ବୋଉ

  • ବୋଉ ସେଦିନ ପାରିଲା ପୁଅ ପାଖରୁ ଗାଁରେ ରହୁଥିବା ନ-ପାରିଲା ପୁଅ ପାଖକୁ ବାହୁଡ଼ି ଯାଉଥିଲା।
ଜୟନ୍ତୀ ସାହୁ

ସେଦିନ ଠିକ୍ ବାରଟାବେଳେ ସିପୁନ୍ ବାଲ୍‌କୋନି ଉପରେ ଥାଇ ଖୁବ୍‌ଜୋରରେ ନାଚି ବଡ଼ ପାଟିରେ ଡାକି ଉଠିଲା ପାପା, ପାପା, ଶୀଘ୍ର ଆସ। ଦେଖିବ, ଗାଁରୁ ଜେଜେମା ଆସିଛି। ତା’ର ବିହ୍ୱଳିତ କଣ୍ଠସ୍ୱର ଶୁଣି ଓ ତା’ କଥାର ସତ୍ୟତା ପରଖିବା ପାଇଁ ମୁଁ କବାଟ ଖୋଲି ବାହାରକୁ ଆସି ଦେଖେତ ସତକୁ ସତ ମୋ ବୋଉ ଆସିଛି। ବୋଉକୁ ହଠାତ୍ ଗାଁର ଗୋଟିଏ ପିଲା ସହ ଦେଖି ପଚାରିଲି, ତୁ କାହିଁକି ଏମିତି ଆମକୁ କିଛି ଖବର ନ ଦେଇ ବ୍ୟସ୍ତ ହୋଇ ଚାଲି ଆସିଲୁ?
ସେଇଠୁ ବୋଉ ମୋ ମୁଣ୍ଡରେ, ପିଠିରେ ହାତ ବୁଲାଇ ଆଣି କହିଲା, ମୋ ସୁନାଟା ଭଲ ଅଛୁନାରେ। କେତେ ଦିନ ହେଲା ତମକୁ ସବୁ ଦେଖିନାହିଁ ଯେ, ମୋ ଆଖି ଫୁଟି ଗଲାଣି। କେମିତି ନ ଆସିଥାନ୍ତି କହିଲୁ! ଏସନ ବାଡ଼ିପଟ କାଠିଆ କଦଳୀ ଗଛରେ ପ୍ରଥମ ଏ ଫଳ ଫଳିଛି। ମାଙ୍କଡ଼ ସାତଭାୟା ପଲ ଗାଁକୁ କୁଆଡୁ ଆସିଛନ୍ତି ଯେ, କାହାର ବାଡ଼ିଘରେ କିଛି ରଖୁନାହାନ୍ତି। ପୁଣି ଗାଁ ମୁଣ୍ଡ ପୋଖରୀରୁ ଏବେ ମାଛ ମରାଗଲା। ତୁ ତ ଆଇଁଷ ରଙ୍କୁଣାଟା, ତୋ ବଡ଼ପୁଅ ବି ମାଛକୁ ଭାରି ଭଲପାଏ। ତମେ ସେ ମାଛମୁଣ୍ଡ ଟିକିଏ ନଚାଖିଲେ ମୋ ପେଟକୁ କେମିତି ଯାଇଥାନ୍ତା କହିଲୁ। ସଜନା ଗଛରେ ଏତେ ଛୁଇଁ ହୋଇଛି ଯେ ଡାଳ ଆସି ତଳ ଛୁଉଁଛି। ବାରିକ ସାହିଟା ସାରା ସଭିଏଁ ତୋଳି ଖାଉଛନ୍ତି। ଗଲା ଆଇଲା କିଏ କେତେ ନେଇ ଯାଉଛନ୍ତି। ଦିହ ସହିଲା ନାହିଁ, ମୋ ଧନମାଳୀଟା ପାଇଁ ସେଥିରୁ ଦି ପୁଳା ନେଇ ଆସିଲି, ଦେଖୁନୁ, ତଳ ବାରିରେ କେଡ଼େ ଖମ୍ବଆଳୁଟିଏ ଖୋଳା ଯାଇଥିଲା। ଛୋଟ ବେଳେ ଖମ୍ବୁଆଳୁ ବେସର ଭଜା ଖାଇବା ପାଇଁ ତୁ କେତେ ଅଝଟ କରୁଥିଲୁ। ସେସବୁ ପରା ମତେ ଖାଲି ଜଳ ଜଳ ହୋଇ ଦିଶିଯାଉଛି। ସବୁତକ ଖମ୍ବଆଳୁ ଗଣ୍ଠିଲିରେ ବାନ୍ଧି ତୋ ପାଇଁ ଦେଖ୍ ନେଇ ଆସିଛି। ଏ ବର୍ଷ ଆମର କଖାରୁ ଫଳିଲା ନାହିଁ ଯେ ସେବତୀ ମା’ ଚାଳରୁ କଖାରୁଟିଏ ଆଣି ବଡ଼ି ପାରି ଆଣିଛି। ଏ ଯେଉଁ ହେମାଳ ବାଆ ବହୁଛି, ସେଥିରେ ଅତି ଯତ୍ନରେ ଭାଜିଥିବା ଖରଡା ମୁଢ଼ିତକ ନରମ ହୋଇଯିବା ଭୟରେ ହେମ କକେଇଙ୍କୁ ଡାକି ଚାରି ଭଡା ଲମ୍ବା ଜରିରେ ବାନ୍ଧି ଟିଣରେ ପୁରାଇ ଆଣିଛି। ଏଥର ଆମ ଆମ୍ବ ତୋଟାରେ ଗତ ବର୍ଷ ଭଳି ସତେ ଆମ୍ବ ଆସି ନ ଥିଲାରେ। ଯାହା ବି କେତେ ଆସିଥିଲା, ଏ ନିଆଁଲଗା ମେଘ ପବନ ସବୁକୁ ଝଡ଼େଇ ଦେଲା। ସେଇଥିରୁ କିଛି ବୋହୂଟା ପାଇଁ ଗୁଡଆମ୍ବୁଲ ଓ ଲୁଣିଆମ୍ବୁଲ କରି ନେଇ ଆସିଛି।

ବୋଉକୁ ଦେଖିଲାଠାରୁ ଏବଂ ଗାଁର ଅତିପ୍ରିୟ କାଠିଆ କଦଳୀ, ବାଡ଼ି ବରକୋଳି, ଖମ୍ବଆଳୁ, ସଜନା ଛୁଇଁକୁ ଦେଖି ଗାଁର ପୁରା ଚିତ୍ରପଟ ଟା ମୋ’ ଆଖି ଆଗରେ ଭାସି ଉଠିଲା। ପଚାରିଲି, ଆଲୋ ବୋଉ ଶ୍ୟାମ କକେଇଙ୍କ ସେ ଭାଗବତ ଟୁଙ୍ଗୀ ଅଛି ନା ନାହିଁ? ନାକଫୋଡ଼ି ଘରର ଚମ୍ପା ଅପାଟାକୁ ତା କଲିକତାରେ ରହୁଥିବା ଜ୍ୱାଇଁ ଆଉ ଘରକୁ ବାହୁଡେଇ ନେଲା ନା ନାହିଁ। ଆମ କାଳୀ ଗାଈଟା କେତେଟା ବାଛୁରୀ କଲାଣି? ବୋଉ ମୋ କଥାର ଉତ୍ତରରେ ସାରା ଗାଁର ବିବରଣୀ ଖୋଲି ବସିଲା। କେଉଁଠି ଚମ୍ପା ଅପାର କଲିକତିଆ ଜୋଇଁ କଲିକତିଆଣୀ ବଙ୍ଗାଳୁଣୀ ମୋହରେ ପଡ଼ି ନିଆଶ୍ରୀ ଚମ୍ପା ଅପାଟାକୁ ଛାଡ଼ପତ୍ର ଲେଖିଲା ତ, ଭାଗବତ ଟୁଙ୍ଗୀକୁ କଲେଜ୍ ପଢୁଆ ଗାଁ ଟୋକାଏ ମିଶି କ୍ଲବ୍ ଘର କଲେ। ଶ୍ୟାମ କକେଇ ଦାନ୍ତ ଘଷୁ ଘଷୁ ଉଚ୍ଚପିଣ୍ଡାରୁ ଗଡ଼ି ଗଡ଼ି ସ୍ୱର୍ଗଗାମୀ ହେଲେ। ମାଧିଆ ମା’ର ଚାରିଟା ଯାକ ଛେଳି ଚରିଯାଇଥିଲେ ଯେ, ତା’ ଭିତରୁ ତିନିଟା ଛେଳିକୁ ବାଣାଟିଆ ଘୋଷାରି ନେଇଗଲା। ତା’ପରଦିନକୁ ବଣଭିତରୁ ଛେଳି ଫଡ଼ିଆଟା ପାଇଲେ। ସୁନ୍ଦରୀ ମା’ଟା ଭାରି ଭାଗ୍ୟବତୀ। ତା’ ବଅସ ବେଳେ ଯେତିକି ଦୁର୍ଦ୍ଦଶା ଭୋଗିଥିଲା, ଏବେ ତାର ଦୁଃଖ ଗଲା। ତାକୁ କଣ ଆଉ ଦଣ୍ଡେ ଗାଁରେ ଦେଖିବୁ କିରେ? ଏ ପୁଅ ପାଖରେ କିଛି ଦିନ ସମ୍ବଲପୁରରେ ରହୁଛି ତ ସେ ପୁଅ ପାଖରେ କିଛିଦିନ ବଡ଼ବିଲ୍‌ରେ ରହୁଛି। ସବା ସାନପୁଅ ଗତିଆଟା ଅଭିଆଡି ଅଛି ଯେ ତା’ର ଖାଇବା ପିଇବାର ତତ୍ତ୍ୱ ନେବା ପାଇଁ ସେ ଜମାରୁ ସୁନ୍ଦରୀ ମା’କୁ ପାଖରୁ ଛାଡ଼ିବାକୁ ନାରାଜ। ସୁନ୍ଦରୀ ନାନୀ ରାଜସୁଖ ଭୋଗ କରୁଛି। ତିନିତିନିଟା ହଳ ରଖି ବାଉନବାଟୀ ଚାଷ ତାର। ଏମିତି ସାରା ଗାଁର ସମ୍ବାଦ ମୋ ବୋଉ ଏକା ନିଃଶ୍ୱାସକେ ଗାଇ ପକାଇଲା। ମନେ ହେଲା ଯେମିତି ମୋ ବୋଉ ହିଁ ମୋର ଅତିପ୍ରିୟ ପୂବେଇ ଗାଁ, ଯାହାର ପଣତରେ ଦୋଳି ଖେଳେ ପୂବେଇ ପବନର ବାଆ। ଯାହା କଥାର ସୁଅରେ ଚହଲିଯାଉଛି କେଲୁଅ ନଦୀର ମନ ମତାଣିଆ ନାଆ।
ଏଥର ବୋଉ କଳପାଣିରେ ଧୁଆଧୋଇ ହେଲା। ତା’ ପାଇଁ ମୋ ସ୍ତ୍ରୀ ସବିତା ଖାଇବାକୁ ବାଢ଼ି ଖୁବ୍ ଆଦରରେ ଡାକିବାକୁ ଗଲା। ହେଲେ ବୋଉ ଖାଇବ କ’ଣ। ରୋଷେଇ ଘରେ ପଶି ସୋରିଷ ଡବା ଅଣ୍ଡାଳୁଛି। ମୁଁ ଡାଇନିଂ ରୁମ୍‌ରୁ ପାଟି କଲି, ଆଲୋ ବୋଉ, ରୋଷେଇ ଘରେ କ’ଣ କରୁଛୁ। ଆଗେ ଖାଇବୁ ଆ। ବୋଉ ରୋଷେଇ ଘରେ ଥାଇ ମତେ ଉତ୍ତର କରୁଛି, ରହମ, ମୋ ଖାଇବା ଟା ଆଗ ହେଲା! ଏତେ ଶରଧାରେ ପୋଖରୀ ମାଛ ଆଣିଛି, ତାକୁ ଟିକିଏ ବେସର ବାଟି ତାଟିଆରେ ପୋଡ଼ି ନ ଦେଲେ ମାଛ ଗୁଡା ପଚିଯିବ। ତୁ ପରା ପତରପୋଡା ଚାଖିବୁ ବୋଲି କହୁଥିଲୁ। ସେଥିପାଇଁ ଆମ ଘର ଚାଳକୁ ମାଡ଼ିଥିବା ପୋଇ କେଇଖଣ୍ଡ ଆଣିଛି ଯେ ତା’ ପତରରେ ଟିକେ ପତର ପୋଡ଼ା କରିଦିଏ। କେଉଁ କାଳରୁ ଶାଗ ଖରଡ଼ା ଖାଇ ନ ଥିବୁ ବୋଲି ଗାଁରୁ ଏଥର ବିରିଗୁଣ୍ଡ, ଚାଉଳ ଗୁଣ୍ଡ ପରା କରି ଆଣିଛି, ତମେ ସମସ୍ତେ ଶୀଘ୍ର ଶୀଘ୍ର ଗାଧୋଇପଡ଼। ମୁଁ ଗୁଣ୍ଡ ଦେଇ ଆଜି ଶାଗ ଖରଡ଼ା କରିଦେବି। ସମସ୍ତେ ମନଭରି ଭାତରେ ଖାଇବ।
ଏମିତି ବୋଉର ଶାଗଖରଡ଼ା, ପତର ପୋଡା, ମାଛ ପତୁଆରେ ମସ୍‌ଗୁଲ୍ ହୋଇ ଦିନ ବାହୁଡ଼ିଲା। ସଂଜ ଆସିଲା ତ ଦୁଇ ନାତିଙ୍କୁ ଧରି ମୋ ବୋଉର ଗପ ପେଡି ଖୋଲିଲା। ଚକୁଳିଆ ପଣ୍ଡାର ସାତଝିଅ। ହେଲେ ସାତ ଝିଅଙ୍କୁ ବାହା କରି ନ ପାରି ଚକୁଳିଆ ପଣ୍ଡା ଯାତ ଦେଖାଇ ନେବା ଆଳରେ ଝିଅଙ୍କୁ ସବୁ ଜଙ୍ଗଲରେ ଛାଡ଼ିଦେଇ ଆସିଲା। ଜଙ୍ଗଲରେ ରାତି ଘୋର ହେବାରୁ ଝିଅମାନେ ସମସ୍ତେ ବାହୁନି ବାହୁନି କାନ୍ଦିଲେ। ସେ ଜଙ୍ଗଲକୁ ସାତରାଜା ପୁଅ ପାରିଧି କରିଯାଇଥିଲେ। ସାତଝିଅଙ୍କ କାନ୍ଦଣା ଶୁଣି ତାଙ୍କ ପାଖକୁ ଘୋଡ଼ା ଛୁଟାଇଲେ। ଶେଷରେ ତାଙ୍କର ଦୁଃଖ ସମ୍ଭାଳିନପାରି ଏବଂ ଗୋଟିଏ ଚାଉଳରେ ଗଢ଼ା ସାତଟି ଦେବୀ ପ୍ରତିମାଙ୍କୁ ଦେଖି ସାତରାଜା ପୁଅ ବାହା ହୋଇ ସାତଭଉଣୀଙ୍କୁ ଉଆସକୁ ନେଲେ। ଏମିତି ଗପର ସୁଅ ମୋ ବୋଉର ମୁହଁରୁ କାହିଁ କେତେ ଯୋଜନଯାଏଁ ଲମ୍ବି ଚାଲିଥିଲା। ସାତତାଳ ପାଣି ସାତତାଳ ପଙ୍କ ଭିତରେ ଥିବା ଅସୁରପୁରୀର କଥା, ତ ଗୋଟିଏ ଗୋଡ଼ ଚୂଲିରେ ଜାଳି ବୁଢ଼ୀ ଅସୁରୁଣୀର ଧାନ ଉଁଷେଇବା କଥା। ମୋ ଦୁଇ ପୁଅ ବି ତଟସ୍ଥ ହୋଇ ସେଇ କାଉଁରୀ ରାଇଜର ମନମୁଗ୍ଧ ଦୁଇ ଶ୍ରୋତା ପାଲଟି ଯାଇଛନ୍ତି। ମୋ ବୋଉ ଟିକିଏ କଥା ବନ୍ଦ କଲାରୁ, ଜେଜେମା ଆଉ ଟିକେ କୁହ ବୋଲି ଅଡି ବସୁଥାନ୍ତି। ଏମିତି ଏମିତି ଦିନେ ଦୁଇଦିନ ଗଲା। ବୋଉ ଆସିବାର ତିନିଦିନ ବଡ଼ି ସକାଳୁ ଦେଖାଗଲା, ବୋଉ ତାର ଗଣ୍ଠିଲି ସଜ କରୁଛି। ବୋଉ ପାଖକୁ ଗଲି। ବୋଉ ଏକଣ କରୁଛୁ? ତୁ ଆଉ ଏଠି କିଛି ଦିନ ରହିଯା। ଗାଁରେ କାମ ଖଟି ଖଟି କେମିତି ହେଲୁଣି। ଜୀବନସାରା ଏମିତି ଗାଁରେ ଖଟୁଥିବୁ ନା କ’ଣ। ଏଠି ବିଜୁଳି ଆଲୁଅ ଅଛି, ପଂଖା ଅଛି, କୁଲର୍ ଅଛି। ମୋର ସୁକୋମଳ ଡନ୍‌ଲପ୍ ଗଦି ଅଛି। ମନଇଚ୍ଛା ଘୁରି ବୁଲିବା ପାଇଁ ଗାଡ଼ି ଅଛି। କଳ ମୋଡ଼ିଦେଲେ ଅସୁମାରୀ ପାଣି ବୋହୁଛି। ସ୍ୱିପର୍ ଆସି ଝାଡୁ କରୁଛି। ପିଅନ ଫୁଲ କୁଣ୍ଡର ଯତ୍ନ ନେଉଛି। ସୁସ୍ୱାଦୁ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରୁଛି। ତୁ ଟିକିଏ ଆରାମରେ ଏଠି ରହିଯା।
ବୋଉ ମୋ ମୁଣ୍ଡ ଆଉଁଷି ଦେଇ କହିଲା, ମୋ ବାୟାଟା କିରେ। କେମିତି ଏଠି ରହିବି ବୋଲି କହୁଛୁ? ତେଣେ ଓଲେଇ ଗାଈଟା ଛାଡ଼ି ଆସିଛି, କାହା କାହା ବାଡ଼ିରେ ପଶୁଥିବ। ହଳଦୀ ଗୁଣ୍ଡ ସରିଯାଇଛି ଯେ ସୁମା ମା’ ଢ଼ିଙ୍କିରେ କୁଟି ନ ଆଣିଲେ ସୁମା ମା’ ତା ଝିଅ ଜୋଇଁଙ୍କ ପାଖକୁ ପଳାଇବ। ତୋ ବାପାଙ୍କ ଶ୍ରାଦ୍ଧ ପୁଣି ପାଖେଇ ଆସୁଛି। ତା’ ଲାଗି ଘର ଲିପା ଧୁଆ ସବୁ ଏବେଠୁ କରିବାକୁ ପଡ଼ିବ। ସେ ପଟ ଖଞ୍ଜାରେ ଦିବୁଦା ଲାଉ ଲଗେଇଛି ଯେ ମୁଁ ଗଲେ ସେଥିରେ ହାଣ୍ଡିଧୁଆ ପାଣି ଦିଆଯିବ। ରୋଗୀଣା ପୁଅଟାକୁ ଦିଦିନ ହେଲା ଛାଡି ଆସିଲିଣି, ତାକୁ ତା ଭାରିଯା ନିରୋଜଗାରିଆ ବୋଲି ଭଲରେ ଦି ମୁଠା ଖାଇବାକୁ ଦେଉନଥିବ। ମୁଁ ଥିଲେ ସିନା ମୋ ଖାଇବା ଦରବକୁ ଅଣ୍ଟି ତଳେ ଗୁଞ୍ଜି ତା’ ଭାରିଯା ଗାଧୋଇ ଗଲାବେଳେ, ପୋଖରୀପାଣି ଗଲାବେଳେ ତା’କୁ ଖୁଆଉ ଥିଲି। ଅଭାଗାଟା ଦୁଇଦିନ ହେଲା ଭୋକ ଉପାସରେ ମତେ ଝୁରି ହେଉଥିବ। ଏଣେ ଭାରିଯାର ତାଗିଦ୍‌ରେ ହଳଯୋଖା, ଗୋରୁବଳଦଙ୍କୁ କୁଣ୍ଡାପାଣି ଏକା ଏକା ଟେକି ହାଲିଆ ହୋଇପଡୁଥିବ। ମତେ ଆଉ ତୁ ରଖାନାରେ। ମୁଁ ଆଜି ଗାଁ କୁ ଚାଲିଯାଉଛି। ମୋ ରଙ୍କୁଣୀଧନଟା, ମୋ ଦୁଃଖ ପାସୋରାଟା, ମୁଁ ଯାଉଛି ବୋଲି ତୁ ଜମା ମନଦୁଃଖ କରନା। ଏମିତି ବାଡ଼ିରେ ପହିଲି ଫଳ ଫଳିଲେ, ତଳ ବାଡ଼ିରେ ଆଳୁମାନ୍ତା ଖୋଳା ହେଲେ, ଖମ୍ବଆଳୁ ବଡ଼ ହେଲେ, ବାଡ଼ି ବରକୋଳି ଗଛରେ କୋଳି ପାଚିଲେ, ଶିମ୍ବ ଗଛରେ ଶିମ୍ବ ଓ ଆମ୍ବ ଗଛରେ ଆମ୍ବ ହେଲେ ସବୁବେଳେ ନେଇ କରି ଆସୁଥିବି। ମୋ ଜୀବନ ଧନଟାକୁ ଦେଖି କରି ଯାଇଥିବି। ଗାଁରେ ଥାଇ ମା’ ମଙ୍ଗଳାଙ୍କୁ ମନାସୁଥିବି ତୋ’ ଆଗ ଗୋଡ଼ରେ କଣ୍ଟା ନ ବାଜୁ। ଘଣ୍ଟ ଘୋଡ଼େଇ ତୋର ଏ ଛୋଟ ସଂସାରକୁ ମଙ୍ଗଳା ମାଆ ସାହା ହୁଅନ୍ତୁ।
ଆଖିରୁ ଲୁହ ପୋଛି ପୋଛି ଆମ ସମସ୍ତଙ୍କ କପାଳରେ ଚୁମା ଆଙ୍କି ଆଙ୍କି ବୋଉ ତା’ ଗଣ୍ଠିଲି ଧରି ମୋ ପାଖରୁ ଗାଁକୁ ବାହୁଡ଼ି ଯାଉଥିଲା। ପାରିଲା ପୁଅ ପାଖରୁ ଗାଁରେ ରହୁଥିବା ନ-ପାରିଲା ପୁଅ ପାଖକୁ ବାହୁଡ଼ି ଯାଉଥିଲା। ରୋଜଗାରିଆ ପୁଅ ପାଖରୁ ନିରୋଜଗାରିଆ ପୁଅ ପାଖକୁ ଫେରି ଯାଉଥିଲା। ସୁଖର ଉତ୍ତୁଙ୍ଗ ପାହାଡ଼ ଉପରୁ ସାତତାଳ ଦୁଃଖର ପାଣିକୁ ଜାଣି ଜାଣି ଗୋଡ଼ କାଢ଼ୁଥିଲା।

  • ‘ସାହିତ୍ୟ ଚର୍ଚ୍ଚା ‘ ପତ୍ରିକାର ଜୁନ୍, ୨୦୨୨ ସଂଖ୍ୟାରେ ପ୍ରକାଶିତ।

One thought on “ବୋଉ

  1. ସତ କଥା। ସବୁ ମା’ମାନେ ସମାନ।

Leave a Reply

Your email address will not be published. Required fields are marked *