ମୁଁ ଚାହେଁ ଆମର ଭାଷା, ଆମର ସାହିତ୍ୟ ଓ ଆମ ସଂସ୍କୃତି କେବଳ ଭାରତବର୍ଷ ନୁହେଁ, ସମଗ୍ର ବିଶ୍ୱରେ ମଧ୍ୟ ପରିଚିତ ହେଉ।

ଜଣେ ପ୍ରବୀଣ ପ୍ରାବନ୍ଧିକ ତଥା ଓଡ଼ିଆ ଭାଷା ଓ ସାହିତ୍ୟର ଅଗ୍ରଣୀ ଗବେଷକ ଭାବରେ ଉଦୟନାଥ ସାହୁଙ୍କର ବିଶେଷ ପରିଚୟ ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ପ୍ରଫେସର ପଦରୁ ଅବସର ନେବା ପରେ ସେ ଆଠ ବର୍ଷ କାଳ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ସାରଳା ଦାସ ଚେୟାର ପ୍ରଫେସର ଭାବରେ ଅବସ୍ଥାପିତ ଥିଲେ। ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ତାଙ୍କର ଅଧ୍ୟୟନ ଓ ଗବେଷଣା ସୁଗଭୀର। ତାହାଙ୍କୁ ସାକ୍ଷାତ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଶୁଣିଛୁ, ଆପଣ କଲେଜ ଜୀବନରେ ପ୍ରଥମେ ବିଜ୍ଞାନ ଶ୍ରେଣୀର ଛାତ୍ର ଥିଲେ। ଏହା ସତ୍ତ୍ୱେ ପରବର୍ତ୍ତୀ ସମୟରେ ଓଡ଼ିଆ ବିଭାଗରେ ଉପାଧ୍ୟୁତ୍ତର ଅଧ୍ୟୟନ କରିବା ପାଇଁ ଆପଣଙ୍କ ମନରେ କାହିଁକି ଆଗ୍ରହ ଆସିଲା?
ଉଦୟନାଥ ସାହୁ: ପ୍ରଥମେ ପି.ୟୁ ଶ୍ରେଣୀରେ ମୁଁ ବିଜ୍ଞାନର ଛାତ୍ର ଥିଲି। ସେତେବେଳେ ପ୍ରାପ୍ତ ନମ୍ବର ଆଧାରରେ ଇଂଜିନିୟରିଂ କଲେଜରେ ନାମ ଲେଖାଇବାର ସୁବିଧା ଥିଲା, ତେଣୁ ଆର.ଇ.ସି, ରାଉରକେଲାରେ ପ୍ରବେଶ ପାଇଁ ଯୋଗ୍ୟ ହେଲି। କେବଳ ମେଡ଼ିକାଲ୍ ପାଠ ପାଇଁ ପ୍ରବେଶିକା ପରୀକ୍ଷାର ବ୍ୟବସ୍ଥା ଥିଲା। ସେଥିରେ ମଧ୍ୟ ମୁଁ କୃତକାର୍ଯ୍ୟ ହେଲି।
ସାହିତ୍ୟ ଚର୍ଚ୍ଚା: ତେବେ ସେଥିରେ ଯୋଗ ଦେଲେ ନାହିଁ କାହିଁକି?
ଉଦୟନାଥ ସାହୁ: କାରଣ ଯେଉଁଦିନ ମେଡିକାଲ୍ କଲେଜରେ ମୁଁ ଆଡମିଶନ୍ ନେବାର ଥାଏ, ସେତେବେଳକୁ ମୋ’ ମାଆଙ୍କର ଶରୀର ପ୍ରବଳ ଅସୁସ୍ଥ ହେଲା। ତେଣୁ ତାଙ୍କୁ ଛାଡ଼ି ଗଲି ନାହଁ। ଯଦିଓ ମୁଁ ବିଜ୍ଞାନର ଛାତ୍ର ଥିଲି, ସେତେବେଳକୁ ଓଡ଼ିଆରେ ମୋ’ର ଭଲ ନମ୍ବର ଆସୁଥିଲା।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାହେଲେ ଆପଣଙ୍କର ଅନେକ ରୁଚି ରହିଥିଲା!
ଉଦୟନାଥ ସାହୁ: ହଁ। ସେତେବେଳେ ମୋ’ର ଶୁଭେଚ୍ଛୁ ପ୍ରଫେସର ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)ଙ୍କ ପରାମର୍ଶ କ୍ରମେ ମୁଁ ଓଡ଼ିଆ ଅନର୍ସରେ ନାମ ଲେଖାଇଥିଲି।

ସାହିତ୍ୟ ଚର୍ଚ୍ଚା: ସାଧାରଣରେ ଗୋଟିଏ ଭ୍ରମପୂର୍ଣ୍ଣ ଧାରଣା ଅଛି ଯେ ଛାତ୍ରମାନଙ୍କୁ ଆଉ କୌଣସି ବିଷୟରେ ପଢ଼ିବା ପାଇଁ ସିଟ୍ ନ ମିଳିଲେ ସେମାନେ ଶେଷକୁ ବାଧ୍ୟ ହୋଇ ଓଡ଼ିଆ ବିଭାଗରେ ନାମ ଲେଖାନ୍ତି। ଆପଣଙ୍କ ପାଖରେ ଏତେ କିଛି ବିକଳ୍ପ ଥାଇ ମଧ୍ୟ ଆପଣ ତ ଓଡ଼ିଆ ବିଷୟକୁ ବାଛିଲେ।
ଉଦୟନାଥ ସାହୁ: ଓଡ଼ିଆ ବିଭାଗ ବିଷୟରେ ଏହି ଯେଉଁ ଧାରଣା, ତାହାକୁ ମୁଁ ଗ୍ରହଣ କରେନାହିଁ। ଆମ ସମାଜର ଅନେକ ବିଶିଷ୍ଟ ବ୍ୟକ୍ତି ସ୍ୱତଃପ୍ରବୃତ୍ତ ଭାବରେ ଓଡ଼ିଆ ବିଷୟକୁ ବାଛି ନେଇ ଜୀବନରେ ସଫଳତା ଅର୍ଜନ କରିଥିବା କଥା ମୁଁ ଜାଣେ। ଯେମିତି ଆପଣ ଖାରବେଳ ସ୍ୱାଇଁଙ୍କ କଥା ଦେଖନ୍ତୁ; ସେ ତ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ମଧ୍ୟ ଓଡ଼ିଆକୁ ଏକ ଇଚ୍ଛାଧୀନ ବିଷୟ ଭାବରେ ନେଇ ସଫଳ ହୋଇଥିଲେ। ଏହିଭଳି ଅନେକ ଉଦାହରଣ ପାଇବା ଆମେ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଆପଣ ଜଣେ ଅଗ୍ରଣୀ ପ୍ରତିଭାଧର। କିନ୍ତୁ ଗଳ୍ପ କିମ୍ବା କବିତା ଭଳି ସାହିତ୍ୟର ଅନ୍ୟ ସର୍ଜନଶୀଳ ‘ଜନ୍ର’ ପ୍ରତି ଆପଣ ବେଶି ଆଗ୍ରହ ଦେଖାଇ ନାହାନ୍ତି କାହିଁକି?
ଉଦୟନାଥ ସାହୁ: ସ୍କୁଲ୍ରେ ପଢ଼ୁଥିବାବେଳେ ପ୍ରଥମେ ଅବଶ୍ୟ ମୁଁ ଯାହା ଲେଖିଥିଲି ତାହା ଥିଲା ଗୋଟିଏ କବିତା।
ସାହିତ୍ୟ ଚର୍ଚ୍ଚା: ଆମ ଭାଷାର ପ୍ରାୟ ସମସ୍ତ ସାହିତ୍ୟିକ ସ୍କୁଲ୍ ଜୀବନରେ ଲେଖିଥିବା କିଛି କବିତାରୁ ହିଁ ସାହିତ୍ୟର ପ୍ରଥମ ପୁଲକ ପାଇଥାଆନ୍ତି। କିନ୍ତୁ ସାହିତ୍ୟର ମୁଖ୍ୟ ଧାରାକୁ ଆସିବା ପରେ ଆପଣ ଗଳ୍ପ ଆଉ କବିତା ଲେଖି ନାହାନ୍ତି।
ଉଦୟନାଥ ସାହୁ: ଅବଶ୍ୟ ସତ; କିନ୍ତୁ କବିତା ଲେଖିନାହିଁ ସିନା, କବିତା ଉପରେ ଆଲୋଚନା ଓ ଗବେଷଣା ସହିତ ସଂପୃକ୍ତ ଥିଲି; ବିଶେଷତଃ ଦୀର୍ଘ କବିତା ସହିତ।
ସାହିତ୍ୟ ଚର୍ଚ୍ଚା: ହଁ, ଓଡ଼ିଆ ଭାଷାର ଦୀର୍ଘ କବିତା ସମ୍ପର୍କରେ ଆପଣ ଗୋଟିଏ ପ୍ରାମାଣିକ ପୁସ୍ତକ ଲେଖିଛନ୍ତି। ଏ ଦୃଷ୍ଟିରୁ ଆପଣଙ୍କୁ ଜଣେ ପ୍ରବୀଣ କାବ୍ୟ ସମାଲୋଚକ ବୋଲି କୁହାଯିବ।
ଉଦୟନାଥ ସାହୁ: ଗବେଷଣାତ୍ମକ ପ୍ରବନ୍ଧ ଓ ସମାଲୋଚନାକୁ ମୁଁ ଅଧିକ ପ୍ରାଧାନ୍ୟ ଦେଇଛି।
ସାହିତ୍ୟ ଚର୍ଚ୍ଚା: ଆପଣ ଫକୀରମୋହନଙ୍କ ଗଳ୍ପସାହିତ୍ୟ ଉପରେ ମଧ୍ୟ ଉଚ୍ଚକୋଟୀର ସମାଲୋଚନା ପୁସ୍ତକ ଲେଖିଛନ୍ତି। କିନ୍ତୁ ନିଜେ କୌଣସି ଗଳ୍ପ ଲେଖିନାହାନ୍ତି କେବେ।
ଉଦୟନାଥ ସାହୁ: ଗଳ୍ପ ମୁଁ ଲେଖିପାରି ନାହିଁ କେବେ। ଅବଶ୍ୟ ଥରେ ‘ବିଦଗ୍ଧ ବସନ୍ତ’ ବୋଲି ଗପଟିଏ ଲେଖିଥିଲି।
ସାହିତ୍ୟ ଚର୍ଚ୍ଚା: ଆପଣ ଏବେ ‘ବିଦଗ୍ଧ ବସନ୍ତ’ ବୋଲି କହିବାରୁ ଗୋଟିଏ ଶୁଣା କଥା ହଠାତ୍ ଆମର ମନେ ପଡ଼ିଗଲା; ଆପଣ ଏହି ନାମରେ ବାଣୀବିହାରରେ ନିଜର ଛାତ୍ର ଜୀବନର ଗୋଟିଏ ଘଟଣାକୁ ଆଧାର କରି ଗପଟିଏ ଲେଖିଥିଲେ। ନିଜର କିଛି ସହପାଠୀ ଓ ସହପାଠିନୀଙ୍କ ମଧ୍ୟରେ ଚାଲିଥିବା ଏକ ବାସ୍ତବ ପ୍ରେମ ପ୍ରକରଣକୁ ଆପଣ ଯଥାବତ୍ ସେଇ ଗଳ୍ପରେ ଥୋଇଦେଇଥିଲେ।
ଉଦୟନାଥ ସାହୁ: ସେଥିର କେନ୍ଦ୍ରବିନ୍ଦୁରେ ଥିଲେ ଦୁଇଟି ପୁଅ ଓ ଦୁଇଟି ଝିଅ। ତା’ପରେ ସେହି ଘଟଣା ଅବଶ୍ୟ ଗୋଟିଏ ତ୍ରିଭୁଜ ହୋଇଗଲା- ଅର୍ଥାତ୍ ଦୁଇ ଝିଅ, ଗୋଟିଏ ପୁଅ। ସେଥିମଧ୍ୟରୁ ଜଣେ ହତାଶ ହୋଇ ବାଣୀବିହାରରୁ ଚାଲିଗଲା। ସେ ଏତେ ବିଦଗ୍ଧ ହୋଇଗଲା ଯେ ତାହା ମୋ’ ମନକୁ ବହୁତ ଛୁଇଁଥିଲା।
ସାହିତ୍ୟ ଚର୍ଚ୍ଚା: ଆପଣ ତ ବାଣୀବିହାରରେ ୧୯୭୬-୭୮ ବ୍ୟାଚ୍ ଓଡ଼ିଆ ଏମ୍.ଏ’ର ଛାତ୍ର ଥିଲେ। ଏହି ଗଳ୍ପଟି ପ୍ରକାଶ ପାଇବା ପରେ ଆପଣଙ୍କ ଶ୍ରେଣୀର ସମସ୍ତେ ସହଜରେ ଅନୁମାନ କରିନେଇଥିବେ ଯେ ଆପଣ ଗୋଟିଏ ଜଣା କଥାକୁ ନେଇ ଗପ ଲେଖିଛନ୍ତି।
ଉଦୟନାଥ ସାହୁ: ସେଇଟା କିନ୍ତୁ ମୁଁ ଛାତ୍ର ଥିବା ବେଳେ ଲେଖିନଥିଲି। ପଢ଼ା ଶେଷ ହେବା ପରେ ଯେତେବେଳେ ଅଧ୍ୟାପକ ଜୀବନ ଆରମ୍ଭ କଲି ଭବାନୀପାଟଣାରେ, ସେତିକିବେଳେ ଗପଟି ଲେଖିଲି। ଏହା ପଢ଼ି ସାଙ୍ଗମାନେ ଜାଣିପାରିଲେ, ଏହା କାହା ଉପରେ ଆଧାରିତ। ସେହି ଚାରିଜଣ ଚରିତ୍ରଙ୍କ ମଧ୍ୟରୁ ଏବେ ବଞ୍ଚିଛନ୍ତି ତିନିଜଣ। ମୁଁ ଦିନେ ଥିଲି ସେମାନଙ୍କର ମଧ୍ୟସ୍ଥି। ମାନେ, ଯେତେବେଳେ ସେମାନଙ୍କ ମଧ୍ୟରେ କଳହଟା ଲାଗେ, ମୁଁ ହିଁ ତା’କୁ ତୁଟେଇଦିଏ।
ସାହିତ୍ୟ ଚର୍ଚ୍ଚା: ସାରଳା ଦାସ ଚେୟାରରେ ଆପଣଙ୍କର ଆଠ ବର୍ଷର କାର୍ଯ୍ୟକାଳ ଭିତରେ ଉଲ୍ଲେଖନୀୟ କାର୍ଯ୍ୟଗୁଡ଼ିକ କ’ଣ ଥିଲା, ବୋଲି ଆପଣ ଭାବନ୍ତି?
ଉଦୟନାଥ ସାହୁ: ପ୍ରଥମତଃ ମୁଁ ଚାହୁଁଥିଲି ଯେ ଆମର ଭାଷା, ଆମର ସାହିତ୍ୟ ଓ ଆମ ସଂସ୍କୃତି କେବଳ ଭାରତବର୍ଷ ନୁହେଁ, ସମଗ୍ର ବିଶ୍ୱରେ ମଧ୍ୟ ପରିଚିତ ହେଉ। ସେଥିପାଇଁ ଆମର ଯେଉଁ ସେମିନାରଗୁଡ଼ିକ କରାଯାଉଥିଲା, ତାହା ଇଂରାଜୀ ବା ହିନ୍ଦୀ ଭାଷା ମାଧ୍ୟମରେ ହେଉଥିଲା। କାରଣ ସେଥିରେ ଅଣଓଡ଼ିଆ ବିଦ୍ୱାନ ଓ ପ୍ରତିଭାଗୀମାନେ ଯୋଗଦେଉଥିଲେ। କେବଳ ସାରଳା ଦାସ ନୁହନ୍ତି, ଆମେ ଫକୀର ମୋହନଙ୍କ ଉପରେ ସେମିନାର କରିଛୁ, ଗଙ୍ଗାଧର ମେହେରଙ୍କ ଉପରେ ମଧ୍ୟ କରିଛୁ ଏବଂ ତାଙ୍କର କୃତିଗୁଡ଼ିକୁ ହିନ୍ଦୀରେ ଅନୁବାଦ ମଧ୍ୟ କରିଛୁ। ସେହିପରି ସାରଳା ଦାସଙ୍କର ଯେତେଗୁଡ଼ିଏ ବହି ଅଛି, ଯଥା: ବିଚିତ୍ର ରାମାୟଣ ଓ ଚଣ୍ଡୀ ପୁରାଣ ଆଦି – ସେଗୁଡ଼ିକୁ ଇଂରାଜୀରେ ଅନୁବାଦ ମଧ୍ୟ କରାଯାଇଛି।
ସାହିତ୍ୟ ଚର୍ଚ୍ଚା: ବିଭିନ୍ନ ସେମିନାର ଓ ପୁସ୍ତକ ପ୍ରକାଶନ ବ୍ୟତୀତ ଆମେ ଲକ୍ଷ୍ୟ କରିଛୁ ଯେ ସାରଳା ଦାସଙ୍କ ସମ୍ପର୍କରେ ଗବେଷଣାକୁ ଭାରତ ବାହାରକୁ ନେବାରେ ମଧ୍ୟ ଆପଣଙ୍କର ଅବଦାନ ଅଛି।
ଉଦୟନାଥ ସାହୁ: ହଁ, ସେଭଳି କିଛି ଭୂମିକା ତୁଲାଇବାର ସୁଯୋଗ ମଧ୍ୟ ମୋତେ ମିଳିଛି।
ସାହିତ୍ୟ ଚର୍ଚ୍ଚା: ଆପଣ ତ ସାରଳା ଦାସଙ୍କ ବିଷୟରେ ବ୍ୟାପକ ଭାବରେ ଅଧ୍ୟୟନ ଓ ଗବେଷଣା କରିଛନ୍ତି। ତାହା ସତ୍ତ୍ୱେ ତାଙ୍କ ସାହିତ୍ୟ ସମୂହର ଆଉ କିଛି ଦିଗର ପରିଚର୍ଚ୍ଚା କରିବା ବାକି ରହିଗଲା କି?
ଉଦୟନାଥ ସାହୁ: ସାରଳା ଦାସଙ୍କ ପ୍ରତିଭା ଅପରିସୀମ। ସେ କହିଛନ୍ତି ଯେ ‘ମୁଁ ମୂର୍ଖ, ମୁଁ ଅପଣ୍ଡିତ, ମୁଁ ଶାସ୍ତ୍ରଜ୍ଞାନ ବର୍ଜିତ।’ କିନ୍ତୁ ତାଙ୍କର ମହାଭାରତ, ବା ତାଙ୍କର ପୁରାଣଗୁଡ଼ିକୁ ଅନୁଧ୍ୟାନ କଲେ ଜଣାପଡ଼ିବ ଯେ ସେ ମୂର୍ଖ, ବା ଅପଣ୍ଡିତ ବା ଶାସ୍ତ୍ରଜ୍ଞାନ ବର୍ଜିତ ମୋଟେ ନଥିଲେ। ବରଂ ସେ ଅନେକ ଶାସ୍ତ୍ରରେ ପ୍ରବୀଣ ଥିଲେ। ଏଣୁ ତାଙ୍କର ସାମଗ୍ରିକ ଅବଦାନର କିଛି ଅଂଶ ଯଦି ଏବେ ବି ଅନାଲୋଚିତ ହୋଇ ରହିଯାଇଛି, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ପୁସ୍ତକ ‘ସାରଳା ମହାଭାରତ ସୃଷ୍ଟିର ଭୂମି ପର୍ବ’ରେ ଆପଣ ପ୍ରତିପାଦନ କରିଛନ୍ତି ଯେ ଯୋଗ, ତନ୍ତ୍ର, ଜ୍ୟୋତିଷ, ଆୟୁର୍ବେଦ, କାମଶାସ୍ତ୍ର, ସଙ୍ଗୀତଶାସ୍ତ୍ର, ଗୋଶାସ୍ତ୍ର ଆଦି ଅନେକ ଦିଗରେ ମଧ୍ୟ ତାଙ୍କର ସୁଗଭୀର ଜ୍ଞାନ ଥିଲା।
ଉଦୟନାଥ ସାହୁ: ମୁଁ ସେଇଆ ହିଁ କହିବାକୁ ଚାହିଁଛି, ଯଦି ତାଙ୍କର ଏତେ ସବୁ ଜ୍ଞାନ ଅଛି, ତେବେ ସେ ଅପାଠୁଆ ବା ହେଲେ କେମିତି!
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଗୋଟିଏ ଚର୍ଚ୍ଚିତ ବହି ହେଉଛି, ‘ପୂର୍ବ ଭାରତୀୟ ଭାଗବତ ପରମ୍ପରା’। ଆପଣଙ୍କୁ ତ ମୁଖ୍ୟତଃ ସାରଳା ସାହିତ୍ୟର ଜଣେ ବିଶେଷଜ୍ଞ ଭାବରେ ପରିଗଣନା କରାଯାଏ। ତେବେ ଭାଗବତ ଉପରେ ମଧ୍ୟ ଆପଣଙ୍କର ଦୃଷ୍ଟି କେମିତି ପଡ଼ିଲା?
ଉଦୟନାଥ ସାହୁ: ଯେତେବେଳେ ମୁଁ ଏମ୍.ଏ. ଶ୍ରେଣୀର ଛାତ୍ର ଥିଲି, ଆମର ପ୍ରଫେସର କୃଷ୍ଣ ଚରଣ ସାହୁ ଭାଗବତର ଏକ ପ୍ରାମାଣିକ ଓ ଶୁଦ୍ଧ ପାଠ ପ୍ରସ୍ତୁତ କରିବା ପାଇଁ ଆମ କେତେଜଣଙ୍କୁ ନିଯୁକ୍ତ କରିଥିଲେ। ତାଙ୍କଠାରୁ ମୁଁ ଶିଖିଥିଲି ପୋଥି ସମ୍ପାଦନାର କଳା।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣଙ୍କ ମନରେ ଭାଗବତ ପୋଥି ଅଧ୍ୟୟନ କରିବାର ମୂଳ ମଞ୍ଜି ସିଏ ହିଁ ବୁଣିଥିଲେ। ଆପଣ ଆମର ଭାଗବତକୁ ଅନ୍ୟ ଭାଷାର ଭାଗବତ ସହିତ ଯୋଡ଼ି ଏକ ତୁଳନାତ୍ମକ ଅଧ୍ୟୟନ ମଧ୍ୟ କରିଛନ୍ତି।
ଉଦୟନାଥ ସାହୁ: ଯେଉଁ ତିନୋଟି ଭାଷାର ଭାଗବତ ମଧ୍ୟରେ ମୁଁ ତୁଳନା କରିଛି ସେଗୁଡ଼ିକ ହେଲା ଓଡ଼ିଆ, ବଙ୍ଗଳା ଓ ଅସମୀୟା। ଆମ ଓଡ଼ିଆରେ ଜଗନ୍ନାଥ ଦାସ ଭାଗବତ ରଚନା କଲେ; ଅସମୀୟାରେ କଲେ ଶଙ୍କର ଦେବ ଏବଂ ବଙ୍ଗଳାରେ ସନାତନ ଚକ୍ରବର୍ତ୍ତୀ। ଏଗୁଡ଼ିକ ମଧ୍ୟରେ ଜଗନ୍ନାଥ ଦାସଙ୍କର ଭାଗବତର ସ୍ଥାନ ସ୍ୱତନ୍ତ୍ର।

ସାହିତ୍ୟ ଚର୍ଚ୍ଚା: ଜଗନ୍ନାଥ ଦାସଙ୍କ ଭାଗବତକୁ ଅନ୍ୟମାନେ ଅନୁସରଣ କରିଥିବାର କିଛି ପ୍ରମାଣ ମିଳେ କି?
ଉଦୟନାଥ ସାହୁ: ଜଗନ୍ନାଥ ଦାସ ଭାଗବତ ଲେଖିଲେ ୧୬ଶ ଶତାବ୍ଦୀରେ। ବଙ୍ଗଳାରେ ଏହା ଲେଖାଗଲା ୧୭ଶ ଶତାବ୍ଦୀରେ ସନାତନ ଚକ୍ରବର୍ତ୍ତୀଙ୍କ ଦ୍ୱାରା। ସେ ଆମ ଜଗନ୍ନାଥ ଦାସଙ୍କୁ ଅନୁସରଣ କରିଥିବା କଥା ନିଜ ପୋଥିରେ ସ୍ୱୟଂ ସ୍ୱୀକାର କରିଛନ୍ତି। ଏଠାରେ ଆପଣ ଶୁଣନ୍ତୁ ସେ କ’ଣ କହିଛନ୍ତି। (ଗୋଟିଏ ବହି ଖୋଲି ସେଥିରେ ଥିବା ବଙ୍ଗଳା ଭାଗବତର ଏହି ଉଦ୍ଧୃତି ପଢ଼ିଲେ:)
“ଶୁନ ଶୁନ ଶ୍ରୋତା ଗନ୍ କରି ନିବେଦନ୍
ପ୍ରଥମ ହଇତେ ଗ୍ରନ୍ଥ ଲେଖିଲୁ ଆପନ
ଦଶମେର ଶେଷ ଖଣ୍ଡ ଭାଖା ନ ପାଇଲ
ଅନେକ ତ ପଶି ଗ୍ରାମେ ଗ୍ରାମେ ବେତାଇଲ
ଏ ହେତୁ ଉତ୍କଳ ଭାଷା କରିଲ ଲିଖନ୍
ଜଗନ୍ନାଥ ଦାସ କୃତ ଅପୂର୍ବ ବର୍ଣ୍ଣନ୍
ଗ୍ରନ୍ଥ ସମାପନ୍ ହେତୁ ଉତ୍କଣ୍ଠା ହଇୟା
ବଙ୍ଗଜ ଭାଷାୟ ଉତ୍କଳ ମିଶାଇୟା।“
ସାହିତ୍ୟ ଚର୍ଚ୍ଚା: ଏଥିରୁ ଆମେ ଯାହା ଅନୁମାନ କରୁଛୁ, ଜଗନ୍ନାଥ ଦାସଙ୍କ ଭାଗବତଟିକୁ ପଢ଼ିବା ପାଇଁ ତାଙ୍କୁ ତ ପ୍ରଥମେ ଓଡ଼ିଆ ଭାଷା ଶିଖିବାକୁ ପଡ଼ିଥିବ।
ଉଦୟନାଥ ସାହୁ: ସେ ଥିଲେ ମେଦିନୀପୁର ଅଞ୍ଚଳର ବାସିନ୍ଦା; ତେଣୁ ତାଙ୍କର ଓଡ଼ିଆ ଭାଷାର କିଛି ଜ୍ଞାନ ରହିଥିବା ସ୍ୱାଭାବିକ।
ସାହିତ୍ୟ ଚର୍ଚ୍ଚା: ବିଦେଶରେ, ବିଶେଷତଃ ଜାପାନ, ଚୀନ ଓ ଜାଭା ଆଦି ସ୍ଥାନରେ ସାରଳା ମହାଭାରତର ଆଦର ଓ ଗବେଷଣାକୁ ଲୋକଲୋଚନକୁ ଆଣି ମଧ୍ୟ ଆପଣ ଚର୍ଚ୍ଚାକୁ ଆସିଛନ୍ତି। ତେବେ ପୂର୍ବରୁ ଓଡ଼ିଶାର ଗବେଷକମାନଙ୍କର ଏଥିପ୍ରତି ଦୃଷ୍ଟି ପଡ଼ିନଥିଲା କାହିଁକି?
ଉଦୟନାଥ ସାହୁ: କାରଣ ଆମେ ପ୍ରାଚୀନ ସାହିତ୍ୟକୁ ପୂରାପୁରି ଭୁଲିଯାଉଛେ; ମଧ୍ୟଯୁଗୀୟ ସାହିତ୍ୟକୁ ମଧ୍ୟ ପ୍ରାୟ ଭୁଲିଯାଉଛେ। ଯଦି ଆମେ ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ ଅଚ୍ୟୁତାନନ୍ଦଙ୍କ ହରିବଂଶ ଓ ବଳରାମ ଦାସଙ୍କ ଜଗମୋହନ ରାମାୟଣକୁ ଭୁଲିଯିବା; ଏମାନଙ୍କୁ ଛାଡ଼ି ଓଡ଼ିଆ ଭାଷା କେବେହେଲେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଁ ପାରିଥାଆନ୍ତା କି!
ସାହିତ୍ୟ ଚର୍ଚ୍ଚା: ଏଗୁଡ଼ିକୁ ନେଇ ବିଦେଶରେ ଗବେଷଣା ହେଉଥିବା କଥା ଆପଣ କେତେବେଳେ ଜାଣିଲେ?
ଉଦୟନାଥ ସାହୁ: ୨୦୧୨ ମସିହାରେ ମୁଁ ଯେତେବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିଲି, ସେତେବେଳେ ଜାଣିବାକୁ ପାଇଲି ଯେ ପୂର୍ବରୁ ଜାପାନରେ ସାରଳା ମହାଭାରତର ପୋଥିଟି ସଂଗୃହୀତ ହୋଇରହିଛି। ମୁଁ ମୋ’ର ପ୍ରବନ୍ଧରେ ଲେଖିଛି, ସେଠାରେ କେଉଁ ବୌଦ୍ଧ ମନ୍ଦିରରେ ପୋଥିଟି ପୂଜା ପାଉଥିଲା। ସେତେବେଳେ ସାରଳା ମହାଭାରତ ସମ୍ପର୍କିତ ମୋ’ର କିଛି ଇଂରାଜୀ ପ୍ରବନ୍ଧ ମଧ୍ୟ ‘ଓଡ଼ିଶା ରିଭ୍ୟୁ’ରେ ପ୍ରକାଶିତ ହୋଇଥିଲା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ସେହି ଲେଖା ବିଦେଶୀ ଗବେଷକମାନଙ୍କ ଦୃଷ୍ଟିକୁ ଆସିଥାଇପାରେ।
ଉଦୟନାଥ ସାହୁ: ହଁ, ଯେତେବେଳେ ସେମାନେ ସାରଳା ସାହିତ୍ୟ ଉପରେ ଗବେଷଣାତ୍ମକ ପ୍ରବନ୍ଧ ଖୋଜିଛନ୍ତି, ଏହା ସେମାନଙ୍କର ଦୃଷ୍ଟିକୁ ଆସିଛି। ସେତେବେଳେ ଜାପାନରେ ସେମାନେ ଯେଉଁ ପୋଥିଟିକୁ ପାଇଥିଲେ, ସେଥିରେ କ’ଣ ଲେଖାଅଛି ଜାଣିପାରିନଥିଲେ। ତେଣୁ ମୋ’ ସହିତ ସମ୍ପର୍କ ସ୍ଥାପନ କରି ଏ ବିଷୟରେ ଆଲୋଚନା କରିଥିଲେ।
ସାହିତ୍ୟ ଚର୍ଚ୍ଚା: ଜାପାନ ବ୍ୟତୀତ ଚୀନରେ ମଧ୍ୟ ସାରଳା ମହାଭାରତର ପୋଥି ପାଇଥିବା କଥା ଆପଣ ‘ସାହିତ୍ୟ ଚର୍ଚ୍ଚା’ରେ ଗତ ମାସରେ ପ୍ରକାଶ ପାଇଥିବା ନିଜର ଏକ ପ୍ରବନ୍ଧରେ ଲେଖିଛନ୍ତି।
ଉଦୟନାଥ ସାହୁ: ଜାପାନର ସେହି ଗବେଷକମାନଙ୍କଠାରୁ ମୁଁ ଖବର ପାଇଥିଲି ଯେ ଚୀନରେ ମଧ୍ୟ ଆମ ପ୍ରାଚୀନ ସାହିତ୍ୟର ଏକ ହଜାର ଖଣ୍ଡରୁ ଅଧିକ ତାଳପତ୍ର ପୋଥି ସଂରକ୍ଷିତ ହୋଇ ରହିଛି।
ସାହିତ୍ୟ ଚର୍ଚ୍ଚା: ଏବେ ଆପଣଙ୍କର ପରବର୍ତ୍ତୀ ଯୋଜନାଟି କ’ଣ?
ଉଦୟନାଥ ସାହୁ: ମୁଁ ବର୍ତ୍ତମାନ ସାରଳା ମହାଭାରତର ଏକ ନାମାଙ୍କନ କ୍ରମଣିକା ଆଉ ମ୍ୟାପିଙ୍ଗ୍ ଉପରେ କାର୍ଯ୍ୟ କରୁଛି।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ସାହିତ୍ୟର ଗବେଷଣା ପ୍ରତି ଆପଣଙ୍କର ଏହି ଯେ ଅବଦାନ, ତାହା ଆହୁରି ଜାରିରହୁ। ଆଜିର ସାର୍ଥକ ଆଲୋଚନାଟି ପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ, ୨୦୨୬ ସଂଖ୍ୟାରେ ପ୍ରକାଶିତ।)