ଅପରେସନ୍ ‘ଳ’

ରଥ ଯାତ୍ରା ପାଇଁ କିଏ କେମନ୍ତେ ନିଜ ଜିନିଷ ବନ୍ଧା ଛନ୍ଦା ଦେଇ, ଦିଅଁ ଦର୍ଶନକୁ ପୁରୀରେ ଭିଡ଼ ଜମାନ୍ତି।

ଅଜୟ କୁମାର ମିଶ୍ର

ଅଘଟ ଘଟୁଆ, ଅଧଘଟ ଘଟୁଆ ଉଭୟ ମିଶି ତାମ୍ପେଡ଼ା ପୁଲିସ୍‌, ଠାଉଆ ଚୋରକୁ ଜେରାକଲା ପ୍ରକାରେ ଘଟଘଟୁଆକୁ ଫୁଲ୍ ଜେରାକଲେ। ତଥାପି ଠୋସ୍ ପ୍ରମାଣ ଆଦାୟ କରିବାରେ ବିଫଳ। ମୁହଁଟାଣ ନ ଥିଲେ ଜଣେ ଚୋର ହେଇପାରିବ କି? ଚୋରିକରି ଟ୍ରିପଲ୍ ଗାଲୁଆମିପଣଟାକୁ ପୂରା ନିଜର ନ କରିପାରିଲେ, ସେ ଠାଉଆ କି ଠାବକରା ହେଇପାରେ, ସଚ୍ଚା ଖଣ୍ଟ ହେଇପାରେନି। କଥାରେ ଅଛି, ‘ନେଇ ଆଣି ଥୋଇ ଜାଣିଲେ ଚୋରି ବିଦ୍ୟା ଭଲ।’ ଏ ନିଆଅଣା କଥା ପଛକୁ ଥାଉ, ଚୋରିକୁ ଗୋଟାଏ ବିଦ୍ୟାର ସାର୍ଟିଫିକେଟ୍ ମିଳିଛି ନା!
ଅଘଟଘଟୁଆ ବୋଇଲେ, ଯେକୌଣସି କ୍ଷଣରେ, ଏପରିକି ଆଖିପିଛୁଳାକେ କ’ଣ କ’ଣ କାଣ୍ଡ ଘଟେଇପାରେ। ବିନା କାରଣରେ ଘଡ଼ଘଡ଼ି ଛେଚି ଦେଇପାରେ। ଘଟଘଟୁଆ ଘଟଣା ନ ଥାଇ ଘଟଣା ଘଟାଇପାରେ। ଦିହେଁ ମିଶି ଘଟଘଟୁଆ ଘଣ୍ଟୁର କାଣ୍ଡକାରଖାନା ନିରୀକ୍ଷଣ କରିଆସିଛନ୍ତି। ହେଲେ ଫୁଣ୍ଟାଏ ପ୍ରମାଣେ ବି ଟେର୍ ପାଇନାହାନ୍ତି। ଘଣ୍ଟୁର ବିଦ୍ୟା ଦିହିଁଙ୍କର ବିଦ୍ୟାଠାରୁ ଆହୁରି ଗାଢ଼ା। ଏମାନେ ହୁଏତ ପାଣିରେ ସର ପକେଇପାରନ୍ତି, କିନ୍ତୁ ଘଣ୍ଟୁ ପବନରେ ସର ପକେଇପାରେ। ବେଳେବେଳେ ନିଜ ବୁଦ୍ଧିବିଦ୍ୟା ବଳରେ ପବନକୁ ଟାଇଟ୍ ଟୁଇଟ୍‌କରି ରୁମାଲରେ ବାନ୍ଧି ପକେଟସ୍ଥ କରିଥାଏ, ବେଳ ପାଇଲେ ପକେଟ୍ ଖୋଲି ପବନଗୁଡ଼ାକୁ ଖୋଲିଦିଏ।

ବାରମାସରେ ତେର ପରବ
ଆମ ହୋଡ଼ିଶା ଏ, ଏଠି ବାରମାସରେ ଆଉ ତେର ପରବ କାହିଁକି, ବାସ୍ତରି ପରବ। ବଡ଼ସାଆନ୍ତ ଜଗନ୍ନାଥଙ୍କୁ ଟପିଯାଇ ଏମାନେ ବର୍ଷରେ ବାସ୍ତରି ପର୍ବ ଭେଇଛନ୍ତି। ଗଣିତର ଚକ୍ରବୃଦ୍ଧି ସୁଧ ଓ ପୌନଃପୌନିକ ଗୁଣନ ହାରରେ ହୋଡ଼ିଆଏ ପର୍ବ ପାଳନ୍ତି। ବେଳେବେଳେ ପରବ ଭିଆଣ ହେବା ବେଳକୁ ଥଇଥାନିଆଁମାନେ, ବର୍ଷକୁ ନିଜ ବାର୍ଥ ଡେ’ ତିନି / ଚାରି ଡେଟ୍‌ରେ ପାଳନ୍ତି। ଏପରିକି ନିଜ ମଲା ବାପା-ମାଆଙ୍କ ଜନ୍ମଦିନକୁ ବି ପାଳନ୍ତି। ଯମଙ୍କ ସେକ୍ରେଟେରିଏଟରୁ ମଡ଼ାମାନଙ୍କ ଫଅଟ୍ ଆଣି ଟଙ୍ଗେଇ ନାନା କୀର୍ତ୍ତନ କରାନ୍ତି। ବୁଢ଼ାଗାରଦରେ ବାପାକୁ ଥୟ କରାଇଥିବା କେଇଜଣ ଠିକ୍ ମରିବା ଦିନ ଚୋରାରେ ବାପାଙ୍କୁ ନିଜ ବହୁତଳ ବାସଭବନରେ ଥାପନା କରି, ଭଡ଼ାରେ କାନ୍ଦୁରାକାନ୍ଦୁରୀମାନଙ୍କୁ ଅଣାଇ ଶୋକ ଘଳିଆ ପକାଇ, ଖବରକାଗଜ, ସାମାଜିକ ମାଧ୍ୟମରେ ଯାବତୀୟ ଫଅଟ୍ ଓ ଭିଡିଓମାନ ଲୋକ ଲଗେଇ ଛଇ କରେଇ ଦିଅ଼ନ୍ତି। ଏମନ୍ତ ଅଘଟଘଟୁଆ ଓ ଘଟଘଟୁଆଙ୍କ ନାଡ଼ି ଚିପିଥିବା ଘଣ୍ଟୁ ଏମାନଙ୍କୁ ଏମନ୍ତ ସମୟରେ କାନ୍ଦୁରା, କାନ୍ଦେଈ, ତାଳିମରା, ତାଳିମରେଈଙ୍କୁ ଯୋଗାଡ଼କରି ପହଞ୍ଚାଇଦେଇ ଯାହାକିଛି ପାଇ ତା’ ସଂସ୍ଥା ବଞ୍ଚାଏ।
ଆଗକୁ ଦିଅଁଙ୍କ ବଡ଼ ଯାତରା, ରଥଯାତରା। କାଗଜ କି କ୍ୟାମେରା ନ ଥିବାବେଳେ ରଥଯାତ୍ରା ହଉ ନ ଥିଲା ବୋଧେ? କେତେ ବରଷ ହେବ, ରଥକାଠ କାଟଣଠାରୁ ଆରମ୍ଭକରି କାଠଚିରଟ, କାଠ ବିନ୍ଧାଣ, କିଳାମାରଣ, କଣ୍ଟାବସାଣ, ରଥ ମଣ୍ଡଣାଦି ଯାବତୀୟ ଘଟଣା କାଗଜରେ ଛାପା, ଭିଡିଓରେ ଦେଖା। ପୂର୍ବର ଭାବଭଗତିଆଙ୍କ ଭାବ ସାଦାବୁନ୍ଦି ହେଲେ, ଏବେକାର ଭଗତିଆ ଭଗତିଆଣିଙ୍କ ଭାବଭଗତି ଦାନାବାନ୍ଧି ଲଡୁ ପାଲଟିଛି। ରଥଯାତକୁ ଲୋକେ ଆଗରୁ ଚାଲିଚାଲି ଯାଉଥିଲେ, ଦିଅଁ ଦେଖୁଥିଲେ, ଯାତରା ବୁଲାବୁଲିକରି ପୁରସ୍ତମରେ ଦି’ଚାରିଦିନ କଟେଇ ଫେରୁଥିଲେ। ଏବେ ଭାବ ଅଲଗା, ଭଗତି ମଧ୍ୟ ଅଲଗା। ଏବେ ଭଗତଙ୍କ ହାତରେ ଦିଆନିଆଁଣୀଙ୍କ ପାଇଁ ଟିପେ ବି ସମୟ ନାହିଁ, ବରଂ ଜଗନ୍ନାଥଙ୍କୁ ନିଜନିଜ ଦର୍ଶନ ଦେବାକୁ ସମସ୍ତେ ଆଗଭର। ନିଜ ପୋଷାକପଟା, ଆଇଅଳଙ୍କାର ଫେସନମଣ୍ଡଣି ଦେଖାଇବାକୁ ଘୋର ପ୍ରତିଯୋଗିତା।
ଲୋକବିଜ୍ଞାନୀ
ଘଣ୍ଟୁ ଗୋଟେ ବଡ଼ ଲୋକବିଜ୍ଞାନୀ। ଲୋକଙ୍କ ଏଇ ଦେଖାଇହେବା ପଣକୁ ସେ ବାରବାର ଜିତି ସାରିଚି, ମାପି ବି ସାରିଚି। ରଥ କଥାରେ ସମସ୍ତେ ଭାବଭଗତିଆ। ରଥ ଭିଡ଼ରେ ନିଜନିଜ ବଡ଼ତିପଣ ସାବ୍ୟସ୍ତ କରିବାକୁ ଗୋଟାଏ ବଡ଼ ଦୌଡ଼। ସାଧାରଣ ଭଗତ, ଆଇପି ଭଗତ, ଭିଆପି ଭଗତ, ଭିଭିଆପି ଭଗତ, ଭିିଭିପିଆଣି ଭଗତ – ଏମିତି ନାନା କିସମର। ମନ୍ତରୀ ମୁତୁରା, ଅଫିସରିଆ, ଏମାନେ ଭିଭିଆପି ଦଳରେ। ତଳତଳକୁ ତଳ ପାହାଚ ଖସେ, ବାଇନ, ଘଣ୍ଟୁ ଓ ବାଙ୍କାଅଜା, ମଦନାଜେଜେ, ଚେମୀ ଦେଠେଈ, ଟିମାଦାଦି, ବଇଦା ବଡ଼ାପା, ମନ୍ଦୁରୀ ଆଈ, ନୋକାମାମୁ – ଏମାନେ ସବୁ ମାଳେଇ, ନିମ୍ନ ମାଳେଇରେ ଗଣା। ରଥ ଯାତରା ପାଇଁ କିଏ କେମନ୍ତେ ନିଜ ଜିନିଷ ବନ୍ଧାଛନ୍ଦା ଦେଇ, ଦିଅଁ ଦର୍ଶନକୁ ପୁରୀରେ ଭିଡ଼ ଜମାନ୍ତି।
ପୁଲିସିଆ, ଅଧାପୁଲିସିଆ, ଜଗୁଆ, ରଖୁଆ, ଠାଉକା, ଢାଉକା, କାନିକଟା, ପାକିଟ୍ କଟା, ଲୁଟିଆ, ବଟିଆ, ଚନ୍ଦୁଆ, ବନ୍ଦୁଆ – ଏମିତି ନାନା କିସମର ଅଗାଡ଼ି ବି ଧାନରେ ମିଶିବା ଭଳିଆ ମିଶି ଭିଡ଼କୁ ଆଉ ବହଳିଆ କରନ୍ତି। କେତେକଙ୍କ ପାଇଁ ଏ ଯାତ୍ରା ଗୋଟାଏ ରୋଜଗାରିଆ ଉଚ୍ଛବ। ୟା’ ବାଆଦ କେତେ ଦାନୁଆଁ ଧାନୁଆଁ ବି ଅଛନ୍ତି। କିଏ ଭଗତଙ୍କୁ ଫରକ ଫରକ ସେବା ଯୋଗାନ୍ତି। ଏସବୁକୁ ନେଇ ଘଣ୍ଟୁଆ ଗୋଟାଏ ମନଚିତ୍ର ଆଙ୍କିଲା। ରାଇଜ ଭିତର ଓ ରାଇଜ ବାହାରର ଲୋକେ ବିଭିନ୍ନ ସେବା ଯୋଗାନ୍ତି। କେହି କେହି ବରଫ ପାଣି, କେହିକେହି ଖେଚୁଡ଼ି ବାଣ୍ଟନ୍ତି। କେତେ ଲୋକଙ୍କୁ ଏଗୁଡ଼ାକ ଅକୁଳାଣ। ବିଲୁଆ ପରିକା ଚତୁରିଆ ଲୋକେ ଠା ଦେଖି ଏସବୁ ମାରିନିଅନ୍ତି, ଆଉ ଦଳେ ଚାହିଁ ଜଳକା।
ଘଣ୍ଟୁ ଏସବୁ ଦେଖି, ମନେମନେ ସୁମାରିକଲା, ଏଠି ଗୋଟା ‘ଏ ରୁ ଜେଡ୍‌’ ସେବା ଯୋଗାଇବ। ତା’ ନିଜ ପୁରୁଣା ପଲଟଣଙ୍କୁ ଡକେଇ ହକେଇ ଇଲମଦେଲା। ରଥଯାତ୍ରାରେ ଆରମ୍ଭ କରିବ ଅପରେସନ ‘ଳ’। ବାଇନ, ମକୁଆ, ଟିମା, ରବିନା, ଅପର୍ତ୍ତିଆ ଏକାଠିହେଲେ ସତ, ମାତ୍ର ଘଣ୍ଟୁଙ୍କ ଏ ଅପରେସନ ‘ଳ’ କାହା ମୁଣ୍ଡରେ ପଶିଲାନି। କଡ଼ା ଗଣିତ ମାଷ୍ଟ୍ରଙ୍କୁ ଓ ଟାଣୁଆ ଇଂରେଜୀ ସାଆରଙ୍କୁ ମୂର୍ଖ ପିଲାଏ ଅନେଇବା ଭଳିଆ ଅନେଇଲେ ଘଣ୍ଟୁ ପଲଟଣ। ଆଗଚଲା ବାଇନ ବୋଇଲା – “ଏ ‘ଳ’ କ’ଣ ଅପରେସନ୍ ହବ। ବଡ଼ କଷ୍ଟିଆ କାମ ତ। ମତେ କାଇଁ ଲାଗୁଚି ମୁଁ ହରଗିଜ୍ ପାରିବିନି। ବତିପେଲା ଅପର୍ତ୍ତିଆ ବି ସେଇକଥା ବୋଇଲା। ଘଣ୍ଟୁ ଏଥର ପିଲାନଟା ବତେଇଲା। ଆରେ, ବୋକାସୁରଙ୍କ ପଣଜେଜେମାନେ ଏଠି ‘ଳ’ ଅପରେସନ ହବନି। ‘ଳ’ ଆଗରୁ ବହୁକଥା ଅଛି। ଟୁଣୁଟୁଣା ଟିମା ବୋଇଲା ‘କିଓ ଘଣ୍ଟୁଆଇ! ଖୋଲି କହୁନା, ଜାଇଁଲେ ସିନା ଆମେ ଡେଇଁବୁ, କୁଦିବୁ, ଆଉ କ’ଣ କ’ଣ କରିପକେଇବୁ।’

ଘଣ୍ଟୁଙ୍କ ‘ଳ’ ଥିଓରୀ
ପାଲା ପାଳିଆ ବାୟକଙ୍କ ଅର୍ଦ୍ଦାଳିଆ ଝାଂଜମୃଦଙ୍ଗ ମାଡ଼ ପରେ ଗାୟକ ସଭାରେ ବିଜେହେଇ ଶୋଳଖ ଗାଇବା ଭଳିଆ, ଘଣ୍ଟୁ ତାଙ୍କ ନନଷ୍ଟପିଆ ତୁଣ୍ଡରେ ଗଳା ଚାପିଚୁପି ଅରଗଳିଆ ଗାଇଗଲେ ତାଙ୍କ ‘ଳ’ ଥିଓରୀ। କହିଲେ, “ହଇୟେ ଗୁଡ଼ବୋକେ, ହଇରେ ଅଣଓଲାଏ – କ’ଣ ଜାଣିପାରୁନ, ଖବରକାଗଜ ପଢ଼ୁଚ ନା ନାଇଁ, ଟି.ଭି. ଫିଭି ଦେଖୁଚ ନା ନାଇଁ ବେ? ଖରାଦିନ, ଛକେଛକେ ସରକାରୀ ‘ଳ’ ସେବା- ମାନେ ଜଳସେବା। ବ୍ୟାନର୍ ଦେଖିଚ ନା ନାଇଁ।” ସେଠି ବ୍ୟାନର୍ ଥାଏ, ନିର୍ଜଳମାଠିଆମାନେ ତଳମୁହାଁ ହେଇ ଗଡ଼ୁଥାନ୍ତିା ପଚାରିବ କାହାକୁ? ଖୋଳତାଡ଼ କଲାବେଳକୁ ଜାଇଁଲି ଯେ ମାଠିଆ ଥିଲା, ପାଣିଥିଲା, ଛାମୁଡ଼ିଆ ବି ଥିଲା, ମାତ୍ର କାଳ ଅହନ୍ତାକୁ ବଳ କାହାର? ଆଇଲା କାଳ ବଇଶାଖୀ, ଚିରିଲା ବ୍ୟାନର୍‌, ଭାଙ୍ଗିଲା ମାଠିଆ, ଛାମୁଡ଼ିଆକୁ ଭୂଇଁରେ ଲୋଟେଇଦେଲା। ଏସବୁକୁ ରୋକିହେବ କି? ସେ ଦିନୁ ମାଠିଆଗୁଡ଼ାକ ପାଣିଘଟ ଭଳିଆ ଅନାଥହେଇ ଗଡୁଛନ୍ତି। ଛକେଛକେ ଏଇ ଲୀଳା, ପାଟି ଫିଟେଇଲେ କିଳା, ଫାଟିବ ତମର ନୋଳା। ଏ ସରକାରୀ ଘର ଲୀଳା। ସବୁ ଛକରେ ଏମନ୍ତ ଜଳଯୋଗାଣ କେନ୍ଦେରଗୁଡ଼ିକ ସରକାରୀ ସୁମାରିଲେ ଅଛି, ୟା’ ପାଇଁ ବଡ଼ବାବୁମାନେ ବି ବିଲ୍ ପାଆସ୍ କରିଦେଇଛନ୍ତି। କାଳଥିଲା, ବେଳଥିଲା, ମାଠିଆରେ ଜଳଥିଲା, କାହୁଁ ଏ ବଇଶାଖୀ କାଳହେଲା, ମାଠିଆ ଖପରାମାଳ ହେଲା। କଳସେବା ଏଠି କାଳହେଲା, ଛାମୁଡ଼ିଆ ଗୁଡ଼ା ଫାଳହେଲା।
ପହିଲେ ଜଳସେବା
ତେଣୁ ଆମର ରଥଯାତ୍ରାରେ ଅପରେସନ ‘ଳ’ ସେବା ହେବା ଆରମ୍ଭିବା। ପହିଲେ ‘ଳ’ ସେବା ମାନେ ଜଳସେବା। ପୁରୀ ବଡ଼ଦାଣ୍ଡ ଯାକ ଚବିଶ ପହରିଆ ପାଣି, ଏସବୁକୁ ଭାଣ୍ଡରେ ଭରିବା, ବୋତଲରେ ଭରିବା, ତାତୁଣିଆଁ ଲୋକଙ୍କୁ ଯୋଗେଇଦେବା। ସରସା ଭଗତଙ୍କୁ ଜରିପୁଡ଼ିଆରେ ଜଳ ଯୋଗେଇବା, ଠାଆ ଦେଖି କୁହାଟିବା ସବୁଆଡ଼େ ପାଣି ବନ୍ଦ। ଲୋକେ ଆତୁରିଆ ହେଇ ବୋତଲଗୁଡ଼ାକ କିଣି ପକେଇବେ। ସରକାରୀ ଯୋଗାଣିଆଁ, ଇଚ୍ଛା ସେବକିଆଙ୍କ ପାଖରୁ ଆମଦାନୀ ହେବ ଏମନ୍ତ ଜଳ। କିନ୍ତୁ ଜଳସେବା ବେଳେ ଗହଳି ଦେଖି ଘାଣ୍ଟୁଥିବ, ଜଳ ଦେବାଠାରୁ ଜଳଦିଆର ଫଅଟ, ଭିଡିଓମାନ କରିବା ଜରୁରି। ସେତକ ନ ହେଲେ ଜଳବଣ୍ଟା ଅଯଥା ଯିବ, ଜଳକା ଅନେଇବା ସାର।
ମକୁଆ ପୁଛିଲା – ଆଉ ‘ଳ’ ସେବା ପୁଣି କ’ଣ ଘଣ୍ଟୁଆଇ? ଘଣ୍ଟୁ ଉତ୍ତରେ ଆର ‘ଳ’ଟି ହେଉଚି ଫଳସେବା। ତମେ କାଗଜରେ ପଢ଼ିଥିବ, ମହାମାନ୍ୟ ଡ୍ୟାସ୍ ସାହେବ ତାଙ୍କ ନାତି ଜନ୍ମ ଦିନରେ ଅନାଥାଶ୍ରମରେ, ମେଡିକାଲରେ ଫଳ ବଣ୍ଟନକଲେ। ବଜାରରେ କୁଇଣ୍ଟାଲିଆ ଦରରେ ମିଳୁଥିବା ଅଧାପଚା, ଦରପଚା, ଗଅଁଠପଚା ଫଳମାନ ସଂଗ୍ରହକରି ଅତି ଆଦରରେ ରୋଗୀଙ୍କ ହାତରେ ଦେଇ ଧରାଇ ଦିଅନ୍ତି। ଧରାଇବା ବେଳେ ରୋଗୀଆଡ଼େ ନୁହେଁ, ଫଅଟ ଉଠାଣିଆଆଡ଼େ ମୁହଁଥାଏ। ଦାନରେ ଏମାନେ କର୍ଣ୍ଣଙ୍କ ମଳାଶୁର, ବଳିଙ୍କ ଦେଠାଶୁର। ପୁଣି ନିଜ ନାତିକୁ ଚନ୍ଦନଚର୍ଚ୍ଚିତ କରାଇ ବାର୍ଥ ଡେ’ରେ ନାତି ବଅସ କି ତା’ଠାରୁ ସାନବଡ଼ ପିଲାଙ୍କ ପାଖରେ ନେଇ ହାଜର କରାଇ ନାନା ଭଙ୍ଗିଚାର ଫଅଟମାନ ଉଠେଇ ଜୁନିଅର୍ କର୍ଣ୍ଣ ବା ବଳି ପାର୍ଟ କରାଇପାରନ୍ତି। ଖବରକାଗଜରେ ଏମନ୍ତ ଦାନୀପଣର ଫଅଟମାନ ଛାପା କରାନ୍ତି। ସୋସାଲ ମେଡିଆରେ ଲୋକ ଲଗେଇ ଛାଇ କରିଦିଅନ୍ତି। ଧନ୍ୟ ଏମାନେ।
ବଡ଼ଦାଣ୍ଡରେ ବି ରଥଯାତ୍ରାରେ ଆମେ ଅପରେସନ ‘ଳ’ରେ ଏ ଫଳସେବା କରାଇବା। ତମେମାନେ ଠାଆକୁଠାଆ ଗହଳି ଦେଖି ଫଳ ଖାଉଥିବ। ମକୁଆ ଖାଇଲେ ବାଇନ ଫଅଟ ଉଠେଇବ, ବାଇନ ଖାଇଲେ ଟିମା ଫଅଟ ଉଠେଇବ। ମାଗଣାରେ ବାଣ୍ଟିବନି, ଆତୁରିଆ ଛୁଆଙ୍କ ଆଗରେ ଦେଖେଇ ଦେଖେଇ ଖାଉଥିବ। ଛୁଆଏ ଆତୁରରେ ତାଙ୍କ ବାପା-ମାଆଙ୍କୁ ଉଠାପକା କରିବେ, ଏତେବେଳେ ସେମାନଙ୍କଠାରୁ ଚୋରାରେ ପଇସା ଆଣିବ, ଫଳ ବି ଦେଇଦେବ। ଦେବା ବେଳର ଫଅଟ୍ ଉଠେଇବାରେ ଯେମିତି ହେଳା ନକର। ଗହଳିଆ ଥାନ ବୁଲିବୁଲି ଏମନ୍ତ ଭାବରେ ଲୋକଙ୍କୁ ଦେଖେଇଦେଖେଇ ଖାଉଥିବ। ଧଳା ଜରିରେ ଫଳ ପୁଡ଼ାକରି ଓଲିଆ ଗୋରୁଙ୍କୁ ଘାସ ଦେଖେଇ ଲୋଭିଲା କଲା ପ୍ରକାରେ, ତମେ ଯେତେ ଓଲିଆ କରୁଥିବ, ଆତୁରିଆଏ, ଭୋକବାଉଳିଆଏ ବାଧ୍ୟହେଇ ନାଳୁଆତୁଣ୍ଡ ଉପରୁ ଲଗାମ ହରେଇ ତମର ଶରଣ ପଶିବେ। ଏତେବେଳେ ଛ’ଟଙ୍କା ଫଳକୁ ନ’ଟଙ୍କାରେ ଖସେଇଦେବ। ବୁଝି ସାବଧାନ, ଫଅଟ୍ ଓ ଭିଡିଓରେ ଟିପେ ବି କୁରୁପଣ ହବନି।
ଅସରନ୍ତି ସେହି ‘ଳ’ ସେବା
ଅଥୟ ହେଇ ଅପର୍ତ୍ତିଆ କାକୁସ୍ଥରେ ବୋଇଲା – “ଜଳ, ଫଳ – ଏସବୁ ତ ‘ଳ’ – ଆଉ ‘ଳ’ ଅଛି ନା, ଏତିକିରେ ଇତିଶ୍ରୀ?” ପୁଣି ଯୋଜନାବାଜ୍ ଘଣ୍ଟୁ ‘ଳ’ର ଗୋଟାଏ ପରେ ଗୋଟାଏ ଯୋଜନାକୁ ଜ୍ୟାମିତିର ଉପପାଦ୍ୟ ଶୈଳୀରେ ବୁଝାଇବାକୁ ଲାଗିଲେ। ମାଠିଆରୁ ପାଣି ଢାଳିହେବା ଭଳିଆ ତାଙ୍କ ତୁଣ୍ଡ ମାଠିଆରୁ ବାହାରି ପଡୁଥାଏ ଜଳସେବା, ଦଳସେବା, ବାଳସେବା, ମାଳସେବା, ଫାଳସେବା, ଆଳସେବା, ଢାଳସେବା, ଡାଳସେବା, ତାଳସେବା, ଚାଳସେବା – ଏମିତି କିସମକିସମର ‘ଳ’ ସେବା। ମାଛରଙ୍କା ଧ୍ୟାନୁଆଁ ବଗ ପ୍ରକାରେ ଚାହିଁ ଜଳକା ହେଇ ଅନେଇଥାନ୍ତି ଚେମା, ସୋବନା, ଟିମା, ବାଇନ ହେରିକା।
ଚଞ୍ଚୁ ଖୋଲିଲା ବଳେପଶା ଅପର୍ତ୍ତିଆ। କହିଲା, ଏମନ୍ତ ‘ଳ’ ସେବାଗୁଡ଼ାକ ଆମ ମୁଣ୍ଡରେ ପଶୁନି। ଦୟାକରି ଖୋଲି କହିଦିଅ ଘଣ୍ଟୁଆ’ଇ। ଚିଲମିଆଁ, ଅଫିମିଆଁ, ଚରସିଆ, ବ୍ରାଉନସୁଗାରିଆ, ମାଲୁଆମାନଙ୍କ ଭିତରେ ନିଶା ଚରିବା ଭଳିଆ – ଏମନ୍ତ ପଲଟଣଙ୍କ ଭିତରେ ନିଶାଠୁଁ ଆଉ ମାଦକିଆ ହେଲା ଏଇ ‘ଳ’ ସେବାର ପ୍ରକାର। ଏତିକିରେ ସେଦିନର ବଇଠକ ପ୍ରାୟ ଫୁଲ୍‌ଷ୍ଟପ୍ ହେଲା।
ରଥଯାତରା ଯେତେ ପାଖେଇ ଆସୁଥାଏ, ଏ ପଲଟଣଙ୍କ ଭିତରେ ସେତେସେତେ ଆଗ୍ରହର ପାରଦ ଖାଲି ବଢ଼ୁଥାଏ। ସେଦିନ ବାଇନର ନେତୃତ୍ୱରେ ବସିଲା ସଭା। ଶ୍ରୀପାଳିଆ ପାଳି ଧଇଲା ଭଳିଆ, ଆଗେ ବାଇନ ବଇଠକରେ ‘ଳ’ ସେବାକଥା ଆରମ୍ଭିଲା। କିଛିକ୍ଷଣ ପରେ ଘଣ୍ଟୁଙ୍କର ଆବିର୍ଭାବ, ସମୂହ ଟ୍ରେନିଂ ଆରମ୍ଭ। ପହିଲେ ଥିଓରି ବୁଝାଇଦେଲେ, ଏମାନେ ‘ଧ’ କହିଲେ ବାନ୍ଧି ଆଣିବା ଭଳିଆ କାମକରନ୍ତି। ଘଣ୍ଟୁ ସବଜେକ୍ଟ ଏକସ୍‌ପାର୍ଟ ପଲଟଣଙ୍କୁ ଇଣ୍ଟର୍ଣ୍ଣସିପ୍ ଆରମ୍ଭ କରାଇଲେ। ଗୋଟିଗୋଟି କରି ‘ଳ’ ସେବା ଆରମ୍ଭ କରିଦେଲେ।
କଳ ସେବା
କଳସେବା ହେଲା, ଖଇନି, ଗୁଟୁକା ଓ ତାମୁଳସେବା। ଏଗୁଡ଼ିକ ପାନୁଆ ଓ ନନ୍‌ପାନୁଆଙ୍କ କଳ ଆମୋଦରେ ଲାଗେ। ଦଳ ଭିତରୁ ଜଣେ ଦି’ଜଣ ଏଇ ସେବା ଆଦରିନେଇ, ପାନାକୁଳିଆଙ୍କ ଆଗରେ ଛେଳି ଆଗରେ ସାହାଡ଼ାପତ୍ର ହଲେଇବା ଭଳିଆ ହଲେଇ, ଚଢ଼ା ଦରରେ ସେମାନଙ୍କୁ ଯୋଗାଇଦେବେ। ମାଳସେବା କହିଲେ ଭଗତେ ରଥ ଉପରକୁ ନିଜ ହାତଗୁନ୍ଥା ଆଉ କିଣା ଫୁଲମାଳ ଫିଙ୍ଗନ୍ତି। ରଥରେ ଦିଅଁ ତ ସେବକଙ୍କ ଘେରରେ। ମାଳ ସେବକଙ୍କ ଉପରେ ପଡ଼େ, ସେମାନେ ବି ରଥ ତଳିଆଙ୍କୁ ବଢ଼ାଇ ଦିଅନ୍ତି। ରଥରୁ ତଳକୁ ଖୁସୁଥିବା ମାଳମାନ ହାତେଇ, ପୁନଃଚକ୍ରଣ ଶୈଳୀରେ ଘଣ୍ଟୁ ପଲଟଣ, ନିକଟସ୍ଥ ଭକ୍ତଙ୍କୁ ପାଖୁଡ଼ାଏ ଫୁଲ, ଟିକେ ତୁଳସୀକୁ ଶହଶହ ଟଙ୍କାରେ ବିକେଇଦେଇ ମାଳସେବା କରିବେ।
ଏମନ୍ତ ପ୍ରକାରେ ତାଳସେବା ହେଲା, କୀର୍ତ୍ତନ ଭିତରେ କାଉଳିଆଙ୍କ ସହିତ ମିଶି କୀର୍ତ୍ତନକୁ ବେତାଳିଆ କରାଇ ଉଦ୍ଦଣ୍ଡ ଡିଆଁ ଝପଟ କରିବା, ହାତରୁ ଝାଂଜ ଛଡ଼େଇ ବାଡ଼େଇବାଡ଼େଇ ଫଟେଇଦେଇ ବଡ଼ ଭଗତ ସାଜିବା। ୟା’ପରେ ଆରମ୍ଭିବା ଚାଳସେବା। ମହିଳାଙ୍କ ରହଣି କଥା ଭୁଲିଯାଇଥିବା ଭଗତକୁ ଭଡ଼ାଘର ଯୋଗାଇବା ହେଲା ଚାଳସେବା। ଆତୁରିଆଏ ତ ଯେମିତି ହେଲେ ରହିବେ, ଏମାନଙ୍କୁ ସୁଲଭରେ ଭଡ଼ାଘର ଯୋଗାଇଦେବା ବାହାନାରେ ତିନିଗୁଣା ଅସୁଲ କରାଇବା ବି ଗୋଟାଏ ଅସଲକାମ।
ରଥ ଭିଡ଼ରେ କେତେକଙ୍କୁ ଥାଳମାନ ଧରାଇଦେଇ, କେତେକଙ୍କଠାରୁ ମାଲ୍ ଲୁଟିବା ଏମନ୍ତ ସେବାର ମୂଳ ମଞ୍ଜକଥା। ଏ ଦାୟିତ୍ୱ ବି ପଲଟଣରେ ଦି’ଜଣ ନେଇଗଲେ। ରଥ ଉପରକୁ ଫିଙ୍ଗା ନଡ଼ିଆଫାଳ ସଂଗ୍ରହକରି ଏଥିରୁ ଟିପେଟିପେ ଭଗତ ଭଗତାଣୀଙ୍କି ବାଣ୍ଟିବା ହେଲା ଫାଳସେବା। ଏମିତି ପ୍ରକାରେ ଘଣ୍ଟୁ ସବୁ ବ୍ୟାଖ୍ୟା କରିଦେଲେ। ପଲଟଣେ ଏଣିକି କାମରେ ଲାଗିବେ। ଏମିତି ପ୍ରକାରେ କୋଡ଼ିଏ ସରିକି ବ୍ୟାନର ତିଆରି ହେଲା। ଲେଖାଥିଲା ‘ଅପରେସନ ‘ଳ’। ତଳକୁତଳ ସବୁ ସେବାର ନାମ ସହିତ ସଂକେତିଆ ଚିତ୍ର ମଧ୍ୟ କରାଗଲା। ବ୍ୟାନର ଧରି ଘଣ୍ଟୁର ପଲଟଣ ରଥଯାତ୍ରା ଭିଡ଼ରେ ପଇଁତରା ମାରିଲେ। ଲୋକଙ୍କ ଚାହିଦା ଅନୁଯାୟୀ ସେବା ବି ଯୋଗାଇଦେଲେ। ଲୋକେ ଟଙ୍କାଏ ଜାଗାରେ ଦି’ଟଙ୍କା ନେଇ ବି ଏ ସେବା ନେଲେ। ଗୁଣ୍ଡିଚା ମନ୍ଦିରଆଡ଼େ ରଥଗଡ଼ିବା ବେଳକୁ ଘଣ୍ଟୁର ପଲଟଣ ‘ଳ’ ସେବା ଦେଇ ଯାହାକିଛି ଭେଇଥିଲେ ଘଣ୍ଟୁ ପାଖରେ ଆଣି ପଇଠକଲେ। ରଥ ଭିଡ଼ରେ ଗଣାଗଣି କରିବାକୁ ତରକା ଘଣ୍ଟୁ ଅନୁଚିତ ମଣିଲେ। ଥଳିଆରେ ନୋଟ୍ ଓ ଖୁଚୁରା ଧରି ଭିଡ଼ ବାହାରକୁ ଆସିବା ବେଳକୁ ଗୋଟେ ବଡ଼ ପଥରରେ ଛେଚି ହେଇଗଲା ଘଣ୍ଟୁଙ୍କ ଗୋଡ଼। ଖବୁରା ଗୋଇଠି ଖାବରା ହେଇଗଲା; ଧାରଧାର ରକତ ନିଗୁଡୁଚି, ହେଲେ ଯିବାକୁ ହବ ନା। ଟିମାକୁ ଥଳିଆ ଧରେଇ ଥମ୍ କିନା ବସିପଡିଲା ଘଣ୍ଟୁ।
ଅଇଲେ କନିଷ୍ଠବଳ
ନଟିଆ ହେଲା ଘଣ୍ଟୁର ପୁରୁଣା ବିରାଦର। ଉଣ୍ଡିଉଣ୍ଡି ଦିଇଟା କନିଷ୍ଠବଳକୁ ଆଣି ଘଣ୍ଟୁ ପାଖକୁ ପେଲିଦେଲା। ପକେଟ୍‌ମାରୁ ବୋଲି ଚିହ୍ନଟକରି କନିଷ୍ଠବଳ ଘଣ୍ଟୁକୁ ଅଳିଆ ସହିତ କାବୁ କରିନେଲେ। ଟିମା ଥଳିଆ ଥୋଇ ଛୁ। ଘଣ୍ଟୁ କେଉଁ ଛାଡ଼ିବା ଲୋକ। କନିଷ୍ଠବଳଙ୍କୁ ପାକଳାପାକଳି କଲା। କହିଲା, ଦି’ଜଣ ଏତକ ନେଇଗଲେ କେମିତି ହବ? ରଥ ସରିନି, ଆଗକୁ ଆଉ ଥାଳିଆ ଆସିବ। ତହୁଁ କିଛି ନେଇ ତେମେ ଥୟପଡ଼, ନ ହେଲେ, ଆମକୁ ବିନା କାରଣରେ ମାରି ଲହୁ ବୁହାଇଚ – ତମ ଉପର ଅଫିସରଙ୍କୁ ନିଶ୍ଚେ ଜଣେଇବି। ଦିନସାରା ଅଖିଆ ଅପିଆରେ ଡ୍ୟୁଟି କରୁଥିବା କନିଷ୍ଠବଳେ ବି ଅଗତ୍ୟା କିଛି ପାଇ ଖୁସ୍। ଏଥର ‘ଅପରେସନ ‘ଳ’ ପ୍ଲାକାର୍ଡମାନ ଧରି ପ୍ଲାଟୁନ ସଦସ୍ୟମାନେ ଆସିବାରୁ ଘଣ୍ଟୁ ସମସ୍ତଙ୍କ ସହ ଫଅଟ ଉଠେଇ ଚାଲିଥିଲେ, ମିଡିଆକୁ ବାଇଟ୍ ଦେଉଥିଲେ।
ଘଣ୍ଟୁର ଏମନ୍ତ ପ୍ରକାର ‘ଅପରେସନ୍‌- ‘ଳ’ସେବା’- ମେଡ଼ିଆ ଚାହାଳି ମାଡ଼ିବା ବେଳଠାରୁ କେହି ବି ମେଡ଼ିଆ ପାର୍ଟି ବିନ୍ଦୁ ବିସର୍ଗ ଜାଣିନଥିଲେ। ସେମାନଙ୍କ ଚାଣେଲ୍ ପାଇଁ ଘଣ୍ଟୁଙ୍କ ଏମନ୍ତ ବାଇଟ୍ ସେମାନଙ୍କୁ ଚକିତ କରୁଥିଲା। କାଳେ କଥାଟାକୁ ମେଡ଼ିଆରେ ପ୍ରଘଟ କରିଦେବ, ସେଥିପାଇଁ କନିଷ୍ଠବଳ ଯୁଗଳ ଘଣ୍ଟୁଙ୍କୁ ବିକଳରେ ନିଘା କରୁଥିଲେ।
ସେଦିନର ରାତି ନ୍ୟୁଜରେ ‘ଅପରେସନ୍ -ଳ-ସେବା’ ଘଟଣାଟା ବହୁ ଘଣ୍ଟାଚକଟ କରିଦେଲା। ଘଣ୍ଟୁଙ୍କ ଏଇ ନୂଆ ସେବା ପାଇନଥିବା ଲୋକେ ଭିତରେ ଭିତରେ ପସ୍ତେଇ ହେଉଥିଲେ। ଆରସନ ରଥଯାତରେ ଏ ସେବା ଆଗରୁ ଆଦରି ନେବେ ବୋଲି ମନେ ମନେ ସଂକଳ୍ପ କରୁଥିଲେ।
ବାଇଟ୍ ଦେଇସାରି ଘଣ୍ଟୁ ନିଜ ‘ଳ’ ଆୟକୁ ଟାଇଟ୍ କରି ଭିଡ଼ ଆଡ଼େଇବାକୁ ଫାଇଟ୍ କରୁଥିଲେ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୬  ସଂଖ୍ୟାରେ ପ୍ରକାଶିତ ଧାରାବାହିକ ବ୍ୟଙ୍ଗରଚନା।)

Leave a Reply

Your email address will not be published. Required fields are marked *