ମତ ଓ ଅମତ

ସାଧାରଣତଃ ମତାମତ ଶବ୍ଦଟିକୁ ଆମେ ଏତେ ସହଜ ଭାବରେ ବ୍ୟବହାର କରିପକାଉ ଯେ ଏହାର ଗଭୀରତାକୁ ଯିବା ପାଇଁ ଆମର ତର ନ ଥାଏ। ବିଶେଷ କରି ଏହାର ଘନଘନ ପ୍ରୟୋଗ ଦେଖିବାକୁ ମିଳେ ଆମର ସାହିତ୍ୟ ଜଗତରେ। କୌଣସି ଗୋଟିଏ କବିତା ବା ଗଳ୍ପ ଲେଖି ଫେସବୁକ୍‌ରେ ପୋଷ୍ଟ କରିବା ଅନ୍ତେ, ଅବା ପତ୍ରପତ୍ରିକାରେ ତାହା ପ୍ରକାଶିତ ହୁଅନ୍ତେ ଆମେ ସଙ୍ଗେସଙ୍ଗେ ନିଜର ବନ୍ଧୁ, ସହୋଦର କି ଜ୍ଞାତି, କୁଟୁମ୍ବଙ୍କୁ ଫୋନ୍‌ରେ ସମ୍ପର୍କ ସ୍ଥାପି ଅନୁରୋଧଟିଏ କରୁ, “ମୋର ଅମୁକ ଲେଖା ସମୁକଠେଇଁ ବାହାରିଛି। ସେଇଟିକୁ ପଢ଼ି ଟିକିଏ ମତାମତ ଦିଅନ୍ତ ନାଇଁ!’ ଏମିତି ଏକ ଅନୁରୋଧର ଦାୟରେ ହେଉ, ଅବା ବନ୍ଧୁତାର ଖାତିରରେ, କି କୌଣସି ପଦସ୍ଥ ଅନୁଗ୍ରହକାରୀଙ୍କୁ ତୁଷ୍ଟ କରିବା ପାଇଁ, ଆମ ମଧ୍ୟରୁ ଅନେକେ ସେହି ଲେଖାଟିକୁ ପଢ଼ି ହେଉ, ଅବା ମୋଟେ ନ ପଢ଼ି ମଧ୍ୟ, ତାହାର ଭୂରିଭୂରି ପ୍ରଶଂସା କରିପକାଉଁ। ଅନ୍ତତଃ ଏତକ କରିବା ପାଇଁ ସମୟ କି ଧୈର୍ଯ୍ୟ ନ ଥିଲେ ‘ଚମତ୍କାର’, ‘ବାଃ’, ‘ସୁନ୍ଦର’ ବା ସେମିତି ଆଉ କିଛି ପ୍ରଶଂସାସୂଚକ ଶବ୍ଦର ଚାତୁର୍ଯ୍ୟପୂର୍ଣ୍ଣ ପ୍ରୟୋଗ କରି ସେହି ଲେଖକଙ୍କ ପ୍ରତି ନିଜର କର୍ତ୍ତବ୍ୟ ସାରିଦେଉ। ସେତକ ବି ନ କରିପାରିଲେ ନିଜ ଅଙ୍ଗୁଳି ଟିପର ପ୍ରୟୋଗରେ ଅଯାଚିତ ଭାବରେ ‘ଲାଇକ୍‌’ ବା ‘ସ୍ମାଇଲ୍‌’ ସୂଚକ ଇମୋଜିଟିଏ ଛାଡ଼ିଦେଇ ଆମେ ଦାୟିତ୍ୱ ମୁକ୍ତ ହେଉ।
କିନ୍ତୁ ଆମର ପାଠକକୁଳ ଭୁଲିଯାଆନ୍ତି ଯେ କୌଣସି ସାରସ୍ୱତ ରଚନା ଉପରେ ମତାମତ ଦେବା ମୋଟେ ଏତେ ସହଜସାଧ୍ୟ କାର୍ଯ୍ୟ ନୁହେଁ। ‘ମତାମତ’ ଦୁଇଟି ଶବ୍ଦର ସଂଯୋଗରେ ଗଠିତ: ମତ ଓ ଅମତ। ଲେଖାଟିଏ ପ୍ରତି ଏକ ଅନୁକୂଳ ମତ ଦେବା ହୁଏତ ହୋଇପାରେ ଏକ ସୁଖଦ କାର୍ଯ୍ୟ ଉଭୟ ମତଦାତା ଓ ଲେଖକଙ୍କ ପାଇଁ; କିନ୍ତୁ ଆବଶ୍ୟକ ସ୍ଥଳେ ନିଃସଂକୋଚରେ ପ୍ରତିକୂଳ ମତଟିଏ ଦିଆଯିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ଅପ୍ରୀତିକର କାର୍ଯ୍ୟଟି କରିବା ପାଇଁ କେତେଜଣ ପାଠକ ଅବା ପ୍ରସ୍ତୁତ?
ଆମେ ଯାହାକୁ ମତାମତ ବୋଲି କହୁ, ଇଂରାଜୀରେ ତାହାକୁ ‘ଫିଡ୍‌ବ୍ୟାକ୍‌’ ବୋଲି କୁହାଯାଏ। ଏକ ସାହିତ୍ୟିକ ସନ୍ଦର୍ଭରେ ଏହାର ଆଭିଧାନିକ ଅର୍ଥ ହେଲା, ପାଠକଙ୍କ ଦ୍ୱାରା କୌଣସି ରଚନାର ଆଶୁ ମୂଲ୍ୟାୟନ। ଏହି ମୂଲ୍ୟାୟନଜନିତ କର୍ତ୍ତବ୍ୟଟି ପାଳନ କରିବା ବେଳେ ଜଣେ ପାଠକଠାରୁ ପୂର୍ଣ୍ଣ ସଚ୍ଚୋଟତା ଆଶା କରାଯାଏ। ଏକ ନିଷ୍ଠାପର ପାଠକୀୟ ମତାମତ ଜଣେ ଲେଖକ ଓ ପାଠକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସେତୁର ଭୂମିକା ତୁଲାଇଥାଏ। ପାଶ୍ଚାତ୍ୟ ସାହିତ୍ୟରେ ‘ରିଡର୍ସ୍ ରେସପନ୍‌ସ୍ ଥିଓରୀ’ ବୋଲି ତତ୍ତ୍ୱଟିଏ ଅଛି, ଯେଉଁଥିରେ କୁହାଯାଇଛି ଯେ ଲେଖକ ଯାହା ଭାବି ବା ନିଜର ଯେଉଁ ଭାବର ପରିପ୍ରକାଶ ପାଇଁ ରଚନାଟିଏ ଲେଖିଥାଏ, ତାହାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେଲା ଜଣେ ପାଠକ ଲେଖାଟି ପଢ଼ି ସେହି ଭାବନାଟିକୁ କେଉଁ ପ୍ରକାରେ ବୁଝିଥାଏ!
ପାଠକଙ୍କଠାରୁ ପ୍ରତିକୂଳ ମନ୍ତବ୍ୟଟିଏ ପାଇଲେ ଜଣେ ଲେଖକ ବିବ୍ରତ ବା ନିରୁତ୍ସାହିତ ନ ହୋଇ ବରଂ ଏହାକୁ ନିଜ ଲେଖକୀୟ ଯାତ୍ରାପଥର ଏକ ହିତକାରୀ ମାର୍ଗଦର୍ଶକ ଭାବରେ ସ୍ୱୀକାର କରିନେବା ଉଚିତ। ଏହି ବିଷୟରେ ନିଜର ମତ ରଖି ଜଣେ ଆମେରିକୀୟ ଗବେଷିକା ବ୍ରେନେ ବ୍ରାଉନ୍ ଠାଏ କହିଛନ୍ତି ଯେ ଆମେ ଯଦି ପାଠକଙ୍କ ମତାମତ (ଫିଡ୍‌ବ୍ୟାକ୍‌) କବଳରୁ ନିଜକୁ ସୁରକ୍ଷିତ ଦୂରତାରେ ରଖିବା ତେବେ ଆମ ଲେଖକୀୟ ଜୀବନର ବିକାଶ ବାଧାପ୍ରାପ୍ତ ହେବ। ତେବେ କଥା ହେଲା, ପାଠକଙ୍କର ମତାମତକୁ ନିଜର ଉତ୍ତରୋତ୍ତର ବିକାଶର ସାଧନ ଭାବରେ ଗ୍ରହଣ କରିବା ପାଇଁ ଆଜିକାଲି କେତେଜଣ ଲେଖକ ଅବା ଖୋଲା ହୃଦୟରେ ପ୍ରସ୍ତୁତ?

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ, ୨୦୨୬  ସଂଖ୍ୟାରେ ପ୍ରକାଶିତ।)

Leave a Reply

Your email address will not be published. Required fields are marked *