ବିଚ୍ଛେଦ ଓ ବିଫଳତାକୁ ଜୀବନର ଚମତ୍କାର ଦୁଃଖ କୁହାଯାଏ। ବିଫଳତା ନଥିଲେ, ପୃଥିବୀରେ ଭାଷା ଥିଲେ ମଧ୍ୟ ସାହିତ୍ୟ ଲେଖା ହୋଇନଥାନ୍ତା।

ଆମେ ସମସ୍ତେ ବଂଚୁଛୁ ସମ୍ପର୍କସବୁ ଭାଙ୍ଗିଯାଉଥିବାର ଗୋଟେ ଯୁଗରେ। ଶ୍ରଦ୍ଧା, ସମ୍ପର୍କ, ଭଲପାଇବା, ଅର୍ଥ, କ୍ଷମତା, ଅଧିକାର, ଯଶ କାହାର ବି ମୂଲ୍ୟ ନାହିଁ ଏଠାରେ। ସମୟ ଆସିଲେ ସବୁକିଛି ଭାଙ୍ଗିଯାଏ। ସବୁକିଛି ଚୁରମାର ହେଇଯାଏ। ସବୁକିଛି ଏଠି କ୍ଷଣ ଭଙ୍ଗୁର। ସ୍ୱାମୀ ସ୍ତ୍ରୀର ସମ୍ପର୍କ, ପିତାପୁତ୍ରର ସମ୍ପର୍କ, ମାଆର ମମତା, ଭଉଣୀର ସ୍ନେହ, ବନ୍ଧୁର ସଦିଚ୍ଛା, ପ୍ରଣୟର ମଧୁରତା ସବୁକିଛି ଫିକା ପଡ଼ିଯାଏ କେତେ ଦିନପରେ।
ଏହାହେବା ସ୍ୱାଭାବିକ ମଧ୍ୟ। ଜୀବନରେ ଅବସୋସ ନରହିଲେ, ଜୀବନରେ ସ୍ୱଗତୋକ୍ତି ନ ଆସିଲେ, ମଣିଷ ଜୀବନର ସବୁସ୍ୱପ୍ନ ସତ ହୋଇଗଲେ, ବଞ୍ଚିବାର ଆବେଗ ନାହିଁ। କାହିଁ ଆଉ ଭାବପ୍ରବଣତା!! ତେଣୁ ଜୀବନର କିଛି ସ୍ୱପ୍ନ ଅଧୁରା ରହିଯାଏ। ଏଠି କାହାର ବି ସବୁସ୍ୱପ୍ନ ସତ ହୁଏ ନାହିଁ! ସ୍ୱପ୍ନସବୁ ବାସ୍ତବତାରେ ପରିଣତ ହୋଇଗଲେ କେହି ଜଣେ ବି ଜୀବନକୁ ଉପଲବ୍ଧି କରିପାରେ ନାହିଁ। ବଞ୍ଚିବାର ମୋହକୁ ଅନୁଭବ କରିପାରିବ ନାହିଁ। ମିଳନ ତେଣୁ ପ୍ରକୃତିର ନିୟମ ହୋଇପାରେ: ବିଚ୍ଛେଦ କିନ୍ତୁ ଈଶ୍ୱରଙ୍କ ଆଶୀର୍ବାଦ।
ମଣିଷର ଆଧ୍ୟାତ୍ମିକତା
ଜୀବନର ଏହି ବିଚ୍ଛେଦ, ଜୀବନର ଏହି ବିଫଳତା ମଣିଷକୁ ଈଶ୍ୱରଙ୍କ ଆଡ଼କୁ ଯିବା ଲାଗି ପ୍ରୋତ୍ସାହିତ କରେ। ମଣିଷକୁ ଆଧ୍ୟାତ୍ମିକତାମୁଖୀ କରେ। ବିଫଳତା ଜୀବନକୁ ସୁନ୍ଦର କରେ। ବଞ୍ଚିବାଟାକୁ ସହଜ କରେ। ବିଫଳତା ନ ଆସିଲେ ମଣିଷ ନମ୍ର ହୋଇପାରେ ନାହିଁ। ଶାନ୍ତ ହୋଇପାରେ ନାହିଁ। ଈଶ୍ୱର ତେଣୁ କାହାକୁ ପୂର୍ଣ୍ଣ କରନ୍ତି ନାହିଁ। ତାକୁ କେବଳ ଆଶାରେ ବଞ୍ଚେଇ ରଖନ୍ତି। ମଣିଷ ତେଣୁ ଭବିଷ୍ୟତକୁ ନେଇ ଆଶାକୁ ନେଇ ବଞ୍ଚେ। ଆଶାରେ ମଣିଷ ବଞ୍ଚିରହିଲେ ଆଶା ପୂରଣ ନହେଲେ ଆଶାର ପଛରେ କ’ଣ ଅଛି ମଣିଷ ଜାଣିପାରିବ କେମିତି ?

କାହା ପାଖରେ ସରସ୍ୱତୀ ଥାନ୍ତି; ଲକ୍ଷ୍ମୀ ନଥାନ୍ତି। କାହା ପାଖରେ ଲକ୍ଷ୍ମୀ ଥାନ୍ତି; ସରସ୍ୱତୀ ନଥାନ୍ତି। କିଏ ସନ୍ତାନ ଖୋଜୁଥାଏ, କିଏ ଧନ। କିଏ ଶାନ୍ତି, କିଏ ସମ୍ପତ୍ତି। ଏମିତି ମଣିଷ ଜୀବନ ତମାମ ଅନ୍ୱେଷଣ କରୁଥାଏ। କିନ୍ତୁ ଶେଷକୁ କିଛି ବି ପାଏ ନାହିଁ। ଜୀବନର ଶେଷ ସଫଳତା ହିଁ ଶୂନ୍ୟତା! ଆମେ ସମସ୍ତେ ଶେଷକୁ “କିଛି ନପାଇବା”ଟାକୁ ହିଁ ପାଇବା। ଏଠି ପାଇବା ନପାଇବା ଭିତରେ ଏତେ ବେଶି ଦୂରତା ନାହିଁ। ତେଣୁ ବଞ୍ଚିବା ପାଇଁ ଯେତେ ବି ରାସ୍ତା ରହିଛି ସବୁ ରାସ୍ତା ଦୁଃଖପୂର୍ଣ୍ଣ। ଜଣେ ସନ୍ନ୍ୟାସୀ ହୋଇଥାଉ କି ସମ୍ରାଟ, ଜଣେ ଗରିବ ହୋଇଥାଉ କି ପ୍ରତିପତ୍ତିଶାଳି।
ସାହିତ୍ୟରେ ଅପ୍ରାପ୍ତି
ତେଣୁ ସମଗ୍ର ପୃଥିବୀରେ ଯେତେ ବି ଭାଷା ରହିଛି, ସବୁ ଭାଷାର ସବୁ ସାହିତ୍ୟରେ ସେଇ ଅପ୍ରାପ୍ତି ଓ ବିଫଳତାର କଥା କେତେ ସୁନ୍ଦର ଭାବରେ ଉଲ୍ଲେଖ କରାଯାଇଛି। ଭାରତର ମହାନ ଶାସ୍ତ୍ର ‘ମହାଭାରତ’ ଓ ‘ରାମାୟଣ’ କାହାଣୀଠାରୁ ଅୟମାରମ୍ଭ କରି ଆଧୁନିକ ସାହିତ୍ୟ ଯାଏ କବି ଓ ଲେଖକମାନେ ବିଫଳତାର କଥାକୁ ଯେତେ ମନୋଯୋଗ ସହକାରେ ଲେଖିଛନ୍ତି ତାହା ପାଠକ ସମାଜ ପାଇଁ ଆଶୀର୍ବାଦ ସ୍ୱରୂପ।
ରାସ୍ତା ସମାନ ଥିଲେ ଚାଲିବାର ମଜା ନଥାଏ। ତେଣୁ ଉତ୍ଥାନ ପତନ ନିହାତି ଦରକାର। ଜୀବନରେ ଦୁଃଖ ନଥିଲେ, ଜୀବନରେ ବିଫଳତା ନଥିଲେ ମଣିଷ ଈଶ୍ୱରଙ୍କୁ ସ୍ମରଣ କରେନା। ‘ମହାଭାରତ’ କାହାଣୀର ମହାନାୟିକା କୁନ୍ତୀ ତେଣୁ ଶ୍ରୀକୃଷ୍ଣଙ୍କୁ ବର ମାଗିଥିଲେ ଜୀବନରେ ସବୁଦିନ କିଛିନା କିଛି ଦୁଃଖ ଭୋଗିବାକୁ। ଦୁଃଖ ଜୀବନକୁ ପ୍ରାଣବନ୍ତ କରେ। ରୁଚିପୂର୍ଣ୍ଣ କରେ। ବଡ଼ମାଛ ଯେପରି ଗଭୀର ଜଳରେ ବାସ କରେ, ମହାପୁରୁଷମାନେ ଠିକ୍ ସେଭଳି ବିଫଳତାକୁ ନେଇ ସଦାବେଳେ ଅଶ୍ରୁ ଓ କାରୁଣ୍ୟ ଭିତରେ ବଞ୍ଚି ରହନ୍ତି।
ବିଚ୍ଛେଦ ଓ ବିଫଳତାକୁ ତେଣୁ ଜୀବନର ଚମତ୍କାର ଦୁଃଖ କୁହାଯାଏ। ବିଫଳତା ନଥିଲେ, ପୃଥିବୀରେ ଭାଷା ଥିଲେ ମଧ୍ୟ ସାହିତ୍ୟ ଲେଖା ହୋଇନଥାନ୍ତା। ପୃଥିବୀର ସର୍ବଶ୍ରେଷ୍ଠ ନୋବେଲ ପୁରସ୍କାରପ୍ରାପ୍ତ ଉପନ୍ୟାସଗୁଡ଼ିକ ଯଥା: ‘ଗୁଡ୍ ଆର୍ଥ ଡେ’, ‘ପ୍ରିୟତମ’, ‘ମୃତ୍ୟୁର ଡାକ’, ‘ପାରିଜାତ’ଠାରୁ ଆରମ୍ଭ କରି ଯେତେସବୁ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ସାହିତ୍ୟରେ ବି ସେଇ ବିଫଳତାର କଥା ଦେଖିବାକୁ ମିଳିଥାଏ। ପୃଥିବୀର ପ୍ରଥମ ସ୍ଥିତିବାଦୀ ଦାର୍ଶନିକ ସୋରେନ କିରକେଗାର୍ଡଙ୍କ ଜୀବନୀ ହେଉ କି ଗ୍ରୀକ୍ ସାହିତ୍ୟ ହେଉ, ସବୁ ଦେଶର ସବୁ ସାହିତ୍ୟରେ ବିଫଳତାର କଥା ଲେଖାଯାଇଛି! ଅପ୍ରାପ୍ତିରେ ଯେଉଁ ଆନନ୍ଦ, ପ୍ରାପ୍ତିରେ ସେ ଆନନ୍ଦ କାହିଁ ? ଯାହା ଘଟିବାର ଥିବ, ତାହା ଯଦି ଘଟିଯିବ ସେଠି ଜୀବନ ନାହିଁ। ବଞ୍ଚିବାର ରସ ସେଠାରେ ହିଁ ଥାଏ ଯାହା ଘଟିବାର ନଥାଏ ଅଥଚ ଘଟିଯାଏ। ତାକୁ ସାହିତ୍ୟ ଧରିରଖେ। ତାକୁ ନେଇ ସାହିତ୍ୟ ଆଗକୁ ବଢ଼େ!
ରେବତୀର ସ୍ୱପ୍ନଭଙ୍ଗ
କଥା ସମ୍ରାଟ ଫକୀରମୋହନଙ୍କ ଓଡିଆ ସାହିତ୍ୟର ପ୍ରଥମ ଗଳ୍ପ ‘ରେବତୀ’ ଯାହାକି ଅଦ୍ୟାବଧି ଯଥେଷ୍ଟ ଲୋକପ୍ରିୟ ଏବଂ ସମ୍ବେଦନଶୀଳ, ସେଥିରେ ମଧ୍ୟ ସ୍ୱପ୍ନଭଙ୍ଗ ଓ ବିଫଳ ଜୀବନର କରୁଣ ପରିଣତିକୁ ପାଠକ ସାମ୍ନା କରି ଦୁଃଖ ଓ ଉଦାସରେ ଅନ୍ୟମନସ୍କ ହେଇଯାଏ। ଗଳ୍ପ ନାୟିକା ନାବାଳିକା ରେବତୀର ସବୁ ଆଶା,ସୁଖ ଓ ସ୍ୱପ୍ନ ଅକସ୍ମାତ ଧୂଳିସାତ ହେଇଯାଏ। ଗୋଟେ ଗଳ୍ପର ପ୍ରତ୍ୟେକ ଚରିତ୍ର ଅସମୟରେ ସଂସାରରୁ ବିଦାୟ ନେଇଯିବାର ଚମତ୍କାର ବିଡ଼ମ୍ବନା ଏହି ଗଳ୍ପକୁ ଅଦ୍ୱିତୀୟ କରିଦିଏ।
ବହୁ ଚର୍ଚ୍ଚିତ ଓ ଆଦୃତ ‘ଡାକମୁନ୍ସି’ ଗଳ୍ପରେ ମଧ୍ୟ ବୁଢା ହରି ସିଂ ପୁଅ ଗୋପାଳର ଦୁର୍ବ୍ୟବହାରରେ ଏମିତି ଅତିଷ୍ଠ ହେଇଯାଏ ଯେ ତାର ଦୁଃଖରେ ପାଠକ ସମଦୁଃଖୀ ହେଇଯାଏ। କାଳଜୟୀ ଉପନ୍ୟାସ ‘ଛ’ମାଣ ଆଠଗୁଣ୍ଠ’ରେ ‘ଭଗିଆ ଓ ସାରିଆ’ଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଏ ଏବଂ ସେମାନଙ୍କ ଜୀବନ ଶେଷକୁ ଛାରଖାର ହେଇଯାଇଛି!
ସାହିତ୍ୟ ହେଉ କି ସଙ୍ଗୀତ ହେଉ ସବୁବେଳେ ବିଫଳତାର ଜୟଗାନ କରେ। ସିନେମା ହଲରେ ବାଜୁଥିବା ସଙ୍ଗୀତ ‘ପ୍ରିୟା ମୋର ଏ କି କଲ, ଭଲପାଇ ଭୁଲିଗଲ’ଠୁ ନେଇ ହିମାଳୟର ପାଦ ଦେଶରେ ଝୁଣ୍ଟି ପଡ଼ିବା ବା ଶେଷରେ ମାଟିରେ ମୂର୍ଚ୍ଛିତ ହୋଇପଡ଼ିବା ସୀତାଙ୍କ ଜୀବନ କାହାଣୀକୁ ପାଠକ ଆଗ୍ରହରେ ଗ୍ରହଣ କରେ।
ଏ ବ୍ରହ୍ମାଣ୍ଡରେ ଯଦି ଏତେ ରଙ୍ଗ ରହିଛି, ଏତେ ସଙ୍ଗୀତ ରହିଛି, ପକ୍ଷୀର କାକଳି ଅବା ଝରଣାର କୁଳୁକୁଳୁ ନାଦ ମଣିଷକୁ ଯଦି ସତରେ ବିଭୋର କରେ, ଗୋଟେ ସୁନ୍ଦର ସକାଳ ଯଦି ମଣିଷକୁ ବଞ୍ଚିବାଲାଗି ଅନୁବନ୍ଧିତ କରେ, ଶ୍ରାବଣ ଭିଜା ସଞ୍ଜ ଯଦି ପ୍ରକୃତରେ ମଣିଷକୁ ଅନ୍ୟମନସ୍କ କରେ, ତାର କାରଣ ସେଇ ବିଫଳତାର ଇସ୍ତାହାର। ଯେମିତି ପେଟ ପୂରିଥିବା ଲୋକ ଖାଦ୍ୟର ସ୍ୱାଦକୁ ଉପଲବ୍ଧି କରିପାରେ ନାହିଁ। ଖାଦ୍ୟର ସ୍ୱାଦ କେବଳ ଭୋକିଲା ଲୋକ ହିଁ ବୁଝିପାରେ। ଯାହା ଜୀବନରେ ଦୁଃଖ ନାହିଁ, ଯାହା ଜୀବନରେ ବିଫଳତା ନାହିଁ, ସେ ଜୀବନକୁ ଚିହ୍ନିପାରେ ନାହିଁ। ସେ କବି ହୋଇପାରେନା, ଲେଖକ ହୋଇପାରେନା, ଦାର୍ଶନିକ ବନିପାରେନା।
ମଣିଷ ଜୀବନର କି ଚମତ୍କାର ବିଡ଼ମ୍ବନା, ଏଠି ଯେ ଯେମିତି ଜୀବନ ବଞ୍ଚୁଥାଏ ସେ ବଞ୍ଚିବାରେ ସେ ଖୁସି ହୁଏନା! ଏମିତି ଜୀବନଟିଏ ସେ ଚାହିଁ ନ ଥିଲା, ଚାହୁଁଥିଲା ଅଲଗା କିଛି! ସେ ଏ ଦେଶର ରାଷ୍ଟ୍ରପତି ହୋଇଥାଉ କି! ହୋଇଥାଉ ଜଣେ ସାଧାରଣ ନାଗରିକ।
ତେଣୁ ସବୁ ବିଫଳ କାହାଣୀ ସଫଳ ସାହିତ୍ୟ। ରାମଚନ୍ଦ୍ର ଯଦି ରାଜା ହୋଇଥାନ୍ତେ ଏବଂ ବନବାସ ଯାଇ ନଥାନ୍ତେ, ରାମ ଓ ସୀତାଙ୍କ ଭିତରେ ଯଦି ବିଚ୍ଛେଦ ଘଟି ନଥାନ୍ତା। କୃଷ୍ଣ ଯଦି ରାଧାଙ୍କୁ ବିବାହ କରିଥାନ୍ତେ ସାହିତ୍ୟ ଏତେ ଶ୍ରୁତିମଧୁର ହୋଇପାରି ନଥାନ୍ତା। ରାମ-ସୀତାଙ୍କ କଥା ହେଉ କି ରାଧା-କୃଷ୍ଣଙ୍କ କଥା ହେଉ ଏହା ସାହିତ୍ୟରେ ସ୍ଥାନିତ ହୋଇପାରି ନଥାନ୍ତା।

ଆଜିର ସାହିତ୍ୟ ବି ସେଇ ବିଫଳତାର କଥାକୁ ନେଇ ଲୋକପ୍ରିୟ ଏବଂ ସମ୍ମାନିତ ହୋଇଥାଏ। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ‘ମାଂସର ବିଳାପ’ ଗଳ୍ପରେ ‘ଜଲି ଓ ଡୋରା’ ହୁଅନ୍ତୁ କି ସଚ୍ଚିଦାନଂଦ ରାଉତରାୟଙ୍କ ‘ମାଟିର ତାଜ’ ଗଳ୍ପର ‘ମଦନା ଏବଂ ଅମିନା’ ହୁଅନ୍ତୁ, ଅଥବା ବୀଣାପାଣି ମହାନ୍ତିଙ୍କ ‘ପାଟଦେଈ’ ହେଉ ସବୁଥିରେ ସ୍ୱପ୍ନ ଭଙ୍ଗ, ବିଡ଼ମ୍ବନା; ଜୀବନର ବିଫଳତା ଝଡ଼ ପରି ସବୁକିଛିକୁ ଓଲଟପାଲଟ କରିଦେଇଛି। ଯେଉଁଥିପାଇଁ କି ଏ ଲେଖାଗୁଡ଼ିକ ଏତେ କାଳଜୟୀ ଏବଂ ହୃଦୟଛୁଆଁ ହେବାରେ କ୍ଷମ।
ସମ୍ବେଦନଶୀଳ ଦୃଶ୍ୟ
ରାସ୍ତା କଡ଼ରେ ପଡ଼ିଥିବା ଗୋଟେ ଶୁଖିଲା ରୁଟିକୁ ଗୋଟିଏ ପାଖରେ କୁକୁର ଖାଉଥିବା ବେଳେ ଆଉ ଗୋଟେ ପାଖରେ ଭିକାରି ଖାଉଥାଏ। ଏ ଦୁନିଆଁର ଏ ସମ୍ବେଦନଶୀଳ ଦୃଶ୍ୟକୁ ନେଇ ସାହିତ୍ୟ ଯେତେ ଗତିଶୀଳ ଓ ମର୍ମସ୍ପର୍ଶୀ ହୋଇପାରେ। ଜଣେ ଧନଶାଳୀ ଲୋକର ବିଳାସ ଜୀବନକୁ ନେଇ ଗଢ଼ି ଉଠିଥିବା ସାହିତ୍ୟ ସେତେ ହୃଦୟକୁ ଛୁଇଁପାରେ ନାହିଁ।
ସାହିତ୍ୟରେ ତେଣୁ ଧନୀ ବ୍ୟକ୍ତିର ଗେଲବସରରେ ଗଡ଼ି ଉଠିଥିବା ଝିଅର କଥା ଯେତେ ଲେଖାଯାଏ, ବସ୍ତି ଇଲାକାରେ ଝୁମ୍ପୁଡ଼ି ଘରେ ରହି ଚିରା ଶାଢ଼ି ପିନ୍ଧି ବଞ୍ଚୁଥିବା କିଶୋରୀ ଝିଅର କାହାଣୀ ସେତେବେଶି ଅଧିକ ଲେଖାଯାଏ। ଗୋଟେ ମଜଦୁର ମଣିଷର ଜୀବନ କାହାଣୀ ପୃଥିବୀକୁ ଯେତେ ଦୋହଲାଇ ଦେଇପାରେ, ଗୋଟେ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଥିବା ଅର୍ଥଲୋଭୀର କଥା କାହାରି ଅନ୍ତରକୁ ସେତେବେଶି ଛୁଇଁପାରେ ନାହିଁ। କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ‘ବୁଢା ଶଙ୍ଖାରି’ ଅଥବା ଅଖିଳ ମୋହନଙ୍କ ‘ଡିମିରି ଫୁଲ’ ଗଳ୍ପରେ ନିଷ୍ଠୁର ସତ୍ୟ ଜୀବନ ବଞ୍ଚିବାର ଆଶାକୁ ବିଫଳ କରିଦେଇଛି!
ଆଧୁନିକ ଗାଳ୍ପିକ ଆଦିକନ୍ଦ ସାହୁଙ୍କ ଗଳ୍ପଗୁଡ଼ିକରେ ବି ଠିକ ସେଇ ଅପ୍ରାପ୍ତି ଓ ନିସଂଗତାର କଥା। ନୂଆନୂଆ ଗଳ୍ପ ଲେଖୁଥିବା ଆମ ସମୟର ଜଣେ ଲେଖିକା ଶ୍ରୀମତୀ ଦୀପ୍ତି ମହାନ୍ତିଙ୍କ ‘ଠିକଣା ନଥିବା ଚିଠି’ ଗଳ୍ପପୁସ୍ତକରେ ମଧ୍ୟ ସେଇ ନୀରବତା। କବିତା ଓ ଗଳ୍ପ ଲେଖି ବହୁ ଚର୍ଚ୍ଚିତ ସାଜୁଥିବା ଆମ ସମୟର ଆଉ ଜଣେ ନୂଆ ସ୍ୱର ଡ. ଆର. ପୁଷ୍ପାଞ୍ଜଳିଙ୍କ ଏଇ ନିକଟ ଅତୀତରେ ପ୍ରକାଶ ପାଇଥିବା ଗଳ୍ପଗୁଚ୍ଛ ‘ନିଜକୁ ନାୟିକା ମନେକରି’ରେ ମଧ୍ୟ ପ୍ରେମିକ ଓ ପ୍ରେମିକା ଜୀବନର ନୀରବତା ଓ ଶୂନ୍ୟତା ଏତେ ସୁନ୍ଦର ଭାବରେ ରୂପାୟିତ ହୋଇଛି ଯେ ପାଠକ ଚୁମ୍ବକ ପରି ଲଟକି ଯାଏ।
ସାହିତ୍ୟ ମଣିଷକୁ ସବୁବେଳେ ବଞ୍ଚିବା ପାଇଁ ଉଚିତ ଶିକ୍ଷା ପ୍ରଦାନକରେ। ଗତକାଲି ବଞ୍ଚି ରହିଥିବା ଗୋଟେ ମଣିଷର ଜୀବନ କାହାଣୀକୁ ଯଦି ସାହିତ୍ୟ ରେକର୍ଡ କରି ରଖିପାରିବ ନାହିଁ, ତେବେ ଆସନ୍ତାକାଲି ବଞ୍ଚିବାକୁ ଯାଉଥିବା ମଣିଷଟିଏ କେମିତି ଶିଖିପାରିବ ତା’ର ଜୀବନ ଜୀଇଁବାର ଶୈଳୀକୁ। ଗୋଟେ ବିଫଳ ମଣିଷର ଜୀବନ କାହାଣୀ ଆଉ ଜଣକୁ ଯେତେ ପ୍ରବୋଧିତ କରିପାରେ, ସଫଳତାର କାହାଣୀ ଆଉ କାହାକୁ ସେତେ ବେଶି ଭାବପ୍ରବଣ କରିପାରେ ନାହିଁ। ସେଥିପାଇଁ ଯେ ଖବରକାଗଜ ବିଷୟରେ କିଛି ହେଲେ ଜାଣି ନ ଥାଏ କେବେକେବେ ସେ ଖବର କାଗଜର ପ୍ରଥମ ପୃଷ୍ଠା ମଣ୍ଡନ କରେ। ଯେ କେବେ ସାହିତ୍ୟ ଲେଖେ ନାହିଁ, ସାହିତ୍ୟ ପଢ଼େ ନାହିଁ, ସାହିତ୍ୟକୁ ନେଇ ଯାହାର କୌଣସି ରୁଚି ବୋଲି କିଛି ନଥାଏ ସେମାନେ ସାହିତ୍ୟର ନାୟକ ନାୟିକା ହୋଇଯାନ୍ତି।
ସମାଜ ବା ବ୍ୟକ୍ତିଜୀବନର ଯେକୌଣସି ଘଟଣା ହେଉ ସେଥିରେ ଯଦି କିଛି ଅଭାବନୀୟ ଘଟଣା ଅଛି, ଯଦି କିଛି ଶୂନ୍ୟତା ବା ବିଫଳତା ରହିଛି ତାକୁ ନେଇ ସାହିତ୍ୟ ରଚନା କରାଯାଏ। ଏବେ ତ ଆଧୁନିକ ଗଳ୍ପ, କବିତାରେ କେବଳ ନିଃସଙ୍ଗତା, ନିପାରିଲାପଣ କ୍ଷୋଭ ଏବଂ ସ୍ୱଗତୋକ୍ତିର କଥା ଭରପୂର ହୋଇ ରହିଛି। ସମୟ ବଦଳି ଯାଉଛି, ତେଣୁ ମଣିଷର ରୁଚି ବଦଳି ଯାଉଛି !
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ, ୨୦୨୬ ସଂଖ୍ୟାରେ ପ୍ରକାଶିତ।)