ବୟସର ଅପରାହ୍ଣରେ ରଜ

ନାଲି ପାନ ବିବି କହୁଥିଲ ମୋତେ ଆଣୁଥିଲ ଖିଲିପାନ, ସାଦା ପାନ ଖଣ୍ଡେ ଆଣ କହିଲାରୁ
କହୁଛ ବନ୍ଦ ଦୋକାନ।

ଆରତୀ ସାହୁ

ରଜରେ ସେଦିନ ଦୋଳି ଖେଳୁଥିଲି
ପେହେଞ୍ଚାଉଥିଲ ମୋତେ।
ଆଜି ପେହେଞ୍ଚାଇବାକୁ କହିଲାରୁ
ଗୁମାନ କରୁଛ କେତେ ।

ନାଲି ପାନ ବିବି କହୁଥିଲ ମୋତେ
ଆଣୁଥିଲ ଖିଲିପାନ।
ସାଦା ପାନ ଖଣ୍ଡେ ଆଣ କହିଲାରୁ
କହୁଛ ବନ୍ଦ ଦୋକାନ।

ଖୋଜି ଖୋଜି ମଲ୍ଲି ମାଳ ନାଗର ହେ
ଆଣି ଦେଉଥିଲ ମୋତେ।
ଗେଣ୍ଡୁଫୁଲ ଖଣ୍ଡେ ମଥାରେ ଗେଞ୍ଜିଛି
ଖତେଇ ହେଉଛ କେତେ।

ଶାଶୁ ନଣନ୍ଦକୁ ଲୁଚି ମୋର ସାଥେ
ମାରୁଥିଲ ତାସ ବାଜି।
ତାସ ମୁଠା ଧରି ଅନେଇ ବଇଛି
କୋଣକେ ଦେଖୁନ ଆଜି।

ପୋଡ଼ା ଜଳା ପୋଡ଼ ପିଠା ଖାଇ ତୁମେ
ସେଦିନ ହାତ ଚୁମିଲ ।
କେତେ ଯତନରେ ପିଠା ଗଢ଼ିଅଛି
ତଥାପି ମୁହଁ ମୋଡ଼ିଲ।

ରଜ ବଜାରରେ ଫଟୋ ଉଠିବାକୁ
ହେଉଥିଲ ସକ ସକ ।
ସେଲ୍ଫି ନେବାକୁ ଡାକିଲେ ଟିକେ ମୁଁ
ମାଡ଼ୁନାହଁ ମୋର ପାଖ।

ଖଣ୍ଡେ ପାଟଶାଢ଼ୀ ପିନ୍ଧି ଆସିଲେ ମୁଁ
ନିତି ନୂଆ ଲାଗୁଥିଲି ।
ଘଣ୍ଟାକୁ ଘଣ୍ଟା ମୁଁ ଶାଢ଼ୀ ବଦଳୁଛି
ଟିକେ ଅନେଇବ ବୋଲି।

ସେକାଳର କଥା ପଖାଳ ହେଲାଣି
ଲାଗୁଥିଲି ରଜ ରାଣୀ।
ଆଖିରେ ପଲକ ପଡ଼ୁନି ଦେଖିକି
ଟିଭିରେ ରଜ କୁଇନି?

Leave a Reply

Your email address will not be published. Required fields are marked *