ଛେଳିଗୁଡ଼ାକ ମେଁ ମେଁ ସ୍ୱରରେ ମା’ ମଙ୍ଗଳାକୁ ଡାକିଡାକି ପ୍ରାଣ ବିକଳରେ ଧାଇଁଥିଲେ ଗାଁ ଆଡ଼େ। ରାସ୍ତାରେ କାହାର ନଖରାମି ଦେଖିବାକୁ ମିଳିଲାନି।

ଛେଳିଗୁଡ଼ାକୁ ଚରିବାକୁ ଛାଡ଼ିଦେଇ ଛେଳି ଚରାଳି ଛୁଆଟି ଗଛ ଉପରେ ବସି ବଂଶୀ ବଜାଏ। ସେ କାହାର ଅନୁରୋଧରେ ବା ଉପ୍ରୋଧରେ ବଂଶୀ ବଜାଏନି। ତା’ର ମନ ଡାକିଲେ ସେ ବଂଶୀ ବଜାଏ। ତାକୁ ଭୋକ ଆଉଟୁପାଉଟୁ କଲେ ସେ ବଂଶୀ ବଜାଏ। ପୁନଶ୍ଚ ତା’ର ଆଖିପତାଗୁଡ଼ାକ ଭାରିଭାରି ହୋଇଗଲେ ସେ ବଂଶୀ ବଜାଏ।
ତାକୁ ଜଙ୍ଗଲରେ ଶୋଇବା ମନା। ଛେଳିଗୁଡ଼ାକର ସେ ଏକଲା ରକ୍ଷାକର୍ତ୍ତା। ତେଣୁ ତାଙ୍କୁ ଏ ନିପନ୍ତରା ଜଙ୍ଗଲରେ ଛାଡ଼ିଦେଇ ସେ ନିଶ୍ଚିନ୍ତରେ ଶୁଅନ୍ତା କେମିତି?
ତା’ର ବଂଶୀସ୍ୱନରେ ନଥାଏ କୌଣସି ପରିଚିତ ରାଗ। ରାଗ ବେହାଗ, ରାଗ ମାଲକୋଶ ବା ରାଗ ହଂସଧ୍ୱନି। ଝିଙ୍କାରୀଙ୍କ ଏକଟଣା ଆଳାପ ପରି ତା’ର ବଂଶୀସ୍ୱର। ସେ ସ୍ୱର ବଡ଼ କରୁଣ। ବଂଶୀସ୍ୱନରେ କରୁଣ ରସଛଡ଼ା ଆଉ କିଛି ଥାଏ କି?
ତା’ର ବଂଶୀସ୍ୱନ କିଏ ଶୁଣୁ କି ନଶୁଣୁ, ଶୁଣୁଥାଏ ସୀମାହୀନ ସୁନୀଳ ଆକାଶ। ମଉଳାଭଣଜା ଜଙ୍ଗଲର ବନସ୍ପତି, ଗୁଳ୍ମ ଏବଂ ଲତାଙ୍କ ସମୂହ। ଶୁଣନ୍ତି ତା’ର ସାଥୀ ଏବଂ ସହୋଦର ଏଇ ଛାଗଳଗଣ।

ଛେଳି ଚରାଳି ଛୁଆଟିର ପରିଚୟ ଦେଇଦିଏ। ସରକାରୀ ଦସ୍ତାବିଜରେ ତା’ର ନାଁ ଗୋପାଳ ଚନ୍ଦ୍ର ଦାସ। ସମସ୍ତଙ୍କ ମୁହଁରେ ତା’ର ନାଁ ଗୋପାଳିଆ। ଏବେ ସେ ପିତୃମାତୃହୀନ। କାହିଁ କେତେ ବର୍ଷ ତଳେ ତା’ର ବାପା ଯାଇଥିଲା ଦାଦନରେ। ଆଉ ଫେରିନି। ତା’ର ମା’ ହେଲା ‘ମେନିଂଜାଇଟିସ୍’ର ଶିକାର। ମା’ର ପାଇଟିକୁ ସେ ଉତ୍ତରାଧିକାର ସୂତ୍ରରେ ପାଇଛି। ଗାଁର ଦଶଘର ଲୋକଙ୍କର ଛେଳି ଚରାଇବାର ପାଇଟି।
କ୍ଲାସ ଦୁଇ ବା ତିନିରେ ତା’ର ପାଠରେ ଡୋର ବନ୍ଧାହୋଇଛି। ତେଣୁ ଗାଁରେ ତା’ର କେହି ସାଙ୍ଗ ନାହାନ୍ତି। ତେଣୁ ତା’ର ଦୁଃଖ ଅସରନ୍ତି। ସେହି ଦୁଃଖ ଭୁଲିବାକୁ ସେ ବଂଶୀ ବଜାଏ। ବଂଶୀର ସ୍ୱନରେ ବିରାମ ହେଲେ ତା’ର ମା’ ମନେପଡ଼େ।
ପୁଣି ଦୁଃଖରେ ବେଶି ସନ୍ତୁଳି ହେଲେ ତା’ର ମା’ ମନେପଡ଼େ। ମନେପଡ଼େ ତା’ର ନାନା ଅବତାର। ବାସି ତିଅଣରେ ଲଙ୍କାଦଳି ସକାଳେ ପଖାଳ ଖୁଆଉଥିବା ମା’। ଖାଇସାରିଲା ପରେ କୁଳୁକୁଳୁ ଡାକି କୁଳକୁଞ୍ଚା ଶିଖାଇ ଦେଉଥିବା ମା’। ‘ଧୋରେ ବାଇଆ ଧୋ’ ଗୀତ ବୋଲି ନିଦମାଉସୀକୁ ଡାକି ଆଣୁଥିବା ମା’।
ମା’ ଥିଲା ତା’ର ସର୍ବସ୍ୱ। ତା’ର ବାପା କଳା କି ଗୋରା, ଲମ୍ବା କି ଗେଡ଼ା ସେ ଜାଣେନା। ତେଣୁ ସେହି ମା’କୁ ସେ ଭୁଲିବ କେମିତି? ଜନ୍ମ ନାଟିକା କଟିଗଲା ପରେ ମା’ ସହ ସଂପର୍କଟା କଟିନଯାଇ ହୁଏନି କି ଆହୁରି ସାନ୍ଦ୍ର?
ନିଜର ଚିରାଚରିତ ଅଭ୍ୟାସବଶତଃ ଦିନାନ୍ତରେ ଭୁଆସୁଣୀ ପାହାଡ଼ ଆଡ଼କୁ ଢଳିଢଳି ଗଲେ ସୂର୍ଯ୍ୟ। ସେ ଜଣେ ବହୁମୁଖୀ କଳାକାର। ପ୍ରଭାତରେ ସେ ଶିଶୁ କଳାକାର ପରି ସୁଢ଼ଳ। ମଧ୍ୟାହ୍ନରେ ସେ ‘ଭିଲେନ୍’। ସଞ୍ଜ ନଇଁଲେ ସେ ଦିଶନ୍ତି ମାତାଲ ପରି।
ସେଦିନର ତାଙ୍କ ଅଭିନୟ ସରିଲା। ଏଇନେ ଯେ ପୃଥିବୀର ରଙ୍ଗମଞ୍ଚରୁ ଆଲୁଅ ଲିଭିଯିବ, ଛେଳିଗୁଡ଼ାକୁ ଜଣାପଡ଼ିଗଲା। ତାଙ୍କ ସକାଶେ ଆଉ ଗୋଟିଏ ସଂକେତ। ଗୋପାଳର ଅନ୍ତହୀନ ବାଂଶୁରୀ ଆଳାପ ବଦଳରେ ସେଥିରୁ ନିର୍ଗତ ହେଲା କୁମ୍ଭାଟୁଆର ଶବ୍ଦ ପରି କୁକ୍… କୁକ୍?… କୁକ୍। ଛେଳିଗୁଡ଼ାକ ଗୋପାଳର ଅସହାୟତା ଜାଣନ୍ତି। ତେଣୁ ସେମାନେ ବେଶି ଦୂରକୁ ଭଟକି କରି ଯାଆନ୍ତିନି।
କୌଣସି ଛେଳି କଣ୍ଟେଇ କୋଳି ଚୁଣ୍ଟିବାରେ ମଗ୍ନଥିଲା। ଆଉ କିଏ ଶୋଇକରି କରୁଥିଲା ପାକୁଳି। ଧଳା, ଧୂସରିଆ, କାଳିଆ, କସରା, ଛବି ଛବିଲା ସବୁ ଛେଳି ଅସନ ଗଛ ମୂଳରେ ସମବେତ ହେଲେ, ଯାହାର ଶାଖାରେ ଗୋପାଳ ବସିଥିଲା। ସେମାନେ ତାଙ୍କ ଅବୋଧ ସ୍ୱରରେ ସତେ ଯେପରି ସମବେତ କଣ୍ଠରେ କହିଲେ- ଓହ୍ଲା ଗୋପାଳ, ଯିବା।
ଗୋପାଳ ଗଛତଳକୁ ଓହ୍ଲାଇଲା।
କିନ୍ତୁ ଏ କ’ଣ? ତାକୁ ଅପେକ୍ଷା ନକରି ଛେଳିଗୁଡ଼ାକ କିଲବିଲ ହୋଇ ଦୌଡ଼ିଲେ କାହିଁକି? କୁଆଡୁ ଗୋଟିଏ ହନୁମାଙ୍କଡ଼ ଆସି ପାଖଗଛ ଉପରେ ହୁଁ ହୁଁ ଡାକିଲା କାହିଁକି? ଗୋପାଳର ଚକ୍ଷୁସମକ୍ଷରେ ଉଭାହେଲା ଏକ କଲରାପତ୍ରିଆ ବାଘ। ଏ ଜଙ୍ଗଲରୁ କେବେଠୁ ବାଘ ବଂଶ ନିପାତ ହେବାର ସେ ଜାଣେ। ଅତର୍କିତେ ଏ ଜନ୍ତୁଟିକୁ ଦେଖି ତା’ ହାତରୁ ବଂଶୀଟି ଖସିପଡ଼ିଲା।
ସେତିକି ଥିଲା ତା’ର ପ୍ରତିକ୍ରିୟା। ସେ ଚିତ୍କାର କଲାନି କିମ୍ବା ଗଛ ଉପରକୁ ଚଢ଼ି ଆତ୍ମରକ୍ଷା କରିବାର ପ୍ରୟାସ କଲାନି। ସେ ଠିଆହେଲା ନିଶ୍ଚଳହୋଇ। ତା’ର ଡରିବାର କିଛି କାରଣ ଯେ ନାହିଁ। କିଏ ଅଛି ତା’ର ଆଗରେ, ନା ପଛରେ! କିଏ ଅଛି ତା’ର ଅବର୍ତ୍ତମାନରେ ଲୁହ ଝରାଇବା ପାଇଁ? ବାଘର ଶିକାର ହେଲେ ତା’ର ଅପ୍ରମିତ ଦୁଃଖର ଅବସାନ ହେବ। ସେ ଚାଲିଯିବ ତା’ର ମା’ ପାଖକୁ। ହୁଏତ ସେ ଅପରିଚିତ ଦୁନିଆରେ ବାପାର ମୁହଁକୁ ଦେଖିବ ପ୍ରଥମକରି। ସେ ଯେଉଁ ଜୀବନ ଜିଉଥିଲା, ତାକୁ କ’ଣ କହନ୍ତି ଜୀବନ? ସେ ତ ଅପ୍ରମିତ ଯନ୍ତ୍ରଣାର ଅନ୍ୟତମ ନାମ। ତା’ ହେଲେ ସେ ମୃତ୍ୟୁକୁ ଭୟ କରିବ କାହିଁକି? ତେଣୁ ସାମ୍ନାରେ ପ୍ରତ୍ୟକ୍ଷ କରୁଥିବା ଭୟଙ୍କର ଜୀବଟିକୁ ଦେଖି ସେ ଭୟ ପାଇବ କାହିଁକି?
ବାଘ ସମ୍ମୁଖରେ ଅଜାତଶ୍ମଶ୍ରୁ ବାଳକଟିଏ। ତାକୁ ଦେଖି ବାଘ ମୁହଁରେ ଆକର୍ଣ୍ଣ ପ୍ରସାରିତ ହସ।
ବାଘଟି ଦୁଇ ଗୋଡ଼ରେ ଚାଲିଚାଲି ଗୋପାଳ ଆଡ଼କୁ ଅଗ୍ରସର ହେଲା। ତାକୁ ମନେହେଲା ଏବେ ସେଇଟା ତାକୁ ତା’ର ପନ୍ଝାରେ ଜାବୁଡ଼ି ଧରିବ ଏବଂ ବେକ ଝୁଣିକରି ଚଁ ଚଁ କରି ପିଇଯିବ ରକ୍ତ। ତା’ପରେ ରାତ୍ରିର ମଣୋହି ପାଇଁ ଉଠାଇନେବ ପାହାଡ଼ ଖୋଲକୁ।
କିନ୍ତୁ ଏ କ’ଣ? ସେମିତି କିଛି ଅଘଟଣ ତ ହେଲାନି। ସେ ତାକୁ ଆଲିଙ୍ଗନ କଲା ଏବଂ ସେ ଆଲିଙ୍ଗନ ଥିଲା ମା’ର ଆଲିଙ୍ଗନ ପରି ନିବିଡ଼ ତଥା ମୋଲାୟମ।
ତା’ପରେ ତା’ର ଶରୀରରୁ ଚେତନା ଲୋପ ପାଇଥିଲା। ଆଖିକୁ ଭରି ଆସିଥିଲା ଘମାଘୋଟିଆ ନିଦ। କୋକମିନା ଗପ ଶୁଣିଲେ ଯେମିତି ଘୋଟିଯାଏ ନିଦ।
X X X
ଛେଳିଗୁଡ଼ାକ ମେଁ ମେଁ ସ୍ୱରରେ ମା’ ମଙ୍ଗଳାକୁ ଡାକିଡାକି ପ୍ରାଣ ବିକଳରେ ଧାଇଁଥିଲେ ଗାଁ ଆଡ଼େ। ରାସ୍ତାରେ କାହାର ନଖରାମି ଦେଖିବାକୁ ମିଳିଲାନି।
ପଧାନ ଘର ଛେଳି ପାଞ୍ଚଟା ସୁନାପିଲା ପରି ଗୁହାଳରେ ଢୁକିଗଲେ।
ଘରମଣିର ଘଣ୍ଟିଶବ୍ଦ ଶୁଣି ସୁନେଇ ଘର ଭିତରୁ ବାରନ୍ଦାକୁ ଆସିଯାଇଥିଲା। ଘରମଣି ତା’ର କାନିଟାଣି ଲସରପସର ହେଲା।
ଛେଳିଗୁଡ଼ାକର ଏତାଦୃଶ ବଶଂବଦତା ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟଚକିତ ହୋଇ ଦାଣ୍ଡକୁ ଆସି କଥାବାର୍ତ୍ତା ହେଲେ- ଆଜି କ’ଣ ଛେଳିଗୁଡ଼ାକ ବେଳାବେଳି ଫେରିଆସିଲେ?
ହଁ, ଆଜି କାହା ବାଡ଼ିରେ ପଶିନାହାନ୍ତି।
ଗୋପାଳକୁ ରାତିର ପଖାଳ ଦେବାର ପାଳି ଥିବା ଗୁନେଇ ବୁଢୀ ବାଡ଼ି ଠକ୍ଠକ୍କରି ଆସି ପଚାରିଲା- ଗୋପାଳିଆ କାଇଁ?
ଏତେବେଳକେ ସମସ୍ତଙ୍କର ଗୋପାଳ କଥା ମନେପଡ଼ିଲା। ସେତେବେଳ ଯାଏ ଗୋପାଳର ଦର୍ଶନ ନ ଥିଲା।
ଆଲୋଚନା ହେଲା :
ସେ ତ ସୁଧାର ପିଲାଟିଏ। ଘରଘର ବୁଲି ଛେଳି ଆସିଲେ କି ନାହିଁ ତଦାରଖ କରେ।
ଆଉ କ’ଣ ଜନ୍ତୁ କି ନଅନୁଆଣି ହାବୁଡ଼ରେ ପଡ଼ିଲା କି?
ଗୁନେଇ ବୁଢୀ ତାଙ୍କ କଥାକୁ ନାକଚ କରି କହିଲା- ସେମିତି ଅମଙ୍ଗଳିଆ କଥା ତୁଣ୍ଡରେ ଧରନା। ବିଚରା ଛେଉଣ୍ଡଟିଏ!
ତା’ପରେ ସେ ମୁଣ୍ଡରେ ହାତଯୋଡ଼ି ଗୁଣୁଗୁଣେଇଲା- ହେ ପ୍ରଭୁ ମଉଳାଭଣଜା। ହେ ମା’ ମଙ୍ଗଳା। ଗୋପାଳିଆକୁ ଘଣ୍ଟ ଘୋଡ଼େଇ ରଖ।
ଗାଁ ଗୋଟାକୁ ଅନ୍ଧାର ଖପଖପ ଡେଇଁକରି ଆସି କବଳିତ କଲାବେଳକୁ କଥାଟି ଗାଁ ସାରା ରାଷ୍ଟ୍ର ହୋଇଯାଇଥିଲା- ଗୋପାଳିଆ ଜଙ୍ଗଲରେ ରହିଯାଇଛି। ଏବେ ଗାଁ ମଣ୍ଡପରେ ଦେଶର ମିଟିଂ ବସିଲା।
କ’ଣ କରିବା?
ଏବେ ତାକୁ ଖୋଜିବାକୁ ଯିବା?
ଅନ୍ଧାର ଭିତରେ ପିଙ୍କା ଟାଣୁଥିବା ଯେଉଁ ବୃଦ୍ଧ ବ୍ୟକ୍ତିଙ୍କ ମୁହଁରୁ ନିଆଁର ଗୁଲ ଦିଶୁଥିଲା ପତ୍ରସନ୍ଧିରେ ବୁଲୁଥିବା ଜୁଳୁଜୁଳିଆ ପୋକପରି, ସେ ମନ୍ତ୍ରଣା ଦେଲେ- ପାଗଳ ହେଲକିରେ ପିଲେ! ରାତିରେ ଜଙ୍ଗଲ ଭିତରକୁ ଯିବାମାନେ ବିପଦକୁ ଟାଣିଆଣିବା। କାଲି ସକାଳୁ କାଉ କା’ ନ କରୁଣୁ ଯେଝାଯେଝା ଅସ୍ତ୍ରଶସ୍ତ୍ର ଧରି ବାହାରିଯିବା। ତା’ପରେ ତା’ର କପାଳ।
X X X
ପଧାନ ଘର ଚାଳକୁ ଉଠି ନାଲିଆ ଗଞ୍ଜାଟା ଦୁଇଥର ରଡ଼ିଦେଲା ବେଳକୁ ପୂରା ଗାଁଟାର ନିଦ ଭାଙ୍ଗି ଯାଇଥିଲା ଏବଂ ଜଙ୍ଗଲକୁ ଯିବା ପାଇଁ ଗ୍ରାମବାସୀମାନେ ମଣ୍ଡପରେ ହାଜର ହୋଇଯାଇଥିଲେ। ସେମାନେ ଜଙ୍ଗଲ ଅଭିମୁଖରେ ଅଭିଯାନ କଲାବେଳେ ହୋହଲ୍ଲା କରୁଥିଲେ, ତା’ସହ ବାଡ଼ିରେ ରାସ୍ତାରେ ଦୁଇପାର୍ଶ୍ବରେ ଗୁଳ୍ମଗୁଡ଼ିକୁ ପିଟି ପକାଉଥିଲେ କିମ୍ବା ଭୁଜାଲିରେ ଡାଳଗୁଡ଼ିକୁ ହାଣିପକାଉଥିଲେ।

ଗୋପାଳର ଚିରାଚରିତ ଆଶ୍ରୟସ୍ଥଳରେ ପହଞ୍ଚିଲା ପୂର୍ବରୁ ଜନ୍ତୁଟିଏ ହେଣ୍ଟାଳ ଛାଡ଼ି ପଶିଗଲା ଶାଳବଣର ଅଭ୍ୟନ୍ତରରେ।
ବୟସ୍କ ଅସନଗଛଟି ଯେଉଁଠି ଚାରିକେନା କରି ବାହୁ ମେଲିଥିଲା, ତା’ଉପରେ ଗୋପାଳ ବେକତଳେ ହାତର ମୁଚୁଳା ଦେଇ ଶୋଇଥିଲା ଏବଂ ତଳେ ଚାଲିଥିବା କୋଳାହଳ ଶୁଣି ଆଖି ମଳିମଳି ଉଠିଲା।
ସେ ତଳକୁ ଆସିଲାପରେ ତାକୁ ଗୁଡ଼େଇତୁଡ଼େଇ କରି ପ୍ରଶ୍ନ ପଚରାଗଲା।
କିରେ! ସନ୍ଧ୍ୟାରେ ଗାଁକୁ ନଫେରି ଏଠି ଶୋଇଛୁ ଯେ? ତୋ’ ପାଇଁ ରାତିସାରା ଆମର ଚିନ୍ତା।
କିଛି ଜନ୍ତୁ ହାବୁଡ଼ିଲୁ କି?
‘ହଁ’ କହି ଗୋପାଳ ବିଗତ ଦିନର ଅନୁଭୂତି ସଂକ୍ଷେପରେ ବଖାଣି ଯୋଡ଼ିଲା- ଗଛ ଉପରକୁ କେମିତି ଆସିଲି ଜାଣେନି। ବାଘଟା ଟେକି ନେଇଥିବ।
ଏ ସମ୍ବାଦ ଶୁଣି ଅଧିକାଂଶ ଗ୍ରାମବାସୀ ଅଟ୍ଟହାସ୍ୟ କରି ଉଠିଲେ। ଜଣେ ମନ୍ତବ୍ୟ ଦେଲେ- ଏ ଗୋପାଳିଆଟା ଭଲ ପିଲା ବୋଲି ଆମେ ଜାଣିଥିଲେ। ଶେଷକୁ ସେ ମିଛୁଆ ରାଧୁଆ ପାଲଟିଗଲା।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ୍, ୨୦୨୬ ସଂଖ୍ୟାରେ ପ୍ରକାଶିତ।)
ଆମେ ଛୋଟ ବେଳେ ମିଛୁଆ ରଧୁଆ ଗପ ପଢ଼ିଥିଲେ, ଏଇ ଗପଟି ପଢ଼ିଲା ପରେ ସେହି ଭଳି ଲାଗିଲା।
କିନ୍ତୁ ସେ ମିଛୁଆ ନୁହେଁ, କି ମିଛ ମଧ୍ୟ କହିନାହିଁ। ତା’ର ସତକୁ ଗ୍ରହଣ କରିବାକୁ ଅନ୍ୟମାନେ ପ୍ରସ୍ତୁତ ନୁହନ୍ତି। ଏହାହିଁ ଆମ ସମାଜର ଦୁଃଖଦ ବାସ୍ତବତା।
ମୁଁ ସାହିତ୍ୟ ଚର୍ଚ୍ଚା ପତ୍ରିକାରେ ଗପଟି ପଢ଼ିଛି। ମତେ ଭଲଲାଗିଥିଲା। ସତ କେତେ ଅସହାୟ, ନିଜକୁ ପ୍ରତିପାଦିତ କରିବାକୁ କେତେ ଅକ୍ଷମ। କିନ୍ତୁ ମିଛ ସଦାବେଳେ କେତେ ବଳବାନ, ଅକ୍ଳେଶରେ ନିଜ ଧାଗ୍ ଜମେଇନିଏ।
କିନ୍ତୁ, ଆଉ ଗୋଟେ କଥା ବି ମନକୁ ଢୁକିଲା, ଗୋପାଳିଆ ଶୋଇପଡ଼ି ସ୍ୱପ୍ନ ଦେଖିନଥିବ ତ??
କିନ୍ତୁ, ଖୁବ୍ ବଢ଼ିଆ ଗପ।
ମନୋଜ ଦାସଙ୍କର କେତୋଟି ଗଳ୍ପରେ ଥିବା ରହସ୍ୟବାଦ ଏଥିରେ କିଛି କିଛି ଦିଶିଗଲା। ବାଘ ତାକୁ ଟେକି ଗଛ ଉପରକୁ ନେବା ନିଶ୍ଚିତ ଭାବରେ ରହସ୍ୟପୂର୍ଣ୍ଣ। ଏହାକୁ ସତ ବା ମିଛରେ ମାପିହେବ ନାହିଁ।