ଚିଠି

“ତୁମେ ସେ ଚିଠିରେ କେତେ କ’ଣ ଲେଖିଥିବ ବୋଲି ମୁଁ ଆଶା କରୁଥିଲି, ଅଥଚ କ’ଣ ଲେଖିଥିଲ ତୁମେ?

ସନ୍ତୋଷ କୁମାର ପଟ୍ଟନାୟକ

ମୋ’ ସାନଭଉଣୀ ସାଙ୍ଗେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ରୂପାଲି ବେଳେବେଳେ ଆମ ଘରକୁ ଆସୁଥିଲା। ତା’ର ମୁହଁଟା ଗୋଲଗାଲ ଥିଲେ ବି ହାତଗୋଡ଼ ଖୁବ୍ ପତଳାଥିଲା। ମୋ’ର ସାନଭଉଣୀ କହୁଥିଲା, ରୂପାଲି କିନ୍ତୁ ଖେଳକୁଦରେ ତାଙ୍କ ଶ୍ରେଣୀରେ ସର୍ବଦା ପ୍ରଥମ ହେଉଥିଲା। ମୁଁ ଥରେ ସାନଭଉଣୀର ସ୍କୁଲର କ୍ରୀଡ଼ା ବାର୍ଷିକୋତ୍ସବକୁ ଯାଇଥିଲି। ରୁପାଲି ଦୌଡ଼ ପ୍ରତିଯୋଗିତାରେ ତା’ଠାରୁ ଉଚ୍ଚ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ଅନାୟାସରେ ହରାଇ ପ୍ରଥମ ସ୍ଥାନ ଅଧିକାର କରିଥିଲା। ବିଭିନ୍ନ ପ୍ରକାରର ଦୌଡ଼ରେ ତା’ର ଏହି ପାରଦର୍ଶିତା ଦେଖି ମୁଁ ତାକୁ ଥଟ୍ଟାରେ ହରିଣୀ ବୋଲି ଡାକୁଥିଲି ଓ କହୁଥିଲି, “ରୂପାଲି ତୁ ଗତ ଜନ୍ମରେ ନିଶ୍ଚିତ ହରିଣ ଥିଲୁ। ଏତେ ସୁନ୍ଦର କେମିତି ଦୌଡ଼ୁଛୁ?” ସେ କହିଥିଲା, “ଭାଇ, ମୁଁ ଦୌଡ଼ିଲା ବେଳେ ତୁମେ ତ ସବୁଠାରୁ ବେଶି ତାଳିମାରି ମତେ ଉତ୍ସାହିତ କରୁଥିଲ। ସେଥିରେ ମୁଁ ‘ଜୋସ୍‌’ରେ ଆସି ମୋ’ଠାରୁ ବଡ଼ ପିଲାଙ୍କୁ ମଧ୍ୟ ପଛରେ ପକାଇଦେଇପାରିଲି।”
ପୁଣି ଫେରିଆସିଲା
କିଛିଦିନ ପରେ ରୂପାଲିର ବାପାଙ୍କର ଅନ୍ୟ ସହରକୁ ବଦଳି ହୋଇଯାଇଥିଲା। ଆମେ ରୂପାଲି ତଥା ତାଙ୍କ ପରିବାରକୁ ଧୀରେଧୀରେ ଭୁଲି ଯାଇଥିଲୁ। ୟା’ଭିତରେ ପ୍ରାୟ ପାଞ୍ଚବର୍ଷ ବିତିଯାଇଥିଲା। ଦିନେ ହଠାତ୍ ମୋର ସାନଭଉଣୀ ମତେ ଆଶ୍ଚର୍ଯ୍ୟ କଲାପରି ଗୋଟିଏ ଖବର କହିଥିଲା। ସେ କହିଥିଲା, “ଭାଇ ଜାଣିଛୁ, ରୂପାଲିର ବାପା ଟ୍ରାନ୍ସଫର୍ ହୋଇ ପୁଣି ଏଠିକି ଆସୁଛନ୍ତି। ଆମ ଘର ପାଖରେ ଘର ପାଇଛନ୍ତି। ରୂପାଲି ବେଶ୍ ବଡ଼ ଓ ଗୋଲଗାଲ ହୋଇଯାଇଛି। ତୁ ଦେଖିଲେ ହଠାତ୍ ଚିହ୍ନିପାରିବୁ ନାହିଁ। ସେ ତୋରି କଲେଜରେ ପଢ଼ିବ। ଆଉ କୋଉ କଲେଜରେ ତାକୁ ସିଟ୍ ମିଳିଲା ନାହିଁ।” କିଛିଦିନ ପରେ ମାଉସୀ ଅର୍ଥାତ୍ ରୂପାଲିର ମା’ଙ୍କର ଡାକରାପାଇ ସାନଭଉଣୀ ସାଙ୍ଗେ ତାଙ୍କ ଘରକୁ ଯାଇଥିଲି। ମାଉସୀ କହିଥିଲେ “ବାବୁ ରୂପାଲିକୁ କେବଳ ତୁମ କଲେଜରେ ସିଟ୍ ମିଳିଲା। କିନ୍ତୁ ମୁଁ ଶୁଣୁଛି, ତମ କଲେଜର ପିଲାଗୁଡ଼ା ଅଭଦ୍ର ଓ ବଦମାସ। ସେମାନେ ଝିଅମାନଙ୍କୁ କମେଣ୍ଟ୍ ମାରନ୍ତି ଓ ହଇରାଣ କରନ୍ତି। କିନ୍ତୁ ମୁଁ ଭାବୁଛି, ରୂପାଲି ତମ ସାଙ୍ଗେ କଲେଜକୁ ଗଲେ ମୁଁ ଟିକେ ନିଶ୍ଚିନ୍ତ ହୁଅନ୍ତି।” ମୁଁ କହିଥିଲି, “ମାଉସୀ ଆପଣ କିଛି ଚିନ୍ତା କରନ୍ତୁ ନାହିଁ। ସେ ପରା ମୋ’ ସାନଭଉଣୀର ସାଙ୍ଗ। ମୋ’ ସାଙ୍ଗରେ କଲେଜ ଗଲେ କେହି ତାକୁ କୌଣସି ପ୍ରକାର ଅସୁବିଧା କରିବେନି।” ଆମର ଏପରି କଥାବାର୍ତ୍ତା ଚାଲିଥିବାବେଳେ ରୂପାଲି ଆସି ମତେ ନମସ୍କାର କରିଥିଲା। ମୁଁ ତାକୁ ହଠାତ୍ ଚିହ୍ନିପାରିଲି ନାହିଁ। ସେ ବେଶ୍ ସତେଜ ଓ ସୁନ୍ଦର ଦେଖାଯାଉଥିଲା। କଥାବାର୍ତ୍ତା ଆଗ ଅପେକ୍ଷା ଧୀର ଓ ସଂଯତ। ୟା’ପରେ ରୂପାଲି ମୋ’ ସାଙ୍ଗରେ କଲେଜ ଯାଉଥିଲା। ରାସ୍ତାରେ ଆମେ ବହୁତ କିଛି କଥାବାର୍ତ୍ତା କରୁଥିଲୁ। କ୍ରମେ ମୁଁ ଅନୁଭବ କରୁଥିଲି ଯେପରି ତା’ ପ୍ରତି ମୋର ଆକର୍ଷଣ ବଢ଼ି ଚାଲିଛି। ମୁଁ ତା’ ବିଷୟରେ ଭାବୁଥିବା ଅନ୍ତରର ଗହନକଥା ତାକୁ କହିବାକୁ ଚେଷ୍ଟା କରୁଥିଲେ ବି କହିପାରୁନଥିଲି।
କଲେଜରେ ଆମ ସିନିୟର ତଥା ଛାତ୍ରନେତା ସ୍ୱାଇଁବାବୁଙ୍କ ସାଙ୍ଗେ ମୋ’ର ବିଶେଷ ଘନିଷ୍ଠତା ଥିଲା। ପ୍ରେମ ବିଷୟରେ ଅନେକ ତିକ୍ତ, ମଧୁର ତଥା ପ୍ରତ୍ୟକ୍ଷ ଓ ପରୋକ୍ଷ ଅନୁଭୂତି ତାଙ୍କର ଥିଲା ବୋଲି ଆମେ ଜାଣିଥିଲୁ। କଲେଜ କ୍ୟାଣ୍ଟିନଠାରୁ ସାମାନ୍ୟ ଦୂରରେ ଗୋଟିଏ ଛୋଟିଆ ପାର୍କ ପାଖରେ ଆମର ଖଟି ହେଉଥିଲା। ଅନେକ ବିଷୟରେ ଆମେ ତାଙ୍କ ପରାମର୍ଶ ନେଇଥାଉ। ଦିନେ ଏକାନ୍ତରେ ତାଙ୍କୁ ଭେଟି ପଚାରିଥିଲି “ବଡ଼ଭାଇ, ମୁଁ ଗୋଟିଏ ଝିଅକୁ ଭଲପାଇ ବସିଛି। କିନ୍ତୁ ତା’ର ମୋ’ ପ୍ରତି କି ପ୍ରକାର ଧାରଣା ମୁଁ ସଠିକ୍ ଜାଣିପାରୁନି। ଯଦି ତାକୁ ମୁଁ ଭଲପାଉଛି ବୋଲି କହିବି କିନ୍ତୁ ତା’ର ମୋ’ ପ୍ରତି ସେପରି କିଛି ମନୋଭାବ ନଥାଏ, ତା’ର ବାପା, ମା’ଙ୍କୁ କହିଦେଲେ ଘୋର ଅନର୍ଥ ହୋଇଯିବ। ମୋ’ର କଲେଜ ପଢ଼ା ବନ୍ଦ ହେଲାଭଳି ପରିସ୍ଥିତି ମଧ୍ୟ ଉପୁଜିପାରେ।” ସ୍ୱାଇଁବାବୁ କିଛି ସମୟ ଚିନ୍ତାକରି କହିଥିଲେ, “ସେ ତମ ସାଙ୍ଗରେ କଥାବାର୍ତ୍ତା କରୁଛି ତ?” ମୁଁ ଉତ୍ତର ଦେଇଥିଲି, “ବହୁତ କଥାବାର୍ତ୍ତା କରୁଛୁ। କିନ୍ତୁ ସଂକୋଚ ତଥା ବିଭିନ୍ନ ଆଶଙ୍କା କରି ତାକୁ ମୁଁ ଭଲପାଉଛି ବୋଲି କହିପାରୁନି।” “ତା’ହେଲେ ତମେ ଗୋଟିଏ ଖାଲି ଧଳାକାଗଜ ଚାରିଭାଙ୍ଗକରି ନିଅ; କଥାବାର୍ତ୍ତା ଆଳରେ ତାକୁ କହିବ, ତୋ’ ବିଷୟରେ ମୁଁ ଭାବୁଥିବା କେତେଟା କଥା ମୁଁ କହିପାରୁନି, ଗୋଟିଏ ଚିଠିରେ ସେସବୁ କଥା ଲେଖି ଆଣିଛି କହି ତାକୁ ସେ ଚିଠିଟା ଦେବାକୁ ଚେଷ୍ଟା କରିବ, ଯଦି ବିନା ଦ୍ୱିଧାରେ ନେଇଗଲା, ତା’ହେଲେ ଜାଣିବ ତମ ପ୍ରତି ତା’ର ପ୍ରେମ ଅଛି। ଯଦି ଅନ୍ୟ କିଛି ଭାବନା ଅଛି, ତମପ୍ରତି ସେଭଳି କିଛି ସ୍ୱତନ୍ତ୍ର ଆକର୍ଷଣ ନାହିଁ, ତା’ହେଲେ ତାଙ୍କ ଘରେ ବା ଅନ୍ୟ କୌଣସି ସ୍ଥାନରେ ତମେ ଚିଠି ଦେବା କଥା କହିଲେ ବି ତମେ ବିପଦରେ ପଡ଼ିବନାହିଁ। କାରଣ, ତମେ ଦେଇଥିବା କାଗଜଟା ଖାଲି। ଯଦି ସେ ଆଗ୍ରହ ସହକାରେ ସେ ଚିଠିଟି ନେବ, ଜାଣିବ, ସେ ତମକୁ ଭଲପାଉଛି। ଯଦି ସେ କହେ, ତମେ ଦେଇଥିବା ଚିଠିରେ କିଛି ଲେଖାନାହିଁ, ତା’ହେଲେ ଭୁଲ୍ ହୋଇଗଲା ବୋଲି କହି ତୁମେ ଯାହା ଭାବୁଛ ପରେ ଗୋଟିଏ ଚିଠିରେ ସେକଥା ଲେଖି ତାକୁ ଦେଇଦେବ।” କଥାଟା ମୋ’ ମନକୁ ପାଇଥିଲା।

କେମିତି ଦେଲି ଚିଠି
ତା’ପରଦିନ କଲେଜ ଯିବା ଆଗରୁ ଗୋଟିଏ ସାଦା ଧଳାକାଗଜକୁ ଚାରିଭାଙ୍ଗକରି ବହି ଭିତରେ ରଖିଥିଲି। ରୂପାଲିକୁ କ’ଣ କହି ଏ କାଗଜଟାକୁ ଦେବି ବୋଲି ଭାବୁଭାବୁ ଗୋଟିଏ ଉଦ୍ଭଟ ଚିନ୍ତା ମୋ’ମନକୁ ଆସିଥିଲା। ସେ କାଗଜକୁ ଖୋଲି ତା’ଦେହରେ ଇଂରାଜୀରେ ‘ଏପ୍ରିଲ ଫୁଲ୍‌’ ବୋଲି ଲେଖି ପୁଣି ଭାଙ୍ଗକରି ରଖିଦେଇଥିଲି। ତା’ପରଦିନ କଲେଜ ଯିବା ରାସ୍ତାରେ ତାକୁ କିଛି ନ କହି ଦୁଇ/ତିନିଥର ନିରେଖି ଚାହିଁବାରେ ସେ ପଚାରିଥିଲା, “କ’ଣ ହେଇଛି ଭାଇ। ଏମିତି ଆଜି କାହିଁକି ମତେ ଦେଖୁଛ?” ମୁଁ କହିଥିଲି, “ଗୋଟିଏ କଥା ତତେ କହିବି ବୋଲି ଭାବୁଥିଲି, ଗୋଟିଏ ଚିଠିରେ ସେକଥା ଲେଖି ଆଣିଛି।” ରୂପାଲିର ମୁହଁ ରକ୍ତିମ ହୋଇଯାଇଥିଲା। ମୋ’ଠାରୁ ଚିଠିଟି ନେଇ ତା’ର ଖାତା ଭିତରେ ରଖିଦେଇଥିଲା। କିନ୍ତୁ ଏହି ଘଟଣା ପରେ ମୋ’ ପାଇଁ ଏକ ଚରମ ଦୁର୍ଦ୍ଦଶା ଅପେକ୍ଷାକରି ରହିଥିବା କଥା ମୁଁ ଆଶା କରିନଥିଲି।
ତା’ପରଦିନ ମୁଁ ସାମାନ୍ୟ ଆଶ୍ଚର୍ଯ୍ୟ ହେଇଥିଲି ଯେ ରୂପାଲି ମତେ ଅପେକ୍ଷା ନକରି ଏକୁଟିଆ କଲେଜ ଚାଲିଯାଇଥିଲା। ମତେ କଲେଜରେ ଦେଖିଲା ପରେ ମଧ୍ୟ ନ ଦେଖିଲା ପରି ମୁହଁ ବୁଲାଇ ସାଙ୍ଗମାନଙ୍କ ସାଙ୍ଗେ ଗପୁଥିଲା। ମୁଁ ନିଶ୍ଚିତ ହେଲି, ରୂପାଲି ମୋ’ ଚିଠିଟା ପାଇ ରାଗିଯାଇଛି। ତା’ର ବାପା-ମା’ଙ୍କୁ କ’ଣ କହିଥିବ ଓ ମୋ’ର କ’ଣ ହେବ ଭାବି ଆଶଙ୍କାରେ ଥିଲି। ଏହିପରି ମାସ ପରେ ମାସ ବିତିଗଲା ପରେ ବି ରୂପାଲି ଆଉ ମୋ’ ସାଙ୍ଗରେ କିଛି କଥାବାର୍ତ୍ତା କରୁନଥିଲା। କେତେମାସ ପରେ ରୁପାଲିର ବାପା ଅବସର ନେଇ ନିଜର ଗ୍ରାମକୁ ଯିବେ ବୋଲି ମୁଁ ଶୁଣିଲି। ତାଙ୍କର ଓ ଆମ ପରିବାର ବେଶ ଘନିଷ୍ଠ ହୋଇଯାଇଥିଲେ। କିନ୍ତୁ ରୂପାଲି ମୋ’ ସାଙ୍ଗରେ ମିଳାମିଶା ଓ କଥାବାର୍ତ୍ତା ସଂପୂର୍ଣ୍ଣ ବନ୍ଦ କରିଦେଇଛି ବୋଲି କେହି ଜାଣିନଥିଲେ। ସେମାନେ ଆମ ସହର ଛାଡ଼ି ସବୁଦିନ ପାଇଁ ଯିବାକୁ ବିଦାୟ ନେଇଥିଲେ। ବୋଉ ସେମାନଙ୍କ ପାଇଁ ଜଳଖିଆ ତିଆରିକରି ଗୋଟିଏ ଟିଫିନ୍‌ରେ ସେମାନେ ଯାଉଥିବା ବସ୍‌ରେ ଦେବାକୁ ମତେ କହିଥିଲା। ମୁଁ ବସ୍‌ଷ୍ଟାଣ୍ଡରେ ପହଞ୍ଚି ଦେଖିଲି ରୂପାଲି ବସ୍‌ର ଝରକା ପାଖରେ ବସିଛି। ମତେ ଦେଖି ସେ ଅନ୍ୟଆଡ଼େ ମୁହଁ ବୁଲାଇ ଦେଇଥିଲା। ତଥାପି ମୁଁ ତା’ପାଖକୁ ଯାଇ କହିଥିଲି, “ରୂପାଲି ରାସ୍ତାରେ ଖାଇବା ପାଇଁ ବୋଉ ଜଳଖିଆ ଟିଫିନ୍‌ରେ ଦେଇଛି ନିଅ।” ଅନେକଦିନ ପରେ ସେ ମତେ ସିଧା ଚାହିଁଥିଲା। ମୁଁ ଧୀରେ କହିଥିଲି, “ସେ ଚିଠି ପାଇଁ ମୁଁ ଦୁଃଖିତ ରୂପାଲି।” “ଦୁଃଖିତ?” ସେ କହିଥିଲା, “ଭାଇ ତମେ ଜୀବନରେ କୌଣସି ଝିଅର ପ୍ରତ୍ୟାଶା ଓ ଆବେଗକୁ ନେଇ ଖେଳିବ ନାହିଁ। ତୁମେ ସେ ଚିଠିରେ କେତେ କ’ଣ ଲେଖିଥିବ ବୋଲି ମୁଁ ଆଶା କରୁଥିଲି, ଅଥଚ କ’ଣ ଲେଖିଥିଲ ତୁମେ? ଏପ୍ରିଲ୍ ଫୁଲ୍‌? ପ୍ରକୃତରେ ୟୁ ଆର୍ ଏ ଫୁଲ୍।” ମୁଁ ବୁଝାଇବାକୁ ଚେଷ୍ଟାକରି କହିଥିଲି, “ସରି ରୂପାଲି, ଆଗକୁ ଏପରି କେବେ ହେବନାହିଁ…. ପ୍ରମିସ୍‌….।” ବସ୍ ଛାଡ଼ି ଦେଇଥିଲା, ଟିଫିନ୍‌ଟା ମୋ’ ହାତରେ ରହିଯାଇଥିଲା।


ଲେଖକଙ୍କ ବାସ୍ତବ ଜୀବନର ଏକ ଘଟଣାକୁ ନେଇ ରଚିତ ଏହି ଅନୁଭୂତିରେ ଚରିତ୍ରମାନଙ୍କର ବାସ୍ତବ ନାମ ବଦଳାଇ ଦିଆଯାଇଛି। – ସମ୍ପାଦକ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ, ୨୦୨୬  ସଂଖ୍ୟାରେ ପ୍ରକାଶିତ। )

3 thoughts on “ଚିଠି

  1. Sir apananka lekha gudika bhari sarala ,swacha au sadharana manisha nijaku sei kahani re andha boli sahaja re grahana karineipare. Kahani yiku padhuthila bela mo manasa pata re sate jemiti gote chalachitra te chaluthila . Sabu charitra nku sate mu janichi bahut nijara bhabare thik sehi pari laguthila. Kahani tiku sampurna janiba paen mana ku byakulata r charama sima re rakhi kahani ti apana samapta karidela. Kintu seita hni bodhe ek ukrushta lekha k r lekhani saili.

  2. ସାଦର ପ୍ରଣାମ।🙏
    ​ଆପଣଙ୍କର ଲେଖନୀର ଯାଦୁ ଓ କାଳ୍ପନିକ ଅଭିବ୍ୟକ୍ତି ସତରେ ପ୍ରଶଂସନୀୟ। ଆପଣ ‘ରୂପାଲୀ’ ଚରିତ୍ରକୁ ନେଇ ଯେଉଁ ସୁନ୍ଦର ଓ ଆବେଗଭରା କାହାଣୀ ରଚନା କରିଛନ୍ତି, ତାହା ପାଠକୀୟ ଆଦୃତି ଲାଭ କରିଛି। ସେଥିପାଇଁ ଜଣେ ସାହିତ୍ୟ ଅନୁରାଗୀ ଭାବେ ଆପଣଙ୍କୁ ଅନେକ ସାଧୁବାଦ।
    ​ତେବେ ସାହିତ୍ୟର ସେହି କାଳ୍ପନିକ ଦୁନିଆ ଆରପଟେ ଏକ ବାସ୍ତବ ଜୀବନ ମଧ୍ୟ ରହିଛି। ଆଜି ମୁଁ ଆପଣଙ୍କୁ ‘ରୂପାଲୀ’ଙ୍କ ବାସ୍ତବ ଜୀବନର ଏକ ସୁଖଦ ସତ୍ୟ ସହ ପରିଚିତ କରାଇବାକୁ ଚାହେଁ:😀😀

    ରୂପାଲୀଙ୍କର ବିବାହ ସମ୍ପନ୍ନ ହୋଇସାରିଛି। ଆମେ ଦୁହେଁ ପତି-ପତ୍ନୀ ଭାବେ ଏକ ଅତି ସୁଖୀ ଓ ଶାନ୍ତିପୂର୍ଣ୍ଣ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛୁ।😉😜

    ଭଗବାନଙ୍କ ଆଶୀର୍ବାଦରୁ ଆମର ଏକ ପୁତ୍ର ଓ ଏକ କନ୍ୟା ସନ୍ତାନ ଅଛନ୍ତି, ଯେଉଁମାନଙ୍କ କଳରବରେ ଆମ ସଂସାର ହସଖୁସିରେ ଆନ୍ଦୋଳିତ ହେଉଛି।😀

    1. I am very happy to hear that you both are happily enjoying your married life. But as daughters, we have one request — we want to meet madam Rupali once, the lady from our papa’s soft-lived love story.

Leave a Reply

Your email address will not be published. Required fields are marked *