ସରିଯାଏ ଯେବେ ବାହାଘର, ବିଦେଶ ଯିବାକୁ ତରବର ! ପାସପୋର୍ଟ ଭିସା ସଜ କରିଥା।

ଡିଜେ ବାଜୁଥିବ ଝାଇଁ ଝାଇଁକା !
ଆସିବ ବର ଲୋ
ହେବ ବାହାଘର !
ବେଦୀକୁ ଯିବୁ ଡେଇଁ ଡେଇଁକା ।
ଆଜିର ହଳଦି
କାଲିକି ମେହେନ୍ଦି !
ନାଚିବା ପାଇଁ ସଜ ହୋଇଥା।
ତୋ ବାପକୁ କହିବୁ
ନାଚିବ ସାଙ୍ଗରେ !
ନହେଲେ ,
ରୁଷିଯିବ ଆମ ଜୋଇଁ ପିଲାଟା ।
ବାଜୁଥିବ ବାଜା
ମଞ୍ଚ ଥିବ ସଜା !
ମଦ ମାଂସ ଖାଇ
ମାତାଲ ସାଜିବେ
ଡେଇଁବେ ସରବେ ରହି ରହିକା ।
ବସି ପାରିବନି
ବେଦୀରେ ବର ଲୋ !
ଘଣ୍ଟାଏ ଭିତରେ
ସରିବ ଯେମିତି
ସେମିତି ପଣ୍ଡିତ ଖୋଜି ରଖିଥା ।

ବାହାଘର ଦିନ
ଲୁଣ ଚୋରୀ ଭୁଲି
ଜୋତା ଚୋରୀ ଖେଳ
ଖେଳିବୁଟି ନିଶ୍ଚେ ମନେରଖିଥା ।
ଗାଁ ଠାକୁରାଣୀ !
ବୁଢ଼ୀ ଜାଗୁଳେଇ
ବସିଥିବେ ଚାହିଁ
ଦିଅଁ ମଙ୍ଗୁଳାକୁ ଭୁଲି ଯାଇଥା ।
ବାହାଘର ଘଡ଼ି
ଯାଉ ପଛେ ଗଡ଼ି
କୁସଂସ୍କାର କହି
ବିଉଟି ପାର୍ଲରେ ବସି ରହିଥା ।
ବାଜୁଥିବ ଡ଼ିଜେ
କାନଫଟା ସ୍ୱରେ !
ନାଚ ଗୀତ ଚାଲିଥିବ
ଡିଆଁ କୁଦା ପାଇଁ ଅଣ୍ଟା ଭିଡ଼ିଥା।
ଲଫାପା ଧରାଇ
ଭୋଜନ ସରିଲେ
ବାହା ନ ସରୁଣୁ
ସେଠାରୁ ଚମ୍ପଟ ମାରିଦେଇଥା।
ପ୍ରି ଓଏଡିଙ୍ଗ୍
ପୋଷ୍ଟ ଓଏଡିଙ୍ଗ୍
ଫଟୋ ଉଠିଗଲେ
ଡେଷ୍ଟିନେସନରେ
ଓଏଡିଙ୍ଗ୍ ଯିବ ସରି,
ଆମେରିକା ପାଇଁ ଟିକଟ କାଟିଥା ।
ସରିଯାଏ ଯେବେ ବାହାଘର !
ବିଦେଶ ଯିବାକୁ
ତରଵର
ପାସପୋର୍ଟ ଭିସା ସଜ କରିଥା ।
କେତେ ଦିନ ଅବା
ଲାଷ୍ଟିଂ କରିବ ଏଇ ହାତଗଣ୍ଠି?
କୋର୍ଟରେ ଚାଲିବ
ମିଛ ମକଦ୍ଦମା
ଛାଡ଼ପତ୍ର ପାଇଁ ରେଡ଼ି ହୋଇଥା।
ସ୍ବାମୀ ଅଭୟାନନ୍ଦର କଥନ,
ଏ ମରହଟିଆଙ୍କୁ
ବୁଝାଇବ କିଏ ?
ଏଇତ ଚାଲିଛି ଆମ କାଳରେ
ନୂଆ କଲଚର ପାଲେ
ପଡ଼ିଯିବାକୁ ଟି ସଜ ହୋଇଥା।
ଅଭୟାନନ୍ଦଙ୍କ ବ୍ୟଙ୍ଗ କବିତା, ପଢିଲେ ଲାଗୁଛି ବହୁତ ମଜା।
ଧନ୍ୟବାଦ ଡାକ୍ତର ଅଭୟ ଦାଶ ଓରଫ ଅଭୟାନନ୍ଦ। ଆପଣଙ୍କ କଟାକ୍ଷ ଭରା କବିତା ର ପଟାନ୍ତର ନାହିଁ। ଆପଣ ଫତୁରାନନ୍ଦଙ୍କ ପୁତୁରା ପରି ଲାଗୁଛି। ସାରା ଜୀବନ ହସୁ ଥାଆନ୍ତୁ ଓ ସମସ୍ତଙ୍କୁ
ହସାଉଥାନ୍ତୁ।
ସତକଥା ଗୁଡ଼ା କବିତା ମାଧ୍ୟମରେ କହି ପକାଇଛନ୍ତି ଅଭୟାନନ୍ଦ ମହାଶୟ। କବିତା ବହୁତ୍ ଭଲ ଲାଗିଲା।
ନିଚ୍ଛକ ବାସ୍ତବତା। ସୁନ୍ଦର ବ୍ୟଙ୍ଗ
ନିଛକ ସତ କଥା। ଏ ଯୁଗର ବାହାଘର
Thanks Bhaina
Tuna