ସେ ଏମିତି ତାଗଡ଼ା ଶୋକସନ୍ଦେଶ ଦେବେ ଯେ ମରିବାବାଲା ମଧ୍ୟ ଖୁସି ହୋଇଯିବ।


ଭାରତ ଏକ୍ସପର୍ଟ-ପ୍ରଧାନ ଦେଶ ଅଟେ। ଏଠି ଏକ୍ସପର୍ଟ ଟେଲର ଅଛନ୍ତି, ଏକ୍ସପର୍ଟ ଡ୍ରାଇକ୍ଲିନର୍ ଅଛନ୍ତି, ଚମଡ଼ାର ଏକ୍ସପର୍ଟ ଅଛନ୍ତି ଆଉ ହୃଦୟର ମଧ୍ୟ ଏକ୍ସପର୍ଟ ଅଛନ୍ତି। ଯୁବକଗୋଷ୍ଠୀ ଛୁରୀ ମାରିବାରେ ଆଉ ଗୁଳି ଚଳାଇବାରେ ଏକ୍ସପର୍ଟ। ଏକ ବଡ଼ଶ୍ରେଣୀ ଉଧାର ଟଙ୍କାକୁ ବୁଡ଼ାଇବାରେ ଏକ୍ସପର୍ଟ, ଆଉ କିଛି ଲୋକ ଉଧାର ନେବାରେ ଏକ୍ସପର୍ଟ।
ଏହି ଦେଶର ଏପରି ନଗରର ସେ ନାଗରିକ ଅଟନ୍ତି; ଦେଖିବାକୁ ଦୁର୍ବଳ କିନ୍ତୁ ନିଜକୁ ଏକ୍ସପର୍ଟ ବୋଲି ଭାବନ୍ତି, ଶୋକ-ସନ୍ଦେଶ ଏକ୍ସପର୍ଟ। ସେଠି କେହି ମରିଛି କି ନାହିଁ ସେ ଶୋକସନ୍ଦେଶ ଲେଖିଦେବେ। ଆଉ ମଜାର କଥା ହେଲା ଯେ ନିଜ ଶୋକସନ୍ଦେଶରେ ସେ ଏହି ପ୍ରମାଣପତ୍ର ନିଶ୍ଚୟ ଦେବେ ଯେ ମରିବା ଲୋକ ପାଇଁ ଯେଉଁ କ୍ଷତିହେଲା, ତାହା ଅପୂରଣୀୟ ଅଟେ। ପୂରାପୂରି ଭାବେ ଦେଖିଲେ ଶୋକସନ୍ଦେଶ ଦେବା ତାଙ୍କର ଗୋଟେ ନିଶା। ସେ ଲୋକମାନଙ୍କୁ ସବୁବେଳେ ପଚାରୁଥାଆନ୍ତି ଆଜି କିଏ ମଲା। ବାସ୍ ଟିକେ ଜଣାପଡ଼ିଗଲେ, ସେ ଏମିତି ତାଗଡ଼ା ଶୋକସନ୍ଦେଶ ଦେବେ ଯେ ମରିବାବାଲା ମଧ୍ୟ ଖୁସି ହୋଇଯିବ। ବଦାନ୍ୟତାରେ ସମସ୍ତେ ପ୍ରସନ୍ନ ରୁହନ୍ତି।
ମୁଁ ଯେତେବେଳେ ତାଙ୍କୁ ଭେଟିଲି ସେ ତାଙ୍କ ଦୋକାନରେ ବସିଥିଲେ। ତାଙ୍କ ଦୃଷ୍ଟି ଖାଲି କାଗଜ ଉପରେ ଥିଲା। ଜଣାପଡ଼ିଲା ଯେ ଗୋଟେ ଟାକ୍ସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଆଉ ସେଥିରେ ବସିଥିବା ଜଣେ ବ୍ୟକ୍ତିର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଖବରକାଗଜରେ ତା’ ନାଁ ନ ଥିଲା, ସେଥିପାଇଁ ସେ ଚିନ୍ତିତ ହୋଇପଡ଼ିଲେ। ମୋତେ ପଚାରିଲେ, କିଏ ହୋଇଥିବ? ମୁଁ କହିଲି, ଆମ ଅଞ୍ଚଳର ନୁହେଁ, ହୋଇଥିଲେ ଶବଯାତ୍ରା ବାହାରି ସାରିଥାଆନ୍ତା। ସେ କହିଲେ, ତା’ହେଲେ କିଏ ହୋଇଥିବ? ମୁଁ କହିଲି- ହିନ୍ଦୁସ୍ଥାନର କେହି ଲୋକ ହୋଇଥିବେ। ମରିବାବାଲାଙ୍କ ସଂଖ୍ୟା ଆମ ଦେଶରେ କିଛି କମ୍ ନୁହେଁ।
ତାଙ୍କ ଆତ୍ମା ଶୋକସନ୍ଦେଶ ପାଇଁ ବ୍ୟାକୁଳ ହୋଇଉଠିଲା। ମୁଁ ଜାଣିଛି ଯଦି ତାଙ୍କୁ ମରିବାବାଲାର ନାମ ଠିକଣା ମିଳିଯିବ ତାହେଲେ ସେ ତୁରନ୍ତ ତାଙ୍କ ଘରେ ପହଞ୍ଚି ତାଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇ କହନ୍ତେ- ଏହି ଦେଶରେ ମରିବା, ବଞ୍ଚିବା ତ ଲାଗି ରହିଛି, କିନ୍ତୁ ଲୋକଟି ହୀରା ଥିଲା, ହୀରା। ଭଗବାନ ମୃତାତ୍ମାକୁ ଶାନ୍ତି ଦିଅନ୍ତୁ।
ଏହିପରି ଭାବରେ ସେ ପ୍ରଥମେ ମୌଖିକ ଶୋକସନ୍ଦେଶ ସମାଜରେ ପ୍ରସାରିତ କରିବାର ପ୍ରାକ୍ଟିସ କଲେ ଆଉ ଯେତେବେଳେ ତାଙ୍କର ଆତ୍ମବିଶ୍ୱାସ ବଢ଼ିଗଲା ତା’ପରେ ଖବରକାଗଜ ଆଡ଼କୁ ବଢ଼ିଲେ। ସେ ଦେଶର ସବୁ ପ୍ରମୁଖ ଖବରକାଗଜ ମଗାଇବାରେ ଲାଗିଲେ ଆଉ ଦେଖୁଥିଲେ କେଉଁ ସହରରେ କେଉଁ ଭାରତୀୟ ନାଗରିକ ମରିଲା। ସେ ତୁରନ୍ତ ଗୋଟେ ପୋଷ୍ଟକାର୍ଡ ନେଇ ସମ୍ପାଦକଙ୍କ ନାଁରେ ଶୋକ ସଂବେଦନା ପ୍ରକଟ କରି ଲେଖି ଦିଅନ୍ତି ଯେ, ଏହି ନାଗରିକଙ୍କ ମୃତ୍ୟୁରେ ସେ ଶୋକ ସନ୍ତପ୍ତ ଓ ତାଙ୍କ ତରଫରୁ ମୃତକଙ୍କ ପରିବାରର ଜୀବିତ ସଦସ୍ୟଙ୍କୁ ଈଶ୍ୱର ଏହି ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ ବୋଲି ଜଣାଇ ଦିଆଯାଉ। ଦ୍ୱିତୀୟରେ ସେ ପ୍ରତିଦିନ ଖବରକାଗଜ ଦେଖନ୍ତି ଆଉ ତାଙ୍କର ଶୋକ ସନ୍ଦେଶ ଛପାହେବାର ପ୍ରତୀକ୍ଷା କରନ୍ତି। କିନ୍ତୁ ଦୁଃଖ ତାଙ୍କୁ ଏଥିପାଇଁ ଲାଗେ ଯେ, କୌଣସି ଖବରକାଗଜରେ ତାଙ୍କୁ ଆଜି ପର୍ଯ୍ୟନ୍ତ ପ୍ରକାଶିତ ହେବା ଦେଖାଗଲାନି।
ମୋତେ ନିଜର ପ୍ରକାଶିତ ନହେବାର ଦୁଃଖ ଜଣାଇ ସେ କହିଲେ- ଦେଶରେ ସହାନୁଭୂତି ନାମକ ଜିନିଷ ଆଉ ନାହିଁ। କାହାର ମୃତ୍ୟୁରେ ନିଜର ଶୋକ ବ୍ୟକ୍ତ କରିଲେ ମଧ୍ୟ କେହି ଛପାଇବାକୁ ପ୍ରସ୍ତୁତ ନୁହନ୍ତି। ଏବେ ଏହି ଦେଶରେ ରହିବା ଅପେକ୍ଷା ମରିଯିବା ଭଲ।
ମୁଁ କହିଲି – ଏମିତି କିଛି କଥାନାହିଁ। ପ୍ରକୃତରେ ଆପଣ ତ’ ଶୋକସନ୍ଦେଶକୁ ରାବିଡ଼ି ବନାଇ ଦେଉଛନ୍ତି। ଦେବା ଆଗରୁ ଦେଖିବା ଦରକାର ମରିବାବାଲା ଏହି ସନ୍ଦେଶର ଉପଯୁକ୍ତ କି ନାହିଁ।

ସେ ମୋ’ କଥାକୁ ଗମ୍ଭୀରତାର ସହିତ ନେଲେ। କହିଲେ, ଆପଣ ତ ସାହିତ୍ୟ ସହିତ ଜଡ଼ିତ, ଦୟାକରି ମୋତେ କୁହନ୍ତୁ କି ଏମିତି କୌଣସି ପୁସ୍ତକ ମିଳିବ ଯେଉଁଥିରେ ଏହି କଥାର ପୂର୍ଣ୍ଣ ବିବରଣୀ ରହିଥିବ ଯେ ଶୋକ-ସନ୍ଦେଶ କେବେ ଆଉ କେମିତି ଦିଆଯାଏ।
ମୁଁ କହିଲି- ଏ ପର୍ଯ୍ୟନ୍ତ ମୋ’ ନଜରରେ ଏମିତି କିଛି ପୁସ୍ତକ ଆସିନାହିଁ; କିନ୍ତୁ ଆପଣଙ୍କ କଥାରେ ପ୍ରଭାବିତ ହୋଇ ମୁଁ ଶୋକସନ୍ଦେଶ ରଚନାବଳୀ ଲେଖିବା ପାଇଁ ଭାବୁଛି। ଆପଣଙ୍କ ପରି ବହୁତ ଲୋକମାନଙ୍କୁ ଏହି ଦେଶରେ ଶୋକସନ୍ଦେଶର ସଠିକ୍ ଜ୍ଞାନ ଦେବା ଜରୁରି ଅଟେ।
ସେ ତାଙ୍କର ଛୋଟଛୋଟ ହାତରେ ତମ୍ବାଖୁ ମଳି ଖଇନି କଲେ, ତାଳିମାରିଲେ ଆଉ ନିଜର ଛୋଟ ବାଁ ହାତ ପାପୁଲିକୁ ବଢ଼ାଇ କହିଲେ – ନିଅନ୍ତୁ।
ଠିକ୍ ତା’ପରେ କୌଣସି ଏକ ଚତୁଷ୍ପଦ ପଶୁପରି ମୁହଁର ତଳ ଓଠକୁ ବାହାରକଲେ, ଆଉ ଖଇନି ଓଠତଳେ ଦବାଇ କହିଲେ, ମୁଁ ଆପଣଙ୍କ ମାର୍ଗଦର୍ଶନ ନେବାକୁ ଚାହୁଁଛି। ଆପଣଙ୍କୁ ସତ କହୁଛି ଯେ ମୋ’ର କେବଳ ଏହି ଦେଶରେ ଗୋଟିଏ ମହତ୍ୱାକାଂକ୍ଷା ରହିଛି ଯେ ମୁଁ ଅଖିଳ ଭାରତୀୟ ସ୍ତରରେ ଶୋକସନ୍ଦେଶ ଏକ୍ସପର୍ଟ ରୂପେ ନିଜର ପରିଚୟ ସୃଷ୍ଟି କରିବି… ଲୋକମାନେ ମରିବା ପରେ ମୋର ଶୋକସନ୍ଦେଶକୁ ଅପେକ୍ଷା କରିରହିବେ ଆଉ ଯେପର୍ଯ୍ୟନ୍ତ ମୋର ଶୋକସନ୍ଦେଶ ପ୍ରସାରିତ ବା ପ୍ରକାଶିତ ନ ହେବ ମରିବାବାଲାକୁ ନ ଲାଗିବ ଯେ ତା’ର ମୃତ୍ୟୁ ଏହି ଦେଶରେ ସାର୍ଥକ ହେଲା।
ଶୋକସନ୍ଦେଶର ଏହି ବିଦ୍ୟା ପ୍ରତି ତାଙ୍କର ପ୍ରଚଣ୍ଡ ଆସ୍ଥା ଦେଖି ମୁଁ ପ୍ରଭାବିତ ହେଲି। ଏହି ବିଷୟରେ ସେ ମୋତେ ପ୍ରତିଭାରେ ବିଭବଶାଳୀ ଲାଗିଲେ। ଆମ ଦେଶରେ ପପୁଲାର ହେବା ପାଇଁ ଅନେକ ବିଦ୍ୟାରୁ ସେ ଏହି ବିଦ୍ୟାକୁ ଚୟନ କଲେ, ଏହା ତାଙ୍କର ପ୍ରଗତିଶୀଳ ବୁଦ୍ଧିମତାର ପରିଚାୟକ ଅଟେ।
ତାଙ୍କର ପୂରା ବ୍ୟକ୍ତିତ୍ୱ ଆଉ କୃତିତ୍ୱର ପରିଚୟ ଏହି ପ୍ରକାର ଯେ ସେ ପ୍ରଥମେ ଗୋଟେ ସାପ୍ତାହିକୀ ବାହାର କରୁଥିଲେ। ସେଠାରୁ ଶୋକଗ୍ରସ୍ତ ହୋଇ ସେ ରାସ୍ତାକୁ ଆସିଗଲେ ଆଉ ଗୋଟେ ପାନ ଦୋକାନ ଖୋଲିଲେ, ଚା’ର ଷ୍ଟଲ୍ ଖୋଲିଲେ ତ ସେଠାରୁ ମଧ୍ୟ ଶୋକଗ୍ରସ୍ତ ହୋଇଗଲେ। ତା’ପରେ କାଠର ଗୋଟେ ଠେଲା ତିଆରିକରି ପୁରୁଣା ଭଙ୍ଗାରୁଜା ଜିନିଷର ବ୍ୟବସାୟରେ ତାଙ୍କୁ କିଛି ସମ୍ଭାବନା ଦୃଷ୍ଟିଗୋଚର ହେଲା। କିନ୍ତୁ ବହୁତ ଶୀଘ୍ର ସେଠାରୁ ମଧ୍ୟ ଶୋକଗ୍ରସ୍ତ ହୋଇଗଲେ। ତା’ପରେ ସେ କଫିନ, ମହମବତୀ ଆଉ ଶବ-ସାମଗ୍ରୀର ଦୋକାନ ଖୋଲିଲେ, ତା’ପରେ ଯାଇ ସେ ଠିକ୍ ଲାଇନ୍ରେ ଆସିଲେ। ଗଲା ପାଞ୍ଚବର୍ଷ ହେଲା ସେ ଏହି ବ୍ୟବସାୟ କରିଆସୁଅଛି। ନିଜର ପୂର୍ବ ଉଦ୍ୟୋଗଗୁଡ଼ିକର ପ୍ରେରଣାରୁ ତାଙ୍କ ମନରେ ଶୋକ ସନ୍ଦେଶ ଏକ୍ସପର୍ଟ ହେବାର ଭାବନା ଅଙ୍କୁରିତ ହେଲା, କିନ୍ତୁ ଠିକ୍ ଦିଗ ନ ମିଳିପାରିବାରୁ ନିର୍ଦ୍ଦିଷ୍ଟ ଭାବେ ସ୍ଥାପିତ ହୋଇପାରିନାହିଁ।
ମୋ’ ଆଡ଼କୁ ଦେଖି ସେ କହିଲେ- ମୋତେ ଶୋକସନ୍ଦେଶ ପ୍ରକାଶିତ କରିବାର ଗୁରୁମନ୍ତ୍ର ବତାଇ ଦିଅନ୍ତୁ।
ପ୍ରକାଶନର କଷ୍ଟ ତାଙ୍କ ଚେହେରାରେ ଝଲସି ଉଠୁଥିଲା। ସେହିଭଳି କଷ୍ଟ ମୋ’ ଚେହେରାରେ ଦୃଶ୍ୟମାନ ହେଉଥିଲା ଯେତେବେଳେ ମୁଁ ବ୍ୟଙ୍ଗରଚନା ଆରମ୍ଭ କରିଥିଲି। ଲୋକେ କହୁଥିଲେ ବ୍ୟଙ୍ଗ କଠିନ ବିଦ୍ୟା ଅଟେ; କିନ୍ତୁ ମୁଁ ତାହା ପିଛା ପଡ଼ିଗଲି। ଠିକ୍ ସେହିଭଳି ସେ ଯେପରି ଶୋକସାହିତ୍ୟ ପଛରେ ପଡ଼ିଛନ୍ତି। ଦେଶରେ ମରିବାଲୋକଙ୍କ ସଂଖ୍ୟା ଦେଖି ତାଙ୍କର ବ୍ୟକ୍ତିତ୍ୱରେ ସମ୍ଭାବନା ଝଲସୁଥିଲା।
ମୁଁ ତାଙ୍କଠାରୁ ବିଦାୟ ନେବା ସମୟରେ କହିଲି – ବାସ୍ ଲାଗି ରହନ୍ତୁ। ଆମର ଦେଶରେ ଡେରି ହୋଇପାରେ ମାତ୍ର ଅନ୍ଧାର ରହିବ ନାହିଁ; କେବେ ନା କେବେ ଏହି ସମାଜ ଆପଣଙ୍କ ପ୍ରଚେଷ୍ଟାକୁ ସମ୍ମାନ ଦେବ। ଯେତେବେଳେ ଦେଶରେ ସବୁ କଥାର ଏକ୍ସପର୍ଟ ଅଛନ୍ତି ତା’ ହେଲେ ଆପଣ କ’ଣ ବିଗାଡ଼ିଛନ୍ତି? ନିଜେ ଠିକ୍ ଭାବରେ ପବ୍ଲିସିଟି କରନ୍ତୁ ଆଉ ଏହି ଧନ୍ଦାରେ ଲାଗି ରହନ୍ତୁ। ମୋର ଶୁଭକାମନା ଆପଣଙ୍କ ସହ ଅଛି।
ତା’ପରଦିନ ସେ ତାଙ୍କର ଦୋକାନ ‘ମୃତକ ସାମଗ୍ରୀ ଭଣ୍ଡାର’ ସାମ୍ନାରେ ଗୋଟିଏ ବୋର୍ଡ ଲଗାଇଦେଲେ ଓ ତାଙ୍କ ନାମ ପୂର୍ବରୁ ଡକ୍ଟର ଓ ନାମ ପରେ ଶୋକସନ୍ଦେଶ ଏକ୍ସପର୍ଟ ଲେଖିକରି ଯୋଡ଼ିଦେଲେ: ଏଠାରେ ଶୋକ ସନ୍ଦେଶ ସୁଲଭ ମୂଲ୍ୟରେ ଉପଲବ୍ଧ। ମରିବା ପରେ ଆମକୁ ସେବାର ସୁଯୋଗ ଦିଅନ୍ତୁ।
ତାଙ୍କର ଏହି ପବ୍ଲିସିଟି ବେଶ୍ କାମକଲା। ଆଜି ତାଙ୍କର ଦୋକାନରେ ମୃତକଙ୍କ ସମ୍ପର୍କୀୟମାନଙ୍କ ଭିଡ଼ ଲାଗି ରହୁଛି। ଏହି ଦେଶର ମହାନତା ହେଉଛି କି ବ୍ୟବସାୟ ମାମଲାରେ କାହାକୁ ନିରାଶ କରିବ ନାହିଁ। ଏକ୍ସପର୍ଟ-ପ୍ରଧାନ ଦେଶରେ ଏହିଭଳି ହୋଇଥାଏ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୬ ସଂଖ୍ୟାରେ ପ୍ରକାଶିତ।)
ଅନୁବାଦ ଗଳ୍ପଟି ଭଲ ଲାଗିଲା।