ମୋ’ର ଲକ୍ଷ୍ନୌ ଅନୁଭୂତି

ଯାହା ଅନୁଭବ କଲି, ତାହା ମୋ’ର ଆନନ୍ଦ‌ ଯେ ଓଡ଼ିଆ ସ୍ବଭାବତଃ ସ୍ନେହୀ, ଜିଜ୍ଞାସୁ, ମିତ୍ରବତ୍ସଳ।

ଶ୍ରୀନିବାସ ଉଦ୍‌ଗାତା

ମୁଁ ଆମ ଲକ୍ଷ୍ନୌ ଚୌକ ସ୍ଥିତ ଆବାସରେ ଅନେକ ଅବସରରେ ରହିଛି; ବାବୁଜୀ ପ୍ରବାଦ ସାରସ୍ବତ ପୁରୁଷ ଅମୃତଲାଲ ନାଗର, ପୂଜ୍ୟା ମାଁଜୀଙ୍କର ବିଦ୍ୟମାନତାରେ ପରିବାର ସହିତ। ଥରେ ବାବୁଜୀ କହିଲେ- “ଦେଖୋ ବେଟେ, ତୁମ ଲୋଗ ଏକ ଗଲତ ପ୍ରୟୋଗ କରତେ ହୋ। ସବକୋ ‘ସାହିତ୍ୟିକ’ କହେ ଫିରତେ ହୋ।” ବୁଝେଇଦେଲେ- କବିତା ଲେଖୁଥିବା ମଣିଷଟି କବି, ସେମିତି ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ ଆଦି ଆଦି। ‘ସାହିତ୍ୟ’ ତ ଏକ ଧର୍ମ ଯାହା ସବୁ ଧର୍ମରୁ ବଡ଼। ତାହା ଦୂରକୁ ନିକଟ କରେ, ପରକୁ ଆପଣାର କରିଥାଏ। ସେହି ଧର୍ମର ଆସ୍ଥାବନ୍ତ ବିଶ୍ବାସୀ ସିନା ‘ସାହିତ୍ୟିକ’। ତାହା ଏକ ଅହଂଶୂନ୍ୟ, ଈର୍ଷାରହିତ କର୍ମ।

ବତ୍ସଳା ମାଆ ସେହି ଧର୍ମର ରୀତିରେ ଜଗଚ-ଚିତ୍ତ-ଭୂମିରେ ଭାବର ଜାହ୍ନବୀ ଧାରା ପ୍ଲାବିତ କରି ଶ୍ୟାମଳ, ପୁଷ୍ପିତ, ପଲ୍ଲବିତ କରିଥାଏ। ଦୃଶ୍ୟମାନ ଜଗତର ବଣ ବଗିଚାରେ ମଲ୍ଲୀ, ମାଳତୀ, ଚମ୍ପା, କିଆ, କେତକୀ କେତେକେତେ ଫୁଲ ଫୁଟାଇଥାଏ। ତେବେ ମନ ଉପବନର ସେଇ ଫୁଲମାନେ ରୂପରେ ନିଆରା; ଅରୂପକୁ ରୂପବନ୍ତ କରିବାର, ସୁଗନ୍ଧ ସୁରଭିତ କରୁଥିବା ବାଣୀରେ ବିକଶିତ ହୋଇ ସେମାନେ କବିତା, କଥା, ଉପନ୍ୟାସ, ନାଟକ ଆଦି ହୋଇ ଆପଣା ମୌଳିକ, ସ୍ବତନ୍ତ୍ର ଧାରାରେ ଯେ ଫୁଲ ଫୁଟେଇଥାଆନ୍ତି ସେମାନେ ସେହି ସୁଗନ୍ଧ ସୁରଭିରେ ଭିନେଭିନେ। ତାହା ସେହି ସର୍ଜନାକାର ମାଳୀମାନଙ୍କର, ମାଳାକାରମାନଙ୍କର ପରିଚୟ। ତେବେ, ସେମାନେ ଅହଂଶୂନ୍ୟତାର ସେହି ଧର୍ମରେ ଦୀକ୍ଷିତ ହୋଇ ନ ଥିଲେ ମିତ୍ରମୟ, ଗୋଟିଏ ପରିପୂର୍ଣ୍ଣ ଜଗତ ପାଇବେ କେମିତି? ସର୍ବତ୍ର ମୋ’ର ସ୍ବଜନ ପରିବାର ଅଧିଷ୍ଠିତ ହୋଇ ରହିଛନ୍ତି ବୋଲି କେମିତି କହିପାରିବେ?
ବାବୁଜୀ ପ୍ରତିଟି ରଚନାତ୍ମକ ବିଧାରେ ସିଦ୍ଧ, ମାତ୍ର ଅନ୍ତରାତ୍ମା ରେ ‘ସାହିତ୍ୟିକ’ ତପସ୍ୱୀ। କେନ୍ଦ୍ର ସାହିତ୍ୟ ଏକାଡ଼େମୀ ତଥା ଭାରତର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ତତ୍ବାବଧାନରେ ଆୟୋଜିତ (୨୦-୨୧ ଅଗଷ୍ଟ, ୨୦୧୬) ଦ୍ବିଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ, ଉତ୍ତର ପ୍ରଦେଶ ହିନ୍ଦୀ ସଂସ୍ଥାନ, ଲକ୍ଷ୍ନୌ ସ୍ଥିତ ନିରାଲା ସଭାଗାର ତଥା ପ୍ରେମଚାନ୍ଦ ସଭାଗାରରେ ଅନୁଷ୍ଠିତ ସଂଗୋଷ୍ଠୀ ସହିତ ନାଟ୍ୟ ପ୍ରଦର୍ଶନ, ଚିତ୍ର ପ୍ରଦର୍ଶନୀ ତଥା ପ୍ରଣମ୍ୟ ନାଗରଜୀଙ୍କ ପ୍ରଣୀତ ଗ୍ରନ୍ଥ ସମୂହ ସହିତ ତାଙ୍କର ସେହି ଅବସରରେ ଆୟୋଜିତ ଦ୍ବିଦିବସୀୟ ସମାରୋହର ଏକ ସଂଗୋଷ୍ଠୀ ସମାବେଶର ଅଧ୍ୟକ୍ଷତା କରିବାର ସୌଭାଗ୍ୟ ହେତୁ ମୁଁ ସାରସ୍ବତ ଜଗତରେ ଭାବାତ୍ମକ ଏକାତ୍ମକତାର ଅମୃତ-ସ୍ବାଦର ଅନୁଭବରେ କୃତାର୍ଥ ହୋଇଛି।
ତାହା ସହିତ ଲକ୍ଷ୍ନୌ ପ୍ରବାସୀ ଓଡ଼ିଆ ସମାଜ ଏକ ଅଭିନନ୍ଦନ ସମାରୋହ ୨୨ ତାରିଖ ଦିନ କରିଥିଲେ, ବିଶ୍ବବିଦ୍ୟାଳୟ, ରବୀନ୍ଦ୍ରନାଥ ଟାଗୋର ଲାଇବ୍ରେରୀ ସମ୍ମିଳନୀ କକ୍ଷରେ, ଯାହାର ଶ୍ରୋତା ଭାବରେ ଥିଲେ ଅଧିକାଂଶ ବିଶ୍ବବିଦ୍ୟାଳୟର ପ୍ରବୁଦ୍ଧ ପ୍ରଜ୍ଞାପକ, ସେମାନେ ସମସ୍ତେ ଓଡ଼ିଆ ନୁହନ୍ତି, ବହୁଭାଷୀ ବିଦ୍ୱାନ। ମୁଁ ନିଜକୁ ଦେଖେଇ କହୁନାହିଁ, ଯାହା ଅନୁଭବ କଲି ତାହା ମୋ’ର ଆନନ୍ଦ‌ ଯେ ଓଡ଼ିଆ ସ୍ବଭାବତଃ ସ୍ନେହୀ, ଜିଜ୍ଞାସୁ, ମିତ୍ରବତ୍ସଳ। ସେତେବେଳେ ଲକ୍ଷ୍ନୌର ବାରମ୍ବାର ସେହି ଭାବନା ମୋତେ ଆତୁର କରୁଥିଲା ଯେ ଅଦ୍ୱିତୀୟ ଦିବ୍ୟ ଭାଷା, ଆର୍ଯଭାଷା ସମୂହରେ ଦ୍ବିତୀୟ ଶାସ୍ତ୍ରୀୟ ମାନ୍ୟତାର ଗୌରବ ବିମଣ୍ଡିତ ‘ଓଡ଼ିଆ’ର ସାରସ୍ବତ ଉର୍ବର ମାଟିରେ ସେଭଳି ଏକ ମିଳିତ ପ୍ରାଣର ଉତ୍ସବ ଅନୁଷ୍ଠାନ ହେବା କ’ଣ ସମ୍ଭବ ନୁହେଁ?

One thought on “ମୋ’ର ଲକ୍ଷ୍ନୌ ଅନୁଭୂତି

Leave a Reply

Your email address will not be published. Required fields are marked *