ସାହିତ୍ୟିକଙ୍କର ପ୍ରବୃତ୍ତି, ବୃତ୍ତି ଓ ସମ୍ବେଦନଶୀଳତା

କିଛି ଲେଖକ ନିଜସ୍ୱ ପ୍ରତିଭା ନ ଥିଲେ ମଧ୍ୟ ପ୍ରତିଷ୍ଠା ଓ ପୁରସ୍କାର ଆଶାୟୀ ହୋଇ ଲେଖନୀ ଚାଳନା କରୁଛନ୍ତି ଓ ଅନ୍ୟର ଲେଖାକୁ ନକଲ କରୁଛନ୍ତି।

ଛାୟାକାନ୍ତ ଷଡଙ୍ଗୀ

ବୈଦିକ ଯୁଗରେ ପ୍ରବୃତ୍ତି ଅନୁସାରେ ବୃତ୍ତି ସ୍ଥିର ହୋଇ ବୃତ୍ତି ଅନୁଯାୟୀ ଚତୁର୍ବର୍ଣ୍ଣ ନିର୍ଦ୍ଧାରିତ ହେଉଥିଲା। ଯେଉଁମାନେ ଯଜ୍ଞାଦି କର୍ମ, ଈଶ୍ୱର ଉପାସନା, ଅଧ୍ୟୟନ ଓ ଅଧ୍ୟାପନାଦି କର୍ମ କରୁଥିଲେ ସେମାନଙ୍କୁ ବ୍ରାହ୍ମଣ କୁହାଗଲା। ଯେଉଁମାନେ ଶୌର୍ଯ୍ୟ, ତେଜ ଓ ଧୈର୍ଯ୍ୟର ଅଧିକାରୀ ହୋଇ ପ୍ରଜାମାନଙ୍କୁ ରକ୍ଷା କରୁଥିଲେ ସେମାନଙ୍କୁ କ୍ଷତ୍ରିୟ କୁହାଗଲା। କୃଷି, ଗୋପାଳନ ଓ ବାଣିଜ୍ୟ କର୍ମ କରୁଥିବା ଲୋକଙ୍କୁ ବୈଶ୍ୟ କୁହାଯାଇ ଅନ୍ୟମାନଙ୍କ ସେବା କରୁଥିବା ଲୋକଙ୍କୁ ଶୂଦ୍ର ଭାବରେ ନାମିତ କରାଗଲା। ମାତ୍ର କ୍ରମେ ବର୍ଣ୍ଣକୁ କୁହାଗଲା ଜାତି ଓ ବୃତ୍ତି ଅନୁସାରେ ଜାତି ନିର୍ଦ୍ଧାରିତ ନ ହୋଇ ଜନ୍ମ ଅନୁସାରେ ଜାତି ନିର୍ଦ୍ଧାରିତ ହେଲା। ଏ ଯାବତ୍ ଏହି ପ୍ରଥା ଚାଲିଛି। ଜଣେ ବ୍ରାହ୍ମଣ ଘରେ ଜନ୍ମ ହେଲେ ବ୍ରାହ୍ମଣ ଓ କ୍ଷତ୍ରିୟ ଘରେ ଜନ୍ମ ହେଲେ କ୍ଷତ୍ରିୟ ଭାବରେ ଚିହ୍ନିତ ହେଉଛି। ପୁନଶ୍ଚ ଯଦିଓ ଜାତି ରହିଲା ବୃତ୍ତି ସହ ଏହାର କୌଣସି ସଂପର୍କ ରହିଲା ନାହିଁ। କୁଟୁମ୍ବ ପୋଷିବା ପାଇଁ ଯିଏ ଯେଉଁ ବୃତ୍ତିକୁ ଚାହିଁଲା ତାକୁ ଅବଲମ୍ବନ କଲା। ଅନେକେ ପରିସ୍ଥିତି ଚାପରେ ନିଜର ପ୍ରବୃତ୍ତି ଅନୁସାରେ ବୃତ୍ତି ଅନୁସରଣ ନ କରି ପ୍ରବୃତ୍ତି ବିରୋଧୀ ଯେକୌଣସି ଅର୍ଥକରୀ ବୃତ୍ତିକୁ ଗ୍ରହଣ କରିନେଲେ। ଫଳରେ ସେମାନେ ବୃତ୍ତିକୁ ଯାନ୍ତ୍ରିକ ଭାବରେ ଅନୁସରଣ କଲେ ସିନା, ତାକୁ ବ୍ରତରେ ରୂପାନ୍ତରିତ କରିପାରିଲେ ନାହିଁ।
ବୃତ୍ତି ଓ ବ୍ରତ
ଜୀବନକୁ ପୂର୍ଣ୍ଣତା ଦେବା ପାଇଁ ଜୀବନରେ ବୃତ୍ତି ଯେପରି ଦରକାର, ବ୍ରତ ମଧ୍ୟ ସେପରି ଦରକାର। ବିଶିଷ୍ଟ ଚିନ୍ତାନାୟକ ଚିତ୍ତରଞ୍ଜନ ଦାସଙ୍କ ମତରେ ବ୍ରତ ନଥିଲେ ବୃତ୍ତିଗୁଡ଼ାକ ଆମକୁ ପ୍ରାୟ ସକଳ କ୍ଷେତ୍ରରେ ଗୋଟିଏ ଗୋଟିଏ ଭୃତ୍ୟରେ ହିଁ ପରିଣତ କରି ରଖିଥାନ୍ତି ଏବଂ ବ୍ରତକୁ ବୃତ୍ତିକରି ଗ୍ରହଣ କରି ନଥିଲେ ଆମ ବ୍ରତଗୁଡ଼ାକ ସତେ ଅବା ଅନେକତଃ ଗୋଟାଏ ଗୋଟାଏ ତୁଚ୍ଛା ଭାବପ୍ରବଣତାରେ ପରିଣତ ହୋଇଯାନ୍ତି। କୁମ୍ଭାର ହାଣ୍ଡି ଗଢ଼େ। ଏହା ତାର ବୃତ୍ତି। ମାତ୍ର ସେ ଯଦି ଏହି କର୍ମକୁ ବ୍ରତ ଭାବରେ ଗ୍ରହଣ ନକରେ ସେ ଜଣେ ଭଲ କୁମ୍ଭାର ହୋଇପାରିବ ନାହିଁ। ଯେଉଁ କାରିଗରମାନେ ପଥର ହେଉ ବା ମାଟି ହେଉ ନିଜ ବୃତ୍ତିରେ ମୂର୍ତ୍ତି ଗଢ଼ନ୍ତି ଓ ଲୋକଙ୍କୁ ମୁଗ୍ଧ କରନ୍ତି ସେମାନେ ତାଙ୍କ ବୃତ୍ତିକୁ ବ୍ରତ ଭାବରେ ଗ୍ରହଣ କରିଥାନ୍ତି ବୋଲି ସିଦ୍ଧିଲାଭ କରିଥାନ୍ତି। ଠିକ୍ ସେପରି ତନ୍ତୀମାନେ ଆକର୍ଷଣୀୟ ଲୁଗା ବୁଣନ୍ତି। ଏହା ତାଙ୍କ ବୃତ୍ତିର ବାହାଦୁରି ନୁହେଁ, ବ୍ରତର ବାହାଦୁରି। ସାହିତ୍ୟକୁ ସାହିତ୍ୟିକର ବୃତ୍ତି କହିବା ନା ବ୍ରତ ଏହା ଏକ ବଡ଼ ପ୍ରଶ୍ନ। ଗଙ୍ଗାଧର ମେହେର ତନ୍ତୀ ଥିଲେ ଓ କବି ଥିଲେ। ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ତନ୍ତଚର୍ଚ୍ଚା ଓ ଗ୍ରନ୍ଥଚର୍ଚ୍ଚା ଏକ ସମୟରେ ସଂପାଦନ କରୁଥିଲେ। ସେ ତନ୍ତଚାଳନା କଲାବେଳେ ସଂସ୍କୃତ ଓ ଓଡ଼ିଆ କାବ୍ୟମାନଙ୍କରୁ କଣ୍ଠସ୍ଥ ଲଳିତ ପଦମାନ ଆବୃତ୍ତି କରି ବଡ଼ ଆମୋଦ ଅନୁଭବ କରୁଥିଲେ। ସେ ଆପଣାର ବୃତ୍ତି ଓ ବ୍ରତ ଭିତରେ ଦୁଇ ଖଣ୍ଡରେ ବିଭକ୍ତ ହୋଇ ରହିନଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ସେ ବୃତ୍ତି ପରିବର୍ତ୍ତନ କରି ଜମିଦାର ନୃପରାଜ ସିଂହଙ୍କ ପାଖରେ ଅମୀନ ଭାବରେ ଯୋଗ ଦେଇ ତାଙ୍କ କାର୍ଯ୍ୟକୁ ନିଷ୍ଠା ସହ ସଂପାଦନ କରିଥିଲେ। ସାହିତ୍ୟକୁ ବୃତ୍ତିକରି ସଂସାରରେ କେହି ଜନ୍ମ ହୁଏ ନାହିଁ। ସାହିତ୍ୟିକର ପୁଅ ଯେ ସାହିତ୍ୟିକ ହେବ କେହି ଦୃଢ଼ ଭାବରେ କହିପାରିବ ନାହିଁ। ସାହିତ୍ୟ ହେଉ ବା ଯେକୌଣସି କଳା ହେଉ ତାକୁ ବ୍ରତ ଭାବରେ ଗ୍ରହଣ କରିବାକୁ ହୁଏ। ସାହିତ୍ୟ ଲାଗି ସାହିତ୍ୟିକ ବଞ୍ଚେ ଓ କଳା ପାଇଁ କଳାକାର ବଞ୍ଚେ। ବୃତ୍ତିର ଜଗତରେ ସେ ନିଃସ୍ୱ ହୋଇଯାଇପାରେ, ତଥାପି ସେ ଆପଣାର ଧନରେ ଧନୀ ହୋଇ ରହେ।

ଲିଓନାର୍ଡ଼ୋ ଦା ଭିନ୍‌ସି ମୋନାଲିସାଙ୍କ ଚିତ୍ର ଆଙ୍କିବାରେ ମଜ୍ଜି ରହିଥାନ୍ତି। କିଂବଦନ୍ତୀ କହେ ସେହି ଭଦ୍ରମହିଳା ପ୍ରତିଦିନ ଆସି ଶିଳ୍ପୀଙ୍କ ପାଖରେ ବସୁଥିଲେ। ସେ ଯେପରି ତାଙ୍କ ମୃଦୁ ହସରୁ ବିରତ ନ ହେବେ ସେଥିପାଇଁ ପଟ୍ଟଭୂମିରେ ମଧୁର ସଙ୍ଗୀତ ବାଦନର ବ୍ୟବସ୍ଥା କରାଯାଇଥିଲା। ମହିଳାଙ୍କ ମୁହଁ ବିରସ ଦେଖାଗଲେ ହାସ୍ୟକର ଭଙ୍ଗୀ ଫେରାଇ ଆଣିବା ପାଇଁ ବିଦୂଷକମାନେ ନିଯୁକ୍ତ ହୋଇଥିଲେ। ଶିଳ୍ପୀଙ୍କର ସେହି ମୋନାଲିସା ଛବିଟି ଅସଂପୂର୍ଣ୍ଣ ଥିବାବେଳେ ହଠାତ୍ ଦିନେ ପହଞ୍ଚିଲେ ରାଜା ଫ୍ରାନ୍‌ସିସ୍। ସେତେବେଳକୁ ମୋନାଲିସାଙ୍କ ମୃତ୍ୟୁ ହୋଇସାରିଥିଲା।
ମୋନାଲିସାଙ୍କ ଲାସ୍ୟମୟୀ ଓ ହାସ୍ୟମୟୀ ଚିତ୍ରକୁ ଦେଖି ରାଜା ଅଭିଭୂତ ହୋଇଗଲେ। ସେ ଛବିଟିକୁ କିଣିନେବା ପାଇଁ ଚାହିଁଲେ ଓ ଚାରିହଜାର କ୍ରାଉନ ମୂଲ୍ୟ ଯାଚିଲେ। ମାତ୍ର ଶିଳ୍ପୀ ଆତୁର ଆଖିରେ ରାଜାଙ୍କ ଆଡ଼କୁ ଚାହିଁଥାନ୍ତି। ସେ କହିବାକୁ ଚାହୁଁଥାନ୍ତି ଯେ, ମୋନାଲିସାଙ୍କ ଛବିଟିକୁ ସେ ନିଜ ପାଖରେ ରଖିବାକୁ ଚାହାନ୍ତି। କୌଣସି ମୂଲ୍ୟର ବିନିମୟରେ ମଧ୍ୟ ସେ ତାକୁ ହାତଛଡ଼ା କରିବାକୁ ଚାହୁଁନଥାନ୍ତି। ମାତ୍ର ଭୟରେ ସେ ରାଜାଙ୍କୁ କିଛି କହିନପାରି ନିରବ ରହିଲେ। ପରଦିନ ରାଜ କର୍ମଚାରୀ ସେହି ଛବିଟିକୁ ସେଠାରୁ ନେଇଯିବେ କହି ରାଜା ଚାଲିଗଲେ। ମାତ୍ର ଲିଓନାର୍ଡ଼ୋଙ୍କୁ ସାରା ରାତି ନିଦ ହେଲାନାହିଁ। ରାତି ଅଧରେ ସେ ରାଜ ଦରବାରକୁ ଆସି ରାଜାଙ୍କୁ ସାକ୍ଷାତକଲେ। ସେ ତାଙ୍କୁ କାତର ଭାବରେ କହିଲେ, ‘ମହାରାଜ! ସେହି ଛବି ବିନା ମୁଁ ବଞ୍ôଚ ପାରିବି ନାହିଁ। ମୁଁ ମରିବା ପର୍ଯ୍ୟନ୍ତ ଛବିଟି ମୋ’ ପାଖରେ ଥାଉ। ମୋର ଏତିକି ଅନୁରୋଧ।’ ପାଖରେ ଛିଡ଼ା ହୋଇଥିବା ରାଜାଙ୍କ ଭଉଣୀ କହିଲେ, ‘ମହାରାଜ! ସେ ଏବେବି ମୋନାଲିସାଙ୍କୁ ଭଲ ପାଉଛନ୍ତି। ତାଙ୍କ ଅନୁରୋଧ ଦୟାକରି ରକ୍ଷା କରନ୍ତୁ।’ ରାଜା କହିଲେ, ‘କିନ୍ତୁ ମୋନାଲିସା ତ କେବେଠୁଁ ମୃତ୍ୟୁ ହୋଇସାରିଲେଣି।’ ଭଉଣୀ କହିଲେ ‘ଜଣେ ମରିଗଲା ପରେ ମଧ୍ୟ ଲୋକେ କ’ଣ ତାକୁ ଭଲ ପାଉନାହାନ୍ତି? ଶିଳ୍ପୀଙ୍କ ସ୍ମୃତି ତାଙ୍କରି ପାଖରେ ରହୁ।’ ଉଦାର ରାଜା ବୁଝିଲେ ଓ ଶିଳ୍ପୀଙ୍କ ଅନୁରୋଧ ରକ୍ଷାକଲେ। ଶିଳ୍ପୀ ଲିଓନାର୍ଡ଼ୋଙ୍କ ବୃତ୍ତି ଥିଲା ଚିତ୍ର ଆଙ୍କିବା। ମାତ୍ର ସେ ତାଙ୍କ ବୃତ୍ତିକୁ ବ୍ରତରେ ପରିଣତ କରିଦେଇଥିଲେ। ସେଥିପାଇଁ ତ ମୋନାଲିସା ଛବିଟି ସେତେବେଳେ ସର୍ବଶ୍ରେଷ୍ଠ ଛବି ଭାବରେ ସ୍ୱୀକୃତି ପାଇଥିଲା। ବୃତ୍ତି ଅନୁସାରେ ଚିତ୍ର ଆଙ୍କି ସେ ଚିତ୍ରକୁ ଏକ ପଣ୍ୟଦ୍ରବ୍ୟ ଭାବରେ ଦେଖିନଥିଲେ। ତାଙ୍କ ସଂସାର ଥିଲା ଅନ୍ତରଙ୍ଗ ହେବାର ସଂସାର, ଶ୍ରଦ୍ଧାର ସଂସାର। ତାଙ୍କ ବୃତ୍ତିଥିଲା ଏକ ବ୍ରତ।
ବୃତ୍ତି ଓ ପ୍ରବୃତ୍ତି
ଏହା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ, ବୃତ୍ତି ପ୍ରବୃତ୍ତିଜନିତ ନ ହେଲେ ତାହା ବ୍ରତରେ ପରିଣତ ହୋଇପାରେନାହିଁ। ଆର୍ଥର କେନନ୍ ଡୟଲ ଏଡିନ୍‌ବର୍ଗ ମେଡିକାଲ କଲେଜରୁ ଡାକ୍ତରୀ ପାସ୍ କଲେ ଓ ଚିକିତ୍ସା ଆରମ୍ଭ କଲେ। ମାତ୍ର ସେ ବୃତ୍ତିରେ ସେ ବେଶୀଦିନ ରହିପାରିଲେ ନାହିଁ, କାରଣ ତାହା ତାଙ୍କର ପ୍ରବୃତ୍ତି ନଥିଲା। ତାଙ୍କର ଥିଲା ସର୍ଜନଶୀଳ ପ୍ରତିଭା। ଲେଖିଲେ ଅନେକ ଉପନ୍ୟାସ ଓ କାହାଣୀ। ତାଙ୍କର ଗୋଇନ୍ଦା ଉପନ୍ୟାସରେ ସେରଲକ୍ ହୋମ୍‌ସ ଏକ ବହୁଜନାଦୃତ ଚରିତ୍ର। ସେ ସ୍ୱୀକୃତ ହେଲେ ଜଣେ ବିଶିଷ୍ଟ ଔପନ୍ୟାସିକ ଭାବରେ। ସମର୍‌ସେଟ୍ ମସ୍ ଥିଲେ ଆଉ ଜଣେ ଡାକ୍ତର। ସେ ଶେଷ ବର୍ଷର ଡାକ୍ତରୀ ଛାତ୍ର ଥିବାବେଳେ ଲେଖିଲେ ‘ଲିଜା ଅଫ୍ ଲ୍ୟାସବେଥ୍‌’। ଏହି ପ୍ରଥମ ଉପନ୍ୟାସର ଅପୂର୍ବ ସଫଳତା ପରେ ସେ ଡାକ୍ତରୀ ବୃତ୍ତି ଛାଡ଼ିଦେଲେ। ଷ୍ଠେଥୋସ୍କୋପ୍‌କୁ ଅବସର ଦେଇ ଧରିଲେ କଲମ। ସୃଷ୍ଟି ହେଲା ‘ଏ ମ୍ୟାନ୍ ଅଫ ଅନର’, ‘ଅଫ୍ ହ୍ୟୁମେନ୍ ବଣ୍ଡେଜ’, ‘ଲେଡ଼ି ଫେଡ଼େରିକ’ ଓ ଅନେକ ଉଲ୍ଲେଖନୀୟ କୃତି। ଆଉଜଣେ ଡାକ୍ତର ହେଲେ ଜୋସେଫ୍ କ୍ରୋନିନ୍। ଗ୍ଲାସ୍‌ଗୋ ବିଶ୍ୱବିଦ୍ୟାଳୟରୁ ଚିକିତ୍ସା ବିଜ୍ଞାନରେ ସର୍ବୋଚ୍ଚ ଡିଗ୍ରୀ ଲାଭକରି ମଧ୍ୟ ସେ ଚିକିତ୍ସାକୁ ବୃତ୍ତି ଭାବରେ ବେଶୀଦିନ ଅନୁସରଣ କରିପାରିଲେ ନାହିଁ। କାରଣ ତାଙ୍କର ପ୍ରବୃତ୍ତି ଥିଲା ଭିନ୍ନ। ତାଙ୍କର ସର୍ଜନଶୀଳ ପ୍ରତିଭା ସ୍ୱତଃପ୍ରବୃତ୍ତ ଭାବରେ ଆତ୍ମପ୍ରକାଶ କଲା ତାଙ୍କର ଉପନ୍ୟାସଗୁଡ଼ିକରେ ଯଥା ‘ଦି ଗ୍ରୀନ୍ ୟର୍‌ସ’, ‘ଦି ଜୁଦାଶ ଟ୍ରି’, ‘ହ୍ୟାଟାରସ କ୍ୟାସଲ’ ଇତ୍ୟାଦି। ତାଙ୍କ ପ୍ରବୃତ୍ତିକୁ ସେ ବ୍ରତରେ ପରିଣତ କରି ଚିକିତ୍ସା ବୃତ୍ତିରୁ ଦୂରେଇଗଲେ।
ସାହିତ୍ୟ ଓ ବୃତ୍ତି
ଅତୀତରେ ଅନେକ ପଣ୍ଡିତ କାବ୍ୟ କବିତା ଲେଖି ରାଜାଙ୍କ ପାଖରୁ ଅର୍ଥ, ପୁରସ୍କାର ଓ ଉପାଧି ଗ୍ରହଣ କରୁଥିଲେ। ସାହିତ୍ୟ ସୃଷ୍ଟି କରିବା ସେମାନଙ୍କ ପାଇଁ ଏକ ବୃତ୍ତିଥିଲା। ଅବଶ୍ୟ ଆଜିକାଲି ରାଜା ନଥିଲେ ମଧ୍ୟ ଏହି ଧାରା ଏକ ଭିନ୍ନ ରୂପରେ ପ୍ରଚଳିତ ହୋଇଛି। ସାହିତ୍ୟ ଏକାଡେମି ଓ ଅନେକ ବେସରକାରୀ ସଂସ୍ଥା ସାହିତ୍ୟ ପାଇଁ ମୋଟା ଅର୍ଥଯୁକ୍ତ ପୁରସ୍କାର ଓ ସମ୍ମାନ ଦେଉଛନ୍ତି। ଏବେ ପ୍ରବୃତ୍ତି ନ ଥାଇ, ସୃଜନଶୀଳ ପ୍ରତିଭା ନ ଥାଇ ମଧ୍ୟ କିଛି ଲେଖକ ଏସବୁ ହାତେଇବା ପାଇଁ ଲେଖନୀ ଚାଳନା କରୁଛନ୍ତି। ସେମାନଙ୍କ ପାଇଁ ସାହିତ୍ୟ ସୃଷ୍ଟି କରିବା ଏକ ବୃତ୍ତି ହୋଇଛି। ମାତ୍ର ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କ ଭାଷାରେ, ‘ସାହିତ୍ୟ ହେଉଛି ବସ୍ତୁତଃ ଏକ ବ୍ରତ। ସାହିତ୍ୟ କେତେ ମଣିଷକୁ ଯୁଗେ ଯୁଗେ ବୃତ୍ତିର ଜଗତରେ କେତେ ପ୍ରକାରେ ନିଃସ୍ୱ ଏବଂ ନିଃଦ୍ରବ୍ୟ କରି ରଖିଛି। କେତେ ସିଂହାସନଚାରୀଙ୍କ ଦୃଷ୍ଟିରୁ ଦୂରରେ ରଖିଛି, କେତେ ସଫଳତା ତଥା ସ୍ୱୀକୃତିର ଦ୍ୱାରରୁ ସେମାନଙ୍କୁ ଦୂରେଇ ରଖିଛି। ସାହିତ୍ୟିକ ତଥାପି ବଞ୍ଚିଛି। ବାହାରକୁ ନିଃସ୍ୱ ହୋଇ ରହିଥିଲେ ମଧ୍ୟ ସେ ଆପଣାର ଧନରେ ତଥାପି ଧନୀହୋଇ ରହିଛି।’ ଏହା ସମ୍ଭବ ହୋଇଛି ଯେତେବେଳେ ସାହିତ୍ୟିକ ନିଜ ସୃଜନଶୀଳ ପ୍ରବୃତ୍ତିକୁ ବୃତ୍ତି ଭାବରେ ଗ୍ରହଣ କରି ତାକୁ ବ୍ରତରେ ପରିଣତ କରିଛି।

ଲେଖକର ସମ୍ବେଦନଶୀଳତା
ସମ୍ବେଦନଶୀଳତା ଏକ ମଣିଷୋଚିତ ଗୁଣ। ସାଧାରଣ ମଣିଷଠାରୁ ଲେଖକଟିଏ ବେଶି ସମ୍ବେଦନଶୀଳ। ଏହି ସମ୍ବେଦନଶୀଳତା ନଥିଲେ କାଳୋତ୍ତୀର୍ଣ୍ଣ ସାହିତ୍ୟ ସୃଷ୍ଟି ହୋଇପାରେନାହିଁ। ମହାକାବ୍ୟ ରାମାୟଣର ସୃଷ୍ଟି ହୋଇଥିଲା ଏହି ସମ୍ବେଦନଶୀଳତା ମଧ୍ୟରୁ। କାମାସକ୍ତ କ୍ରୌଞ୍ଚଯୁଗଳଙ୍କ ମଧ୍ୟରୁ ଗୋଟିଏ କ୍ରୌଞ୍ଚକୁ ନିଷାଦ ଶରାଘାତ କରନ୍ତେ ଦୃଶ୍ୟଟି ଦେଖୁଥିବା ଋଷି ବାଲ୍ମିକୀଙ୍କ ହୃଦୟରେ ଯେଉଁ ବେଦନା ସୃଷ୍ଟି ହେଲା ସେଠୁ ଜନ୍ମନେଲା ରାମାୟଣର ପ୍ରଥମ ଶ୍ଳୋକ-‘ମା ନିଷାଦ ପ୍ରତିଷ୍ଠାଂତ୍ୱମଗମଃ ଶାଶ୍ୱତୀଃ ସମାଃ/ ଯତ୍ କ୍ରୌଞ୍ଚମିଥୁନାଦେକମବଧୀ କାମମୋହିତମ୍।’ ଋଷି ବେଦନା ଜର୍ଜରିତ ହୃଦୟରେ ଅଭିଶାପ ଦେଲେ, ରେ ନିଷାଦ! ତୁ କାମାସକ୍ତ ଥିବା କ୍ରୌଞ୍ଚଯୁଗଳରୁ ଗୋଟିଏ କ୍ରୌଞ୍ଚକୁ ହତ୍ୟା କରିଥିବାରୁ ତୁ ଅନନ୍ତକାଳ ପର୍ଯ୍ୟନ୍ତ ଶାନ୍ତି ଲାଭ କରିପାରିବୁ ନାହିଁ। ପରବର୍ତ୍ତୀ ସମୟରେ ଏହି ରାମାୟଣ ହେଲା କାଳଜୟୀ ସାହିତ୍ୟ।
ସେହିଭଳି ଜଣେ ସମ୍ବେଦନଶୀଳ ବ୍ୟକ୍ତି ଥିଲେ କାହ୍ନୁଚରଣ ମହାନ୍ତି। ବିଶିଷ୍ଟ ଲେଖକ ବୈଷ୍ଣବ ଚରଣ ମହାନ୍ତିଙ୍କଠାରୁ ଶୁଣିଥିବା ତାଙ୍କ ଜୀବନର ଏକ ଘଟଣା। ଶୀତ ରାତିରେ କଲେଜ ଛାତ୍ରଥିବା ବୈଷ୍ଣବ ବାବୁ ସାଇକେଲରେ ନିଜ ବସାକୁ ଫେରୁଥାନ୍ତି। କଟକର ରାଜାବଗିଚାରେ ଅନ୍ଧାର ରାତିରେ ରାସ୍ତା କଡ଼ରେ ବସିଥାନ୍ତି ଜଣେ ବୃଦ୍ଧ। ସେ କମ୍ବଳଟିଏ ଘୋଡ଼ାଇ ହୋଇଥାନ୍ତି ଓ ହାତରେ ଗୋଟିଏ ଲଣ୍ଠନ ଧରିଥାନ୍ତି। ବୈଷ୍ଣବବାବୁ ଆଗେଇ ଯାଆନ୍ତେ ସେ ପାଟିକରି କହିଲେ, ‘କିଏ? ଦେଖି କରିଯାଅ, ପଡ଼ିଯିବ। ଆଗରେ ମ୍ୟାନହୋଲ ଅଛି।’ ବୈଷ୍ଣବ ବାବୁ ଅଟକିଗଲେ। ଶୀତରାତିରେ ବୁଢ଼ା ବୟସରେ ରାସ୍ତା କଡ଼ରେ ବସିଥିବାର କାରଣ ବୈଷ୍ଣବବାବୁ ପଚାରନ୍ତେ ସେ କହିଲେ, ‘ଆଗରେ ଥିବା ମ୍ୟାନ୍‌ହୋଲର ଢ଼ାଙ୍କୁଣି ଉଠିଯାଇଛି। କିଛି ସମୟ ପୂର୍ବରୁ ଜଣେ ରିକ୍‌ସାବାଲା ତାହା ଦେଖି ନ ପାରି ସେଠାରେ ପଡ଼ି ଖଣ୍ଡିଆଖାବରା ହୋଇଗଲା। ରିକ୍‌ସା ଟାଣି ସେ କୁଟୁମ୍ବ ପୋଷେ। ଏବେ ବିଚରା ଚଳିବ କେମିତି? ଆଉ କେହି ସେଠି ନ ପଡ଼ୁ, ସେଥିପାଇଁ ମୁଁ ଏଠି ଜଗିବସିଛି।’ ବୈଷ୍ଣବବାବୁ ତାଙ୍କ ପରିଚୟ ଜାଣିବାକୁ ଚାହାନ୍ତେ ସେ କହିଲେ, ‘ମୁଁ କାହ୍ନୁ ମହାନ୍ତି। ନିକଟରେ ମୋର ଘର।’ ‘ହାଅନ୍ନ’, ‘ଶାସ୍ତି’, ‘ବାଲିରାଜା’, ‘ପଳାତକ’ ଭଳି ବହୁ କାଳଜୟୀ ଉପନ୍ୟାସର ସ୍ରଷ୍ଟା କାହ୍ନୁଚରଣ ମହାନ୍ତିଙ୍କ ସମ୍ବେଦନଶୀଳତା ଉପଲବ୍‌ଧି କରି ବୈଷ୍ଣବବାବୁ ବିସ୍ମିତ ହୋଇଥିଲେ ଓ ତା’ପରଦିନ ପୌର କାର୍ଯ୍ୟାଳୟକୁ ଯାଇ ସେହି ମ୍ୟାନ୍‌ହୋଲ ସଂପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଏହି ମାନବୀୟ ସମ୍ବେଦନା ନଥିଲେ ସଫଳ ସାହିତ୍ୟର ସୃଷ୍ଟି ସମ୍ଭବ ନୁହେଁ। କାହ୍ନୁଚରଣଙ୍କ ପ୍ରତ୍ୟେକ ଉପନ୍ୟାସରେ ଏହା ପ୍ରତିଫଳିତ। ଅନୁରୂପ ଭାବରେ ଚିଲିର କବୟିତ୍ରୀ ଗାବ୍ରିଏଲ ମିଷ୍ଟାଲ୍ ଦିନେ ସୂର୍ଯ୍ୟାସ୍ତ ସମୟରେ ଗହମକ୍ଷେତ ବାଟେ ଘରକୁ ଫେରୁଥିଲେ।
ଜଣେ ଗର୍ଭବତୀ ନାରୀ ଶ୍ରମିକକୁ କେତେକ ପୁରୁଷ ରୂଢ଼ ମନ୍ତବ୍ୟ ଦେଇ ଉପହାସ କରୁଥିବାର ଦୃଶ୍ୟ ତାଙ୍କୁ ଏତେ ଆଘାତ ଦେଲା ଯେ ସେ ରାତିସାରା ଶୋଇପାରିନଥିଲେ। ସେ ଅନୁଭବ କରିଥିଲେ ମାତୃତ୍ୱର ଅସହାୟତା ଓ ସେହି ରାତିରେ ଲେଖିଥିଲେ ମାତୃତ୍ୱର ଗରିମା ଉପରେ ତାଙ୍କର ପ୍ରଥମ କବିତା। ପରେ ସେ ଯେତେ କବିତା ଲେଖିଥିଲେ ସବୁଥିରେ ମୂଳ ବିଷୟବସ୍ତୁ ଥିଲା ମା’ ଓ ଶିଶୁ। ପରବର୍ତ୍ତୀ ସମୟରେ ସେ ତାଙ୍କର ସାହିତ୍ୟ କୃତି ପାଇଁ ନୋବେଲ ପୁରସ୍କାର ପାଇଲେ।
ଆଧୁନିକ ଯୁଗରେ ଲେଖକମାନଙ୍କ ସଂଖ୍ୟା ଅତି ମାତ୍ରାରେ ବଢ଼ିଛି। ମାତ୍ର ଏହା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ ସେମାନଙ୍କ ସାହିତ୍ୟ-ଜଳଯାତ୍ରା ରୋମାଞ୍ଚକର ହେଲେ ମଧ୍ୟ ଯାତ୍ରା ମଝିରେ ଅନେକ ଲେଖକଙ୍କ ଜାହାଜ ଧ୍ୱଂସପ୍ରାପ୍ତ ହେଉଛି। କିଛି ଲେଖକ ନିଜସ୍ୱ ପ୍ରତିଭା ନ ଥିଲେ ମଧ୍ୟ ପ୍ରତିଷ୍ଠା ଓ ପୁରସ୍କାର ଆଶାୟୀ ହୋଇ ଲେଖନୀ ଚାଳନା କରୁଛନ୍ତି ଓ ଅନ୍ୟର ଲେଖାକୁ ବିନା ସୂଚନାରେ ନକଲ କରୁଛନ୍ତି। ପୁନଶ୍ଚ ନିଜସ୍ୱ ଅନୁଭୂତି ନ ଥାଇ ଓ ମାନବୀୟ ସଂବେଦନା ନ ଥାଇ ଲେଖନୀ ଚାଳନା କରୁଛନ୍ତି। ଏହିଭଳି ଲେଖା ଆବେଦନ ସୃଷ୍ଟି କରିପାରୁନାହିଁ। ଏହିଭଳି ଲେଖକଙ୍କୁ ‘ସାହିତ୍ୟ ମହାଭାରତ’ର ଲେଖକ ଶ୍ରୀ ସଞ୍ଜୟ ପୌଣ୍ଡ୍ରକ ଆଖ୍ୟା ଦେଇଛନ୍ତି। ପୌଣ୍ଡ୍ରକ ଥିଲେ ଜରାସନ୍ଧଙ୍କ ମିତ୍ର। ତାଙ୍କ ପିତାଙ୍କ ନାମ ଥିଲା ବସୁଦେବ। ତେଣୁ ସେ ନିଜକୁ ବାସୁଦେବ ବୋଲି କହୁଥିଲେ। ମାତ୍ର ସେ ନିଜକୁ ବାସୁଦେବ ବୋଲି ପରିଚୟ ଦେବାବେଳକୁ ଶ୍ରୀକୃଷ୍ଣ ବାସୁଦେବ ଭାବରେ ପ୍ରସିଦ୍ଧି ଅର୍ଜନ କରିସାରିଥିଲେ। ଥରେ ନାରଦ ପୌଣ୍ଡ୍ରକଙ୍କ ଆଗରେ ଶ୍ରୀକୃଷ୍ଣ ବାସୁଦେବଙ୍କ ଖ୍ୟାତି ବର୍ଣ୍ଣନା କରନ୍ତେ ସେ ଉତ୍‌କ୍ଷିପ୍ତ ହୋଇ କହିଲେ, ସେ ହେଉଛନ୍ତି ଅସଲି ବାସୁଦେବ ଓ ଶ୍ରୀକୃଷ୍ଣ ହେଉଛନ୍ତି ନକଲି। ପୁନଶ୍ଚ ସେ ନିଜ ଦେହରେ ଶ୍ରୀକୃଷ୍ଣଙ୍କ ବର୍ଣ୍ଣପରି ନୀଳରଙ୍ଗ ବୋଳିହେଲେ ଓ ହାତରେ ଶଂଖ ଚକ୍ର ଧରି ନିଜକୁ ପ୍ରକୃତ ବାସୁଦେବ ବୋଲି ପ୍ରଚାର କଲେ। ଲେଖକର ଏହିପ୍ରକାର ଉଦ୍ୟମ ଅବଶ୍ୟ ନିନ୍ଦନୀୟ। ଏଣୁ ନିଜସ୍ୱ ଅନୁଭୂତି ଓ ମାନବୀୟ ସଂବେଦନା ନ ଥାଇ ଲେଖନୀ ଚାଳନା କରିବା ସାହିତ୍ୟିକ ଭାବରେ ନିଜକୁ ପ୍ରତିଷ୍ଠିତ କରିବାର ଅପଚେଷ୍ଟା ବୋଲି କୁହାଯାଇପାରେ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

2 thoughts on “ସାହିତ୍ୟିକଙ୍କର ପ୍ରବୃତ୍ତି, ବୃତ୍ତି ଓ ସମ୍ବେଦନଶୀଳତା

  1. ଖୁବ ସୁନ୍ଦର ଅନୁଶୀଳନ. ଵୃତ୍ତି ଓ ବ୍ରତର ପାର୍ଥକ୍ୟ ବୁଝିବା ଆବଶ୍ୟକ ସାହତ୍ୟିକଟିଏ. ସମ୍ବେଦନଶୀଳତା ନଥିଲେ ସାହିତ୍ୟ ସୃଷ୍ଟି ଅସମ୍ଭବ. ଅବଶ୍ୟ ପ୍ରକୃତ ସାହିତ୍ୟ.

  2. ପ୍ରବୃତ୍ତି ପାଳିଲେ ମିଳେ ସ୍ଥାୟୀ ତୃପ୍ତି
    ବୃତ୍ତି କରୁଥିଲେ ମିଳଇ ସଂପତ୍ତି
    ତୃପ୍ତି କି ସଂପତ୍ତି ଯାହା ଲୋଡ଼େ ଯିଏ
    ସେହି ଅନୁସାରେ କାମ କରିଥାଏ

Leave a Reply

Your email address will not be published. Required fields are marked *