେ ସମସ୍ତେ କୋଣାର୍କ ଯିବା। ଭାଇକି କହିବ ଆସିବୁ।
ରବୀନ୍ଦ୍ର- କଂଗ୍ରାଚୁଲେସନ ବୋଉ। (ଆଦ୍ୟାକୁ) ଜାଣିଛୁ ଝିଅ, ତୋ’ ଜେଜେମା ଭାରି ଟାଲେଣ୍ଟେଡ୍। ମତେ ଓଡ଼ିଆ ରଚନା କହିଦିଅନ୍ତି। ଇଂରାଜୀ ପଢ଼ାନ୍ତି। ମୁଁ ନିଶ୍ଚେ ଡିବେଟ୍‌ରେ ଫାଷ୍ଟ ହବାଟା ଥୟ। ତାଙ୍କର ତ ସ୍କୁଲ କାମ ଥାଏ।
ଆଦ୍ୟା- ଏତେ ଟାଲେଣ୍ଟ ଥାଇ ବି ଜେଜେମା ଅନ୍ଧାରରେ? ହାୟ ଆମ ରାଜ୍ୟ।
ଭାରତୀ- ସେତେବେଳେ ସମୟ ସେଇଆ ଥିଲାରେ ମାଆ।
ରମା- ହଁ, କେତେ ଝିଅ ଆମ ବୋଉଙ୍କ ପରି ଇଚ୍ଛା ନଥାଇ ପାଠ ଛାଡ଼ିଥିବେ। ଆମେ ବାହାଘର ପରେ ପଢ଼ାଇବୁ କହି ପରେ ଏଡ଼ାଇ ଦେଇଥିବେ ଶାଶୂଶ୍ୱଶୁର। ପିଲାଜଞ୍ଜାଳ ଆସିଥିବ। ବାସ୍ ପଡ଼ି ଯାଇଥିବ ପାଦରେ ବେଡ଼ି। କଟି ଯାଉଥିବ ଗୋଟି ଗୋଟି ପର। (ଭାବପ୍ରବଣ ହେଲେ)।
ଭାରତୀ- ଆରେ ମା’ ତୁ ତ ବାହାଘର ପରେ ପାଠ ପଢ଼ିପାରିଲୁ। ମୁଁ ତୋ’ ଲାଗି ଲଢ଼ିଥିଲି। କାହା କଥା ଭାବି ଏତେ ଭାବପ୍ରବଣ କାହିଁକି ହେଉଛୁ?
ଆଦ୍ୟା- ଆମେ ୧୨ ତାରିଖ ସକାଳୁ ବାହାରିଯିବା। କୋଣାର୍କ ବୁଲିବା। ତା’ପରେ ସଭା ଜାଗାକୁ ଯିବା। ସଭା ପରେ ଜଗନ୍ନାଥ ଦର୍ଶନ କରି ଫେରିବା।
ରବୀନ୍ଦ୍ର- ବୋଉର ଏତେ ଟାଲେଣ୍ଟ ଥିଲା। ମୁଁ ହତଭାଗା ଜାଣିପାରିଲିନି।
ଭାରତୀ- ଆରେ ଏତେ ମନ ଖରାପ କାହିଁକି କରୁଛୁ? ମୁଁତ ଖବରଟା ପଢ଼ି ଆଗ ହସିଲି। ରିଟାୟାର୍ଡ ବ୍ୟକ୍ତିମାନଙ୍କର କବିତା ମାଗିଥିଲେ ଆୟୋଜକମାନେ। ଏମିତି କଥା ଆଗରୁ ଶୁଣି ନଥିଲି ତ!
ରମା- କବିତା ପାଠୋତ୍ସବର ଏବେ ଘରଗହଳି, ତାକୁ ଏଡ଼ାଇବାକୁ ଏ ବ୍ୟବସ୍ଥା – ଭଲ ହେଲା। (ଆଦ୍ୟା ଗୋଟେ ସୁନ୍ଦର ମଲାଟଦିଆ ବାଇଣ୍ଡିଂ ଖାତା ଆଣି ଆସିଲା)
ଆଦ୍ୟା- ଦେଖ, ଆମ ଜେଜେ ମା’ଙ୍କର କବିତା ଖାତା। ଆହୁରି କେତେ ଅଛି ଏମିତି। ଏଇଟା ସୁନ୍ଦର ଦିଶିଲା ବୋଲି ନେଇଆସିଲି।
ରବୀନ୍ଦ୍ର- ଦେଖାଇଲୁ ଦେଖାଇଲୁ ଝିଅ। ମୁଁ ତ ଅଯୋଗ୍ୟ ପୁଅ ଲୋ ବୋଉ। ଦିନେ ଭାବିନି ତୁ ଏମିତି ଲେଖି ସଜାଡ଼ି ରଖିଥିବୁ। ଖାଲି ଜାଣିଥିଲି ତୁ ପାଠ ପଢ଼ାଉ।
ଭାରତୀ- କେତେ ସ୍ତ୍ରୀ ଲୋକ ଏମିତି ନିରବରେ ମରିଯାଆନ୍ତି ବି। କେହି ତାଙ୍କୁ ଦେଖନ୍ତି ନାହିଁ। ବୁଝିବା ତ ଦୂରର କଥା- ମୋ’ ଭାଗ୍ୟ – ତୁମେମାନେ ମୋ’ କଥା ଭାବୁଛ। ମୁଁ ବି ନିଜ ପରିଚୟ ତିଆରି କରିଛି।
ରମା- ଆଉ ଚାରିଟା ଦିନ ରହିଲା। ମତେ ତ ଉତ୍ସବ ଭଳି ଲାଗୁଛି।
ଆଦ୍ୟା- ଆଜି ଭଲ ରୋଷେଇ ହେଉ। (ସମସ୍ତେ ହସିଲେ)
ଦ୍ୱିତୀୟ ଦୃଶ୍ୟ:
(ପରଦିନ ସଂଧ୍ୟା ସମୟ: ଅଫିସ୍‌ରୁ ଫେରିଲେ ରବୀନ୍ଦ୍ର)
ରବୀନ୍ଦ୍ର- ଆରେ ରମା ଏଇଠିକି ଆସ। ଝିଅ ଫେରିଲାଣି କି ନାହିଁ?
ରମା- (ହାତ କାନିରେ ପୋଛି ପୋଛି ଆସିଲେ) କ’ଣ ହେଲା?
ରବୀନ୍ଦ୍ର- ମୋ’ ବ୍ୟାଗ୍ ଖୋଲିଲ। (ରମା ବ୍ୟାଗ୍ ଖୋଲିଲା)
ରମା- ଆରେ ବାଃ କି ସୁନ୍ଦର ଶାଢ଼ି। ବୋଉଙ୍କୁ ଭାରି ମାନିବ। ଦେଖିଲ ବୋଉ।
ଭାରତୀ- ମୋ’ର କ’ଣ ହବ କହିଲୁ? ସ୍କୁଲ ଯାଉଥିଲି ବୋଲି ସବୁଦିନ ଦରକାର ହେଉଥିଲା। ଏବେ ତ ୫/୬ ବର୍ଷ ହେଲା ଘରେ।
ରମା- ଆପଣ ଏଇ ଶାଢ଼ି ପିନ୍ଧି ମଞ୍ଚକୁ ଯିବେ – ସମ୍ବର୍ଦ୍ଧନା ଗ୍ରହଣ କରିବେ।
(ଆସିଲା ଆଦ୍ୟା।)
ଆଦ୍ୟା- ବାଃ ଭାରି ସୁନ୍ଦର ଶାଢ଼ି। ମୁଁ ଆମ ଟେଲର ଶୋଭାକୁ ଫୋନ୍ କରିଦେଉଛି। ସେ ଯେମିତି ୩ ଦିନରେ ବ୍ଲାଉଜଟା କରିଦେବ।
ରମା- ତୁ ନେଇଯା ଦେଇଦେବୁ। ବୋଉଙ୍କ ମାପ ତା’ ପାଖରେ ଅଛି। (ଭିତରକୁ ଗଲେ)
ରବୀନ୍ଦ୍ର- ମୁଁ ଏଥର ଯାଏ। ସମସ୍ତଙ୍କ ମନକୁ ଶାଢ଼ିଟା ପାଇଲା। ମୁଁ ଭାରି ଖୁସି।
ଆଦ୍ୟା- ଆଲୋ ଏ ତ ଗଲା ପୋଷାକପତ୍ର କଥା। ଆଉ ଅସଲ କଥା ତୁ ତ କିଛି କହୁନୁ?
ଭାରତୀ- ଆଉ କ’ଣ?
ଆଦ୍ୟା- ତତେ ଯଦି କହିବେ ୨/୩ ମିନିଟ୍ କହିବାକୁ। ତୁ କ’ଣ କହିବୁ?
ଭାରତୀ- ସତେ ତ! କ’ଣ କହିବି? ଏ ତ ସ୍ୱାଧୀନତା ଦିବସ କି ଗୁରୁଦିବସ ନୁହେଁ ନା। ପୁଣି ସ୍କୁଲ ବି ନୁହେଁ। ତୁ ଟିକେ ଶିଖାଇଦେବୁ ନା!
ଆଦ୍ୟା- ଆଲୋ ଜେଜେମା – ସମସ୍ତେ ଶିକ୍ଷକତା କରିବାକୁ ଡରନ୍ତି। ମୁଁ ଜାଣେ। ଗୋଟାଏ ପିଢ଼ିକୁ ଗଢ଼ିବା ପାଇଁ କେତେ ନିଷ୍ଠା ଲୋଡ଼ା ଭାବିପାରୁଛୁ ତ?
ଭାରତୀ- ହଁ, ଯେ ଯାହା ଭାଗ୍ୟ ନେଇ ଜନ୍ମ ହୋଇଛନ୍ତି।
ଆଦ୍ୟା- ନାଇଁ, ଶିକ୍ଷକମାନେ ଓଦା କାଦୁଅରୁ ମୂର୍ତ୍ତି ଗଢ଼ନ୍ତି। ପିଲାଙ୍କ ଭିତରେ ଥିବା ଟାଲେଣ୍ଟକୁ ବୁଝି ସେଇ ଅନୁସାରେ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରନ୍ତି ପରା।
ଭାରତୀ- ହେଲା, ସେ ସବୁ ଥାଉ। ତୁ ଆଗ ମୋତେ ପ୍ରସ୍ତୁତ କର। ଯାହା ଦି’ପଦ କହିବି, ଯେମିତି ଠିକ୍‌ଠାକ୍ କହେ।
ଆଦ୍ୟା- ତୁ ନିଶ୍ଚେ ପାରିବୁ, ମୁଁ ଜାଣେ। ଯଦି ପଚାରିବେ ଆପଣଙ୍କର କି କି ବହି ଅଛି, ତୁ କହିଦେବୁ ଯନ୍ତ୍ରସ୍ଥ ଅଛି।
ଭାରତୀ- ମାନେ?
ଆଦ୍ୟା- ଆରେ ଛପା ଚାଲିଛି ବୋଲି କହିଦେବୁ। ବାବା କାଲିଠୁ କହିଛନ୍ତି, ତୋ’ର ଶୀଘ୍ର ଗୋଟାଏ ବହି ଛପା ହେବ।
ଭାରତୀ- ସତ କହୁଛୁ? ମୋର ବହି? ମୁଁ ତାକୁ ହାତରେ ଧରିବି- ତା’ ବାସ୍ନା ଶୁଂଘିବି।
ଆଦ୍ୟା- ଆଲୋ ବାୟାଣୀ ହୋଇଯିବୁ କି? (ଟିକେ ରହି) କହିଦେବୁ ମଞ୍ଚରେ ବସିଥିବା ସମସ୍ତଙ୍କୁ ମୋର ନମସ୍କାର। ମଞ୍ଚତଳେ ଥିବା ଆପଣମାନଙ୍କୁ ନମସ୍କାର। ମୁଁ ଏଠି ଠିଆ ହୋଇଛି ମା’ ସରସ୍ୱତୀଙ୍କ କୃପାରୁ…
ଭାରତୀ- ମୋ’ ପରିବାର କଥା କହିବି ଦି’ପଦ। ତୋ’ ଜେଜେଙ୍କୁ ମନେପକାଇବି। ତୁମମାନଙ୍କ କଥା କହିସାରି ମୋ’ ପାଠକମାନଙ୍କୁ… ଆରେ ମୋର ଅବା ପାଠକ କାହାନ୍ତି? ମୋତେ ଡାକୁଥିବା ବ୍ୟକ୍ତିମାନଙ୍କୁ ଆଉ ମୋତେ ସମ୍ବର୍ଦ୍ଧିତ କରିଥିବା କୃଷ୍ଣା ଫାଉଣ୍ଡେସନକୁ ଧନ୍ୟବାଦ ଦେବି।
ଆଦ୍ୟା- ହେଲା ତ। ଭାରି ସୁନ୍ଦର। ମୋ’ ଜେଜେମା ସୁନ୍ଦରୀ ବୁଦ୍ଧିମତୀ। ପୁଣି ଅଶେଷ କଳ୍ପନା ଶକ୍ତିର ଅଧିକାରିଣୀ।
(ଆସିଲେ ରବୀନ୍ଦ୍ର ବାବୁ)
ରବୀନ୍ଦ୍ର- ଆରେ ମା’ ଜାଣିଲୁଣି ନାଁ। ଏ ‘କୃଷ୍ଣା ଫାଉଣ୍ଡେସନ’ ଜଣେ ଏପରି ମହିଳାଙ୍କ ନାଁରେ ହୋଇଛି, ଯିଏ ପାଠ ପଢ଼ିଥିଲେ ଅଥଚ ତାଙ୍କର ଡିଗ୍ରୀ ନଥିଲା। ଯିଏ ଅନୁଷ୍ଠାନ ଚଳାଉଥିଲେ ଅଥଚ ତାଙ୍କର ନାଁ ନଥିଲା। ସମସ୍ତେ ତାଙ୍କୁ ମା’ ଡାକୁଥିଲେ। ତାଙ୍କର ସନ୍ତାନ ନଥିଲା, ଆଉ ସମସ୍ତେ ତାଙ୍କ ଲେଖା ଗୀତ ଗାଉଥିଲେ। ତାଙ୍କ ଗପ ପତ୍ରିକାରୁ ପଢ଼ୁଥିଲେ। ଅଥଚ ତାଙ୍କର ବହିନଥିଲା। ସେଥିପାଇଁ ତାଙ୍କ ପରିବାର ଲୋକେ ଏମିତି ଏକ କବିତା ପାଠୋତ୍ସବ ଓ ବୟସ୍କାମାନଙ୍କୁ ‘କୃଷ୍ଣା ଫାଉଣ୍ଡେସନ’ ତରଫରୁ ସମ୍ବର୍ଦ୍ଧିତ କରୁଛନ୍ତି ପରା।
ଶେଷ ଦୃଶ୍ୟ:
(ସମସ୍ତେ ଘରୁ ବାହାରୁଛନ୍ତି। ଗାଡ଼ି ଗ୍ୟାରେଜରୁ କଢ଼ା ସରିଲାଣି)
ରବୀନ୍ଦ୍ର- ଆରେ ତୁମେ ତ ସମସ୍ତେ ଆସିଲ, ବୋଉ କାହିଁ?
ଆଦ୍ୟା- କହିଲା ତ ତୁମେ ଚାଲ। ମୁଁ ଆସୁଛି।
ରବୀନ୍ଦ୍ର- ମୁଁ ଦେଖୁଛି ଯାଇ। (ଗଲେ) (ଫେରିଲେ ଦଶ ମିନିଟ୍ ଭିତରେ ଭାରତୀଙ୍କ ହାତଧରି) (ଆଦ୍ୟାକୁ) ଜାଣିଲୁ ମା’, ତୋ’ ଜେଜେମା ଠାକୁର ଘରେ ବସି କାନ୍ଦୁଥିଲା।
ଭାରତୀ- ନାଇଁ ମ ଏମିତି…
ରମା- ମୁଁ ଜାଣିପାରୁଛି ବୋଉ ଆପଣଙ୍କ ମାନସିକତା।
ଭାରତୀ – ନାଇଁରେ ମା ଏ ଯେଉଁ ଖୁସି ଆଜି ମୋ’ ଭାଗ୍ୟକୁ ଆସିଛି, ସେ ଆଉ ଚାଲିନଯାଉ – ହଁ, ମୋର ଆଉ କେତେଦିନ?
ରବୀନ୍ଦ୍ର- ଆରେ ବୋଉ। ତତେ ଅବା କି ବୟସ ହୋଇଛି – ଚାଲିଯିବାକୁ ବାହାରିଲେ କେହି ଚାଲିଯାଇପାରିବେନି। ବରଂ ଜୀବନର ଏ ଗୋଟେ ଅଧ୍ୟାୟ ବୋଲି ଭାବେ।
ଆଦ୍ୟା- କହିଲୁ ଜେଜେମା- ଷ୍ଟେଜରେ କ’ଣ କହିବୁ?
ଭାରତୀ- ଆରେ ମୋର ମନେପଡୁନି ତ? ସବୁ ଗୋଳେଇ ହେଇଯାଉଛି।
ରବୀନ୍ଦ୍ର- ତୁ ପାରିବୁ ବୋଉ। ୟୁ କ୍ୟାନ୍ ଡୁ ଇଟ୍‌, ଆଇ ନୋ।
ରମା- ବୋଉ ଆପଣ ପାରିବେ ବୋଉ – ଏ ତ ଆରମ୍ଭ- ଆଗକୁ ଆହୁରି ଅନେକ ଜାଗାରେ ଏମିତି …… କହିବାକୁ ପଡ଼ିବ।
ଆଦ୍ୟା- ଠିକ୍ କଥା – ଜେଜେମା। ତୁମେ ଆଜିର ମୁଖ୍ୟ ଚରିତ୍ର। ତୁମକୁ ସମ୍ବର୍ଦ୍ଧନା ମାନେ ଆମ ସମସ୍ତଙ୍କୁ ସମ୍ବର୍ଦ୍ଧନା। ଭାଇ ଯାହା ଆସିପାରିଲାନି। ହଉ ତାକୁ ଫଟୋ ସବୁ ପଠାଇଦେବି। ଏବେ ମା’ ସରସ୍ୱତୀଙ୍କୁ ପ୍ରଣାମକରି ଚାଲ। ତୁମେ ପାରିବ। ତୁମେ ହିଁ ପାରିବ ଜେଜେମା।
(ଜେଜେମା ଦି’ ହାତ ଯୋଡ଼ି ମୁଣ୍ଡରେ ଲଗାଉଥିଲେ।)

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)

Leave a Reply

Your email address will not be published. Required fields are marked *