ବାବାଜିଙ୍କ ସିଦ୍ଧମନ୍ତ୍ର

ବାବାଜିଙ୍କ ମୁହଁରେ ଖୁସିର ଲହରୀ। ତାଙ୍କର ମନ୍ତ୍ର ବିଷୟରେ ମୋର କୌତୁହଳ ବଢ଼ି ଚାଲିଥିଲା।

ସନ୍ତୋଷ କୁମାର ପଟ୍ଟନାୟକ

ଥାନାରେ କର୍ତ୍ତବ୍ୟ ପାଳନ ସମୟରେ ବେଳେ ବେଳେ ବିଚିତ୍ର ତଥା ରହସ୍ୟମୟ ଘଟଣାବଳୀର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ଘଟଣା ମନ ଭିତରେ କୌତୁହଳ ସୃଷ୍ଟି କରିବା ସଂଗେ ସଂଗେ ଅନୁଭବ କରିବାକୁ ବାଧ୍ୟ କରିଥାଏ ଯେ, ଏ ପୃଥିବୀରେ କିଛି ଗୋଟିଏ ଅଲୌକିକ ଶକ୍ତି ଅଛି, ଯାହାର ବିଶ୍ଲେଷଣ କରିବାକୁ ବର୍ତ୍ତମାନର ବିଜ୍ଞାନ ଅସମର୍ଥ। ଏହାର ଚମତ୍କାରିତା ଓ ଅଦ୍ଭୁତ ଗୁଣ ସବୁଦିନ ପାଇଁ ମନରେ ରହିଥାଏ।
ଚାକିରି ଜୀବନରେ ଏଭଳି ଗୋଟିଏ ଅଙ୍ଗେ ନିଭାଇଥିବା ଘଟଣାର ଅବତାରଣା କରୁଛି। ଯାହା ଅନୁଭବ କରିଛି, ତାହାହିଁ ଲେଖୁଛି। କିଛି କାଳ୍ପନିକ ତଥ୍ୟର ଉପସ୍ଥାପନା କରିବା କିମ୍ବା କୌଣସି ବ୍ୟକ୍ତିବିଶେଷ ତଥା ଦେବାଦେବୀଙ୍କୁ ଗୌରବାନ୍ୱିତ କରିବା ମୋର ଉଦ୍ଦେଶ୍ୟ ନୁହେଁ। କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ସୀମାନ୍ତରେ ବଣଜଙ୍ଗଲ ଅଧ୍ୟୁଷିତ ଏକ ଥାନାରେ କର୍ତ୍ତବ୍ୟରତ ଥିଲି। ଦିନେ ଅତି ସକାଳୁ ଥାନାର ସେଣ୍ଟ୍ରି ମୋର ସରକାରୀ କ୍ୱାର୍ଟରରେ ପହଞ୍ଚି ମତେ ଡାକିଥିଲା। ମୁଁ ବାହାରକୁ ଆସି ଘଟଣା କ’ଣ ଜାଣିବାକୁ ଚେଷ୍ଟା କରିଥିଲି। ଦେଖିଲି ଥାନାର ବାରଣ୍ଡାରେ ଚାରି/ପାଞ୍ଚ ଜଣ ବାବାଜି ଠିଆ ହୋଇଛନ୍ତି। ସେଣ୍ଟ୍ରି କନଷ୍ଟେବଳ କହିଥିଲା, ‘ଆଜ୍ଞା, ଗୋଟିଏ ଚୋରି ରିପୋର୍ଟ କରିବାକୁ ଏହି ବାବାଜିମାନେ ଆସିଛନ୍ତି।’ ମନେ ମନେ ଭାବୁଥିଲି, ବାବାଜିମାନଙ୍କର ଏମିତି କ’ଣ ଚୋରି ହେଲା ଯେ, ଏତେଜଣ ମିଶି ଏତେ ସକାଳୁ ଥାନାକୁ ଆସିଛନ୍ତି? ଯାହାହେଉ, ସଂଗେ ସଂଗେ ପୋଷାକ ପିନ୍ଧି ଘଟଣା କ’ଣ ବୁଝିବାକୁ ଥାନାକୁ ଆସିଥିଲି। ସର୍ବମୋଟ ପାଞ୍ଚଜଣ ବାବାଜି ଥାନାକୁ ଆସିଥିଲେ। ଚାରିଜଣ ଯୁବ ଓ ମଧ୍ୟ ବୟସ୍କର। ଏମାନଙ୍କ ମୁଖ୍ୟପରି ଜଣାଯାଉଥିବା ବାବାଜି ଜଣକ ଅତ୍ୟନ୍ତ ବୃଦ୍ଧ। ମୁଣ୍ଡର ଚୁଟି, ଦାଢ଼ି ତଥା ନିଶ ସଂପୂର୍ଣ୍ଣ ଶୁଭ୍ର। ବୟସର ଭାରରେ ଶରୀର ସାମାନ୍ୟ ନଇଁ ପଡ଼ିଛି, କିନ୍ତୁ ଆଖି ଦୁଇଟିରେ ଏକ ଅସାଧାରଣ ଉଜ୍ଜ୍ୱଳତା।

ଫଳ ଚୋରି
ବାବାଜିଙ୍କୁ ଅଭିବାଦନ କରି ଆସନ ଦେଇ ଆସିବାର କାରଣ ପଚାରିଥିଲି। ସେ ସ୍ମିତହାସ୍ୟ କରି ମୃଦୁ ଅଥଚ ସ୍ପଷ୍ଟ ଭାବରେ କହିଥିଲେ, ‘ବାବୁ ଏ ଥାନାର ରଜତଗିରି ପାହାଡ଼କୁ ଲାଗି ପାହାଡ଼ର ପାଦ ଦେଶରେ ମୋର ଆଶ୍ରମ। ଘଞ୍ଚ ଜଙ୍ଗଲ ମଧ୍ୟରେ ଥିଲେ ମଧ୍ୟ ସେଠିକି ଅନେକଆଡ଼ୁ ବହୁତ ଯୋଗୀ, ସନ୍ନ୍ୟାସୀ ଓ ବାବାଜିମାନେ ଆସନ୍ତି। କିଛିଦିନ ରୁହନ୍ତି ଓ ପୁଣି ଚାଲିଯାଆନ୍ତି। ଏହି ଆଶ୍ରମକୁ ଲାଗି ଚାରିପଟରେ ପ୍ରାୟ ଦୁଇଶହ ଏକରର ଫଳବଗିଚା ଘେରି ରହିଛି। ଏଠି ଅଭ୍ୟାଗତ ବାବାମାନେ ରହିବା ସମୟରେ ଫଳଗଛଗୁଡ଼ିକର ଯତ୍ନ ନିଅନ୍ତି ଏବଂ ନୂଆ ଗଛ ମଧ୍ୟ ଲଗାଇଥାନ୍ତି। ଆମ୍ବ, ପଣସ ଓ ବେଲ ଇତ୍ୟାଦି ପ୍ରଚୁର ପରିମାଣରେ ଫଳୁଛି। ଆଶ୍ରମରେ ପ୍ରସ୍ତୁତ ହେଉଥିବା ପ୍ରସାଦ ସହିତ ଏହି ଫଳସବୁ ଅଭ୍ୟାଗତମାନଙ୍କୁ ଦିଆଯାଏ। କିନ୍ତୁ ଆଜ୍ଞା, ଗତ କେତେଦିନ ହେବ କେହି ଯେପରି ସେ ବଗିଚାରୁ ଫଳ ସବୁ ନେଇଯାଉଛି। ବଗିଚାରେ ପଶି ଖାଇଲେ ଚଳିବ, କିନ୍ତୁ ନେଇଯିବା ଦ୍ୱାରା ଆଶ୍ରମରେ ପ୍ରସ୍ତୁତ ପ୍ରସାଦ ବିତରଣରେ ଆମକୁ କଷ୍ଟ ହେଉଛି। ଯେତେବେଳେ ପରିସ୍ଥିତି ଆମ ସାମର୍ଥ୍ୟର ବାହାରକୁ ଚାଲିଯାଉଛି, ରାଜକର୍ମଚାରୀଙ୍କ ସାହାଯ୍ୟ ହିଁ ଆମର ଏକମାତ୍ର ଅବଲମ୍ବନ। ଆପଣ ବୟସରେ ମୋ’ଠାରୁ ଯଥେଷ୍ଟ ସାନ ହେଲେ ବି ମୁଁ ନମସ୍କାର କରି ଅନୁରୋଧ କରୁଛି, ଏ ଘଟଣାର ନିରାକରଣ କରନ୍ତୁ।’ ଶେଷ ଆଡ଼କୁ ବାବାଜି ସାମାନ୍ୟ ଭାବପ୍ରବଣ ହୋଇଯାଇଥିଲେ।
ମୁଁ ଚେୟାରରୁ ଉଠି ହାତଯୋଡ଼ି କହିଥିଲି, ‘ବାବା, ଆପଣ ଯାଆନ୍ତୁ, ମୁଁ ଯଥାଶୀଘ୍ର ଆପଣଙ୍କ ଆଶ୍ରମରେ ପହଞ୍ଚି ଏହି ଘଟଣାର ଅନୁସନ୍ଧାନ କରିବି।’ ପରଦିନ କିଛି ଷ୍ଟାଫଙ୍କୁ ସାଙ୍ଗରେ ନେଇ ବାବାଜିଙ୍କ ଆଶ୍ରମରେ ପହଞ୍ଚିଥିଲି। ବାବାଜି ଓ ତାଙ୍କ ଅନୁଚରମାନେ ଆମ ପାଇଁ ଅପେକ୍ଷାରତ ଥିଲେ। ସେ ଥାନା ଷ୍ଟାଫଙ୍କୁ ଦେଖି ବେଶ୍ ଖୁସି ହୋଇ ବସିବା ପାଇଁ ଅନୁରୋଧ କରିଥିଲେ। ମୁଁ କହିଥିଲି, ‘ପ୍ରଥମେ ଆମେ ଆପଣଙ୍କର ଫଳବଗିଚା ବୁଲି ଦେଖିବୁ ଓ ଜାଣିବାକୁ ଚେଷ୍ଟା କରିବୁ କିଏ, କିପରି ଓ କେଉଁଠୁ ଫଳସବୁ ନେଇଯାଉଛି।’ ଆୟତ୍ତାକାର ଆକୃତିର ପାଞ୍ଚ, ଛଅଟି ଚାଳଛପର ଘର। ପ୍ରାଙ୍ଗଣ ମଝିରେ ଏକ ବିରାଟ ବାମ୍ଫୀ, ସେଥିରେ ତେଣ୍ଡା ଲାଗିଛି ଓ ପାଣିର ଧାର ଫଳବଗିଚା ଭିତରକୁ ଯିବାର ବ୍ୟବସ୍ଥା ହୋଇଛି। ଆଶ୍ରମର ପରିସର ବେଶ୍ ପରିଷ୍କାର ପରିଚ୍ଛନ୍ନ। ଆଶ୍ରମର ସୀମାକୁ ଲାଗି ଫଳବଗିଚା ଆରମ୍ଭ। କ୍ରମେ ଭିତରକୁ ଯିବା ପରେ ବିଭିନ୍ନ ପ୍ରକାର ଫଳଗଛ ଦୃଷ୍ଟିଗୋଚର ହୋଇଥିଲା। ମୁଖ୍ୟତଃ ଆମ୍ବ, ପଣସ, ବେଲ ଓ ସପେଟା ଗଛ। ଗଛଗୁଡ଼ିକରେ କଞ୍ଚାଫଳ ଭର୍ତ୍ତିହୋଇ ରହିଥିଲା। ବଗିଚାର ଗୋଟିଏପଟେ ଅଣଓସାରିଆ, ଗଭୀର କିନ୍ତୁ ଖୁବ୍ ଲମ୍ବା ପାହାଡ଼ିଆ ନାଳ। ଅନ୍ୟପଟେ ପଥୁରିଆ ଚଟାଣ। ଫଳବଗିଚାକୁ ଲାଗିକରି ଯାଇଥିବା ପାହାଡ଼ିଆ ନାଳ, ସେପଟେ ରଜତଗିରି ପାହାଡ଼ ଓ ଘଞ୍ଚ ଜଙ୍ଗଲ। ସେହି ଜଙ୍ଗଲରେ ଭାଲୁ, ବାର୍‌ହା, ହାତୀ ଓ ହରିଣ ଥିବାର ଶୁଣିବାକୁ ପାଇଲି।
ମନେ ମନେ ମୁଁ ଚିନ୍ତା କରୁଥିଲି, ପାଖ ଜଙ୍ଗଲର ଭାଲୁ, ବାର୍‌ହା ଓ ହାତୀ ସେ ସରୁ ପାହାଡ଼ିଆ ନାଳଟିକୁ ସହଜରେ ଡେଇଁ ଫଳବଗିଚା ଭିତରକୁ ଆସୁଥିବେ ଓ ଫଳ ଖାଇ ଚାଲିଯାଉଥିବେ। ବାବାଜି ସେକଥା ଜାଣି ନପାରି ଭାବୁଛନ୍ତି, କେହି ଚୋର ଫଳ ଚୋରିକରି ନେଉଛି। ତା’ଛଡ଼ା ଏ ଅଗମ୍ୟ ଅରଣ୍ୟରେ ଥିବା ଏହି ବଗିଚାରୁ ଫଳ ଚୋରି କରିବାକୁ ଆସିବ କିଏ? ସେହି ବଗିଚାର ସୀମାକୁ ଲାଗି ପାହାଡ଼ିଆ ନାଳଟି ଅଙ୍କାବଙ୍କା ହୋଇ ପ୍ରାୟ ଦୁଇ କିଲୋମିର ପର୍ଯ୍ୟନ୍ତ ଲମ୍ବି ଯାଇଛି। ସାମାନ୍ୟ ପଛରେ ଆସୁଥିବା ବାବାଜିଙ୍କୁ ଚାହିଁ ପଚାରିଥିଲି, ‘ଏ ପାହାଡ଼ିଆ ନାଳ ସେପଟେ ଥିବା ଜଙ୍ଗଲରେ ଅନେକ ଭାଲୁ, ବାର୍‌ହା, ହରିଣ ଓ ହାତୀମାନେ ମଧ୍ୟ ଅଛନ୍ତି ବୋଲି ମୁଁ ଶୁଣିବାକୁ ପାଉଛି।’
ମନ୍ତ୍ର ବନ୍ଧନ
ମୁଁ କ’ଣ କହିବାକୁ ଚାହୁଁଛି ବାବାଜି ଅନୁମାନ କରିପାରିଲେ। ସେ କହିଥିଲେ, ‘ଭାଲୁ, ହରିଣ ଓ ବାର୍‌ହା ପ୍ରଚୁର ଅଛନ୍ତି ବାବୁ। ସବୁଠାରୁ ଦୁଷ୍ଟ ହେଉଛି ଭାଲୁ। ଗୋଟିଏ ଗଛର ଆମ୍ବ ଖାଇବ କିନ୍ତୁ ତିନି ଚାରିଟା ଗଛର ଆମ୍ବ ନଷ୍ଟ କରିବ। କିଛି ଉପାୟ ନପାଇ ମୁଁ ପାହାଡ଼ିଆ ନାଳକୁ ଲାଗିଥିବା ଫଳବଗିଚାର ସୀମାକୁ ମନ୍ତ୍ରରେ କିଳି ଦେଇଛି।’
ବାବାଜିଙ୍କ ଶେଷ ବାକ୍ୟଟି ଶୁଣି ମୁଁ ଅଟକି ଯାଇଥିଲି। ପଚାରିଥିଲି, ‘ବାବା, ଆପଣ କ’ଣ କରିଛନ୍ତି ବୋଲି କହିଲେ?’ ବାବାଜି ସାମାନ୍ୟ ହସିଥିଲେ, ତାଙ୍କ ସାଙ୍ଗରେ ଥିବା ଜଣେ ବୟସ୍କ ଅନୁଚର ମତେ କହିଥିଲେ, ‘ଆଜ୍ଞା ଗତ କେତେବର୍ଷ ତଳେ ଏଠି ଥିବା ଫଳଗଛଗୁଡ଼ିକରେ ପ୍ରଚୁର ଫଳ ଆସିଥିଲା। କିନ୍ତୁ ଏହି ପାହାଡ଼ରେ ଥିବା ଜଙ୍ଗଲରୁ ବହୁ ସଂଖ୍ୟାରେ ଭାଲୁ, ବାର୍‌ହା ଓ ହାତୀ ଆସି ଫଳବଗିଚାକୁ ନଷ୍ଟଭ୍ରଷ୍ଟ କରିଦେଇଥିଲେ। ଆମେ ଏଠାରେ ଥିବା ଅଭ୍ୟାଗତମାନଙ୍କୁ ଫଳ ପ୍ରସାଦ ଦେବା ଅସମ୍ଭବ ହୋଇଉଠିଲା। ଆମେ ଲଣ୍ଠନ ଓ ନିଆଁହୁଳା ଧରି ଭାଲୁ ଓ ହାତୀମାନଙ୍କୁ ତଡ଼ିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ସେମାନେ ଆମକୁ ଖାତିର ନକରି ଆକ୍ରମଣ କରିବାକୁ ଆସିଲେ। ଏକଥା ବାବାଜିଙ୍କୁ କହିବାରୁ ସେ କିଛି ସମୟ ମୌନ ରହି ତା’ପରଦିନ ସକାଳୁ ଏହି ପାହାଡ଼ିଆ ନାଳର କଡ଼େ କଡ଼େ କିଛି ଅସ୍ପଷ୍ଟ ମନ୍ତ୍ର ଉଚ୍ଚାରଣ କରି ଚାଲିବାକୁ ଲାଗିଲେ। ବଗିଚାର ସୀମା ସରିଲା ପରେ ସେ ଠିଆହୋଇ କହିଲେ, ‘ତମେସବୁ ଆଉ ଚିନ୍ତା କରନି। ଆଜିଠାରୁ ହାତୀ କ’ଣ, ଗୋଟିଏ ମାଙ୍କଡ଼ ମଧ୍ୟ ଏ ବଗିଚା ଭିତରକୁ ଆସିପାରିବ ନାହିଁ। ମୁଁ ସିଦ୍ଧ ମନ୍ତ୍ରରେ ବାଡ଼ କିଳି ଦେଇଛି।’ ସେବେଠାରୁ ଆଉ ଜନ୍ତୁ ଆସୁନାହାନ୍ତି।
ମନୁଷ୍ୟ ପାଇଁ ନୁହେଁ
ପ୍ରକୃତପକ୍ଷେ ମୁଁ ସେ ପାହାଡ଼ିଆ ନାଳର ଏପଟେ ବଗିଚା ଭିତରକୁ ପ୍ରବେଶ କରିଥିବା କୌଣସି ବନ୍ୟଜନ୍ତୁଙ୍କର ଚିହ୍ନ ବା ସଂକେତ ସନ୍ଧାନରେ ଥିଲି। କେଉଁଠି ବି ଡାଳ ଭାଙ୍ଗିବା କିମ୍ବା ଫଳର ଚୋପା କିମ୍ବା ମଞ୍ଜିର ଚିହ୍ନ ନଥିଲା। କୌଣସି ବନ୍ୟଜନ୍ତୁ ଫଳବଗିଚା ଭିତରକୁ ପଶିବାର ସାମାନ୍ୟତମ ଅବଶେଷ ନଥିଲା। ମୁଁ ଦ୍ୱନ୍ଦ୍ୱରେ ଥିଲି। ବାବାଜିଙ୍କୁ ପଚାରିଥିଲି, ‘ଯଦି ମନ୍ତ୍ର ଦ୍ୱାରା ବନ୍ୟଜନ୍ତୁଙ୍କୁ ଅଟକାଇ ଦିଆଯାଇପାରୁଛି, ତା’ହେଲେ ମଣିଷଙ୍କ ଉପରେ ଏହାର ପ୍ରଭାବ ଥିବ। ସେ ମୁଣ୍ଡ ହଲାଇ ନାହିଁ କରିଥିଲେ ଓ କହିଥିଲେ, ‘ମନୁଷ୍ୟଙ୍କ ପ୍ରତି ଏହି ମନ୍ତ୍ର ପ୍ରଯୁଜ୍ୟ ନୁହେଁ।’
ଯଦି ଏହା ମନୁଷ୍ୟକୃତ ତା’ହେଲେ କିଏ ଏହା କରିଥିବ, ମୁଁ ଚିନ୍ତା କରୁଥିଲି। ଆଶ୍ରମର ପାଞ୍ଚ କିଲୋମିଟର ପରିଧି ଭିତରେ ଗୋଟିଏ ଦୁଇଟି ଛୋଟ ଗାଁ ଛାଡ଼ିଦେଲେ ମୁଖ୍ୟତଃ ଘଞ୍ଚ ଜଙ୍ଗଲ। ଆଶ୍ରମର ଚାରି କିଲୋମିଟର ଦୂରରେ ବମ୍ବେଠାରୁ କଲିକତାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନଂ-୬ ଲମ୍ବିଯାଇଛି। ମୁଁ ଆଶ୍ରମ ବଗିଚାରୁ କିଏ ଫଳ ଚୋରି କରୁଛି ଜାଣିବାକୁ କେତେଜଣ ଦକ୍ଷ ଓ ଅଭିଜ୍ଞ କନଷ୍ଟେବଳଙ୍କୁ ଜଙ୍ଗଲ ମଝିରେ ଥିବା ଗାଁ ଏବଂ ଜାତୀୟ ରାଜପଥରେ ଥିବା ଢାବାଗୁଡ଼ିକୁ ବିଶେଷ ଭାବରେ ତନଖି କରିବାକୁ ନିର୍ଦ୍ଦେଶ ଦେଇଥିଲି। ପୁଲିସକୁ ସାହାଯ୍ୟ କରୁଥିବା କିଛି ଗୁପ୍ତଚରଙ୍କୁ ମଧ୍ୟ ଏ କାମରେ ଲଗାଇ ଦେଇଥିଲି।
ଦୁଇଦିନ ପରେ ଏ ସମ୍ବନ୍ଧରେ ଗୋଟିଏ ଚମକପ୍ରଦ ଖବର ଆସିଥିଲା। ଆଶ୍ରମକୁ ଲାଗିଥିବା ଜଙ୍ଗଲ ଅତିକ୍ରମ କରିବା ପରେ ପ୍ରାୟ ଚାରି କିଲୋମିଟର ଦୂରରେ ଜାତୀୟ ରାଜପଥ ପାହାଡ଼ିଆ ରାସ୍ତାରେ ଯାଇଥିଲା ଗୋଟିଏ ବଡ଼ ଗୁଲୁଗୁଲିଆ ବନ୍‌ଜାରା ଦଳ। ରାଜପଥ ଧାରରେ ତମ୍ବୁ ପକାଇ ରହୁଥିଲେ। ସେମାନେ ଜଙ୍ଗଲ ଅତିକ୍ରମ କରି ଆଶ୍ରମ ବଗିଚାରୁ ପ୍ରଚୁର ଫଳ ଚୋରିକରି ରାସ୍ତାରେ ଯାଉଥିବା ଟ୍ରକ୍ ଡ୍ରାଇଭରମାନଙ୍କୁ ଅତି ଶସ୍ତା ଦରରେ ବିକ୍ରି କରୁଥିଲେ। ସେହି ଚୋରମାନଙ୍କୁ ଆଶ୍ରମରୁ ନେଇଥିବା ଫଳ ସହିତ ବାବାଜିଙ୍କ ସମ୍ମୁଖରେ ହାଜର କରାଇଥିଲି।
ଆଶ୍ରମ ଗଛର ଫଳଗୁଡ଼ିକ ବାବାଜି ଅତି ସହଜରେ ଚିହ୍ନି ପାରିଥିଲେ। ମୁଁ ବିସ୍ମିତ ହେଉଥିଲି ଯେ, ହସହସ ମୁହଁରେ ସେ ବନ୍‌ଜାରାମାନଙ୍କୁ କହିଥିଲେ, ‘ଆଶ୍ରମରେ ପଶି କାହିଁକି ଚୋରି କରିଲ? ମତେ ମାଗିଥିଲେ ୟା’ଠାରୁ ଅଧିକ ଦେଇଥାନ୍ତି।’ ସେମାନଙ୍କୁ କ୍ଷମାକରି ଛାଡ଼ିଦେବା ପାଇଁ ମତେ ଅନୁରୋଧ କରି ସେ ଫଳଗୁଡ଼ିକରୁ ଅଧିକାଂଶ ସେମାନଙ୍କୁ ଦେଇଦେଇଥିଲେ। ବାବାଜିଙ୍କ ମୁହଁରେ ଖୁସିର ଲହରୀ। ବାବାଜିଙ୍କ ମନ୍ତ୍ର ବିଷୟରେ ମୋର କୌତୁହଳ ବଢ଼ି ଚାଲିଥିଲା। ମୁଁ ପଚାରିଥିଲି, ‘ଆପଣ କି ମନ୍ତ୍ର ପଢ଼ି ଜଙ୍ଗଲ ପଶୁମାନଙ୍କୁ ବଗିଚା ଭିତରକୁ ପଶିବାରୁ ଅଟକାଇ ପାରୁଛନ୍ତି?’ ବାବାଜି କହିଥିଲେ, ‘ବାପା, ତାହା ହେଉଛି ଶାବର ମନ୍ତ୍ର, ଯେକୌଣସି ବ୍ୟକ୍ତି, ଯେକୌଣସି ପରିସ୍ଥିତିରେ ତାହା ପ୍ରୟୋଗ କରିପାରିବ ଏବଂ ଏହା ଅବ୍ୟର୍ଥ ଶକ୍ତି ବିଶିଷ୍ଟ।’ ମତେ ପଚାରିଥିଲେ, ‘ବାପା, ତମେ ଏ ମନ୍ତ୍ର ଶିଖିବ କି?’ ପୁଣି କହିଥିଲେ, ‘କିଛି ଦରକାର ନାହିଁ, ତମେ ତ ରାଜଶକ୍ତିରେ ବଳୀୟାନ।’ ସେ ଆଶୀର୍ବାଦ ମୁଦ୍ରାରେ ହାତ ଟେକିଥିଲେ। ମୁଁ ତାଙ୍କୁ ସମ୍ମାନ ଜଣାଇ ଫେରି ଆସିଥିଲି।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

One thought on “ବାବାଜିଙ୍କ ସିଦ୍ଧମନ୍ତ୍ର

  1. ପ୍ରକୃତରେ ଏଭଳି ଅନେକ ମନ୍ତ୍ର ଅଛି ବୋଲି ମୋର ଦୃଢ ବିଶ୍ବାସ। ଏହାର ଚାକ୍ଷୁଷ ପ୍ରମାଣ ମୁଁ ପାଇଛି। ଏକ ହୃଷ୍ଟପୁଷ୍ଟ ଗଛକୁ ଗୋଟାଏ ଦିନରେ ମାରି ଦେବାର ବା ଆଶ୍ଚର୍ଯ୍ୟଜନକ ଭାବେ ସେ ଗଛ ଶୁଖି ଯିବାର ମୁଁ ଦେଖିଛି।

Leave a Reply

Your email address will not be published. Required fields are marked *