ବର୍ଷୀୟାନ୍ ସାହିତ୍ୟିକ ନୀଳାଦ୍ରିଭୂଷଣ ହରିଚନ୍ଦନଙ୍କ ସହ ଆଳାପ

ମୁଁ ତ ତିନି ଭାଗରେ ବିଭକ୍ତ; ଜଣେ କବି, ଜଣେ ନାଟ୍ୟକାର ଓ ଜଣେ ସମାଲୋଚକ।

ବରିଷ୍ଠ ସାହିତ୍ୟିକ ନୀଳାଦ୍ରିଭୂଷଣ ହରିଚନ୍ଦନଙ୍କର ବୟସ ବର୍ତ୍ତମାନ ୮୦ ବର୍ଷ। ସେ ଏକାଧାରରେ ଜଣେ କବି, ଅନୁବାଦକ, ସମାଲୋଚକ ଓ ନାଟ୍ୟକାର। ୧୯୯୧ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ରେଭେନ୍‌ସା ମହାବିଦ୍ୟାଳୟ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ସମେତ ଅନେକ ପ୍ରମୁଖ ଶିକ୍ଷାନୁଷ୍ଠାନର ଓଡ଼ିଆ ବିଭାଗରେ ଅଧ୍ୟାପନା କରି ସେ ପ୍ରଫେସର ଭାବରେ ୨୦୧୦ ମସିହାରେ ଅବସର ଗ୍ରହଣ କରିଛନ୍ତି। ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଆପଣ ଜଣେ ପ୍ରବୀଣ କବି ଓ ସମାଲୋଚକ ଭାବରେ ପରିଚିତ ହେବା ସହିତ ଜଣେ ସୁଦକ୍ଷ ନାଟ୍ୟକାର ଭାବରେ ମଧ୍ୟ ଖ୍ୟାତ। ଆପଣଙ୍କର ସ୍ୱର୍ଗତ ପିତା ଜଣେ ବିଶିଷ୍ଟ ନାଟ୍ୟକାର ଥିଲେ। ନାଟ୍ୟକାର ହେବାର କଳା କ’ଣ ଆପଣ ତାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି?
ନୀଳାଦ୍ରିଭୂଷଣ ହରିଚନ୍ଦନ: ନିଶ୍ଚୟ ତାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ପାଇଛି। କାରଣ ମୁଁ ଯେତେବେଳେ ପିଲାଦିନେ ପାଠ ପଢ଼ୁଥିଲି ସ୍କୁଲ୍‌ରେ, ସେତେବେଳେ ଘରେ ତା’ଙ୍କ ନାଟକର ପାଣ୍ଡୁଲିପି ପଡ଼ିରହିଥାଏ ଟେବୁଲ ଉପରେ। ସେସବୁ ମୁଁ ଲୁଚିକରି ପଢ଼ିନିଏ। ତା’ଙ୍କ କେତେକ ନାଟକର ରିହର୍ସାଲ୍ ମଧ୍ୟ ମୁଁ ଦେଖିଛି। ସେଗୁଡ଼ିକ ମୋ’ ମନରେ ପ୍ରଭାବ ପକାଇଥିଲା।
ସାହିତ୍ୟ ଚର୍ଚ୍ଚା: ଏଣୁ ସେହି ପିଲାଦିନରୁ ନାଟକ ଲେଖିବାର ଇଚ୍ଛା ବୋଧହୁଏ ଜାଗରିତ ହେଲା ଆପଣଙ୍କ ମନରେ।
ନୀଳାଦ୍ରିଭୂଷଣ ହରିଚନ୍ଦନ: ମୋ’ର ବଡ଼ ଇଚ୍ଛା ଥିଲା ଲେଖିବାକୁ; କିନ୍ତୁ ସେତେବେଳେ ଲେଖିବାକୁ ସମର୍ଥ ହୋଇନଥିଲି।
ସାହିତ୍ୟ ଚର୍ଚ୍ଚା: ତେବେ ନିଜର ପ୍ରଥମ ନାଟକଟି ଆପଣ କେବେ ଲେଖିଲେ?
ନୀଳାଦ୍ରିଭୂଷଣ ହରିଚନ୍ଦନ: ମୋର ପ୍ରଥମ ନାଟକ, ‘ସତ୍ୟ ସଂଶୟ ସାଲବେଗ’ ପ୍ରକାଶ ପାଇଲା ୧୯୮୧ ମସିହାରେ।
ସାହିତ୍ୟ ଚର୍ଚ୍ଚା: ଏହି ‘ସତ୍ୟ ସଂଶୟ ସାଲବେଗ’ ଏବଂ ତା’ଛଡ଼ା ଆପଣଙ୍କର ‘ଭୀମ ଭୋଇଙ୍କ ସନ୍ଧାନରେ’, ‘ଅଶ୍ୱିନୀ କୁମାରଙ୍କ ଶେଷ ଦିନ’ ଓ ‘କୁନ୍ତଳା କୁମାରୀ’ ଭଳି ନାଟକଗୁଡ଼ିକରେ ମଧ୍ୟ ଆପଣ ବିଭିନ୍ନ ସାରସ୍ୱତ ସ୍ରଷ୍ଟାଙ୍କ ଜୀବନକୁ ଚିତ୍ରଣ କରିଥିବା ଆମେ ଦେଖିବାକୁ ପାଉ। ଏଗୁଡ଼ିକୁ କ’ଣ ଜୀବନୀମୂଳକ ନାଟକ ଭାବରେ ଆମେ ନେଇପାରିବା?
ନୀଳାଦ୍ରିଭୂଷଣ ହରିଚନ୍ଦନ: ଏହାକୁ ଜୀବନୀମୂଳକ ନାଟକ ଭାବରେ ଆପଣ ଗ୍ରହଣ କରିପାରନ୍ତି; କିନ୍ତୁ ଏହି ସବୁଥିରେ ଗୋଟିଏ ବାର୍ତ୍ତା ଥାଏ ଏବଂ ଏଥିରେ ସେହି ମହାପୁରୁଷମାନଙ୍କର ବ୍ୟକ୍ତିତ୍ୱ ଓ ଇଚ୍ଛାଶକ୍ତି ମଧ୍ୟ ପରିସ୍ଫୁଟ ହେଉଥାଏ।

ସାହିତ୍ୟ ଚର୍ଚ୍ଚା: ଯେତେବେଳେ ଗୋଟିଏ ଜୀବନୀକୁ ଆଧାର କରି ନାଟକଟିଏ ଲେଖାଯାଏ, ସେତେବେଳେ ନାଟକର କେତେକ ମୂଳ ତତ୍ତ୍ୱ, ଯେପରିକି ଉତ୍କଣ୍ଠା ଓ ନାଟକୀୟତା ଆଦି ତାହା ଭିତରକୁ ଆଣିବା କଷ୍ଟକର ହୁଏ କି?
ନୀଳାଦ୍ରିଭୂଷଣ ହରିଚନ୍ଦନ: ନା, କଷ୍ଟ ହୁଏନି; କାହିଁକି ନା ମୁଁ ଯେଉଁ ଲେଖକମାନଙ୍କୁ ନେଇ ନାଟକ ଲେଖିଛି, ସେମାନଙ୍କର ଜୀବନ ହିଁ ଗୋଟିଏ ଗୋଟିଏ ନାଟକ। ତେଣୁ ନାଟକଟିଏ ଗଢ଼ିବାର ଯେଉଁ ପରିକଳ୍ପନା, ତାହା ମୋ’ ପାଇଁ ସମସ୍ୟା ହୋଇନାହିଁ।
ସାହିତ୍ୟ ଚର୍ଚ୍ଚା: ଡି.ଲିଟ୍‌ରେ ଆପଣଙ୍କ ସନ୍ଦର୍ଭର ବିଷୟ ଥିଲା ‘ଆଧୁନିକ ଓଡ଼ିଆ ନାଟକରେ ବାସ୍ତବ ଓ ଉଦ୍ଭଟ ଚେଚନା’। ଏହି ପ୍ରେକ୍ଷାପଟରେ ଆମେ ଜାଣିବାକୁ ଚାହିବୁ ଯେ ଆପଣ କ’ଣ ମନେକରନ୍ତି ଯେ ଉଦ୍ଭଟତାକୁ ଆପଣେଇବା ଫଳରେ ଓଡ଼ିଆ ନାଟକ ଗୋଟିଏ ସମୟରେ ସାଧାରଣ ଦର୍ଶକଙ୍କଠାରୁ ଦୂରେଇଗଲା?
ନୀଳାଦ୍ରିଭୂଷଣ ହରିଚନ୍ଦନ: ହଁ ଦୂରେଇଗଲା; କାହିଁକି ନା ଉଦ୍ଭଟ ନାଟକ ଗୋଟିଏ ନେତିବାଦୀ ଦର୍ଶନ ଉପରେ ପ୍ରତିଷ୍ଠିତ, ଯେଉଁଟା କି ତାହା ପରେ ଆସିଥିବା ଆଶାବାଦୀ ଚେତନାର ବିପରୀତ।
ସାହିତ୍ୟ ଚର୍ଚ୍ଚା: ଆପଣ ଯେଉଁ ଆଶାବାଦୀ ଚେତନାର କଥା କହୁଛନ୍ତି, ତାହା କ’ଣ ସମସାମୟିକ, ଅର୍ଥାତ୍ ଏବର ନାଟକକୁ ଲକ୍ଷ୍ୟ କରି?
ନୀଳାଦ୍ରିଭୂଷଣ ହରିଚନ୍ଦନ: ନା ଏବର ନୁହେଁ; ମୁଁ ତ ୧୯୮୦ ଦଶକରୁ ଏହା ଲକ୍ଷ୍ୟ କଲିଣି।
ସାହିତ୍ୟ ଚର୍ଚ୍ଚା: ତେବେ ଏହାର ପୂର୍ବ ସମୟଟା ଥିଲା ଉଦ୍ଭଟ ନାଟକର ଯୁଗ।
ନୀଳାଦ୍ରିଭୂଷଣ ହରିଚନ୍ଦନ: ହଁ ଏବଂ ଅଶୀ ପରବର୍ତ୍ତୀ ନାଟ୍ୟକାରମାନେ ଅତୀତକୁ ଫେରିଛନ୍ତି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ସମାଲୋଚନା ସାହିତ୍ୟ ପ୍ରତି ଦୃଷ୍ଟି ପକାଇଲେ ଆମେ ପାଉ ଯେ ସେଥିରେ ଆପଣ ପ୍ରାୟତଃ ଅଧ୍ୟାପକୀୟ ଶୈଳୀ ଅନୁସରଣ କରିଛନ୍ତି। ଏଥିସହିତ ଆପଣ ଏକମତ କି!
ନୀଳାଦ୍ରିଭୂଷଣ ହରିଚନ୍ଦନ: ଅଧ୍ୟାପକୀୟ ଶୈଳୀ ହୁଏତ ଏ ଦୃଷ୍ଟିରୁ କୁହାଯାଇପାରେ ଯେ ସେହି ସମାଲୋଚନାଗୁଡ଼ିକ ସାହିତ୍ୟିକ ଭାଷାରେ ଲେଖାଯାଇଛି। ଏ ଧରଣର ଭାଷାକୁ ଛାଡ଼ି ସମାଲୋଚନା ଲେଖାଯାଇପାରିବ ନାହିଁ।
ସାହିତ୍ୟ ଚର୍ଚ୍ଚା: କିନ୍ତୁ କୃତିର ବିଶ୍ଳେଷଣ ଓ ମେଥଡୋଲୋଜୀରେ ମଧ୍ୟ ଥାଏ କି ଏକ ଧରାବନ୍ଧା ଏକାଡେମିକ୍ ଶୈଳୀ?
ନୀଳାଦ୍ରିଭୂଷଣ ହରିଚନ୍ଦନ: ଏହି ଅନୁକୋଣରୁ ଅନ୍ୟମାନଙ୍କ ତୁଳନାରେ ମୁଁ ଅବଶ୍ୟ ଟିକିଏ ଆଧୁନିକ। କେତେଜଣ ସମାଲୋଚକ ଅଛନ୍ତି, ଯେଉଁମାନେ ଗତାନୁଗତିକ ପନ୍ଥାରେ ଲେଖନ୍ତି। କିନ୍ତୁ ମୁଁ ଯାହା କହିବାକୁ ଚାହିଛି, ସିଧାସଳଖ କହିଛି ଏବଂ ଯେତିକି କହିବାର କଥା ସେତିକି ମାତ୍ର କହିଛି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଗୋଟିଏ ସମାଲୋଚନାତ୍ମକ ପୁସ୍ତକ, ‘ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟ – ନୂତନ ପ୍ରେକ୍ଷାପଟ’ର ଗୋଟିଏ ଅଧ୍ୟାୟରେ ଆପଣ ‘ଲାବଣ୍ୟବତୀ’ର ପ୍ରସଙ୍ଗକୁ ନେଇ ଉପେନ୍ଦ୍ର ଭଞ୍ଜଙ୍କ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଛନ୍ତି। ସେ ମଧ୍ୟଯୁଗୀୟ କାବ୍ୟ ହେଉ, ବା ଆଧୁନିକ, ଆପଣ କ’ଣ ଭାବନ୍ତି ଯେ କୌଣସି କବିଙ୍କର ବ୍ୟକ୍ତିତ୍ୱ ତାଙ୍କର ସୃଷ୍ଟି ଉପରେ ଏପରି ପ୍ରଭାବ ବିସ୍ତାର କରିଥାଏ?
ନୀଳାଦ୍ରିଭୂଷଣ ହରିଚନ୍ଦନ: ସେହି ବ୍ୟକ୍ତିତ୍ୱ ଅନୁସାରେ ହିଁ ତାଙ୍କର କବିତା ରୂପାୟିତ ହୋଇଥାଏ। ଆପଣ ଉପେନ୍ଦ୍ର ଭଞ୍ଜଙ୍କ କଥା କହିଲେ; ଉପେନ୍ଦ୍ର ଭଞ୍ଜ ରାଜପୁତ୍ର ଥିଲେ, ପଣ୍ଡିତ ମଧ୍ୟ ଥିଲେ। ସଂସ୍କୃତ ସାହିତ୍ୟ ଓ କାବ୍ୟ ଅଳଙ୍କାରର ସମକକ୍ଷ ସାହିତ୍ୟ ଆମ ଭାଷାରେ ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ଥିଲା।
ସାହିତ୍ୟ ଚର୍ଚ୍ଚା: ତାଙ୍କର କାବ୍ୟକୁଶଳତା ବିଷୟରେ କ’ଣ କହିବେ?
ନୀଳାଦ୍ରିଭୂଷଣ ହରିଚନ୍ଦନ: ସେ ଥିଲେ ଜଣେ ଅସାଧାରଣ କାବ୍ୟକୁଶଳୀ। କାବ୍ୟ ଗଠନ କରିବାକୁ ଯାଇ ସେ ଏଭଳି ଶବ୍ଦ ସଂଯୋଜନା କରିଛନ୍ତି ଯାହା ଆମକୁ ଅତୀବ ଅଭିଭୂତ କରିଦିଏ। ଆମ ଭାଷାର ଶବ୍ଦରାଜିକୁ ନେଇ ଯେ ଏଭଳି ଖେଳ ହୋଇପାରିବ ତାହା ସେ ନିଜ କାବ୍ୟକୃତିରେ ପ୍ରମାଣ କରିଦେଇଛନ୍ତି।
ସାହିତ୍ୟ ଚର୍ଚ୍ଚା: ତେବେ କେବଳ ଭାଷାଡ଼ମ୍ବର ଭିତରେ ହିଁ ଆବଦ୍ଧ ହୋଇ ରହିଗଲା କି ତା’ଙ୍କର କବିତ୍ୱ?
ନୀଳାଦ୍ରିଭୂଷଣ ହରିଚନ୍ଦନ: ଗୋଟିଏ କଥା ହେଲା, ତାଙ୍କର ଏହି ଯେଉଁ କାବ୍ୟକୌଶଳ, ତାହାକୁ ଗୁରୁତ୍ୱ ଦେବା ଫଳରେ ସେ ନିଜର କବିତ୍ୱ ବା କବିଭାବ ପ୍ରକାଶ କରିପାରିନାହାନ୍ତି। ‘ଲାବଣ୍ୟବତୀ’ର ତିନି ବା ଚାରୋଟି ସ୍ଥାନରେ ଅବଶ୍ୟ ତାଙ୍କର କବିତ୍ୱ ପ୍ରତିଭାତ ହୋଇଛି। ‘ବୈଦେହୀଶ ବିଳାସ’ ଓ ‘ପ୍ରେମ ସୁଧାନିଧି’ ଭଳି କାବ୍ୟରେ ମଧ୍ୟ ତାଙ୍କର ଏଭଳି କିଛି କବିତ୍ୱ ଆମେ ଦେଖିବାକୁ ପାଉ। ମୁଁ ଚେଷ୍ଟା କରିଛି, ମୋ’ ସମାଲୋଚନାରେ, ମଣିଷକୁ ଖୋଜିବାକୁ, ଜୀବନକୁ ଖୋଜିବାକୁ ଏବଂ ସେହି ଦୃଷ୍ଟିକୋଣରୁ କବିମାନଙ୍କର ଆକଳନ କରିଛି, ଉପେନ୍ଦ୍ର ଭଞ୍ଜଙ୍କ ସମେତ।
ସାହିତ୍ୟ ଚର୍ଚ୍ଚା: ଏଥର ଟିକିଏ ଭିନ୍ନ ପ୍ରସଙ୍ଗକୁ ଆସିବା। ଶୁଣିଛୁ, ଆପଣ ନିଜର ଆଦ୍ୟ ଅଧ୍ୟାପକୀୟ ଜୀବନରେ ଥରେ ଶୁଦ୍ଧ ଓଡ଼ିଆ ଲିଖନ ବିଷୟରେ ବହିଟିଏ ଲେଖିଥିଲେ। ସେଥିରେ କିନ୍ତୁ ବହୁତ କିଛି ଅଶୁଦ୍ଧତା ରହିଯାଇଥିଲା।
ନୀଳାଦ୍ରିଭୂଷଣ ହରିଚନ୍ଦନ: ବହିଟିର ପ୍ରଥମ ସଂସ୍କରଣରେ ଅବଶ୍ୟ ଏଭଳି ପ୍ରୁଫ୍‌ଜନିତ କିଛି ତ୍ରୁଟି ରହିଯାଇଥିଲା। କିନ୍ତୁ ପରବର୍ତ୍ତୀ ସଂସ୍କରଣରେ ସେସବୁ ସଂଶୋଧନ କରିଦିଆଗଲା।
ସାହିତ୍ୟ ଚର୍ଚ୍ଚା: ଆପଣ ଗୋଟିଏ ପ୍ରମୁଖ ରାଜନୈତିକ ପରିବାରରେ ଜନ୍ମ ହୋଇଥିଲେ ହେଁ ରାଜନୀତିରେ କେବେ ଭାଗ ନେଇନାହାନ୍ତି। କାରଣ କ’ଣ?
ନୀଳାଦ୍ରିଭୂଷଣ ହରିଚନ୍ଦନ: ରାଜନୀତି ପ୍ରତି ମୋ’ର ସଦାବେଳେ ବିତୃଷ୍ଣା। ମୁଁ ଚାହିଥିଲି ଯେ ଜଣେ ଆଦର୍ଶ ଅଧ୍ୟାପକ ହେବି, ପିଲାମାନଙ୍କୁ ପାଠ ପଢ଼ାଇବି, ଲୋକେ ମୋ’ ବକ୍ତୃତା ଶୁଣି ମୁଗ୍ଧ ହେବେ। ଏହା ହିଁ ଥିଲା ମୋର ପ୍ରାଥମିକତା। ପିଲାଦିନୁ ତ ମନରେ କବିତା ପ୍ରତି ଗଭୀର ଆଗ୍ରହ ଥିଲା; ତେଣୁ ସାହିତ୍ୟିକ ହେବାର ଆଗ୍ରହ ସୃଷ୍ଟି ହେଲା। ଛାତ୍ର ଜୀବନରେ ପଢ଼ୁଥିଲି ପ୍ରବଳ। ଏହା ମୋତେ ଏ ଦିଗରେ ସାହାଯ୍ୟ କଲା।
ସାହିତ୍ୟ ଚର୍ଚ୍ଚା: ଏହି ସନ୍ଦର୍ଭରେ ଆମର ମନେପଡ଼ୁଛି ଆପଣଙ୍କର ଜଣେ ପୁରାତନ ସହପାଠୀ ଥରେ ଆମକୁ କହିଥିଲେ ଯେ ଆପଣ ଶ୍ରେଣୀରେ ସବୁବେଳେ ଧୀର, ନିରବ ଓ ଶାଳୀନ ଭାବରେ ରହୁଥିଲେ। ଉତ୍ତର-ଜୀବନରେ ମଧ୍ୟ ଆପଣ ଏହି ଗୁଣାବଳୀ ବଜାୟ ରଖିଛନ୍ତି। ଏହା କଣ ଆପଣଙ୍କ ସାରସ୍ୱତ ସାଧନାର ମୂଳ ମନ୍ତ୍ର?
ନୀଳାଦ୍ରିଭୂଷଣ ହରିଚନ୍ଦନ: ଏଥିପାଇଁ ସାଧନା ଦରକାର ପଡ଼ିନାହିଁ। ଏଇଟା ତ ମଣିଷର ସ୍ୱଭାବଗତ। ଆଉ ତା’ପରେ ମଧ୍ୟ ପାରିବାରିକ ଶିକ୍ଷା। ତେଣୁ ସାଧାରଣ, ସରଳ ଜୀବନଯାପନ ପାଇଁ ଗୋଟିଏ ପ୍ରବଣତା ବୋଧହୁଏ ମୋ’ର ଥିଲା। ନିଜକୁ କୁଟିଳତାରୁ ଦୂରେଇ ରଖିବାକୁ ଯଥାସାଧ୍ୟ ଚେଷ୍ଟା କରିଛି।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ କବିତାକୁ ଆପଣଙ୍କ ଅବଦାନ ମଧ୍ୟ କମ୍ ନୁହେଁ। ଆପଣଙ୍କର ଏ ଯାବତ୍ ଏଗାରଟି କବିତା ସଂକଳନ ପ୍ରକାଶ ପାଇଛି। ତେବେ ଟିକିଏ କହନ୍ତୁ, ନୀଳାଦ୍ରି ଭୂଷଣ ହରିଚନ୍ଦନ ମୁଖ୍ୟତଃ ଜଣେ ଗଦ୍ୟଭାବର ମଣିଷ ନା କବିଭାବର?
ନୀଳାଦ୍ରିଭୂଷଣ ହରିଚନ୍ଦନ: ମୂଳତଃ ମୁଁ ଗଦ୍ୟଭାବ ସମ୍ପନ୍ନ ମଣିଷ ନୁହେଁ।
ସାହିତ୍ୟ ଚର୍ଚ୍ଚା: ନୁହନ୍ତି?
ନୀଳାଦ୍ରିଭୂଷଣ ହରିଚନ୍ଦନ: ମୁଁ ଯେହେତୁ ଜଣେ ଅଧ୍ୟାପକ ଥିଲି, ମୋ’ର ଏକ ସମାଲୋଚନାମୂଳକ ଦୃଷ୍ଟି ଥିଲା। ଗଦ୍ୟରଚନାର ସମ୍ଭାର ମଧ୍ୟ ବିସ୍ତୃତ ଥିଲା। ତାହା ଏକ ଭିନ୍ନ କଥା।

ସାହିତ୍ୟ ଚର୍ଚ୍ଚା: କିନ୍ତୁ ଆପଣଙ୍କର କବିତା ନ ପଢ଼ିଥିବା ଏବଂ କେବଳ ସମାଲୋଚନା-ସାହିତ୍ୟ ପଢ଼ିଥିବା କେହି କହିପାରିବେନି ଯେ ଆପଣ ଜଣେ କବି ଭାବର ମଣିଷ ମଧ୍ୟ।
ନୀଳାଦ୍ରିଭୂଷଣ ହରିଚନ୍ଦନ: ମୁଁ ତ ତିନି ଭାଗରେ ବିଭକ୍ତ; ଜଣେ କବି, ଜଣେ ନାଟ୍ୟକାର ଓ ଜଣେ ସମାଲୋଚକ। ମୁଁ ଯେତେବେଳେ ନାଟକ ଲେଖେ ସେତେବେଳେ ସେଥିରେ ସମ୍ପୂର୍ଣ୍ଣ ମଗ୍ନ ହୋଇଯାଏ; ନାଟ୍ୟପ୍ରବଣତା ଜାଗ୍ରତ ନ ହେଲେ ମୁଁ ନାଟକ ଲେଖି ପାରିବିନି। ଯେତେବେଳେ କବିତା ଲେଖେ, ମୋର ମନକୁ କବିତ୍ୱ ଆସିବା ପରେ ହିଁ ତାହା କରିପାରେ। ପୁଣି ଯେତେବେଳେ ଅନେକ କିଛି ଅଧ୍ୟୟନ କରେ, ତାହାର ପରିଣାମରେ ସମାଲୋଚନା ଲେଖେ। ଏମିତିରେ ସମାଲୋଚନା ତ ଆମର ବୃତ୍ତିଗତ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଗୋଟିଏ କବିତା ଆମେ ପଢ଼ିଥିଲୁ, ‘ପୁଣି ଥରେ ଜନ୍ମ ନେବି’। ସେଥିରେ ଆପଣ କହିଛନ୍ତି: “ଏଇ ଶେଷ ଶେଷ ନୁହେଁ/ ପୁଣିଥରେ ଜନ୍ମନେବି ମୋର ମହିମାମୟୀ ମାଆ କୋଳରେ/ ସେତେବେଳେ ସବୁ ମଣିଷ ସୁନ୍ଦର ହେଇଯାଇଥିବେ/ ସବୁ ମଣିଷଙ୍କ ମୁହଁରୁ ଉତୁରିଆସୁଥିବ ବିମଳ ହସର ଚନ୍ଦ୍ରକାନ୍ତି।’ ଜୀବନ ପ୍ରତି ଏହି ଯେ ସକାରାତ୍ମକ ଦୃଷ୍ଟିଭଙ୍ଗୀ ତାହା କ’ଣ ଆପଣଙ୍କର ଧୀର, ଶାନ୍ତ ଓ ଉଦାର ସ୍ୱଭାବର ଏକ ପ୍ରତିଫଳନ?
ନୀଳାଦ୍ରିଭୂଷଣ ହରିଚନ୍ଦନ: ସେଭଳି ଏକ ଭାବଦୃଷ୍ଟି ପ୍ରକୃତରେ ଏହି କବିତାରେ ଅଛି। ପ୍ରେମକବିତା ଓ ରସୋତ୍ତୀର୍ଣ୍ଣ କବିତା ଛଡ଼ା ମୁଁ ଆମର ଗ୍ରାମ, ରାଜ୍ୟ, ଦେଶ ଓ ବିଶ୍ୱ – ଏସବୁକୁ ମଧ୍ୟ ମୋ’ କବିତାର ପରିସରକୁ ଆଣିଛି। ବିଶେଷ ଭାବରେ, ଆମ ସମାଜର ନିଚ୍ଛକ ସ୍ୱରୂପ ମଧ୍ୟ ସ୍ଥାନ ପାଇଛି ମୋ’ କବିତାରେ।
ସାହିତ୍ୟ ଚର୍ଚ୍ଚା: ଯାହା ଲକ୍ଷ୍ୟକରୁ, ଆପଣଙ୍କ କବିତାରେ ଭାଷା ବା ଭାବଗତ ଉଦ୍ଭଟତା ନାହିଁ।
ନୀଳାଦ୍ରିଭୂଷଣ ହରିଚନ୍ଦନ: ନା, ମୋ’ର ଶୈଳୀ ବରଂ ସୁସ୍ପଷ୍ଟ, ଯାହା ଉଦ୍ଭଟତାର ବିପରୀତ।
ସାହିତ୍ୟ ଚର୍ଚ୍ଚା: ଜଣେ ଆଦର୍ଶ ଅଧ୍ୟାପକ ଭାବରେ ଓଡ଼ିଆ ବିଭାଗର ଅଧ୍ୟାପନା ପ୍ରତି ଆପଣଙ୍କର ଅବଦାନ ଅନେକ। ଏ ଦୃଷ୍ଟିରୁ ଆମେ ଜାଣିବାକୁ ଚାହିବୁ, ଓଡ଼ିଆ ବିଭାଗରେ ଆପଣଙ୍କ ସମୟର ଅଧ୍ୟାପନା ଓ ଏବର ଅଧ୍ୟାପନାକୁ ତୁଳନା କଲେ ଆପଣ ଏହା ଅବକ୍ଷୟଗ୍ରସ୍ତ ହେଉଥିବା ଅନୁଭବ କରନ୍ତି କି?
ନୀଳାଦ୍ରିଭୂଷଣ ହରିଚନ୍ଦନ: ବହୁତ ପରିମାଣରେ ଅବକ୍ଷୟଗ୍ରସ୍ତ ହୋଇଛି ଏହା; ଗବେଷଣାରେ ମଧ୍ୟ ଏହା ଘଟିଛି। ଏହାର କାରଣ ହେଉଛି, ସେଭଳି ପ୍ରତିଭାସମ୍ପନ୍ନ ଶିକ୍ଷକ ଆଉ ଅଧ୍ୟାପନାକୁ ଆସୁନାହାନ୍ତି।
ସାହିତ୍ୟ ଚର୍ଚ୍ଚା: ଶୁଣିଛୁ ଯେ କେତେକ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ସିଲାବସ୍‌ରୁ ବା ସ୍ପେଶାଲ ପେପରରୁ ଭଞ୍ଜ ସାହିତ୍ୟକୁ ହଟାଇ ଦିଆଯାଉଛି, କାରଣ ଏହା ପଢ଼ାଇବା ପାଇଁ ସୁଦକ୍ଷ ଅଧ୍ୟାପକ ନାହାନ୍ତି। ଏହା କ’ଣ ସତ?
ନୀଳାଦ୍ରିଭୂଷଣ ହରିଚନ୍ଦନ: ସେଇଟା ଠିକ୍ କଥା। କେତେକ ବିଶ୍ୱବିଦ୍ୟାଳୟରେ ସିଲାବସରେ ଥିବା ସତ୍ତ୍ୱେ ଦୀନକୃଷ୍ଣଙ୍କ ‘ରସକଲ୍ଳୋଳ’, ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ‘ବିଦଗ୍ଧ ଚିନ୍ତାମଣି’ ଓ ଉପେନ୍ଦ୍ର ଭଞ୍ଜଙ୍କ ‘ଲାବଣ୍ୟବତୀ’ ବିଶେଷ ଭାବରେ ପଢ଼ା ହେଉନାହିଁ। ଛାତ୍ରମାନେ ମଧ୍ୟ ଏଥିପ୍ରତି ଆଗ୍ରହୀ ନୁହନ୍ତି।
ସାହିତ୍ୟ ଚର୍ଚ୍ଚା: ସମାଲୋଚନା ସାହିତ୍ୟର ଜଣେ ପ୍ରବୀଣ ସ୍ରଷ୍ଟା ଭାବରେ ଆପଣ ଅନୁଭବ କରନ୍ତି କି ଯେ ଆମ ସମାଲୋଚନା ସାହିତ୍ୟ ଧୀରେ ଧୀରେ ଦୁର୍ବଳ ହୋଇପଡୁଛି, ବା ନିଜର ସ୍ଥିତି ହରାଇବାକୁ ବସିଛି?
ନୀଳାଦ୍ରିଭୂଷଣ ହରିଚନ୍ଦନ: ହଁ ଏହା କୁହାଯାଇପାରେ; କାରଣ ଉପଯୁକ୍ତ ସମାଲୋଚକ ଆଉ ବେଶି ଜଣ ନାହାନ୍ତି। ଏହାର ଗଭୀର ଅଧ୍ୟୟନ ପାଇଁ ମଧ୍ୟ ଦୃଷ୍ଟି ଦିଆଯାଉନାହିଁ। ଏବେ ତ ସମାଲୋଚନା ସାହିତ୍ୟ କେବଳ ଛାତ୍ର ଓ ଗବେଷକଙ୍କ ମଧ୍ୟରେ ହିଁ ସୀମିତ ହୋଇ ରହିଯାଇଛି।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ଉପଯୋଗୀ ଆଲୋଚନାଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୬  ସଂଖ୍ୟାରେ ପ୍ରକାଶିତ। )

Leave a Reply

Your email address will not be published. Required fields are marked *