ମିଛ କେବେ ସତ ହୁଏନା

୨୦୧୪ ମସିହାରେ ଭାରତ ସରକାରଙ୍କ ଦ୍ବାରା ଓଡିଆ ଭାଷାକୁ ଏକ ଶାସ୍ତ୍ରୀୟ ଭାଷା ରୂପେ ମାନ୍ୟତା ପ୍ରଦାନ ଏକ ଐତିହାସିକ ନିର୍ଣ୍ଣୟ ଥିଲା। ସେହି ଦିନଟିକୁ ଓଡ଼ିଆ ଜାତି ଏକ ଗୌରବମୟ ଦିବସ ଭାବରେ ପାଳନ କରିଥିଲା। ଭୁବନେଶ୍ବରର ସରକାରୀ ଭବନଗୁଡିକ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା ଏବଂ ବିଶ୍ବର କୋଣ ଅନୁକୋଣରେ ବସବାସ କରୁଥିବା ଓଡ଼ିଆମାନେ ଉତ୍ସବମୁଖର ହୋଇଉଠିଥିଲେ। ସେହି ଅବସରରେ କେଇଜଣ ତଥାକଥିତ ଅଗ୍ରଗଣ୍ୟ ଓଡ଼ିଆ ଭାଷାବିତ୍ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ଯେଉଁମାନଙ୍କ ଦ୍ବାରା ପ୍ରସ୍ତୁତ ଗବେଷଣାତ୍ମକ ସନ୍ଦର୍ଭ ଭାରତ ସରକାରଙ୍କ ଦ୍ବାରା ଓଡ଼ିଆ ଭାଷାକୁ ଏହି ବହୁମୂଲ୍ୟ ସ୍ବୀକୃତି ପ୍ରଦାନ କରିବାରେ ପ୍ରମୁଖ ଭୂମିକା ନେଇଥିଲା ବୋଲି ବିଶ୍ବାସ କରାଯାଉଥିଲା।
ଏହି ପଟ୍ଟଭୂମିରେ ଏବେ ପ୍ରକାଶ ପାଇଛି ବିଶିଷ୍ଟ ସାମ୍ବାଦିକ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ବାରା ରଚିତ ଏକ ଆଲୋଡନକାରୀ ପୁସ୍ତକ: ‘ମିଛ କେବେ ସତ ହୁଏନା – ଶାସ୍ତ୍ରୀୟ ଓଡ଼ିଆ: ମିଛ ଦାବି ଓ ସତ ଅପରାଧ।’ ଏଥିରେ ଲେଖକ ଏକ ଶାସ୍ତ୍ରୀୟ ଭାଷା ଭାବରେ ଓଡିଆ ଭାଷାର ସ୍ବୀକୃତି ପାଇଁ ଶ୍ରେୟ ନେଉଥିବା କେତେଜଣ ଭାଷାବିତ୍ ଓ ଗବେଷକଙ୍କ ମୁଖା ଉନ୍ମୋଚନ କରିବାର ସଫଳ ପ୍ରୟାସ କରିଛନ୍ତି।
ପୁସ୍ତକଟିର ମୁଖବନ୍ଧରେ ଏଥିରେ ସନ୍ନିବେଶିତ ଲେଖାଗୁଡିକ ସଂପର୍କରେ ବିଶିଷ୍ଟ ସାହିତ୍ୟିକ ତଥା ‘ସର୍ବସାଧାରଣ’ ସମ୍ବାଦପତ୍ରର ପୂର୍ବତନ ସଂପାଦକ ଶ୍ରୀ ହରପ୍ରସାଦ ପରିଛା ପଟ୍ଟନାୟକଙ୍କ ନିମ୍ନୋକ୍ତ ମନ୍ତବ୍ୟଟି ଉଦ୍ଧୃତ ହୋଇଛି:
“ଓଡ଼ିଆ ଭାଷାକୁ ଅନ୍ତରର ସହ ଭଲପାଉଥିବା, ଭାଷା ଜନନୀର ସୁରକ୍ଷା ପାଇଁ ଜାଗ୍ରତ ପ୍ରହରୀ ଭଳି ଚାହିଁ ରହିଥିବା ତଥା ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଥିବା ସୁଭାଷ ପଟ୍ଟନାୟକ ଏହାର (ଶାସ୍ତ୍ରୀୟ ମାନ୍ୟତା ଅପହରଣର) ଗୁମର ସାର୍ବଜନୀନ କରିବାପାଇଁ ଚେଷ୍ଟା କରିଛନ୍ତି। … ଶ୍ରୀ ପଟ୍ଟନାୟକ ଅତି ନିଖୁଣ ଭାବେ ପ୍ରମାଣିତ କରିବାକୁ ଚାହିଁଛନ୍ତି, କିପରି ଶାସ୍ତ୍ରୀୟ ମାନ୍ୟତାରେ ହୋଇଛି ଜାଲିଆତି।”
ଓଡ଼ିଆ ଭାଷାର ଶାସ୍ତ୍ରୀୟତା ପ୍ରମାଣ କରିବାପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ଗଠିତ କମିଟି ଦ୍ବାରା ପ୍ରସ୍ତୁତ ରିପୋର୍ଟକୁ କିଛି ଭାଷା ଗବେଷକ କିପରି ଅପହରଣ କରିନେଇଥିଲେ ତାହାର ଚାଞ୍ଚଲ୍ୟକର ବିବରଣୀ ପୁସ୍ତକଟିରେ ବିଶଦ ଭାବେ ବର୍ଣ୍ଣିତ। ଲେଖକ ନିଜର ଅନୁସନ୍ଧାନାତ୍ମକ ସାମ୍ବାଦିକତାର ଧର୍ମ ପାଳନ କରିବାକୁ ଯାଇ ଅତି ନିଃସଙ୍କୋଚରେ ଏବଂ ରୋକଠୋକ ଭାବରେ ନିଜର ବକ୍ତବ୍ୟ ରଖିଛନ୍ତି। କେତୋଟି ଅଧ୍ୟାୟର ନାମକରଣରୁ ଲେଖାଗୁଡ଼ିକର ଅନ୍ତଃସ୍ବର ସ୍ପଷ୍ଟ ବାରି ହୋଇପଡେ, ଯଥା: ‘ସାଂସ୍କୃତିକ ରାହାଜାନୀର ବିଷ-ବଳୟରେ ଭାଷା ଜନନୀ ଓଡ଼ିଆ’, ‘ଦେବୀପ୍ରସନ୍ନଙ୍କ ମିଛ ଦାବି’, ‘ଦୁଇ ଅପରାଧୀ’ ଓ ‘ଜଘନ୍ୟ ଜାଲିଆତି’ ଆଦି। ଏହି ବିଷୟଗୁଡିକ ସଂପର୍କରେ ତଥ୍ୟପ୍ରମାଣଗତ ଅନେକ ଦଲିଲର ଫଟୋଚିତ୍ର ମଧ୍ୟ ପୁସ୍ତକଟିରେ ସନ୍ନିବେଶିତ।
ଓଡ଼ିଆ ଭାଷାପ୍ରେମୀ ତଥା ଭାଷା-ଗବେଷକଙ୍କ ମହଲରେ ଏହି ପ୍ରସଙ୍ଗରେ ପରବର୍ତ୍ତୀ ବିତର୍କ ପାଇଁ ପୁସ୍ତକଟି କ୍ଷେତ୍ର ପ୍ରସ୍ତୁତ କରିଛି। ପୁସ୍ତକଟିର ମୁଦ୍ରଣ ପରିପାଟୀ ଉନ୍ନତ, ତେବେ ପୃଷ୍ଠାଗୁଡିକର ପୃଷ୍ଠପଟ୍ଟରେ ଦିଆଯାଇଥିବା ଓ୍ବାଟରମାର୍କ୍ ଲେଖାଗୁଡିକର ସୁଚାରୁ ପଠନରେ ସାମାନ୍ୟ ଅନ୍ତରାୟ ସୃଷ୍ଟିକରୁଥିବାଭଳି ମନେହୁଏ। ସର୍ବୋପରି ଏହା ବିଶେଷ ପ୍ରଣିଧାନଯୋଗ୍ୟ ପ୍ରକାଶନଟିଏ।

  • ନିହାର ଶତପଥୀ

4 thoughts on “ମିଛ କେବେ ସତ ହୁଏନା

  1. ଜଣେ ପାଠକ ଭାବେ ମୋର ମତ, ଏହା ଏକ ଆଦର୍ଶସ୍ଥାନୀୟ ପୁସ୍ତକ ସମୀକ୍ଷା । ଏଥିପାଇଁ, ଚର୍ଚ୍ଚିତ ପୁସ୍ତକର ଲେଖକ ଭାବେ ମୁଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି ।
    ସୁଭାଷ ଚନ୍ଦ୍ର ପଟ୍ଟନାୟକ

  2. ଶ୍ରୀ ସୁଭାଷ ପଟ୍ଟନାୟକଙ୍କ ଦ୍ବାରା ଲିଖିତ ‘ମିଛ କେବେ ସତ ହୁଏନା’ ପୁସ୍ତକର ସଂକ୍ଷିପ୍ତ ସମୀକ୍ଷାଟିଏ ଲେଖିଛନ୍ତି ଶ୍ରୀ ନିହାର ଶତପଥୀ। ପୁସ୍ତକଟିର ଗୁଣାତ୍ମକ ଉତ୍କର୍ଷ, ପାଠକୀୟ ଆବେଗ ଓ ସତ୍ୟନିଷ୍ଠତା ମୋତେ ମୁଗ୍ଧ କରିଛି।

  3. It would be better if you be kind enough to publish the address/ source of availability of the book and contact no of Sri Pattnayak

Leave a Reply

Your email address will not be published. Required fields are marked *