ବରିଷ୍ଠ କବି ଓ ସମ୍ପାଦକ ସରୋଜରଂଜନ ମହାନ୍ତିଙ୍କ ସହ ସାରସ୍ୱତ ଆଳାପ

ଯେଉଁମାନେ ସାହିତ୍ୟ ଲେଖୁଛନ୍ତି, ସେମାନେ ଆର୍ଥିକ ଦୃଷ୍ଟିରୁ ବେଶ୍ ସମ୍ପନ୍ନ; ପତ୍ରିକାଟିଏ କାହିଁକି କିଣିବେନି? ଏଇଟାକୁ ବରଂ କହିବା, ସେମାନଙ୍କର ନିଃସ୍ପୃହତା, ଆଗ୍ରହହୀନତା।

ବର୍ଷୀୟାନ କବି ଓ ସମ୍ପାଦକ ସରୋଜରଂଜନ ମହାନ୍ତିଙ୍କୁ ବୟସ ଏବେ ୮୨ ବର୍ଷ। ବହୁ ବର୍ଷ ଧରି ‘ଝଙ୍କାର’ ପତ୍ରିକାର ସମ୍ପାଦନା ସହିତ ସମ୍ପୃକ୍ତ ଥାଇ ସେ ଓଡ଼ିଶାର ସାରସ୍ୱତ ଜଗତକୁ ଏକ ନିର୍ଦ୍ଦିଷ୍ଟ ଦିଶା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ତା’ଙ୍କର ଚାରିଗୋଟି କବିତା ସଂକଳନ ଓ ଗୋଟିଏ ଜୀବନୀ ପୁସ୍ତକ ପ୍ରକାଶିତ। କଟକରେ ତାଙ୍କ ସହିତ ସାକ୍ଷାତ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଆପଣ ନିଜର ସ୍ନାତକୋତ୍ତର ଛାତ୍ରଜୀବନରେ ରାଜନୀତି ବିଜ୍ଞାନ ପଢ଼ିଲେ; ତା’ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଆଇନ୍ ପାଠ। ସେତେବେଳେ ଆପଣ କ’ଣ ଭାବିଥିଲେ ଯେ ଆପଣଙ୍କ ବୃତ୍ତିଗତ ଜୀବନ ଏହି ଦୁଇ ପାଠଠାରୁ ଭିନ୍ନ କିଛି ମୋଡ଼ ନେବ – ଅର୍ଥାତ୍ ସାହିତ୍ୟସେବା ଓ ପତ୍ରିକା-ସମ୍ପାଦନା?
ସରୋଜରଂଜନ ମହାନ୍ତି: ସେକଥା ମୁଁ ଭାବିନଥିଲି। ଯେତେବେଳେ ମୁଁ ଦଶମ ଶ୍ରେଣୀରେ ପଢ଼ୁଥିଲି ବରଗଡ଼ର ଜର୍ଜ ହାଇସ୍କୁଲରେ, ସେତେବେଳେ ମୋ’ର ଜଣେ ଶିକ୍ଷକ ଥିଲେ; ସିଏ ମୋତେ କହିଥିଲେ, “ଲେଖାଲେଖି କରୁଛ, ‘ଝଙ୍କାର’ ମଗାଇ ପଢ଼।”
ସାହିତ୍ୟ ଚର୍ଚ୍ଚା: ସେତେବେଳକୁ କ’ଣ ‘ଝଙ୍କାର’ ପତ୍ରିକା ବାହାରିସାରିଥିଲା?
ସରୋଜରଂଜନ ମହାନ୍ତି: ହଁ, ‘ଝଙ୍କାର’ ପ୍ରକାଶ ପାଇବା ଆରମ୍ଭ ହେଲା ୧୯୪୯ରେ। ମୁଁ ୧୯୫୪ର କଥା କହୁଛି। ମୁଁ ସେ ସମୟରୁ ‘ଝଙ୍କାର’ ମଗାଉଥିଲି; ଖଣ୍ଡକୁ ବାର ଅଣା ପଡ଼ୁଥିଲା।
ସାହିତ୍ୟ ଚର୍ଚ୍ଚା: ସେତେବେଳେ ଏହାର ସମ୍ପାଦକ କିଏ ଥିଲେ?
ସରୋଜରଂଜନ ମହାନ୍ତି: ସତ୍ୟାନନ୍ଦ ଚମ୍ପତିରାୟ; ସେ ଜଣେ ଭଲ କବି ଥିଲେ। ବୋଲଗଡ଼-ବେଗୁନିଆରୁ ଏମ୍‌.ଏଲ୍‌.ଏ ମଧ୍ୟ ହୋଇଥିଲେ।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣ ସେହି ବୟସରୁ ‘ଝଙ୍କାର’ ପଢ଼ିବା ନିଶାରେ ପଡ଼ି ଯାଇଥିଲେ?
ସରୋଜରଂଜନ ମହାନ୍ତି: ହଁ, ସେବେଠୁଁ ପଢ଼ୁଛି ତ ପଢ଼ୁଛି!
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଏହାକୁ ନେଇ ଯେ କ୍ୟାରିଅର କରିବେ, ଏବଂ ‘ଝଙ୍କାର’କୁ ହିଁ ନେଇ ଯେ ସାରା ଜୀବନ ବିତିଯିବ, ଏହା ଭାବିଥିଲେ କେବେ?
ସରୋଜରଂଜନ ମହାନ୍ତି: ନା କେବେ ଭାବିନି। ହରେକୃଷ୍ଣ ମହତାବ ବମ୍ବେରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ହେଲେ; ସେ ଫେରିଥା’ନ୍ତି ଅକ୍ଟୋବରରେ, ଡିସେମ୍ବରରେ ଆମ କଲେଜ ୟୁନିଅନ୍‌ର ବାର୍ଷିକ ଉତ୍ସବ ହେଲା। ମୁଁ ସେତେବେଳେ ଗଙ୍ଗାଧର ମେହେର କଲେଜରେ ଇଣ୍ଟରମିଡିଏଟ୍ ପଢୁଥାଏ, ଏବଂ ୟୁନିଅନ୍‌ରେ କଳା ଓ ବାଣିଜ୍ୟ ବିଭାଗର ଏକ୍‌ଜିକ୍ୟୁଟିଭ୍ ସଦସ୍ୟ ଭାବରେ ଥାଏ। ଡ. ମହତାବ ଆମ କଲେଜ ଉତ୍ସବକୁ ଅତିଥି ହୋଇ ଆସିଥିଲେ।
ସାହିତ୍ୟ ଚର୍ଚ୍ଚା: ତେବେ ସେତେବେଳେ କ’ଣ ଆପଣଙ୍କୁ ପ୍ରଜାତନ୍ତ୍ର କି ଝଙ୍କାର ସହିତ ଯୋଡ଼ି ହେବାର ଅବସର ମିଳିଲା?
ସରୋଜରଂଜନ ମହାନ୍ତି: ନାହିଁ, ସେଦିନ ସେ ମୋତେ କେବଳ ପ୍ରଥମ ଥର ପାଇଁଁ ଦେଖିଲେ। କିନ୍ତୁ ମୁଁ ସେତେବେଳେ ଘୁଣାକ୍ଷରେ ମଧ୍ୟ ଜାଣିନଥିଲି ଯେ ଝଙ୍କାରରେ ଦିନେ ଯୋଗଦେବାକୁ ହେବ। ଦେଖନ୍ତୁ, ‘ଘୁଣାକ୍ଷର’ ବୋଲି କହିଲି। “ଘୁଣାକ୍ଷରରେ ଜାଣିନାହିଁ”ର ଅର୍ଥ ହେଲା, କଳ୍ପନା ବି କରିନାହିଁ; ଏହାକୁ ‘ଘୃଣାକ୍ଷର’ ବୋଲି ଲେଖିବେ ନାହିଁ; କାରଣ ଆଜିକାଲି କେତେକ ବଡ଼ ଲେଖକ ମଧ୍ୟ ଏହାକୁ ଘୃଣାକ୍ଷର ବୋଲି ଲେଖୁଛନ୍ତି।
ସାହିତ୍ୟ ଚର୍ଚ୍ଚା: ଶବ୍ଦ ଓ ଭାଷାର ଶୁଦ୍ଧତା ଉପରେ ଆପଣ ତ ବେଶି ଲକ୍ଷ୍ୟ ରଖନ୍ତି; ‘ଝଙ୍କାର’ରେ ପ୍ରକାଶିତ ଆପଣଙ୍କର ଅଧିକାଂଶ ସମ୍ପାଦକୀୟରୁ ଏହା ଜଳଜଳ ଦିଶିଯାଏ। ତା’ହେଲେ, ଏଥର କହନ୍ତୁ, ଆପଣ କେମିତି ପ୍ରଜାତନ୍ତ୍ର ପରିବାର ସହିତ ଯୋଡ଼ିହେଲେ?
ସରୋଜରଂଜନ ମହାନ୍ତି: ମୁଁ ଆଇନ କଲେଜରେ ପଢ଼ିବା ବେଳେ ଲେଖାଲେଖି କରୁଥିଲି। ଝଙ୍କାରରେ ମଧ୍ୟ ମୋ’ର ଲେଖା ବାହାରିଲା; ଏକଥା ଡ. ମହତାବ ଜାଣିଲେ। ଥରେ ବିଷୁବ ମିଳନ ଉପଲକ୍ଷେ ‘ପ୍ରଜାତନ୍ତ୍ର ସାହିତ୍ୟ ପୁରସ୍କାର’ଟି ମୋ ଭାଗରେ ପଡ଼ିଲା।

ସାହିତ୍ୟ ଚର୍ଚ୍ଚା: ଏହି ହେତୁ ଆପଣ ପୁନରାୟ ଡ଼. ମହତାବଙ୍କ ନଜରରେ ପଡ଼ିଲେ?
ସରୋଜରଂଜନ ମହାନ୍ତି: ହଁ, ପଡ଼ିଥିବି ବୋଲି ଭାବୁଛି। ସେ ମୋତେ କହିଲେ, “ଆସ, ତୁମେ ତ ଲେଖାଲେଖି କରୁଛ; ଏଥିରେ ବି କିଛି କାମ କରୁଥାଅ।” ସେତେବେଳେ ମହାପାତ୍ର ନୀଳମଣି ସାହୁ ସମ୍ପାଦକ ଥାଆନ୍ତି। ମୋ’ର ନାମଟି ସେଥିରେ କେବଳ ବାହାରିଲା; କିନ୍ତୁ ମୁଁ ବିଶେଷ କିଛି କାମ କରୁନଥାଏ।
ସାହିତ୍ୟ ଚର୍ଚ୍ଚା: ଆପଣ ପ୍ରଥମେ ବୋଧହୁଏ ସହକାରୀ ସମ୍ପାଦକ ଥିଲେ।
ସରୋଜରଂଜନ ମହାନ୍ତି: ହଁ, କେବଳ ବର୍ଷଟିଏ ପାଇଁ, ୧୯୫୮ରୁ ୫୯।
ସାହିତ୍ୟ ଚର୍ଚ୍ଚା: ତା’ପରେ?
ସରୋଜରଂଜନ ମହାନ୍ତି: ତା’ପରେ ପରିଚାଳନା ସମ୍ପାଦକ ହେଲି। ଡ. ମହତାବ ପରବର୍ତ୍ତୀ ପାଞ୍ଚ ଦିନର କଥା ସବୁବେଳେ ଆଗୁଆ ଚିନ୍ତା କରିନିଅନ୍ତି। ମହାପାତ୍ର ନୀଳମଣି ସାହୁ ଯିବା ପୂର୍ବରୁ ସେ ମୋତେ ଏହି ଦାୟିତ୍ୱ ଦେବାର କଥା ଚିନ୍ତା କରି ରଖିଥାଆନ୍ତି।
ସାହିତ୍ୟ ଚର୍ଚ୍ଚା: ଆପଣ ତ ମୂଳତଃ ଜଣେ କବି; ଆପଣଙ୍କର ଚାରିଗୋଟି କବିତା ବହି ପ୍ରକାଶ ପାଇଛି। ତେବେ ମନେହୁଏ ଯେ ଆପଣ ଓଡ଼ିଆ ସାହିତ୍ୟକୁ ଆହୁରି ଅନେକ କିଛି ମୌଳିକ ସୃଷ୍ଟି ଦେଇପାରିଥାଆନ୍ତେ; ସମ୍ପାଦନା-କର୍ମ ଆପଣଙ୍କର ସେହି ସୃଜନଶୀଳ ମୌଳିକତାକୁ ଅପହରଣ କରିନେଲା କି?
ସରୋଜରଂଜନ ମହାନ୍ତି: ବୋଧହୁଏ ତାହା ସତ। ମୁଁ ସମ୍ପାଦନା ନ କରିଥିଲେ ସର୍ଜନଶୀଳତା ବ୍ୟାହତ ହୋଇନଥା’ନ୍ତା। ସର୍ଜନଶୀଳତା ତ ଏକ ଅନ୍ତର୍ନିହିତ କଥା, ଯାହା ମଣିଷ ଭିତରେ ଥାଏ; ସେଇଟା କେବେ ଚାଲିଯିବ ନାହିଁ। କିନ୍ତୁ ମୁଁ ସାହିତ୍ୟ ସାଧନା ପାଇଁ ନିଜକୁ ଯେତିକି ନ୍ୟାୟ ଦେବାର କଥା, ତାହା ଦେଇପାରିଲି ନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ କବିତାରେ ଗୋଟିଏ ସମ୍ବେଦନଶୀଳ ଜୀବନଧର୍ମୀତା ଅଛି। ଏହାର ମୂଳ ଭିତ୍ତି କ’ଣ?
ସରୋଜରଂଜନ ମହାନ୍ତି: ମୁଁ ଯାହା ତ ଲେଖିଛି, ଲେଖିଛି; କିନ୍ତୁ ବ୍ୟକ୍ତିଗତ ଜୀବନରେ ମୁଁ ସମତାରେ ବିଶ୍ୱାସ କରେ। ଏହାକୁ କିନ୍ତୁ ସାମ୍ୟବାଦ ବା କମ୍ୟୁନିଜମ୍ ବୋଲି ମୁଁ କେବେ କହିବିନି। ମୁଁ କମ୍ୟୁନିଜମ୍‌ର ଘୋର ବିରୋଧୀ।
ସାହିତ୍ୟ ଚର୍ଚ୍ଚା: ଏହାକୁ ତେବେ କହିପାରିବା ଇଗାଲିଟାରିଆନିଜମ୍‌!
ସରୋଜରଂଜନ ମହାନ୍ତି: ହଁ, ତାହା ହୋଇପାରେ। ଏହି ଭାବ ମୋ ଲେଖା ଭିତରକୁ କେବେ କେଉଁଠି ଆସିଛି, ସଚେତନ ଭାବରେ ହେଉ ଅବା ଅଚେତନ ଭାବରେ।
ସାହିତ୍ୟ ଚର୍ଚ୍ଚା: ଶୁଣିଲୁ ଯେ ଛାତ୍ର ଜୀବନରେ ଆପଣ ଜଣେ ଆକ୍ଟିଭିଷ୍ଟ ଥିଲେ। ଡ. ମହତାବ କ’ଣ ଏକଥା ଜାଣିଥିଲେ?
ସରୋଜରଂଜନ ମହାନ୍ତି: ମହତାବ ତ ଜାଣିଥିଲେ ଯେ ମୁଁ ଲେଖାଲେଖି କରୁଛି; ଆଉ ମଧ୍ୟ ଜାଣିଥିଲେ ଯେ ମୁଁ ଛାତ୍ର ରାଜନୀତି କରୁଛି।
ସାହିତ୍ୟ ଚର୍ଚ୍ଚା: ସେହି ଛାତ୍ର ରାଜନୀତିରେ ଆପଣ କେଉଁ ନିର୍ଦ୍ଦିଷ୍ଟ ଦଳ ପ୍ରତି ଆସକ୍ତ ଥିଲେ କି?
ସରୋଜରଂଜନ ମହାନ୍ତି: କୌଣସି ନିର୍ଦ୍ଦିଷ୍ଟ ଦଳ ନୁହଁ; କିନ୍ତୁ ଆମେ କମ୍ୟୁନିଷ୍ଟଙ୍କ ବିରୁଦ୍ଧରେ ଥିଲୁ। ସେତେବେଳେ ଆମର ଗୋଟିଏ ସଂଗଠନ ଥିଲା, ଯେଉଁଟା ପରେ ମରିଗଲା, ‘ଉତ୍କଳ ଛାତ୍ର ୟୁନିଅନ’। ସେଥିରେ କମ୍ୟୁନିଷ୍ଟଙ୍କୁ ଛାଡ଼ି ବାକି ସୋସାଲିଷ୍ଟ ଇତ୍ୟାଦି ଥିଲେ। ଭାଗବତ ବେହେରା ଓ ସମରେନ୍ଦ୍ର କୁଣ୍ଡୁ ଆମ ସହିତ ଥିଲେ। ସେତେବେଳେ ୧୯୬୪ ମସିହାରେ ୯୫ ଦିନ ଧରି ଯେଉଁ ଛାତ୍ର ଆନ୍ଦୋଳନ ହୋଇଥିଲା, ସେହି ସମୟରେ ମୁଁ ବାଣୀବିହାରର ଛାତ୍ର ଥାଇ କାରାରୁଦ୍ଧ ହୋଇଥିଲି। ଡ. ମହତାବ ଏ କଥା ଜାଣିଥିଲେ।
ସାହିତ୍ୟ ଚର୍ଚ୍ଚା: ୨୦୦୭ ମସିହାରେ ଆପଣଙ୍କର ‘ଚିତ୍ରମେଘ’ ନାମରେ ଗୋଟିଏ ସଂକଳନ ପ୍ରକାଶ ପାଇଛି; ଏଥିରେ ‘ଶିଡ଼ି’ ଶୀର୍ଷକ ଗୋଟିଏ କବିତା ଆମେ ପଢ଼ିଛୁ, ଯେଉଁଥିରେ ଆପଣ ଲେଖିଛନ୍ତି, “ମୁଁ ତ ଶିଡ଼ିଟିଏ/ ମୋ ପାଦ ମାଟିରେ ତ/ ହାତ ମୋ’ର ଆକାଶ ଆଡ଼କୁ/ କିନ୍ତୁ ଉପରକୁ ଉଠୁଥିବା/ ଉଠିବାକୁ ଚେଷ୍ଟା କରୁଥିବା/ ଲୋକଙ୍କର ଲୋଡ଼ା ମୋ’ର ଦେହର ପାହାଚ।’ ସମାଜରେ ଅନ୍ୟମାନଙ୍କୁ ଉଠିବାକୁ ଦେବାପାଇଁ ନିଜକୁ ଜଳାଞ୍ଜଳି ଦେବା, ଏଠାରେ ଆପଣଙ୍କର ବକ୍ତବ୍ୟ କି?
ସରୋଜରଂଜନ ମହାନ୍ତି: ଜଳାଞ୍ଜଳି ନୁହଁ, ମୁଁ ସେଥିରେ ଗୋଟିଏ ମାଧ୍ୟମ ହୁଏ, ତାହା ହିଁ ମୋ’ର କାବ୍ୟିକ ବକ୍ତବ୍ୟ। ଅନ୍ୟକୁ ସାହାଯ୍ୟ କରିବା ହେଉଛି ଜଣେ ମଣିଷର କର୍ତ୍ତବ୍ୟ।
ସାହିତ୍ୟ ଚର୍ଚ୍ଚା: ଆପଣ ତ ଏକଥା କେବେ କହିନାହାନ୍ତି କି କହିବେନି; କିନ୍ତୁ ସାଧାରଣରେ ଗୋଟିଏ ଧାରଣା ଅଛି ଯେ ଆପଣ ଅନେକ ଯୁବକବି ଓ ଲେଖକଙ୍କୁ ଲୋକଲୋଚନକୁ ଆଣିବାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି। ଆପଣଙ୍କ ସେହି ସାହିତ୍ୟିକ ଆବିଷ୍କାରଗୁଡ଼ିକ ବିଷୟରେ କିଛି କହିବେ କି? ଅର୍ଥାତ୍ ଆପଣ ଭାବନ୍ତି କି ଯେ ଏମାନଙ୍କୁ ସାହିତ୍ୟ ଜଗତରେ ପରିଚିତ କରାଇ ଆପଣଙ୍କ ସମ୍ପାଦକୀୟ ଜୀବନ ସାର୍ଥକ ହୋଇଗଲା?
ସରୋଜରଂଜନ ମହାନ୍ତି: ଜୀବନ ସାର୍ଥକ ହୋଇଗଲା ବୋଲି କହିବିନି; ତେବେ ଗୋଟିଏ ଆତ୍ମସନ୍ତୋଷ ନିଶ୍ଚୟ ପାଇଛି। ମୋତେ ଲାଗେ ଯେ କିଛିଜଣଙ୍କ ସାହିତ୍ୟିକ ଉତ୍‌ଥାନରେ ମୋ’ର ଗୋଟିଏ ଅଂଶ ଅଛି, ସେଇଟା ମୋ ପାଇଁ ଗୋଟିଏ ବ୍ୟକ୍ତିଗତ ଆଶ୍ୱାସନାର ବିଷୟ।
ସାହିତ୍ୟ ଚର୍ଚ୍ଚା: ଯେମିତି ଜଗଦୀଶ ମହାନ୍ତି…
ସରୋଜରଂଜନ ମହାନ୍ତି: ମୁଁ ଜଗଦୀଶଙ୍କ କଥା ହିଁ କହିବାକୁ ଯାଉଥିଲି; ଆପଣ ମୋ ପାଟିରୁ ଛଡ଼ାଇନେଲେ। ତାଙ୍କର ପ୍ରଥମ ଗଳ୍ପ ମୁଁ ରିଜେକ୍ଟ କରିଥିଲି। କିନ୍ତୁ ତାଙ୍କୁ ଏ ବିଷୟରେ ଦୀର୍ଘ ଦୁଇ ପୃଷ୍ଠାର ଗୋଟିଏ ଚିଠି ଲେଖିଥିଲି। ସେଇଟା ବି ମୋ’ର ମନେ ନଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ ମୋ’ର ତା’ଙ୍କ ସହିତ ପରିଚୟ ଘନିଷ୍ଠ ହେଲା, ସେତେବେଳେ ସେ ମୋତେ ଏହି ଚିଠିର କଥା ମନେପକାଇ ଦେଇଥିଲେ।
ସାହିତ୍ୟ ଚର୍ଚ୍ଚା: ଆହୁରି ବହୁ ଲେଖକ ମଧ୍ୟ ଆପଣଙ୍କ ପତ୍ରିକା ଜରିଆରେ ପରିଚୟକୁ ଆସିଥିବେ।
ସରୋଜରଂଜନ ମହାନ୍ତି: ହଁ, ଏବେ ସେମାନଙ୍କ ମଧ୍ୟରୁ ଯେଉଁ ନାମଗୁଡ଼ିକ ମନେ ପଡୁଛି ସେମାନଙ୍କ ମଧ୍ୟରେ ଥିଲେ, ସତ୍ୟ ମିଶ୍ର, ଯଶୋଧାରା ମିଶ୍ର, ପଦ୍ମଜ ପାଳ, ରାମଚନ୍ଦ୍ର ବେହେରା, ସରୋଜିନୀ ସାହୁ ପ୍ରଭୃତି।
ସାହିତ୍ୟ ଚର୍ଚ୍ଚା: ସତ୍ୟ ମିଶ୍ରଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ବୋଧହୁଏ ଥିଲା ‘ଯୀଶୁଖ୍ରୀଷ୍ଟ’।
ସରୋଜରଂଜନ ମହାନ୍ତି: ‘ଯୀଶୁଖ୍ରୀଷ୍ଟ’ ତ ୧୯୭୧ ନା ୭୨ରେ ବାହାରିଥିଲା; ତା ଆଗରୁ ମଧ୍ୟ ସେ ଆଉ ଗୋଟିଏ କି ଦୁଇଟି ଗଳ୍ପ ଲେଖିସାରିଥିଲେ ଝଙ୍କାରରେ।
ସାହିତ୍ୟ ଚର୍ଚ୍ଚା: କୁହାଯାଏ ଯେ ‘ଝଙ୍କାର’ର ସମ୍ପାଦନା ବିଷୟରେ ଯେ କୌଣସି ନିଷ୍ପତ୍ତି ନେବାରେ ଡ. ମହତାବଙ୍କର ଗୋଟିଏ ବିଶେଷ ଭୂମିକା ରହୁଥିଲା। ଏ ଦୃଷ୍ଟିରୁ ଆପଣ ଏହି ପତ୍ରିକାର ସମ୍ପାଦନା ପାଇଁ ଆବଶ୍ୟକ ସ୍ୱାଧୀନତା ହରାଉଥିଲେ କି?
ସରୋଜରଂଜନ ମହାନ୍ତି: ସେଇଟା ମୋଟେ ସତ ନୁହଁ। କେତେବେଳେ କିଛି ଅସୁବିଧା ହୋଇଥିଲେ ଅବଶ୍ୟ ଏ ବିଷୟରେ ସେ କେବଳ ଅନୁସନ୍ଧାନ କରନ୍ତି। ସେ କିନ୍ତୁ କିଛି ନିଷ୍ପତ୍ତି ନିଅନ୍ତିନାହିଁ; ନା ପୁରସ୍କାର ବିଷୟରେ, ନା ଲେଖା ସିଲେକସନ୍ ବିଷୟରେ।
ସାହିତ୍ୟ ଚର୍ଚ୍ଚା: ସେ କ’ଣ କେବେ ସୁପାରିସ କରୁନଥିଲେ ଯେ ଅମୁକ ଲେଖାଟିକୁ ଟିକିଏ ଦେଖିନେବେ?
ସରୋଜରଂଜନ ମହାନ୍ତି: ନା, ଏମିତି କେବେ କରନ୍ତିନି। ସେ ଥିଲେ ଜଣେ ଡେମୋକ୍ରାଟ୍‌। କେବେ କୌଣସି ଲେଖା ତା’ଙ୍କ ହାତକୁ ଆସିଲେ, ସେ ତାହା ଆମ ପାଖକୁ ପଠାଇଦିଅନ୍ତି; ଏହା ଲୋକେ ଜାଣିବା ଦରକାର। କେବଳ ସମ୍ପାଦନା ବିଷୟରେ ପତ୍ରିକାର ନୀତି ସ୍ଥିର କରିବାବେଳେ ନିଜର ମତ ଯାହା ଦିଅନ୍ତି ସେ।
ସାହିତ୍ୟ ଚର୍ଚ୍ଚା: ଶୁଣିଛୁ ଯେ, ଆପଣ ଏବେ ‘ଝଙ୍କାର’ ପତ୍ରିକାର କେବଳ କବିତା ବିଭାଗଟି ଦେଖୁଛନ୍ତି। ଆପଣ ପ୍ରଥମେ ‘ଝଙ୍କାର’ରେ ଯୋଗଦାନ କରିବା ବେଳେ, ଅର୍ଥାତ୍ ସତୁରି ଦଶକ ପାଖାପାଖି ଏଥିରେ ଯେଉଁ ପ୍ରକାର କବିତା ପ୍ରକାଶ ପାଉଥିଲା, ଆଉ ଏବେ ଯେଉଁ କବିତା ପ୍ରକାଶ ପାଉଛି, ଏହା ଭିତରେ କିଛି ଫରକ ଅଛି କି? ଅର୍ଥାତ୍ ଏହି ଦୀର୍ଘ ପଚାଶ ବର୍ଷ ଭିତରେ କବିତାର ମଙ୍ଗ କୁଆଡ଼କୁ ଯାଇଛି?
ସରୋଜରଂଜନ ମହାନ୍ତି: ପରିବର୍ତ୍ତନ ତ ହୋଇଛି। ମୁଁ ଏଥିରେ ମଧ୍ୟ ଗୋଟିଏ ବିବର୍ତ୍ତନ ଲକ୍ଷ୍ୟ କରୁଛି। ଛନ୍ଦ ମଧ୍ୟ କିଛିଟା ଫେରୁଛି। ସେଇଟା ଆଶାବାଦର ଗୋଟିଏ ଚିହ୍ନ। କବିତାରେ ସମୟର ପ୍ରତିଫଳନ ଦେଖୁଛି।
ସାହିତ୍ୟ ଚର୍ଚ୍ଚା: ଓଡ଼ିଶାରେ ଗୋଟିକ ପରେ ଗୋଟିଏ ସାହିତ୍ୟ ପତ୍ରିକା ବନ୍ଦ ହୋଇଯାଉଥିବାର କାରଣ କ’ଣ?
ସରୋଜରଂଜନ ମହାନ୍ତି: ପାଠକ ନାହାନ୍ତି; ଲେଖକ କିନ୍ତୁ ବହୁତ। ଆପଣଙ୍କୁ କହୁଛି; ବର୍ଷକୁ ଆମେ ପାଖାପାଖି ୧୦୦୦ କବିତା ପାଉ। ସେଥିଭିତରୁ ଛପାହେଉଥିବ ୩୦୦ ବା ୪୦୦। ବାକି ଯେଉଁମାନଙ୍କର ଛପା ନହେଲା, ସେମାନଙ୍କର କ’ଣ ସାହିତ୍ୟପ୍ରୀତି ନାହିଁ? ସେମାନେ କାହିଁକି ପତ୍ରିକାଟିଏ କିଣୁନାହାନ୍ତି?
ସାହିତ୍ୟ ଚର୍ଚ୍ଚା: ଅର୍ଥାତ୍ ଲେଖକମାନେ ବି ପତ୍ରିକା ପଢ଼ୁନାହାନ୍ତି। ଆମେ କ’ଣ ସେମାନଙ୍କୁ ସେମାନଙ୍କ ରୁଚି ମୁତାବକ ପତ୍ରିକାଟିଏ ଦେଇପାରୁନେ କି?
ସରୋଜରଂଜନ ମହାନ୍ତି: ସେଇଟା ସତ। କିନ୍ତୁ ସେକଥା ମୁଁ କହୁନାହିଁ; ଯେଉଁମାନେ ସବୁ ଲେଖୁଛନ୍ତି, ସେମାନେ ଆର୍ଥିକ ଦୃଷ୍ଟିରୁ ବେଶ୍ ସମ୍ପନ୍ନ; ପତ୍ରିକାଟିଏ କାହିଁକି କିଣିବେନି? ଏଇଟାକୁ ବରଂ କହିବା, ସେମାନଙ୍କର ନିଃସ୍ପୃହତା, ଆଗ୍ରହହୀନତା।
ସାହିତ୍ୟ ଚର୍ଚ୍ଚା: ଆପଣ କ’ଣ ଭାବନ୍ତି ଯେ ଓଡ଼ିଆ ପତ୍ରିକାମାନଙ୍କର ଭବିଷ୍ୟତ ଆଗକୁ ସଙ୍କଟାପନ୍ନ।
ସରୋଜରଂଜନ ମହାନ୍ତି: ସଙ୍କଟାପନ୍ନ ନୁହେଁ; ଏହିପରି ଢୋକେ ପିଇ, ଦଣ୍ଡେ ଜିଇଁ ଚାଲିଥିବେ ପତ୍ରିକାମାନେ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ଉପଯୋଗୀ ଆଲୋଚନାଟି ପାଇଁ ଆପଣଙ୍କୁ ଅଜସ୍ର ଧନ୍ୟବାଦ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

3 thoughts on “ବରିଷ୍ଠ କବି ଓ ସମ୍ପାଦକ ସରୋଜରଂଜନ ମହାନ୍ତିଙ୍କ ସହ ସାରସ୍ୱତ ଆଳାପ

  1. କୁଶଳୀ କ୍ରିକେଟୀୟର୍ ବ୍ୟାଟିଂ କଲାଭଳି ସରୋଜ ବାବୁ ସମ୍ପାଦକଙ୍କ ସବୁ ପ୍ରଶ୍ନର ଉତ୍ତର ନିଷ୍ଠା ଓ ନିପୁଣତା ର ସହିତ ଦେଇଛନ୍ତି। ପ୍ରଶ୍ନ ଗୁଡ଼ିକ ଖୁବ୍ ପ୍ରାସଙ୍ଗିକ।

  2. ବହୁତ ବର୍ଷ ପରେ, ସରୋଜ ରଂଜନ ମହାନ୍ତିଙ୍କୁ ତାଙ୍କରି କଣ୍ଠସ୍ବରରେ
    ଶୁଣିଲା ପରି, ମୋତେ ଲାଗିଲା ।

    ସେ ମୋତେ ମନେରଖିବା ପରି ମୁଁ ନିଶ୍ଚୟ ଭଲ ଲେଖିପାରିନାହିଁ, କିନ୍ତୁ ସତୁରୀ ଦଶକରେ ଗପ ଲେଖିବା ଆରମ୍ଭ କଲାବେଳେ ଯେଉଁ ଦି’ଜଣ ସଂପାଦକ ମୋତେ ଗପ ଲେଖିବାର କଳା ଓ କୌଶଳ ଏକପ୍ରକାରେ “ମାଡ଼ିବସି” ଶିଖେଇଥିଲେ, ସେମାନେ ହେଉଛନ୍ତି ବିଭୂତି ପଟ୍ଟନାୟକ ଏବଂ ସରୋଜ ରଂଜନ ମହାନ୍ତି ।

    ସରୋଜ ରଂଜନ ମହାନ୍ତି ଙ୍କୁ ମୁଁ କେତେଥର ମୋ ନିଜ ଗପ ପଢ଼ି ମାର୍କ୍ ଦେବାପାଇଁ କହିଛି । ଝଂକାରରେ ଛାପିବା ପାଇଁ ନିଷ୍ପତ୍ତି ନେଇସାରିଥିଲେ ମଧ୍ଯ ମୋର କୌଣସି ଗପକୁ ସେ କେବେ ୬୫ ରୁ ଅଧିକ ମାର୍କ୍ ଦେଇନାହାନ୍ତି । କହିବା ବାହୁଲ୍ୟ, ସରୋଜ ରଂଜନ ମହାନ୍ତି ଙ୍କ ପାଇଁ ପାସ୍ ମାର୍କ୍ ଥିଲା
    ଅଶୀ ।

    ଆଉ ଅବଶ୍ଯ ସମୟ କାହିଁ ମୋର ଏ’ ଜନ୍ମରେ, ଭଲ ଗପ ଲେଖି
    ତାଂକଠାରୁ ପାସ୍ ମାର୍କ୍ ପାଇବା ପାଇଁ !

    ବହୁତ ଭଲ ଲାଗିଲା ମୋତେ,
    ଆପଣ ଛାପିଥିବା ତାଙ୍କ ସହ ଆପଣଂକର ଏ’ ଅନ୍ତରଂଗ ଆଳାପ ପଢ଼ି ।

    ଆପଣ ଦୁଇଜଣଙ୍କୁ ମୋର ନମସ୍କାର ।।

  3. ସାକ୍ଷାତକାରଟି ପଢିଲି। ଅଶୀ ଦଶକର ପ୍ରଥମ ଭାଗରେ (୧୯୮୧)ସେ ମୋତେ ଝଙ୍କାରରେ ସ୍ଥାନ ଦେଇ ପ୍ରେରିତ କରିଥିଲେ।
    ତାଙ୍କୁ ହୃଦୟରୁ କୃତଜ୍ଞତା !

Leave a Reply

Your email address will not be published. Required fields are marked *