ଅବିସ୍ମରଣୀୟ ମାନବେତର କାହାଣୀ

ବତିଶଗୋଟି ମାନବେତର କାହାଣୀକୁ ନେଇ ସଂକଳିତ ଏହି ପୁସ୍ତକଟି ଏକ ପ୍ରଣିଧାନଯୋଗ୍ୟ ପ୍ରକାଶନ। ଏଥିରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ‘ମାଂସର ବିଳାପ’ଠାରୁ ନେଇ ପରେଶ କୁମାର ପଟ୍ଟନାୟକଙ୍କ ‘ମୁଖ୍ୟମନ୍ତ୍ରୀଙ୍କ କୁକୁର’ ପର୍ଯ୍ୟନ୍ତ ପଶୁ, ପକ୍ଷୀ, କୀଟ ଓ ପତଙ୍ଗଙ୍କ ଭଳି ଚରିତ୍ରମାନଙ୍କୁ କେନ୍ଦ୍ରକରି ଗଢ଼ିଉଠିଥିବା ଗଳ୍ପଗୁଡ଼ିକୁ ସଂଗ୍ରହ କରି ତାହାକୁ କାଳାନୁକ୍ରମିକ ଭାବରେ ସୂଚିବଦ୍ଧ କରାଯାଇଛି। ଏଗୁଡ଼ିକ ମଧ୍ୟରୁ କେତେକ କାଳଜୟୀ ସ୍ତରର, ତ କେତେକ ସମକାଳୀନ ବର୍ଗର। ଏଥିରେ ସନ୍ନିବେଶିତ ପ୍ରଥମୋକ୍ତ ଶ୍ରେଣୀର ଗଳ୍ପଗୁଡ଼ିକ ମଧ୍ୟରେ ‘ମାଂସର ବିଳାପ’ (କାଳିନ୍ଦୀ ଚରଣ ପାଣିଗ୍ରାହୀ), ‘ଅଶୁଭ ପୁତ୍ରର କାହାଣୀ’ (ଅଚ୍ୟୁତାନନ୍ଦ ପତି), ;ଝଡ଼ର ଈଗଲ ଓ ଧରଣୀର କୃଷ୍ଣସାର’ (ଅଖିଳ ମୋହନ ପଟ୍ଟନାୟକ) କ୍ଲାସିକ୍ ଗଳ୍ପ ଭାବରେ ଓଡ଼ିଆ ସାହିତ୍ୟରେ ସ୍ୱୀକୃତ। ଏଣୁ ଅଧିକାଂଶ ପାଠକ ଏଗୁଡ଼ିକ ସହିତ ପୂର୍ବରୁ ପରିଚିତ ଥିବେ। ଏହା ସହିତ ସରୋଜିନୀ ସାହୁ, ସଦାନନ୍ଦ ତ୍ରିପାଠୀ, କଇଳାଶ ପଟ୍ଟନାୟକ, ଗୌରହରି ଦାସ, ଭୀମ ପୃଷ୍ଟି ଓ ପରେଶ ପଟ୍ଟନାୟକଙ୍କ ଭଳି ସମକାଳୀନ ଲେଖକମାନଙ୍କ ସୃଷ୍ଟି ମଧ୍ୟ ଏଥିରେ ସ୍ଥାନ ପାଇ ମାନବେତର ଚରିତ୍ର ଆଧାରିତ ଗଳ୍ପ ସଂରଚନା-କଳାର ଏକ ନୂତନ ପ୍ରସ୍ଥ ଉନ୍ମୋଚନ କରିଛି। ତେବେ ଏହି ତାଲିକାରେ ମହାପାତ୍ର ନୀଳମଣି ସାହୁଙ୍କର ‘ଅନ୍ଧରାତିର ସୂର୍ଯ୍ୟ’କୁ ଅନ୍ତର୍ଭୁକ୍ତ କରିବାର କାରଣ ବୁଝିହେଲା ନାହଁ; କାରଣ ଏଥିରେ ସୀତାସାଗର ବନ୍ଧରୁ ରୋହିମାଛ ଧରିବାର ପ୍ରସଙ୍ଗ ରହିଛି ସିନା, ରୋହିମାଛ କିନ୍ତୁ ଏଥିରେ ଏକ ଚରିତ୍ର ଭାବରେ ଉଭା ହୋଇନାହିଁ।
ଆହୁରି ମଧ୍ୟ ଲକ୍ଷ୍ୟ କରାଯାଏ ଯେ ଆମ ସମୟର କେତେଜଣ ସୁବିଦିତ ମାନବେତର କାହାଣୀର ସ୍ରଷ୍ଟା ଏହି ସଂକଳନର ପରିସରକୁ ଆସିପାରିନାହାନ୍ତି। ମନେହୁଏ ଏଥିପ୍ରତି ସଂକଳକ ନିଜେ ମଧ୍ୟ ସଚେତନ ଅଛନ୍ତି; କାରଣ ‘ଗ୍ରନ୍ଥଦ୍ୱାର’ ଶୀର୍ଷକ ନିଜର ମୁଖବନ୍ଧରେ ସେ ଲେଖିଛନ୍ତି, “ମାତ୍ର ବତିଶିଟି ହୃଦୟଗ୍ରାହୀ ଓ ମର୍ମସ୍ପର୍ଶୀ ଗଳ୍ପକୁ ନେଇ ଏ ସଂଗ୍ରହଣୀୟ ସଂକଳନର ପରିକଳ୍ପନା। ଆମ କ୍ଷୁଦ୍ରଗଳ୍ପର ପରିଧି ଭିତରେ ଆହୁରି ଅନେକ କୋଟୀ ସମ୍ପନ୍ନ କଥାକାରଙ୍କ ମାନବେତର କାହାଣୀ ହୁଏତ ଥାଇପାରେ; ଯାହା ସୀମିତ ସମୟ ମଧ୍ୟରେ ଏ ସଂକଳକ ପାଇଁ ଉପଲବ୍‌ଧ ହୋଇପାରିଲା ନାହିଁ।” ପୁସ୍ତକର ପରବର୍ତ୍ତୀ ସଂକଳନଗୁଡ଼ିକରେ ନିଶ୍ଚିତ ଭାବରେ ସେହି ଛାଡ଼ିଯାଇଥିବା ଗଳ୍ପଗୁଡ଼ିକ ଯୋଡ଼ିବା ପାଇଁ ସଂକଳକ ଯତ୍ନବାନ ହେବେ ବୋଲି ଆମର ବିଶ୍ୱାସ। ବିଶେଷତଃ ଆଲୋଚ୍ୟ ସଂକଳନଟିରେ ମାନବେତର ଚରିତ୍ରମାନଙ୍କୁ ନେଇ ନିଜ ଗଳ୍ପ ସମୂହର ଦୁଇଟି ସଂଗ୍ରହ ପ୍ରକାଶ କରିସାରିଥିବା ପ୍ରବୀଣ କଥାକାର କୃପାସାଗର ସାହୁଙ୍କର ଗୋଟିଏ ହେଲେ ଗଳ୍ପ ସ୍ଥାନ ନ ପାଇବା ଆମକୁ ବିସ୍ମିତ କରିଛି।
ଯେମିତି ଆମେ ପ୍ରଥମରୁ ଆଭାସ ଦେଇଛୁ, ଇତର ଜୀବଜନ୍ତୁଙ୍କୁ କେନ୍ଦ୍ରକରି ରୂପନେଇଥିବା ଏହି ସଂକଳନ କେତେକ ବହୁପଠିତ ଗଳ୍ପ ସହିତ କେତୋଟି ଉଚ୍ଚାଙ୍ଗ ଅଥଚ ଅଣଚର୍ଚ୍ଚିତ ଗଳ୍ପ ମଧ୍ୟ ପାଠକମାନଙ୍କର ସମକ୍ଷକୁ ଆଣିପାରିଛି। ବିଶିଷ୍ଟ କଥାକାର ପଦ୍ମଜ ପାଳଙ୍କର ‘ଜଳଯଜ୍ଞ’ ସେଭଳି ରଚନାମାନଙ୍କ ମଧ୍ୟରୁ ଗୋଟିଏ। ସାମାନ୍ୟ ଏକ ବେଙ୍ଗର ଚରିତ୍ରକୁ ନେଇ ସେ ଏଥିରେ ଯେଭଳି ମନସ୍ତାତ୍ତ୍ୱିକ ବିଶ୍ଳେଷଣର ନଜିର ସୃଷ୍ଟି କରିଛନ୍ତି ତାହା ଅନ୍ୟତ୍ର ବିରଳ। ଗଳ୍ପ ପରିବେଷଣ ଶୈଳୀର ଏକ ଅନନ୍ୟ ପ୍ରୟୋଗ ମଧ୍ୟ ଦେଖିବାକୁ ମିଳେ କଇଳାଶ ପଟ୍ଟନାୟକଙ୍କ ‘ପ୍ରତିସତ୍ୟ’ ଗଳ୍ପରେ। ପାରମ୍ପରିକ ‘ଫୋକ୍‌ଲୋର୍‌’ ଆଧାରିତ କଥନଶୈଳୀର ଏକ ଆଧୁନିକୀକୃତ ଢାଞ୍ଚା ଆମେ ଏହି ଗଳ୍ପରେ ପଢ଼ିବାକୁ ପାଉ।
ସର୍ବୋପରି ସଂକଳନଟି ଏକ ସୁଖପାଠ୍ୟ ପ୍ରସ୍ତୁତି। ଏହି ପୁସ୍ତକ ପାଠକମାନଙ୍କର ଯଥାଯଥ ଆଦୃତି ଲାଭ କରିବ ବୋଲି ଆଶା କରୁ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ, ୨୦୨୬  ସଂଖ୍ୟାରେ ପ୍ରକାଶିତ। )

Leave a Reply

Your email address will not be published. Required fields are marked *