ଅକ୍ଷୟ ତୃତୀୟାର କରୁଣ ଗାଥା

ଅଭୁଲା ସ୍ମୃତି ସେ, ତିଥି ଥିଲା ଅକ୍ଷୟ ତୃତୀୟାର।

ଅଳକା ନନ୍ଦ

ଅଠରଶହ ଛଅଷଠି ସନର
ନଅଙ୍କ ଦୁର୍ଭିକ୍ଷ କଥା,
ମନେଅଛି କିବା ହେ ଓଡ଼ିଆ ଭାଇ
ସେବର କରୁଣ ଗାଥା?(୧)

ମୁଖେ ଦାନା ନାହିଁ ପେଟେ କନା ନାହିଁ
ଚାରିଆଡ଼େ ହାହାକାର,
‘ଅନ୍ନ ଦିଅ, ଅନ୍ନ ଦିଅ’ ଡାକୁଥିଲା,
କଙ୍କାଳର ପଟୁଆର।(୨)

କଅଁଳା ଶିଶୁଟି କ୍ଷୀର ଟିକେ ପାଇଁ
କରୁଥିଲା ହାହାକାର,
କ୍ଷୀର ବଦଳରେ ମା’ର ଛାତିରୁ
ଝରୁଥିଲା ଲହୁ ଧାର।(୩)

ଶବ ବୋହିବୋହି ଲୋକଙ୍କ କାନ୍ଧରେ
ବିଣ୍ଡି ପଡ଼ିଯାଉଥିଲା,
ଭୋକିଲା ପେଟରେ ଶବକୁ ଉଠେଇ
ନିଜେ ଶବ ହେଉଥିଲା।(୪)

କୁଢ଼କୁଢ଼ ସେଇ ଶବଙ୍କ ଗନ୍ଧରେ
ଜିଅନ୍ତାଟା ମରୁଥିଲା,
ପୁଅର ମଡ଼ାକୁ ଘୋଷାରି ଘୋଷାରି
ବାପ ଟାଣି ନେଉଥିଲା।(୫)

ମାଆ କୋଳେ ମୃତ ଶିଶୁର ଶରୀର
ସ୍ତିରୀ କୋଳେ ମୃତ ସ୍ବାମୀ,
ପୁଅର କାନ୍ଧରେ ବାପର ଶରୀର, ସେ
ମଶାଣିର ପଥ ଗାମୀ।(୬)

ଗୋଡ଼ ଟାଣିଟାଣି ନେଇ ଯାଉଥିଲା
ଜୀର୍ଣ୍ଣ ଭାଇ, ଭଉଣୀକୁ,
ଖାଇବାକୁ ନାହିଁ ବାଉଁଶ ପତର,
ଟୋପେ ପାଣି ପିଇବାକୁ।(୭)

କୁଢ଼କୁଢ଼ ହୋଇ କାଙ୍ଗାଳ ଶୋଇଲେ,
ମୃତ୍ୟୁ ଚାଦର ତଳେ,
ବଡ଼ଦାଣ୍ଡ ଧୂଳି ଓଦା ହେଉଥିଲା ,
ତାଙ୍କରି ଆର୍ତ୍ତନାଦରେ ।(୮)

ଶରୀର ଉପରେ ଜୀବନର ଭାର
ଦୁର୍ବିସହ ହେଉଥିଲା,
କାଙ୍ଗାଳଙ୍କ ଏଇ ଭୟାବହ ରୂପ
ବଡ଼ଦାଣ୍ଡ ଦେଖୁଥିଲା।(୯)

ଓଡ଼ିଆ ଭାବିଲା, ମରିବା ଆଗରୁ
ଦେଖିବ କଳା ଠାକୁର,
ଜୀର୍ଣ୍ଣ ଓଡ଼ିଆ ପାଦ ବଢ଼ାଇଲା,
ଦେଖିବ ପୁରୀ ମନ୍ଦିର। (୧୦)

ମାଗିବନି ତାଙ୍କୁ ଅଭଡ଼ା ଅଥବା
ମୁନ୍ଦାଏ ଟଙ୍କ ତୋରାଣି,
କାଠ ଗଡ଼ ଆଡ଼େ ଚାହିଁ ଚାହିଁ ଖାଲି
ଆଖିରୁ ମାରିବ ପାଣି।(୧୧)

କାଙ୍ଗାଳ, କଙ୍କାଳ ପଟୁଆର ଦେଖି,
ବୋଲେ ଫିରଂଗୀ ସାଇବ,
“ବାଣ୍ଟି ଦିଅରେ ମନ୍ଦିର ଚାଉଳ,
ଏ କାଙ୍ଗାଳ ଭାତ ଖାଇବ”।(୧୨)

ଗଜପତିଙ୍କୁ ଆଦେଶ ମିଳିଲା
କାଙ୍ଗାଳଙ୍କ ପେଟ ଭର,
କୋଟିଏ କାଙ୍ଗାଳ ଏକାଠି କହିଲେ
“ଏ ଭାତ, ଆମ ଜଗାର।”(୧୩)

ଥରଥର ହୋଇ ଜୀର୍ଣ୍ଣ ବୁଢୀଟିଏ
କହିଲା “ଫିରଂଗୀ ପୁଅ,
ମୁଁ ମରେଁ, ମୋର ସ୍ବାମୀ ମରୁ ଅବା
ମରୁ ଆଜି ମୋର ପୁଅ।(୧୪)

ନାତି ନାତୁଣୀଏ ମରନ୍ତୁ ପଛକେ,
ମରୁ ଏ ଓଡିଆ ଜାତି,
କାଳିଆର ଦାନା ଛୁଇଁବାନି ଆମେ,
ଏ ହେଲା ଆମର ନୀତି।(୧୫)

ଜୀବନ ଦେଇଛି, ମରଣ ବି ଦେବ,
ଆମର ଏ ଚକା ଆଖି,
ସେଇତ ରହିଛି ଠିଆ ହୋଇ,
ଆମ ଜୀବନର ମୂକ ସାକ୍ଷୀ। (୧୬)

ହୁଳହୁଳି ଦେଇ ବିଦା ମୁଁ କରିବି,
ଯିଏ ବି ମରିବ ଆଜି,
କାଙ୍ଗାଳ ହେଉ କି କଙ୍କାଳ ହେଉ ସେ ତ
ଜଗାର ଶରଣେ ଆଜି।(୧୭)

ଖାଇବା ଠାକୁର ମୋ ଜଗା କାଳିଆ,
ଷାଠିଏ ପଉଟି ଖାଉ,
ଏଇ ବଡ଼ଦାଣ୍ଡେ ଓଡ଼ିଆ ଜାତିର
ଜୀବନଟା ପଛେ ଯାଉ।”(୧୮)

କାନ୍ଦିଲା କାଳିଆ ଓଡ଼ିଆ ଜାତିର,
ଦେଖି ପ୍ରେମ ଆଉ ସ୍ନେହ,
ଭରିଗଲା କଳା ବାଦଲ ଗଗନେ
ବରଷିଲା ସଜ ଲୁହ।(୧୯)

କୋଉ କାଳୁ ବର୍ଷା ଦେଖି ତ ନଥିଲା,
କଙ୍କାଳ ଗଲା ଭିଜି,
ଦୁଇ ହାତ ଟେକି ‘ଜଗା ଜଗା’
ବୋଲି ନାଚିଲା ଓଡ଼ିଆ ଭଜି।(୨୦)

ଗୋଟିଏ ରାତିରେ ବଦଳେଇ ଦେଲା
ଭାଗ୍ଯ ଯେ କେତେ ରାତିର,
ଅଭୁଲା ସ୍ମୃତି ସେ, ତିଥି ଥିଲା
ଏ ଅକ୍ଷୟ ତୃତୀୟାର।(୨୧

3 thoughts on “ଅକ୍ଷୟ ତୃତୀୟାର କରୁଣ ଗାଥା

Leave a Reply

Your email address will not be published. Required fields are marked *