ମାହାପୁରୁ ବାଟରେ ଦହି ଖାଇ ସୁନା ମୁଦିଟା ବଢ଼ାଇଦେଲେ ଗଉଡୁଣୀ ହାତକୁ। ତାଙ୍କ ପାଖରେ ଏ ପେପର ମନି କେଉଁଠୁ ଆସିବ?

ଆଜି କାହିଁକି ଅଭୟ ଦାଶ କଣ ଗୁଡାଏ ଭାବୁଥିଲା। ଏଇ ସେକାଳର କଥା ଯେଉଁଟା ସିଏ ଦେଖିନାହିଁ, ଖାଲି ଶୁଣିଛି ଯାହା। ଯାହାକୁ ଇତିହାସ କହନ୍ତି ସେଇଥିରୁ। ସେଇ ଇତିହାସ କ’ଣ ସବୁ ସତ କହେ? ମନକୁ ପଚାରୁଥାଏ। ଆଉ କାହାକୁ ପଚାରିଲେ ଶୁଣିବାକୁ ମିଳିବ, ଏଇଟା କଣ ବୁଝିବ? ଇତିହାସ କଣ? ଇଏ ପରା ଇତିହାସରେ ପଚାଶରୁ ପନ୍ଦର ନମ୍ବର ରଖି ମାଟ୍ରିକ ପାସ କରିଥିଲା! ସେ ସମୟ ଥିଲା ସେମିତି। ଆମର ଏଠି ଏମିତି କହନ୍ତି; ଏମିତି ଶୁଣିବାକୁ ହୁଏ। କିଏ ଜଣେ ବାଦଶାହ ନିଜର ଦିବଂଗତ ପତ୍ନୀଙ୍କ ସ୍ମୃତିରେ ଗୋଟିଏ ଏମିତି ସମାଧିସ୍ଥଳ ଗଢିଦେଇଗଲା ଯେ ସେ ସମୟର କଳାକାରମାନଙ୍କ ହାତ କାଟିଦେବାକୁ ଆଦେଶ ଦେଇଥିଲେ ବୋଲି ଶୁଣିବାକୁ ମିଳେ। ବାଦଶାହଙ୍କ ଡର କାଳେ ଆଉ କିଏ ରଜା ଜମିଦାର ଏମିତି ଗୋଟିଏ କୋଠା ଗଢ଼ି ଥୋଇଦେଲେ ବାଦଶାହଙ୍କ ନାକ କଟିଗଲା ନା? ସେଥିପାଇଁ ଏ ବାଦଶାହୀ ଫର୍ମାନ୍!
ସେତେବେଳେ ଆମ ରାଜ୍ୟରେ ଗୋଟିଏ ମନ୍ଦିର ମୁଣ୍ଡ ଉପରେ ଚୁମ୍ବକୀୟ ପଥର ଲାଗିଥିଲା। ଯାହା ସେକାଳର ବାର ଶହ ବଢ଼େଇ କାରିଗର କରିପାରିନଥିଲେ ବାରବର୍ଷର ପିଲାଟାଏ କରି ଦେଖାଇ ଦେଇଥିଲା। ସେ ପଥର କେଉଁଠୁ ଆସିଲା ଓ କେମିତି ଏତେ ଉପରେ ରଖାଗଲା, ଆମ ବୁଝିବା ବାହାରେ। ଆମେ ବି ସେଥିରେ ମୁଣ୍ଡ ପୂରେଇନାହୁଁ। ଆମ ସାରେ କହିଲେ, ଆମେ ମାନିଗଲୁ। ମାନିଗଲୁ ମାନେ, ଆଜି ଯାଏଁ ମାନି ଆସିଛୁ। ଟିକିଏ ଉଁ କି ଚୁଁ କରିନୁ। ସେ ସମୟ ଥିଲା ସେମିତି। କିରେ ! ବଡ଼ଙ୍କୁ କଣ ଜବାବ ଦଉଚୁ? ପିଠି କୁଣ୍ଡେଇ ହଉଚି କି? ଯାହା କହିଲେ ମନେରଖିଥାଆ। ଆମେ ସେଇ ହିସାବରେ ଚାଲିଆସିଛୁ। ଏମିତି ତ କାଳ ସରି ଆସିଲାଣି, ଆଉ କେତେ ଦିନ କି? ଆମେ ଶୁଣିଛୁ, ଆମ ମାହାପୁରୁ ଦି ଭାଇ କଳା ଘୋଡା, ଧଳା ଘୋଡ଼ା ଚଢ଼ି ଯାଇଥିଲେ ଆମ ରଜାଙ୍କ ପକ୍ଷରେ ଯୁଦ୍ଧଭୁମିକୁ । ଆମ ରଜା ଜିତିଲେ ନା! ଆରେ ମାହାପୁରୁ ଯାହା ପଟେ, ସିଏ କଣ ହାରିବ? କଣ ହେଲା? ଯାହାକୁ ଅଜାତି କହୁଥିଲା ତାକୁ ଜୋଇଁ କଲା କି ନାହିଁ? ଦୁନିଆ ଦେଖିଲା ସେ ଦୃଶ୍ୟ, ସେ ପୁଣି ରଥଯାତ୍ରା ତିଥିରେ ! ଯେତେବେଳେ ବଡ଼ଦାଣ୍ଡ କମ୍ପୁଥିଲା ଘଣ୍ଟ ଘଣ୍ଟା ଶଙ୍ଖ ମୃଦଙ୍ଗ କାହାଳୀ ଶବ୍ଦରେ, ଜୟ ଜଗନ୍ନାଥ ଧ୍ବନିରେ। ଇଏ କଣ ମିଛ? ଆମର ଏତେ ସାହସ କାଇଁ ପଚାରିବାକୁ।

ମାହାପୁରୁ ବାଟରେ ଦହି ଖାଇ ସୁନା ମୁଦିଟା ବଢ଼ାଇ ଦେଲେ ଗଉଡୁଣୀ ହାତକୁ। ତାଙ୍କ ପାଖରେ ଏ ପେପର ମନି କେଉଁଠୁ ଆସିବ? ସେଗୁଡିକ ହୁଣ୍ଡିରୁ ଚାଲିଯାଏ ଯୁଆଡେ ଯିବା କଥା, ମାହାପୁରୁ କାହିଁକି ସେ ଖବର ରଖିବେ? ପେଟିଏମ୍ ତ ନଥିଲା ସେତେବେଳେ, ଥିଲେ ବି ମାହାପୁରୁ କଣ ସେସବୁ ଚଳେଇ ପାରିଥାଆନ୍ତେ? ସୁନା ଦର କଣ ଆଜି ପରି ଥିଲା? ସିଏ ତ ରାଜାଧିରାଜ, ତାଙ୍କୁ କି ଜଣା ବଜାର ଦର? ଯାହା ହେଉ ସିଏ ଦେଇଦେଲେ ଇଏ ନେଇଗଲା। ଆମ ଶୁଣିବା କଥା ନା, ଆମେ କଣ ଦେଖିଛୁ?
ଆଛା, ସେ ମାହାପୁରୁ ନିଜର ସାଙ୍ଗ ସୁଦାମାକୁ ଘର ବାଡ଼ି ସବୁ ଦେଇଦେଲେ। କେହି ଅପୋଜିସନ୍ ପାଟି ଫିଟାଇ ନାହାନ୍ତି। କାହାରି ସାହସ ନଥିଲା; ଆଜି ହୋଇଥିଲେ ଯାହା ହୋଇଥାଆନ୍ତା? ଦେଖହୋ ଦେଇଦେଲେ। କେତେ ତର୍କ ବିତର୍କ ଡିବେଟ୍ ୱାକ୍ ଆଉଟ୍, କଣ ନାହିଁ କଣ ଚାଲିଥାଆନ୍ତା। ସେ କାଳ ସେମିତି ଥିଲା।
ଆଜିକାଲି ମହାପ୍ରଭୁଙ୍କ ସମ୍ପତ୍ତି ବାଡ଼ି ଜବର ଦଖଲରେ। କହିବାକୁ କେହି ନାହିଁ। ସରକାର ବଦଳିବା ପରେ କେଉଁ ସରକାର ଆସି କେତେବେଳେ କଣ ଆଦେଶ ଦେଇଦେବେ, ତା’ର କେଉଁ ଠିକଣା ଅଛି? ଯାହା ହାବୁଡ଼ରେ ଅଛି ଥାଉ। କିଏ ବୁଝୁଛି ସେକଥା ? ତା ସାଙ୍ଗକୁ ଏମିତି ଓକିଲ ଅଛନ୍ତି ଯେ ମହାପ୍ରଭୁଙ୍କ ଓକିଲ ଏକଦମ୍ ଚୁପ୍। ଦଖଲକାରୀଙ୍କୁ ହଟେଇବା କଷ୍ଟ। ମାନେ ଗଲା ନା! ଖବରକାଗଜ କହେ, ଏତେ କୋଟି ଟଙ୍କାର ସମ୍ପତ୍ତିର ହିସାବ ମିଳୁନି। ନ ମିଳିଲେ କାହାର ଅସୁବିଧା ହେଉଛି? ଏମିତି ଚାଲିଛି ନା, ଇଏ କେଉଁ ନୂଆ କଥା କି? ଭକ୍ତି ଯେ ସୀମା ନାହିଁ, ଇଆଡ଼େ ମହାପ୍ରଭୁଙ୍କ ସମ୍ପତ୍ତି ଅମୃତ ମଣୋହିକୁ ରକ୍ଷା ନାହିଁ। ଘୋର କଳି ଆଜ୍ଞା! ୟାଙ୍କୁ ବିଧାତା କହୁନାହିଁ, ଆରେ ବାବୁ ଯାହାର ସମ୍ପତ୍ତି ମାରି ଖାଉଛ ତାକୁ ନଡ଼ିଆ କଡ଼ାଏ ଦେବନାହିଁ? ଗପ ଯେ ଦାସିଆ ବାଉରୀ ନଡ଼ିଆ ନେଇଗଲେ। ତୁମେ ଦଉନା, ସେ କଣ ମନା କରୁଛନ୍ତି? ଏ କାଳରେ ଦିଅଁ ଖାଇ ଖଟୁଳି ଖାଇଯିବେ ଆଜ୍ଞା। କାହାକୁ କହିବା?
ସେ କାଳରେ ଯୁଦ୍ଧ ହେଉଥିବା ଆମେ ଶୁଣିଛୁ। ଛୋଟ ଛୋଟ ରଜାମାନଙ୍କ ମଧ୍ୟରେ ଯୁଦ୍ଧ ହେଉଥିଲା। କିଏ କାହାର ଗାଁ ଖଣ୍ଡେ ନେଇଗଲା, ଯୁଦ୍ଧ। କାହା ଝିଅ କାହା ସାଙ୍ଗରେ ଚାଲିଗଲା, ଯୁଦ୍ଧ। ରାମ ରାବଣ ଯୁଦ୍ଧ, ମହାଭାରତ ଯୁଦ୍ଧ, ଏ ସବୁ ଆମେ ଆମ ଗାଁ ରାମଲୀଳା, ଯାତ୍ରାପାର୍ଟିରେ ଦେଖିଛୁ, ଟିଭି ଧାରାବାହିକ ରାମାୟଣ ମହାଭାରତରେ ଦେଖିଛୁ। ସେଇ ରାମ-ରାବଣ ଯୁଦ୍ଧରେ ଅନୁପ୍ରାଣିତ ହୋଇ ଆମ ପିଲାଦିନେ ବାଉଁଶ ବତା ଖଣ୍ଡେ ଧରି ଖଣ୍ଡା ଧନୁଶର ଧରି ଯୁଦ୍ଧ କରୁଥିଲୁ। ଆଉ ଆମପାଖରେ କେଉଁ ଖେଳନା ଥିଲା କି? ସେ କାଳ ଥିଲା ସେମିତି। ଗୀତ ବୋଲୁଥିଲୁ, ”ହେ ବନ ଗିରି ହେ ଲତା ଗିରି,ମୋ କାନ୍ତ ଗଲେ ମୃଗମାରି“! ଟିଣ ଡବା ବାଡେଇ ମ୍ୟୁଜିକ୍ ଦେଇ ମନ ଖୁସି କରୁଥିଲୁ। ଆଜି ଭଳି କଣ କ୍ରିକେଟ ଥିଲା ନା ବ୍ୟାଡମିଣ୍ଟନ? ପାଦରେ ଜୋତା କେଉଁଠି ଥିଲା?
ଆଜି କାଲି ଯୁଦ୍ଧର ପରିଭାଷା ପୂରା ବଦଳିଯାଇଛି। ଗୋଟାଏ ଯୁଦ୍ଧ ଆରମ୍ଭ ହେଲେ ସରିବା ନାଁ ନେଉନାହିଁ। ଋଷିଆ ୟୁକ୍ରେନ ଯୁଦ୍ଧ, ଆମେ ଭାବିଥିଲୁ ସପ୍ତାହେ ପନ୍ଦର ଦିନରେ ସରିଯିବ ! କାଇଁ ? ସେତ କଣ ଚାଲିଛି! ଆମେରିକା ଇସ୍ରାଏଲ ଇରାନ ଗୋଟାଏ ଟ୍ରାଙ୍ଗୁଲାର କଣ୍ଟେଷ୍ଟ୍ ଚାଲିଛି। କେତେ ପ୍ରାଣ ଯାଉଛି, କେତେ ଘର ଭାଙ୍ଗୁଛି କେତେ ସହର ଉଜୁଡୁଛି? ଲାଭ କାହାର? ସିଏ ଗୋଟେ ଦେଶର ପ୍ରେସିଡେଣ୍ଟ; ତୁମ ବାଡ଼କୁ ଲାଗି ତା ବଗିଚା; ତା ବଗିଚାରେ ତେଲ ପୋତା ହୋଇଥିବା ଜଣାପଡିଛି। ତୋତେ କିଏ କହିଲା ସେ ବର ଭାରିଯା ଦିହିଁଙ୍କି ଟେକିନବାକୁ ? ନେଇଥିଲୁ ଯେ କିଛି ଖବର ନାହିଁ। ସେକାଳ ହୋଇଥିଲେ ହନୁ ବସି ଗୀତ ଗାଉଥାଆନ୍ତା;
“ଶିଂଶପା ବୃକ୍ଷର ଡାଳେ
ହନୁ ମନେ ମନେ ଭାଳେ
ନିଶ୍ଚୟ ଜାନକୀ ଜନକ ନନ୍ଦିନୀ
ଦେଖିଲଇଁ ବେନି ଡୋଳେ
କି ଭାଗ୍ୟ ବଳେ ଯେ।
ବିହି କି ନକରେ ପୁଣି
ଶ୍ରୀରାମ ଚନ୍ଦ୍ର ଘରଣୀ
ଅସୁର ପୁ୍ରେ ଅସୁରୀ ଜଗିଛନ୍ତି
ଜଗତର ଠାକୁରାଣୀ
ରମଣୀମଣି ଯେ “
ସେତେବେଳେ ହନୁମାନ ଥିବାରୁ ସିନା ଯାଇ ପହଞ୍ଚିଗଲେ ଠିକଣା ଥାନରେ। ଏଇଲେ ଭେନିଜୁଆଲା ପ୍ରେସିଡେଣ୍ଟର ଖୋଜ୍ଖବର ନାହିଁ। କେହି ବି ପଚାରୁନାହାନ୍ତି ତାଙ୍କ କଥା। ସମସ୍ତେ ଯୁଦ୍ଧରେ ମତୁଆଲା। ଏ କାଳରେ କାହା ଖବର ରଖିବାକୁ କାହା ପାଖରେ ସମୟ ନାହିଁ। ଆମର ଗୋଟାଏ ଅପରେସନ ସିନ୍ଦୂର ହୋଇ ଫଟାଫଟ୍ ଖତମ୍। ସେଥିପାଇଁ ଆମ ବିରୋଧୀଙ୍କର କଣ କମ୍ ମନକଷ୍ଟ? ଇଏ ପରା ଏ କାଳ କଥା।
କିଏ ଟିକିଏ ଭଲରେ ରହିଲେ ସମସ୍ତଙ୍କ ଦୃଷ୍ଟି ତା ଉପରେ। କୋଉଁଠୁ ଆଣିଲା? ସିଏ କାହିଁକି ପରମାଣୁ ଶକ୍ତି ହେବ? ତାକୁ ନିଆଁ ପାଣି ଅଟକ କର, ତା ଘରେ ନିଆଁ ଲଗାଅ। ସେ କାଳରେ ଯାହା ଏ କାଳରେ ତାହା। ଏଇ ମଣିଷ ତ !
ଏଇଠି ଚାଣକ୍ୟ ଗୋସାଇଁଙ୍କର ଗୋଟିଏ ଶ୍ଳୋକ ମନେପଡେ;
“ବିଦ୍ୟା ବିବାଦାୟ ଧନଂ ମଦାୟ,
ଶକ୍ତି୍ଃ ପରେଷାଂ ପରିପୀଡନାୟ
ଖଳସ୍ୟ ସାଧୋଃ ବିପରୀତମ୍ ଏତତ୍
ଜ୍ଞାନାୟ ଦାନାୟ ଚ ରକ୍ଷଣାୟ ।”