ଆଲୋକରେ ଉଦ୍ଭାସିତ ହୋଇଉଠିଲା ଅରସଦ୍ର ଅନ୍ତର। ପ୍ରଣାମ କଲା ମା’ଙ୍କର ଅଭୟଦାୟିନୀ ରୂପକୁ।

ଆଶ୍ଚର୍ଯ୍ୟ ହେଲା ଅରସଦ୍। ଏ ଭୂମିରେ କ’ଣ କେହି କାହାକୁ ସନ୍ଦେହକରି ଶିଖିନାହାନ୍ତି। କେହି ପ୍ରାୟ ତା’ ଅନ୍ତରକୁ ଦେଖିପାରୁନାହାନ୍ତି। ନା, ଠିକ୍ ନୁହେଁ। ସମସ୍ତେ ତାଙ୍କ ଆଖିର ଆଇନାରେ ଅନ୍ୟକୁ ଦେଖୁଛନ୍ତି। ସେ ଆଇନାଟି ସ୍ୱଚ୍ଛ, ସଫେଦ ଆଉ ଭଲପାଇବାର ରଙ୍ଗରେ ରଙ୍ଗିନ। ଗଙ୍ଗାତଟରୁ ଯେଉଁ ଆବାହନର ଧାଡ଼ିଟି ପ୍ରତିଧ୍ୱନିତ ହେଉଥିଲା ତା’ଥିଲା ସର୍ବମଙ୍ଗଳର ସ୍ୱର। ସର୍ବମଙ୍ଗଳ? ନିଜକୁ ଚାହିଁଲା ଅରସଦ୍। ସେ ତ ଆଜିପର୍ଯ୍ୟନ୍ତ କେବଳ ଅନ୍ୟର ଅନିଷ୍ଟ କରିବାର ବାଣୀ ଶୁଣିଛି। ଆଜିକାର ବାଣୀ ଭିନ୍ନ ହେଲେ ବି ଆପଣାର ଲାଗିଲା। ସେ ତ ଅନ୍ୟର ଅନିଷ୍ଟ କରିବା ପାଇଁ ଏ ମାଟିକି ଆସିଛି, ସେ ରକ୍ତ ଦେଖି ଡରି ନ ଯିବା ଶିଖିଛି। ସେ ପ୍ରେମର ଅନୁଭବ କରିନି; ବରଂ ହୃଦୟେ ଭରିଛି ମଣିଷ ପ୍ରତି ଘୃଣା। ନାରୀ ତା’ ପାଇଁ ଉପଭୋଗ୍ୟା। ଅଥଚ ମାତୃପୂଜା ମଣ୍ଡପରୁ ନାରୀର ଏଇ ନବରୂପ ଦେଖି ଚମକି ପଡ଼ିଲା ସେ।
ଭାଇ, ପ୍ରସାଦ ନିଅ। ଭଲକରି ଚାହିଁଲା ଅରସଦ୍। ଭାଇ! ବାରବାର ଚମକିଲା। ଯୋଡ଼ିଏ ଅକ୍ଷର, ଗୋଟିଏ ଶବ୍ଦ। ଅଥଚ ଲାଗିଲା ଶବ୍ଦର ଲହର ମିଶିଯାଉଛି ଅନନ୍ତ ସାଥୀରେ। ତା’ ଦେଶରେ କି ତା’ ବିଶ୍ୱାସଧାରାର ଧାରାରେ ଏଭଳି ଆତ୍ମୀୟତାଭରା ଡାକ ବିରଳ। ଏକ ଅଜଣା ପ୍ରଭାବରେ ଦେବୀଙ୍କ ପ୍ରସାଦ ପାଟିରେ ଦେଇ ବାରବାର ଚକିତ ହେଲା ଅରସଦ୍।

ସାମନାରେ ଅପରୂପା ମୂର୍ତ୍ତି। ସ୍ଥିର କିନ୍ତୁ ଜୀବନ୍ତ, କଥାକୁହା। ଦୃଷ୍ଟି ଅପରିସୀମ। ଅରସଦ୍କୁ ଲାଗିଲା ତା’ଘର ଅଗଣାରେ ଖେଳୁଥିବା ସହୋଦରା ପରି। ସୁନ୍ଦର ଏକ ଧେନୁ ଉପରେ ଆସୀନା ଏଇ ବାଳିକା ପାଖକୁ ଯାଇ ନ ପାରିଲେ ବି ଗାଈଟିର ଶୁଭ୍ର ରଙ୍ଗ ତାକୁ କେମିତି ଆକର୍ଷିତ କଲା। ଚର୍ମର ମସୃଣତାକୁ ସତେ ଯେମିତି ଅନ୍ତରରେ ଅନୁଭବକଲା। ଲାଗୁଥିଲା ମନର କ୍ରୋଧ ପ୍ରଶମିତ ହୋଇଯାଉଛି। ଅଜଣା ପୁଲକରେ ପୁଲକିତ ହୋଇଉଠୁଥିଲା ସେ। ତା’ର ଧାର୍ମିକ ବିଶ୍ୱାସ ତାକୁ ଶିଖେଇଛି, ନାରୀ ହେଉଛି ଦାସୀ। ଧର୍ମଗୁରୁ ଶିଖାଇଛନ୍ତି ନାରୀ ଏକ ସନ୍ତାନ ଜନ୍ମକାରୀ ମେସିନ। ଲାଗିଲା ତା’ ସାମନାରେ ଯେମିତି ଯନ୍ତ୍ର ଜୀବନ୍ତ ହୋଇଛି। ପଥରରୁ ଯେମିତି ସଙ୍ଗୀତର ସୁର ଶୁଭୁଛି। ଲାଗିଲା ଏଇ ଜୀବନ୍ତ ପ୍ରତିମାକୁ ସେ ତା’ର ସୀମା ସେପାରି ଘରର ଅଗଣାରେ ଛାଡ଼ି ଆସିଛି।
ଭାଷ୍ୟକାରଙ୍କ ମୁହଁରୁ ଶୁଭୁଥିଲା ଏ ହେଉଛି ଦେବୀଙ୍କର ଶୈଳପୁତ୍ରୀ ରୂପ। ହାତରେ ତ୍ରିଶୂଳ ଥିଲେ ବି ଶାନ୍ତ, କାନ୍ତ ସମ୍ମୋହିନୀ ମୂର୍ତ୍ତି। ହାତର ପଦ୍ମଫୁଲର ସୌନ୍ଦର୍ଯ୍ୟ ଆଉ କୋମଳତାକୁ ଅନୁଭବ କଲା। ଆତଙ୍କ ସୃଷ୍ଟି କରିବା ପାଇଁ ଶପଥକରି ସୀମା ପାରି ହୋଇଛି ସେ। ବିଶ୍ୱାସରେ ବିଷ ଦେବା ପାଇଁ ଆସିଛି। ଲାଗୁଥିଲା ଗୋଟାଏ ଅମୃତର ପ୍ଲାବନ ଭିତରେ ଭାସିଯାଉଛି। ନିଜ ଘର ଅଗଣାରେ ତା’ ସାଥୀରେ ଖେଳିଥିବା ଭଉଣୀ ପ୍ରତି ତା’ର ଆକର୍ଷଣ ବେଳକୁ ବେଳ ବଢୁଥିଲା। ହେଲେ ଥରେ ଆତଙ୍କବାଦୀର ଖୋଳପା ପିନ୍ଧିଲେ ମୁକୁଳିବାର ବାଟ ନାହିଁ। କିନ୍ତୁ ଲାଗୁଥିଲା ସେ ବେଳକୁ ବେଳ ସେଇ ବିଶ୍ୱାସରୁ ମୁକୁଳି ଆସି ଗୋଟାଏ ଖୋଲା ଆକାଶର ପକ୍ଷୀ ପାଲଟି ଯାଉଛି।
ତାକୁ ଶିଖାଯାଇଥିଲା ଭାରତ ଗୋଟାଏ ବିଧର୍ମୀ ପିଶାଚମାନଙ୍କର ଦେଶ। କିନ୍ତୁ ତା’ର ମନେପଡୁଥାଏ, ତା’ ବାପାଙ୍କର ମାଆଙ୍କ ପରି ଅନାଦର ଭାବ। ପ୍ରତି ରାତିରେ ସେ ଜନ୍ମଦାତ୍ରୀଙ୍କର କୋହ ଶୁଣିଛି। ଗୁହାଳରେ ଗାଈପରି ଘରେ ଅନେକ ବିମାତା। ଏକାଧିକ ପତ୍ନୀ ଥିବା ପରିବାରରେ ନାରୀର ଜୀବନ ଯେ କେତେ ଦୁଃସହ ସେ ଅନୁଭବ କରିଛି। ନିଃସଂଗତା ଭିତରେ କଟୁଥିôବା ମାଆର ଜୀବନ ତାକୁ ବ୍ୟଥିତ କଲା। ଡମ୍ବରୁର ନାଦରେ ସେ ଚମକି ପଡ଼ିଲା। ସ୍ୱାମୀ ଉମାପତି ପାଳୁଛନ୍ତି ଏକପତ୍ନୀ ବ୍ରତ। ପୁଣି ସ୍ୱାମୀଙ୍କର ସମ୍ମାନ ପାଇଁ ଦକ୍ଷକନ୍ୟା ସତୀ ଯଜ୍ଞାନଳରେ ଝାସ ଦେଉଛନ୍ତି, ଆଉ ଜନ୍ମ ନେଉଛନ୍ତି ହିମାଳୟ ମେନକା ନନ୍ଦିନୀ ରୂପରେ। ପ୍ରକୃତି କୋଳରେ ଏଇ ବାଳିକା କରିଛି କୃଚ୍ଛ୍ରସାଧନା। ହୃଦୟ ତା’ର ତୁଷାର ପରି ଶୁଭ୍ର। ହେଲେ ତାକୁ ବିମୋହିତ ଆଉ ଅମୃତାଚ୍ଛନ୍ନ କରୁଥିଲା ଅଜଣା ବାଳିକାର ‘ଭାଇ’ ଡାକ। ସତରେ ମଣିଷର କେତେ ବିଶ୍ୱାସ। ଲାଗିଲା ଭାରତର ଅନ୍ୟନାମ ବିଶ୍ୱାସ।
ଅପୂର୍ବ ଆକର୍ଷଣରେ ମାତୃପୂଜା ମଣ୍ଡପକୁ ତନ୍ମୟ ହୋଇ ଚାହିଁଲା ଅରସଦ୍। ଦ୍ୱିତୀୟ ସଂଧ୍ୟାରେ ସେ ଯାହାକୁ ଦେଖିଲା ଲାଗିଲା ସମୟର ଗତିରେ ଅଗଣାରେ କଣ୍ଢେଇ ଧରି ଖେଳୁଥିବା ବାଳିକାଟି ରୂପାନ୍ତରିତ ହେଉଛି ସାଧିକା ରୂପରେ। ମୁଖରେ ଫୁଟି ଉଠୁଛି ଅପୂର୍ବ ଭାବ। ସେଇ ଆଲୋକର ଦୀପ୍ତିରେ ଚକିତ ହେଲା ଅରସଦ। ତା’ ଦେଶରେ ବୟସ ବାଳିକାର ମୁହଁରେ କୃଷ୍ଣବର୍ଣ୍ଣ ପରଦାଟିଏ ଢାଙ୍କିଦେଇ ନାରୀର ଅପୂର୍ବ ସୌନ୍ଦର୍ଯ୍ୟକୁ ଅନ୍ଧାରରେ ରଖିଦିଏ। ଏଠି ସେ ଅନୁଭବ କରୁଥିଲା ଯେମିତି ବୟସ ସାଥୀରେ ସେଇ ଶୋଭା, ସାଧନାର ପ୍ରତୀକ ପାଲଟୁଛି। ଆଖିରେ ସଂସ୍କାରର ଭାବ। କୃଷ୍ଣବର୍ଣ୍ଣର ପରଦାରେ ମୁଖ ଢାଙ୍କି ନ ହୋଇ ନାରୀ ଏଠି ଟେନିସ୍ ପଡ଼ିଆରେ ଧାବମାନ। ପୁଣି ଖୋଲା ଆକାଶର ପକ୍ଷୀ ହୋଇ ଭାରତ କୁମାରୀ ଆକାଶରେ ଜେଟ ଉଡ଼ାଉଛି। ଧର୍ମର ଜାଲରେ ସେ ଛଟପଟ ହେଉନି। ମାତୃପୂଜା ମଣ୍ଡପରେ ନାରୀର ଏଇ ବ୍ରହ୍ମଚାରିଣୀ ରୂପ ତାକୁ ବିଭୋର କଲା।

ପ୍ରକୃତି ପୁରୁଷର ଅମୃତମିଳନରେ ବହି ଚାଲିଛି ପିଢ଼ି ପରେ ପିଢ଼ିର ଗଙ୍ଗୋତ୍ରୀ। ତନ୍ମୟ ହେଉଥିଲା ଆତଙ୍କୀ ଅରସଦ୍। ଶିବଙ୍କ ସହ ମିଳିତ ହେବା ପାଇଁ ଶିବାନୀଙ୍କର ଏଇ ସାଧନା। ପୁଣି ଚିରକାଳ ଏକପତ୍ନୀ ବ୍ରତ ପାଳୁଥିବା ଉମାପତିିଙ୍କର ତ୍ୟାଗ ତାକୁ ଆହୁରି ଆକର୍ଷିତ କରୁଥିଲା। ରାତିି ପରେ ରାତି ଆବେଗରେ ଅପେକ୍ଷା କରୁଥିଲା ଅରସଦ୍।
ଅପୂର୍ବ ଦିବ୍ୟଧ୍ୱନି ମଧ୍ୟରେ ଯେତେବେଳେ ତୃତୀୟ ସଂଧ୍ୟାରେ ମାତୃପୂଜା ମଣ୍ଡପରେ ଚପଳା ଚନ୍ଦ୍ରଘଣ୍ଟାଙ୍କର ଦର୍ଶନ କଲା ଦିବ୍ୟଭାବରେ ବୁଡ଼ିଗଲା ଅରସଦ୍। ମହାବିଶ୍ୱର ମୂଳରେ ଯେଉଁ ଶବ୍ଦ ବା ଶବ୍ଦ ବ୍ରହ୍ମ ତାହା ଏହି ଘଣ୍ଟାର ଧ୍ୱନିଠାରୁ ଜାତ। ସୀମା ପାରିହୋଇ ଆତଙ୍କ ସୃଷ୍ଟି କରିବାକୁ ଆସିଥିବା ବିଦେଶୀ ଆତଙ୍କୀ ବେଳକୁ ବେଳ ମୁଗ୍ଧହୋଇ ନିର୍ମଳ ହୃଦୟରେ ଶିଶୁଟିଏ ପାଲଟିଲା। ମନ ଭିତରେ କିନ୍ତୁ ଆତଙ୍କୀ ପ୍ରଶିକ୍ଷଣ କେନ୍ଦ୍ରର ପ୍ରଶିକ୍ଷକଙ୍କ ସତର୍କବାଣୀ ଶୁଣାଗଲା। ଭାରତରେ ବହୁ ମନଭୁଲା ଆଚରଣ ଅଛି ଯାହା ତମକୁ ତମ ଲକ୍ଷ୍ୟରୁ ଦୂରେଇ ଦେବ। କିନ୍ତୁ ମାଆଙ୍କର ଶାନ୍ତିଦାୟିନୀ କଲ୍ୟାଣକାରୀ ମୂର୍ତ୍ତି ଭିତରେ ଅରସଦ୍ ଦର୍ଶନ କଲା ନିଜ ମାଆର ରୂପ। ଏଭଳି ରୂପ କେବେ ଆବିଷ୍କାର କରିନଥିଲା ଜନ୍ମଦାତ୍ରୀ ମାଆଠାରେ। ଶାନ୍ତିଦାୟିନୀ, କଲ୍ୟାଣକାରୀ ରୂପରେ ସେ ସମ୍ମୋହିତ ହେଲା। ଏହା ହିଁ ସନାତନ ଭାବ। ମାନବ ହୃଦୟରେ ଚିରନ୍ତନ ଏଇ ଚେତନା କେଉଁ ଅନାଦି କାଳରୁ ଲୁପ୍ତ ଭାବେ ପ୍ରବାହିତ।
ବିବିଧବର୍ଣ୍ଣା ଆଲୋକରେ ଉଦ୍ଭାସିତ ମାଆଙ୍କର ଚତୁର୍ଥ ରାତ୍ରିର ରୂପ କୁଷ୍ମାଣ୍ଡରେ ନାରୀର ଗୃହକତ୍ର୍ତ୍ରୀ ରୂପ ପ୍ରତିଫଳିତ ହେଲାବେଳେ ନିଜ ଘରେ ନାରୀର ଦାସୀରୂପ ତାକୁ ବିବ୍ରତ କଲା। ଗୋଟିଏପଟେ ପୁତ୍ରକନ୍ୟାଙ୍କର ଏକନିଷ୍ଠ ସ୍ନେହର ପ୍ରତିବଦଳରେ ଅମୃତର କମଣ୍ଡଳୁ ଧାରଣ କରିଥାଏ ସେ। ଆରପଟେ ପତିଙ୍କର ଐକାନ୍ତିକ ପ୍ରେମର ପଦ୍ମକଳିକାଟିଏ ପାଲଟେ ସେ। ସ୍ୱାମୀ-ସ୍ତ୍ରୀଙ୍କର ଦାମ୍ପତ୍ୟ ପ୍ରେମ ଅବିଭାଜ୍ୟ। ମାଆଙ୍କର ସଂଜ୍ଞା ନିରୂପଣ କରିପାରୁନଥିଲା ଅରସଦ। ସେ ପୁରୁଷର ଦାସୀ ନୁହେଁ, ଅନ୍ୟାୟ ସହେନା। ମାଆଙ୍କର ହାତରେ ଶାନ୍ତିର ପ୍ରତୀକ ସହ ଅନ୍ୟାୟ ପ୍ରତିରୋଧ ପାଇଁ ଧନୁ, ତୀର ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧାରଣ ତାର ଜନନୀ, ଭଗିନୀଙ୍କର ମୁକ୍ତିର ସଙ୍କେତ ପରି ଲାଗିଲା। ଦେବୀଙ୍କ ହାତରେ ଥିବା କମଣ୍ଡଳୁ ଓ ଅମୃତ କଳସ ତା’ମନରେ ଭିନ୍ନ ଏକ ଚେତନା ଆଣିଲା।
ପଞ୍ଚମ ରାତ୍ରରେ ଦେବୀଙ୍କ ଦର୍ଶନରେ ଅରସଦ୍ ନିଜକୁ ହଜେଇ ଦେଲା ଅବିଭକ୍ତ ଭାରତର ଲାହୋରରେ ଥିବା ମାଆର କୋଳରେ। ଶିଶୁଟିଏ ପାଲଟିଗଲା ସେ। ମାତୃତ୍ୱରେ ଉତ୍ଫୁଲ୍ଲିତ ମାଆ ପାଇଁ ଧର୍ମର ନିଗଡ଼ ନାହିଁ। ପରିପୂର୍ଣ୍ଣା ଆଉ ଧୀସଂପନ୍ନା ମାଆଙ୍କର ରୂପ ହେଲା ସ୍କନ୍ଧମାତା। ଏଇଠି ଅବୁଝା ଶୌର୍ଯ୍ୟମୟ କୋଳେଇନିଏ ସେ। ପଦ୍ମ ପାଖୁଡ଼ା ପରି ତା’ର ହୃଦୟ କୋମଳ। ଅମୃତ ଅନୁଭବ ଭିତରେ ଅରସଦ୍ ସ୍ୱପ୍ନରେ ସୁଷୁପ୍ତ ହୋଇଗଲା ମାତୃ ଅଙ୍କରେ। ଭାବୁଥିଲା ମାଆର କୋଡ଼ ସତେ କେତେ ନିରାପଦ। ଦୁଃଖ ଅନୁଶୋଚନାରେ ବୁଡ଼ିଗଲା ଏଇ ଆତଙ୍କୀ। ଆତଙ୍କ ନ ଖେଳେଇ ଦେଶକୁ ଫେରିଲେ ବି ସେ ତା’ର ଗୁରୁମାନଙ୍କ ଗୁଳିରେ ଜୀବନ ଦେବ। ପୁଣି ଶତ୍ରୁ ଦେଶରେ ଆତ୍ମସମର୍ପଣ କଲେ ବି କେହି ତାକୁ ବିଶ୍ୱାସ କରିବେନି।
ଏଇପରି ଭାବୁଭାବୁ ଷଷ୍ଠ ରାତ୍ରିରେ ସେ ଦର୍ଶନ କଲା ମାଆଙ୍କର କାତ୍ୟାୟନୀ ରୂପ। ଅପୂର୍ବ ଲାବଣ୍ୟରେ ଭରା ଏଇ ଦେବୀ। ବହ୍ନିମାନ ଅନଳ ପରି ଦୀପ୍ତିମାନ ଏଇ ନାରୀର ଭୁବନମୋହିନୀ ରୂପ ଆକର୍ଷିତ କରେ ଅନ୍ୟାୟ, ଆତଙ୍କୀମାନଙ୍କୁ। ହେଲେ ପ୍ରଳୟାଗ୍ନିରେ ଧ୍ୱଂସ ହୁଅନ୍ତି ସେଇ ମହିଷାସୁରମାନେ। କାତ୍ୟାୟନୀ ରୂପରେ କୋମଳାଙ୍ଗୀ ଦେବୀ ପ୍ରଳୟର ରୂପ ଧରନ୍ତି। ଷଷ୍ଠ ଦିନାନ୍ତରେ ମହାସପ୍ତମୀରେ ମା’ ରାତି ପରି ଘୋର କୃଷ୍ଣବର୍ଣ୍ଣା ନାମ କାଳରାତ୍ରୀ। ସେଇ ଅମାରାତି ଅବସାନ ପରେ ଆସେ ଆଲୋକ। ସେଇ ଆଲୋକରେ ଉଦ୍ଭାସିତ ହୋଇଉଠିଲା ଅରସଦର ଅନ୍ତର। ପ୍ରଣାମ କଲା ମା’ଙ୍କର ଅଭୟଦାୟିନୀ ରୂପକୁ।
ଧର୍ମଗୁରୁଙ୍କୁ ସେ ଅନ୍ତରରେ ଚିତ୍କାର କରି ପ୍ରଶ୍ନ କରିଥିଲା, କ’ଣ ପାଇଁ ମାତୃଶକ୍ତିକୁ ଏ ଅପମାନ? ଆଖି ଆଗରେ ଦେଖାଗଲା ଅଷ୍ଟମ ରାତ୍ରୀର ମହାଗୌରୀ ରୂପ। ଧର୍ମ ନାମରେ ଯୁଦ୍ଧ ତାକୁ ସବୁଠୁ ବଡ଼ ଅଧର୍ମ ପରି ଅନୁଭବ ହେଲା। ଧର୍ମ ନାମରେ ଯୁଦ୍ଧ ଏକ ପ୍ରହେଳିକା ପରି ଲାଗିଲା।
ଭାରତୀୟ ନାରୀମାନଙ୍କ ମଧ୍ୟରେ ସେ ଦର୍ଶନ କଲା ମହାଗୌରୀ ରୂପ। ନାରୀର ସର୍ବୋତ୍ତମ ରୂପ ହେଲା ସିଦ୍ଧିଦାତ୍ରୀ। ଏପର୍ଯ୍ୟନ୍ତ ତା’ ଧର୍ମରେ ସେ ଅନୁଭବ କରିଥିଲା ନାରୀ କେବଳ ଉପଭୋଗ୍ୟା। ଗୋଟାଏ କୃଷ୍ଣପଟଳ ତଳେ ତା’ର ଜୀବନ। ସେ ଗୋଟାଏ ଦାସୀମାତ୍ର। ସେ ନିଜର ଜନ୍ମଦାତ୍ରୀ ମାଆକୁ ଦେଖିଲା ସିଦ୍ଧିଦାତ୍ରୀ ରୂପରେ। ମନ ତା’ର ବିଦ୍ରୋହ କରିଉଠିଲା ଯେତେବେଳେ ନୈତିକ ପୁଲିସମାନେ ରାଜରାସ୍ତାରେ ପଥର ପିଙ୍ଗିଫିଙ୍ଗି ମାରୁଛନ୍ତି ମୁକ୍ତିକାମୀ ମାଆକୁ। ମୁକ୍ତିକାମୀ ମାଆକୁ ଧର୍ମ ନାମରେ ଧର୍ଷଣ କରୁଛନ୍ତି ସୈନିକମାନେ। ଧର୍ମଗୁରୁଙ୍କ ମୁହଁରେ ବିଭତ୍ସ ହସ। ହୃଦୟରେ ପାଶବିକ ଆନନ୍ଦ। ମାତୃପୂଜା ମଣ୍ଡପରେ କନ୍ୟାପୂଜନ ପରମ୍ପରା ତାକୁ ଆଶ୍ଚର୍ଯ୍ୟ କଲା। ତା’ ଦେଶରେ ଝିଅମାନେ ବିଦ୍ୟାଳୟ ନ ଯାଇ ଘରକୋଣରେ ଜଳିବା ତାକୁ ବ୍ୟଥିତ କଲା। ବୁଝିିପାରୁନଥିଲା ଅରସଦ୍, କେହି ତାକୁ ସନ୍ଦେହ କରୁନାହାନ୍ତି। ଭାରତରେ ଅଜଣା ତରୁଣୀର ‘ଭାଇ’ ଡାକ ତାକୁ ସୀମା ଆରପଟେ ଶିଳାଗୃହରେ ଧର୍ମର ନାଗଫାଶରେ ବନ୍ଦିଥିବା ଭଉଣୀର ସ୍ୱରର ଭ୍ରମ ସୃଷ୍ଟିକଲା।
ଆତଙ୍କୀ ପ୍ରଶିକ୍ଷଣ କେନ୍ଦ୍ରରେ ତାକୁ ଶିକ୍ଷା ଦିଆଯାଇଥିଲା ଧର୍ମ ପଚାରି ବାଛିବାଛି ମଣିଷମାନଙ୍କୁ ହତ୍ୟା କରିବାକୁ। ଆଗରେ ଥୁଆ ହୋଇଥିଲା କାଶ୍ମୀରର ପହଲଗାଁଓରେ ଧର୍ମ ପଚାରି ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରିବାର ଚିତ୍ର। ପୁଣି ପେଟ ପାଇଁ କାଶ୍ମୀରରେ ମୁଣ୍ଡଝାଳ ତୁଣ୍ଡରେ ମାରୁଥିବା ଶ୍ରମିକଙ୍କୁ ଧର୍ମ ପଚାରି ହତ୍ୟା କରିବାର ଚିତ୍ର ଦେଖାଯାଇଥିଲା ପ୍ରଶିକ୍ଷଣ ଶିବିରରେ। ନବମାତୃକାଙ୍କଠାରୁ ଘୂରୁଥିବା ମମତାର ମଧୁଚକ୍ର ଭିତରେ ଘୂରି ବୁଲିଲା ସେ। ରକ୍ତପ୍ରତି ବିମୁଖତା ନୁହେଁ; ବରଂ ରକ୍ତ ପ୍ରତି ଆକର୍ଷଣ ବଢ଼ିବାରେ ଲାଗିଲା।
ଅରସଦ୍ ଅନୁଭବ କଲା ସେ ମାତା ସିଦ୍ଧିଦାତ୍ରୀଙ୍କ କୋଳରେ ସୁଷୁପ୍ତ ଆଉ ବିଶ୍ୱର ସବୁମାତା ପାଲଟିଯାଇଛନ୍ତି ସିଦ୍ଧିଦାତ୍ରୀ। ସଂକୀର୍ଣ୍ଣ ଧର୍ମଧାରଣାଠାରୁ ଏଇ ନବଦୁର୍ଗା ବହୁ ଊର୍ଦ୍ଧ୍ୱରେ। ନଅଟି ରାତିର ଜଳଛବି ଆଣିଥିଲା ତା’ ହୃଦୟରେ ନବଚେତନା।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)