ବାପା ମୋତେ ଯୋଡ଼ିଏ କଥା କହନ୍ତି; ନିଜ ପାଇଁ ଜଗନ୍ନାଥଙ୍କୁ କେବେ କିଛି ମାଗିବୁନି; ଏବଂ ତାଙ୍କ ପାଖରେ କାମନା କରିବୁ ଯେ ବିଶ୍ୱର ମଙ୍ଗଳ ହେଉ।

ବିଶିଷ୍ଟ ସାରସ୍ୱତ ପ୍ରତିଭାଧର ପୀତବାସ ରାଉତରାୟ ଏକାଧାରରେ ଜଣେ ଅଗ୍ରଣୀ କଥାଶିଳ୍ପୀ, ବ୍ୟଙ୍ଗକାର, ସ୍ତମ୍ଭକାର, ସଂକଳକ, ସମ୍ପାଦକ, ପ୍ରକାଶକ ଓ ଗବେଷକ ଭାବରେ ସୁପରିଚିତ। ଶ୍ରୀମନ୍ଦିରର ଆର୍ଥିକ ଓ ପରିଚାଳନାଗତ ଦିଗ ଉପରେ ବିଶେଷ ଗବେଷଣା କରିବା ସହ ସେ ବହୁ ବର୍ଷ ଧରି ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଅନୁଭୂତିକୁ ଆଧାର କରି ଧାରାବାହିକ ଭାବରେ ଲୋକପ୍ରିୟ ସଂକଳନମାନ ପ୍ରକାଶ କରିଆସୁଛନ୍ତି। ୭୩ ବର୍ଷ ବୟସ୍କ ଶ୍ରୀ ରାଉତରାୟ ପାରାଦୀପ ଫସଫେଟସ୍ ଲି. (ପି.ପି.ଏଲ୍)ରେ ବିଭିନ୍ନ ଉଚ୍ଚ ପଦବୀରେ ସେବା ପ୍ରଦାନ କରିବା ପରେ ଅବସର ଗ୍ରହଣ କରିଛନ୍ତି। ତାଙ୍କ ଦ୍ୱାରା ରଚିତ ପୁସ୍ତକଗୁଡ଼ିକ ଓଡ଼ିଆ ସାରସ୍ୱତ ଭଣ୍ଡାରକୁ ସମୃଦ୍ଧ କରିଛି। ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କୁ ଆମେ ଡକ୍ଟର ପୀତବାସ ରାଉତରାୟ ବୋଲି କହିଲେ ଆପଣଙ୍କର କିଛି ଆପତ୍ତି ଅଛି କି? ଏକଥା ପଚାରିବାର କାରଣ, ଆପଣ ପିଏଚ୍.ଡି କରିଥିବା ସତ୍ତ୍ୱେ ଏକଥା କାହାରିକୁ ଜଣାନ୍ତି ନାହିଁ, କି ନିଜ ନାମ ସହିତ ଏହାକୁ ଯୋଡ଼ନ୍ତି ନାହିଁ।
ପୀତବାସ ରାଉତରାୟ: ମୁଁ ଚାକିରିରୁ ଅବସର ନେବା ପରେ ପିଏଚ୍.ଡି କରିଥିଲି। ମୁଁ ଯଦି ଶିକ୍ଷା କ୍ଷେତ୍ରରେ ଥାଆନ୍ତି, ତେବେ ହୁଏତ ଇନ୍କ୍ରିମେଣ୍ଟ ପାଇଁ ପିଏଚ୍.ଡିର କିଛି ଆବଶ୍ୟକତା ଥାଆନ୍ତା। ସେତେବେଳକୁ ତ ମୋ’ର ୬୦ ବର୍ଷ ଡେଇଁଗଲାଣି, ପୀତବାସ ରାଉତରାୟ ନାମ ଲେଖି ସାହିତ୍ୟଜଗତରେ ପରିଚିତ ହୋଇଗଲିଣି । ଏବେ ଡକ୍ଟର ବୋଲି ଲେଖିଲେ ଲୋକେ ଭାବିଥାଆନ୍ତେ, ଇଏ ଆଉ ଜଣେ ପୀତବାସ ରାଉତରାୟ ଆସିଗଲେ କି!
ସାହିତ୍ୟ ଚର୍ଚ୍ଚା: ଆମେ ଶୁଣିଛୁ ଯେ ଏଥିପାଇଁ ଜଗନ୍ନାଥ ମନ୍ଦିରର କେତେକ ସ୍ୱତନ୍ତ୍ର ଦିଗ ଉପରେ ଆପଣ ଗବେଷଣା କରିଥିଲେ।
ପୀତବାସ ରାଉତରାୟ: ମୁଁ ତ ଥିଲି ପ୍ରୟୋଗାତ୍ମକ ଅର୍ଥନୀତିର ଛାତ୍ର। ସେ ଦୃଷ୍ଟିରୁ ମୋର ଗବେଷଣାର ବିଷୟ ଥିଲା, ‘ଓଡ଼ିଶାର ଜନସାଧାରଣଙ୍କ ଜୀବନ ଉପରେ ଶ୍ରୀଜଗନ୍ନାଥ ମନ୍ଦିରର ଆର୍ଥିକ ପ୍ରଭାବ’। ସେଥିପାଇଁ ମୁଁ ଜଗନ୍ନାଥ ମନ୍ଦିରର ସେବାୟତମାନଙ୍କଠାରୁ ଆରମ୍ଭକରି ମନ୍ଦିର ବାହାରେ ଥିବା ବିଭିନ୍ନ ସଂସ୍ଥାମାନଙ୍କୁ ନେଇ ଗବେଷଣା କରିଥିଲି। ଶ୍ରୀଜଗନ୍ନାଥଙ୍କ ଏକ ସେବା ବୋଲି ମଣି ମୁଁ ଏହା କରିଥିଲି।
ସାହିତ୍ୟ ଚର୍ଚ୍ଚା: ଶ୍ରୀମନ୍ଦିରରେ ତ ବିଭିନ୍ନ ପ୍ରକାର ସେବକ ବା ସେବାୟତ ଅଛନ୍ତି। ଆମେ ଆପଣଙ୍କୁ ଥରେ କହିବାର ଶୁଣିଛୁ ଯେ ଆପଣ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଦ୍ରଣ-ସେବକ। ଏହି ‘ମୁଦ୍ରଣ-ସେବକ’ କଥାଟି ଆପଣ ବ୍ୟବହାର କଲେ ପ୍ରଥମ ଥର ପାଇଁ।
ପୀତବାସ ରାଉତରାୟ: ମୁଁ ୨୦୦୬ ମସିହାରେ ଯେତେବେଳେ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ବହିର କାମ ଆରମ୍ଭ କଲି, ସେତେବେଳେ ‘ଅନୁଭୂତିରେ ଜଗନ୍ନାଥ’ ବହିଟିର ବିକ୍ରୀ ଦୁଇ ମାସରେ ଶେଷ ହୋଇଗଲା ଏବଂ ତାହାର ଦ୍ୱିତୀୟ ସଂସ୍କରଣ ଛାପିବାକୁ ପଡ଼ିଲା। ତାହାର ବର୍ତ୍ତମାନ ଦଶମ ସଂସ୍କରଣ ଚାଲିଛି। ପରେ ପରେ ‘ଅ’ ସିରିଜ୍ରେ ଯେଉଁ ୨୩ଟି ବହି ପ୍ରକାଶିତ ହେଲା, ସବୁଗୁଡ଼ିକ ପାଠକୀୟ ଶ୍ରଦ୍ଧା ପାଇଲା। ତା’ ବ୍ୟତୀତ ଶ୍ରୀଜଗନ୍ନାଥଙ୍କୁ ନେଇ ୧୦ଟି ଗଳ୍ପ ସଂକଳନ ଓ ୪ଟି ପ୍ରବନ୍ଧ ସଂକଳନ ମଧ୍ୟ ପ୍ରକାଶ ପାଇଛି ।

ସାହିତ୍ୟ ଚର୍ଚ୍ଚା: କେବଳ ଅନୁଭୂତି ସିରିଜର ହିଁ ନୁହେଁ, ଆହୁରି ବିଭିନ୍ନ ପ୍ରକାର ମୁଦ୍ରିତ ରୂପରେ ମଧ୍ୟ ଆପଣ ଶ୍ରୀଜଗନ୍ନାଥତତ୍ତ୍ୱ ଓ ସାହିତ୍ୟର ପ୍ରସାର କରୁଛନ୍ତି। ତା’ହେଲେ ଏଥିପାଇଁ ଆପଣ ନିଜକୁ ଶ୍ରୀଜଗନ୍ନାଥଙ୍କ ମୁଦ୍ରଣ ସେବକ ବୋଲି ଭାବନ୍ତି!
ପୀତବାସ ରାଉତରାୟ: ପୁରୀର ସେବକ ପରମ୍ପରାରେ ସମୁଦାୟ ୧୨୦ ପ୍ରକାର ସେବା ଅଛି। ମୁଁ ଯେତେବେଳେ ଗବେଷଣା କରୁଥିଲି, ଏହି ସେବକମାନଙ୍କୁ ଭେଟିଥିଲି। ଦେଖିଲି ଯେ ଏଥି ଭିତରେ ମୁଦ୍ରଣ ସେବା ନାହିଁ। ତେଣୁ ମୁଁ ଭାବିଲି, ଆମର ବହିଗୁଡ଼ିକ ଜରିଆରେ ଯେଉଁ ସେବା ଚାଲିଛି, ତା’କୁ ନେଇ ବେଶ୍ କିଛି କରିହେବ। ମନରେ ଏକ ଭାବନା ଆସିଲା ଯେ ପ୍ରଭୁ ମୋତେ ଜଣେ ମୁଦ୍ରଣ ସେବକ ଭାବରେ ପଠାଇଛନ୍ତି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କଠାରୁ ଆମେ ଆଉ ଗୋଟିଏ କଥା ଶୁଣିଛୁ। ଏହା ହେଲା, ଆପଣଙ୍କର ସ୍ୱର୍ଗତ ପିତା ଶେଷଶଯ୍ୟାରେ ଦିନେ ଆପଣଙ୍କୁ ପାଖକୁ ଡ଼ାକି ୧୦୦୦ ଟଙ୍କା ଦେଇଥିଲେ, ଏବଂ କହିଥିଲେ, “ତୁ ଚିରଦିନ ଦୁଇଟି କାମ କରିବୁ; ସାହିତ୍ୟ ସେବା ଓ ଜଗନ୍ନାଥ ସେବା।” ଏହା ସତ କି?
ପୀତବାସ ରାଉତରାୟ: ବାପା ପିଲାଦିନେ, ଅର୍ଥାତ୍ ତାଙ୍କୁ ଯେତେବେଳେ ଆଠ କି ନଅ ବର୍ଷ, ବସନ୍ତ ରୋଗରେ ଆକ୍ରାନ୍ତ ହୋଇଯାଇଥିଲେ। ଏହାକୁ କୁହାଯାଉଥିଲା ‘ଅଖା ବସନ୍ତ’ ଯେଉଁଥିରେ ମୁହଁ, ଦେହ ଚାରିଆଡ଼ ଅଖା ଭଳି ଫଳିଯାଇଥାଏ। ତାଙ୍କର ବଞ୍ଚିବାର ଆଶା ନ ଥିଲା। ତାଙ୍କ ମାଆ ତାଙ୍କୁ ବିକଳରେ ଗୋଟିଏ କଦଳୀ ପତ୍ରରେ ଶୁଆଇ ଜଗନ୍ନାଥଙ୍କୁ ସମର୍ପଣ କରିଦେଲେ; ଏବଂ କହିଲେ, “ଇଏ ଯଦି ବଞ୍ଚିବ, ତେବେ ପ୍ରତି ବର୍ଷ ରଥକୁ ଯିବ। ତିନି ରଥରେ ଭୋଗ କରିବ, ଓ କିଛି ପଇସା ଦାନ ସୂତ୍ରରେ ଗରିବ ଗୁରୁବାଙ୍କୁ ଦେବ।” ତା’ପରେ ଧୀରେ ଧୀରେ ବାପା ଆଖି ଖୋଲିଲେ। ସୁସ୍ଥ ହୋଇକରି ବଡ଼ ହେଲେ; ପାଠ ପଢ଼ିଲେ।
ସାହିତ୍ୟ ଚର୍ଚ୍ଚା: ତେବେ ସେ ପ୍ରତି ବର୍ଷ ରଥ ବେଳେ ପୁରୀ ଯାଉଥିଲେ?
ପୀତବାସ ରାଉତରାୟ: ଏକଥା ବାପା ବଡ଼ ହୋଇ ଚାକିରି କଲାବେଳକୁ ମାଆ ତାଙ୍କୁ ଜଣାଇଲେ; ତାହା ପୂର୍ବରୁ ତାଙ୍କୁ ଏ ବିଷୟ କିଛି ଜଣାଇନଥିଲେ। ଏହାପରେ ମୋତେ ଗୋଟିଏ ସୁଯୋଗ ମିଳିଗଲା ପ୍ରତ୍ୟେକ ବର୍ଷ ବାପାଙ୍କ ସହିତ ଯିବାପାଇଁ ରଥକୁ। ସେତେବେଳେ ରଥ ଉପରକୁ ଚଢ଼ିବାରେ କିଛି ଅସୁବିଧା ନ ଥିଲା। ଆଉ ଗୋଟିଏ ସଂଯୋଗର କଥା ହେଲା ଯେ ରଥଯାତ୍ରାରୁ ବାହୁଡ଼ା ଭିତରେ ମୋ’ର ଜନ୍ମ। ତେଣୁ ରଥ ସହିତ ମୋ’ର ଖିଅ ଯୋଡ଼ି ହୋଇ ରହିଗଲା।
ସାହିତ୍ୟ ଚର୍ଚ୍ଚା: ଏ ଦୃଷ୍ଟିରୁ ଆପଣ ଭାଗ୍ୟବାନ !
ପୀତବାସ ରାଉତରାୟ: ବାପା ମୋତେ ସବୁବେଳେ ଯୋଡ଼ିଏ କଥା କହନ୍ତି; ନିଜ ପାଇଁ ଜଗନ୍ନାଥଙ୍କୁ କେବେ କିଛି ମାଗିବୁନି; ଏବଂ ତାଙ୍କ ପାଖରେ କାମନା କରିବୁ ଯେ ବିଶ୍ୱର ମଙ୍ଗଳ ହେଉ। ଜଗନ୍ନାଥ ସମସ୍ତଙ୍କର ମନର କଥା ଜାଣନ୍ତି; ତା’ଙ୍କୁ କେବେ କିଛି ମାଗିବା ଦରକାର ନାହିଁ। ସେ କେବଳ ଭକ୍ତି ଭାବରେ ଭୋଳ।
ସାହିତ୍ୟ ଚର୍ଚ୍ଚା: ତାଙ୍କ ସହିତ ପ୍ରତିବର୍ଷ ଆପଣ ମଧ୍ୟ ପୁରୀ ଯାଉଥିଲେ ତାହାହେଲେ !
ପୀତବାସ ରାଉତରାୟ: ହଁ, ସେ ଚାକିରିରୁ ଅବସର ନେବା ପରେ ମୋ’ର ଦାୟିତ୍ୱ ହେଲା ତାଙ୍କୁ ପୁରୀ ନେଇକରି ଯିବା। ତାଙ୍କୁ ୯୦ ବର୍ଷ ବେଳକୁ ତାଙ୍କର ଜୀବନୀ ବହିଟିଏ ପ୍ରକାଶ ପାଇଲା, ‘ତାଙ୍କ କଥା ଆମ କଥା ସମବାୟ କଥା’।
ସାହିତ୍ୟ ଚର୍ଚ୍ଚା: ସମବାୟ କଥା କାହିଁକି?
ପୀତବାସ ରାଉତରାୟ: ସେ ରାଜ୍ୟ ସମବାୟ ବିଭାଗର ସର୍ବୋଚ୍ଚ ପଦବୀ, ‘ରେଜିଷ୍ଟ୍ରାର’ ଭାବରେ ଥାଇ ଅବସର ଗ୍ରହଣ କରିଥିଲେ। ତାଙ୍କ ଜୀବନଗାଥା ସହିତ ସମବାୟ ଆନ୍ଦୋଳନ ଓତପ୍ରୋତ ଭାବରେ ଜଡ଼ିତ। ତେଣୁ ବହିଟିର ଏପରି ନାମକରଣ କରାଯାଇଥିଲା। ତାଙ୍କୁ ୯୩ ବର୍ଷ ବେଳକୁ ସେ ପାରାଲିସିସ୍ରେ ଆକ୍ରାନ୍ତ ହୋଇଗଲେ; ଆଉ ଚାଲିପାରିଲେ ନାହିଁ।
ସାହିତ୍ୟ ଚର୍ଚ୍ଚା: ଏଇଟା କେଉଁ ମସିହାର କଥା?
ପୀତବାସ ରାଉତରାୟ: ୨୦୦୫ ମସିହା। ମୁଁ ଦେଖିଲି, ବାପାଙ୍କୁ କ’ଣ ବୁଝାଇ ପାରିବି? ମୁଁ ତାଙ୍କୁ କହିଲି, “ଦେଖନ୍ତୁ, ଆଜି ପର୍ଯ୍ୟନ୍ତ ଆପଣ ଯାହା କହୁଥିଲେ ଯେ, ‘ଜଗନ୍ନାଥଙ୍କୁ ଯଦି କିଛି ମାଗିବୁ, ତେବେ ପୃଥିବୀର ମଙ୍ଗଳ ମାଗିବୁ।’ କିନ୍ତୁ ଜଗନ୍ନାଥଙ୍କୁ ଆମେ ଯେଉଁ ଭୋଗ ଦେଉଛେ, ତାହା ପୁଣି ଆମେ ଖାଉଛେ! ଆପଣଙ୍କ ପୁଅ ହିସାବରେ ମୁଁ ଆଉ ଗୋଟିଏ ପ୍ରକାର ଭୋଗ ତାଙ୍କୁ ଦେଇପାରେ ଯାହା ପୃଥିବୀବାସୀ ପାଇବେ, ତା’ହେଲା ମୋ’ର ସାହିତ୍ୟିକ ପୃଷ୍ଠଭୂମି । ଶ୍ରୀଜଗନ୍ନାଥଙ୍କୁ ନେଇ ଲୋକଙ୍କର ଯେତିକି ଅନୁଭୂତି ଅଛି, ତା’କୁ ଆମେ ସଂକଳିତ କରିବା।” ବାପା ଏହା ଶୁଣି ଭାବବିହ୍ୱଳ ହୋଇପଡ଼ିଲେ ଏବଂ ତାଙ୍କ ପକେଟ୍ରୁ ୧୦୦୦ ଟଙ୍କା କାଢ଼ି ମୋ ପକେଟ୍ରେ ରଖିଦେଲେ।

ସାହିତ୍ୟ ଚର୍ଚ୍ଚା: ଆମେ ଅନୁମାନ କରିପାରୁଛୁ ତା’ପରେ ଆପଣ କ’ଣ କରିଥିବେ। କାରଣ ଆପଣଙ୍କର ଜଗନ୍ନାଥଙ୍କ ଅନୁଭୂତି ସମ୍ବଳିତ ସୁବିଖ୍ୟାତ ସିରିଜ୍ର ପ୍ରଥମ ବହି ‘ଅନୁଭୂତିରେ ଜଗନ୍ନାଥ’ ପ୍ରକାଶିତ ହୋଇଥିଲା ୨୦୦୬ରେ।
ପୀତବାସ ରାଉତରାୟ: ଠିକ୍ କହିଲେ। ସେତେବେଳେ ହିଁ ପ୍ରଥମ ବହି ବାହାରିଲା; ଏବଂ ତାହାପରେ ବର୍ଷକୁ ବର୍ଷ ଏପରି ଆଉ ୨୨ଟି ବହି ମଧ୍ୟ ବାହାରି ସାରିଲାଣି।
ସାହିତ୍ୟ ଚର୍ଚ୍ଚା: କୌତୁହଳର ବିଷୟ ଯେ ଏଥିମଧ୍ୟରୁ ସବୁତକ ବହିର ନାମ ‘ଅ’ ବର୍ଣ୍ଣରୁ ହିଁ ଆରମ୍ଭ। ତେବେ ଏବେ ଯେଉଁ ବହିଟି ପ୍ରକାଶ ପାଇବ ଆଗାମୀ ରଥଯାତ୍ରାରେ, ତାହାର ନାମଟି କ’ଣ ହେବ?
ପୀତବାସ ରାଉତରାୟ: ଅମୃତପୁରୁଷ ଶ୍ରୀଜଗନ୍ନାଥ।
ସାହିତ୍ୟ ଚର୍ଚ୍ଚା: ଆପଣ ନିଜର ଲେଖକୀୟ ଜୀବନରେ ଦୁଇଟି ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି ଆମେ ଭାବୁ, ଜଣେ ଗାଳ୍ପିକ ଓ ଜଣେ ବ୍ୟଙ୍ଗକାର। ଏଥିମଧ୍ୟରୁ ଜଣେ ବ୍ୟଙ୍ଗକାର ବା ରମ୍ୟରଚନାକାରର ଭୂମିକାରେ ଆପଣ ଟିକିଏ ଅଧିକ ଆଗୁଆ। ଏହା ସ୍ୱୀକାର କରନ୍ତି କି?
ପୀତବାସ ରାଉତରାୟ: ପ୍ରଥମରୁ ମୁଁ ମୌଳିକ ଗଳ୍ପ ଲେଖିକରି ପାଠକଙ୍କର ଗ୍ରହଣୀୟତା ପାଇଛି। ଅନେକ ପାଠକଙ୍କର ଚିଠି ମଧ୍ୟ ପାଇଛି।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଗୋଟିଏ କଥା, ଆପଣ ପ୍ରଥମେ ଯେତେବେଳେ ଗଳ୍ପ ଲେଖୁଥିଲେ, ସେହି ସମୟ ଭିତରେ କିଛି ବି ବ୍ୟଙ୍ଗ ଲେଖିନାହାନ୍ତି।
ପୀତବାସ ରାଉତରାୟ: ନା, ଲେଖିନାହିଁ। କିନ୍ତୁ ଗୋଟିଏ ଛଦ୍ମନାମରେ ‘ସମ୍ବାଦ’ରେ ସ୍ତମ୍ଭ ଲେଖୁଥିଲି, ଯାହାକି ବ୍ୟଙ୍ଗ ଉପରେ ଆଧାରିତ ଥିଲା।
ସାହିତ୍ୟ ଚର୍ଚ୍ଚା: ସେହି ସ୍ତମ୍ଭର ପାଠକମାନଙ୍କ ନିକଟରେ ଆପଣ ‘ଖାରିଆଖଡ଼ା’ ନାମରେ ପରିଚିତ ଥିବା କଥା ଆମେ ଶୁଣିଛୁ।
ପୀତବାସ ରାଉତରାୟ: ହଁ, ଏହି ସ୍ତମ୍ଭ ଯେତେବେଳେ ଲୋକପ୍ରିୟ ହେଲା, ମୁଁ ଅନୁଭବ କଲି ଯେ ପାଠକମାନେ ବ୍ୟଙ୍ଗକୁ ଅଧିକ ଖୋଜୁଛନ୍ତି। ତେଣୁ ସେଥିରେ ଧ୍ୟାନ ଦେଲି।
ସାହିତ୍ୟ ଚର୍ଚ୍ଚା: ୧୯୯୭ ମସିହାରେ ‘ପ୍ରଜାପତିର ଗଳ୍ପ’ ନାମରେ ଆପଣଙ୍କର ଯେଉଁ ପ୍ରଥମ ଗଳ୍ପ ସଂକଳନ ପ୍ରକାଶିତ ହୋଇଛି, ସେଥିରେ ଆମେ ଲକ୍ଷ୍ୟ କଲୁ ଯେ ମୁଖବନ୍ଧରେ ଠାଏଁ ଆପଣ କହିଛନ୍ତି, “ଯେ ଅନ୍ୟକୁ ନେଇ ଗଳ୍ପ ଲେଖେ, ତା’ର କ’ଣ ନିଜର ବୋଲି କିଛି କହିବାର ନାହିଁ ।’ ଆପଣ ନିଜର କଥା କେତେ ମାତ୍ରାରେ କହିପାରିଛନ୍ତି ନିଜ ରଚନାରେ?
ପୀତବାସ ରାଉତରାୟ: ଆତ୍ମକଥନର ତତ୍ତ୍ୱ ମୋ’ର ଅଧିକାଂଶ ଗଳ୍ପରେ ରହିଛି; କାରଣ ଜଣେ ଲେଖକର ଯଦି ନିଜର ଅନୁଭବ ବା ଅନୁଭୂତି ନ ଥିବ, ତା’ହେଲେ ଗପଟା ସେତେ ଉତୁରିବ ନାହିଁ। ମୁଁ ତ ମୋ’ର କେତେକ ଗଳ୍ପ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିବା ବାସ୍ତବ ଘଟଣାମାନଙ୍କୁ ନେଇ ମଧ୍ୟ ଲେଖିଛି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ‘ଚିଠିଟିଏ ଗପଟିଏ’ ସଂକଳନର ଶୀର୍ଷକ-ଗଳ୍ପ ମଧ୍ୟ ସେତେବେଳକାର ସମ୍ବାଦପତ୍ରରେ ବାହାରିଥିବା ଗୋଟିଏ ଖବର ଉପରେ ଆଧାରିତ ବୋଲି ଥରେ କଥା ପ୍ରସଙ୍ଗରେ ଆପଣ ଆମକୁ କହିଥିଲେ।
ପୀତବାସ ରାଉତରାୟ: ସେହି ଖବରଟି ସମ୍ବାଦପତ୍ରରେ ବାହାରିଥିଲା ମୁଁ ଯେତେବେଳେ ବମ୍ବେରେ ଥିଲି। ସେଠାର ମ୍ୟୁନିସିପାଲ୍ କମିଶନର୍ ଜଣେ ବୟସ୍କା ମହିଳାଙ୍କ ଚିଠିଟିଏ ପଢ଼ି ସଙ୍ଗେ ସଙ୍ଗେ ତାଙ୍କ ଅଫିସ୍ର ତିନି ମହଲାରେ ଥିବା ଅଭିଯୋଗ ପ୍ରକୋଷ୍ଠଟି ତଳ ମହଲାକୁ ଉଠାଇ ଆଣିଥିଲେ, କାରଣ ସେଠାରେ ଲିଫ୍ଟ୍ ନଥିଲା ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ସବୁ ବହିରେ କିଛି ନା କିଛି ନୂତନତା ଥାଏ। କେବଳ ଲେଖାରେ ନୁହେଁ, ବହିର ପରିପାଟୀରେ ମଧ୍ୟ। ଥରେ ରାଜଧାନୀ ପୁସ୍ତକମେଳା ଅବସରରେ ଆପଣ ଏକ ସଂକଳନ ପ୍ରକାଶ କଲେ ତାହାର ଆକୃତି ଥିଲା ଡେଙ୍ଗାଳିଆ, ଅର୍ଥାତ୍ ପ୍ରାୟ ଚାରି ଇଞ୍ଚ ଚଉଡ଼ା ଓ ଦଶ ଇଞ୍ଚ ଲମ୍ବା। ଏ ବହି ସେତେବେଳେ ରାଜଧାନୀ ପୁସ୍ତକମେଳାରେ ଏତେ ମାତ୍ରା ଆଦୃତ ହେଲା ଯେ ହଜାରେ କପି ସଙ୍ଗେ ସଙ୍ଗେ ସରିଗଲା।
ପୀତବାସ ରାଉତରାୟ: ହଁ, ବହିଟି ସରିଯାଇଥିଲା। ସେ ବହିର ମୁଖବନ୍ଧରେ ମୁଁ ଲେଖିଛି ଯେ ଏଥିରେ ତିନୋଟି ଲକ୍ଷ୍ମଣଗାର ରଖାଯାଇଛି। ପ୍ରଥମରେ ଏଥିର କୌଣସି ଗଳ୍ପ ତିନି ବା ଚାରି ପୃଷ୍ଠାରୁ ଅଧିକ ନୁହଁ; କାରଣ ଲୋକଙ୍କ ପାଖରେ ସମୟ ନାହିଁ। ଦ୍ୱିତୀୟଟି ହେଲା, ବହିଟିର ଦାମ୍ ଦଶ ଟଙ୍କା, ଯାହା ଗୋଟିଏ ହୋଟେଲ୍ର ଟିପ୍ଠାରୁ, ଏପରିକି ସେତେବେଳର ଅଧ ଲିଟର ପେଟ୍ରୋଲଠାରୁ ବି କମ୍।
ସାହିତ୍ୟ ଚର୍ଚ୍ଚା: ସେତେବେଳକୁ ତ ଦଶ ଟଙ୍କାର ମୂଲ୍ୟ ଏତେ କମ୍ ନ ଥିଲା, ଅର୍ଥାତ୍ ୨୦୦୩ ବେଳକୁ।
ପୀତବାସ ରାଉତରାୟ: ଏତେ ବି ଅଧିକ ନଥିଲା। ତୃତୀୟରେ ବହିର ଆକୃତି। ମୁଁ ଭାବିଲି, ଏମିତି ଡେଙ୍ଗାଳିଆ ବହିଟିଏ ଯଦି ଦୋକାନରେ ଥୁଆ ହୋଇଥିବ, ନିଶ୍ଚୟ ସମସ୍ତଙ୍କ ନଜରରେ ପଡ଼ିବ।
ସାହିତ୍ୟ ଚର୍ଚ୍ଚା: ଟିକିଏ ଆଗରୁ ଆମେ ଆପଣଙ୍କ ପ୍ରଥମ ଗଳ୍ପ ସଂକଳନର କଥା ଆଲୋଚନା କରୁଥିଲେ, ସେଥିରେ ଗୋଟିଏ ଗଳ୍ପର ଥିମ୍ ହେଲା, ପ୍ରଜାପତି କାହିଁକି ସବୁବେଳେ ନିରବ ଥାଏ ଏବଂ ଗୀତ ଗାଏନାହିଁ? ଶେଷକୁ ସେହି ପ୍ରଜାପତିଟି ଏହାର ଉତ୍ତର ଦେଇ କହିଛି ଯେ ସେ ସେହିମାନଙ୍କୁ ସମ୍ମାନ ଜଣାଇ କେବେହେଲେ ଗୀତ ଗାଏ ନାହିଁ, ଯେଉଁମାନଙ୍କର ଗାଇବାର ସାମର୍ଥ୍ୟ ଥିଲେ ସୁଦ୍ଧା ସୁଯୋଗ ଅଭାବରୁ ଗାଇପାରନ୍ତି ନାହିଁ। ଏହିଭଳି କବିସୁଲଭ ସମ୍ବେଦନା ଆପଣଙ୍କୁ କ’ଣ ଏବେ ବି ଆକ୍ରାନ୍ତ କରେ?
ପୀତବାସ ରାଉତରାୟ: ସମ୍ବେଦନା ରହିବା ତ ସ୍ୱାଭାବିକ। ଏପରିକି ବ୍ୟଙ୍ଗରେ ମଧ୍ୟ ସେହି କଥାଟି ଅଧିକ ମାତ୍ରାରେ ଥାଏ। ନିଜକୁ ବ୍ୟଙ୍ଗ କରିବାଟା ସବୁଠାରୁ ବଡ଼ ସମ୍ବେଦନା। ତେଣୁ ମୋ’ର ଅଧିକାଂଶ ବ୍ୟଙ୍ଗ ଗପରେ ଆପଣ ଦେଖିବେ ଯେ ବ୍ୟଙ୍ଗଟା ମୋ ନିଜ ଉପରେ ଥିବ। ମୋର ପ୍ରଥମ ବ୍ୟଙ୍ଗ ବହି ‘ପତ୍ନୀକୁ ନେଇ ଗପ ଲେଖିବି ନାହିଁ’ରେ ଆପଣ ସେ କଥା ବିଶେଷ ଭାବରେ ଲକ୍ଷ୍ୟ କରିବେ।
ସାହିତ୍ୟ ଚର୍ଚ୍ଚା: ଆପଣ ଭଲ କଥାଟିଏ ମନେ ପକାଇଦେଲେ; ଏହା ଆମେ ପଚାରିବୁ ବୋଲି ଭାବୁଥିଲୁ। ୧୯୯୮ ମସିହାରେ ପ୍ରଥମ ବ୍ୟଙ୍ଗଗଳ୍ପ ସଂକଳନରେ ଆପଣ କହିଲେ, ‘ପତ୍ନୀକୁ ନେଇ ଗପ ଲେଖିବି ନାହିଁ’; କିନ୍ତୁ ପରେ ତ କାହିଁ ଆପଣ ତାଙ୍କୁ ଛାଡ଼ିଲେ ନାହିଁ ଜମା! କାରଣ ତାହାପରେ ୨୦୦୮ରେ ଆପଣଙ୍କ ଗୋଟିଏ ବହିର ଶିରୋନାମା ଥିଲା, ‘ଶ୍ରୀମତୀ ବିଶ୍ୱସୁନ୍ଦରୀ’, ୨୦୨୦ରେ ପୁଣି ଲେଖିଲେ ‘ଧର୍ମପତ୍ନୀଙ୍କ ଧର୍ମଘଟ’। ଇଏ କ’ଣ?
ପୀତବାସ ରାଉତରାୟ: ଅନେକ ସମୟରେ ଶ୍ରୀମତୀ ମୋତେ କୁହନ୍ତି, “ତମେ ଏମିତି ଲେଖୁଚ, ଲୋକେ ଭାବି ପାରନ୍ତି ଯେ ମୁଁ ତୁମର ବିରୋଧୀ।” ମୁଁ ବୁଝାଇଲି, ଏଇଟି ତ ବ୍ୟଙ୍ଗ ମାତ୍ର। କଥା ହେଲା ପ୍ରତି ଘରେ ଘରେ ଯାହା ଘଟିଯାଉଛି, ତା’କୁ ହିଁ ମୁଁ ବ୍ୟଙ୍ଗ ଛଳରେ ପ୍ରକାଶ କରୁଛି ।
ସାହିତ୍ୟ ଚର୍ଚ୍ଚା: ଆପଣ ଥରେ କହିଥିଲେ ଯେ ଆପଣଙ୍କ ପ୍ରଥମ ଗଳ୍ପ ସ୍ୱର୍ଗତ ଜଗଦୀଶ ପାଣିଙ୍କ ଦ୍ୱାରା ‘ସମାବେଶ’ରେ ପ୍ରକାଶିତ ହୋଇଥିଲା। ସେହି ଗଳ୍ପଟି ପାଇବା ପରେ ସେ ଆପଣଙ୍କୁ କହିଲେ ଯେ, ‘ଆପଣଙ୍କ ଗପଟି ପଢ଼ି ମୁଁ ରାତି ସାରା ଶୋଇପାରିଲି ନାହିଁ।’ କ’ଣ ଥିଲା ସେ ଗପରେ?
ପୀତବାସ ରାଉତରାୟ: ସେ ଗପଟିର ନାଁ ହେଉଛି, ‘ପାପପୁଣ୍ୟକୁ ବର୍ତ୍ତମାନର ନିକିତିରେ ତଉଲି ସାରିବା ପରେ’ – ବେଶ୍ ଲମ୍ବା ନାଁ’ଟିଏ। ଏହି ଗପର ଆରମ୍ଭରେ ପାଠକମାନଙ୍କୁ କ୍ଷମା ମାଗି ମୁଁ କହିଛି ଯେ ଏଥିରେ ଯେଉଁ ତିନୋଟି ଉପ-ଗପ ରହିଛି, ସେଥିର ତିନୋଟି ଚରିତ୍ରଙ୍କୁ ମୁଁ ଶେଷରେ ମାରିଦେବି।
ସାହିତ୍ୟ ଚର୍ଚ୍ଚା: ସେ ତିନିଜଣ କ’ଣ ଶେଷକୁ ସତରେ ମରିଯାଇଛନ୍ତି!
ପୀତବାସ ରାଉତରାୟ: ଶେଷକୁ ମୁଁ ଲେଖିଛି ଯେ, ‘ପ୍ରିୟ ପାଠକଗଣ, ମୁଁ ପ୍ରଥମରୁ ଭାବିଥିଲି ଯେ ସେମାନଙ୍କୁ ମାରିଦେବି ବୋଲି; କିନ୍ତୁ ବର୍ତ୍ତମାନର ସମାଜରେ ଥିବା ପାପପୁଣ୍ୟର ନିକିତିରେ ତଉଲିବା ପରେ ମୁଁ ଯେତେ ଚେଷ୍ଟା କଲେ ମଧ୍ୟ ସେମାନଙ୍କୁ ମାରିପାରୁନାହିଁ। ମୁଁ ମାରିଲେ ମଧ୍ୟ ସେମାନେ ଖସି ଯାଉଛନ୍ତି। କ୍ଷମା ଦେବେ।’
ସାହିତ୍ୟ ଚର୍ଚ୍ଚା: ଚମତ୍କାର ହୋଇଛି କଥାବସ୍ତୁଟି। ଶେଷରେ ଗୋଟିଏ କଥା ପଚାରିବୁ। ଆପଣ ତ ଓଡ଼ିଆ ପୁସ୍ତକ ପ୍ରକାଶନ ସହିତ ନିବିଡ଼ ଭାବରେ ଜଡ଼ିତ। ଓଡ଼ିଆ ବହିର ଭବିଷ୍ୟତକୁ ନେଇ କେତେଜଣ ଆଶଙ୍କା ପ୍ରକାଶ କରନ୍ତି। ଏ ବିଷୟରେ ଆପଣଙ୍କର ମତ କ’ଣ?
ପୀତବାସ ରାଉତରାୟ: ଅନେକ ଚେଷ୍ଟା ତ ଚାଲିଛି ବହିକୁ ବଞ୍ଚାଇ ରଖିବା ପାଇଁ; କିନ୍ତୁ ଆମ ସାମନାରେ ଯେଉଁ ବିକଳ୍ପ ଆସିଗଲା, ମୋବାଇଲ୍ ଓ କମ୍ପ୍ୟୁଟର, ତାହା ଲୋକଙ୍କୁ ନିଶାଗ୍ରସ୍ତ କରିଦେଇଛି। ଏହାକୁ ଦୃଷ୍ଟିରେ ରଖି ଆମକୁ ନୂଆ ଢ଼ଙ୍ଗରେ କିଛି ପ୍ରୟାସ କରିବାକୁ ପଡ଼ିବ ବହିର ଲୋକପ୍ରିୟତା ବଢ଼ାଇବା ପାଇଁ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମନୋଜ୍ଞ ଆଲୋଚନାଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ସାହିତ୍ୟ ଚର୍ଚ୍ଚାର ସମ୍ପାଦକଙ୍କର ଶ୍ରୀ ପୀତବାସ ରାଉତରାୟଙ୍କ ସହ ସାକ୍ଷାତକାର ଏକ ସୃଜନାତ୍ମକ ଉପସ୍ଥାପନା ଭାବରେ ପାଠକଙ୍କ ଆଦୃତି ଲାଭ କରିବ, ଏ ଦୃଢ଼ ବିଶ୍ବାସ ମୋ ଭଳି ଜଣେ ସାଧାରଣ ପାଠକଙ୍କ ନିଜସ୍ଵ ମତ। ଶ୍ରୀ ରାଉତରାୟଙ୍କର ଅବଦାନ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ତଥା ସର୍ବୋପରି ଜଗନ୍ନାଥ ସାହିତ୍ୟ ଓ ସଂସ୍କୃତିକୁ ଅତୁଳନୀୟ।
ଆପଣଙ୍କ ଏହିଭଳି ଉଦ୍ୟମ ପାଇଁ ପ୍ରଶଂସା ସହ ଏହି ଉଦ୍ୟମ ଅବ୍ୟାହତ ରଖିବାକୁ ଅନୁରୋଧ।
I loved the interview. It’s simple n wonderful. The feelings and the art of writing of stories are like a kalpachitra of Pitabasa Routray with typical aesthetics. But the Mudrana Seva concept dedicated to the Lord is obviously a bold exhibition of his NISKAM KARMAYOGA appreciated by one and all. Rather he is a writer and history maker..Jagannathayate Namah….
Mr.Rautaray had a busy life with respect to his service in PPL till the age of 68 years.It is really very astonishing, from where he was getting time for his pursuit for literature and passion for creative writings. Lord Jagannath has bestowed him with this calibre and capability.May God bless him to contribute further.
At the outset, my deep regards to Sri Routray Sir.
He is not only a talented writer, but a great human being… with unparalleled humane values.
He was my direct boss when I was working in Paradeep Phosphates Ltd, Paradeep-Odisha and learnt a lot from him, not only professionaly but many life lessons to enrich my life, myself… a very compassionate person. And as of today also, I am blessed with his love. He never treated us as his subordinates, he always was available to us like an elder brother, guiding like a compass , empowering,grooming us for growth, not only professionally but as a person too…never losing his cool or patience under any circumstance.
Always with a mild smile and great humility ever ready to extend a helping hand!
It is pure pleasure to read this interview where he has very lucidly answered all questions, an idea… Like a poetry. Overwhelmed!
His contribution to Odia literature is immense. May Lord Jagannath bless him with sunshine health for more publications of his original creations…and greater glory!
With profound regards & best wishes, Sir.
Bhagbat Prasad Padhee
ପ୍ରଣାମ।ସାକ୍ଷାତକାରଟି ଏକାନ୍ତ ଆତ୍ମୀୟ ଥିଲା। ଏଣୁ ନିଆରା ଲାଗିବା ସ୍ବାଭାବିକ।
ପୀତବାସ ଆଜ୍ଞାଙ୍କର ଗୋଟିଏ ସାକ୍ଷାତକାର ଗଳ୍ପ ସାହିତ୍ୟ ଉପରେ ଡକ୍ଟର ମମତାମୟୀ ଚୌଧୁରୀଙ୍କର ସହ କରିବାର ସୁଯୋଗ ପାଇଥିଲି ଦୂରଦର୍ଶନରେ।ଅଳପ ସମୟ ଭିତରେ ତାଙ୍କର ଉତ୍ତର ମଧ୍ୟ ପ୍ରଶ୍ନାନୁସାରୀ ଥିଲା।
ଏମିତି ପ୍ରେରଣାପ୍ରଦ ପ୍ରୟାସ ଜାରି ରହିଥାଉ।
ପ୍ରଣମ୍ୟ ସ୍ରଷ୍ଟା ପୀତବାସ ରାଉତରାୟ ସାର୍ ଜଣେ ଜଣଜ ବରେଣ୍ୟ ସାରସ୍ୱତ ସାଧକ । ଏହି ସାକ୍ଷାତକାର ବହୁ ଦିଗରୁ ଅନନ୍ୟ, କାରଣ ଏତେ ପ୍ରଶଂସା ବିମୁଖ ସାଧକଙ୍କୁ ଯଥୋଚିତ ପ୍ରଶ୍ନ ପଚାରି ଉତ୍ତର ଆଦାୟ ବି ଅନୁରୂପ ବିଦବତ୍ତାର ଅପେକ୍ଷା ରଖେ,ଯାହା ଅତ୍ୟନ୍ତ ମନୋପୂତ ଭାବେ ଶ୍ରୀମାନ ନିହାର ବାବୁ ସମ୍ପାଦନ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ପଞ୍ଚରାତ୍ର ବେଳେ ବି ପୀତବାସ ସାର୍ ଆମନ୍ତ୍ରିତ ହୋଇଥିଲେ ହେଁ ପ୍ରଭୁଙ୍କ ବିନମ୍ର ସେବକ ଭାବେ ତାହା ନ ଜଣାଗବାକୁ ମୋତେ କହିଥିଲେ ମୋ ଆଗ୍ରହ ସତ୍ତ୍ୱେ । ସାର୍ ବି ଅନ୍ତର୍ଦ୍ଦେଶୀୟ ପତ୍ର ରୂପେ ଫୁଲ ପତ୍ରିକା ସମ୍ପାଦନା କରିଛନ୍ତି, ଯାହା ଆମ ସଂକ୍ଷିପ୍ତ ସାହିତ୍ୟର ଅନ୍ୟତମ ବିଭବ୍ । ଏବେ ସାର୍ ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନ ମାଧ୍ୟମରେ ଯେଭଳି ନିଷ୍କାମ ସାରସ୍ୱତ ସେବାରତ,ତାହା ବିରନାଦପି ବିରଳ ଓ ଆଦର୍ଶସ୍ଥାନୀୟ ନିଶ୍ଚୟ 👌ବାଃ ମୋ ମନ ପୂର୍ଣ ହୋଇଗଲା ଏ ସାକ୍ଷାତକାର ପଢି