ଲେଖକ ଭୁତ ଓ ପାଠକ ଭୁତ

ମୁଁ ହେଲି ଭବିଷ୍ୟତରେ ଭୁତ ହେବାକୁ ପ୍ରସ୍ତୁତ ହେଉଥିବା ଜଣେ ଜିଅନ୍ତା ପାଠକ।

ସୁନୀଲ କୁମାର ବିଶ୍ୱାଳ

ମୁଁ କହିଲି – ହେଃ ବେକାର କଥା କହୁଛନ୍ତି, ସଂସାରରେ ଭୁତ ପ୍ରେତ ଆଉ ନାହାନ୍ତି।
ସେ କହିଲେ- ବିଶ୍ୱାସ କରନ୍ତୁ, ଆମ ଅଞ୍ଚଳରେ ଗୋଟିଏ ଘରେ ଭୁତ ଏବେ ବି ଅଛନ୍ତି | ସେ ବି ଦୁଇ ରକମର ଭୁତ।
ମୁଁ କହିଲି – ଆପଣ ଦେଖିଛନ୍ତି?
ସେ କହିଲେ – ନାଁ , ମୁଁ ଦେଖିନି, କିନ୍ତୁ ଶୁଣିଛି , ନିଜେ ନିଜ କାନରେ ଶୁଣିଛି‌। କଥାଟାକୁ ଟିକେ ଜୋର ଦେବା ଭଙ୍ଗୀରେ ସେ କହିଲେ।
ମୁଁ – ମୋତେ ଦେଖେଇ ପାରିବେ?
ସେ – ନିଶ୍ଚୟ, ତେବେ ଦେଖେଇ ପାରିବି ନାହିଁ, ଶୁଣେଇ ପାରିବି।
କଥା ଅନୁସାରେ ତାଙ୍କ ପାଖରେ ମୁଁ ସନ୍ଧ୍ୟା ବେଳକୁ ପହଞ୍ଚିଲି ଏବଂ ଦୁହେଁ ବାହାରିଲୁ ସହରର ଏକଦା ଏକ ପାଠାଗାର ଥିବା ପୁରୁଣା ପରିତ୍ୟକ୍ତ ଘର ଆଡ଼େ। ଗଲା ବେଳେ ସେ ଚେତେଇ ଦେଲେ ଯେ ଆମକୁ ସେହି ଭଙ୍ଗା ଦଦରା ଘରର ଏକ କୋଣରେ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ପଡ଼ିବ। ସେଠାରେ ଭୁତକୁ ଶୁଣିସାରିବା ପରେ ଆମେ ସେହି କୋଠାର ଆଉ ଏକ ଅଂଶକୁ ଯାଇ ପୁଣି ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡ଼ିବ।
ଅନ୍ଧାର ବହଳ ହେବା ଆଗରୁ ଦୁହେଁ ଗୋଟିଏ କୋଣରେ ଏକ ଭଙ୍ଗା ଅଧା କାନ୍ଥ ଉପରେ ବସିଗଲୁ। ରାତି ଆସିଲା ଓ ଆକାଶରେ ଜହ୍ନ ଦେଖାଗଲା। ଚନ୍ଦ୍ରକିରଣରେ ସବୁଆଡେ ଝଲମଲ ହେବାରେ ଲାଗିଲା। ଦୂରରୁ ବିଲୁଆମାନଙ୍କ ରଡ଼ି ଶୁଭିଲା। ଏକଦମ ଭୌତିକ ପରିବେଶ। ଆମେ ଦୁହେଁ ତାହାଙ୍କୁ ଜହ୍ନ ଆଲୁଅରେ ଦେଖିପାରୁଥାଉ।

ହଠାତ୍ ସେ ମୋ ହାତକୁ ଚିପି ଦେଇ ଫିସ୍ ଫିସ୍ କରି କହିଲେ – ଶୁଣନ୍ତୁ, ଏଇ ପାଖ କୋଠରୀ ଭିତରୁ ଆଵାଜ ଆସୁଛି। ମୁଁ କାନେଇଲି, ପ୍ରଥମେ ତ ମୁଁ କିଛି ଶୁଣିପାରିଲି ନାହିଁ। କିନ୍ତୁ ଧୀରେ ଧୀରେ ଖର୍ ଖର୍ ଆଵାଜ କାନରେ ପଡିଲା। ମୁଁ ଚେଷ୍ଟା କଲି ସେଇଟା କି ପ୍ରକାର ଶବ୍ଦ ଜାଣିବା ପାଇଁ‌। ମତେ ଲାଗିଲା ଯେମିତି କେହି କାଗଜ ଉପରେ କଲମ ଧରି କିଛି ଲେଖୁଛି।
ଖର ଖର…ଖର ଖର଼…ଖର଼ ଖର୍ଖର ଖର୍ଖର ଖରଖର ଖରଖର ଖରଖର ଖରଖର ଖର,
ଲାଗିଲା ଅନେକ ଲୋକ ଏକା ସାଙ୍ଗରେ ଲେଖୁଛନ୍ତି ଯେ ଲେଖୁଛନ୍ତି।
ସେ କହିଲେ – ଏଇଟା ହେଉଛି ପରଲୋକଗତ ଲେଖକମାନଙ୍କ ଆଡ୍ଡା ସ୍ଥଳୀ; ସେମାନେ ସବୁ ନିଜ ଜୀବନ କାଳରେ ଯାହା ଲେଖିବାକୁ ଚାହୁଥିଲେ, ସାରିପାରିବା ପୂର୍ବରୁ ଦୁନିଆ ଛାଡ଼ି ଚାଲିଗଲେ। ଏବେ ସେମାନଙ୍କ ଅଶରୀରୀ ଆତ୍ମା ସେଇ ଅତୃପ୍ତ ଅବସ୍ଥାରେ କଲମ ଛାଡ଼ି ନପାରି ଲେଖୁଛି ଯେ ଲେଖୁଛି।
ଆମେ ଏବେ ଚାଲିଲୁ କୋଠାର ଆଉ ଏକ ଅଂଶକୁ, କାନେଇଲୁ ଭୌତିକ ଶବ୍ଦକୁ। କିଛି ଗୋଟିଏ ଶବ୍ଦ ହେଲା, ବେଶ କିଛି ସମୟ ପରେ ପୁଣି ହାଲୁକା ଶବ୍ଦ। ଏଥର ସେଇ ଶବ୍ଦ ଥିଲା ବହିର ପୃଷ୍ଠା ଓଲଟାଇବା ପରି।
ମୁଁ ତାଙ୍କୁ ପଚାରିଲି – ଇୟେ ବହି ପୃଷ୍ଠା ଓଲଟାଇବା ଶବ୍ଦ ବୋଧେ?
ମୋତେ ବାହାରକୁ ଆସିବାକୁ ଇସାରା କରି ସେ କହିଲେ – ହଁ, ଇୟେ ହେଉଛି ଅତୃପ୍ତ ପାଠକମାନଙ୍କ ଆଡ୍ଡା। ଆଗରୁ ଏଠି ବି ବହି ପୃଷ୍ଠା ଓଲଟାଇବା ଶବ୍ଦ ଏତେ ହେଉଥିଲା ଯେ ପୃଷ୍ଠା ଓଲଟାଇବା ଯୋଗୁଁ ସୃଷ୍ଟ ପବନରେ ବତୀ ଲିଭି ଯାଉଥିଲା‌।ଆଜିକାଲି କିନ୍ତୁ ସେଇ ଶବ୍ଦ କମି ଚାଲିଛି।
ଆମେ ଦୁହେଁ ବାହାରକୁ ଆସିସାରିଥିଲୁ |
ଶେଷକୁ ଆପଣମାନଙ୍କୁ ଟିକିଏ ମୋ’ର ପରିଚୟଟା ଦେଇଦିଏ। ମୁଁ ହେଲି ଭବିଷ୍ୟତରେ ଭୁତ ହେବାକୁ ପ୍ରସ୍ତୁତ ହେଉଥିବା ଜଣେ ଜିଅନ୍ତା ପାଠକ, ସୁନୀଲ କୁମାର ବିଶ୍ୱାଳ।

4 thoughts on “ଲେଖକ ଭୁତ ଓ ପାଠକ ଭୁତ”

  1. ମୁଁ କିଛି ପଢୁଛି ଆଉ କିଛି ପଢିପାରୁନି।
    ମୁଁ ତାହେଲେ ମଣିଷ ଭୂତ.

    ବଢ଼ିଆ ଲାଗିଲା

  2. ସାର୍ ଅବିକାର ଲେଖକମାନେ ଯେବେ ଭୂତ ହେବେ ଆଉ ଖର ଖର ଖର୍ର ଖର୍ର ଶବ୍ଦ ସୃଷ୍ଟି କରିବେନି ବରଂ ଖଟ୍ ଖାଟ୍ ଖଟ୍ ଖାଟ୍ ଶବ୍ଦ ସୃଷ୍ଟି କରିବେ କାରଣ ମୋବାଇଲ୍ କି’ପ୍ୟାଡ୍ ବାଡ଼େଇ ଲେଖୁଛନ୍ତି।

    ଆଉ ପାଠକମାନେ ବି ଫର୍ଦ୍ଦ ଓଲଟାଇବାର ଫଡ଼୍ ଫାଡ଼୍ ଶବ୍ଦ ସୃଷ୍ଟି କରିବେନି ବରଂ ମୋବାଇଲ୍ ସେଟ୍ ଭଳିଆ କାଠପଟା ଖଣ୍ଡେ ଧରି ସେଥିରେ ବୁଢ଼ା ଆଙ୍ଗୁଠି ଘଷିଘଷି ସ୍କ୍ରଲ୍ କରୁଥିବେ।

Leave a Reply

Your email address will not be published. Required fields are marked *