
ଉପନ୍ୟାସ ରଚନାର ମୌଳିକ ତତ୍ତ୍ୱ ବିଷୟରେ ଆଲୋଚନା କରିବାକୁ ଯାଇ ପ୍ରସିଦ୍ଧ ଆମେରିକୀୟ ଔପନ୍ୟାସିକ ଜନ୍ ଗାର୍ଡନର୍ ଥରେ କହିଥିଲେ, “ଚରିତ୍ର ହେଉଛି ଗୋଟିଏ ଉପନ୍ୟାସର ପ୍ରାଣ। ପ୍ଲଟ୍ ବା କଥାବସ୍ତୁ ହେଉଛି ଉପନ୍ୟାସର ସେହି ତତ୍ତ୍ୱ ଯାହା ଜରିଆରେ ସେହି ଚରିତ୍ରମାନେ ଆବିଷ୍କୃତ ହୁଅନ୍ତି।” କିନ୍ତୁ ଆମର ଆଲୋଚ୍ୟ ଉପନ୍ୟାସ, ‘ବିବର୍ଣ୍ଣ ଗୋଧୂଳି’ରେ ନା ଅଛି ପ୍ଲଟ୍, ନା ଚରିତ୍ର-ଚିତ୍ରଣ। ଏ ଦୃଷ୍ଟିରୁ ଏହା ଗୋଟିଏ ଉପନ୍ୟାସର ମୂଳ ପରିଭାଷା ହିଁ ପରିପୂରଣ କରୁଛି କି ନାହିଁ, ତାହାକୁ ନେଇ ସନ୍ଦେହ। ତଥାପି ଯେହେତୁ ପ୍ରକାଶକ ଏହାକୁ ଏକ ଉପନ୍ୟାସ ଭାବରେ ବର୍ଗୀକରଣ କରିଛନ୍ତି, ସେହି ମାପକାଠି ଅନୁସାରେ ବହିଟିର ବିଚାର କରିବା ଯଥାର୍ଥ ହେବ।
ଉପନ୍ୟାସଟିର ପ୍ରଥମ ଅଧ୍ୟାୟର ପ୍ରଥମ ବାକ୍ୟ କେତୋଟିରୁ ହିଁ ଏହାର ଅଣସାହିତ୍ୟିକ ସ୍ୱର ସମ୍ପର୍କରେ ଆଭାସ ମିଳିଯାଏ: “ରୋହନ ଓ ରବିନ୍ ଦୁଇଜଣ ପିଲାଦିନର ସାଙ୍ଗ। ଗୋଟିଏ ଗାଁରେ ଘର – ସେ ପୁଣି ପାଖାପାଖି। ବୟସରେ ଗୋଟିଏ ମାସର ତଫାତ୍। ରୋହନ୍ ଗୋଟିଏ ମାସ ବଡ଼।” ଏହିଭଳି ଏକ ନିଷ୍ପ୍ରାଣ ଓ ଯନ୍ତ୍ରସୁଲଭ ଉପକ୍ରମ ହୁଏତ କୌଣସି ଶିଶୁଗଳ୍ପରେ କିଛି ମାତ୍ରାରେ ଚଳିଯାଇପାରେ, କିନ୍ତୁ ଏକ ଉପନ୍ୟାସରେ ତ ମୋଟେ ନୁହେଁ। ଏଠାରେ “ଗୋଟିଏ ଗାଁ” ବୋଲି ଯାହା କୁହାଯାଇଛି ତାହା ଚତୁର୍ଥ ଅଧ୍ୟାୟଟି ବେଳକୁ ପାଠକର ଅଲକ୍ଷ୍ୟରେ କେତେବେଳେ “ଆମ ଗ୍ରାମ”ରେ ପରିଣତ ହୋଇସାରିଲାଣି। ଅର୍ଥାତ୍ କଥାବାଚକଙ୍କ ଦୃଷ୍ଟିକୋଣ ବା ‘ପଏଣ୍ଟ-ଅଫ୍-ଭିଉ’ ବହିଟିର ମଝିରୁ ହିଁ ବାଟଭାଙ୍ଗିଛି। ଉପନ୍ୟାସଟି ଖୋଲୁଖୋଲୁ ପ୍ରଥମ ପୃଷ୍ଠାରୁ ପାଠକ ହୁଏତ ଆଶା କରୁଥାଇପାରେ ଯେ ରୋହନ ଓ ରବିନ୍ ହେଉଛନ୍ତି ଏହାର ମୁଖ୍ୟ ଚରିତ୍ର। କିନ୍ତୁ ପରେ ଯେମିତି ନ୍ୟାରେଟର୍ ବା ସ୍ୱୟଂ ଔପନ୍ୟାସିକ ଏହାର ଅନ୍ୟ ଏକ ଚରିତ୍ର ଭାବରେ ଭୂମିକା ତୁଲାଇଛନ୍ତି। ଅଧିକାଂଶ ଅଧ୍ୟାୟରେ କଥାବସ୍ତୁଟିକୁ ଆଗକୁ ବଢ଼ାଇବା ପରିବର୍ତ୍ତେ ସେ ନିଜେ ସାମନାକୁ ଆସି “ଆମ ଗାଁ” ଅର୍ଥାତ ତା’ଙ୍କ ନିଜ ଗାଁ’ର ବିଭିନ୍ନ ଦୃଶ୍ୟ ଓ ଘଟଣାବଳୀର ସୁଦୀର୍ଘ ବର୍ଣ୍ଣନା କରିଛନ୍ତି। ସେମିତି ଦ୍ୱିତୀୟ ଅଧ୍ୟାୟଟିରେ କେବଳ ଦେଖିବାକୁ ମିଳେ ସେହି ଗ୍ରାମର ହିଁ ଏକ ପରିଦୃଶ୍ୟ ଓ ସେଠାରେ ପାଳନ କରାଯାଉଥିବା ବିଭିନ୍ନ ପର୍ବପର୍ବାଣୀର ଚିତ୍ର। ସମଦଶା ମଧ୍ୟ ଘଟିଛି ପରବର୍ତ୍ତୀ ବହୁ ପୃଷ୍ଠାରେ, ଯେଉଁଠି ଉପନ୍ୟାସଟିର ପ୍ଲଟ୍ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି।
ଅବଶ୍ୟ ବହିର ଆରମ୍ଭରେ ଆତ୍ମପ୍ରକାଶ କରିଥିବା ଦୁଇ ବନ୍ଧୁ, ରୋହନ ଓ ରବିନ୍ ଏହାର ୭ମ ଅଧ୍ୟାୟ ବେଳକୁ ହଠାତ୍ ବୈବାହିକ ଜୀବନରେ ପ୍ରବେଶ କରିଥିବା ବିଷୟରେ ସୂଚନା ଦିଆଯାଇଛି। ଏହି ଘଟଣାକ୍ରମର ବର୍ଣ୍ଣନାଶୈଳୀ ମଧ୍ୟ ଅତି ସାଧାରଣ ଓ ଅନାକର୍ଷକ। ତେବେ ଉପନ୍ୟାସର ଶେଷ ଆଡ଼କୁ ରୋହନର ନବବିବାହିତା ପତ୍ନୀକୁ ଜଣେ ସମାଜସେବିକା ଭାବରେ ଦର୍ଶାଯାଇଛି ଏବଂ ଗାଆଁରେ କିଛି ସାମାଜିକ ପରିବର୍ତ୍ତନ ଆଣିବାରେ ସେ ବ୍ୟର୍ଥ ହୋଇଥିବା ବିଷୟ ମଧ୍ୟ ଇଙ୍ଗିତ ହୋଇଛି। କିନ୍ତୁ ଏହାକୁ ଯଦି ଏକ କଥାବସ୍ତୁ ବୋଲି ଧରିନିଆଯାଏ, ତେବେ ତାହାର ଗଢ଼ଣ ଅତ୍ୟନ୍ତ କ୍ଷୀଣ। ପାଠକ ସେହି ଗାଆଁରେ ଘଟିଥିବା ବିଭିନ୍ନ ଛୋଟ ଛୋଟ ଘଟଣାବଳୀର ବହୁଳ ଉଲ୍ଲେଖ ମଧ୍ୟ ଦେଖିବାକୁ ପାଏ। ଏସବୁ ହୁଏତ ‘ସବ୍-ପ୍ଲଟ୍’ର ଭ୍ରମ ସୃଷ୍ଟି କରୁଥାଇପାରେ; କିନ୍ତୁ ବାସ୍ତବରେ ଏହା ସେଇଆ ନୁହଁ।
ବହିଟି ପଢ଼ିସାରିବା ପରେ ଗୋଟିଏ ଧାରଣା ଜନ୍ମିଲା ଯେ ଏଥିରେ ପରିବେଷିତ ବିକ୍ଷିପ୍ତ ଭାବନାଗୁଡ଼ିକୁ ଏକ ‘ଉପନ୍ୟାସ’ ପରିବର୍ତ୍ତେ ବରଂ ଓଡ଼ିଶାର ଗ୍ରାମ୍ୟ ଜୀବନ ବିଷୟରେ କିଛି ଦୁର୍ବଳ ରମ୍ୟରଚନା ବା ଲଳିତ ନିବନ୍ଧର ଏକ ସଂଗ୍ରହ ବୋଲି କହିବା ଅଧିକ ସମୀଚୀନ ହେବ।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)