ପୂରାଦମରେ ଇଂରାଜୀ ନବବର୍ଷ ପାଳନ କଲାବେଳେ ଟିକିଏ ଦେଶୀ ନବବର୍ଷକୁ ନଜର ପକାନ୍ତୁ।

ଦୀପାବଳୀର ହାବିଳି, ହୋଲିର ରଙ୍ଗ ବୋଳାବୋଳି କିମ୍ବା ରଜର ଦୋଳି ନଥାଇ ମଧ୍ୟ ଆମ ରାଜ୍ୟରେ ଏକ ନୂତନ ପର୍ବର କୁହେଳି ସୃଷ୍ଟି ହେବାକୁ ବସିଲାଣି। ଏଥିରେ ନା କେଉଁ ଦେବାଦେବୀଙ୍କ ପୂଜା ଅଛି ନା ପର୍ବର ବିଧିବଦ୍ଧ ନୀତିନିୟମ ଅଛି। ମାତ୍ର ଏହା ଏକ ନିଶାରେ ପରିଣତ ହୋଇଗଲାଣି। ସହରମାନଙ୍କରେ ଇଂରାଜୀ ସ୍କୁଲର ଚାହିଦା ଭଳି ଆମ୍ଭମାନଙ୍କର ଆରମ୍ଭ ହୋଇଯାଇଛି ନବବର୍ଷ ନିଶା।
ବସନ୍ତ ୠତୁର ଆଗମନ ବାର୍ତ୍ତା ଯେମିତି ନବପଲ୍ଲବିତ ଆମ୍ରପତ୍ରରେ ଆସେ, ନବବର୍ଷର ବାର୍ତ୍ତା ଆସେ ପରସ୍ପରର ଅଭିନନ୍ଦନ ମାଧ୍ୟମରେ। ଦିନ ଥିଲା ନବବର୍ଷ ବାର୍ତ୍ତା ବହନ କରି ଆସୁଥିଲା ରଙ୍ଗବେରଙ୍ଗ ଅଭିନନ୍ଦନ ପତ୍ର। ଡିସେମ୍ବର ଆରମ୍ଭରୁ ରାସ୍ତାକଡ଼ରେ ଖୋଲିଯାଉଥିଲା ଅଭିନନ୍ଦନ ପତ୍ରର ଛୋଟ ବଡ଼ ଦୋକାନ। ଏହି ଅଭିନନ୍ଦନ ପତ୍ରକୁ କିଣି ଶୁଭେଚ୍ଛୁମାନେ ଡାକବାକ୍ସରେ ପକାଇ ଦେଉଥିଲେ, ତା’ ପୁଣି ଡିସେମ୍ବର ଶେଷ ସପ୍ତାହରେ, ନବବର୍ଷ ସମୟରେ ଠିକଣା ଜାଗାରେ ପହଞ୍ଚିବ, ଏହି ଆଶାରେ। ସେ ସମୟରେ କୁହାଯାଉଥିଲା ନବବର୍ଷ ନାମ ଶୁଣିଲେ ଯଦି କେହି ବ୍ୟକ୍ତି ଚମକି ଉଠୁଥିଲା ସେ ଥିଲା ଡାକବାଲା। ପାହାଡ଼ିଆ ନଦୀରେ ବର୍ଷା ହେଲେ ହଠାତ୍ ଜୁଆର ଆସିବା ଭଳି ଏ ଯେଉଁ ନବବର୍ଷ ବେଳାଟି ଆସିଯାଏ ସେ ଡାକବାଲାର ଝୁଲାକୁ ଦଶମାସିଆ ଗର୍ଭବତୀ ନାରୀର ପେଟଭଳି ରାତାରାତି ଫୁଲାଇଦିଏ।

ସେ କାଳ ପଖାଳ
ସେ କାଳ ପଖାଳ ଆଉ ନାହିଁ। ଡାକବାଲାର କଷ୍ଟକୁ ଲାଘବ କରିଦେଇଛି ନୂତନ ଯୁଗର ଦୁଇଟି ଯନ୍ତ୍ର; ମୋବାଇଲ୍ ଫୋନ୍ ଆଉ କମ୍ପ୍ୟୁଟର। ମୋବାଇଲ୍ ମାଧ୍ୟମରେ ଏସ୍.ଏମ୍.ଏସ୍, ହ୍ୱାଟ୍ସଆପ୍ ଓ ଫେସ୍ବୁକ୍ ସେବା ଆଉ କମ୍ପ୍ୟୁଟର ମାଧ୍ୟମରେ ଶୁଭେଚ୍ଛା ଦିଆନିଆ ହୋଇଯାଇଛି ଏକବିଂଶୀୟ ଅଭିନନ୍ଦନ ପଦ୍ଧତି। ଏହା ଏତେମାତ୍ରାରେ ବ୍ୟବହାର ହୁଏ ଯେ ମୋବାଇଲ୍ର ସବୁ ବାଟ ଭିଡ଼ ହୋଇ ବାର୍ତ୍ତା ପହଞ୍ଚି ପାରେନାହିଁ। ତେଣୁ ଲୋକମାନେ ଡିସେମ୍ବର ୩୧ ସକାଳୁ ସକାଳୁ ବାର୍ତ୍ତା ପ୍ରେରଣ ଆରମ୍ଭ କରିଦିଅନ୍ତି।
ନବବର୍ଷ ନିଶାରେ ସାଧାରଣ ଜନତା କେବଳ ମସ୍ଗୁଲ ହୁଅନ୍ତି ନାହିଁ, ଏ ନିଶା ଘାରିଥାଏ ଊଣାଅଧିକେ ସବୁ ବର୍ଗକୁ। ନବବର୍ଷ ନେତାଙ୍କୁ ପ୍ରଚାର ପାଇଁ ଦିଏ ବଡ଼ ସୁଯୋଗ। ସହର ବଜାରରେ ଏପରିକି ଗାଁ ଗହଳିରେ ବଡ଼ ବଡ଼ ବିଜ୍ଞାପନ ମାରି ନେତାମାନେ ନିଜର ଫଟୋ ମାରି ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତା ଦେଇ ନିଜ ପ୍ରଚାର ଆରମ୍ଭ କରିଦିଅନ୍ତି।
ନବବର୍ଷ ଉପଲକ୍ଷେ ବିଶ୍ୱପ୍ରସିଦ୍ଧ ନେତାମାନେ ଘୋଷଣା କରନ୍ତି ନବବର୍ଷ ଶାନ୍ତିର ବାର୍ତ୍ତା ବହନ କରୁ ଓ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ। ଜାତୀୟ ସ୍ତରର ନେତାମାନେ କହିବୁଲନ୍ତି, “ଏ ବର୍ଷ ଦ୍ୱିଗୁଣ ଉତ୍ସାହରେ କାର୍ଯ୍ୟକରି ଦେଶକୁ ଅଧିକ ଉନ୍ନତ ଓ ଶକ୍ତିଶାଳୀ କରିବାକୁ ହେବ।” ପ୍ରାଦେଶିକ ସ୍ତରରେ ନେତାମାନେ କୁହନ୍ତି, “ପରସ୍ପର ମଧ୍ୟରେ ବିଦ୍ୱେଷଭାବ ଭୁଲି ଆମେମାନେ ରାଜ୍ୟର ପ୍ରଗତି ପାଇଁ କାମ କରିବା।” ମାତ୍ର ସୁବିଧା ଓ ସୁଯୋଗ ପାଇଲେ ବିକ୍ଷୋଭର ଆୟୋଜନ, କୁଶପୁତ୍ତଳିକା ଦାହ, ଘେରାଉ ଓ ଗୋଟିଏ ଦଳ ଅନ୍ୟଦଳ ବିପକ୍ଷରେ ବର୍ଷସାରା ବିଷୋଦ୍ଗାର କରିବାକୁ ପଛାନ୍ତି ନାହିଁ।
ଖବରକାଗଜମାନେ ଡିସେମ୍ବର ଆରମ୍ଭରୁ ଆରମ୍ଭ କରିଦିଅନ୍ତି ସେହି ବର୍ଷର ବିଶେଷ ଘଟଣାବଳୀର ସମୀକ୍ଷା। ବର୍ଷରେ ପୁରସ୍କୃତ ହୋଇଥିବା ବିଶିଷ୍ଟ ବ୍ୟକ୍ତିଙ୍କ ଫଟୋ ସହ ପୁରସ୍କାରର ବିବରଣୀ, ବର୍ଷ ମଧ୍ୟରେ ପରଲୋକ ଗମନ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ଫଟୋ ତଥା ସେ ବର୍ଷର ବିଶିଷ୍ଟ ବ୍ୟକ୍ତିଙ୍କ ମୁଖନିସୃତ ବାଣୀ ଯାହା ପାଠକଙ୍କୁ ବର୍ଷସାରା ଘଟିଥିବା ଘଟଣାକୁ ପୁଣିଥରେ ମନେ ପକାଇଦିଏ।
ଆଜିକାଲି ଗଣମାଧ୍ୟମ, ବିଶେଷକରି ଇଲେକ୍ଟ୍ରନିକ୍ ଗଣମାଧ୍ୟମ ଯେଭଳି ଛତୁ ଫୁଟିଲାଭଳି ଆବିର୍ଭାବ ହେଲେଣି ନବବର୍ଷ ସେମାନଙ୍କ ପାଇଁ ଏକ ନୂଆ ବାଟ ଫିଟାଏ। ରାଜନୀତିର ନେତାଙ୍କଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଜଗତ, ସାହିତ୍ୟଜଗତ, କ୍ରୀଡ଼ାଜଗତ ଇତ୍ୟାଦିରୁ ବହୁ ପ୍ରତିଭାଙ୍କ ମୁହଁ ପାଖରେ ମାଇକ୍ରୋଫୋନ୍ ଲଗାଇ ପ୍ରଶ୍ନ ପଚାରନ୍ତି, ଆପଣ ନବବର୍ଷ ଦିନଟି କିଭଳି ଭାବେ ପାଳନ କରିବେ ଆଉ ଆପଣଙ୍କର ନୂତନ ବର୍ଷ ପାଇଁ କି ଯୋଜନା ଅଛି। ଭାଗ୍ୟ ଭଲ ଦେବାଦେବୀ ମୁହଁଖୋଲି କଥା କହନ୍ତି ନାହିଁ। ତା’ ହୋଇଥିଲେ ଗଣମାଧ୍ୟମ ସେଠାରେ ମଧ୍ୟ ପହଞ୍ôଚ ବାର୍ତ୍ତା ସଂଗ୍ରହ କରିସାରନ୍ତେଣି। ମୁଷ୍ଟିମେୟ ଧର୍ମଗୁରୁ ମଧ୍ୟ ତାଙ୍କ ଚ୍ୟାନେଲ୍ରେ ନବବର୍ଷ ସନ୍ଦେଶ ପଠାଇବାକୁ ଭୁଲନ୍ତି ନାହିଁ। କିଛି ଗଣମାଧ୍ୟମ ରାସ୍ତାଘାଟରେ ଯାହାକୁ ଦେଖିଲେ ପ୍ରଶ୍ନ ପଚାରି ତାଙ୍କ ଫଟୋ ସହିତ ମତାମତ ଛପାଇ ଚାଲନ୍ତି। ଏସବୁ ହେଲା ପ୍ରଚାର ଓ ପ୍ରସାରର କରାମତି ନବବର୍ଷ ଉପଲକ୍ଷେ। ନୂଆବର୍ଷ ଉପଲକ୍ଷେ ବିଦେଶୀ ପକ୍ଷୀଙ୍କ ଆଗମନ ଭଳି ପ୍ରବାସୀ ନାଗରିକଙ୍କର ନିଜ ଦେଶକୁ ବାଟ ଫିଟେ। ସେମାନେ ପହଞ୍ôଚ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ, ସଭାସମିତି ଆୟୋଜନ କରିଥାନ୍ତି।
ଭାଗ୍ୟ ଗଣନା
ପ୍ରତିଦିନ, ପ୍ରତି ସପ୍ତାହ ଓ ପ୍ରତି ମାସ ପାଇଁ ରାଶିଫଳ ଗଣନା କରୁଥିବା ଜ୍ୟୋତିଷ ବିଶାରଦ, ଜ୍ୟୋତିଷ ଭୂଷଣମାନେ ତାଙ୍କର ଗଣନା ମଧ୍ୟ ଖବର କାଗଜ ଓ ଟେଲିଭିଜନ୍ ମାଧ୍ୟମରେ ଜଣାଇବାକୁ ଭୁଲନ୍ତି ନାହିଁ। ନବବର୍ଷ ଗଣନାର ବିଶେଷତ୍ୱ ହେଲା ଏହା କେବଳ ସାଧାରଣ ବ୍ୟକ୍ତି ପାଇଁ ସୀମିତ ନଥାଏ, ଏ ଗଣନା ବିଭିନ୍ନ ନେତାଙ୍କ ଭାଗ୍ୟଫଳ, ନିଜ ପ୍ରଦେଶ, ନିଜ ଦେଶ ତଥା ସମଗ୍ର ବିଶ୍ୱର ଭବିଷ୍ୟତ ମଧ୍ୟ ଜଣାଇଥାଏ ସତେ ଯେମିତି ଏ ପ୍ରଦେଶ, ଦେଶ ଓ ପୃଥିବୀ ଗୋଟିଏ ଗୋଟିଏ ପ୍ରାଣୀ! ପ୍ରତିବର୍ଷ ଏହି ଗଣନାରେ ପ୍ରାଦେଶିକ ସ୍ତରରେ ମରୁଡ଼ି, ବନ୍ୟା, ବାତ୍ୟା, ଭାରତ ସ୍ତରରେ ଯୁଦ୍ଧ, ବାହ୍ୟଶତ୍ରୁ ଆକ୍ରମଣ, ଦଳକନ୍ଦଳ ଓ ବିଶ୍ୱସ୍ତରରେ ରାଜନୈତିକ ଅସ୍ଥିରତା ଓ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ କନ୍ଦଳ ପ୍ରକାଶ ପାଇଥାଏ, ଯାହା ସାଧାରଣ ଜନତା ମଧ୍ୟ ବିନା ଜ୍ୟୋତିଷ ବିଜ୍ଞାନ ସହାୟତାରେ କହିବୁଲୁଥାଏ।
ଚାତକ ଭଳି ଏହି ଦିନକୁ ଚାହିଁବା ପ୍ରାଣୀ ହେଲେ ଆଧୁନିକ ସାହିତ୍ୟିକଗଣ, ବିଶେଷ କରି ଆଧୁନିକ କବିଗଣ। ତାଙ୍କୁ ନବବର୍ଷର ଆଗମନ କିଭଳି ପ୍ରେରଣା ଦିଏ କେଜାଣି ମୁଷ୍ଟିମେୟ କବିଗଣ ଡିସେମ୍ବରର ଶୀତୁଆ ରାତିରେ କବି ତଥା ଶ୍ରୋତା ଆସନରେ ବସି ନିଜ ନିଜର କବିତା ପଠନ କରି ପ୍ରାଣକୁ ତୃପ୍ତ କରନ୍ତି। ଏଠାରେ ନା ଥାଏ କୋକିଳର କୁହୁତାନ ନା ଥାଏ ବର୍ଷାର ରିମ୍ଝିମ୍ ନୃତ୍ୟ ପ୍ରଦର୍ଶନ ଅବା ଥାଏ କାଶତଣ୍ଡୀ ଫୁଲରେ ଶରତର ଆଗମନ, ତଥାପି ନବବର୍ଷ ନାମରେ ଉଛୁଳୁଥାଏ କବିପ୍ରାଣ।
ଛୁଟିର ନିଶା
ନବବର୍ଷ ପୂର୍ବଦିନ ସବୁ କାର୍ଯ୍ୟାଳୟରେ ଛୁଟିର ନିଶା ମାଡ଼ିପଡ଼େ ଏବଂ ନବବର୍ଷ ଦିନ ଉପସ୍ଥାନ ଅଧା ହୋଇଥାଏ। ଯେଉଁ କେତୋଟି ମୁଷ୍ଟିମେୟ କର୍ମଚାରୀ କାର୍ଯ୍ୟାଳୟ ଆସିଥାନ୍ତି, ସେମାନେ ନିଜ ଆସନରେ ବସିବା ପାଇଁ ସମୟ ପାଆନ୍ତି ନାହିଁ। ପରସ୍ପର ମଧ୍ୟରେ ହାର୍ଦ୍ଦିକ(?) ଶୁଭେଚ୍ଛା ଓ ଅଭିନନ୍ଦନରେ ମାତି ଯାଆନ୍ତି। ଖବରକାଗଜରେ ନବବର୍ଷ ଦିନ ବର୍ଷକର କ୍ୟାଲେଣ୍ଡର ଓ ଛୁଟିଦିନ ପ୍ରକାଶ ପାଇଥାଏ। ତାକୁ ହାତରେ ଧରି ପ୍ରତ୍ୟେକ କର୍ମଚାରୀ ଛୁଟିଦିନ ହିସାବ କରିବା ଆରମ୍ଭ କରିଦିଅନ୍ତି ଯଥା ପୂଜାଛୁଟି କେତେଦିନ ପଡ଼ିଛି, କେଉଁ ଛୁଟିଟା ଶନିବାରଠାରୁ ନେଲେ ରବିବାର ସହ ମିଶାଇ ବେଶିଦିନ ହୋଇପାରିବ ସେ ହିସାବରେ ମାତି ଯାଆନ୍ତି। ଯଦି କେଉଁ ପର୍ବ ରବିବାରକୁ ପଡ଼ିଗଲା ସେଥିପାଇଁ ପାଞ୍ଜିକାରଙ୍କୁ ନିନ୍ଦନ୍ତି। ନୂଆବର୍ଷ ଉପଲକ୍ଷେ କିଛି କୁକୁଡ଼ା ଓ ଖାସିକୁ ସ୍ୱର୍ଗାଭିମୁଖୀ କରାଇ ପିକ୍ନିକ୍ ବା ଭୋଜିଭାତର ଯୋଜନା କରନ୍ତି ଅଧିକାଂଶ ଜନତା। ଠିପିଖୋଲା ଓ ଠିପିବନ୍ଦ ମଦ ଦୋକାନରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୁଏ।
ନବବର୍ଷର ସବୁଠାରୁ ବଡ଼ ବ୍ୟବସାୟ ହୁଏ ଫୁଲ ଦୋକାନୀଙ୍କର। ଯେଉଁମାନେ ଫୁଲତୋଡ଼ା ଆଗୁଆ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି କାରଣ ସେମାନଙ୍କର ଦୋକାନରେ ଅସମ୍ଭବ ଭିଡ଼ ହୁଏ। ତଳିଆ କର୍ମଚାରୀ ଉପର ହାକିମଙ୍କୁ – ଛୋଟ ନେତା ବଡ଼ନେତାଙ୍କୁ – ଏହିଭଳି ସବୁ ମହଲରେ ପରସ୍ପର ମଧ୍ୟରେ ଫୁଲତୋଡ଼ା ଆଦାନ ପ୍ରଦାନ ହୋଇ ନବବର୍ଷ ବେଶ୍ ଜମିଯାଏ। ନବବର୍ଷ ପାଇଁ ମଧ୍ୟ ଡାଏରୀ ବିକ୍ରି ବହୁମାତ୍ରାରେ ବୃଦ୍ଧି ପାଏ।
ଏଣେ ହୋଟେଲମାନଙ୍କରେ ଛାଇଯାଏ ପୁରାତନ ବର୍ଷକୁ ବିଦାୟ ଓ ନବବର୍ଷ ଆଗମନକୁ ସ୍ୱାଗତ କରିବା ପାଇଁ ବିଜ୍ଞାପନ। ନବବର୍ଷ ନିଶାରେ ମସ୍ଗୁଲ ହେବା ପାଇଁ ହୋଟେଲ ନିଜେ ଆଲୋକ ସଜ୍ଜାରେ ସଜାଇ ହୁଏ। ବିଜ୍ଞାପନରେ ଆକର୍ଷଣୀୟ ତରୁଣୀମାନଙ୍କର ନୃତ୍ୟର ଭଙ୍ଗୀ ପ୍ରଦର୍ଶନ କରି ଡିନର ଓ ଡ୍ୟାନ୍ସର ଅଗ୍ରୀମ ବୁକିଂ ଆରମ୍ଭ ହୋଇଯାଏ। କ୍ଲବ୍ମାନଙ୍କରେ ମଧ୍ୟ ଆୟୋଜନ ହୁଏ ନବବର୍ଷ ପାଳନ ରାତିର ପ୍ରସ୍ତୁତି। କକ୍ଟେଲ, କୁକୁଡ଼ା ଓ କାମ ଉତ୍ତେଜକ ସଂଗୀତ ଓ ନୃତ୍ୟରେ ବିଭୋର ହୋଇ ଆମର ବନ୍ଧୁଗଣ ନବବର୍ଷକୁ ସ୍ୱାଗତ ଜଣାନ୍ତି। ସମୁଦ୍ରକୂଳିଆ ହୋଟେଲମାନେ ନବବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିବା ପାଇଁ ବିଜ୍ଞାପନ ଦେଇ ହୋଟେଲର ଦାମ୍ ବଢ଼ାଇ ଦିଅନ୍ତି।

ଦେବଦର୍ଶନ
ନବବର୍ଷର ଆଉ ଗୋଟିଏ ନିଶା ହେଉଛି ବିଭିନ୍ନ ଦେବଦେବୀ ପୀଠ ଦର୍ଶନ, ବିଶେଷ କରି ଶ୍ରୀମନ୍ଦିର ଦର୍ଶନ। ପୁରୀ ଅଭିମୁଖେ ଗାଡ଼ିର ସଂଖ୍ୟା ଓ ମନ୍ଦିର ଭିତରେ ଭିଡ଼ ଦେଖିଲେ କୌଣସି ପର୍ବପର୍ବାଣିର ଭ୍ରମ ସୃଷ୍ଟିହୁଏ। ଏଣେ ୩୧ ଡିସେମ୍ବର ପେଟେ ମଦ ମାଂସ ପକାଇ ହାପି ନ୍ୟୁ ଇୟର କରିଥିବେ ମାତ୍ର ତା’ ପରଦିନ ଶୁଦ୍ଧପୂତ ହୋଇ ଶ୍ରୀଜଗନ୍ନାଥଙ୍କୁ ଚାହିଁ ବର୍ଷସାରା ଆନନ୍ଦ ପାଇବା ପାଇଁ ପ୍ରାର୍ଥନା କରୁଥିବେ। ଗତବର୍ଷ ପାଞ୍ଚଲକ୍ଷ ଲୋକ ପୁରୀରେ ଶ୍ରୀଜଗନ୍ନାଥ ଦର୍ଶନ କରିଥିଲେ ବୋଲି ହିସାବରୁ ଜଣାଯାଇଛି। ମନ୍ଦିର ପ୍ରଶାସନ ଏହି ଭିଡ଼କୁ ଆଖି ଆଗରେ ରଖି ଅଧରାତି ପରେ ପ୍ରଭୁଙ୍କୁ ନିଦରୁ ଉଠାଇ ଦର୍ଶନ ଆରମ୍ଭ କରାଇ ଦିଅନ୍ତି।
ନୂଆବର୍ଷରେ ଅଧିକାଂଶ ଲୋକଙ୍କର ଆଉ ଗୋଟିଏ ନାଟକ ରଚନା ହୁଏ ତା’ ହେଲା ଶପଥ ଗ୍ରହଣ। ନୂଆବର୍ଷ ଦିନ କିଛି ଲୋକେ ଶପଥ ନିଅନ୍ତି ଆଉ ସିଗାରେଟ ପିଇବେ ନାହିଁ କି ମଦ ବୋତଲ ଛୁଇଁବେ ନାହିଁ। ସେ ଶପଥ ବର୍ଷ ଅଧାରୁ ଭଙ୍ଗକରି ସେମାନେ ପୁଣି ଅପେକ୍ଷା କରିଥାନ୍ତି ଆସନ୍ତା ନବବର୍ଷର ପ୍ରଥମ ଦିନକୁ ପୁଣିଥରେ ଶପଥ ନେବାପାଇଁ। ସେମାନଙ୍କ ପାଇଁ ନବବର୍ଷ ଗୋଟିଏ ବାହାନା ପାଲଟିଯାଏ।
ଟେଲିଭିଜନର ବିଭିନ୍ନ ଚାନେଲ ଡିସେମ୍ବର ୩୧ ତାରିଖ ଦିନ ସନ୍ଧ୍ୟାରୁ ଆରମ୍ଭ କରିଦିଅନ୍ତି ତାଙ୍କର କାର୍ଯ୍ୟକ୍ରମ ରାତି ବାରଟା ପର୍ଯ୍ୟନ୍ତ। ତା’ପରେ ଆସିଯାଏ ସେଇ ଶୂନ୍ୟ ମୁହୂର୍ତ୍ତ ବା ଜିରୋ ଆୱାର। ଘରେ ଘରେ ବସି ଟେଲିଭିଜନ୍ ଦେଖୁଥିବା ଦର୍ଶକମାନେ ମଧ୍ୟ ଏଇ ଦୃଶ୍ୟ ଦେଖି ଅଭିନନ୍ଦନ କରନ୍ତି ନବବର୍ଷକୁ। ପ୍ରତିଦିନ ରାତିରେ ବାରଟା ବାଜେ ମାତ୍ର ନାଚଗୀତରେ ନୂଆବର୍ଷର ଏ ରାତି ତାତି ଆଣିଦିଏ।
ବାରମାସରେ ତେରପର୍ବ ପାଳନ କରୁଥିବା ଆମର ସଂସ୍କୃତିରେ ଧସେଇ ପଶିଛି ଏ ନବବର୍ଷ ପାଳନ। ଆମର ବିଜ୍ଞ ବନ୍ଧୁଗଣ ଭୁଲିଯାଆନ୍ତି ଯେ ଆମ ଓଡ଼ିଆଙ୍କ ନବବର୍ଷ ପାଳନ ହୁଏ ପଣାପାଣିରୁ, ନିଶାପାଣିରୁ ନୁହେଁ। ଇଂରାଜୀ ନବବର୍ଷରେ ଯେଉଁ ଅଜସ୍ର ଖର୍ଚ୍ଚର ସୁଅ ଛୁଟେ, ନବବର୍ଷରେ ଯେଉଁସବୁ ସଂକଳ୍ପ ଓ ଶୁଭେଚ୍ଛା ବାର୍ତ୍ତା ଓ ପ୍ରତିଶ୍ରୁତି ଶୁଣାଯାଏ, ସେସବୁ କୁଆଡ଼େ ମିଳାଇ ଯାଆନ୍ତି ବର୍ଷ ଆରମ୍ଭ ହେବା ପରେ ପରେ। ଆରମ୍ଭ ହୋଇଯାଏ ପରସ୍ପର ମଧ୍ୟରେ ବିଦ୍ୱେଷ, ଗୋଡ଼ ଟଣାଓଟରା, ଚୋରି, ଧର୍ଷଣ, ହିଂସାତ୍ମକକାଣ୍ଡର ଏକ ଲମ୍ବା ନାଟକ। ତା’ ସହିତ ଯୋଗ ହୋଇଥାଏ ଚିଟ୍ଫଣ୍ଡ, ଖଣି ଦୁର୍ନୀତି, ବାବା ବ୍ୟଭିଚାର ଭଳି ପ୍ରତିବର୍ଷ ନୂଆ ନୂଆ ଅପକୀର୍ତ୍ତି। ଏକଦା ବୀର ଜାତି ଥିବା ଓଡ଼ିଆଙ୍କୁ ଅଳସୁଆ କରି ଦେବାପାଇଁ ଦାନ ଅନୁଦାନର ସରକାରୀ ଯୋଜନା ପ୍ରଚଳନ ହୋଇଯାଏ ବର୍ଷସାରା।
ଆମର ଜନ୍ମ ଜାତକଟିଏ ତିଆରି ହେଲାବେଳେ ଗଜପତିଙ୍କ ଶକାବ୍ଦ ଗଣନା ହୋଇ ଲେଖାଯାଇଥାଏ; ମାତ୍ର ସେ ତାଳପତ୍ର ପୋଥି ସହ ଆମର ସମ୍ପର୍କ ଯେମିତି ବଦଳି ଯାଇ କମ୍ପ୍ୟୁଟର ଜାତକକୁ ଧରିବସିଲେଣି, ସେମିତି ଶ୍ରୀଗଜପତିଙ୍କ ସୁନିଆଠାରୁ ବର୍ଷଗଣନାକୁ ଭୁଲି, ପଣାସଂକ୍ରାନ୍ତି ନବବର୍ଷକୁ ଆଡ଼େଇ ନେଇ ଆମେ ମାତିଯାଇଛେ ଇଂରାଜୀ ନବବର୍ଷ ପାଳନ ନିଶାରେ।
ଇଂରାଜୀ ସଭ୍ୟତାର ଉପର ଦେଖାଣିଆ ନବବର୍ଷ ନିଶା ଏତେ ମାଡ଼ିଗଲାଣି ଯେ ଆମେ ନିଜର କୃଷିଭିତ୍ତିକ ଅର୍ଥନୀତିର ପ୍ରକୃତ ନବବର୍ଷକୁ ଭବିଷ୍ୟତରେ ସମ୍ପୂର୍ଣ୍ଣ ରୂପେ ଭୁଲିଯିବା କିଛି ବିଚିତ୍ର ନୁହେଁ।
ତେଣୁ ପୂରାଦମରେ ଇଂରାଜୀ ନବବର୍ଷ ପାଳନ କଲାବେଳେ ଟିକିଏ ଦେଶୀ ନବବର୍ଷକୁ ନଜର ପକାନ୍ତୁ ନହେଲେ ସୁଜଳା, ସୁଫଳା, ଶସ୍ୟଶ୍ୟାମଳା ‘ଉତ୍କଳ ପ୍ରଦେଶ’ ଦିନେ ‘ଉତ୍କଟ ପ୍ରଦେଶ’ରେ ପରିଣତ ହୋଇଯିବ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୬ ସଂଖ୍ୟାରେ ପ୍ରକାଶିତ। )
ଆମ ନବବର୍ଷକୁ ଆମେ ତାଙ୍କ ନବବର୍ଷକୁ ଧୁମଧାମର ସହ ପାଳନ କରୁଛେ, ଏହା କେତେଦୂର ଯୁକ୍ତିଯୁକ୍ତ! ଆମକୁ ସଚେତନ ହେବାକୁ ପଡ଼ିବ।