ଓଡ଼ିଆ ସାହିତ୍ୟରେ ଡିଜିଟାଲ୍‌କରଣର ପ୍ରବର୍ତ୍ତକ ନିଖିଳ ପଟ୍ଟନାୟକଙ୍କ ସହିତ ବାର୍ତ୍ତାଳାପ

ବାପା ବହୁତ ପଠନ ପ୍ରିୟ ଥିଲେ। ଯେତେ ବହି ଛପା ହେଉଥିଲା, ସେଥିମଧ୍ୟରୁ ଅଧିକାଂଶ ପ୍ରାୟ ଆମ ଘରକୁ ଆସୁଥିଲା।

ଓଡ଼ିଆ ଭାଷାରେ ବିଜ୍ଞାନ ସାହିତ୍ୟକୁ ଲୋକପ୍ରିୟ କରିବାର ସାଧନାରେ ବ୍ରତୀ ହୋଇ ଏହାର ପରବର୍ତ୍ତୀ ସୋପାନରେ ଓଡ଼ିଆ ସାହିତ୍ୟକୁ ଡିଜିଟାଲାଇଜ୍ କରି ଏଥିରେ ନବଜୀବନ ସଂଚାର କରିବାର ଅଭିଯାନରେ ଅଗ୍ରଦୂତ ପାଲଟି ଯାଇଛନ୍ତି ଡ. ନିଖିଳ ମୋହନ ପଟ୍ଟନାୟକ। ଆଇ.ଆଇ.ଟି, କାନପୁରରୁ ରସାୟନ ଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଓ ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟରୁ ଡକ୍ଟରାଲ୍ ଓ ପୋଷ୍ଟ-ଡକ୍ଟରାଲ୍ ଗବେଷଣା ଶେଷ କରି ହାଇଦରାବାଦଠାରେ ତିନି ବର୍ଷ ଧରି ବୈଜ୍ଞାନିକ-ଜୀବନ ବିତାଇବା ପରେ ସେ ୧୯୮୩ ମସିହାରୁ ଓଡ଼ିଶାକୁ ନିଜର କର୍ମ କ୍ଷେତ୍ର ଭାବରେ ବାଛି ନେଇଛନ୍ତି ଓ ନିଜର ସୁପ୍ରସିଦ୍ଧ ଅନୁଷ୍ଠାନ ‘ସୃଜନିକା’ ଓ ‘ଓଡ଼ିଆ ବିଭବ’ ଜରିଆରେ ଏକ ନିଆରା ଢଙ୍ଗରେ ଓଡ଼ିଆ ଭାଷା ଓ ସାହିତ୍ୟର ସେବା କରିଆସିଛନ୍ତି। ୭୬ ବର୍ଷ ବୟସ୍କ ଏହି ନିରଳସ ସାଧକଙ୍କ ସହ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା:୧୯୭୯ ମସିହାରେ ଯେତେବେଳେ ଆପଣ ନିଜର ପୋଷ୍ଟ-ଡକ୍ଟରାଲ୍ ରିସର୍ଚ୍ଚ ସାରିଲେ ଓ ନିଜର କ୍ୟାରିଅର୍ କଥା ଭାବିଲେ, ଏବଂ ଆଜି ୨୦୨୫ରେ ଆପଣ ଯେଉଁଠି ଠିଆ ହୋଇଛନ୍ତି ‘ସୃଜନିକା’କୁ ନେଇ, ସେତେବେଳେ ଆପଣ କ’ଣ କେବେ କଳ୍ପନା କରିଥିଲେ ଯେ ଦିନେ ଆଜିର ଭଳି ଏକ ସ୍ଥିତିରେ ପହଞ୍ଚିବେ?
ନିଖିଳ ପଟ୍ଟନାୟକ: ସେମିତି କିଛି ଆଗରୁ ଯୋଜନା ନ ଥିଲା, ଧାରଣା ବି ନ ଥିଲା।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଆପଣ ତ ବିଜ୍ଞାନର ଛାତ୍ର ଥିଲେ, ବିଜ୍ଞାନରେ ଗବେଷଣା କରିଥିଲେ; ତାହାକୁ ନେଇ ଆପଣ ବିଜ୍ଞାନ-ସାହିତ୍ୟର ସେବା କରିବା ଭଳି ଗୋଟିଏ ସ୍ଥିତିରେ ପହଞ୍ଚିଗଲେ।
ନିଖିଳ ପଟ୍ଟନାୟକ: ପ୍ରକୃତରେ, ଚାକିରି ଆରମ୍ଭରେ ବି, ପ୍ରଥମରୁ ମୁଁ ସ୍ପଷ୍ଟ ଥିଲି ଯେ ବିଜ୍ଞାନଟା ମୋ ପାଇଁ ଲାବୋରେଟରୀ ଭିତରେ ସୀମିତ ନୁହଁ। ସେତେବେଳେ ସି.ଏସ୍‌.ଆଇ.ଆର ଅଧୀନରେ ଗୋଟିଏ ପ୍ରୋଜେକ୍ଟ ବି କରୁଥିଲି ସ୍କୁଲ୍ ପିଲାଙ୍କ ମଧ୍ୟରେ ବିଜ୍ଞାନର ପ୍ରସାର ପାଇଁ। ତେଣୁ ପିଲାଙ୍କ ଭିତରେ ଓ ଶିକ୍ଷକମାନଙ୍କ ସହିତ ଭାବବିନିମୟର ଯୋଜନାଟି ମୂଳରୁ ଆମର ଥିଲା। ତେବେ ପୂରା ସମୟ ଦେଇ ଏଥିରେ ଲାଗିବାଟା ପରିସ୍ଥିତି ବଶତଃ ହୋଇଥିଲା।
ସାହିତ୍ୟ ଚର୍ଚ୍ଚା: ସେହି ପରିସ୍ଥିତିଟା କ’ଣ ଥିଲା?
ନିଖିଳ ପଟ୍ଟନାୟକ: ମୁଁ ପ୍ରଥମେ ଯେତେବେଳେ ହାଇଦ୍ରାବାଦରେ ନିଜର କାର୍ଯ୍ୟ ଛାଡ଼ିଲି, ସେତେବେଳେ ତାହା ଭାରତର ଗୋଟିଏ ଶ୍ରେଷ୍ଠ ଲାବରେଟୋରୀ ଭାବରେ ପରିଗଣିତ ହେଉଥିଲା; କିନ୍ତୁ ଅନେକ ସମୟରେ ସେଠାର ଚିନ୍ତାଧାରାଗୁଡ଼ିକ ମୋ’ର ପସନ୍ଦ ହେଲାନାହିଁ, କେତେ ଦୃଷ୍ଟିରୁ ଅବାସ୍ତବ ବି ଲାଗିଲା।ସାହିତ୍ୟ ଚର୍ଚ୍ଚା: ତା’ପରେ ବୋଧହୁଏ ଆପଣ ଭୁବନେଶ୍ୱର ଆସିଲେ !
ନିଖିଳ ପଟ୍ଟନାୟକ: ହଁ, ତା’ପରେ ଆମେ ଯେତେବେଳେ ଏଠାରେ, ‘ଆଇ.ସି.ଏମ୍‌.ଆର’ରେ ଗୋଟିଏ ନୂଆ ଲାବରେଟୋରୀ ଆରମ୍ଭ କଲୁ, କିଛି ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେଲା। ମୋତେ ଲାଗିଲା, ଯାହା ଆମେ କରିବାକୁ ଚାହୁଁଥିଲୁ, ଅନେକ ସମୟରେ କରିହେଲାନି।
ସାହିତ୍ୟ ଚର୍ଚ୍ଚା: ଆପଣ ସେଠାରେ ବି ନିଜକୁ ଅସହଜ ମନେ କରୁଥିଲେ?
ନିଖିଳ ପଟ୍ଟନାୟକ: ମୁଁ ନିଜେ ଯେତିକି ଅସହଜ ଥିଲି, ମୋତେ ନେଇ ସେଠାର ଉପରିସ୍ଥ ଅଧିକାରୀମାନେ ତା’ଠାରୁ ଅଧିକ ଅସହଜ ଥିଲେ। କେତେକ ପ୍ରଶ୍ନ ଉଠାଇବାଟାକୁ ସେମାନେ ଚାହୁନଥିଲେ; ଏଣୁ ମୁଁ ସେଥିରୁ ଓହରିଗଲି।
ସାହିତ୍ୟ ଚର୍ଚ୍ଚା: ଆମେ ଯାହା ଜାଣୁ, ଏହା ପରେ ପରେ ଆପଣ ଓଡ଼ିଶାରେ ବିଜ୍ଞାନ ଶିକ୍ଷାର ପ୍ରସାରରେ ବ୍ରତୀ ହେଲେ।
ନିଖିଳ ପଟ୍ଟନାୟକ: ସେଇଟା ଆମର ସବୁବେଳେ ଚାଲିଥିଲା, ୧୯୮୦ରୁ ଯେତେବେଳେ ଆମେ ସ୍କୁଲ୍‌ମାନଙ୍କ ସହିତ ସମ୍ପର୍କରେ ରହିବା ଆରମ୍ଭ କଲୁ। ଏହା ଆମ ପାଇଁ ଏକ ପରିପୂରକ କାର୍ଯ୍ୟ ଥିଲା।

ସାହିତ୍ୟ ଚର୍ଚ୍ଚା: ୧୯୮୮ ବା ୮୯ରୁ ଆପଣଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ବିଜ୍ଞାନ ତରଙ୍ଗ’ ପତ୍ରିକା ଓଡ଼ିଶାରେ ବିଜ୍ଞାନ-ସାହିତ୍ୟର ପ୍ରସାର କରିବାରେ ଅଗ୍ରଣୀ ଥିଲା।
ନିଖିଳ ପଟ୍ଟନାୟକ: ଏହା ଶିକ୍ଷା, ବିଜ୍ଞାନ ଓ ସମାଜକୁ ଯୋଡ଼ିବା ପାଇଁ ଗୋଟିଏ ମାଧ୍ୟମ ଥିଲା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଯେତେକ ପୁସ୍ତକ ପ୍ରକାଶିତ ହୋଇଛି, ଅଳ୍ପ କେତୋଟିକୁ ଛାଡ଼ିଦେଲେ ସବୁତକ ତ ବିଜ୍ଞାନ ଆଧାରିତ। ଏଣୁ ବିଜ୍ଞାନ-ସାହିତ୍ୟକୁ ଆପଣଙ୍କର ଅବଦାନ ମହତ୍ତ୍ୱ ରଖେ। କିନ୍ତୁ ଆପଣଙ୍କ କର୍ମମୟ ଜୀବନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ହେଲା ଓଡ଼ିଆ ସାହିତ୍ୟର ଡିଜିଟାଲ୍‌କରଣ। ବିଜ୍ଞାନ-ଶିକ୍ଷା ବା ବିଜ୍ଞାନ-ସାହିତ୍ୟଠାରୁ ଭିନ୍ନ, ଏହା ଗୋଟିଏ ନୂଆ ଦୁନିଆ ନୁହେଁ କି? ଏହି ଦୁନିଆରେ କେମିତି ପାଦ ଥାପିଲେ?
ନିଖିଳ ପଟ୍ଟନାୟକ: ପ୍ରକୃତରେ ସେଇଟା ଆରମ୍ଭ ହେଲା ବିଜ୍ଞାନର ଗୋଟିଏ ପ୍ରୟୋଗ ଭାବରେ। ଆମେ ଯେତେବେଳେ ‘ବିଜ୍ଞାନ ତରଙ୍ଗ’ ପତ୍ରିକା ସହ ଅନ୍ୟ ପୁସ୍ତକ ଆଦି ଲେଖିଲୁ, ଗୋଟିଏ ବଡ଼ ଅସୁବିଧା ଭାବରେ ଠିଆ ହେଲା ଶବ୍ଦ। ଓଡ଼ିଆ ଅଭିଧାନମାନଙ୍କରେ ବିଜ୍ଞାନ ସମ୍ପର୍କିତ ଶବ୍ଦ ପାଇଲୁ ନାହିଁ। ଏବେ ବି ଆପଣ ଇଲେକ୍ଟ୍ରନ୍ ଶବ୍ଦ ଗୋଟିଏ ବା ଦୁଇଟି ଓଡ଼ିଆ ଅଭିଧାନ ଛଡ଼ା ଅନ୍ୟ କେଉଁଠି ପାଇବେ ନାହିଁ; ନାଭିର ବ୍ୟାଖ୍ୟା ଖୋଜିଲେ କେଉଁଠି ପାଇବେ ନାହିଁ ଯେ ପରମାଣୁ ଓ ଜୀବକୋଷର ମଧ୍ୟ ଯେ ନାଭି ଅଛି, ସେ କଥା କୁହାଯାଇଛି।
ସାହିତ୍ୟ ଚର୍ଚ୍ଚା: ଏହାର ସମାଧାନ ସୂତ୍ର କିଛି ପାଇଲେ କି?
ନିଖିଳ ପଟ୍ଟନାୟକ: ଆମେ ଭାଷାକୋଷ ପ୍ରତି ଦୃଷ୍ଟି ଦେଲୁ ଏବଂ ସେଥିରେ ଏସବୁ ଖୋଜିବାକୁ ଚେଷ୍ଟା କଲୁ।
ସାହିତ୍ୟ ଚର୍ଚ୍ଚା: ପୁର୍ଣ୍ଣଚନ୍ଦ୍ର ଭାଷାକୋଷର କପିଟିଏ ତା’ହେଲେ ଆପଣଙ୍କ ପାଖରେ ଥିଲା?
ନିଖିଳ ପଟ୍ଟନାୟକ: ଭାଷାକୋଷ ଆମ ଘରେ ପିଲାଦିନୁଁ ରହିଆସିଛି। ଜ୍ଞାନମଣ୍ଡଳ ବି ଥିଲା। ଏହାର କାରଣ, ବାପା ବହୁତ ପଠନ ପ୍ରିୟ ଥିଲେ। ଯେତେ ବହି ଛପା ହେଉଥିଲା, ସେଥିମଧ୍ୟରୁ ଅଧିକାଂଶ ପ୍ରାୟ ଆମ ଘରକୁ ଆସୁଥିଲା।
ସାହିତ୍ୟ ଚର୍ଚ୍ଚା: ଏହି ଦୃଷ୍ଟିରୁ ବୋଧହୁଏ ଆପଣ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଡିଜିଟାଲ୍ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଅନୁଭବ କଲେ।
ନିଖିଳ ପଟ୍ଟନାୟକ: ନବେ ଦଶକରେ ଆମେ ଏହାକୁ ପ୍ରଥମେ ବ୍ୟବହାର କରିବା ଆରମ୍ଭ କଲୁ। ପ୍ରଥମେ ତ ଖୋଜିଲୁ ଯେ ତା’ଭିତରେ କ’ଣ ବିଜ୍ଞାନ ଶବ୍ଦ ଅଛି। ତାହାକୁ ଅଲଗା କରି ସଂକଳିତ କରିବାକୁ ଉଦ୍ୟମ କଲୁ। ପାଇଲୁ ଯେ ତାହା ମଧ୍ୟରେ ପ୍ରାୟ ୧୩୦୦ଟି ଗଛର ବୈଜ୍ଞାନିକ ନାମ ଅଛି।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣ ବିଜ୍ଞାନକୁ ଖୋଜି ଖୋଜି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପାଖରେ ପହଞ୍ଚିଲେ। କିନ୍ତୁ ଏହି କ୍ରମରେ ଆପଣ ଓଡ଼ିଆ ଜାତି ପାଇଁ ମହାନ କାର୍ଯ୍ୟଟିଏ ମଧ୍ୟ କରିଛନ୍ତି। ଆଜି ଘରେ ଘରେ ବା ଯେଉଁଠି ବି ହେଉନା କାହିଁକି, କମ୍ପ୍ୟୁଟର୍ ଅବା ମୋବାଇଲ୍‌ରେ ଓଡ଼ିଆ ଶବ୍ଦଟିଏ ଟାଇପ୍ କରିଦେଲେ ଭାଷାକୋଷରେ ଥିବା ତାହାର ଅର୍ଥ ପରଦା ଉପରେ ଆସିଯାଉଛି।
ନିଖିଳ ପଟ୍ଟନାୟକ: ଆମର ଜଣେ ସହଯୋଗୀ ଯିଏ ଏବେ ସୁଇଡେନ୍‌ରେ ଅଛନ୍ତି, ଏହି କାର୍ଯ୍ୟର ବୈଷୟିକ ଦିଗରେ ଆମର ବିଶେଷ ସହାୟତା କରିଥିଲେ।
ସାହିତ୍ୟ ଚର୍ଚ୍ଚା: ସେ କିଏ?
ନିଖିଳ ପଟ୍ଟନାୟକ: ତାଙ୍କର ନାମ ହେଉଛି ସାନୁଜିତ୍ ପୁହାଣ।
ସାହିତ୍ୟ ଚର୍ଚ୍ଚା: ଏହି ପ୍ରକ୍ରିୟାଟି କିପରି କାର୍ଯ୍ୟକାରୀ ହେଲା?
ନିଖିଳ ପଟ୍ଟନାୟକ: ଏହାର ତିନୋଟି ସ୍ତର ଅଛି। ଓ୍ବେବ୍‌ସାଇଟ୍‌ରେ ଏହା ଏମିତି ଅଛି ଯେ ଆପଣ ଭାଷାକୋଷର ଯେ କୌଣସି ପୃଷ୍ଠା ଅବିକଳ ଦେଖିପାରିବେ। ତା’ପରେ ଆମେ ଏହାର ରି-ଟାଇପିଙ୍ଗ୍ କରି ଏଥିରେ ଯେ କୌଣସି ଶବ୍ଦକୁ ସର୍ଚ୍ଚ ବା ସନ୍ଧାନ କରିବାର ସୁବିଧା ଏଥିରେ ଯୋଡ଼ିଲୁ। ସେହି ଡାଟାକୁ ନେଇ ଏହାକୁ ମୋବାଇଲ୍ ଫୋନ୍‌ର ଅନୁକୂଳ କରାଗଲା।
ସାହିତ୍ୟ ଚର୍ଚ୍ଚା: ଆପଣ ଏଡ଼େ ବଡ଼ ଭାଷାକୋଷର ରି-ଟାଇପିଙ୍ଗ୍ କେମିତି କରାଇପାରିଲେ?
ନିଖିଳ ପଟ୍ଟନାୟକ: ଆମେ ନିଜେ କରିନୁ। ୨୦୦୫ ମସିହାରେ ଆମେ ଖୋଜିଲୁ ଯେ ଏହି ଭାଷାକୋଷ ଧରଣର କାମ ବିଶ୍ୱରେ ଆଉ କେଉଁଠି ହେଉଛି। ପାଇଲୁ ଯେ ଚିକାଗୋ ବିଶ୍ୱବିଦ୍ୟାଳୟ ଏହା କରିବାକୁ ଯାଉଛି। ତାଙ୍କ ସହିତ ଯୋଗାଯୋଗ କଲୁ। ସେମାନେ କହିଲେ, ଏ ବିଷୟରେ ସେମାନଙ୍କର କିଛି କାମ ହୋଇନାହିଁ ଏବଂ ଆମର ସହଯୋଗ ଲୋଡ଼ିଲେ। ଏହାପରେ ନଭେମ୍ବର ୨୦୦୬ରେ ଯେତେବେଳେ ଆମେ କାର୍ଯ୍ୟଟି ସମ୍ପୂର୍ଣ୍ଣ କଲୁ, ସେହି ସ୍କାନିଂ ହୋଇଥିବା ଡାଟା ସେମାନଙ୍କୁ ଦେଇଦେଲୁ। ସେମାନେ ୨୦୦୫ରୁ ୨୦୧୨ ଭିତରେ ଏହାର ଟାଇପିଙ୍ଗ୍ କରାଇଲେ; ଯେଉଁଥିପାଇଁ ସେମାନଙ୍କୁ ଏଥିପାଇଁ ପାଞ୍ଚ ବର୍ଷ ଲାଗିଲା।
ସାହିତ୍ୟ ଚର୍ଚ୍ଚା: ସେମାନେ ଏହାକୁ ହାତରେ ଟାଇପିଙ୍ଗ୍ କରାଇଲେ, ନା ଏହା କୌଣସି ଯାନ୍ତ୍ରିକ ପଦ୍ଧତିରେ ହୋଇଥିଲା?
ନିଖିଳ ପଟ୍ଟନାୟକ: ହାତରେ ଟାଇପିଙ୍ଗ ହୋଇଥିଲା। ସେମାନେ ନିଜର ଦୂତାବାସ ଜରିଆରେ ବମ୍ବେର ଗୋଟିଏ ସଂସ୍ଥାକୁ ବାଛି ତାହାକୁ ଏହି କାର୍ଯ୍ୟ ପାଇଁ କଣ୍ଟ୍ରାକ୍ଟ ଦେଲେ ଏବଂ ସେହି ସଂସ୍ଥା ଓଡ଼ିଆ ଲୋକଙ୍କୁ ରଖି ସମ୍ପୂର୍ଣ୍ଣ ଭାଷାକୋଷଟିକୁ ଟାଇପିଙ୍ଗ୍ କରାଇଲା।
ସାହିତ୍ୟ ଚର୍ଚ୍ଚା: ଏଇଟି ନିଶ୍ଚିତ ଭାବରେ ଗୋଟିଏ ବଡ଼ କାମ; ଆହୁରି ମଧ୍ୟ ବଡ଼ କାମ ହେଲା ଯେ ଏହା ‘ସର୍ଚ୍ଚେବଲ୍‌’।
ନିଖିଳ ପଟ୍ଟନାୟକ: ଥରେ ଟାଇପ୍ ହୋଇଯିବା ପରେ ସେମାନେ ତା’କୁ ୟୁନିକୋଡ୍‌କୁ ପରିବର୍ତ୍ତିତ କଲେ। ଏହାପରେ ଏହାକୁ ‘ସର୍ଚ୍ଚେବଲ୍‌’ କରାଇବା ବଡ଼ କଥା ନୁହେଁ। ଆମେରିକା ସରକାରଙ୍କ ଗ୍ରାଣ୍ଟ୍ ପାଇ ଚିକାଗୋ ବିଶ୍ୱବିଦ୍ୟାଳୟ ଏହି କାର୍ଯ୍ୟଟି କରାଉଥିବାରୁ ବିଶେଷ କିଛି ଅସୁବିଧା ହେଲାନାହିଁ।
ସାହିତ୍ୟ ଚର୍ଚ୍ଚା: ଏହାପରେ ଏହା ୱେବ୍‌ସାଇଟ୍‌ରେ ଅପଲୋଡ଼ ହୋଇଗଲା?
ନିଖିଳ ପଟ୍ଟନାୟକ: ସେମାନେ ଏହାକୁ ନିଜ ୱେବ୍‌ସାଇଟ୍‌ରେ ଅପଲୋଡ଼ କଲେ ୨୦୧୩ ବେଳକୁ। କିନ୍ତୁ ସେତେବେଳକୁ ଆମେ ଦେଖିଲୁ ଯେ ସେଥିରେ ବହୁତ ଭୁଲ୍ ଅଛି।
ସାହିତ୍ୟ ଚର୍ଚ୍ଚା: କି ରକମର ଭୁଲ୍ ଥିଲା ସେଥିରେ?
ନିଖିଳ ପଟ୍ଟନାୟକ: ଏକ ତ ଟାଇପିଙ୍ଗ୍ ଭୁଲ୍‌; ଆମେ ଦେଖିଲୁ ଯେ କେଉଁଠି କେଉଁଠି ଅଧା ଟାଇପ୍ ହୋଇଛି; ଆଉ ମଧ୍ୟ କେତୋଟି ଶବ୍ଦ ସେମାନେ ଛାଡ଼ିଯାଇଥିଲେ। ଦ୍ୱିତୀୟଟି ହେଲା, ବୈଷୟିକ ତ୍ରୁଟି। ୮ ବିଟ୍‌ରୁ ୟୁନିକୋଡ୍‌କୁ ପରିବର୍ତ୍ତିତ କରିବାବେଳେ ସେଥିମଧ୍ୟରୁ କେତୋଟି ଅକ୍ଷର ବଦଳି ଯାଇଥିଲା। ଆମେ ଯେତେବେଳେ ସେମାନଙ୍କୁ ଏ କଥା ଜଣାଇଲୁ, ସେମାନେ କହିଲେ ଯେ ଆମେ ଏ ବିଷୟରେ ଆଉ କିଛି କରିପାରିବୁ ନାହିଁ; ଏବଂ ସମସ୍ତ ଡାଟା ଆମକୁ ସଂଶୋଧନ ପାଇଁ ଦେଇଦେଲେ।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣମାନେ ଶେଷକୁ ସେ ସବୁକୁ ସଂଶୋଧନ କରିଥିବେ?
ନିଖିଳ ପଟ୍ଟନାୟକ: ହଁ, ଆମେ କିଛି ଉତ୍ସାହୀ ବନ୍ଧୁମାନଙ୍କ ସହଯୋଗ ନେଇ ବୈଷୟିକ ତ୍ରୁଟିର ସଂଶୋଧନ କଲୁ। ବାକି ଟାଇପିଙ୍ଗ୍ ତ୍ରୁଟିଗୁଡ଼ିକୁ ସଂଶୋଧନ କରିବା ଏକ କଠିନ କାର୍ଯ୍ୟ ଥିଲା। ୨୦୧୬ ମସିହାରେ ଚିକାଗୋରୁ ଜେମସ୍ ନେ ଓଡ଼ିଶା ଆସିଥିଲେ। ଆମେ ତାଙ୍କ ସହିତ ଏ ବିଷୟରେ ଆଲୋଚନା କଲୁ। ୨୦୧୯ରେ ସେ ପୁଣି ଆସିଲେ। ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ତିନି ବର୍ଷ ଧରି ଆମେ ତାହାର ସଂଶୋଧନ କଲୁ।
ସାହିତ୍ୟ ଚର୍ଚ୍ଚା: ଆପଣ ଯେତେବେଳେ ଏହି ପ୍ରୋଜେକ୍ଟ କଲେ, ସେହି ସମକାଳରେ ବୋଧହୁଏ ‘ଲାର୍କ ବୁକ୍ସ’ର ମହେନ୍ଦ୍ର ମିଶ୍ର ଏହି ଭାଷାକୋଷର ମୁଦ୍ରିତ ସଂସ୍କରଣ ମଧ୍ୟ ପ୍ରକାଶ କଲେ। ତାଙ୍କୁ ଏହାର କପିରାଇଟ୍‌କୁ ନେଇ ମାଲିମକଦ୍ଦମାର ସମ୍ମୁଖୀନ ହେବାକୁ ପଡ଼ିଥିଲା ବୋଲି ଶୁଣିଛୁ। ଆପଣଙ୍କୁ କ’ଣ ଏ ବିଷୟରେ କିଛି ଅସୁବିଧାର ସାମନା କରିବାକୁ ହୋଇନାହିଁ?
ନିଖିଳ ପଟ୍ଟନାୟକ: ହଁ, ସେମାନେ ଆମକୁ ମଧ୍ୟ ନୋଟିସ୍ ଦେଇଥିଲେ; କିନ୍ତୁ ୨୦୦୫ ମସିହାରୁ ତ ତାହାର କପିରାଇଟ୍ ସରିଯାଇଛି।
ସାହିତ୍ୟ ଚର୍ଚ୍ଚା: ଆପଣ ପ୍ରତିଭା ରାୟଙ୍କ ‘ଯାଜ୍ଞସେନୀ’ ଉପନ୍ୟାସକୁ ଓଡ଼ିଆ ବିଭବର ୱେବ୍‌ସାଇଟ୍‌ରେ ଅପଲୋଡ୍ କରିଥିବାକୁ ନେଇ ମଧ୍ୟ ଏକ ବିବାଦ ଦେଖାଦେଇଥିଲା। ଆପଣ ଯେତେବେଳେ ବହିଟି ଅପଲୋଡ୍ କଲେ, ସେତେବେଳେ ଏମିତି ହେବ ବୋଲି କ’ଣ ଭାବିଥିଲେ?
ନିଖିଳ ପଟ୍ଟନାୟକ: ଭାବି ତ ନଥିଲୁ। କିନ୍ତୁ ଭାବିବା ଉଚିତ ଥିଲା।
ସାହିତ୍ୟ ଚର୍ଚ୍ଚା: ବର୍ତ୍ତମାନ ବୋଧହୁଏ ଆପଣ ‘ଯାଜ୍ଞସେନୀ’କୁ ସେଠାରୁ ହଟାଇ ଦେଇଛନ୍ତି।
ନିଖିଳ ପଟ୍ଟନାୟକ: ସାଙ୍ଗେ ସାଙ୍ଗେ ଏହାକୁ ହଟାଇଦେଲୁ।
ସାହିତ୍ୟ ଚର୍ଚ୍ଚା: ଆମେ ଏହା ମଧ୍ୟ ଶୁଣିଛୁ ଯେ ଜଣେ ପ୍ରକାଶକ ଆପଣଙ୍କ ବିନା ଅନୁମତିରେ ଆପଣଙ୍କର କିଛି ବହି ପ୍ରକାଶ କରିଥିବାରୁ ଆପଣ କ୍ଷୁବ୍ଧ ହୋଇ ତାଙ୍କୁ ନୋଟିସ ଦେଇଥିଲେ। ଏହା କ’ଣ ସତ?
ନିଖିଳ ପଟ୍ଟନାୟକ: ସେ ଆମର ଅପ୍ରକାଶିତ ବହିଗୁଡ଼ିକ ନ ଛପାଇ, ଆମର କେତୋଟି ପ୍ରକାଶିତ ବହିର ପୁନଃମୁଦ୍ରଣ ପୂର୍ବକ ସରକାରଙ୍କୁ ଯୋଗାଇଥିଲେ, ଯାହାକୁ ନେଇ ଆମେ ଆପତ୍ତି ଉଠାଇଥିଲୁ। ଆମେ ପରେ ଅବଶ୍ୟ ସେହି ମାମଲା କୋର୍ଟରୁ ପ୍ରତ୍ୟାହାର କରିନେଲୁ।

ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଦ୍ୱାରା ଅନୂଦିତ ହୋଇଥିବା ଗୋଟିଏ ଜାପାନୀ ବହିର ପ୍ରସଙ୍ଗକୁ ଆସିବା।
ନିଖିଳ ପଟ୍ଟନାୟକ: କେଉଁ ବହି?
ସାହିତ୍ୟ ଚର୍ଚ୍ଚା: ତୋତ୍ତୋ-ଚାନ୍‌, ଆପଣ ବିନୟ ପଟ୍ଟନାୟକଙ୍କ ସହିତ ମିଶି ଏହାର ଅନୁବାଦ କରିଛନ୍ତି। କିନ୍ତୁ ଏହା ଏକ ମର୍ମାନୁବାଦ ଭଳି ମନେହୁଏ।
ନିଖିଳ ପଟ୍ଟନାୟକ: ତାହାର ମୂଳ ଲେଖାଟି ଯଦିଓ ଜାପାନୀ ଭାଷାରେ, ତାହା ବିଶ୍ୱର ଅନେକ ଭାଷାରେ ଅନୂଦିତ ହୋଇଛି। ଆମେ ଏହାକୁ ଇଂରାଜୀରୁ ଅନୁବାଦ କରିଛୁ। ମର୍ମାନୁବାଦ, କାରଣ ଆମେ ତ କେହି ପ୍ରଫେସନାଲ ଅନୁବାଦକ ନୋହୁଁ। ବେଳେ ବେଳେ ଗୋଟିଏ ପାରାଗ୍ରାଫ୍‌କୁ ଆପଣ ନିଜ ଭାଷାର ନିଜ ଚିନ୍ତାରେ ନ କହିଲେ ତାହା ଏକ ଯାନ୍ତ୍ରିକ ଅନୁବାଦ ଭଳି ଲାଗେ।
ସାହିତ୍ୟ ଚର୍ଚ୍ଚା: ଲୋକପ୍ରିୟ ବିଜ୍ଞାନ ସାହିତ୍ୟକୁ ଆପଣଙ୍କର ସବୁଠାରୁ ବଡ଼ ଅବଦାନ ହେଉଛି ‘ବିଜ୍ଞାନ ତରଙ୍ଗ’ ପତ୍ରିକା। ୧୯୯୦ରୁ ୨୦୦୭ – ଦୀର୍ଘ ୧୭ ବର୍ଷ କାଳ ଆପଣ ଯେ ଏହାକୁ ଚଳାଇଲେ ଏହା କିଛି କମ୍ କଥା ନୁହଁ। ତଥାପି ଶେଷକୁ ପତ୍ରିକାଟିର ପ୍ରକାଶନ କାହିଁକି ବନ୍ଦ କରିଦେବାକୁ ପଡ଼ିଲା?
ନିଖିଳ ପଟ୍ଟନାୟକ: ଆମର ସବୁ କାମ ପ୍ରାୟ ୨୦୦୪ ବେଳକୁ ଗୋଳମାଳିଆ ହେବା ଆରମ୍ଭ କଲା। ପିଲାଙ୍କର, କେବଳ ପିଲା ନୁହଁ, ବାପା-ମାଆମାନଙ୍କର ବି ଆଗ୍ରହ ରହିଲା ନାହିଁ ପତ୍ରପତ୍ରିକା ପ୍ରତି। ସେମାନେ ପିଲାମାନଙ୍କର ପରୀକ୍ଷା ଓ ଟିଉସନ୍ ଆଦି ପ୍ରତି ଅଧିକ ଧ୍ୟାନ ଦେଲେ। ଫଳରେ ଧୀରେ ଧୀରେ ଓଡ଼ିଆ ପଢ଼ା ବନ୍ଦ ହେଲା। ଏହା ଓଡ଼ିଆ ପତ୍ରପତ୍ରିକା ପ୍ରତି ବିମୁଖ ଭାବ ସୃଷ୍ଟି କଲା।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ସାହିତ୍ୟର ଡିଜିଟାଲାଇଜସନ୍‌କୁ ଆପଣ ଗୋଟିଏ ବଡ଼ ମୋଡ଼ ଦେଲେ, ଯେତେବେଳେ ‘ସୃଜନିକା’ ଜରିଆରେ ଆପଣ ଇଣ୍ଟରନେଟ୍‌ରେ ଗୋଟିଏ ପରେ ଗୋଟିଏ ଓଡ଼ିଆ ବହି ପ୍ରକାଶ କରିବା ଆରମ୍ଭ କଲେ। କମ୍ପ୍ୟୁଟର ଉପଯୋଗୀ ଓଡ଼ିଆ ଅକ୍ଷର ବା ଫଣ୍ଟ୍ ପାଇବା ଆପଣଙ୍କ ଲାଗି ଗୋଟିଏ ବଡ଼ ସମସ୍ୟା ସୃଷ୍ଟି କରିଥିବ।
ନିଖିଳ ପଟ୍ଟନାୟକ: ଓଡ଼ିଆ ଫଣ୍ଟ ଆମେ ତିଆରି କରିନାହୁଁ। ଆମେରିକାରେ ଆମର ଜଣେ ସହଯୋଗୀ ଥିଲେ, ରାଜେଶ ପ୍ରଧାନ। ବହୁ ଦିନ ତଳେ ମାଇକ୍ରୋସଫ୍ଟ ଆମକୁ ଦେଇଥିଲେ ‘ଉତ୍କଳ’ ନାମରେ ଗୋଟିଏ ଫଣ୍ଟ; ତା’କୁ ସେ ଟିକିଏ ବିକଶିତ କଲେ। ତଥାପି କିଛି ଭୁଲ୍ ଭଟକା ରହିଗଲା। ତେଣୁ ଆମେ ସମ୍ପର୍କ କଲୁ ‘ଲିନକ୍ସ’ ସହିତ, ଯାହା ଥିଲା ଏକ ମାଗଣା ଓ ଖୋଲା ସୋର୍ସ୍‌।
ସାହିତ୍ୟ ଚର୍ଚ୍ଚା: ‘ଲିନକ୍ସ’ରେ ଓଡ଼ିଆ ଭାଷା ବ୍ୟବହାର କରିବା ପାଇଁ କିଛି ଅସୁବିଧା ହେଲାନାହିଁ?
ନିଖିଳ ପଟ୍ଟନାୟକ: ଏହା ଆମପାଇଁ ବରଂ ବେଶି ସୁବିଧାଜନକ ହେଲା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଏହି ବିରାଟ ବ୍ୟବସ୍ଥାକୁ ଚଳାଇରଖିବା ପାଇଁ ସରକାରଙ୍କ ତରଫରୁ କିଛି ଆର୍ଥିକ ସହଯୋଗ ମିଳିଛି କି?
ନିଖିଳ ପଟ୍ଟନାୟକ: କେବଳ ୨୦୦୪ ମସିହା ପୂର୍ବରୁ ‘ବିଜ୍ଞାନ ତରଙ୍ଗ’ ପତ୍ରିକା ପାଇଁ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗରୁ ଅଳ୍ପ କିଛି ଆର୍ଥିକ ଅନୁଦାନ ମିଳିଥିଲା; ତାହାପରେ ଆମେ ଆଉ କିଛି ସରକାରୀ ସହଯୋଗ ପାଇଁ ଚେଷ୍ଟା କରିନାହୁଁ, କି ପାଇନାହୁଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ମନେଥିବ କି ନାହିଁ, ବହୁ ବର୍ଷ ତଳେ ଆପଣ ‘ପ୍ରଗତିବାଦୀ’ରେ ଗୋଟିଏ ପ୍ରବନ୍ଧ ଲେଖିଥିଲେ, ଯେଉଁଥିରେ ଆପଣ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ସବଳ କରିବା ପାଇଁ ଆମ ସରକାର ବିଦେଶରୁ ଅନୁଦାନ ଆଣିବାର ପ୍ରସ୍ତାବକୁ ବିରୋଧ କରିଥିଲେ।
ନିଖିଳ ପଟ୍ଟନାୟକ: ସେଇଟା ୧୯୯୨ ସମୟର କଥା। ସେଥିରେ ଆମେ ବିଦେଶୀ ପଇସାକୁ ବିରୋଧ କରିନଥିଲୁ। କିନ୍ତୁ ତାହା ଜରିଆରେ ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ବିଦେଶୀ ନିୟନ୍ତ୍ରଣକୁ ବିରୋଧ କରିଥିଲୁ।
ସାହିତ୍ୟ ଚର୍ଚ୍ଚା: ଯେଉଁମାନେ ଆପଣଙ୍କ ସହିତ କାର୍ଯ୍ୟ କରିଛନ୍ତି ସ୍ୱେଚ୍ଛାସେବୀ ଭାବରେ ହେଉ, ବା ଅନ୍ୟ ଭାବରେ, କହନ୍ତି ଯେ ଆପଣ ନିଜ ନୀତିରେ ଏତେ ଅଟଳ ଥାଆନ୍ତି ଯେ କୌଣସି ଅବ୍ୟବସ୍ଥା ଦେଖିଲେ ସହିପାରନ୍ତି ନାହିଁ। ନିଖିଳ ପଟ୍ଟନାୟକଜୀକୋ ଗୁସ୍ସା କ୍ୟୁଁ ଆତା ହୈ?
ନିଖିଳ ପଟ୍ଟନାୟକ: ଆମ ନିଜ ଅସହାୟତାର ରାଗଟା ବେଶି ଆସେ ସେହି ସମୟରେ; ଯେତେବେଳେ ଆମେ କାମଟିଏ କରିବାକୁ ଚାହୁଛୁ, କିନ୍ତୁ କରିପାରୁନୁ।
ସାହିତ୍ୟ ଚର୍ଚ୍ଚା: ଯେମିତି …
ନିଖିଳ ପଟ୍ଟନାୟକ: ଯେମିତି କେତେଜଣ ଲେଖକ ଓ ଅଧ୍ୟାପକଙ୍କର ଅନାଗ୍ରହ। ଘରେ ବହି ଗଦେଇକରି ରଖିଥିବେ; ସେଗୁଡ଼ିକ ପଡ଼ି ପଡ଼ି ନଷ୍ଟ ହୋଇଯିବ ପଛେ, ଆମକୁ ସ୍କାନିଂ ପାଇଁ ଦେବେନି।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ସାହିତ୍ୟକୁ ଡିଜିଟାଇଜ୍ କରି ତାହାକୁ ଆପଣ ସର୍ବସାଧାରଣଙ୍କ ଉପଯୋଗ ପାଇଁ ବିନା ମୂଲ୍ୟରେ ଉପଲବ୍‌ଧ କରାଉଛନ୍ତି। ଓଡ଼ିଆ ଜାତିର ଏହି ସାମୂହିକ କାର୍ଯ୍ୟରେ ଅନ୍ୟମାନେ ସହଯୋଗର ହାତ ବଢ଼ାଉନାହାନ୍ତି କାହିଁକି?
ନିଖିଳ ପଟ୍ଟନାୟକ: ଏ କଥା ସେମାନେ କହିପାରିବେ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ଉପଯୋଗୀ ଆଲୋଚନା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

2 thoughts on “ଓଡ଼ିଆ ସାହିତ୍ୟରେ ଡିଜିଟାଲ୍‌କରଣର ପ୍ରବର୍ତ୍ତକ ନିଖିଳ ପଟ୍ଟନାୟକଙ୍କ ସହିତ ବାର୍ତ୍ତାଳାପ

  1. ଉତ୍ସାହୀ, ଉଦ୍ୟମୀ, ଏକାଗ୍ର ଓ ନିଷ୍ଠାପର ସେ ନିଃସଂଗ ହୋଇ ବି ଜଣେ ବିରଳ ଭାଷାସେବକ।

  2. ଓଡ଼ିଆ ଭାଷାର ପ୍ରଗତି ପଥରେ ସୃଜନିକା ଏପରି ଏକ ମାଇଲ୍ ଖୁଣ୍ଟ ଯାହାକୁ ପ୍ରତ୍ୟେକ ଭାଷାପ୍ରେମୀ ସର୍ବଦା ମନେ ରଖିବେ।

Leave a Reply

Your email address will not be published. Required fields are marked *