ଖଡ଼ିଛୁଆଁ ପଞ୍ଚେଇ

ସରସା ଜମି ପଛେ ପଡ଼ିଆପଡ଼େ, ଶିକ୍ଷା କିଆରି କେବେ ବି ପଡ଼ିଆ ନଥାଏ। ଏଠି ଚାଷୀ ନ ହେଲେ ଭାଗଚାଷୀ।

ଅଜୟ କୁମାର ମିଶ୍ର

ପିଲାଦିନରୁ ନିପଟ ଅପାଣ୍ଡବା ମଫସଲ ଗାଆଁରେ ବଢ଼ିଥିବା ଘଣ୍ଟୁର ଥାନାନ୍ତରଣ ହେଲା, ଗାଆଁରୁ ସହର। ଗାଆଁରେ ସେ ଦେଖିଛି ଅନେକ ଅଘଟ-ଘଟଣା। ବହୁ ହଟଚମଟ। ହରିଆ ବଡ଼ାପା ବଡ଼ କଦରିଆ ମଣିଷ। କେତେ କେତେ ଫିକରିଆ, ବାବେନା, ପବନା, ବାନା, ବାଆସ୍ତରିଆଙ୍କୁ ନିଜ କଦରରେ ଠେକି ଠେକି ପାଣି ତେଣ୍ଡେଇ ଦେଇଛନ୍ତି। କେତେକେତେ ଟିପଦିଆଙ୍କ ଘରବାରି ଉଚ୍ଛନ୍ନ କରାଇ ତାଙ୍କୁ ବେଘର କରିଛନ୍ତି। ତାଙ୍କ ପାଲରେ ପଇଲେ ମଲି, ନ ପଇଲେ ବି ମଲି। ଏମନ୍ତ ପ୍ରକାରେ ଅଭିମନ୍ୟୁ ମାଆ ପେଟରୁ ଯୁଦ୍ଧ କାଇଦା ଶିଖି ଭୂଇଁରେ ପଇଲା ଭଳିଆ, ହରିଆ ବଡ଼ାପା-ମାଆ ପେଟରୁ ଖଳବା ବୁଦ୍ଧିକୁ ନିଜ ଦିହରେ ରୁନ୍ଧି କୁଆଁକୁଆଁ କରିଥିଲେ। ତେଣୁ ଯାବତ ପ୍ରକାର ଘରଭଙ୍ଗା ବୁଦ୍ଧି ନେଇ ତାଙ୍କ କାରନାମା ବଢ଼ନ୍ତା ହେବା ଯାଏ, ଅନାବନା ନଟା ଛାଆଁକୁ ନଟେଇବା ଭଳିଆ ନଟେଇଚି। ତାଙ୍କ ହରକତିଆ ବୁଦ୍ଧି ହେତୁ, ଅନେକ ଘାଇଲା ହେଇଛନ୍ତି। ଲୋକେ ତାଙ୍କ ମୁହଁରେ କିଛି ନ କହିଲେ ବି, ପଦାରେ ତାଙ୍କ ପାଇଁ ଗୋଟେ ଅଘୋଷିତ ଉପନାମ ଦେଇଛନ୍ତି ହରିଆ କିଳା। ଇଂରାଜୀ ସର୍ଟ ଫର୍ମରେ ହରିଆରୁ ‘ହ’ କିଳାରୁ ‘କି’ – ଏମନ୍ତ ପ୍ରକାର ଲୋକତୁଣ୍ଡରେ ସେ ‘ହକି’।
ତମାମ ଜୀବନ ବହୁ ଲୋକଙ୍କୁ କିଳା ଦେଇଦେଇ ବୁଢ଼ା ହେଲେ। ବାଧିକି ପଡ଼ିଲେ। ଚେମୀ ବଡ଼ଉକୁ ଡାକି ବାଧିକା ବେଡ୍ ପାଖରେ ଗୋଟାଏ ବାଉଁଶକିଳା ଓ ଗୋଟାଏ ପିଟଣା ଆଣି ରଖିବାକୁ କହିଲେ। ବୁଢ଼ୀ ବଡ଼ ଭାବନାରେ ପଇଲେ। ହଇୟେ, ଏ ନୁଉଛୁଣାକୁ ଯମ ଘରୁ ଇନ୍‌ଭାଇଟେସନ୍ ଆଇଲାଣି, ଆଉ ଘଡ଼ିକେ ଏ ନଥିବ। ତଥାପି କିଳା ଓ ପିଟଣା ଆଣି ରଖେଇଲାଣି। ଏକ ଦୁଇ ତିନି କରି ତିନିଟି ହେକାରେ ହରିଆ ବଡ଼ାପାର ହରିବୋଲ ହେଇଗଲା। ଧରମପତ୍ନୀ ବିଧିରେ ଚେମୀ ବଡ଼ଉ ଡକାପାରି କାନ୍ଦଣା କୁହାଟିଲା। ତା’ କୁହାଟ ଆଗରେ ମାଇକି କ’ଣ ଡିଜେ ବି ହାର୍ ମାନିବା ଥୟ। କାନେ କାନେ ଏ ବାରତା ପ୍ରସରିଲା – ଓଃ ପୃଥ୍ୱୀ ମାଆକୁ ଉଶ୍ୱାସକରି, ହ.କି. ଆଜି ଯମଘର ଗଲେ। ମୁହଁରେ ଗାମୁଛା ଢାଙ୍କି ପଡ଼ିଶାଏ ହାଜର ହେଲେ। ସମସ୍ତେ ତ ହ.କି. କିଳାରେ ଉଚ୍ଛନ୍ନ। ତାଙ୍କୁ ଦେଖୁ ଦେଖୁ କାନ୍ଦଣା ଭଲ୍ୟୁମ୍‌କୁ ସ୍ଲୋ କରି ସକେଇଲା ଚେମୀ ବଡ଼ଉ।

ଗୋଟିଏ କଣ୍ଟା ଗଲା
ହରକତିଆଟା ଚାଲିଗଲା ନି ଯେ ମୋର ଗୋଟାଏ କଣ୍ଟାଗଲା। ହରରୋଜ୍ ହରଦରରେ ସମସ୍ତଙ୍କୁ ହରକତ କରିକରି ଆଜି ହରିବୋଲ ହେଲା। ସମସ୍ତଙ୍କୁ ସେ ହରକତ କରିଚି। ସମସ୍ତଙ୍କୁ କିଳା ଦେଇଚି। ଭୟରେ ତେମେମାନେ ସିନା ତା’ ମୁହଁରେ କିଛି କହିପାରୁ ନଥିଲ, କିନ୍ତୁ ସେ ତ ଗଲାଣି। ଏଣିକି ଭୟ କ’ଣ? ମଲାଶେଯ ପାଖରେ ଥିବା କିଳା ଆଉ ପିଟଣାକୁ ଧରେଇଦେଲା ଲୋକଙ୍କୁ। କହିଲା- “ସମସ୍ତଙ୍କୁ ସେ କିଳା ଦେଇଚି, ତମେମାନେ ଏ କିଳା ନେଇ ତା’ ପଛପାଖେ ପିଟି ଚାଲ। ତମ ମନର ଓହିମାନା ମେଣ୍ଟିଯାଉ।” ଲୋକେ ତ ରାଗରେ କଡ଼ମଡ଼ ହେଉଥିଲେ। ଖପାତ୍ କିନା ବୁଢ଼ୀ ହାତରୁ କିଳା ଆଉ ପିଟଣା ନେଇ ବଡ଼ ଜୋସ୍‌ରେ ପଛ ପାଖରେ ମଜଭୁତ କରି ପିଟଣାରେ ପିଟି ଫୁଲ୍ ସଇ କରିଦେଲେ। ବଡ଼ ଉଚ୍ଛାହରେ ମତୁଆଲା ହେଇ, ଘୋଓଘାଆ କରି ଥାନଟିକୁ ଉଠାପକା କଲେ।
ଘଟଣା ତିନିପା ଘଟୁ ନ ଘଟୁଣୁ ବୁଢ଼ୀ ପୁଣି କାନ୍ଦଣା ଭଲ୍ୟୁମ୍ ବଢ଼େଇ ଦେଇ ଚଉଗୁଣା ସୁରରେ ଡକାପାରି କାନ୍ଦିଲା। ଲୁହ ଅଳପ, କୁହାଟ ବେଶି। ଲୋକେ ଚକିତ। କିଓ ଏ ବୁଢ଼ୀର ଏ କି ଭଙ୍ଗୀ କହିଲା କିଳା ମାର, ପୁଣି କାନ୍ଦୁଚି। ଡକାପାରି କହୁଚି – “ଇଲୋ ମୋ ମାଆଲୋ – ଏ ବାଡ଼ିପଡ଼ାଏ, ଯୋଗନିଖିଆଏ, ହାଡ଼ଗିଳାଏ, ଅଳପେଇସାଏ, ହେଡ଼ାଖିଆଏ – ମଢ଼ଖିଆଏ – ଏ ନିରୀହ ବୁଢ଼ାଟାକୁ କିଳା ପୂରେଇ ମାରିଦେଲେ ହୋ। ଦଉଡ଼ି ଆସ ହୋ କିଏ କେଉଁଠି ଅଛ।” ବୁଢ଼ୀର ଏ କାନ୍ଦ କୁହାଟରେ ଗାଁ ଚଉକିଆ ବଇଦା ଆସି ହାଜର। ତା’ ଠେଙ୍ଗେଣିରେ ଲୋକଙ୍କୁ ଆଡ଼ଆଡ଼ କରି ଭିତରକୁ ଗଲା। ଦେଖିଲା, ହ.କି. ପଛଆଡ଼େ ଅଢ଼େଇ ହାତିଆ କିଳା। ସେ ବି ଜାଣିଚି ହ.କି.ର ସବୁ କାରନାମା। ବୁଢ଼ୀ ହାଙ୍କିଲା- “ହେ ଚଉକିଆ ପୁଅ, ଥାନାକୁ ଖବରଦିଅ, ଗାଁ ଲୋକେ ମୋ’ ଗିରସ୍ତକୁ ଏମିତି କିଳାମାରି ହରିବୋଲ କରିଦେଲେ।
ବଇଦା ବି ପୁରୁଣା ମୂଷା। ହ.କି. ପ୍ରକୃତି ଜାଣେ। ତା’ ଦୁର୍ବୁଦ୍ଧିରୁ ଏବେ ଗାଆଁ ଲୋକେ ଥାନା ଫାଣ୍ଡିକୁ ଯିବା ବ୍ୟବସ୍ଥା କରିଦେଇ ଯାଇଚି ହ.କି.। ତାକୁ ବି ହ.କି. ଦି’ଥର କିଳା ଦେଇଥିଲା। କହିଲା- “ଚେମାନାନୀ, ଡେରିକରନା, ତମେ ଏତାଲା ଲେଖ, ମୁଁ ନିଜେ ଫାଣ୍ଡିରେ ଦେଇଦେବି।’ ଚେମୀନାନୀ ଓ କେବଳ ଟିପଦେଇ ଜାଣନ୍ତି, ଶ୍ରୀ ଅକ୍ଷର ଅଜାଣନ୍ତ। କାଗଜରେ ଲେଖିବାକୁ ଯାହା ମୁହଁକୁ ଚାହିଁଲେ ସମସ୍ତେ ଜଣକ ପରେ ଜଣେ ଫେରାର୍। ମଥା ଆଉଁଶି ତଳେ ପଡ଼ିଗଲେ। ବଇଦା କହିଲା- “ନାନୀ ତମ ଗିରସ୍ତକୁ କିଳା ଦେଇ ତେମେ ମାରିଦେଲ! ତେମେ ତାଙ୍କ ଭାରିଜାଟି, ଏମନ୍ତ କାଣ୍ଡ କେମନ୍ତ କଲ ହେ। ଏଠି ତ କେହି ନାହାନ୍ତି, ଖୋଦ୍ ସରଜମିନ୍‌ରେ ତେମେ, ପାଖରେ ପିଟଣା। ଏମିତି କେମିତି କଲ ହେ ନାନୀ। ଫାଣ୍ଡିବାବୁଙ୍କୁ ଜଣେଇବି ଯାଉଚି, ହରିଆନାଙ୍କୁ ତାଙ୍କ ଭାରିଯା ଚେମିନାନୀ କେମିତି ପଛରେ ଗୋଜ ଯୋଖି ହରିବୋଲ କରିଦେଲେ।”
ହ.କି. କୁବୁଦ୍ଧିରେ ନାଚୁଥିଲା ଚେମୀ। ଏଣିକି ବଇଦା ଚଉକିଆ ତାକୁ ଅକଳରେ ପକାଇଲା, ଗାଞ୍ଜିଆରୁ କେତେଖଣ୍ଡ ଗାନ୍ଧିମୁଣ୍ଡିଆ ନୋଟ୍ କାଢ଼ି ବଇଦା ହାତରେ ଗୁଞ୍ଜିଦେଇ, ଘଟଣାକୁ ଚପେଇ ଦେବାକୁ ତା’ ହାତ ଓଠ ଧରି ନେହୁରା ହେଲା। ନିଜ ହାତରେ ଗାଁ ବାଲା ପିଟିଥିବା କିଳାକୁ ବଳ ଖର୍ଚ୍ଚକରି ସମୂଳେ ଉତ୍ପାଟନ କଲା। ବଇଦା ଗୋଟାଏ କାଗଜରେ ଚେମୀର ଟିପନେଇ ଫେରାର୍। ଫାଣ୍ଡିବାଲାଏ ଆସି ବୁଢ଼ୀକୁ ଗାରଦକୁ ନେଲେ।
ମନସିଲଟର ଦାଗ
ଘଣ୍ଟୁଆ ମନସିଲଟରେ ଏଇ ଘଟଣାଟା ଦାଗ ହେଇ ରହିଯାଇଚି। ବେଳେବେଳେ ସେ ହରିଆ ବଡ଼ାପାଙ୍କ ପାଖକୁ ଯାଉଥିଲା, କିଛି କିଛି ଇଲମ୍ ବି ପାଇଥିଲା। ସେଇଆକୁ ପୁଞ୍ଜିକରି, ଧୋଇ ଶୁଖେଇ ଖାଉଚି ଏଯାଏଁ। ସେ ପିଲାକାଳୁ ଜାଣିଚି ବାଉଁଶରୁ କିଳା ତିଆରି ହୁଏ, ପୁଣି ବାଉଁଶରୁ କାଗଜ ତିଆରି ହୁଏ। ବାଉଁଶ କିଳା ବାହାରକୁ ଦୃଶ୍ୟହୁଏ, ଲୋକେ ବି ଏ କିଳା ପାଇଁ ସାବଧାନ ହୁଅନ୍ତି। ଏ କିଳା ସ୍ଥୂଳକିଳା, ମାତ୍ର ଏଥିରୁ ତିଆରି କାଗଜ କିଳାଟା ଅତି ସୂକ୍ଷ୍ମ, ଆଣବିକ କି ପରମାଣବିକ କିଳା। ଏ କିଳା ଭେଦୁଥିବ, ଭେଦଉଥିବ, ଏ କିଳା ଥରେ ଭେଦିଲେ ଯମ କୁଆଟରକୁ ଗୁଗୁଲ୍ ମ୍ୟାପ୍ ଖୋଜିବାକୁ ପଡୁଥିବ।
ଏସବୁ ମପାମପି କରି ଘଣ୍ଟୁ ଜାଇଁଲା ଏ ସୂକ୍ଷ୍ମ କାଗଜ କିଳାର ମୂଳଟା କେଉଁଠି? ରାଜନୀତିଆ ଭାଷାରେ- ‘ଗ୍ରାସରୁଟ୍ କୁତ୍ର ତିଷ୍ଠତି’। ସବୁ ଘୋରାଘୋରି କରି ଜାଇଁଲା ଯେ ଏ ମୂଳ ହେଉଛି ଶିକ୍ଷା କିଆରି। ସରସା ଜମି ପଛେ ପଡ଼ିଆପଡ଼େ, ଶିକ୍ଷା କିଆରି କେବେ ବି ପଡ଼ିଆ ନଥାଏ। ଏଠି ଚାଷୀ ନ ହେଲେ ଭାଗଚାଷୀ। ନ ହେଲେ କି, ଜଣେ ପିଲା ପାଇଁ ଆଉଜଣେ ତା’ ନାଆଁ ନେଇ ପରୀକ୍ଷା ଦିଅନ୍ତା? ସବୁଠୁ ସରସାକଥା, ରାଜ୍ୟରେ ସବୁ ବେପାରରୁ ଶିକ୍ଷା ବେପାରଟା ଅତି ଲାଭଜନକ। ସରକାରୀ ମଟର ଲସ୍ ଖାଏ, ସରକାରୀ ଶିକ୍ଷାକ୍ଷେତ ପଡ଼ିଆ ବେଶି, ଉଠିଆ କମ୍। ତେଣୁ ବେସରକାରୀ ଶିକ୍ଷାକ୍ଷେତ ଆଡ଼େ ମନ ବଳେଇଲା ଘଣ୍ଟୁ। ଏଣେ କାଗଜରେ ବଡ଼ବଡ଼ ଅକ୍ଷରରେ ଖବରକାଗଜ ଛାପା ଦେଖିଲା “ଖଡ଼ିଛୁଆଁ ଉଚ୍ଛବ”। ଏମିତି ଉଚ୍ଛବ ନ ହେଲେ ଯେମିତି ପିଲା ଖଡ଼ି ଧରିବନି, ପାଠ ପଢ଼ିବନି। ଏଠି ଅଖିତୃତୀୟାର ହଳକରଣ ବି ଉଚ୍ଛବ, ଏମିତିକି ବଡ଼ବଡ଼ିଆ ଘରେ ପିଲା ପେଟରେ ରହିଲେ ଉଚ୍ଛବ, ଅନ୍ତ୍ୟେଷ୍ଟିକ୍ରିୟାରେ ମଶାଣିସାରା ବାଲିଯାତ୍ରା, ଫଟୋ ଉଠାଣ, ଭଡ଼ାଟିଆ କାନ୍ଦୁଆ କାନ୍ଦୁଆଣୀଙ୍କ ଦ୍ୱାରା ସକସକାଣ, କଇଁକୟାଁଣ, ବୋବାଳି କାନ୍ଦଣା ଫଅଟ ଉଠାଣ ଓ ଭିଡିଓକରଣ। ଭିଡିଓବାଲା ନ ଆସିବା ଯାଏ, ନିଆଁବରିହା ପଛେ ଜଳିଜଳି ଯାଉ, ପୁଏ ମୁହଁନିଆଁ ଦବାକୁ କୁନ୍ଥାଣ କରୁଥିବେ। ଭିଡିଓବାଲା ଆଇଲେ, ମୁହଁ ନିଆଁଦିଆ କାମ।
ସିଜିନ୍ ବେପାର
ରଜ, ଦୋଳ, ହୋଲି, ଦଶହରା ଭଳିଆ ଅନେକ ସିଜିନ୍ ବେପାର ସହିତ ଘଣ୍ଟୁ ଆଗରୁ ମଇତ୍ର ହେଇସାରିଚି। ଏବେ ‘ଖଡ଼ିଛୁଆଁ’ ଶିକ୍ଷା କିଆରିର ନୂଆ ଭିଆଣ। ସବୁଆଡ଼େ ହଇଚଇ। ଜିଲ୍ଲା ଉଆରି ଠାଆକୁ ଠାଆ ଶିକ୍ଷାକିଆରି ଠାବ, ଛାମୁଡ଼ିଆବନ୍ଧା, ଏଠି ଅବଧାନେ, ମାଷ୍ଟ୍ରେଙ୍କୁ ପଚାରେ କିଏ। ମାଷ୍ଟ୍ରଙ୍କ ଉପରିଆ ମାଷ୍ଟ୍ରେ, ତା’ ଉପରିଆ ହାକିମ, ତା’ ଉପରିଆ କମିଶନରିଆ, ତା’ ଉପରିଆ ନେତା-ମନ୍ତ୍ରୀ ନ ଆଇଲେ ‘ଖଡ଼ିଛୁଆଁ’ ହବି କି? ହୋହୋ ନାଇଁ, ସଭାନାହିଁ, ଫଅଟ ଉଠାଣ ନାଇଁ, ଛାମୁଡ଼ିଆ ନାଇଁ, ମାଇକ୍ ବଜାଣ ନାଇଁ, କେମିତି ହବ ଯେ ‘ଖଡ଼ିଛୁଆଁ’? ଅବଧାନ ଏବେ ସାବଧାନ ହେଲେଣି, କାହିଁକି ନା ଗାଁ, ଚାଟଶାଳୀ ନାଇଁ, ଇସ୍କୁଲ ପାଲଟିଗଲାଣି। ଜଣେ ଅଧେ ଅବଧାନ ଆମର ପିଲାକୁ ଖଡ଼ିଛୁଆଁର ଲିପା ମାଟିରେ ପିଲା ହାତରେ ମୁଣ୍ଡାଖଡ଼ି ଦେଇ ବ୍ରହ୍ମ-ବିଷ୍ଣୁ-ମହେଶ୍ୱର ଭଳି ତିନି ତିନୋଟି ମୁଣ୍ଡଳା ବୁଲା ମଡ଼ାଣ କରୁଥିଲେ। ପିଲା ବାପେ ମାଏ କିଛି ଦକ୍ଷିଣା ଦେଇ ତାକୁ ସାଷ୍ଟାଙ୍ଗ ହେଉଥିଲେ। ଏବେ କିନ୍ତୁ ଏ ନୂଆ ଖଡ଼ିମଡ଼ାଣରେ ଚକା ଓଲଟିଲାଣି। ମାଷ୍ଟ୍ରେ ଖଡ଼ିଛୁଆଁ କରିବେ କ’ଣ, ଘରଘର ବୁଲି ପିଲାଙ୍କୁ ମିଠେଇ ଦେଇ, ବାପା-ମାଆଙ୍କୁ ଖୋସାମତ ମରାମତ କରି ତେଲେଇ, ଘିଏଇ ପିଲା ଯୋଗାଡ଼ରେ ବ୍ୟସ୍ତ। ନୋକା ମାଷ୍ଟ୍ର ଏ ଖରାରେ ବୁଲି ବୁଲି ଥେୟା, ପନ୍ଦର ଦିନ ବୁଲିବୁଲି ଦିଇଟି ମାତ୍ର ପିଲା ଯୋଗାଡ଼ କରିଛି। ଚାକିରି ଯିବାଯିବା ଅବସ୍ଥା, ଅପ୍ରେଲ ଖରାଠାରୁ ଉପରବାବୁଙ୍କ ଧମକାଣ ଆଉ ଟାଆଁସା।

ଛକର ବଟିଆ ଚା’ଖଟିରେ ଘଣ୍ଟୁ ସାଙ୍ଗେ ଲୋକନାଥ ଓରଫ୍ ନୋକା ସାଆରଙ୍କ ଭେଟଘାଟ। ନୋକାଙ୍କ ତିନ୍ତୁଳିମଖା ମୁହଁ ଦେଖି ଘଣ୍ଟୁ ବୁଝିନେଲେ ଘଟଣା, କି ଅବସ୍ଥା ଏ ମାଷ୍ଟ୍ରଙ୍କର। ହଇରେ ଦଇବ, ଏ ଶିକ୍ଷା କିଆରି କେମିତି ରହିବ? ନୋକା ଘଣ୍ଟୁର ସବୁ ଚତୁରିଆପଣ ଜାଣନ୍ତି, ଭରସାରେ ଆତୁରିଆ ହୋଇ ଘଣ୍ଟୁ ହାତଧରି ଏ ବିପଦରୁ ଉଦ୍ଧାର ପାଇବା ପାଇଁ ବାଟ ଖୋଜିଲେ। ଘଣ୍ଟୁଙ୍କୁ ଚା’ପାନ ଦେଇ ଆପ୍ୟାୟିତ କରିବା ପରେ ଘଣ୍ଟୁ ପ୍ରସନ୍ନ ମୁଦ୍ରାକୁ ଆଇଲେ। କହିଲେ, କ’ଣ ସାଙ୍ଗ ମାଷ୍ଟ୍ରେ, ଏତେ ଛାନିଆଁ ହେଲେ ଚଳିବ ନା? ବ୍ୟସ୍ତ ହୁଅନି, ସବୁ ଥୟ ହେଇଯିବ। ଖାଲି ତମେ ମୋ ଫିଜ୍ ଦାଖଲକଲେ କାମ ହେଇଗଲା ବୋଲି ଜାଣ। ନୋକା ମାଷ୍ଟ୍ରେ ତ ଅତି ଆତୁରିଆ, ପଚାରିଲେ ଫିଜ୍ କେତେ? ଘଣ୍ଟୁ ହାଙ୍କିଲେ ଚାକିରି ଚାଲିଗଲେ କ’ଣ କରିବ ମାଷ୍ଟ୍ରେ? ଫିଜ୍ ସେଇ ହିସାବରେ ଦିଅ। ନୋକା ଅକଲଗୁଡୁମ୍। ‘ପଳେଇ ପଶିଲି ମାଉସୀ ଘରେ, ମାଉସୀ ମାଇଲା ଦି’ପାହାରେ’ ନ୍ୟାୟରେ ନୋକା ଅବସ୍ଥା ଆଉ ଅସମ୍ଭାଳ। ହଜାରେ ଟଙ୍କା ଘଣ୍ଟୁକୁ ଦିଅନ୍ତେ, ଘଣ୍ଟୁ କହିଲେ ମାଷ୍ଟ୍ରେ କ’ଣ ଏତକ ବଇନା? ଆଉ କେତେ ଦେବ? ହଉ ତମେ ତ ଆମଲୋକ, ଆଉ ନ’ ହଜାର ଦେଲେ ତମ କାମ ଚଳେଇନେବି। କାରଣ ଏ ଟଙ୍କାଟା ତ ମୋର ଏକା ନୁହେଁ, ଗ୍ରାସ୍‌ରୁଟାଣୀମାନଙ୍କୁ ନ ତୋଷିଲେ ପିଲା ଆସିବେ କେମନ୍ତେ? ହଁ, ଆଉ ଗୋଟାଏ କଥା ଶୁଣ – ତମେ ହେଲ ଆମ ଏଜେଣ୍ଟ୍। ତମ ଭଳିଆ ବିନା ପିଲାରେ କେବଳ କାଗଜ ପତରରେ ବହୁ ଶିକ୍ଷା କିଆରି ଅଛି। ଅତି ଊଣାରେ ସେଇ କିସମ ଜମିର ଖେତୁଆଳ ଖେତୁଆଳିମାନଙ୍କୁ ଖବରଦେଇ, ମୋ’ କାନଫୁଙ୍କାରେ ତାଙ୍କୁ ମୋ’ ସହିତ ଯୋଡ଼ିବ। ହୁସିଆର ଏତକ, ନ ହେଲେ ତମକୁ ଆଉ ପାଞ୍ଚ ହଜାର ଦେବାକୁ ପଡ଼ିବ।
ନୋକା ମାଷ୍ଟ୍ରଙ୍କ କାନମୁଣ୍ଡା ଭାଆଁ ଭାଆଁ ହେଉଥିଲା। କ’ଣ କରିବେ, କିଛି ଥଳକୂଳ ପାଉନଥିଲେ। ତାଙ୍କ ସାଙ୍ଗସରିସା ଟିଚର, ଟିଚରାଣୀଙ୍କୁ କାନଫୁଙ୍କାରେ ସବୁ ଯୋଡ଼ିଦେଲେ ଘଣ୍ଟୁ ସହିତ। ଘଣ୍ଟୁ ହିସାବିଲେ, ଗାଏ ମୋଟ ନୋକାଙ୍କୁ ମିଶାଇ ହେଲେ ଡଜନେ ଟିଚର ଟିଚରାଣୀ। ଜଣକା ଦଶ, ଦଶ କରି ଦେଲେ ଏକ ଲକ୍ଷ କୋଡ଼ିଏ ହଜାର ହେବ। ହଉ, ମନ୍ଦ କ’ଣ? ଖଡ଼ିଛୁଆଁରେ ଯଦି ଏତକ ହେଲା, ଆଗକୁ ଆଉ ଆଉ କିଆରିରେ ନୂଆ ନୂଆ ଭିଆଣ କରିବେ।
ପାଞ୍ଚାଳୀଙ୍କ ପାଞ୍ଚସ୍ୱାମୀ
ମହାଭାରତରେ ପାଞ୍ଚାଳୀଙ୍କର ପାଞ୍ଚସ୍ୱାମୀ କଥା ଅଛି। ମାତ୍ର ଘଣ୍ଟୁ ଏଥର ପଞ୍ଚେଇଙ୍କ କଥା ଭାଳିନେଲେ। ପଞ୍ଚେଇ ନମ୍ବର ୱାନ୍ ହେଲେ ବି. ଚଞ୍ଚଳା, ଆଶାଦିଦି। କେଉଁଠି କେଉଁମାସ, କେତେ ତାରିଖରେ ଛୁଆ ପେଟସ୍ଥ ହେଲେ ତାଙ୍କୁ ଜଣା। ଫୋନ୍‌ରେ ତାଙ୍କଠାରୁ ହିସାବ ନେଇ ଚିଠାକଲେ ଘଣ୍ଟୁ। ନମ୍ବର ଦୁଇ ପଞ୍ଚେଇ ହେଲେ କେ.ରେସମା – ଏ ହେଲେ ୱାରକରାଣୀ ଦିଦି। ଅଙ୍ଗନବାଡ଼ିକୁ ଛୁଆ ଯୋଗାଣକାରିଣୀ। ତାଙ୍କ ପରେ ରହିଲେ ମିସ୍ ହେଲ୍‌ପିଣୀ ଦିଦି। ସିଏ ତାଙ୍କ ଅଙ୍ଗନବାଡ଼ିରେ ଛୁଆଖୁଆଡ଼ ଜଗନ୍ତି। ତାଙ୍କ ଉପରକୁ ରହିଲେ ଗୁରାଳି ଦେଈ – ସେ ହେଲେ ଅଙ୍ଗନବାଡ଼ିର ସୁଆସ୍ଥ୍ୟ କର୍ମିଣୀ। ଚାରି ନମ୍ବର ପଞ୍ଚେଇ ସିଏ। ପାଞ୍ଚ ନମ୍ବର ପଞ୍ଚେଇ ହେଲେ ବିବାହିତା ହେଇଥିଲେ ବି ମିଠି ମିସ୍। ତଳ ଖେତର ରଖୁଆଳିଣୀ ସେ।
ନୋକା ମାଷ୍ଟ୍ରଙ୍କ ଠାରୁ ପାଇଥିବା ମାନଙ୍କ କାନଫୁଙ୍କା ନମ୍ବର ଆଣି ପଞ୍ଚେଇମାନଙ୍କୁ ପାଞ୍ଚ ପାଞ୍ଚଥର ଫୋନ୍‌ରେ କିଲିବିଲି କଲେ ଘଣ୍ଟୁ। ନିଜ ପରିଚୟ ଦେଲେ ଇନ୍ସପେକ୍ଟର। ଅଦେଖା ଅଜଣା ଇନ୍ସପେକ୍ଟର ନାଆଁ ଶୁଣି ପାଞ୍ଚ ପଞ୍ଚେଇମାନେ ହାରାହାରି ଛାନିଆଁ। କଳେ ବଳେ କଉଶଳେ ଘଣ୍ଟୁ ଘଣ୍ଟାଘଣ୍ଟି କରି ପିଲା ଜନମଠାରୁ ବିହନ ବେଳ, ଗଜାବେଳ, ତଳିରୁଆ ବେଳଠାରୁ ଆସି ଅଙ୍ଗନବାଡ଼ିରେ ରୁଆ ହେଇଥିବା ପିଲାଙ୍କ ଚିଠାଆଣି, ସବୁ ଠା’ ଠିକଣା ଠାବକଲା। ଦି’ଦିନ ଭିତରେ ନୋକା ଓ ନୋକାଳିଆ ଆତୁରିଆ ଟିଚର, ଆତୁରିଆଣୀ ଟିଚରାଣୀମାନଙ୍କ ପାଖରେ ନିଜ ପ୍ରାପ୍ୟ ନେଇ ଚିଠା ଧରାଇଦେଲେ।
କେବଳ ଫୋନ୍ ବିଲ୍‌ରେ ଯାହା ଯେମିତି ଖର୍ଚ୍ଚା, ଟିପାଖାତା ଖର୍ଚ୍ଚା ବାବଦରେ ଟଙ୍କା ଶହେଟା ଖର୍ଚ୍ଚା। ୟା’ ବାଦ୍ ଏକଲକ୍ଷ, ଉଣେଇଶ ହଜାର ନଅ ଶହ ତାଙ୍କ ପକେଟ୍‌ରେ। ଖଡ଼ିଛୁଆଁକୁ ଆସନ୍ତା ସନକୁ ଘଣ୍ଟୁ ନିଜ ଯୋଜନା ପ୍ରସାରଣ ଚିନ୍ତାରେ ଥିଲେ। ପଞ୍ଚ-ପଞ୍ଚେଇ ତାଙ୍କର ଭରସା। ଘଣ୍ଟୁ ପାଇଁ ଏମାନେ ମଣିଷ ଦେହରେ ଗୋଟେ ଗୋଟେ ଦେବୀ ନା। ଆରସନକୁ ଏ ଖଡ଼ିଛୁଆଁ ଉଚ୍ଛବ ପାଇଁ ଏମାନଙ୍କ ସହଯୋଗ କାଳ କାଳକୁ ଘଣ୍ଟୁ ମନେ ରଖିବାକୁ ବାଧ୍ୟ। ଏମନ୍ତ ପଞ୍ଚେଇମାନଙ୍କୁ ତୋଷିଲେ, ଖଡ଼ିଛୁଆଁ ଉଚ୍ଛବ ଆଉ ଗାଢ଼ା ହେବ ସିନା।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୬  ସଂଖ୍ୟାରେ ପ୍ରକାଶିତ। )

Leave a Reply

Your email address will not be published. Required fields are marked *