ଓଡ଼ିଆ ଭାଷାରେ ଲିଖିତ ଭିନ୍ନ ଭିନ୍ନ ଲକ୍ଷ୍ମୀପୁରାଣ

ପ୍ରସ୍ତୁତ ନିବନ୍ଧରେ କେବଳ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ମଧ୍ୟରେ ଆଲୋଚନାର ପରିସରକୁ ସୀମିତ ନ ରଖି ଅନ୍ୟ କବିଙ୍କ ଦ୍ୱାରା ରଚିତ ଲକ୍ଷ୍ମୀପୁରାଣ ଉପରେ ଆଲୋକପାତ କରାଯାଇଛି।

ମମତା ମିଶ୍ର ଦାଶ

ବେଦ ତଥା ବେଦାଙ୍ଗର ଆଲୋଚନା ପରେ ଯଦି ସର୍ବସାଧାରଣଙ୍କ ବିଦ୍ୟା ବୁଦ୍ଧି ଉପରେ କୌଣସି ସାହିତ୍ୟ ଅଧିକ ପ୍ରଭାବ ପକାଇଥାଏ, ତେବେ ତାହା ହେଲା ଇତିହାସ ଓ ପୁରାଣ। ଇତିହାସ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ରାମାୟଣ ଓ ମହାଭାରତ ଆବାଲ୍ୟବୃଦ୍ଧବନିତା ସମସ୍ତଙ୍କ ଉପରେ ପ୍ରଭାବ ପକାଇଛି। ଯେହେତୁ ଏହା ଇତିହାସ ଅର୍ଥାତ୍ ପୂର୍ବରୁ ଘଟିଥିବା ଘଟଣାବଳୀ ଉପରେ ଆଧାରିତ, ଏହା ବର୍ଣ୍ଣିତ ହେଲାବେଳେ ସାଧାରଣ ପାଠକଙ୍କଠାରୁ ବିଦ୍ୱାନ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଏକ ଚିତ୍ର ଆଙ୍କି ହୋଇଯାଇଥାଏ ଏବଂ ସ୍ମରଣ କରିବା ବା ତାହା ଦ୍ୱାରା ପ୍ରଭାବିତ ହେବା ମଧ୍ୟ ସହଜ ହୋଇଥାଏ। ସେହିପରି ପୁରାଣଗୁଡ଼ିକରେ ସହଜବୋଧ୍ୟ ଛନ୍ଦ (ଅନୁଷ୍ଟୁପ୍‌)ରେ ରଚିତ ଘଟଣାବଳୀଗୁଡ଼ିକର ବର୍ଣ୍ଣନା ସାଧାରଣ ପାଠକ ମନରେ ଏକ ଛାପ ଛାଡ଼ିଦିଏ।
ସାରଳା ଦାସଙ୍କ ମହାଭାରତ ତଥା ବଳରାମ ଦାସଙ୍କ ଜଗମୋହନ ରାମାୟଣରେ ଓଡ଼ିଶାର ଜନଜୀବନ ତଥା ସାମ୍ପ୍ରତିକ ସାମାଜିକ ସ୍ଥିତିର ପ୍ରଭାବ ବହୁଳ ଭାବରେ ପଡ଼ିଅଛି। ଏହି ଦୁଇଟି ଇତିହାସ ବ୍ୟତୀତ ଓଡ଼ିଆ ଭାଷାରେ ବିରଚିତ ବା ଅନୁବାଦିତ ବ୍ରହ୍ମାଣ୍ଡପୁରାଣ, ଅଗ୍ନିପୁରାଣ, ପଦ୍ମପୁରାଣ, ନୃସିଂହପୁରାଣ ଆଦି ଅନେକ ପୁରାଣ ଉତ୍କଳୀୟ ବିଦ୍ୱାନମାନଙ୍କ ଦ୍ୱାରା ରଚିତହୋଇ ଓଡ଼ିଆ ଭାଷାର ସାରସ୍ୱତ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି। ଏଥିମଧ୍ୟରୁ କେତେକ ପୁରାଣ ଭାଷାନୁବାଦ ହୋଇଥିବା ବେଳେ କେତେକ ଭାବାନୁବାଦମୂଳକ।
ପୁରାଣକାରମାନଙ୍କ ଦ୍ୱାରା ରଚିତ ପୁରାଣଗୁଡ଼ିକର ଉଦ୍ଦେଶ୍ୟ ହୁଏତ ଧର୍ମୋପାର୍ଜନ ହୋଇଥାଇପାରେ, ମାତ୍ର ସମାଜରେ ସଂସ୍କାର ଆଣିବା ଏକ ମୁଖ୍ୟ ଉଦ୍ଦେଶ୍ୟ ଏବଂ ପୁରାଣ ସମାଜର ସବୁବର୍ଗର ବ୍ୟକ୍ତିମାନଙ୍କ ନିମିତ୍ତ ଉଦ୍ଦିଷ୍ଟ। ଏହି ପୁରାଣଗୁଡ଼ିକ ମହାପୁରାଣ, ଉପପୁରାଣ, ମାହାତ୍ମ୍ୟ, ସଂହିତା ଇତ୍ୟାଦି ଅନେକ ଭାଗରେ ବିଭକ୍ତ। ଏଥିମଧ୍ୟରେ ଷୋଡ଼ଶ ଶତାବ୍ଦୀରେ ବଳରାମ ଦାସଙ୍କ ଦ୍ୱାରା ରଚିତ ଲକ୍ଷ୍ମୀପୁରାଣ ଓଡ଼ିଶାର ଜନସାଧାରଣଙ୍କ ଦ୍ୱାରା ଆଦୃତ ଲକ୍ଷ୍ମୀପୂଜାକୁ ଆଧାର କରି ରଚିତ ହୋଇଥିବା ସହିତ ତାହା ତତ୍କାଳୀନ ସମାଜର ସାମାଜିକ, ଜାତିଗତ, ଅନ୍ଧବିଶ୍ୱାସ ଆଦିର ଏକ ଦର୍ପଣସଦୃଶ।
ବଳରାମ ଦାସଙ୍କ ଦ୍ୱାରା ଜଗମୋହନ ରାମାୟଣ ସହିତ ଅନ୍ୟାନ୍ୟ ଅନେକ ଗ୍ରନ୍ଥ ରଚିତ ହୋଇଥିଲା ବେଳେ ଏହି ଲକ୍ଷ୍ମୀପୁରାଣ ସର୍ବଜନାଦୃତି ଲାଭ କରିବା ସହିତ ଉତ୍କଳୀୟ ଜନଜୀବନ ଧାରା ଉପରେ ପ୍ରଭୂତ ପ୍ରଭାବ ପକାଇ ପାରିଥିଲା। ମନେ ହୁଏ ଏହି ଲକ୍ଷ୍ମୀପୁରାଣ ରଚନା କରିବା ପଛରେ ସାମାଜିକ ବାର୍ତ୍ତା ପରିବେଷଣ କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ।
ମାତ୍ର ପ୍ରସ୍ତୁତ ନିବନ୍ଧରେ କେବଳ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ମଧ୍ୟରେ ଆଲୋଚନାର ପରିସରକୁ ସୀମିତ ନ ରଖି ଅନ୍ୟ କବିଙ୍କ ଦ୍ୱାରା ରଚିତ ଲକ୍ଷ୍ମୀପୁରାଣ ଉପରେ ଆଲୋକପାତ କରାଯାଇଛି।
ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ
ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣର ବିଷୟବସ୍ତୁ ମୁଖ୍ୟତଃ ମହାଲକ୍ଷ୍ମୀଙ୍କର ନଗର ପରିଭ୍ରମଣ, ଶ୍ରିୟା ଚଣ୍ଡାଳୁଣୀର ଭକ୍ତି ତଥା ପବିତ୍ରତା ଦ୍ୱାରା ବଶୀଭୂତା ହୋଇ ଚଣ୍ଡାଳୁଣୀ ଗୃହରେ ଅର୍ଘ୍ୟ ଗ୍ରହଣ, ଦେଢ଼ଶୁରଙ୍କ ଦୃଷ୍ଟିପଥାରୂଢ଼ ହୁଅନ୍ତେ ଏହାକୁ ଏକ ଅପରାଧ ଭାବରେ ସାବ୍ୟସ୍ତ କରି ସ୍ୱାମୀ ଓ ଦେଢ଼ଶୁରଙ୍କ ଦ୍ୱାରା ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀଙ୍କର ନିର୍ବାସନ ଇତ୍ୟାଦି। ଅନନ୍ତରଂ ଅପମାନର ପ୍ରତିବାଦ ସ୍ୱରୂପ ମହାଲକ୍ଷ୍ମୀ ସ୍ୱାମୀ ଓ ଦେଢ଼ଶୁରଙ୍କର ଦୁରବସ୍ଥା କରାଇଛନ୍ତି। ପରେପରେ ଦୁଇ ଭାଇ ନିଜର ଭୁଲ ସ୍ୱୀକାରକରି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ମହାଲକ୍ଷ୍ମୀଙ୍କୁ ଅନୁରୋଧ କରିଛନ୍ତି ଏବଂ ଏହି ଅବସରର ସୁଯୋଗ ନେଇ ମହାଲକ୍ଷ୍ମୀ ଦୁଇଭାଇଙ୍କ ଦ୍ୱାରା ପ୍ରତିଜ୍ଞା କରାଇଛନ୍ତି ଯଥା – ବ୍ରାହ୍ମଣ ଚଣ୍ଡାଳ ଭେଦ ନ ରଖିବା, ଶ୍ରୀମନ୍ଦିରରେ ସମସ୍ତଙ୍କର ପ୍ରବେଶ ଇତ୍ୟାଦି ଇତ୍ୟାଦି।


ସମୟକ୍ରମେ ଏହି ପୁରାଣ ବହୁତ ଲୋକପ୍ରିୟ ହୋଇଛି ଏବଂ ପୁରାଣଟିର ଅନେକ ପ୍ରତିଲିପି ସମଗ୍ର ଉତ୍କଳ ପ୍ରାନ୍ତରେ ଉପଲବ୍ଧ। କିନ୍ତୁ ଏହି ପ୍ରତିଲିପିକରଣ ସମୟରେ ଲିପିକାରମାନେ ଅନେକ ଅଧିକ ପାଠ ଏଥିରେ ସନ୍ନିବେଶିତ କରିଛନ୍ତି। ଯେପରିକି ଭିନ୍ନଭିନ୍ନ ଭୋଗ ବ୍ୟବସ୍ଥା, ବିବାହିତା କନ୍ୟାକୁ ମହାଲକ୍ଷ୍ମୀ ଭୋଗ ନ ଦେବାର ପ୍ରଥା ଇତ୍ୟାଦି ଇତ୍ୟାଦି। ଏହି ପାଠ ପାଠାନ୍ତରକୁ ଦୃଷ୍ଟିରେ ରଖି ଓଡ଼ିଶା ସାହିତ୍ୟ ଅକାଦମୀ ଦ୍ୱାରା (୨୦୧୮) ଏକ ସମୀକ୍ଷାତ୍ମକ ସମ୍ପାଦନ କରାଯାଇଛି।
ବନମାଳୀ ଦାସଙ୍କ ଲକ୍ଷ୍ମୀପୁରାଣ
ବନମାଳୀ ଦାସଙ୍କ ଦ୍ୱାରା ବିରଚିତ ଲକ୍ଷ୍ମୀପୁରାଣ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ (ଓଏଲ୍‌/୧୩୦୮) ସଂରକ୍ଷିତ। ଏହାର ବିଷୟବସ୍ତୁ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣର ବିଷୟବସ୍ତୁ ସହିତ ପ୍ରାୟ ସମାନ। ଏଥିରେ ମହାଲକ୍ଷ୍ମୀଙ୍କ ଦ୍ୱାରା ପ୍ରତିଜ୍ଞା କରାଯାଇ କୁହାଯାଇଛି–
ଚାଣ୍ଡାଳ ହସ୍ତରୁ ଅନ୍ନ ବ୍ରାହ୍ମଣ ଖାଇବ।
ବ୍ରାହ୍ମଣ ଖାଇଲେ ହସ୍ତ ମୁଣ୍ଡରେ ପୋଛିବ।
ଅନ୍ନ ଖାଇ ଶିରେ ଯଦି ନ ପୋଛିବ ହାତ।
ବଡ଼ ଦେଉଳକୁ ମୁହିଁ ନ ଯିବି ଜଗନ୍ନାଥ।
ଉକ୍ତ ପୁରାଣକାର ଅଷ୍ଟାଦଶ ଶତାବ୍ଦୀର ହୋଇପାରନ୍ତି।
ସିଦ୍ଧେଶ୍ୱର ଦାସଙ୍କ ଲକ୍ଷ୍ମୀପୁରାଣ
ସିଦ୍ଧେଶ୍ୱର ଦାସଙ୍କ ଦ୍ୱାରା ବିରଚିତ ଅନ୍ୟ ଏକ ଲକ୍ଷ୍ମୀପୁରାଣ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ (ସି.ୱାଇ/୧୮୬୩) ସଂରକ୍ଷିତ। ଏହାର ମୁଖ୍ୟ ବିଷୟବସ୍ତୁ ଯଦ୍ୟପି ପ୍ରଚଳିତ ପ୍ରସିଦ୍ଧ (ବଳରାମ ଦାସ) ଲକ୍ଷ୍ମୀପୁରାଣର ବିଷୟବସ୍ତୁ ସହିତ ସମାନ ତେବେ ଲକ୍ଷ୍ମୀଙ୍କ ଦ୍ୱାଦଶ ନାମ ସ୍ମରଣ ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏହି ପୁରାଣ ଓଡ଼ିଶାରେ ପ୍ରଚଳିତ ଚାତୁର୍ମାସ୍ୟ (ଶ୍ରାବଣ-କାର୍ତ୍ତିକ) ଗୁରୁବାର ଉଦ୍ଦେଶ୍ୟରେ ଉଲ୍ଲିଖିତ।
ଦ୍ୱିଜ ନେତ୍ରାନନ୍ଦଙ୍କ ଲକ୍ଷ୍ମୀପୁରାଣ
ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଅନ୍ୟ ଏକ ଲକ୍ଷ୍ମୀପୁରାଣ ସଂରକ୍ଷିତ (ଓ.ଏଲ୍‌/୧୧୭୩)। ପୁରାଣଟି ଦ୍ୱିଜ ନେତ୍ରାନନ୍ଦଙ୍କ ଦ୍ୱାରା ବିରଚିତ। ମାର୍ଗଶୀର୍ଷ ମାସ ଗୁରୁବାରର ବିଧିବିଧାନ ଉଦ୍ଦେଶ୍ୟରେ ଏହା ବିରଚିତ ହୋଇଥିବା ବେଳେ ମୁଖ୍ୟ ଆଖ୍ୟାୟିକାଠାରୁ ସାମାନ୍ୟ ଭିନ୍ନ ଅଟେ। ଏଥିରେ ମହାଲକ୍ଷ୍ମୀ ଗୋଟିଏ ସାଧବ ଝିଅର ବିବାହରେ ଯୋଗ ଦେଇଛନ୍ତି, ଯାହା ବଡ଼ଭାଇଙ୍କ ଦ୍ୱାରା ସ୍ୱୀକୃତ ହୋଇନାହିଁ ଏବଂ ପରେପରେ ବିଷୟବସ୍ତୁ ପ୍ରାୟତଃ ସମାନ।
ଗଦାଧର ଦାସଙ୍କ ଲକ୍ଷ୍ମୀପୁରାଣ
ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଅନ୍ୟ ଏକ ଲକ୍ଷ୍ମୀପୁରାଣ ସଂରକ୍ଷିତ (ଓଏଲ୍‌/୧୪୪୯) ଯାହା ଗଦାଧର ଦାସଙ୍କ ଦ୍ୱାରା ବିରଚିତ ମାତ୍ର ବିଷୟବସ୍ତୁ ଅନୁଧ୍ୟାନ କଲେ ଜଣାପଡ଼େ ପ୍ରକୃତରେ ଏହା ଗୋପୀନାଥ ଦେବଙ୍କ ଦ୍ୱାରା ବିରଚିତ ଲକ୍ଷ୍ମୀପୁରାଣର ଏକ ପରିବର୍ଦ୍ଧିତ ବା ଶୁଦ୍ଧ ସଂସ୍କରଣ, ଯଦ୍ୟପି ଅଦ୍ୟାବଧି ଗୋପୀନାଥ ଦାସଙ୍କ ଦ୍ୱାରା ବିରଚିତ ସେହି ଲକ୍ଷ୍ମୀପୁରାଣ ଉପଲବ୍ଧ ନୁହେଁ। ଏଥିରେ ମୁଖ୍ୟ ବିଷୟବସ୍ତୁ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣର ବିଷୟବସ୍ତୁ ସହିତ ସମାନ ଥିଲେ ମଧ୍ୟ କବି ଗଦାଧର ଦାସ ବଳରାମ ଦାସଙ୍କ ନାମ ଉଲ୍ଲେଖ ନ କରି ଗୋପୀନାଥ ଦାସଙ୍କ ନାମ ଉଲ୍ଲେଖ କରିଛନ୍ତି। ପୁରାଣରେ ମହାଲକ୍ଷ୍ମୀଙ୍କର ଷୋଡ଼ଶ ନାମ, ଷୋଡ଼ଶ ଯୁଗରେ ଭିନ୍ନ ଭିନ୍ନ ଅବତାର, ଗୁରୁବାର ବ୍ରତପୂଜା, ଶ୍ରିୟା ଚଣ୍ଡାଳୁଣୀ ବିଷୟ ଆଦି ବର୍ଣ୍ଣିତ ହୋଇଛି।
ସେ ନିଜ କାବ୍ୟର ପରିଚୟ ଦେବାକୁ ଯାଇ କହିଛନ୍ତି–
ଗୋପୀନାଥ ଦେବ ଏଥେ ହୋଇଛନ୍ତି କବି।
ଅନେକ ଅଶୁଦ୍ଧ ପଦ ଲେଖିଥିଲେ ଭାବି।
ଅମିତ୍ରାକ୍ଷରରେ ପୂର୍ଣ୍ଣ ଥିଲାଯେ ପୁରାଣ।
ଶ୍ରୁତିକଟୁ ଦୋଷ ହେଲା କରନ୍ତେ ଶ୍ରବଣ।
XXXXX
ଚଉଦ ଅକ୍ଷର ଅଟେ ଏ ଛାନ୍ଦ ନିୟମ।
ତାହା ହୋଇଥିଲା କବିଙ୍କର ବ୍ୟତିକ୍ରମ।
ଲକ୍ଷ୍ମୀନାରାୟଣ ପାଦେ ଶରଣ ପଶିଲି।
ତାଙ୍କ ପ୍ରସାଦରେ ୟାକୁ ସଂଶୋଧନ କଲି।
ସୁଜନ ଜନଙ୍କ ହିତେ ପଦ ବଖାଣିଲି।
ସାତଶ ଦୁଇ ପଦରେ ପୁରାଣ ରଚିଲି।
ଦୁଇଶ ଷାଠିଏ ପଦ ଅଶୁଦ୍ଧ ପୁରାଣ।
ଗୋପୀନାଥ ଦେବ କରିଥିଲେ ନିରୂପଣ।
ଚାରିଶତ ବୟାଳିଶ ପଦ ଲଗାଇଲି।
ଲକ୍ଷ୍ମୀ ନାରାୟଣ ପାଦେ ଶରଣ ପଶିଲି।
ସୃଷ୍ଟି ପ୍ରସଙ୍ଗ, ଦକ୍ଷ ପ୍ରଜପତିଙ୍କ ଦ୍ୱାରା ଅନୁଷ୍ଠିତ ଯଜ୍ଞ ବିଷୟରୁ ଉକ୍ତ ପୁରାଣର କଥାବସ୍ତୁ ପ୍ରାରମ୍ଭ ହୋଇଛି। ପ୍ରସଙ୍ଗକ୍ରମେ ଦକ୍ଷ ପ୍ରଜପତି ଲକ୍ଷ୍ମୀ ନାରାୟଣଙ୍କୁ ବନ୍ଦନାକରି ଯଜ୍ଞ ପୁରୀ ନିର୍ମାଣ କରାଇଛନ୍ତି।
ନିଜର ପରିଚୟ ଦେବାକୁ ଯାଇ କବି ଉଲ୍ଲେଖ କରିଛନ୍ତି –
ପାଦତଳେ ରଖ କାନି ପଣତ ଘୋଡ଼ାଇ।
ଦୀନ ଗଦାଧର ଦାସ ଶରଣ ମାଗଇ।
କଳି ଯୋଡ଼ି ପ୍ରଗଣାରେ ତରବୋଇ ଗ୍ରାମ।
ତହିଁରେ ଜନ୍ମ ଲଭିଛି ମୁଁ ଛାର ଅଧମ।
XXXXX
ପଦ୍ମପୁରାଣରୁ ଏହା ହୋଇଛି ବ୍ୟାଖ୍ୟାନ।
ଲକ୍ଷ୍ମୀ ପାଦପଦ୍ମେ ପଡ଼ିଯାଉ ମୋର ଦିନ।
ଆର୍ତ୍ତତ୍ରାଣଙ୍କ ଲକ୍ଷ୍ମୀପୁରାଣ
ଆର୍ତ୍ତତ୍ରାଣଙ୍କ ଦ୍ୱାରା ରଚିତ ଏକ ଲକ୍ଷ୍ମୀପୁରାଣ ରାଧାରମଣ ପୁସ୍ତକାଳୟ, କଟକ ଦ୍ୱାରା ୧୯୯୪-୯୫ରେ ପ୍ରକାଶିତ। ୧୩୭ ପୃଷ୍ଠା ସଂବଳିତ ଏହି ପୁରାଣଟିରେ ଲକ୍ଷ୍ମୀ-ଜଗନ୍ନାଥଙ୍କ ଲୋକପ୍ରିୟ ଆଖ୍ୟାୟିକା (ଶ୍ରିୟା ଚାଣ୍ଡାଳୁଣୀ ସମ୍ବନ୍ଧୀୟ) ସନ୍ନିବେଶିତ ହୋଇଥିବା ସହ ଲକ୍ଷ୍ମୀଙ୍କର ଜନ୍ମ, ବିବାହ, ରାଜା ବୀରବାହୁ ପ୍ରସଙ୍ଗ, ଦାମୋଦର ଉପାଖ୍ୟାନ, ଶ୍ରୀଗୁଣ୍ଡିଚା ଯାତ୍ରା, ହେରାପଞ୍ଚମୀକଥା, ବାହୁଡ଼ାଯାତ୍ରା ପରେ ବିମଳା ଓ ଲକ୍ଷ୍ମୀଙ୍କ କଥୋପକଥନ ଅତ୍ୟନ୍ତ ରୁଚିକର। ଲକ୍ଷ୍ମୀଙ୍କର ଅଷ୍ଟୋତ୍ତର ଶତନାମ, ମହାଲକ୍ଷ୍ମୀସ୍ତୋତ୍ର, ଧ୍ୟାନ ପୁଷ୍ପାଞ୍ଜଳି ବିଧି ଆଦି ବର୍ଣ୍ଣିତ।
ପୁସ୍ତକର ଆଦ୍ୟରେ କବି କହିଛନ୍ତି –
ପାଶ ଅଂକୁଶଧାରି ହେ କରୁଣାସାଗର।
ତବ ଚରଣକମଳେ ନମସ୍କାର ମୋର।
ପଦ୍ମାଳୟା ଲକ୍ଷ୍ମୀଙ୍କର ଚରିତ ବର୍ଣ୍ଣନ।
କରିବା ଆଶା ବଳିଛି ଦାନ କର ଜ୍ଞାନ।
ଅନ୍ତ୍ୟ –
ଏ ଲକ୍ଷ୍ମୀପୁରାଣ କଥା ଅମୃତ ଲହରୀ।
ଆର୍ତ୍ତ ଭଣେ ନମି ଆର୍ତ୍ତେ କରଇ ଗୁହାରି।
ମୋଟ ଉପରେ ଗୃହସ୍ଥ ଜୀବନକୁ ଶୃଙ୍ଖଳିତ କରିବା ନିମିତ୍ତ ଏହା ଏକ ଉପାଦେୟ ପୁସ୍ତକ।

କୈଳାସକବିକୃତ ମହାଲକ୍ଷ୍ମୀପୁରାଣ
ଧର୍ମଗ୍ରନ୍ଥ ସଂସ୍ଥା ଦ୍ୱାରା ପ୍ରକାଶିତ କବି କୈଳାସ ନାମରେ ଭଣିତ ଏକ ମହାଲକ୍ଷ୍ମୀପୁରାଣ ଆମର ହସ୍ତଗତ ହୁଏ। ପୁସ୍ତକଟି ୧୫୪ ପୃଷ୍ଠା ବିଶିଷ୍ଟ ମାତ୍ର ଏହା ଅଧ୍ୟାୟ ଦ୍ୱାରା ବିଭକ୍ତ ନ ହୋଇ ଗୋଟିଏ ସ୍ରୋତରେ ବିଷୟବସ୍ତୁ ବର୍ଣ୍ଣିତ ହୋଇଅଛି।
ଗ୍ରନ୍ଥ ରଚନା କରିବାର ଉଦ୍ଦେଶ୍ୟ ପ୍ରକାଶ କରିବାକୁ ଯାଇ କବି ଉଲ୍ଲେଖ କରିଛନ୍ତି –
ଆଗୋ ମାତ ଘେନ ଏକ ପ୍ରାର୍ଥନା ମୋହର।
ତୁମ୍ଭ ନାମେ ଏକ ଗ୍ରନ୍ଥ ଲେଖିବି ବିସ୍ତାର।
ଏ କାଳକୁ ସ୍ତିରୀମାନେ ଧର୍ମ ନ ଜାଣିଲେ।
ତୁମ୍ଭ ପୂଜାବ୍ରତ ଛାଡ଼ି ଅଧର୍ମେ ଗମିଲେ।
ଦିବସପ୍ରହର ଯାଏ ନିୟମ କରିଲେ।
ଶାଶୁ ଶ୍ୱଶୁରଙ୍କ ସେବାବିଧି ପାଶୋରିଲେ।
ପୁରାଣ ରଚନା କରିବାର ଉଦ୍ଦେଶ୍ୟ ମଧ୍ୟ କବି କୈଳାସଙ୍କ ସ୍ୱତନ୍ତ୍ର। ତାହା ଉଲ୍ଲେଖ କରିବାକୁ ଯାଇ କବି କହିଛନ୍ତି –
ଅଲକ୍ଷଣୀ ନାରୀ ବହୁ ସଂସାରେ ହୋଇଲେ।
ସବୁ ଧର୍ମ କର୍ମକୁ ସେ ବୁଡ଼ାଇଣ ଦେଲେ।
ଭାବୁଛି ତାଙ୍କର ଚିତ୍ତ ଶୁଦ୍ଧ ନିରନ୍ତରେ।
ତୁମ୍ଭର ପୁରାଣ ମୁହିଁ ଲେଖିବି ଗୀତରେ।
ମହାଲକ୍ଷ୍ମୀ ପୁରାଣ ବୋଲିଣ ହେବ ନାମ।
ନାରୀମାନେ ଏ ଗ୍ରନ୍ଥ ପଢିବେ ପ୍ରତିଦିନ।
ଏଥିରେ ମହାଲକ୍ଷ୍ମୀଙ୍କର ନଗର ଭ୍ରମଣ, ଶ୍ରିୟା ଚାଣ୍ଡାଳୁଣୀଠାରୁ ପୂଜା ଗ୍ରହଣ, ବଳରାମଙ୍କର କୋପ ଇତ୍ୟାଦି ଇତ୍ୟାଦି ବର୍ଣ୍ଣିତ ହୋଇଛି। ପରେ ପରେ ମହାଲକ୍ଷ୍ମୀଙ୍କ ମହତ୍ତ୍ୱ ଦର୍ଶାଇବାକୁ ଯାଇ ଲକ୍ଷ୍ମୀ ଦୁର୍ଯ୍ୟୋଧନ ପ୍ରସଙ୍ଗ ମଧ୍ୟ ବର୍ଣ୍ଣିତ ହୋଇଛି। ଶନିଦେବ ଓ ମହାଲକ୍ଷ୍ମୀଙ୍କର କଳହ ଏକ ସ୍ୱତନ୍ତ୍ର ଭାବ ଜାଗ୍ରତ କରାଏ। ଏହାର ବିଷୟବସ୍ତୁ ଗଦାଧର ଦାସ କୃତ ଲକ୍ଷ୍ମୀପୁରାଣର ବିଷୟବସ୍ତୁ ସହିତ ପ୍ରାୟ ସମାନ। ଏଥିରେ ମାର୍ଗଶୀର୍ଷ ମାସ ଗୁରୁବାର ପୂଜା ଉପରେ ଗୁରୁତ୍ୱ ଦିଆଯାଇଛି।
ଗୃହସ୍ଥ ଧର୍ମ ପାଳନ କରୁଥିବା ଦମ୍ପତିଙ୍କୁ ଏହା ଏକ ଉପଦେଶ।
ପ୍ରେମାନନ୍ଦ ଦାସଙ୍କ ଲକ୍ଷ୍ମୀଜନ୍ମ ବ୍ରହ୍ମାଣ୍ଡ ପୁରାଣ
ପ୍ରେମାନନ୍ଦ ଦାସଙ୍କ ଦ୍ୱାରା ରଚିତ ଉକ୍ତ ଗ୍ରନ୍ଥଟିର ନାମ ଲକ୍ଷ୍ମୀଜନ୍ମ ବ୍ରହ୍ମାଣ୍ଡ ପୁରାଣ। ଯଦ୍ୟପି ବିଷୟବସ୍ତୁ ଅନ୍ୟ ଲକ୍ଷ୍ମୀପୁରାଣର ବିଷୟବସ୍ତୁ ସହିତ ପ୍ରାୟ ସମାନ ତେବେ ଏହାର ନାମ ସ୍ୱତନ୍ତ୍ର ଯଥା – ଲକ୍ଷ୍ମୀଜନ୍ମ ବ୍ରହ୍ମାଣ୍ଡ ପୁରାଣ। ଗ୍ରନ୍ଥଟି ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ (ଓଆରପି.୭୯୫-ବି)। ପୁରାଣଟିର ବିଷୟବସ୍ତୁ ମହାଲକ୍ଷ୍ମୀଙ୍କର ଜନ୍ମଠାରୁ ଆରମ୍ଭ ହୋଇଛି। ସୃଷ୍ଟିପ୍ରକ୍ରିୟାର ବର୍ଣ୍ଣନା, ମାର୍କଣ୍ଡଦାସଙ୍କ ବ୍ରହ୍ମବୈବର୍ତ୍ତ ପୁରାଣର ସୃଷ୍ଟି ବର୍ଣ୍ଣନା ସହିତ ସାମଞ୍ଜସ୍ୟ ରଖେ। ଏଥିରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କୁ ତିନି ଭାଇ ଭାବରେ ବର୍ଣ୍ଣନା କରା ଯାଇଛି। ଜ୍ୟେଷ୍ଠ ଭ୍ରାତା ବ୍ରହ୍ମା, ମଧ୍ୟମ ବିଷ୍ଣୁ ତଥା କନିଷ୍ଠ ପୁତ୍ର ମହେଶ୍ୱର ଭାବରେ ତିନି ଭାଇଙ୍କର ଜନ୍ମ ଓ ନିରାକାରଙ୍କ ଦ୍ୱାରା ତିନି ଭାଇଙ୍କୁ ଛପନ କୋଟି ଜୀବ ସୃଷ୍ଟି ସର୍ଜନା ନିମିତ୍ତ ଆଦେଶ ବର୍ଣ୍ଣିତ ହୋଇଛି। ଏଥିର ତେତିଶ କୋଟି ଦେବତାଙ୍କ ଦ୍ୱାରା କପିଳାସ ପୁରରେ ଭୂମିଚାଷ ବିଷୟ ବର୍ଣ୍ଣିତ ହୋଇଛି। କପିଳାସ ପୁରରେ ଭୂମିଚାଷ ପୃଥିବୀକୁ ବଞ୍ଚାଇବା ନିମିତ୍ତ ଉଦ୍ଦିଷ୍ଟ ଥିଲା।
ପୁରାଣକାର ପ୍ରେମାନନ୍ଦଙ୍କର ମାତାଙ୍କ ନାମ ଚମ୍ପା ତଥା ପିତାଙ୍କର ନାମ ଦାମୋଦର ଥିଲା। ଛ’ଟି ଅଧ୍ୟାୟ ବିଶିଷ୍ଟ ପୁରାଣଟି ଚତୁର୍ଦ୍ଦଶାକ୍ଷରୀ ବୃତ୍ତରେ ରଚିତ। ଏହାର ଭାଷା ତଥା ବର୍ଣ୍ଣନା ଶୈଳୀ ଏତେ ଉନ୍ନତ ନୁହେଁ।
ଜଡ଼ାକୃଷ୍ଣ ଦାସଙ୍କ ଲକ୍ଷ୍ମୀପୁରାଣ
ଭବିଷ୍ୟପୁରାଣରୁ ଉଦ୍ଧୃତ ବୋଲି ଉଲ୍ଲେଖ କରି କବି ଜଡ଼ାକୃଷ୍ଣଦାସ ଉକ୍ତ ଲକ୍ଷ୍ମୀପୁରାଣଟିକୁ ଉପସ୍ଥାପିତ କରିଛନ୍ତି। ପୁରାଣଟି ରାଜ୍ୟସଂଗ୍ରହାଳୟରେ ସଂରକ୍ଷିତ (ଓଏଲ୍‌/୯୩୭)। ପ୍ରଥମରୁ ନୀଳଗିରି କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ତଥା ପୁରୁଷୋତ୍ତମ କ୍ଷେତ୍ରରେ ଅବସ୍ଥିତ କେତେକ ଦେବାଦେବୀଙ୍କ ବିଷୟରେ ଆଲୋଚନା କରାଯାଇଛି। ଏଥିରେ କ୍ଷେତ୍ରମହିମା ସହିତ ଓଡ଼ିଶାର ମୁଖ୍ୟ ରାଜା (ଭୋଇବଂଶ)ଙ୍କ ବିଷୟରେ ମାଧ୍ୟ ଆଲୋକପାତ କରାଯାଇଛି।
ଭବିଷ୍ୟ ପୁରାଣ ଚରିତ। ଯା ଶୁଣି ଜଗତ ପବିତ୍ର।
XXXXX
ଶ୍ରୀକ୍ଷେତ୍ର ଖଣ୍ଡକୁ ମୋ ଆଶ। କହଇ ଜଡ଼ାକୃଷ୍ଣଦାସ।
XXXXX
କେଶରୀ ହେବ ୟେଥୁ ରାଜା। ପାତ୍ରଟି ବେନୁ ନାମେ ଗୋଜା।
ଏ ରାଜା ଅଷ୍ଟ ଯେ ଅଙ୍କରେ। ଗୋଳ ଯେ ହୋଇବ ସଂସାରେ।
ବିଷ୍ଣୁଙ୍କର ବିଭିନ୍ନ ଅବତାର, ବିଭିନ୍ନ ଯୁଗରେ ସର୍ବସାଧାରଣଙ୍କର କାର୍ଯ୍ୟକଳାପ, ଭବିଷ୍ୟତରେ ଅବସ୍ଥାପିତ ହେବାକୁ ଥିବା ରାଜାମାନଙ୍କ ବିଷୟରେ ସୂଚନା ଇତ୍ୟାଦି ସମୁଦାୟ ପାଞ୍ଚୋଟି ଅଧ୍ୟାୟରେ ବର୍ଣ୍ଣିତ ହୋଇଛି। ପରିଶେଷରେ କବି କହଛନ୍ତି –
ଘେନିଲେ ଯୋଗଧ୍ୟାନ ଶୁଣ। କହଇ ଜଡ଼ାକୃଷ୍ଣ ଦାସ?
ଇତି ଶ୍ରୀ ଭବିଷ୍ୟପୁରାଣେ ଲକ୍ଷ୍ମୀ- ଜଗନ୍ନାଥସମ୍ୱାଦେ ନାମ ପଞ୍ଚମୋଽଧ୍ୟାୟ।
ଯେହେତୁ ଶ୍ରୀଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କର କଥୋପକଥନ ଅର୍ଥାତ୍ ମା’ ଲକ୍ଷ୍ମୀଙ୍କର ପ୍ରଶ୍ନ ଓ ଶ୍ରୀଜଗନ୍ନାଥଙ୍କ ଦ୍ୱାରା ପ୍ରଦତ୍ତ ଉତ୍ତର ମାଧ୍ୟମରେ ରଚିତ, ତେଣୁ ଏହାର ନାମ ଲକ୍ଷ୍ମୀପୁରାଣ ରଖା ଯାଇଛି। ମାତ୍ର ଲକ୍ଷ୍ମୀପୂଜା ବିଷୟକୁ ଆଧାର କରି ସ୍ୱତନ୍ତ୍ର ଆଲୋଚନା ଉପଲବ୍ଧ ନୁହେଁ। ପୁରାଣଟିର ଭାଷା ଏତେ ଉନ୍ନତ ନୁହେଁ। ଊନବିଂଶ ଶତାବ୍ଦୀର ରଚନା ବୋଲି କୁହାଯାଇପାରେ।
ଲକ୍ଷ୍ମୀପୁରାଣ – ଲେଖକ ଅଜ୍ଞାତ
ଅନ୍ୟ ଏକ ଲକ୍ଷ୍ମୀପୁରାଣ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ (ସି.ୱାଇ/୧୮୫୮) ସଂରକ୍ଷିତ। ଲେଖକ ଅଜ୍ଞାତ। ପୁସ୍ତକର ଭାଷା ଅପେକ୍ଷାକୃତ ଅର୍ବାଚୀନ। ଲକ୍ଷ୍ମୀନାରାୟଣ ବ୍ରତ ଉପରେ ଆଧାରିତ ଏହି ପୁରାଣଟିରେ ଆଦ୍ୟରୁ ବ୍ରତ ବିଧାନ, ଶ୍ରିୟା ଚାଣ୍ଡାଳୁଣୀର କ୍ରିୟାକଳାପ ଉପରେ ସନ୍ତୁଷ୍ଟ ହୋଇ ଲକ୍ଷ୍ମୀଙ୍କର ବରଦାନ ଙ୍ଘଙ୍ଘ ଶ୍ରୀଜଗନ୍ନାଥ ଓ ଲକ୍ଷ୍ମୀଙ୍କ ମଧ୍ୟରେ ବଚସା ଏବଂ ସେହି ଅବସରରେ ଓଡ଼ିଆ ଘରର ବିବାହ, କନ୍ୟା ପିତାର ଜାମାତା ନିକଟରେ ଦଶଦୋଷ କ୍ଷମା ଯାଚନା, କଉଡ଼ି ଖେଳ ଇତ୍ୟାଦି ବର୍ଣ୍ଣନା ସ୍ଥାନ ପାଇଛି। ଭାଷା ଅତ୍ୟନ୍ତ ସାଧାରଣ ଏବଂ ସେଥିରେ ଆଧୁନିକତାର ଆଭାସ। ଏଥିରେ ଲକ୍ଷ୍ମୀ ଜଗନ୍ନାଥଙ୍କ ନିକଟରେ ଛାଡ଼ପତ୍ର ଦାବି କରିଛନ୍ତି –
ମୋହ ପିତା ବରୁଣ ଯେ କୋବେର ଅଟଇ।
ଛାଡ଼ପତ୍ର ଖଣ୍ଡି ଏକ ଦିଅ ଭାବଗ୍ରାହୀ।
ମୁଖ୍ୟ ବିଷୟବସ୍ତୁ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣର ବିଷୟବସ୍ତୁ ସହିତ ପ୍ରାୟତଃ ସମାନ। ପ୍ରାୟ ବିଂଶ ଶତାବ୍ଦୀର ଆଦ୍ୟଭାଗର ରଚନା ହୋଇଥିବାର ମନେହୁଏ।
ଏଠାରେ ଉପସ୍ଥାପିତ ସମସ୍ତ ଲକ୍ଷ୍ମୀପୁରାଣ ଯଦ୍ୟପି ପୁରାଣ ନିମିତ୍ତ ଉଦ୍ଦିଷ୍ଟ ଲକ୍ଷଣ ଦ୍ୱାରା କୌଣସି ଦିଗରୁ ଉପଲକ୍ଷିତ ନୁହନ୍ତି ତେବେ ଲକ୍ଷ୍ମୀ ସମ୍ବନ୍ଧୀୟ ପ୍ରାୟ ସମସ୍ତ ଗ୍ରନ୍ଥ ପୁରାଣ ନାମରେ ନାମିତ। ଯଦ୍ୟପି ଅନ୍ୟାନ୍ୟ ବିଷୟବସ୍ତୁକୁ ଆଧାରକରି ରଚିତ ହୋଇଥିବା ଅନ୍ୟାନ୍ୟ ଗ୍ରନ୍ଥ ମାହାତ୍ମ୍ୟ ନାମରେ ପରିଚିତ ଯଥା – ବୈଶାଖ ମାହାତ୍ମ୍ୟ (ଅଚ୍ୟୁତାନନ୍ଦ ତଥା ଅନ୍ୟାନ୍ୟ ଅନେକ ଲେଖକ), କାର୍ତ୍ତିକ ମାହାତ୍ମ୍ୟ (ମହାଦେବ ଦାସ ତଥା ଅନ୍ୟାନ୍ୟ ଅନେକ ଲେଖକ) ଇତ୍ୟାଦି।
ମୋଟ ଉପରେ ଦେଖିବାକୁ ଗଲେ ପ୍ରାୟ ସମସ୍ତ ପୁରାଣରେ ମୁଖ୍ୟ ଭାବରେ ସ୍ତ୍ରୀସମାଜକୁ ଉପଦେଶ ଦିଆଯାଇଛି ମାତ୍ର ପରୋକ୍ଷ ଭାବରେ ପୁରୁଷଜାତିକୁ ମଧ୍ୟ ଏକ ସତର୍କବାଣୀ ସୂଚାଇ ଦିଆଯାଇଛି ଯେ, ସ୍ତ୍ରୀକୁ ହତାଦର କରିବା ଦ୍ୱାରା କାହାରି କୌଣସି ସ୍ଥାନରେ ମଙ୍ଗଳ ହୋଇନାହିଁ।
ଏହି ଲକ୍ଷ୍ମୀପୂଜାର ବିଷୟବସ୍ତୁକୁ ଆଧାରକରି ଅନେକ ବ୍ରତ କଥା ବା ଓଷା ସାହିତ୍ୟ ଆମ ସାରସ୍ୱତ ଗନ୍ତାଘରକୁ ସମୃଦ୍ଧ କରିଛି। ସେଥିମଧ୍ୟରୁ କେତେକ ଗଦ୍ୟମୟ ଓ କେତେକ ପଦ୍ୟମୟ। ଏ ସମସ୍ତ ପ୍ରାୟତଃ ପ୍ରକାଶିତ। (ସମ୍ପାଦନା – ଶ୍ରୀମତୀ ପ୍ରମିଳା ମିଶ୍ର, ପର୍ଯ୍ୟଟନ, କ୍ରୀଡ଼ା ଓ ସଂସ୍କୃତି ନିର୍ଦ୍ଦେଶାଳୟ, ଭୁବନେଶ୍ୱର, ୧୯୮୪ ଓ ୧୯୯୫) ଗଦ୍ୟ ଆକାରରେ ଉପଲବ୍ଧ ପୁସ୍ତକରେ ବଡ଼ ଧାନ ମାଣିକିଆ ବ୍ରତ, ସୁଦଶା ବ୍ରତ (ଚାରି ପ୍ରକାର ପାଠ), ଧାନ ମାଣିକା ବ୍ରତ (ତିନି ପ୍ରକାର ପାଠ) ସ୍ଥାନ ପାଇଛି। ସେହିପରି ପଦ୍ୟ ଆକାରରେ ମଧ୍ୟ ବଡ଼ ଧାନମାଣିକିଆ ବ୍ରତ (ସାରଳା ଦାସ), ଗୁରୁବାର ବ୍ରତ ବା ଲକ୍ଷ୍ମୀ ବ୍ରତ, ଧାନ ମାଣିକା ବ୍ରତ (ଲେଖକ – ବ୍ରଜ ସୁନ୍ଦର ମହାରଥ ମହାପାତ୍ର), ସୁଦଶା ବ୍ରତ (ଲେଖକ – ଭରଦ୍ୱାଜ), ଲକ୍ଷ୍ମୀନାରାୟଣ ପୂଜା (ଲେଖକ – ଚନ୍ଦ୍ରଦେବ) ଇତ୍ୟାଦି। ଏହି ପଦ୍ୟ ଆକାରରେ ଉପଲବ୍ଧ ବ୍ରତଗୁଡ଼ିକ, ଉପରେ ଆଲୋଚିତ ଲକ୍ଷ୍ମୀପୁରାଣରୁ କୌଣସି ଗୁଣରେ ନ୍ୟୂନ ନୁହେଁ। ମାତ୍ର ରଚୟିତାମାନେ ଏହାର ନାମ ପୁରାଣ ରଖିନାହାନ୍ତି।
ଏସବୁଥିରେ ଚରିତ୍ର ପ୍ରାୟ ସାଧବାଣୀ, ମାତ୍ର ଗୋଟିଏ ପଦ୍ୟାତ୍ମକ ରଚନାରେ (ଚାତୁର୍ମାସ୍ୟ ଗୁରୁବାର) ଚରିତ୍ର ଶ୍ରିୟା ମାଲୁଣୀ ଏବଂ ଅନ୍ୟଟି ବଡ଼ ଧାନ ମାଣିକିଆ ବ୍ରତର କଥାରେ ସେହି ଏକ ଚରିତ୍ର ଶ୍ରିୟାମାଲୁଣୀ।
ତେବେ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଭଳି କୌଣସି ଗ୍ରନ୍ଥ ଏତେ ଲୋକପ୍ରିୟତା ପାଇପାରିନାହିଁ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)

2 thoughts on “ଓଡ଼ିଆ ଭାଷାରେ ଲିଖିତ ଭିନ୍ନ ଭିନ୍ନ ଲକ୍ଷ୍ମୀପୁରାଣ”

  1. ଭିନ୍ନ ଭିନ୍ନ ଲକ୍ଷ୍ମୀପୁରାଣ ବିଷୟରେ ଅଧିକ ତଥ୍ୟ ପାଇ କୃତାର୍ଥ ହେଲି।

Leave a Reply

Your email address will not be published. Required fields are marked *