ଗୋଟିଏ ଲୋକପ୍ରିୟ ଢଗ ଅଛି, ‘କଟକରେ ରାତି ନାହିଁ, ପୁରୀରେ ଜାତି ନାହିଁ।’ କିନ୍ତୁ ପ୍ରକୃତ କଥା ହେଉଛି, ପୁରୀରେ ରାତି ନାହିଁ କିମ୍ବା ଜାତି ମଧ୍ୟ ନାହିଁ।

ପୁରୀ ଟାଉନ ଥାନାରେ ଯୋଗଦାନ କଲାପରେ, ସେଠାରେ କାର୍ଯ୍ୟରତ ମୋ’ଠାରୁ ବରିଷ୍ଠ ଅଫିସରମାନେ ମୋ’ ବିଷୟରେ ଅନେକ କିଛି ପ୍ରଶ୍ନ କରିଥିଲେ। ମୋ’ର ପାଠପଢ଼ାଠୁ ଆରମ୍ଭକରି ଟ୍ରେନିଂରେ ମୋ’ର ସଫଳତାର କ୍ରମାଙ୍କ କେତେଥିଲା ଇତ୍ୟାଦି। ମୁଁ ଯଥାସମ୍ଭବ ସଂକ୍ଷିପ୍ତ ଓ ସ୍ପଷ୍ଟ ଉତ୍ତର ଦେବାକୁ ଚେଷ୍ଟା କରିଥିଲି। ସେମାନଙ୍କ ମଧ୍ୟରୁ ଜଣେ ମତେ କହିଥିଲେ, ଏହି ପୁରୀ ଟାଉନ ଥାନାରେ କାମକଲେ ଲୁହାର ସ୍ପ୍ରିଂ ପରି କାମ କରିବାକୁ ପଡ଼ିବ। ଅନ୍ୟ ଥାନା ତୁଳନାରେ ଏଠାର କାର୍ଯ୍ୟଭାର ଯଥେଷ୍ଟ ଅଧିକ। ଆଉ ମଧ୍ୟ ଏକଥା କହିଥିଲେ, ଗୋଟିଏ ଲୋକପ୍ରିୟ ଢଗ ଅଛି ‘କଟକରେ ରାତି ନାହିଁ, ପୁରୀରେ ଜାତି ନାହିଁ।’ କିନ୍ତୁ ପ୍ରକୃତ କଥା ହେଉଛି, ପୁରୀରେ ରାତି ନାହିଁ କିମ୍ବା ଜାତି ନାହିଁ। ପୁରୀ ସହରକୁ ଭକ୍ତମାନେ ତ ଆସନ୍ତି, କିନ୍ତୁ ଅପରାଧୀମାନଙ୍କ ଆସିବା ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ପୁରୀ ଟାଉନ ଥାନାରେ ଜଣେ ଡି.ସି.ଓ ଅର୍ଥାତ୍ ଡାଏରୀ ଚାର୍ଯ୍ୟ ଅଫିସର ଚବିଶ ଘଣ୍ଟା ପାଇଁ ରହନ୍ତି, ତା’ ପରଦିନ ଆଉଜଣେ ଅଫିସର ତାଙ୍କୁ ବଦଳି କରିଥାନ୍ତି। ସେତେବେଳେ ରାତ୍ର ପାଟ୍ରୋଲିଂ ପାଇଁ ପ୍ରାୟ ଛତିଶଜଣ କନଷ୍ଟେବଳ ଓ ପାଞ୍ଚଜଣ ହାବିଲଦାର ଥାଆନ୍ତି। ଏମାନଙ୍କ କାମ କେବଳ ରାତ୍ରିକାଳୀନ ପାଟ୍ରୋଲିଂ କରିବା। ଦିନସାରା ସେମାନେ ବିଶ୍ରାମ କରିଥାନ୍ତି। ସେମାନେ ସାଧାରଣତଃ ରାତ୍ର ଦଶଟାଠାରୁ ପରଦିନ ଭୋର୍ ପାଞ୍ଚଟା ପର୍ଯ୍ୟନ୍ତ କାମ କରନ୍ତି।
ସାଧାରଣ ଲୋକଙ୍କୁ ଅବିଶ୍ୱାସ ଲାଗିପାରେ, କିନ୍ତୁ ପୁରୀ ସହରରେ ଯଦି କୌଣସି କାରଣବଶତଃ ରାତ୍ର ପାଟ୍ରୋଲିଂରେ କନଷ୍ଟେବଳମାନେ ନ ଯାଆନ୍ତି, ତା’ହେଲେ ପରଦିନ ଅତିକମରେ ଚାରି, ପାଞ୍ଚଟି ଛୋଟବଡ଼ ଚୋରିର ରିପୋର୍ଟ ଥାନାକୁ ଆସିଥାଏ। କେବେ କେମିତି ପୋଲିସର ପାଟ୍ରୋଲିଂ ପାର୍ଟିର ଚୋରମାନଙ୍କ ସହିତ କିମ୍ବା ଚୋରାମାଲ୍ ଧରି ଯାଉଥିବା ଚୋରମାନଙ୍କ ସହିତ ମୁହାଁମୁହିଁ ହେବାର ଘଟଣା ମଧ୍ୟ ହୋଇଥାଏ। ଯଦି ଚୋର ବା ଡକାୟତଙ୍କ ସଂଖ୍ୟା ଅଧିକ ଥାଏ କିମ୍ବା ସେମାନେ ମାରଣାସ୍ତ୍ର ଧରିଥାଆନ୍ତି, ତା’ହେଲେ ପାଟ୍ରୋଲିଂ ପାର୍ଟି ଅଧିକ ସାହାଯ୍ୟ ପାଇଁ ଥାନାକୁ ମ୍ୟାନପ୍ୟାକ୍ (ୱେୟାରଲେସ୍) ସେଟରେ ଜଣାଇଥାନ୍ତି। କିନ୍ତୁ ଘଟଣା ସେଭଳି ଗୁରୁତର ନ ହେଲେ, ସେମାନେ ଥାନାକୁ ସାହାଯ୍ୟ ପାଇଁ ଡାକିନଥାନ୍ତି। ଯଦି ପାଟ୍ରୋଲିଂ ପାର୍ଟି ଘଟଣା ଗୁରୁତର ବୋଲି ଜଣାନ୍ତି, ତା’ହେଲେ ଏଭଳି ସ୍ଥିତିର ମୁକାବିଲା ତଥା ତୁରନ୍ତ ସାହାଯ୍ୟ ପାଇଁ ପୋଲିସ୍ ଜିପ୍ ସହିତ ଡ୍ରାଇଭର, ଦୁଇଜଣ ହୋମାଗାର୍ଡଙ୍କ ସହିତ ଦୁଇଜଣ ସଶସ୍ତ୍ର କନଷ୍ଟେବଳ ସର୍ବଦା ପ୍ରସ୍ତୁତ ଥାଆନ୍ତି। ସାଧାରଣତଃ ଡାଏରୀ ଚାର୍ଜ ଅଫିସରଙ୍କୁ ଜିପ୍ ସହିତ ସେହି ପାଟ୍ରୋଲିଂ ପାର୍ଟିର ସହାୟତା ପାଇଁ ଯିବାକୁ ପଡ଼ିଥାଏ।
ସନ୍ଦିଗ୍ଧର ଚୋରାମାଲ୍
ରଥଯାତ୍ରା ତଥା ବାହୁଡ଼ାର ଅଳ୍ପଦିନ ପରେ ମୁଁ ଟାଉନ ଥାନାରେ ଜଏନ୍ କରିବାର ଦୁଇ ତିନି ସପ୍ତାହ ପରେ ମୋ’ର ଥାନାରେ ଡାଏରୀ ଚାର୍ଜ ଅଫିସରର ଡ୍ୟୁଟି ପଡ଼ିଥିଲା। ସେଦିନ ଦିନବେଳାଟା କୌଣସି ଘଟଣାବିହୀନ ଭାବରେ କଟିଯାଇଥିଲା। ରାତ୍ରି ପ୍ରାୟ ଏଗାରଟା ସୁଦ୍ଧା ପାଟ୍ରୋଲିଂ ପାର୍ଟିକୁ ବିଭିନ୍ନ ସ୍ଥାନକୁ ପଠାଇ ଦେଇଥିଲି। ରାତି ପ୍ରାୟ ୧୨.୩୦ ପର୍ଯ୍ୟନ୍ତ ପାଟ୍ରୋଲିଂ ପାର୍ଟି ସହିତ ସଂପର୍କ ସ୍ଥାପନ କରି ପରିସ୍ଥିତି ଶାନ୍ତ ଥିବାର ଶୁଣି ମୁଁ ଆଶ୍ୱସ୍ତ ହୋଇଥିଲି। ଅଣ୍ଟାର ଚମଡ଼ା ବେଲ୍ଟକୁ ଢିଲାକରି ଜୋତା ଖୋଲି ପାଦ ପାଖରେ ରଖି ଚେୟାର ଉପରେ ଢୋଳାଇ ପଡ଼ିଥିଲି। ଟେବୁଲ ଉପରେ ନିମ୍ନ ସ୍ୱରରେ ସେଁସେଁ ଶବ୍ଦ କରୁଥିବା ଭି.ଏଚ.ଏଫ୍ ସେଟର ନିର୍ବିଘ୍ନ ଶବ୍ଦ ମୋ’ ନିଦକୁ ଟିକେ ଅଧିକା ଗଭୀର କରିଦେଇଥିଲା। ଏଭଳି କେତେ ସମୟ ଯାଇଥିବ ମୁଁ କହିପାରିବି ନାହିଁ। ହଠାତ୍ ନିରବତା ଭଗ୍ନକରି ୱେୟାରଲେସ୍ ସେଟରେ ପାଟ୍ରୋଲିଂ ପାର୍ଟିର ଡାକରେ ମୋ’ର ନିଦ ଭାଙ୍ଗି ଯାଇଥିଲା। ୱେୟାରଲେସ୍ ସେଟରେ ଶବ୍ଦ ଆସୁଥିଲା “ପାଟ୍ରୋଲିଂ ପାର୍ଟି ନଂ-୮ ରିପୋର୍ଟିଂ ସାର୍। ଗୋଟିଏ ସନ୍ଦିଗ୍ଧକୁ ଚୋରାମାଲ ସହିତ ଅଟକାଇଛୁ। ସେ ଦୌଡ଼ି ପଳାଉଥିଲା, ତାକୁ ଗୋଡ଼ାଇ ଧରିଛୁ।”
“ଆପଣମାନେ କୋଉଠି ଅଛନ୍ତି? ଠିକ୍ ଲୋକେସନ କହନ୍ତୁ।’ ମୁଁ କହିଥିଲି।

“ଷ୍ଟେସନ ରୋଡ୍ ମୁଖ୍ୟ ଲାଇଟ୍ ପୋଷ୍ଟର ତଳେ ଥିବା ଫୁଟପାଥ୍ ଉପରେ ଅଛୁ ସାର୍,” ଜବାବ ଆସିଥିଲା। ସେତେବେଳକୁ ମୁଁ ପ୍ରସ୍ତୁତ ହୋଇ ଜିପ୍ରେ ବସି ସେଥିରେ ଲାଗିଥିବା ୱେୟାରଲେସକୁ ଚାଲୁ କରିଦେଇଥିଲି। “ସେ ଲୋକ ଓ ସନ୍ଦେହଜନକ ବସ୍ତୁକୁ ସତର୍କତାର ସହିତ ଜଗିଥାଅ। ମୁଁ ଯେତେଶୀଘ୍ର ହେବ ପହଞ୍ଚୁଛି।’ ମୁଁ ଜଣାଇଥିଲି। ସେ ସ୍ଥାନରେ ପହଞ୍ଚିବାକୁ ପ୍ରାୟ ୮/୧୦ ମିନିଟ୍ ଲାଗିଥିଲା। ଜିପ୍ର ହେଡ୍ଲାଇଟ୍ରେ ଦୂରରୁ ଦେଖିପାରୁଥିଲି ଫୁଟପାଥ୍ ଉପରେ ଆମ ପାଟ୍ରୋଲିଂ ପାର୍ଟିର ଦୁଇଜଣ ସିପାହୀ ଓ ମଝିରେ ଗୋଟିଏ ଲୋକ ବସିଛି। ପାଖରେ ପହଞ୍ଚିବା ପରେ ମୁଁ ଦେଖିଲି କଳାକପଡ଼ାରେ ବନ୍ଧା ଗୋଟିଏ ବୁଜୁଳାକୁ ସେ ଲୋକଟି ଛାତିରେ ଜାବୁଡ଼ିଧରି ବସିଛି। ମୁଁ ପାଟ୍ରୋଲିଂ କନଷ୍ଟେବଳଙ୍କୁ ଏହି ଘଟଣା ସମ୍ବନ୍ଧରେ ପଚାରିବାରୁ ସେ କହିଥିଲେ, “ଏ ଲୋକଟା ବୁଜୁଳାଟି ମୁଣ୍ଡରେ ମୁଣ୍ଡେଇ ଫୁଟପାଥ୍ ଉପରେ ଯାଉଥିଲା। ଆମର ସନ୍ଦେହ ହେବାରୁ ତାକୁ ରହ ବୋଲି କହି ହୁଇସିଲ୍ ମାରିବାରୁ ସେ ଫୁଟପାଥ୍ ଉପରେ ଦୌଡ଼ିବାରେ ଲାଗିଲା। ଆମେ ତା’କୁ ଗୋଡ଼େଇ ଏଇଠି ଧରିଛୁ। ଆମେ ତାକୁ ସେ ବୁଜୁଳା ଖୋଲି ତା’ ଭିତରେ କ’ଣ ଅଛି ବୋଲି ଯେତେ ପଚାରିଲୁ, ସେ କିଛି କହିଲା ନାହିଁ। ସେ ଏତେ ଜୋର୍ରେ ତାକୁ ଜାବୁଡ଼ି ଧରିଛି ଯେ ଆମେ ତା’ଠାରୁ ସେଇଟି ଆଣିପାରିଲୁ ନାହିଁ। ବାଧ୍ୟହୋଇ ଆପଣଙ୍କୁ ଜଣାଇଲୁ।” ମୁଁ ସେ ଲୋକଟିକୁ ଲକ୍ଷ୍ୟ କରୁଥିଲି। କଳାରଙ୍ଗ, ଖୁବ୍ ପତଳା ଶରୀର, ପରିଧାନ ଧୋତି ଓ ଧଳା ଜାମା। ସେପର୍ଯ୍ୟନ୍ତ ସେ ସେହି ବୁଜୁଳାଟା ଛାତିରେ ଲଗାଇ ଚାପି ଧରିଥାଏ।
“ସେ ବୁଜୁଳିରେ କ’ଣ ଧରିଛୁ?” ମୁଁ ଟିକେ କଠିନ ସ୍ୱରରେ ପଚାରିଥିଲି।
“କିଛି ନାହିଁ ଆଜ୍ଞା, ମୁଁ କାହାଠୁ କିଛି ଚୋରି କରିନାହିଁ,” ସେ ଉତ୍ତର ଦେଇଥିଲା।
ମୁଁ କହିଥିଲି, “ଦେଖ ଏତେ ରାତିରେ ଏ ବୁଜୁଳା ଧରି ତୁ ବୁଲୁଥିଲୁ। ଆମ କନ୍ଷ୍ଟେବଳମାନେ ରହ ବୋଲି କହିବାରୁ ତୁ ନ ଅଟକି ଦୌଡ଼ିବା ଆରମ୍ଭ କରିଦେଲୁ। ଆମର ଦୃଢ଼ ସନ୍ଦେହ, ସେ ବୁଜୁଳାଟା ଖୋଲି ଆମକୁ ଦେଖାଇଦିଅ ସେଥିରେ କ’ଣ ଅଛି, ଦେଖି ଆମେ ଚାଲିଯିବୁ।”
ରକ୍ଷାକର ମହାବାହୁ
ମୁଁ ତାକୁ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁଥିଲି। ମତେ ଲାଗିଲା ତା’ର ଆଖି ଛଳଛଳ ହୋଇଉଠୁଛି। ବୋଧହୁଏ ଚୋରିକରି ଜିନିଷ ନେଇ ପଳାଇଲା ବେଳକୁ ରଙ୍ଗେହାତ ଧରାପଡ଼ିଯିବାରୁ କାନ୍ଦିବା ବାହାନା ଆରମ୍ଭ କରିଛି। ସେପର୍ଯ୍ୟନ୍ତ ସେ ଛାତିରେ ଚାପି ଧରିଥିବା ବୁଜୁଳିରେ କ’ଣ ରଖିଛି, ମୁଁ ଜାଣିବାକୁ ଦୃଢ଼ପରିକର ଥିଲି। ତା’ର ଜିଦ୍ ଦେଖି ହାବିଲଦାର ବାବୁଙ୍କୁ ଆଗକୁ ଯାଇ ସେ ବୁଜୁଳିଟା ତା’ଠାରୁ ଆଣି ଖୋଲି ଦେଖିବାକୁ ମୁଁ ସଂକେତ ଦେଇଥିଲି। ସେ କେତେ ପାଦ ଆଗେଇଲା ବେଳକୁ ଲୋକଟି ଚିତ୍କାରକରି କାନ୍ଦିବା ଆରମ୍ଭ କରିଦେଇଥିଲା। “ହେ ପ୍ରଭୁ! ଏମାନେ ସବୁ ନେଇଯିବେ, ମୋତେ ରକ୍ଷାକର ମହାବାହୁ। ମୁଁ ତିନିଦିନ ହେଲା ଅନ୍ନ ସ୍ପର୍ଶ କରିନାହିଁ, ଏମାନେ ମୋ’ଠାରୁ ତମକୁ ନେଇଗଲେ ମୁଁ ଆଉ ବଞ୍ଚିବିନି ପ୍ରଭୁ, ରକ୍ଷାକର।” ସେ ଲୋକଟିର ଏଭଳି ପ୍ରତିକ୍ରିୟାରେ ଆମେ ସବୁ ଆଶ୍ଚର୍ଯ୍ୟାନ୍ୱିତ ହେଉଥିଲୁ। ମୁଁ ମନେମନେ ଭାବୁଥିଲି, ଏଟା ଆଉ ପାଗଳ ନୁହେଁ ତ? ଘଟଣାଟିକୁ ସାମାନ୍ୟ ସହଜ ଓ ସାଧାରଣ କରିବାକୁ ତାକୁ କହିଥିଲି।
“ଆଚ୍ଛା! ତୁମର ନା ଓ ଠିକଣାଟା ଆମକୁ କୁହ।”
“ଆଜ୍ଞା! ହରିହର ଦାସ, ଗାଁ ଦଶପଲ୍ଲା ପାଖରେ ଚାରିଛକ। ମୁଁ ଚୋର ନୁହେଁ, ଆପଣ ଗାଁରେ ପଚାରିପାରନ୍ତି।” ସେ କହିଥିଲା।
“ବୁଜୁଳାରେ ଅଛି କ’ଣ?“
ମୁଁ ପଚାରିଥିଲି, “ତମେ ପୁରୀ କେବେ ଓ କାହିଁକି ଆସିଥିଲ? ଆଉ ଏ ବୁଜୁଳାରେ କ’ଣ ଅଛି? ଆମେ ଖାଲି ଦେଖିଦେଇ ଚାଲିଯିବୁ। ସେ ବୁଜୁଳିଟା ଦେଖାଇବା ପାଇଁ ତମର ଏତେ କୁଣ୍ଠା କାହିଁକି? ତମେ ଯଦି ୟା’ର ସନ୍ତୋଷଜନକ ଉତ୍ତର ନ ଦେବ, ତା’ହେଲେ ଆମ ସଙ୍ଗେ ଥାନାକୁ ଯିବାକୁ ହେବ।” ଶେଷକୁ ମୋ’ର ସ୍ୱରରେ ଭଦ୍ରତା ଥିଲା। ଚାରିଆଡ଼େ ଅନାଇ ସେ ତା’ର ବକ୍ତବ୍ୟ ଦେଇଥିଲା। ବୋଧହୁଏ, ଶାରୀରିକ ଦୁର୍ବଳତା ପାଇଁ ପ୍ରତ୍ୟେକ ବାକ୍ୟ ଶେଷରେ ଟିକେ ବିରାମ ନେଉଥିଲା। ସେ କହିଥିଲା, “ଆଜ୍ଞା! ମୁଁ ଗୋଟିଏ ଗରିବ ଭାଗଚାଷୀ। ଆମର ଗାଁର ପୂଜା ମଣ୍ଡପରେ ରଥଯାତ୍ରା ଓ ଦୁର୍ଗାପୂଜାରେ ଭଜନ ସମାରୋହ ହୁଏ। ମୁଁ ସେଠି ଭଜନ ଗାଏ। ସମସ୍ତେ ମୋ’ର ଭଜନ ଶୁଣି ପ୍ରଶଂସା କରନ୍ତି। ଦଶପଲ୍ଲା ଜଙ୍ଗଲରୁ ଠାକୁରଙ୍କ ରଥ ପାଇଁ କାଠ ଗଲାବେଳେ ମୁଁ ସେଠାରେ ଭଜନ ଗାଏ। ନିଜେ ମୁଁ କେତେଗୁଡ଼ିଏ ଭଜନ ଲେଖି ଗାଇଛି। ସେ ଭଜନ ଶୁଣୁଥିବା କିଛି ଭଦ୍ରବ୍ୟକ୍ତି ମତେ କହିଥିଲେ, ହରିହର ତମେ ଯେଉଁ ଭଜନଗୁଡ଼ିକୁ ଲେଖିଛ ତାକୁ ଛାପି ପୁରୀ ରଥଯାତ୍ରା ସମୟରେ ସେଠିକୁ ଯାଇ ବିକ୍ରିକଲେ ଲୋକମାନେ ଦେଖୁଦେଖୁ ନେଇଯିବେ। ତମେ ଜଣେ ବିଖ୍ୟାତ ଭଜନ ଲେଖକ ହୋଇଯିବ। ଏଠି ଗାଁରେ ଯେତେ ଭଜନ ଲେଖି ଗାଇଲେ ତୁମକୁ କିଏ ଚିହ୍ନିବ? ଏକଥା ଶୁଣି ମୁଁ ମୋ’ ପାଖରେ ଥିବା ଧାନ ବିକ୍ରିକରି, ଧାରଉଧାର କରି ନୟାଗଡ଼ରେ ଭଜନ ବହିସବୁ ଛାପିଲି। ତାକୁ ଆଣି ପ୍ରଭୁଙ୍କ ପାଖରେ ସମର୍ପଣ କରି ଶ୍ରୀମନ୍ଦିର ଚାରିପାଖରେ ପାଟିକରି ସେ ବହି ଦେଖାଇ ଲୋକମାନଙ୍କୁ ଯେତେ କହିଲି କେହି ଖଣ୍ଡେ ହେଲେ ବହି ନେଲେନାହିଁ। କିଛି ପଣ୍ଡା ପଢ଼ିହାରୀ କହିଲେ, ‘ଆରେ ହେ! ତୁ ତମ ଗାଁରେ ଯାଇ ଏ ଜଣାଣ ବହି ବିକ୍ରିକର। ଏଠି ତୋ’ପରି ଅନାମଧ୍ୟେୟକୁ କିଏ ପଚାରିବ? ମୁଁ ଯାହା ଅଳ୍ପକିଛି ପଇସା ଧରିଥିଲି, ଦୁଇଦିନ ଭିତରେ ସରିଗଲା ଆଜ୍ଞା। ଏ ବହିଗୁଡ଼ିକୁ ବୁଜୁଳାକରି ଏଠିସେଠି ବୁଲୁଛି ଆଜ୍ଞା। ଦୁଇଦିନ ହେବ ପେଟକୁ ଦାନାଟିଏ ବି ଯାଇନି।”
“ଠିକ୍ ଅଛି, ବୁଜୁଳା ଖୋଲ,” ମୁଁ ନିର୍ଦ୍ଦେଶ ଦେଇଥିଲି। ବହୁତ ଦ୍ୱିଧାଗ୍ରସ୍ତ ହୋଇ ସେ ବୁଜୁଳାକୁ ଖୋଲିଥିଲା। ମୁଁ ଦେଖୁଥିଲି ଅତି ଯତ୍ନର ସହିତ ଅନେକଗୁଡ଼ିଏ ଅତି ପତଳା ଚଟିବହି ଥାକଥାକ ହୋଇ ସଜେଇ ବନ୍ଧାଯାଇଛି। ସାଧାରଣ ମଲାଟ ଉପରେ କଳା ଓ ଧଳାରେ ଶ୍ରୀଜଗନ୍ନାଥଙ୍କର ରେଖାଚିତ୍ର ଭିତରେ ପ୍ରାୟ ଦଶ, ଏଗାରଟି ଭଜନ ଲେଖାଯାଇଛି।
“ବର୍ତ୍ତମାନ କ’ଣ କରିବ ଓ କୁଆଡ଼େ ଯିବ?” ମୁଁ ପଚାରିଥିଲି। “କୁଆଡ଼େ ଯିବି ଆଜ୍ଞା, ଯାହାଙ୍କ ଭରସାରେ ଆସିଥିଲି, ସେ ତ କିଛି ଶୁଣିଲେନି, ତିନିଦିନ ହେବ ଶ୍ରୀମନ୍ଦିର ପାଖ, ଧର୍ମଶାଳା ଆଗରେ ବସି କେତେ ନେହୁରା ହେଲି, କେହିବି ଖଣ୍ଡେ ବହି କିଣିଲେ ନାହିଁ। ଆଜି ସଂଧ୍ୟାରେ ବଡ଼ଦେଉଳ ଆଗରେ ମୁଣ୍ଡିଆ ମାରି କହିଥିଲି, “ପ୍ରଭୁ ବହି ତ କେହି ଜଣେ ବି ନେଲେନି, ଆଉ ମୁଁ କ୍ଷୁଧା ସହିପାରୁନି, ଅଭିମାନରେ କହିଥିଲି, ଯାଉଛି ଟ୍ରେନ୍ ଲାଇନରେ ଶୋଇପଡ଼ିବି।”
ଅପରାଧୀ ନୁହେଁ
ମୁଁ ମନେମନେ ଚମକି ପଡ଼ିଥିଲି। ଲୋକଟା ଅପରାଧୀ ନୁହେଁ ବୋଲି ଆମେ ଜାଣୁଥିଲୁ। ବର୍ତ୍ତମାନ ପରିସ୍ଥିତିରେ ତାକୁ ଛାଡ଼ି ଯିବାଟା ମଧ୍ୟ ଉଚିତ୍ ମନେ ହେଲାନାହିଁ। ହାବିଲଦାର ପ୍ରଧାନବାବୁ ପୁରୀ ଟାଉନର ବହୁତ ପୁରୁଣା କର୍ମଚାରୀ। ସେ ଆଗକୁ ଆସି କହିଥିଲେ, “ଆଜ୍ଞା ଷ୍ଟେସନ ବିଲ୍ଡିଂକୁ ଲାଗି ବାହାରେ ରାମକୃଷ୍ଣ ମିଶନ ଓ ଗୀତା ପ୍ରେସ୍ ଗୋରଖପୁର ଇତ୍ୟାଦି ଛୋଟବଡ଼ ଅନେକ ବହି ଦୋକାନ ଅଛି, ଏ ଲୋକଟା ସେଠି ଚେଷ୍ଟାକଲେ ହୁଏତ କିଛି ବହି ବିକ୍ରି ହୋଇପାରେ।” ମୁଁ କହିଥିଲି, “ହାବିଲଦାର ବାବୁ, ଏ ଲୋକଟି ପାଇଁ କିଛି ଖାଇବା ହୋଇପାରିବ?” “ଦେଖୁଛି ଆଜ୍ଞା,” କହି ହାବିଲଦାର ବାବୁ ଜିପ୍ରେ ବସି ବସଷ୍ଟାଣ୍ଡ ଆଡ଼େ ଗଲେ। କିଛି ସମୟ ପରେ ଫେରି ରୁଟି, ଡାଲମା ଓ ଗୋଟିଏ ପାଣି ବୋତଲ ତା’ ହାତକୁ ବଢ଼ାଇ ଦେଇଥିଲେ। ସେ ଲୋକକୁ ସାଙ୍ଗରେ ଧରି ଆମେ ଧାଡ଼ିହୋଇ ରହିଥିବା ଅସ୍ଥାୟୀ ବହି ଦୋକାନଗୁଡ଼ିକ ପାଖରେ ପହଞ୍ଚିଥିଲୁ। ହାବିଲଦାର ପ୍ରଧାନ ବାବୁଙ୍କୁ ଚିହ୍ନିଥିବା ଗେରୁଆ ବସ୍ତ୍ରଧାରୀ ଜଣେ ବିକ୍ରେତାଙ୍କୁ ନିଦରୁ ଉଠାଇ ଆମ ପାଖକୁ ଡାକି ଆସିଥିଲେ। ଆମେ ସାଙ୍ଗରେ ଥିବା ଲୋକଟି ବିଷୟରେ ସଂକ୍ଷିପ୍ତ ସୂଚନା ଦେଇ ତାଙ୍କ ବହି ସାଙ୍ଗରେ ଏ ଲୋକ ଲେଖିଥିବା ଭଜନ ବହି ବିକ୍ରି କରାଇବାକୁ ଅନୁରୋଧ କରିଥିଲୁ।
ସେହି ଗେରୁଆ ବସ୍ତ୍ର ପିନ୍ଧିଥିବା ବାବାଜୀ ତା’ଠାରୁ ବୁଜୁଳି ନେଇ ଖୋଲି ସାମନାରେ ଥିବା ବହି ଥାକ ମଝିରେ ଦେଖାଇ ରଖିଥିଲେ। ସେ ଲୋକଟି ହାତରେ ଗରମ ଚା’ କପେ ଦେଇ ଗୋଟିଏ ଷ୍ଟୁଲ୍ ଉପରେ ବସିବାକୁ କହିଥିଲେ। ଆମେ ସେହି ବହି ବିକ୍ରେତା ବାବାଜୀଙ୍କୁ ଧନ୍ୟବାଦ ଦେଇ ସେ ଲୋକଟିର ଯଥାସମ୍ଭବ ଭଲମନ୍ଦ ବୁଝିବାକୁ ଅନୁରୋଧକରି ଥାନାକୁ ଫେରି ଆସିଥିଲୁ।
ଏ ଘଟଣାର ପ୍ରାୟ ପନ୍ଦରଦିନ ପରେ ଦିନେ ସଂଧ୍ୟାରେ ମୁଁ ଟାଉନ ଥାନା ସାମନାରେ ଠିଆ ହୋଇଥିବା ବେଳେ ହାବିଲଦାର ପ୍ରଧାନ ବାବୁ ସାଙ୍ଗରେ ଗୋଟିଏ ଲୋକକୁ ନେଇ ମୋ’ ପାଖକୁ ଆସିଥିଲେ। “ଆଜ୍ଞା, ୟା’ଙ୍କୁ ଚିହ୍ନି ପାରୁଛନ୍ତି?” ମୁଁ ତାକୁ ଚାହିଁ ଜାଣିବାକୁ ଚେଷ୍ଟା କଲାବେଳେ ସେ ଲୋକଟି ମତେ ଚାହିଁ କହିଥିଲା, “ଆଜ୍ଞା! ସେଦିନ ଆପଣଙ୍କର ପୋଲିସ ପାର୍ଟି ମତେ ଚୋର ଭାବି ଅଟକାଇ ପଚରାଉଚୁରା କରିବାରୁ ମୁଁ ଆତ୍ମହତ୍ୟା କରିବାରୁ ବଞ୍ଚିଗଲି। ମୁଁ ଠାକୁରଙ୍କୁ ଅଭିମାନକରି ମରିବାକୁ ଯାଉଥିଲି। ସିଏ ପରା ଅନ୍ତର୍ଯ୍ୟାମୀ ଆଜ୍ଞା। ଆପଣଙ୍କ ଦ୍ୱାରା ମତେ ସେ ବହି ଦୋକାନରେ ପହଞ୍ଚାଇ ଦେଇଥିଲେ। ମୋ’ର ସବୁ ବହି ଠାକୁରେ ବିକ୍ରି କରାଇଦେଲେ।” ‘ହେ ପ୍ରଭୁ, କ୍ଷମାକର’, କହି ନୀଳଚକ୍ରକୁ ଚାହିଁ ପିଚୁ ରୋଡ୍ ଉପରେ ବାରମ୍ବାର ସାଷ୍ଟାଙ୍ଗ ପ୍ରଣାମ କରିବାରେ ଲାଗିଥିଲା। ଏ ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା କିଛି ଲୋକ କୌତୂହଳରେ ଅଟକି ଦେଖୁଥିଲେ। ଆମର ସାମ୍ବାଦିକ ବନ୍ଧୁ ଶୁକ୍ଳାବାବୁ ମଧ୍ୟ ସେଠି ପହଞ୍ଚି ମତେ ପଚାରିଥିଲେ, “ଇଏ କିଏ କି ଆଜ୍ଞା, ଥାନା ଆଗରେ କ’ଣ ନୀଳଚକ୍ରକୁ ଅନାଇ ଭୂମିଷ୍ଠ ପ୍ରଣାମ କରୁଛି?”
ଉତ୍ତରରେ ମୋ’ ପାଟିରୁ ଗୋଟିଏ ଶବ୍ଦ ବାହାରିଗଲା ‘ଭକ୍ତ’।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)
ପୋଲିସକୁ ଦେଖିଲେ ଚୋର ଅପେକ୍ଷା ସାଧୁ ଦ୍ରୁତତର ବେଗରେ ପଳାୟନ କରେ। କାରଣ, ପୋଲିସ୍ ସ୍ୱଭାବତଃ ସନ୍ଦେହୀ ଓ ସନ୍ଦେହମୋଚନ କରିବା ଶକ୍ତି କାହାରି ପାଖରେ ନଥାଏ।
ତେବେ ସନ୍ଦେହଟିଏ ଯଦି କାହାରି ପ୍ରାଣରକ୍ଷା କରିପାରେ ତେବେ ନିଃସନ୍ଦେହ ସନ୍ଦେହ କରାଯିବା ଉଚିତ।
ମନଛୁଆଁ ଲେଖା।🌹