ଲୋକମାନଙ୍କର ସୁଖ, ଦୁଃଖ, ନୈରାଶ୍ୟ, ଯନ୍ତ୍ରଣା ଓ ସଂଘର୍ଷର କଥା ଯଦି କବିତାରେ ଉଠୁନାହିଁ, ସେମାନେ ଆପଣଙ୍କୁ କାହିଁକି ଶୁଣିବେ?

ଅଶ୍ୱିନୀ କୁମାର ମିଶ୍ର ଜଣେ ପ୍ରବୀଣ କବି ଭାବରେ ଓଡ଼ିଆ ସାହିତ୍ୟ ଜଗତରେ ସୁବିଦିତ। କବିତା ରଚନା ବ୍ୟତୀତ ସେ ସମାଲୋଚନା ସାହିତ୍ୟରେ ମଧ୍ୟ ସିଦ୍ଧହସ୍ତ। ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ସେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ଏବଂ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ପଦରେ ମଧ୍ୟ ଅବସ୍ଥାପିତ ହୋଇଥିଲେ। ଚଳିତବର୍ଷ ସେ ବିଷୁବ ପୁରସ୍କାରରେ ଭୂଷିତ ହୋଇଛନ୍ତି। ତା’ଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଆମ ଓଡ଼ିଶାରେ କବିଧର୍ମ କହିଲେ ଯୋଡ଼ିଏ କଥାକୁ ବୁଝାଏ; ଗୋଟିଏ ତ ହେଲା ନିମଗ୍ନ ଚିତ୍ତରେ କବିତା ଲେଖିବା, ଆଉ ଦ୍ୱିତୀୟଟି ମଞ୍ଚ ଉପରେ ସାହିତ୍ୟକୁ ନେଇ ଲମ୍ବା ଲମ୍ବା ଭାଷଣ ଦେବା। କିନ୍ତୁ ଆପଣ ଏହି ଦ୍ୱିତୀୟ କର୍ମଟିରେ ଲିପ୍ତ ହେବାର ବେଶି ଦେଖାଯାଏନି କାହିଁକି ?
ଅଶ୍ୱିନୀ କୁମାର ମିଶ୍ର: ସଭାକୁ ତ ମୁଁ ଯାଏ; କିନ୍ତୁ ସଭାମଞ୍ଚରୁ ସାହିତ୍ୟ ସୃଷ୍ଟି ପାଇଁ ସେମିତି କିଛି ପ୍ରେରଣା ହାସଲ କରିବାର କଥା ମୋ’ ମନକୁ କେବେ ଆସିନାହିଁ। କାରଣ ସାହିତ୍ୟ ସାଧନା ଏକ ନିଭୃତ ବ୍ୟାପାର। ସଭାସମିତିରେ ନିଜକୁ ବ୍ୟସ୍ତ ରଖିଲେ ପଢ଼ାପଢ଼ି ତ ନଷ୍ଟ ହେବ, ନିଜର ସର୍ଜନା ଶକ୍ତି ମଧ୍ୟ କ୍ଷୟ ହେବ। ତାପରେ, ମୁଁ ମଧ୍ୟ ଭାବେ ଯେ, ମୁଁ କ’ଣ ଏତେ କିଛି ଜାଣିଛି ଯେ ଭାଷଣ ଦେଇ ଶ୍ରୋତାମାନଙ୍କୁ ମୁଗ୍ଧ କରିପାରିବି?
ସାହିତ୍ୟ ଚର୍ଚ୍ଚା: ଏହାର ବିପରୀତ, ଅନେକ କବି ଭାବନ୍ତି, ‘ମୁଁ ଏତେ ଜାଣିଛି ଯେ ମୋ’ର ବକ୍ତବ୍ୟ ହୋଇପାରେ ଅସରନ୍ତି।’ ଏହାର ଏକ ବ୍ୟତିକ୍ରମ ଆପଣ, ଯିଏ କହନ୍ତି, ‘ମୁଁ କ’ଣ ଏତେ ଜାଣିଛି?’ ଆଉ ଗୋଟିଏ କଥା, ସଭା ମଞ୍ଚରେ ଛନ୍ଦାୟିତ ଭାବରେ ଅନ୍ତତଃ ନିଜ କବିତାର ଆବୃତ୍ତି କରି ମଧ୍ୟ କବିମାନେ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିପାରନ୍ତେ। ସେତିକି ହେଉଥିବାର ତ ଆମେ କାହିଁ ଦେଖୁନାହୁଁ ଆମ ରାଜ୍ୟର କବିତା ପାଠୋତ୍ସବଗୁଡ଼ିକରେ, ଯେମିତି ଅନ୍ୟତ୍ର ହୁଏ। ଆପଣ ଜାଣନ୍ତି, ଆମର କବି ସମ୍ମିଳନୀଗୁଡ଼ିକ କେତେ ନିରସ ଓ ବିରକ୍ତିକର ମନେହୁଅନ୍ତି!

ଅଶ୍ୱିନୀ କୁମାର ମିଶ୍ର: ଏହା ସାକ୍ଷରତା ସଂଖ୍ୟା ବୃଦ୍ଧି ଉପରେ ବହୁମାତ୍ରାରେ ନିର୍ଭର କରେ। ଆମେ ଦେଖୁ ଯେ କେରଳରେ ଶ୍ରୋତାମାନେ ବହୁ ସମୟ ଧରି ବସିରହି କବିତା ଶୁଣନ୍ତି। ଥରେ ଜଣେ ନୋବେଲ୍ ପୁରସ୍କାରପ୍ରାପ୍ତ କବି, ପେବ୍ଲା ନେରୁଦା ଗୋଟିଏ କୋଇଲା ଖଣି ପାଖରେ କବିତା ପଢ଼ୁଥିଲେ ଏବଂ କୋଇଲା ଖଣିର ଯେଉଁ ଶ୍ରମିକମାନେ ଆସି ସେଠାରେ ତା’ଙ୍କୁ ଶୁଣୁଥିଲେ ସେମାନେ କହିଲେ ଯେ ‘ଆପଣ ଆମରି କଥା କହୁଛନ୍ତି।’ ତେଣୁ ଲୋକମାନଙ୍କର ସୁଖ, ଦୁଃଖ, ନୈରାଶ୍ୟ, ଯନ୍ତ୍ରଣା ଓ ସଂଘର୍ଷର କଥା ଯଦି କବିତାରେ ଉଠୁନାହିଁ, ସେମାନେ ଆପଣଙ୍କୁ କାହିଁକି ଶୁଣିବେ?
ସାହିତ୍ୟ ଚର୍ଚ୍ଚା: ଠିକ୍ କଥା; ଯଦି ପାଠକ କି ଶ୍ରୋତା ନିଜକୁ ପାଉନାହିଁ କବିତା ଭିତରେ, ସେ କାହିଁକି ଘଣ୍ଟାଘଣ୍ଟା ଧରି ବସି ମଞ୍ଚକୁ କାନ ଡେରିବ? ବୋଧହୁଏ ଏହିଭଳି ଏକ ଅପ୍ରୀତିକର ଅବସ୍ଥା ସୃଷ୍ଟିହୋଇଛି ଆମ କବିତାରାଜ୍ୟରେ।
ଅଶ୍ୱିନୀ କୁମାର ମିଶ୍ର: କେବଳ ଓଡ଼ିଶା ବୋଲି ନୁହଁ। ଗୋଟିଏ କଥା ହେଲା ଯେ ଆମର ଗୋଟିଏ ସାମନ୍ତବାଦୀ ଅଭିଳାଷ, ଅର୍ଥାତ୍ ‘ଡିଭିଜନ୍ ଅଫ୍ ଲେବର୍’ ହେବାପରେ ଗୋଟିଏ ଆଳସ୍ୟ ବିଳାସୀ ଶ୍ରେଣୀ ସୃଷ୍ଟିହେଲା; ସେମାନେ କିଛି ମଜାକଥା, କିଛି ଚୁଟ୍କୁଲି, କିଛି ଗପ, କିଛି ହସ, କିଛି ରାସ – ଏଇସବୁକୁ ନେଇ ତିଷ୍ଠି ରହିଛନ୍ତି। ସେମାନଙ୍କର ଯାଏଆସେ ନାହିଁ। ଆପଣଙ୍କର ହସ, ଦୁଃଖ, କାନ୍ଦ, ସଂଘର୍ଷ, ଆପଣ କେଜିଏ ଚାଉଳ କେତେ ଟଙ୍କା ଦେଇ କିଣିଲେ, କି ପେଟ୍ରୋଲ୍ କେତେ ଟଙ୍କା ଦେଇ କିଣିଲେ, ସେଥିରେ ତାଙ୍କର କିଛି ଯାଏଆସେ ନାହିଁ।
ସାହିତ୍ୟ ଚର୍ଚ୍ଚା: ଆମେ ଓଡ଼ିଶା କଥା ଏଇଥିପାଇଁ କହିଲୁ, ଆମେ ଏଠି କବି ସମ୍ମିଳନୀଗୁଡ଼ିକରେ ପାଉ ଯେ ହାତରେ ଧରିଥିବା କାଗଜକୁ ଅତି ନିଃସ୍ପୃହ ଭାବରେ ଚାହିଁ, ଏପରିକି ମୋବାଇଲ୍କୁ ଚାହିଁ ମଧ୍ୟ, କବିମାନେ କବିତା ପଢ଼ୁଛନ୍ତି। ଯେମିତି ମନେହୁଏ, ସେମାନଙ୍କର କବିତା ସେମାନଙ୍କ ନିଜ ମନକୁ ମଧ୍ୟ ଛୁଉଁ ନାହିଁ। ଓଡ଼ିଆ କବିତା ପାଠୋତ୍ସବଗୁଡ଼ିକ ଏଭଳି ଏକ ସ୍ତରକୁ ଖସି ଆସିନାହାନ୍ତି କି?
ଅଶ୍ୱିନୀ କୁମାର ମିଶ୍ର: ଆପଣ ଏଇ ଯେଉଁ କଥାଟି କହିଲେ, ତାହା ଗୋଟିଏ ‘ମିଲିଅନ୍ ଡଲାର୍’ର ପ୍ରଶ୍ନ। ଆପଣ କେଉଁ ଭଳିଆ କବିମାନଙ୍କୁ ଡାକୁଛନ୍ତି ଏବଂ କେଉଁ ଭଳିଆ ଶ୍ରୋତାମାନଙ୍କୁ ଡାକୁଛନ୍ତି ତା’ ଉପରେ ଏସବୁ ନିର୍ଭର କରେ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଲେଖକୀୟ ବ୍ୟକ୍ତିତ୍ୱକୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ ଆପଣ ମୋଟେ ଆତ୍ମପ୍ରଚାରମୁଖୀ ନୁହନ୍ତି। ସାହିତ୍ୟ ଜଗତରେ ନିଜର ଛବି ଗଢ଼ିବା ପାଇଁ ଆପଣ କେବେ ପ୍ରୟାସୀ ହୋଇନାହାନ୍ତି। ତେଣୁ ଏବେ ଯେତେବେଳେ ପ୍ରଜାତନ୍ତ୍ର ପକ୍ଷରୁ ବିଷୁବ ପୁରସ୍କାର ପାଇଁ ଆପଣଙ୍କ ନାମ ଘୋଷଣା କରାଗଲା, ଆପଣ ହଠାତ୍ ଚର୍ଚ୍ଚାକୁ ଆସିଗଲେ ଏବଂ ଅନେକେ ବିସ୍ମିତ ହୋଇ ଆପଣଙ୍କର ପରିଚୟ ଜାଣିବାକୁ ଚେଷ୍ଟା କଲେ।
ଅଶ୍ୱିନୀ କୁମାର ମିଶ୍ର: ବିଷୁବ ପୁରସ୍କାର ହେଉ, ବା ଅନ୍ୟ ଯେ କୌଣସି ପୁରସ୍କାର, ସେ ସମ୍ପର୍କରେ ମୋ’ର ଭିନ୍ନ ପ୍ରକାର ମତ ଅଛି। ମାତ୍ର ୫୮ ବର୍ଷ ବୟସରେ ବିଶିଷ୍ଟ ସ୍ଥିତିବାଦୀ ଦାର୍ଶନିକ ଜାଁ ପଲ୍ ସାର୍ତ୍ ସାହିତ୍ୟରେ ନୋବେଲ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ, ମୁଁ ଯାହା ଲେଖୁଛି ତାହା ଯଦି ସ୍ଥିତାବସ୍ଥାକୁ ସୁହାଇଲା ଭଳି ହୁଏ, ତେବେ ସେମାନେ ମୋତେ ପୁରସ୍କାର ଦେବେ। କିନ୍ତୁ ମୁଁ ହେଲି ସ୍ଥିତାବସ୍ଥାର ବିରୋଧୀ; ତେଣୁ ଯେଉଁ ସିଂହାସନ ପାଇଁ ଆପଣ ଲେଖିବେ, ସେହି ସିଂହାସନଟି ମୁଗ୍ଧ ହେଲେ ଗୋଟିଏ ଫୁଲମାଳ ଆପଣଙ୍କର ବେକରେ ପକାଇଦେବେ। ସେ ସିଂହାସନ ଯଦି ଟଳମଳ ହୁଏ ଆପଣଙ୍କ କଲମରେ, ସେମାନେ କେବେ ବି ଆପଣଙ୍କ ମୁହଁ ଚାହିଁବେ ନାହିଁ।
ସାହିତ୍ୟ ଚର୍ଚ୍ଚା: ତେବେ ବିଷୁବ ପୁରସ୍କାର କର୍ତ୍ତୃପକ୍ଷ ଆପଣଙ୍କ ପ୍ରତି ଏ ବର୍ଷ ପ୍ରୀତ ହୋଇଥିବାର କାରଣ କ’ଣ ହୋଇଥାଇପାରେ?
ଅଶ୍ୱିନୀ କୁମାର ମିଶ୍ର: ଆପଣ ଯେଉଁ ଶବ୍ଦଟି କହୁଛନ୍ତି, ମୁଁ ତା’କୁ ଅନ୍ୟ ଗୋଟିଏ ବାଗରେ ଅନୁଧ୍ୟାନ କରୁଛି। ଦେଖନ୍ତୁ, ‘ଝଙ୍କାର’ର ମୁଁ କେବଳ ଆଜିର ଲେଖକ ନୁହଁ। ମୁଁ ଯେତେବେଳେ ଏମ୍.ଏ, ଇଂରାଜୀ ଶ୍ରେଣୀର ଛାତ୍ର ଥିଲି ୧୯୭୪ ମସିହାରେ, ମୋ’ର ପ୍ରଥମ କବିତା ସେଥିରେ ବାହାରିଛି। ସେଦିନଠାରୁ ନେଇ ଆଜି ପର୍ଯ୍ୟନ୍ତ ପଚାଶ ବର୍ଷ ଧରି ମୁଁ ଝଙ୍କାରରେ ଲେଖିଆସିଛି। ଝଙ୍କାରରେ କବିତା ଲେଖୁଥିବା ଜଣେ ବ୍ୟକ୍ତିକୁ, କାରଣ ନିଜକୁ କବି ବୋଲି ମୁଁ କୁହେ ନାହିଁ, ଏବଂ ନିର୍ଦ୍ଦିଷ୍ଟ ଭାବରେ ମୋ’ର ଯେଉଁ ଅନ୍ତଃସ୍ୱର, ତା’କୁ ପୁରସ୍କାର ଦେବାବେଳେ ସରୋଜ ରଂଜନ ମହାନ୍ତି ନିଶ୍ଚିତ ଭାବରେ ଏହାର ମଞ୍ଜକୁ ଯାଇଛନ୍ତି ଏବଂ ପାଠକମାନେ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି ବୋଲି ମୁଁ ଭାବେ।
ସାହିତ୍ୟ ଚର୍ଚ୍ଚା: ଆପଣ ତ ନିଜର ଛାତ୍ରାବସ୍ଥାରୁ କବିତା ରଚନା ଆରମ୍ଭ କରିଛନ୍ତି। ଆପଣଙ୍କର ସେତେବେଳର ରଚନା ଓ ଏବର ରଚନାକୁ ତୁଳନା କଲେ, ଲାଗେ ଯେ ଏହା ଭିତରେ ଆପଣଙ୍କ କବିସ୍ୱରରେ କିଛି ଗୋଟିଏ ପରିବର୍ତ୍ତନ ଘଟିଛି। କାରଣ ଛାତ୍ରାବସ୍ଥାରେ ଆପଣ ପ୍ରଗତିବାଦ ବା ସାମ୍ୟବାଦ ଦ୍ୱାରା ପ୍ରଭାବିତ ଥିଲେ। ସମାଲୋଚକମାନେ କହନ୍ତି ଯେ ଆପଣ ଏବେ ମାନବବାଦ ପ୍ରତି ଟିକିଏ ଅଧିକ ଢଳିଛନ୍ତି। ଆପଣ ଏଥିରେ ଏକମତ କି?
ଅଶ୍ୱିନୀ କୁମାର ମିଶ୍ର: ‘ବାଦ’ ସମ୍ପର୍କରେ ଆପଣ ଯାହା କହିଲେ, ଅତୀତରେ ମୁଁ ମାର୍କସ୍ବାଦୀ ଦର୍ଶନକୁ ନେଇ କବିତା ଲେଖୁଥିଲି। ଏଇଟା ସମାଲୋଚକଙ୍କ ମତ, କି ପାଠକପାଠିକାଙ୍କର ମତ, ମୁଁ କହିପାରୁନାହିଁ। ସାଧାରଣ ଭାବେ ସେ ମାର୍କସ୍ବାଦ ହେଉ, ମାନବବାଦ ହେଉ, ବା ଅତିବାସ୍ତବବାଦ – ଏସବୁ ଭିତରେ ମୁଁ ଗୋଟିଏ କଥା ବୁଝିଛି ଯେ ଏ ପୃଥିବୀ ଦୁଇ ଭାଗରେ ବିଭକ୍ତ; ଗୋଟିଏ ହେଲା ଲୁଟିଖିଆଙ୍କର ଓ ଅନ୍ୟଟି ଖଟିଖିଆଙ୍କର। ମୁଁ ଯେତେବେଳେ ବି କବିତା ଲେଖିଛି, ଗୋଟିଏ ନିଷ୍ପେସିତ ମଣିଷ ଆସି ମୋ ଆଗରେ ଛିଡ଼ାହୋଇଛି। ତେବେ କୌଣସି ‘ବାଦ’ର ବଶବର୍ତ୍ତୀ ହୋଇ ମୁଁ କବିତା ଲେଖିନାହିଁ।
ସାହିତ୍ୟ ଚର୍ଚ୍ଚା: ଏକଥା ଆମେ ମଧ୍ୟ ଲକ୍ଷ୍ୟ କରିଛୁ। ବର୍ତ୍ତମାନ ବାଦମାନଙ୍କର ବନ୍ଧନରୁ ବୋଧହୁଏ ମୁକ୍ତ ହୋଇଛି ଆପଣଙ୍କର କବିତା।
ଅଶ୍ୱିନୀ କୁମାର ମିଶ୍ର: ଏହି ପ୍ରସଙ୍ଗରେ ମୁଁ ଜେବିନିଉ ହର୍ବର୍ଟଙ୍କ ଛୋଟିଆ କବିତାଟିଏ କହୁଛି, “ଦେଆର୍ ଇଜ୍ ନୋ ଟାଇମ୍ ଟୁ ଗ୍ରିଭ୍ ଫର୍ ଦି ରୋଜେସ୍, ହ୍ୱେନ୍ ଦି ଫରେଷ୍ଟ୍ ଇଜ୍ ବର୍ଣିଂ।” କିନ୍ତୁ ମୁଁ କହିବି ନାହିଁ ଯେ ନିଆଁ ଜଳୁଛି ଏବଂ ଫୁଲବନଟି ନଷ୍ଟ ହୋଇଯାଇଛି। ସେହି ଫୁଲବନକୁ ସମ୍ଭାଳିବାର ଦାୟିତ୍ୱ ମଧ୍ୟ ମୋ’ର।
ସାହିତ୍ୟ ଚର୍ଚ୍ଚା: ଆପଣ ଏଭଳି ଏକ ସମୟରେ କବିତାର ମୁଖ୍ୟଧାରାରେ ପାଦ ଥାପିଲେ, ଯେତେବେଳେ ଆମର ଓଡ଼ିଆ କବିତା ଆଧୁନିକତାର ସରହଦ ଡେଇଁ ଉତ୍ତର-ଆଧୁନିକତା ଆଡ଼କୁ ମୁହାଁଇଥିଲା। ସେହି ସମକାଳୀନ ଉତ୍ତର-ଆଧୁନିକତାର ଧାରା ଆପଣଙ୍କ କବିତାରେ ମଧ୍ୟ ପ୍ରତିଫଳିତ ହୋଇଛି ବୋଲି ଆପଣ ଭାବନ୍ତି କି?
ଅଶ୍ୱିନୀ କୁମାର ମିଶ୍ର: ଆଧୁନିକ ଓ ଉତ୍ତର-ଆଧୁନିକ – ଏହା ହେଉଛି ସମାଲୋଚକମାନଙ୍କର ଶବ୍ଦ। କିନ୍ତୁ କବି ଯେତେବେଳେ କଲମ ଧରି ବସେ, ସେତେବେଳେ ସେ ଆଧୁନିକ ଲେଖୁଛି, କି ଉତ୍ତର-ଆଧୁନିକ ଲେଖୁଛି, କି କ୍ଲାସିକାଲ ଲେଖୁଛି – ସେମିତି ଭାବେ ନାହିଁ। ତାପରେ ଆଧୁନିକ କବିତାଟି କେଉଁ ବିନ୍ଦୁରୁ ଉତ୍ତର-ଆଧୁନିକ ହେବା ଆରମ୍ଭ ହେଲା ଏବଂ ଏହି ଉତ୍ତର-ଆଧୁନିକତାର ନିର୍ଦ୍ଦିଷ୍ଟ ଦର୍ଶନ କ’ଣ ସେକଥା ମୋତେ ଜଣାନାହିଁ। ମୁଁ ଭାବେ ଯେ ଆଧୁନିକତା ଏକ ଆପେକ୍ଷିକ ଶବ୍ଦ।
ସାହିତ୍ୟ ଚର୍ଚ୍ଚା: ଆପଣ କେନ୍ଦ୍ର ସାହିତ୍ୟ ଏକାଡେମୀର ମୁଖପତ୍ର ‘ଇଣ୍ଡିଆନ୍ ଲିଟରେଚର୍’ରେ ଥରେ ଗୋଟିଏ ପ୍ରବନ୍ଧ ଲେଖିଥିଲେ ଯାହାର ଶିରୋନାମା ଥିଲା, ‘ଓରିଆ ପୋଏଟ୍ରି ଆଫ୍ଟର୍ ଦି ସିକ୍ସ୍ଟିଜ୍’। ଷାଠିଏ ଦଶକ ପରବର୍ତ୍ତୀ କବିତାକୁ ଆପଣ ଏଥିରେ କେଉଁଭଳି ଭାବରେ ଚିତ୍ରଣ କରିଛନ୍ତି?
ଅଶ୍ୱିନୀ କୁମାର ମିଶ୍ର: ସତ କହିବାକୁ ଗଲେ, ସେଇଟା କେବଳ ଷାଠିଏ ପରବର୍ତ୍ତୀ ବିଭିନ୍ନ କବିଙ୍କର ଓଡ଼ିଆ କବିତାର ଇଂରାଜୀ ଅନୁବାଦ ଓ ତତ୍ସମ୍ପର୍କୀୟ କିଛିକିଛି ଟିପ୍ପଣୀ। ଏଇଟା ସେତେବେଳର କବିତାର ଏକ ଡକ୍ୟୁମେଣ୍ଟେସନ୍ ମାତ୍ର ଥିଲା ବୋଲି ମୁଁ କହିପାରେ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ସମାଲୋଚନା ସାହିତ୍ୟକୁ ଆପଣଙ୍କର ଅବଦାନ ସୁସ୍ପଷ୍ଟ। ଇଂରାଜୀ ସାହିତ୍ୟର ଜଣେ ଛାତ୍ର ଭାବରେ କହିବେ କି, ପାଶ୍ଚାତ୍ୟ ସମାଲୋଚନା ତତ୍ତ୍ବର ପ୍ରଭାବ ଆମ ଓଡ଼ିଆ ସମାଲୋଚନା ସାହିତ୍ୟରେ କେତେ ଦୂର ପଡ଼ିଛି?
ଅଶ୍ୱିନୀ କୁମାର ମିଶ୍ର: ହୋମର୍ ଓ ପ୍ଲାଟୋଙ୍କଠାରୁ ଆରମ୍ଭ କରି ଷ୍ଟିଫେନ୍ ଓ ଇଲିଅଟ୍ଙ୍କ ପର୍ଯ୍ୟନ୍ତ ବହୁ ସମାଲୋଚକ ପାଶ୍ଚାତ୍ୟ ସମାଲୋଚନା ସାହିତ୍ୟକୁ ଗଢ଼ିଛନ୍ତି। ବିଶେଷତଃ ଇଲିଅଟଙ୍କର ‘ଟ୍ରାଡିସନ୍ ଏଣ୍ଡ ଇଣ୍ଡିଭିଜୁଆଲ ଟାଲେଣ୍ଟ୍’ର ପ୍ରଭାବ ସୁଦୂରପ୍ରସାରୀ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ସମାଲୋଚନା ସାହିତ୍ୟ ଖୋଲା ହୃଦୟରେ ଏହି ପାଶ୍ଚାତ୍ୟ ସମାଲୋଚନାର ଧାରାକୁ ଗ୍ରହଣ କରିଛି କି? ଆମର ଏଠି ତ ସମାଲୋଚନା ନାମରେ କବି ବା ଲେଖକଙ୍କର ଜୀବନୀ ହିଁ ଆଲୋଚନା ହୁଏ।
ଅଶ୍ୱିନୀ କୁମାର ମିଶ୍ର: ଆଇ.ଏ ରିଚାର୍ଡସ୍ ହୁଅନ୍ତୁ, କି ଏଫ୍. ଆର୍ ଲେଭିସ୍ ହୁଅନ୍ତୁ, କି ଇଲିଅଟ୍ ହୂଅନ୍ତୁ – ଏମାନଙ୍କ ଲେଖା ପଢ଼ିଲେ ଜଣାଯାଏ ଯେ କୌଣସି ଲେଖକଙ୍କୁ ଉଚ୍ଚ ଆସନ ଦେବାପାଇଁ ସେମାନେ ନିଜର ସମାଲୋଚନା ଲେଖୁନଥିଲେ। ଆମର ସମାଲୋଚନା ସାହିତ୍ୟରେ ତ ଏହାର ବିପରୀତ କଥା ଘଟୁଛି। ଏପରିକି ଏଠାରେ ଆମେ ବହୁମାତ୍ରାରେ ବରାଦିଆ ସମାଲୋଚନା ମଧ୍ୟ ପାଉ।
ସାହିତ୍ୟ ଚର୍ଚ୍ଚା: ‘ସମାସ’ ପତ୍ରିକାର ଜଣେ ପ୍ରାକ୍ତନ ସମ୍ପାଦକ ଭାବରେ ଆପଣଙ୍କର ସମ୍ପାଦନା ଜନିତ ଅନୁଭୂତି ମଧ୍ୟ ରହିଛି। ନିଜର ସେହି ଅଭିଜ୍ଞତାକୁ ନେଇ କହିବେ କି, ଗୋଟିଏ ସାହିତ୍ୟ ପତ୍ରିକାକୁ ବଞ୍ଚାଇ ରଖିବାପାଇଁ କି କି ପ୍ରତିବନ୍ଧକର ସାମନା କରିବାକୁ ପଡ଼େ?
ଅଶ୍ୱିନୀ କୁମାର ମିଶ୍ର: ଆପଣ କେଉଁ ସ୍ଥାନରୁ ସେହି ପତ୍ରିକାଟି ପ୍ରକାଶ କରୁଛନ୍ତି, ସେଇଟା ହେଉଛି ଗୋଟିଏ ମୁଖ୍ୟ କଥା। କଟକ କି ଭୁବନେଶ୍ୱରରେ ଥାଇ ପତ୍ରିକାର ସମ୍ପାଦନା କରିବା ଜଣେ ସମ୍ପାଦକଙ୍କୁ ବିଶେଷ ଅସୁବିଧାରେ ପକାଇବ ନାହିଁ। କିନ୍ତୁ ଗ୍ରାମାଞ୍ଚଳରୁ କି ଅନ୍ୟ କୌଣସି ଛୋଟିଆ ସ୍ଥାନରୁ ପତ୍ରିକାଟିଏ ପ୍ରକାଶ କଲେ ହଇରାଣ ହେବାକୁ ପଡ଼େ।
ସାହିତ୍ୟ ଚର୍ଚ୍ଚା: ଆପଣ କେବଳ ଜଣେ ପ୍ରବୀଣ ସାହିତ୍ୟିକ ହିଁ ନୁହନ୍ତି, ଜଣେ ଦକ୍ଷ ସାହିତ୍ୟ-ପ୍ରଶାସକ ମଧ୍ୟ। ଆପଣ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଭାବରେ ଦାୟିତ୍ୱ ତୁଲାଇଛନ୍ତି। ଏହି ପ୍ରେକ୍ଷାପଟରେ କହିବେ କି, ଏକାଡେମୀର ପୁରସ୍କାର ନିର୍ଣ୍ଣୟ କରିବାର ପ୍ରକ୍ରିୟାରେ ଆପଣଙ୍କୁ କେବେ କୌଣସି ଚାପର ସମ୍ମୁଖୀନ ହେବାକୁ ପଡ଼ିଛି କି?
ଅଶ୍ୱିନୀ କୁମାର ମିଶ୍ର: ଏହା ତ ସାମାନ୍ୟ କଥା। ତେବେ ମୁଁ ବ୍ୟକ୍ତିଗତ ଭାବରେ ଏଭଳି ଚାପର ସମ୍ମୁଖୀନ ହୋଇନାହିଁ, କି ହେବାକୁ ଦେଇନାହିଁ ମଧ୍ୟ।
ସାହିତ୍ୟ ଚର୍ଚ୍ଚା: ଏବେ ନଅ ବର୍ଷ ହେଲା ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ଯେ ଦିଆହୋଇପାରିନାହିଁ, ସେ ବିଷୟରେ ଆପଣଙ୍କର ମତ କ’ଣ?
ଅଶ୍ୱିନୀ କୁମାର ମିଶ୍ର: ଓଡ଼ିଶା ସାହିତ୍ୟ ଏକାଡେମୀ ନିଜର ‘ବାଇ-ଲ’ ଦ୍ୱାରା ପରିଚାଳିତ। ଏ ଦୃଷ୍ଟିରୁ ଏହା ଏକ ସ୍ୱୟଂଚାଳିତ ସଂସ୍ଥା। କିନ୍ତୁ ପରେ ଏହା ସିଧାସଳଖ ସରକାରଙ୍କ ପରିଚାଳନାଧୀନକୁ ଆସିବା ଦ୍ୱାରା ବର୍ତ୍ତମାନ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅବଶ୍ୟ ଏହି ପୁରସ୍କାର ଦିଆଯିବା, ବା ନ ଦିଆଯିବାର ବିଶେଷ ପ୍ରଭାବ ଆମର ସାହିତ୍ୟ ଉପରେ ନାହିଁ।
ସାହିତ୍ୟ ଚର୍ଚ୍ଚା: ଶେଷରେ ଆପଣଙ୍କୁ ପଚାରିବାକୁ ଚାହିବୁ, ଆଜିର ବା ଆଗାମୀ ଦିନର ଓଡ଼ିଆ କବିତା କିଛି ନୂଆ ମୋଡ଼ ନେଉଥିବା ଆପଣ ଅନୁଭବ କରନ୍ତି କି? ବିଶେଷତଃ ଆମ ଯୁବଗୋଷ୍ଠୀଙ୍କ କବିତାରେ ଧୀରେଧୀରେ ପାରମ୍ପରିକ ଛନ୍ଦ ଓ ଲାଳିତ୍ୟ ଫେରିଆସୁଛି କି?
ଅଶ୍ୱିନୀ କୁମାର ମିଶ୍ର: ସତରେ ଯଦି ଜଣେ ପ୍ରତିଭାଶାଳୀ କବି, ସେ ଛାନ୍ଦସିକ ହେବାପାଇଁ କେତେକାଂଶରେ ବାଧ୍ୟ। କେତେଜଣ କବି ଅକ୍ଷରବୃତ୍ତ ଉପରେ ନିର୍ଭର କରୁଛନ୍ତି, ତ ଆଉ କେତେଜଣ ସ୍ୱରବୃତ୍ତ ଉପରେ। ତେଣୁ ଛନ୍ଦ ଆତ୍ମପ୍ରକାଶ କରୁଛି ବିବିଧ ରୂପରେ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ଉପାଦେୟ ଆଲୋଚନା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ, ୨୦୨୬ ସଂଖ୍ୟାରେ ପ୍ରକାଶିତ। )