ଯାହା ହେଲେ ବି କେବେ କେହି ତା’ ଆଡ଼କୁ ଚାହୁଁ ନଥିଲେ। ତେଣୁ ସେ ଆକର୍ଷଣୀୟା ଦେଖାଯିବାର କୌଣସି ଅର୍ଥ ନଥିଲା।


କୁସୁମ କୁମାରୀ ଗୋଟିଏ ଭଲ ଝିଅ। ତାକୁ ସେଥିପାଇଁ କୌଣସି ପ୍ରୟାସ କରିବାକୁ ପଡ଼େନାହିଁ। ବାସ୍ତବରେ ସେ ଭଲ ନ ହୋଇ ରହିପାରେନାହିଁ। ଯଦିଓ ସେ ମାତ୍ର ଅଠର ବର୍ଷ ବୟସର ତାକୁ ଅଠେଇଶ ବର୍ଷ ହେବା ଭଳି ଦେଖାଯାଏ ଏବଂ ତା’ର ପ୍ରକୃତି ଜଣେ ଚାଳିଶ ବର୍ଷ ବୟସ୍କା ସ୍ତ୍ରୀ ଲୋକ ଭଳି। ସେ ମୋଟି ଏବଂ ଗେଡ଼ି ଥିଲା। ତା’ କଳା ରଙ୍ଗକୁ ଅଣ୍ଡାକୃତି ମୁହଁରେ ବସନ୍ତ ଦାଗ। ତା’ର ଛୋଟ ଏବଂ ମୋଟା ନାକ ଉପରେ ସୁନେଲି ଫ୍ରେମ୍ର ମୋଟା କାଚଲଗା ଚଷମା ତା’ ଆଖିକୁ ଗୋରୁ ଆଖି ଭଳି ବଡ଼କରି ଦେଉଥାଏ। ତା’ ମୁଣ୍ଡର କେଶ ପତଳା ଏବଂ ଛୋଟ। ସେ ତାକୁ ଭିଡ଼ିକରି ବେଣୀ ପାରି ଦେଉଥାଏ। ତା’ର ଧନୁ ଆକୃତିର ଭ୍ରୂଲତା। କୁସୁମର ଚେହେରା ସାଦାସିଧା ଥିଲା। କେହି ତା’ର ଛାତି, ପେଟ ଏବଂ ପଛକୁ ପୃଥକ ଭାବେ ବର୍ଣ୍ଣନା କରିପାରିବ ନାହିଁ। ସେସବୁ ମିଶି ଗୋଟିଏ ଛୋଟ ଏବଂ ମୋଟା ଆକାର ହୋଇ ଧଳା ଶାଢ଼ି ଦ୍ୱାରା ଘୋଡ଼େଇ ହୋଇଥାଏ।
କୁସୁମ କିନ୍ତୁ ବହୁତ ଭଲ ଏବଂ ଚାଲାଖ ଥିଲା। ସେ କଠିନ ପରିଶ୍ରମକରି ସର୍ବଦା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଉଥିଲା। ସେ ବହୁତ ସମୟ ଧରି ବହି ପଢ଼ୁଥିବାର ପ୍ରମାଣ ଥିଲା ତା’ର ଚେହେରା ଏବଂ ଚଷମା। କୁସୁମ କେବେ ତା’ ବାପା ମା’ଙ୍କୁ ଅସୁବିଧାରେ ପକାଉନଥିଲା। ସେ ସକାଳୁ ଉଠିଯାଇ କଲେଜ ଯାଉଥିଲା। କଲେଜରୁ ଫେରିବା ପରେ ତା’ର ଅନ୍ୟ କିଛି କାମ ନଥିଲେ ସେ କାହା ଦ୍ୱାରା ବିଭ୍ରାନ୍ତ ହେଉନଥିଲା, କି କାହାକୁ ବିଭ୍ରାନ୍ତ କରୁନଥିଲା।
କୁସୁମ ଆଧୁନିକ ଫେସନ୍ କରୁନଥିଲା କି ତା’ର ପୁଅ ପିଲାଙ୍କ ପ୍ରତି ଆଗ୍ରହ ନଥିଲା। ସେ ଯୌନତାକୁ ପରିହାର କରିଥିଲା। ସେ ନିଜକୁ ପ୍ରସାଧନ ଦ୍ୱାରା ମଣ୍ଡିତ କରୁନଥିଲା। ସେ ଭାବେ ଲୋକମାନେ ଈଶ୍ୱର ପ୍ରଦତ୍ତ ରୂପରେ ସନ୍ତୁଷ୍ଟ ହେବା ଆବଶ୍ୟକ, ଏପରିକି ମୁହଁରେ ଯଦି ବସନ୍ତର ଦାଗଥାଏ। ସେ ସାଧୁତା ଓ ଦୟା ଉପରେ ବିଶ୍ୱାସ ରଖୁଥିଲା। ସେ କର୍ତ୍ତବ୍ୟ ଓ ନୈତିକତାକୁ ଗୁରୁତ୍ୱ ଦେଉଥିଲା। ତା’ର ବିଶ୍ୱାସ ଥିଲା ମହିଳାମାନଙ୍କ ସ୍ଥାନ ରୋଷେଇ ଘରେ। ସେଥିପାଇଁ ସେ ଉଭୟ ପୁରୁଷ ଏବଂ ମହିଳା ବୟସ୍କ ବ୍ୟକ୍ତିଙ୍କ ପ୍ରିୟ ଥିଲା। କିନ୍ତୁ ତାକୁ ଯୁବକମାନେ ପଚାରୁନଥିଲେ। ତେଣୁ ସେ ସେହି ମୂଲ୍ୟବୋଧକୁ ବିଶ୍ୱାସ କରୁଥିଲା ଯାହା ଈଶ୍ୱର ନିର୍ଦୟ ହୋଇ ତା’ ଉପରେ ଲଦି ଦେଇଛନ୍ତି।

ତା’ର ଉଣେଇଶତମ ଜନ୍ମ ଦିନରେ କେତେକ କଲେଜ ଝିଅ ତାକୁ କିଛି ଲିପ୍ଷ୍ଟିକ୍ ଓ ରୋଜ୍ ପାଉଡ଼ର ଉପହାର ସ୍ୱରୂପ ଦେଇଥିଲେ। କୁସୁମ ପାଇଁ ତାହା ବ୍ୟକ୍ତିଗତ ଅପମାନ ସଦୃଶ ଥିଲା। ସେ ସେସବୁକୁ ଡ୍ରୟାରର ଗୋଟିଏ କୋଣରେ ଲୁଚାଇଦେଇ କହିଲା, “ସେସବୁକୁ ସେ ଝରକାରେ ଫିଙ୍ଗି ଦେଇଛି।’ ସେ ଦର୍ପଣକୁ କାନ୍ଥ ଆଡ଼କୁ କରିଦେଇ ନିଜ ରୂପକୁ ଦେଖିବାର ଇଚ୍ଛାକୁ ଦମନ କରିଦେଇଥିଲା। କୁସୁମ କେବେ ବିଶେଷ ହସୁ ନଥାଏ। ତା’ର ଉଣେଇଶତମ ଜନ୍ମଦିନ ପରେ ସେ କ୍ୱଚିତ୍ ହସୁଥିଲା। ସେ ଆନ୍ତରିକତାର ସହ ଆହୁରି କଠୋର ହୋଇଗଲା। ସେ ଜାଣେ ତା’ ଦ୍ୱାରା ସେ ଆହୁରି ଅସୁନ୍ଦର ହୋଇଯାଇଥିଲା। କିନ୍ତୁ ଅନ୍ୟ ଉପାୟନଥିଲା। ଯାହା ହେଲେ ବି କେବେ କେହି ତା’ ଆଡ଼କୁ ଚାହୁଁ ନଥିଲେ। ତେଣୁ ସେ ଆକର୍ଷଣୀୟା ଦେଖାଯିବାର କୌଣସି ଅର୍ଥ ନଥିଲା। ଯେହେତୁ ସେ ଆକର୍ଷଣୀୟା ଦେଖାଯାଉନଥିଲା, କେହି ତା’ ଆଡ଼କୁ ଚାହୁଁ ନଥିଲେ।
ଏପ୍ରିଲ ମାସରେ କୁସୁମର ୟୁନିଭର୍ସିଟି ପରୀକ୍ଷା ସରିଗଲା। ଅନ୍ୟ ଝିଅମାନେ ପରୀକ୍ଷା ହଲ୍ରୁ ବାହାରି ସାଙ୍ଗମାନଙ୍କ ସହିତ ଖାଇପିଇ ମଜା କରିବାକୁ ଚାଲିଗଲେ। କୁସୁମକୁ ଭେଟିବା ପାଇଁ କେହି ଆସିଲେ ନାହିଁ। ସେ ସବୁଦିନ ଭଳି ତା’ ସାଇକେଲଟି ନେଇ ଚାଲିଗଲା। ଅନ୍ୟ ଝିଅମାନେ ଆଗକୁ ବାହାହେବା କଥା ଚିନ୍ତା କରୁଥିଲେ। କୁସୁମର ସେମିତି କିଛି ପାଇଁ ଅପେକ୍ଷା ନଥିଲା। ସେ କେବଳ ତା’ର ସ୍ୱଳ୍ପ ସଜ୍ଜିତ କୋଠରି, ସେଥିରେ କାନ୍ଥ ଆଡ଼କୁ ଓଲଟା ରଖାଯାଇଥିବା ଦର୍ପଣ ଓ ବହି ବ୍ୟତୀତ ଅନ୍ୟ କିଛି ଭାବୁ ନଥିଲା।
ସେ ଶୂନ୍ୟ ଭାବନା ନେଇ ଘରକୁ ଫେରୁଥାଏ ଏବଂ ଶୂନ୍ଶାନ ରାସ୍ତାରେ ସେ ନିଜକୁ ହଜାଇ ଦେଇଥାଏ କିଛି ନ ଭାବିବାରେ। ସେ ଘରକୁ ଯିବା ପାଇଁ ବିପରୀତ ରାସ୍ତାରେ ଯାଉଥିଲା। ସତର୍କ ହେବା ପୂର୍ବରୁ ତା’ର ଜଣେ ବୁଲା ଫଳ ବିକାଳି ଯୁବକ ସହ ଧକ୍କା ହୋଇଗଲା। ସେ ତା’ ଉପରେ ପଡ଼ି ରାସ୍ତାରେ ଗଡ଼ିଗଲା। ତା’ ଚଷମା ଭାଙ୍ଗିଗଲା। ତା’ ସାଇକେଲ ରାସ୍ତା କଡ଼ରେ ପଡ଼ିଥିଲା। ସେ ବୁଲା ବିକାଳି କେବଳ ହଲି ଯାଇଥିଲା, ତା’ର କିଛି କ୍ଷତି ହୋଇନଥିଲା କି ତା’ର କମଳା ଝୁଡ଼ି ପଡ଼ିଯାଇ ନଥିଲା। ସେ ଖୁସିରେ ହସିଦେଲା।
“ମେମ୍ ସାହେବ୍ ତୁମେ ରାସ୍ତାର ଠିକ୍ ପଟରେ ଯିବା କଥା!”
କୁସୁମ ରାଗି ଯାଇଥିଲା। ସେ ବୁଲା ବିକାଳି କଥା ତାକୁ ଆହୁରି ରଗାଇଦେଲା।
“ତୁମେ କ’ଣ ଅନ୍ଧ? ଦେଖିପାରୁ ନାହଁ କୁଆଡ଼େ ଯାଉଛ?” ସେ ଚିତ୍କାର କରି କର୍କଶ ସ୍ୱରରେ କହିଲା।
ବୁଲା ବିକାଳି ଚାରିଆଡ଼କୁ ଚାହିଁଲା। ରାସ୍ତା ଶୂନଶାନ ଥିଲା। ତା’ ସହ ଆହୁରି ଚିଡ଼େଇଲା ଭଳି କହିଲା,
“ନା ମେମ୍ ସାହେବ୍ ମୁଁ ଅନ୍ଧ ନୁହଁ ମୁଁ ଜଣେ କଣା।” ସେ ଗୋଟିଏ ଆଖ ବନ୍ଦକରି ଆର ଆଖିରେ କାମୁକ ଭଳି ଇଙ୍ଗିତକରି ଚୁମା ଦେବା ଭଳି ଶବ୍ଦକଲା।
କୁସୁମର ମୁହଁ ଲାଲ ହୋଇଗଲା। ସେ ବହୁତ ରାଗିଗଲା। ସେ ସାଇକେଲ ଉଠାଇ ତରବର ହୋଇ ଯିବା ବେଳେ ରାଗିଯାଇ ବୁଲା ବିକାଳିକୁ କହିଲା “ଘୁଷୁରି, ଗଧ!”
ବୁଲା ବିକାଳି ଅପମାନିତ ହେଲା ନାହିଁ। ତାକୁ ଯେମିତି ମଜା ଲାଗୁଥିଲା।
ଗଧ! କାମୁକତା ପ୍ରଦର୍ଶନକରି ଆଖି ମିଟିକା ମାରି କହିଲା, “ତୁମେ ଗଧ ଦେଖିଛ?”
ସେ ତା’ର ଗୋଟିଏ ହାତକୁ ଅନ୍ୟ ହାତ କହୁଣୀ ପାଖକୁ ନେଇ ବୁଲାଇଥିଲା। କୁସୁମ ବହୁତ ରାଗିଗଲା। ସେ ଆଗରୁ କାହା ଉପରେ ଏତେ ରାଗିନଥିଲା। ସେ ଘରକୁ ଯାଇ ତା’ କୋଠରିରେ ମୁହଁମାଡ଼ି ଶୋଇଗଲା। ସେ ସେମିତି ମୁହଁ ମାଡ଼ି ତକିଆରେ କେତେଘଣ୍ଟା ପଡ଼ିରହିଲା। ତା’ ରାଗ ଉଭେଇଗଲା, କିନ୍ତୁ ସେ ବଦମାସ ଫଳ ବିକାଳିର ଅଶ୍ଳୀଳ ଇଙ୍ଗିତ ତା’ ମନରୁ ଯାଉନଥାଏ। ତା’ ପୂର୍ବରୁ ଏମିତି ବ୍ୟବହାର ତା’ ପ୍ରତି କେହି ଦେଖାଇ ନଥିଲେ। କ’ଣ ସେ ବୁଲା ବିକାଳିକୁ ସେ ଆକର୍ଷଣୀୟା ଲାଗିଲା?
ସୂର୍ଯ୍ୟ ଅସ୍ତ ହୋଇ ମଳିନ ଚନ୍ଦ୍ରାଲୋକ ପ୍ରବେଶ କରି ସେ ଶୋଇଥିବା ଶେଯକୁ ଆଲୋକିତ କରିଦେଲା। କୁସୁମ ବୁଲା ବିକାଳି କଥା ଭାବୁଥିଲା, କୋମଳତା ଏବଂ ଅନୁତାପର ସହ। ବୋଧ ହୁଏ, ହଁ ବୋଧ ହୁଏ! ସେ ଉଠିପଡ଼ି ଡ୍ରୟାର ଖୋଲିଲା, ଯେଉଁଠି ସେ ଲିପ୍ଷ୍ଟିକ୍ ଏବଂ ରୋଜ୍ ପାଉଡ଼ର ଲୁଚାଇଥିଲା। ସେ ତା’ ଗାଲରେ ପାଉଡ଼ର ଲଗାଇଲା। ନିଜ ଆଡ଼କୁ ଦର୍ପଣ ବୁଲାଇ ଆଣି ଓଠରେ ଲିପ୍ଷ୍ଟିକ୍ ଲଗାଇଲା। ସେ ତା’ କେଶ ଫିଟାଇ ମୁଣ୍ଡକୁ ଝାଙ୍କିଦେଲା ତାକୁ ଖୋଲିଯିବାକୁ। କେଶ ତା’ କାନ୍ଧ ଉପର ଯାଏ ଖୋଲିଗଲା। ସେ ଗୋଟିଏ ଗୋଲାପ କଢ଼ି ନେଇ ନିଜ କେଶରେ ଖୋସିଦେଲା। ସେ ପଛକୁ ଫେରି ତା’ ମୁଣ୍ଡକୁ ଝୁକାଇ ଦେଇ ନିଜକୁ ପ୍ରଶଂସା କରିବାକୁ ଗାଇଲା,
“ଆଇନା ଆଇନା କାନ୍ଥର ଆଇନା
କେ ଅଛି ମୋ’ଠାରୁ ସୁନ୍ଦରୀ କହନା!”
ଗୋଟିଏ ଆକର୍ଷଣୀୟା କଳା ଆଖିଥିବା ଝିଅ ପଛକୁ ଝୁଲୁଥିବା କଳା କେଶ ସୁନ୍ଦର ଦିଶିବା ପାଇଁ ସେଥିରେ ଗୋଲାପ କଢ଼ିଟିଏ ଲଗାଇ ନିଜ ଉପରେ ହସି ଦେଇ କହିଲା, ‘ମୁଁ ଏମିତି କହିବା ଉଚିତ।”
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)